Unknown

 

 

 

 

 

 

 

 

 

 

 

ସୀମା-ପରିସୀମା

ପୃଥ୍ୱୀରାଜ ପଟ୍ଟନାୟକ

 

ଯାହାର ବୋଧଶକ୍ତି ନାହିଁ ଅଥଚ ରାତ୍ରୀର ପ୍ରତିଟି ନିର୍ଜନ ମୁହୂର୍ତ୍ତରେ ଲଣ୍ଠନରୁ ଆଲୁଅର ବିଦାୟ ସଙ୍ଗେ ସଙ୍ଗେ ଗାଢ଼ କଳାରଂଗର ଶାଢ଼ିପିନ୍ଧି ପାଦ ଚିପି ଚିପି ଆସି ତା କୋଳକୁ ମୋ ମୁଣ୍ଡ ଉଠେଇ ନିଏ ଏବଂ ତା’ରି କୋଳ ଭିତରେ ଥାଇ ମୁଁ ଦେଖେ ଅଜସ୍ର ସ୍ୱପ୍ନ ଆଉ ପର ମୁହୂର୍ତ୍ତରେ ଯାହାକୁ ମୁଁ ଲେଖିରଖେ, ସେଇ ‘‘ତମିସ୍ରା’’ର ପଦ୍ମପାଖୁଡ଼ା ଆଞ୍ଜୁଳାରେ–

 

ଏକ ଶୁଭ କାର୍ଯ୍ୟର ଅନୁଷ୍ଠାନରେ–

 

କାବ୍ୟ-କବିତା ରଚନା ଏବଂ କଥା ସାହିତ୍ୟ ରଚନା ମଧ୍ୟରେ ପାର୍ଥକ୍ୟ ରହିଛି । ସୃଷ୍ଟି-କର୍ମରେ କବି ସାଧାରଣତଃ ବହିର୍ମୁଖୀ । ଜୀବନ ଓ ସମାଜ ସହିତ ଘନିଷ୍ଠ ପରିଚୟ ନ ରହିଲେ ଲେଖକ ଭଲ ଉପନ୍ୟାସଟିଏ ଉତାରି ପାରିବ ନାହିଁ । ପୁଣି କବିଭଳି ଔପନାସିକ କେବଳ କଳ୍ପନା ପ୍ରବଣ ହେଲେ ଚଳିବ ନାହିଁ । ତାକୁ ବାସ୍ତବବାଦୀ ଏବଂ ପ୍ରାକ୍ଟିକାଲ ହେବାକୁ ପଡ଼ିବ । ସେ ଯେ ଆଧୁନିକ ଜୀବନବେଦର ଉଦ୍‌ଗାତା !

 

ଶ୍ରୀମାନ ପୃଥ୍ୱୀରାଜଙ୍କର କଥା ସାହିତ୍ୟ ସୃଷ୍ଟି ଉପରେ ନଜର ଦେଲା ବେଳ ମନ ମଧ୍ୟରେ ଉପରୋକ୍ତ କଥାଗୁଡ଼ିକ ଜାଗରୁକ ହୋଇଥାଏ । ପୃଥ୍ୱୀରାଜ ସ୍କୁଲ ଜୀବନରୁ ବିପୁଳ ଉତ୍ସାହ ଉଦ୍ଦୀପନା ଘେନି ନିୟମିତ ଲେଖାଲେଖି କରି ଆସୁଛନ୍ତି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଜୀବନ ଓ ସମାଜ ବିଷୟରେ ଅଧିକରୁ ଅଧିକ ଅଭିଜ୍ଞତା ଅର୍ଜନ କରୁଛନ୍ତି । ଏବଂ ସେହି ସବୁ ଅଭିଜ୍ଞତା-ଅନୁଭୂତିକୁ ଗଳ୍ପ ଉପନ୍ୟାସ ଜରିଆରେ ପ୍ରକାଶ କରୁଛନ୍ତି । ଇତି ମଧ୍ୟରେ ସୁନ୍ଦର ସମ୍ଭାବନାର ସୂଚନା ଦେଇ ତାଙ୍କର କେତେକ ଗଳ୍ପ ପ୍ରକାଶିତ ହୋଇଛି । ‘ଚୂଡ଼ୀ’ ନାମକ ଅନ୍ୟ ଏକ ଉପନ୍ୟାସ ସେ ଲେଖିଛନ୍ତି, ଯାହା ଅଦ୍ୟାପି ପ୍ରକାଶ ପାଇ ନାହିଁ । ଏବେ ତାଙ୍କର ‘ସୀମା ପରିସୀମା’ ଉପନ୍ୟାସଟି ଆମର ପାଠକ-ସମାଜ ନିକଟରେ ପ୍ରକାଶ ପାଉଥିବା ଅତ୍ୟନ୍ତ ଆନନ୍ଦର ବିଷୟ-ବିଶେଷତଃ ମୋ ପକ୍ଷରେ ଗଭୀର ଆଶା, ଆନନ୍ଧ ଓ ପ୍ରତ୍ୟୟର ବ୍ୟାପାର । କଲେଜରେ ବିଜ୍ଞାନ ବିଷୟ ଅଧ୍ୟୟନ କରୁଥିଲେ ମଧ୍ୟ ଶ୍ରୀମାନ୍‌ପୃଥୀରାଜ ନୀରବ ଓ ପ୍ରଚ୍ଛନ୍ନ ଭାବରେ ଯେଉଁ ସାହିତ୍ୟ ସାଧନା କରନ୍ତି, ତାହା ସହିତ ମୁଁ ଉଣାଧିକେ ସଂପର୍କ ରକ୍ଷା କରିଛି । ସେଥିପାଇଁ ସମ୍ଭାବନାର ପ୍ରଥମ ଫଳଶ୍ରୁତି ରୁପେ ତାଙ୍କର ‘ସୀମା ପରିସୀମା’ ଯେତେବେଳେ ପ୍ରକାଶ ପାଉଛି, ସେତେବେଳେ ମୋ ପକ୍ଷରେ ନୀରବ ହୋଇ ରହିବା କଷ୍ଟକର ।

 

‘ସୀମା ପରିସୀମା’ ଆମର ଅତି-ପରିଚିତ ଗ୍ରାମ୍ୟ ଘଟଣା ଓ ପରିବେଶ ଘେନି ରଚିତ । ବର୍ତ୍ତମାନ ଗଳ୍ପ-ଉପନ୍ୟାସରେ ଆଖି ଝଲସିଆ ସହରୀ ଜୀବନର ଚିତ୍ର ବହୁଳ ଭାବରେ ପ୍ରକଟିତ ହେଉଥିଲା ବେଳେ ଶ୍ରୀମାନ ପୃଥ୍ୱୀରାଜ ଏକ ନିତାନ୍ତ ଗାଉଁଲି କଥାବସ୍ତୁ ନିଜ ଉପନ୍ୟାସରେ ପରିବେଷଣ କରି ସାହସିକତାର ପରିଚୟ ଦେଇଛନ୍ତି ବୋଲିବାକୁ ହେବ । ଚଇନି, ହାଡ଼ିଆର କବି, ପାଣୁଆ ଚରିତ୍ରଗୁଡ଼ିକ ଯେପରି ଆମରି ଗହଣରେ ଆତଯାତ ହେଉଛନ୍ତି । ରାମତିଆଡ଼ି, ଗୋବିନ୍ଦ ପ୍ରଧାନ, ପ୍ରମୁଖଙ୍କୁ ଆମେ ଯେପରି ସମାଜରେ ବରାବର ପ୍ରତ୍ୟକ୍ଷ କରୁଛୁ ! ମୃଷ୍ଟିମେୟ ସହରକୁ ଛାଡ଼ିଦେଲେ ଆମ ଗାଁ ଗହଳରେ ଏହି ଯେଉଁ ଅଗଣିତ ଜନତାର ଜୟଯାତ୍ରା ଚାଲିଛି, ତାହାରି ଖବର ଶ୍ରୀମାନ୍‌ପୃଥ୍ୱୀରାଜ ପାଠକସମାଜ ସମକ୍ଷରେ ପ୍ରଦାନ କରିବାକୁ ଯତ୍ନବାନ୍ ହୋଇଛନ୍ତି । ତହିଁରେ ପୁଣି ତାଙ୍କର ଦରଦ ବା ସହାନୁଭୂତି ପୂର୍ଣ୍ଣ ମାତ୍ରାରେ ରହିଛି । ପାତ୍ର ପାତ୍ରିଙ୍କର ଚାରିତ୍ରିକ ବିବର୍ତ୍ତନ ସେ ବେଶ୍ କଳାକୁଶଳୀ ଭାବରେ ଦେଖାଇ ପାରିଛନ୍ତି । ଯେଉଁ ଅଳ୍ପ କେତେକ ସ୍ଥାନରେ ଚରିତ୍ର ରୁପାୟନରେ ସେ ଅସଂଲଗ୍ନତା ବା ଅସ୍ୱାଭାବିକତା ପ୍ରକାଶ କରିଛନ୍ତି, ତାହା ତାଙ୍କର ଜୀବନ-ଅନୁଭୂତି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ଅବସ୍ଥାରେ ଯେ ସଂଶୋଧିତ ହୋଇପାରିବ, ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ । ଚରିତ୍ର ଚିତ୍ରଣ ଭଳି ବର୍ଣ୍ଣନା ବିଭବରେ ମଧ୍ୟ ଶ୍ରୀମାନ ପୃଥ୍ୱୀରାଜାଙ୍କର ବାହାଦୁରି ରହିଛି । ଏ କ୍ଷେତ୍ରରେ ସେ ଫକୀରମୋହନ ଓ ଗୋପୀନାଥ ମହାନ୍ତିଙ୍କ ରୀତି ଅନୁସରଣ କରୁଥିବାର ମନେ ହୁଏ । କିନ୍ତୁ ସେ ଅନୁସରଣର ବିଶେଷତ୍ୱ ହେଉଛି-ତାଙ୍କ ସ୍ୱକୀୟତାର ପରିପ୍ରକାଶ ।

 

ଉପନ୍ୟାସର କଥାବସ୍ତ୍ର, ଚରିତ୍ର ଓ ବର୍ଣ୍ଣନାକୁ ଚାହିଁ ଶ୍ରୀମାନ୍‌ ପୃଥ୍ୱୀରାଜ ଯେପରି ଭାଷାବିନ୍ୟାସ କରିଛନ୍ତି, ତାହା ମୋର ଏକାନ୍ତ ମନଃପୂତ ହୋଇଛି । ମୂଳରୁ ଚୂଳଯାଏ ତହିଁରେ ସରସତା ଓ ସାବଲୀଳତା ବିଦ୍ୟମାନ । ଉପନ୍ୟାସଟି ପାଠ କରୁ କରୁ ପାଠକ କେଉଁଠି ଅଟକି ରହେନା-ଭାଷାର ବିଚିତ୍ର ଭଙ୍ଗୀରେ ମନ୍ତ୍ରମୁଗ୍‌ଧ ହେଲା ଭଳି ଆଗକୁ ଆଗକୁ ପଢ଼ି ପଢ଼ିଯାଏ । ଏ ଦିଗରେ କାହ୍ନୁଚରଣ ବୋଧହୁଏ ତାଙ୍କର ଆଦର୍ଶ ।

 

ଅଳମତି ବିସ୍ତରେଣ । ଉପନ୍ୟାସଟିର ଏହା ସମାଲୋଚନା ନୁହେଁ । ଗୋଟିଏ ଶୁଭ କାର୍ଯ୍ୟର ଅନୁଷ୍ଠାନ ଦେଖି ମୋର ଆନନ୍ଦ ଅସ୍ଥିର ପ୍ରାଣର କେଇପଦ ଦରସ୍ଫୁଟ କଥା ମାତ୍ର । ଶ୍ରୀମାନ୍ ପୃଥ୍ୱୀରାଜଙ୍କୁ ମୋର ଆଶୀର୍ବାଦ-ସେ କଳାପ୍ରତି ବିଶ୍ୱସ୍ତ ରହନ୍ତୁ ! ଉତ୍କଳ ଭାରତୀଙ୍କର ସେବା କରିବା ପାଇଁ ଯଥେଷ୍ଟ ଶକ୍ତି ଓ ସାମର୍ଥ୍ୟ ଅର୍ଜନ କରନ୍ତୁ !

 

ଡକ୍ଟର ଶ୍ରୀ କୃଷ୍ଣ ଚରଣ ବେହେରା

ଭଦ୍ରକ କଲେଜ

ତା ୯ । ୧ । ୧୯୬୮

Image

 

।। ଦିଗନିର୍ଣ୍ଣୟ ।।

 

ସଂପ୍ରତି ଓଡ଼ିଆ ସାହିତ୍ୟ, ସାହିତ୍ୟକାର ଏବଂ ପାଠକଙ୍କ ମଧ୍ୟରେ ଦିନକୁ ଦିନ ବ୍ୟବଧାନ ବଢ଼ିବାରେ ଲାଗିଚି । ସମାଧାନର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି ସତ, କିନ୍ତୁ ତାହା ଯେ ସମସ୍ତଙ୍କ ନିକଟରେ ପହଞ୍ଚିପାରିବ ଏକଥା ହୁଏତ କହିହେବ ନାହିଁ । ତଥାପି ଅନେକ ପାଠକ ମନେ ମନେ କ୍ଷୁବ୍ଧ ହୁଅନ୍ତି ଯେ ଆଜିର ଲେଖକ ସେମାନଙ୍କୁ ଭାଷାର ଖୋରାକ ଯୋଗାଇବାରେ ସମ୍ପୂର୍ଣ୍ଣ ଅଯୋଗ୍ୟ । ପୁଣି କେବଳ ସହର ବଜାରର ଶସ୍ତା ପ୍ରେମମୂଳକ କାହାଣୀ ରଚନା କରି ବୁଲେଇ ବାଲେଇ ଲେଖି, ସେମାନଙ୍କୁ ପ୍ରତାରୀତ କରିବାରେ ନିଜକୁ ସିଦ୍ଧହସ୍ତ କରିବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି,

 

ନିଚ୍ଛକ ସତକଥା କହିବାକୁ ଗଲେ ପ୍ରଥମ ଶ୍ରେଣୀର ପାଠକମାନଙ୍କ ସହ ମୁଁ ଏକମତ ନୁହେଁ । କାରଣ ସବୁଜଯୁଗ ଭଞ୍ଜଯୁଗକୁ ତ ବହୁ ପଛରେ ପକେଇସାରିଛି ! ଖାଲିଯେ କେବଳବା ବାହ୍ୟାଡ଼ମ୍ବରପୂର୍ଣ୍ଣ ଭାଷା ଲେଖିଦେଲେ ସାହିତ୍ୟର ସୃଷ୍ଟିହେଇଗଲା, ବା ଅମର ସାହିତ୍ୟ ସମୃଦ୍ଧ ହୋଇଗଲା, ତାହା (ଅବଶ୍ୟ ମୋ ମତରେ ) ସଂପୂର୍ଣ୍ଣଭୁଲ । ଏହାଦ୍ୱାରା ମୁଷ୍ଟିମୟ ଶିକ୍ଷିତ ସମାଜ ଉପକୃତ ହେଇପାରନ୍ତି ବା ସେହିମାନଙ୍କ ଚିତ୍ତବିନୋଦନ ହୋଇପାରେ । ତାହାଯଦି ହୁଏ, ତାହେଲେ ଏ ଦେଶର ଅର୍ଦ୍ଧାଧିକ ଲୋକଙ୍କ ପ୍ରତି ଅବିଚାର କରାଯିବ ବୋଲି ମୁଁ କହିବି । ସେମାନଙ୍କର ମଧ୍ୟ ସାହିତ୍ୟରେ ଯେପରି ଦାବୀ ଅଛି, ସେହିପରି ସାହିତ୍ୟର ରସ ଆସ୍ୱାଦନ କରି ଚିତ୍ତବିନୋଦନ ବା ଶିକ୍ଷା ପାଇବାର ବ୍ୟଗ୍ର ହୃଦୟ ଅଛି । ଆଲୁଅରୁ ଆଲୁଅକୁ ଠେଲିଦେଇ ଅନ୍ଧାରରୁ ଅନ୍ଧାରକୁ ଠେଲିଦେବାର ସପକ୍ଷରେ ମୁଁ ନୁହେଁ । ମୁଁ ଚାହେଁ ଆଲୁଅ କୂଳଲଂଘୁ । ଅନ୍ୟ ଅର୍ଥରେ ଗୋଷ୍ଠିସାହିତ୍ୟ ନହୋଇ ସମୂହ ସାହିତ୍ୟ ବା ଜନସାହିତ୍ୟ ସୃଷ୍ଟି ହେଉ । ସେଇଥିପାଇଁ ମୁଁ କାହିଁକି ଅନୁଭବ କରେ ଯଦି ଆମର ନିତିଦିନିକିଆ କଥିତ ଭାଷାରେ ଘରୋଇ ଅଥଚ ବାସ୍ତବତାର ପରିବେଶ ସୃଷ୍ଟି କରାଯାଇପାରେ, ତା’ହେଲେ ସମସ୍ତଙ୍କ ପାଇଁ ସମାନ ବିଚାର ହେବ । ତାହାହିଁ ମୁଁ ମୋର ଏହି ‘‘ସୀମା-ପରିସୀମା’’ ଉପନ୍ୟାସରେ ପ୍ରତିପାଦିତ କରିବାକୁ ଚେଷ୍ଟା କରିଛି ।

 

କିନ୍ତୁ ଦ୍ୱିତୀୟ ଶ୍ରେଣୀର ପାଠକ, ଯେଉଁମାନେକି କେବଳ ସହରର ପରିବେଶରେ ଗଢ଼ିଉଠିଥିବା ପ୍ରେମ ଓ ନଗ୍ନ ଉପନ୍ୟାସ ପଢ଼ି ଅତିଷ୍ଠ ହୋଇଉଠି ଏହି ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ନିନ୍ଦାକରନ୍ତି, ସେମାନଙ୍କ ସଙ୍ଗେ ମୁଁ ଏକମତ । ଆଜିର ଲେଖକଟା ଗହଳି ଆଡ଼କୁ ଚାହିଁବାକୁ ପ୍ରାୟ ଅସନ୍ମତ । ଅଧିକାଂଶ ଲେଖକଙ୍କ ଆଖି ଆଗରେ ଆଜିସଇରୀ ସଭ୍ୟତାର ମରୀଚୀକା ଧୁ ଧୁ ହୋଇ ନାଚୁଛି । ସେମାନଙ୍କ କଳ୍ପନାରେ କେବଳ ‘‘ମିସ୍‌ଦାସଙ୍କର ଜଂଘଡ଼ିଆଁ ବେଣୀପରି ପିଚୁରାଜପଥ ବା ‘‘ଗ୍ରୀନ୍‌ ରେଷ୍ଟୁରାଣ୍ଟର ନିଭୃତ କକ୍ଷରେ ପ୍ରେମାତୁର ଯୁବକ-ଯୁବତୀଙ୍କର ବାକ୍ୟାଳାପ’’ ନାଚିଯାଉଛି । କିନ୍ତୁ ସେହି ଜଂଘଡ଼ିଆ ବେଣୀରେ ଯେ ଟାସିଲ୍‌ ପଶିଚି ତାହା କିଏ ନଜାଣେ ?

 

ସବୁଠାରୁ ଦୁଃଖ ତଥା କ୍ଷୋଭର ବିଷୟ, ଜନୈକ ସମାଲୋଚକ ଏକ ପତ୍ରିକାରେ ସମାଲୋଚନା କରିବାକୁ ଯାଇ ଗାର କେତୋଟି ବର୍ଣ୍ଣନା ପଢ଼ି ସାରିଲା ପରେ ନାସିକା କୁଞ୍ଚନ କରିଥିଲେ । ସେ ଯେଉଁ ପ୍ରଶ୍ନ କରିଥିଲେ ତାହାର ସାରମର୍ମ ହେଉଛି ଯେଉଁ ଗାଁରେ ଆଣ୍ଠିଏ ଲେଖାଏଁ କାଦୁଅ, ଯେଉଁଠି ନାନାପ୍ରକାର ରୋଗ ଯନ୍ତ୍ରଣାରେ ଓ ଅଶିକ୍ଷାରେ ଲୋକମାନେ ସଢ଼ୁଛନ୍ତି, ସେଠାକୁ ଲେଖକ ଯାଇପାରିବେତ ?

 

କିନ୍ତୁ ମୋର କହିବା କଥା ଯେ କଥାକାର ବା ଲେଖକ ଯିଏଚାହେଁ ସମୂହସାହିତ୍ୟ ବା ଜନସାହିତ୍ୟର ସୃଷ୍ଟିପାଇଁ, ତା’ମନରେ ଏପରି ଭାବନା ରହିବା ଏକାନ୍ତ ଅବାଞ୍ଛନୀୟ, କେବଳ ସଇରୀ ଭାବନା ନେଇଯେ ସାହିତ୍ୟ ସୃଷ୍ଟି କରାଯାଇ ପାରିବ ତାର ଘୋର ବିପକ୍ଷରେ ମୁଁ । ଏ ଦେଶର ଅଗଣିତ ଅଶିକ୍ଷିତ ପରିବାରର ଦୁଃଖ-ସୁଖକୁ ନେଇ ମଫସଲ ଗାର କାଦୁଆରାସ୍ତା, ଚାଳଘର, ନର୍ଦ୍ଦମା, ବଣ ଆଦିର ପରିବେଶକୁ ନେଇ ମଧ୍ୟ ସୁସାହିତ୍ୟ ସୃଷ୍ଟି କରାଯାଇ ପାରେ । ଅସଲ କଥାହେଲା ସେଥିରେ ବାସ୍ତବତା ରହିଥିବା ଚାହି ।

 

ଏହି ଦୁଇଟି ଲକ୍ଷକୁ ମୁଁ ଆଖି ଆଗରେ ରଖି ଏହି ଉପନ୍ୟାସଟି ଲେଖିଚି ମୁଁ ଜାଣେ, ଅନେକଙ୍କୁ ଏହା ଭଲ, ଲାଗିବନି । ଅନେକ ହୁଏତ ନାକ ଟେକିବେ । ଅନେକଙ୍କୁ ଗୋଡ଼ରୁ ବୁଟ୍‌ଖୋଲି, ନଳିପେଣ୍ଟ୍‌ ଟେକିବାକୁ ମଧ୍ୟ ପଡ଼ିପାରେ । ମୁଁ କେତେଦୂର ଠିକ୍ ତାହା ମୋର ପାଠକ ବୃନ୍ଦ ବିଚାର କରିବେ । ତେବେ ନାନା ପ୍ରତିବନ୍ଧକ ମଧ୍ୟ ଦେଇ ମୋର ପ୍ରଥମ ପୁଷ୍ପଟି ପ୍ରକାଶ ପାଉଛି । ମୋର ମନ୍ଦିର ଗଢ଼ିବାର କାମନା ଥିଲା ଅନେକ ଦିନରୁ । ଏବେ ଏହା ମନ୍ଦିର ହେଲା, କି ବାନ୍ଦର ହେଲା ପାଠକମାନେହିଁ ଏହାର ବିଚାର କରିବେ ।

 

ଏଇଟି ମୋର ପ୍ରଥମ ଉପନ୍ୟାସ । ତେଣୁ ବର୍ଣ୍ଣନାଗତ, ଭାଷାଗତ ବା ଭାବଗତ ଭୁଲ୍‌ ରହିବା ଖୁବ୍‌ ସ୍ୱାଭାବିକ୍‌ । ତେଣୁ ମୁଁ ମୋର ପାଠକମାନଙ୍କୁ ଅନୁରୋଧ କରିବି, ନିଜର ମତାମତ ପରିବେଶକଙ୍କ ଠିକଣାରେ ଜଣାଇଲେ ବିଶେଷ ଉପକୃତ ହେବି । ତାହାହିଁ ମୋର ଭବିଷ୍ୟତ ପଥର ପ୍ରଦର୍ଶକ ହେବ ।

 

ଏହାର ମୁଖବନ୍ଧ, ପ୍ରଚ୍ଛଦପଟ୍ଟ ଏବଂ ଅଙ୍ଗ ସଜ୍ଜିକରଣ ଯଥାକ୍ରମେ ଡକ୍ଟର କୃଷ୍ଣ ଚରଣ ବେହେରା, ଶିଳ୍ପୀ ତଥା କବି ଶ୍ରୀ ପ୍ରମୋଦ କୁମାର ମହାନ୍ତି ଓ ଅଧ୍ୟାପକ କବି ଶ୍ରୀ କମଳାକାନ୍ତ ଲେଙ୍କା ସ୍ୱଇଚ୍ଛାରେ ବହନ କରିଥିବାରୁ ସେମାନଙ୍କୁ ମୋର ଆଭୁମ ପ୍ରଣାମ ।

 

ନୂତନ ହେଲେ ବି ମୋ ପରି ଜଣେ କଞ୍ଚା ଲେଖକର ଏପରି ଦୀର୍ଘ ଉପନ୍ୟାସକୁ ଛପେଇବାରେ ଯେଉଁମାନେ ଏହି ଦୁଃସାହିକ କାର୍ଯ୍ୟ ଗ୍ରହଣ କରିଛନ୍ତି ସେହି ସର୍ବଶ୍ରୀ ଭୋଗିଲାଲ ଭୋରା, ଜାରଜିସ୍‌ ଖା ଓ ନାରାୟଣ ସେଠୀଙ୍କ ନିକଟରେ ଋଣୀ ହୋଇ ରହିବ । ଶ୍ରୀ ଲିଙ୍ଗରାଜ ପଣ୍ଡା ପରିବେଷଣର ଯେଉଁ ଗୁରୁ ଦାୟିତ୍ୱ ବହନ କରିଛନ୍ତି, ସେଥିପାଇଁ ତାଙ୍କୁ କୃତଜ୍ଞତା ଜଣାଉଛି ।

 

କବିବନ୍ଧୁ ଶ୍ରୀ ଶରତ ଚନ୍ଦ୍ର ପଟ୍ଟନାୟକ, ନାଟ୍ୟକାର ବନ୍ଧୁ ଶ୍ରୀ ପ୍ରସନ୍ନ କୁମାର ଦାସ ଏବଂ ଗାଳ୍ପିକ ବନ୍ଧୁ ଶ୍ରୀ ମନିନ୍ଦ୍ର କୁମାର ମହାନ୍ତି ନାନା ଦିଗରେ ଯେଉଁ ଉତ୍ସାହ ସହଯୋଗ କରିଛନ୍ତି, ସେଥିପାଇଁ ମୁଁ ସେମାନଙ୍କ ଠାରେ ଚୀର ଋଣୀ ହୋଇ ରହିଲି । ଭଗବାନଙ୍କ ନିକଟରେ ପ୍ରାର୍ଥନା, ଓଡ଼ିଆ ସାହିତ୍ୟ ରାଜ୍ୟରେ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି ହେଉ ।

 

ପରିଶେଷରେ ଅନେକ ବାଧାବିଘ୍ନ ସହ୍ୟକରି ଶ୍ରୀଗୁରୁ ପ୍ରେସ୍‍ର କର୍ମୀ ବୃନ୍ଦ ଯେଉଁ ଅସୀମ ଧୈର୍ଯ୍ୟସହକାରେ ଏହାର ସୀମା ଆଙ୍କିଛନ୍ତି ସେମାନଙ୍କୁ ମୋର ସାଧୁବାଦ ।

 

ପୃଥ୍ୱୀରାଜ ପଟ୍ଟନାୟକ

Image

 

ଦି’ଟାର ମା ଚଇନି । ଗହିରି ବିଲରେ ଏକା ଏକା ଚାଲିଚି । ମୁଣ୍ଡରେ ଭାତ । କାଖରେ ପାଣି । ଖରା ନାଇଁ ବର୍ଷା ନାଇଁ ସବୁଦିନେ ସେ ଏମିତି ଏତିକି ବେଳେ ନେଇ ଯାଏ । ଆଜିବି ଚାଲିଚି । ଯୌବନର ଶେଷ ପାହାଚରେ ପହଞ୍ଚିବାକୁ ବର୍ତ୍ତମାନ ସୁଦ୍ଧା ବାକି ଅଛି । ମୁହଁରେ ବୟସର ଦାଗ ଅସ୍ପଷ୍ଟ । ଖାଲ ଢିପରେ ନିଜକୁ ସମ୍ଭାଳି ନେଇ ଚାଲିଛି ସେ ।

 

ଦି’ଟା କିଆରି ପରେ ଆମ୍ବତୋଟାରେ ପହଞ୍ଚି ରହିଗଲା । ଅନେଇଲା ଆଗକୁ । ବହୁତ ଦୂରକୁ । ହାତୀବାରି ବିଲଟା ଆହୁରି ବହୁତ ବାଟ ଅଛି । ଗଛମୂଳେ ବସିପଡ଼ିଲା । ଖାଲି ଟିକେ ବିଶ୍ରାମ ତା ପରେ ପୁଣି ତାର ଲକ୍ଷ୍ୟ ସ୍ଥାନକୁ ଯିବ । ଘୁରି ଚାହିଁଲା । ଖୁବ୍‌ଦୂରରେ ଦେଖାଯାଉଚି ତାର ଝାଟି ମାଟିର କୁଡ଼ିଆଟା । ଚାରି ବର୍ଷ ହେଲା ଏଇ କୁଡ଼ିଆ ତାର ସବୁ କିଛି । ହସ, କାନ୍ଦ, ରାଗ, ରୁଷା ସବୁରି ମୂଳରେ ଏଇ ଘର ତାର ଦୁନିଆ । ତାର ସଂସାର । ଇଆରି ପାଇଁ ଗାଳି ଖାଇଚି । ଅପମାନ ସହିଚି ତେବେ ବି ଶୋଚନା କରିନି ।

 

ସଉରି ବାପା ଚାରି ହାତରେ ମିଣିପଟେ । କିଛି ବୁଝେ ନା । ଜମି ଭଲ ତ ସିଏ ଭଲ । ଜମିକୁ ଯାଏ, ଆସେ, ଖାଏ, ଶୁଏ, ବାସ୍‌ ଏତିକି ତାର କାମ । ଆଉ ସବୁଥିକି ଚଇନି । ଘରକୁ ବାହାରକୁ । ଗଲା ଅଇଲା; ନେଲା ଦେଲା, ସବୁ ସେ ବୁଝେ । ମାପଚୁପ ବେଳକୁ ଚଇନିକୁ ଡାକରା-। ନ୍ୟାୟ ନିଶାପ ବେଳକୁ ବି ଚଇନିକୁ ଡାକରା ।

 

ଖାଲି ଚଇନି ଚଇନି । ଚଇନି ଅତିଷ୍ଠ ହେଇ ପଇଲାଣି । ଗାଁ ଲୋକ ବି ବାର କଥା କହୁଛନ୍ତି । ପାଣୁଆକୁ ମାଇଚିଆ କହିବାକୁ ଲାଗିଲେଣି ସେ ଦିନ ହରି ମିଶ୍ରଙ୍କ ବାଡ଼ କଡ଼ ବାଟେ ଆସିଲା ବେଳକୁ ଠିକ୍‌ ଶୁଣି ପାଇଲା ମିଶ୍ରେ କାହାକୁ ଗୋଟେ କହୁଥାନ୍ତି, ‘‘ବୁଝିଲେ ନା-ମାଇପି ଖଣ୍ଡେ ତା ଚାକର ପରି ତ ବୁଲୁଚି । ସେ ପାଣୁଆ ଟା ଯେମିତି ମାଇଚିଆ ନା... ।’’

 

ସହି ପାରିଲାନି ଚଇନି । କାନ ବନ୍ଦ ହୋଇଗଲା । ମନ ହଉଥାଏ ଦି’ପଦ କହିବାକୁ । ବଡ଼ ଲୋକକୁ ଉତ୍ତର ନାହିଁ ଫେରିଆସିଲେ କାହିଁକି କହିବ ? ଏଇ ପାଣୁଆଟା ଯଦି ଚାରିଆଡ଼େ ଯାଉଥାନ୍ତା । ତାରତ ଏ ସବୁ କାମ ନୁହେଁ । ସେ କରିବ କାହିଁକି ? ଆଜି ସଫା ସଫା ଶୁଣେଇ ଦେବ । ପାରିବତ ? କେଜାଣି କାହିଁକି ପାଣୁଆ ଆଗରେ ସେ ବଡ଼ ଦୁର୍ବଳ ହୋଇପଡ଼େ । ତାର ହସର ସେ ପବନରେ ଚଇନିର ଅଭିମାନ ବାଦନ କୁଆଡ଼େ ଉଡ଼ିଯାଏ । କିନ୍ତୁ ଆଜି ସେ ନିଶ୍ଚେ କହିବ ।

 

ଅଭିମାନର ଜଳକଣା ଗୁଡ଼ା ଆସ୍ତେ ଆସ୍ତେ ଜମାଟ ବାନ୍ଧିବାକୁ ଲାଗିଲା । ଯେତିକି ଯେତିକି ଲେଉଟାଣି ବେଳ ପାଖେଇ ଆସୁଥାଏ ସେତିକି ସେତିକି ଜଳକଣା ଜମାଟ ବାନ୍ଧୁଥାଏ । ମୁହଁ ସୂର୍ଯ୍ୟର ସେ ଦିପ୍ତି ଆଉ ନାହିଁ । ବାଦଲର ରାହୁଟା ପୁରା ଗ୍ରାସ କରି ଦେଲାଣି । ଖାଲି ଟୋପେ ବର୍ଷା, ଟିକେ ଦକ୍ଷିଣି ପବନ । ପୁଣି ସୂର୍ଯ୍ୟ ହସି ଉଠିବେ, ପୁଣି ତାରି ଦିପ୍ତିରେ କୁଡ଼ିଆଟି ଆଲୋକିତ ହେବ । କିନ୍ତୁ ନାହିଁ ? କେତେବେଳେ ?

 

ଛାଇ ଲେଉଟାଣି ବେଳକୁ ଫେରିଲା ପାଣୁଆ । ସେଦିନ ବହୁତ ଖଟଣି । କାଳିଆ ବଳିଆକୁ ଗୁହାଳେ ବାନ୍ଧିଦେଇ ଚାହିଁଲା ଦୁଆରକୁ । କେହିନାହିଁ । ଆଶ୍ଚର୍ଯ୍ୟ ହେଲା । କୁଆଡ଼େ ଗଲେ ସବୁ ? ଦୁଆରଟା ଖାଁ ଖାଁ ଲାଗିଲା । ଆଗକୁ ବଢ଼ିବାକୁ ଇଚ୍ଛାହେଲାନି । ପିଣ୍ଡାଉପରେ ବସି ଝାଳ ପୋଛୁ ପୋଛୁ ଡାକ ପକାଇଲା, ଚଇ, ‘‘ଚଇ, ଆରେ କୁଆଡ଼େ ଗଲ । ଢାଳେ ପାଣି ଆଣତ । ଓହୋ ରାମ ରାମ କି ଖରା !’’

 

ଏ ଭୀମ ରଡ଼ି କଣ ସେ ସହି ପାରିବ ? ନା ଯାଉଚି ସେ କହି ଦେବ ତାର ଭୁଲ୍‌ ହେଉଚି । ଆଉ କେବେ ହବନି ହେଲେ ଏମିତି ଆଉ କେତେ ଦିନ ? ନା ଆଜି ତାକୁ କହିବାକୁ ହେବ । ଆଉ ସେ ସହିପାରିବନି ଏଇ ଡଙ୍କୁଣାଙ୍କ କଥାକୁ । ନିରବ ରହିଲା ।

 

ପୁଣି ଝଙ୍କାଏ ପବନ । ଦକ୍ଷିଣା ନୁହେଁ; ଉତ୍ତରା । ସମ୍ଭାଳି ପାରିଲାନି ସେ । ବାହାରି ଆସିଲା ବାହାରକୁ । ପାଣୁଆ ବସିଚି ଥକ୍‌କା ହେଇ । ମୁହଁରେ ଲାଗି ରହିଚି ତାର ସେ ନିତି ଦିନିଆ ହସ । କଣ କରିବ କଣ ନ କରିବ ଭାବି ପାରିଲାନି ଚଇନି । ଭିତରକୁ ଯାଇ ପାଣି ନୋଟେ ଆଣି ଦେଲା । ପାଣୁଆ ଚାହିଁଚି । ମୁଣ୍ଡରେ ପଶୁନି ଏ କଣ ସେଇ ଚଇନି ଯିଏ ଆସିଲା ମାତ୍ରେ ପାଣିଦେଇ ଖାଇବାକୁ ବାଢ଼ି ବଳେଇ ବଳେଇ ଖୁଆଇ ଦେଉଥିଲା ? ଇଏ କଣ ସେଇ ଚଇନି ଯିଏ ହସି ହସି ତାହାରି କୋଳରେ ଲୋଟିଯାଇ କହୁଥିଲା, ‘‘ଆଜି ଭାରି ପରଶ୍ରମ କରିଛୁ ନା ? ତୁ ଟିକେ ଶୁଅ ମୁଁ ମୋଡ଼ି ଦେଉଚି ।’’ ଆଜି ହେଇଚି କଣ ? ବୁଝି ପାରିଲାନି । ଚାହିଁ ରହିଲା । ଚଇନି ନୋଟାଟା ଥୋଇଦେଇ ଚାଲି ଯାଉଚି । ପାଣୁଆ ସମ୍ଭାଳି ପାରିଲାନି । କାନିଟାକୁ ଟାଣିଦେଲା । ଦୁଇଟା ହୃଦୟ ମିଶିଗଲା । ବହି ଆସିଥିଲା ଆଖି ପଦ୍ମରୁ ଦୁଇଟି ଶିଶିର ବିନ୍ଦୁ । ପାଣୁଆର ହାତ ଟାଣ ହୋଇ ଉଠିଲା । ମୁହଁଟାକୁ ଜୋରରେ ହାତକୁ ଉପରକୁ ଟେକି ପଚାରିଲା; ‘‘କଣ ହେଇଚି ଚଇ ? ତୁ କାନ୍ଦୁଚୁ କହ ଚଇ-ତୋତେ କିଏ କଣ କହିଚି ?’’

 

ଚଇନି ଶଙ୍କିଗଲା । ସେ ଜାଣେ ପାଣୁଆଟା ଏକ ଜିଦିଆ ମଣିଷ । ତାକୁ କିଏ କଣ କହିଲେ ତାର ପୁରୁଷତ୍ୱ ଜାଗିଉଠେ । ହିଂସ୍ର ହେଇ ଉଠେ ସେ । କଣ ବୋଲି କଣ କରି ପକାଏ । କଥାଟାକୁ ସମ୍ଭାଳି ନେବାକୁ ଚେଷ୍ଟାକଲା ଚଇନି । ପାଣୁଆ ଆଖିରୁ ଯେଉଁ ନିଆ ବର୍ଷୁଥିଲା ସେଥିରୁ ରକ୍ଷା ପାଇବା ପାଇଁ ମୁହଁ ତଳକୁ କରି କହିଲା; ‘‘ମୋର କଣ ହେବ ?’’

 

‘‘ଆଉ କଣ ମୋର ହେଇଚି ? ହଁ ହଁ ମୋର ହେଇଚି । ସବୁ ଭୁଲ ମୋର ତେତେ ବିଶ୍ୱାସ କରି ମୁଁ ଭୁଲ କରିଚି ।’’ ବେଳକୁ ବେଳ ହିଂସ୍ର ହେଇ ଉଠିଲା ସେ । ଚଇନି ଭାବି ପାରିଲାନି ଏ କଣ ହେଲା । ମୁହଁଟାକୁ ତାରି ବାଳୁଆ ଛାତିଟାରେ ଜାକିରଖି ସେ କହିଲା, ‘‘ଯାହା କହିବି ରଖିବୁତ ? ମୋରାଣ ପକାଇଲା ?’’

 

‘‘କିନ୍ତୁ କାହିଁକି ?’’

 

‘‘ନା ନା ସେମିତି କହୁଥିଲି ନା ? କହ ରଖିବୁତ ?’’

 

‘‘କହନ୍ତୁ, କେବେ ନରଖିଚି କହିଲୁ ।’’

 

‘‘ଏଥର ତୁ ସବୁ ନ୍ୟାୟ ନିଶାପକୁ ଯିବୁ । ମୁଁ ଯାଇ ପାରିବିନି ।‘‘

 

‘‘କାହିଁକି ଆଜିଯାଏ ଯାଉଥିଲ କେମିତି ? ଚାରିବର୍ଷ ଗଲା ଦିନେ ତ ଯାଇନି ଆଉ ଆଜି ଯିବି କେମିତି ? ତୁ ଜାଣିନୁ ଚଇ ଆମର ସେଇ ଖାଉଁନ୍ଦଙ୍କ ପୁଅ ଯିଏ କଟକରେ କଣ ପଢ଼ୁଚି, ଲମ୍ବା ପେଣ୍ଟ ପିନ୍ଧୁଚି ଆଉ ଠିଆହେଇ ମୁତୁଚି ସେ କହୁଥିଲା ଦରିଆ ଆରକରେ ଯୋଉ ରାଇଜ ଅଛିନା ସେଠି କୁଆଡ଼େ ମରଦ ଘରକଥା କିଛି ବୁଝେନା ସେଠି ମାଇକିନା କୋଟ୍ କଚେରୀ, ବଜାର ସବୁଠିକି ଯାଏ । ଆଉ ତୁ ଗଲୁ ତ କଣ ହୋଇଗଲା ?’’ ‘‘ନା, ବାବା ନା ମୁଁ ତ ସେକଥା ଜାଣେନା । ସେମାନେ ପରା ଗୋରାଲୋକ । ଠାକୁରଙ୍କ ଅଂଶ ଅଛି । ତାପରେ କହିଲୁ ସେତେବେଳେ ପିଲାଛୁଆ ନଥିଲେ ବୋଲି ଏଇନେତ ଦି’ଦି’ଟା ହେଲେଣି । ମୋ କାମ ମତେ ବଳଉଚି ମୁଁ ଯାଇ ପାରିବିନି ।’’

 

‘‘ମୁଁ ବି ଯାଇପାରିବିନି । ଦିନସାରା ଖଟି ଖଟି ମୁଁ ଆଉକିଛି କରିପାରିବିନି ।’’

 

ଚଇନି ଚୁପ୍ ହେଇଗଲା । ସେ ଜାଣେ ଏଇ ପାଣୁଆଟା ଏକଜିଦିଆ । ଯାହା ବୁଝିଥିବ ସେଇଆ । ସେଇଦିନୁ ଆଉକିଛି କହିନି ସେ । ସବୁକାମ କରିଚି ଏକା ଏକା କାହା କଥା କାନକୁ ନେଇନି । ଦୁଃଖ ଆସିଛି । ସୁଖ ଆସିଛି ସବୁଥିରେ ସେ ହସିଛି । ତାକୁ ବି ହସେଇଚି । ହେଲେ କାନ୍ଦିନି କେବେ ।

 

ଆଶ୍ୱସ୍ତରେ ନିଶ୍ୱାସ ମାରିଲା । ମୁହଁ ଫେରାଇଲା ଉତ୍ତରରୁ ପଶ୍ଚିମକୁ । ଶିହର ଉଠିଲା । ଅନେକ ପାରିବତ । ଟିକିଏ ପୂର୍ବରୁ ଯେଉଁ ଦେହ ସୁଲୁସୁଲିଆ ଶିତୁଆ ପବନରେ କମ୍ପି ଉଠିଥିଲା ସେଇ ଦେହ କଣ ସାହାରାର ଝାଞ୍ଜି ସହିପାରିବ ? ଟିକେ ଦୂରରେ ଦେଖାଯାଉଚି ତାର ଜନ୍ମିତ ଘର-। ତିନି ଚାରିଟା ଘରଛାଡ଼ି ଆରଘରକୁ ଯୋଉ ‘ଲୁ’ ବୋହିଥିଲା ସେଥିରେ ଜଳି ଯାଇଥିଲା ସେ । ଆଉ ଆଜି........ । ଯୌବନର ପ୍ରଥମ କଢ଼ି ଯୋଉଦିନ ଧରିଲା ସେଦିନ ଏଇ ‘ଲୁ’ର ସ୍ପର୍ଶ ସେ ପାଇଥିଲା । ସେଦିନ ତାକୁ ସେ ଚନ୍ଦନରେ ପ୍ରଲେପ ବୋଲି ଧରି ନେଇଥିଲା । କିନ୍ତୁ ପରେ....ଆଜିବି ମନେଅଛି ତାର ସେ ଲୁ ର ଜ୍ୱଳନ୍ତକାରୀ ଶକ୍ତିର ପ୍ରଭାବ । ସେଦିନ... ।

 

ସେଦିନ ନିଛାଟିଆ ଖରାବେଳେ ପାଣିଆଣିବାକୁ ଯାଇଥାଏ ସେ । ବୋଉର ତାଗିଦ୍‌ ଶିଘ୍ର ଆଣିବାକୁ । ବୁଝି ପାରିଲାନି କାହିଁକି ଏ ତାଗିଦ୍ କାହିଁକି ଏ କଟକଣା । କଣ ସେ ଦୋଷ କରିଛି । କିଛିଦିନତଳେ ବୋଉଟା କେଡ଼େ ସୁନ୍ଦର ଥିଲା । ଯୋଉଠିକି ଯିବାକୁ କହୁଥିଲା ସେଠିକି ଯାଉଥିଲା । ଯାହାକଲେବି କିଛି ଦୋଷ ହେଉନଥିଲା । ଆଉ ଆଜି.... । ସବୁ ବନ୍ଦ । କାହାକୁ ଚାହିଁବନି । କାହାସାଙ୍ଗେ କଥା କହିବନି । କୁଆଡ଼େ ଯିବନି । କାହିଁକି ? କଣପାଇଁ ଏତେ କଟକଣା-? ମନଟା ବିସରପି ଉଠିଲା । ଏତେଦିନେ ସେ ଚାରିକାନ୍ଥର ବାହାରକୁ ଆସିଛି କଣ ସେ ଏମିତି ଚାଲିଯିବ । କେତେଟା ଦିନଭିତରେ ଏଇ ନଈର ଯେଉଁ ପରିବର୍ତ୍ତନ ହେଇଛି ଆଜି ନଶ୍ଚେ ଆଖିପୁରେଇ ଦେଖିନେବ । ଯଦି ପରେ ନଆସେ... ।

 

ନଥକିନା ବସିପଡ଼ିଲା ନଈକୂଳେ । କେତେ ସୁନ୍ଦର ଲାଗୁଛି ଏଇ ଖରାବେଳଟା । ଯଦି ଆଉଜଣେ କିଏ ଥାଆନ୍ତା ଗପକରି ୨, ବିତେଇ ଦିଅନ୍ତା । କେହିନାଇଁ । ତଥାପି ବସିଲା । କୁହୁତାନ ସହ ମିଶାଇଦେଲା ନିଜକଣ୍ଠକୁ । ସେ କେଉଁ ଜାତରା ରାଜକୁମାରୀର ମନମତାଣିଆ ଗୀତ । ଅସ୍ପଷ୍ଟ ଶବ୍ଦ । ସ୍ୱର ସ୍ପଷ୍ଟ ।

 

“ଭାରି ସୁନ୍ଦରତ ଗାଉଚୁ ଚଇ”

 

ଚମକି ପଡ଼ିଲା ଚଇନି । କାହାର ଏ କଣ୍ଠସ୍ୱର । କେଉଁ ଭ୍ରମରର ଏ ଗୁଞ୍ଜରତା । ଘୁରି ରହିଲା । ଆଗରେ ହାଡ଼ିଆ । ତା ପଡ଼ିଶା । ତା ଧୂଳିଖେଳ ସାଥି । ଲାଜେଇ ଲୋ | କଣ କହିବ । କଣ ଭାବିଥିବ ଏଇ ହାଡ଼ିଆଟା ଯଦି ବୋଉକୁ କହିଦଏ । ଡ଼ରିଗଲା ସେ । ଲାଳଗ୍ରନ୍ଥି ତାର ଶୁଖି ଶୁଖି ଗଲା । କଣ କହିବ । ମନହେଲା ଗୋଡ଼ତଳେ ପଡ଼ିଯାଇ କହିବ, ହାଡ଼ିଆ ଭାଇ ତୁ ବୋଉକୁ କହିବୁନି । ବିବେକ ବାଧାଦେଲା । ଯଦିକିଏ ଦେଖେ । ବୁଝିପାରିଲନି କଣ କରିବ । ମୁହଁ ତଳକୁ କଲା ।

 

ଲାଗି ଆସିଲା ପାଖକୁ ହାଡ଼ିଆ । ଆଜି କେଡ଼େ ସୁନ୍ଦର ଦେଖା ଯାଉଚି ମ ଏ ଚଇନିଟା-। କୁଆଡ଼େ ଯାଇଥିଲା ଏତେଦିନଯାଏ । ଆହୁରି କିମିତି ଚାଲିଆସିଲା । ଦୁଇବାହୁକୁ ହଲେଇ ଦେଲା ଯୋରରେ । ଯୌବନର ପ୍ରଥମ କଢ଼ିରେ ମଳୟର ପହିଲି ପରଶ । ଚିହିଁକି ଉଠିଲା ଚଇନି । ତ୍ରସ୍ତା ହରଣୀ ପରି କନ କନ କରି ଚାରି ଆଡ଼କୁ ଚାହିଁଲା । କେହି ଦେଖିନି ତ । ନା କେହି ନାହିଁ, ଆଶ୍ୱସ୍ତ ଦେଲା ।

 

ତୁ କାନ୍ଦୁଚୁ ଚଇଁ ?

 

ନାତ ମୁଁ କାନ୍ଦିବି କାହିଁକି । ମୁହଁରେ ତାର ମ୍ରାନ ହସ ।

 

ଓହୋ ବୁଝିଲ । ମୁଁ ତୋର କିଏ କି ତୁ ମୋତେ କହିବୁ ?

 

ହାଡ଼ିଆ ଭାଇ ଗୋଟେ କଥା କହିବି ରଖିବୁ ?

 

ରଖିବି ହେଲେ ତୁ ଆଗ ହସତ ।

 

ନାଁ ତୁ କଥା ଦେ ।

 

ଆଛା କଥାଟା କହନା କେତେ ଫରିବି କାଢୁଚୁ ।

 

କଥାଟା କଣ କି.... !

 

କଣକି କଣ I ରହିଗଲୁ କାହିଁକି କହ ।

 

କଣକି ମୁଁ ଏଠି ଗୀତ ଗାଉଥିଲି ବୋଲି ତୁ କାହାକୁ କହିବୁନି । ବୋଉ ଶୁଣିଲେ ମାରିବ-

 

ତାହାଲେ ବୋଉକୁ ଆଜିକାଲି ଭାରି ଡରିଲଣି ନା ?

 

ସତରେ ହାଡ଼ିଆ ଭାଇ ଆଜିକାଲି ବୋଉ ମତେ ଦଖିଲେ କାହି ଚିଡ଼ି ଚିଡ଼ି ହଉଚି । ଯଦି ଏକଥା ଶୁଣେ ନା ? ଜମା କହିବୁନି ।

 

ଦେଖ ଚଇ, ପିଲାଦିନେ ମାଷ୍ଟ୍ରେ କହିଥିଲେ ମିଛ କହିବିନି ବୋଲି । ଯେତେ ତୁ କହୁଚୁ ତୋ ପାଇଁ କହିପାରେ କିନ୍ତୁ....

 

କିନ୍ତୁ କଣ ହାଡ଼ିଆ ଭାଇ ?

 

ମୋର ମିଛ କହିବା ତୋ ହାତର କଥା ।

 

କଣ କହୁନୁ ।

 

କାଲି ଏତେବେଳେ ତୁ ଆସିବୁ ଯଦି କହ ?

 

ହସିଦେଲା ଚଇ, କେତେ ବୋକାମ ଏଇ ହାଡ଼ିଆଭାଇଟା | ମୁଁ ଆଉକଣ ପିଲା ହୋଇଅଛି । ପିଲାଦିନ କଥା ମନେ ପଡ଼ିଲା । ଏଇ ହାଡ଼ିଆ ସାଥିରେ କେତେ ଖରାବେଳ କଟେଇ ଦେଇଚି । ଆଉ କାଲି ସେ ଆସି ପାରିବନି ? ନିଶ୍ଚେ ଆସିବ । କଥା ଦେଲା । ମିଳନର ଆଶାରେ କାଲିକୁ । ଫେରି ଆସିଲା ଘରକୁ ଅସରନ୍ତି ଭାବନା ନେଇ ।

 

ଜବତ କଢ଼ିଟି ଫୁଟିଛି । ବାସଛାଡ଼ିଥିଲା ଚାରିଆଡ଼କୁ ଭମରର କର ଆହ୍ୱାନ ପାଇଁ । ପ୍ରଥମ ଭ୍ରମର ଆସିଛି । ପହିଲି ପରଶ ଦେଇଚି । ତାକୁଇ ସେ ଦେଇଦେବ ତାର ସମସ୍ତ ମଧୁ । କାହାପାଇଁ ରଖିବ ? ଅନେକ ଆସିବେ । ହେଲେ... । ନା ପ୍ରଥମ ମଧୁପକୁ ସେ ଦେଇଦେବ ତାର ସମସ୍ତ ମଧୁ ଅଜାଚିତ ଭାବେ ।

 

ଶେଯଟାରେ ପଡ଼ି ଭାବୁଚି ଚଇ । କେତେ ସୁନ୍ଦର ଏଇ ହାଡ଼ିଆ ଭାଇଟା । ଛନ୍ଦନାଇଁ, କପଟ ନାଇଁ, ସବୁବେଳେ ହସ ହସ ମୁହଁ । କଳା ହେଲେ କଣ ହେବ ତାର ସେ ଯେଉଁ ଗୋଲିଆ ଗୋଲିଆ ବାହୁ ଦିଟା ନା ? କେତେ ସୁନ୍ଦର କଥା କହିଜାଣେ ସେ । ସବୁବେଳେ ସେ ଏମିତି କହୁଥାନ୍ତା କି ?

 

କେଡ଼େ ଅଲେକ୍ଷଣିଟାଏ ମ । ସଞ୍ଜବେଳଟାରେ ଶୋଇଚି । ଇଆରିଲାଗି ମୋଘରୁ ଲକ୍ଷ୍ମୀ ଛାଡ଼ିଯିବେ ପରା ।

 

ଉଠିପଡ଼ିଲା ଚଇ । ବେଳ ଗଡ଼ିଗଲାଣି । ତାରି କଥା ଭାବୁ ଭାବୁ ଏତେବେଳ ହୋଇଗଲାଣି । ଜାଣି ପାରିନି, ବୋଉଟା କେଡ଼େ ଇଏମଁ । ଭାବନାଟାକୁ ଭାଙ୍ଗି ଦେଲା । ଆଉଟିକେ ପାଇଥିଲେ କଣ ହେଇଥାନ୍ତା କେଜାଣି ।

 

କଣ କିଲୋ ଖୁଣ୍ଟଟା ପରି ଛିଡ଼ା ହୋଇ ଭାବୁଚୁ । ଯାଉନୁ କାହିଁକି ଶୁକୁଆ ଦିଟା ତାଙ୍କ ଘରୁ ପୋଡ଼ି ଆଣିବୁ । ଏଇନେ ବାପ ଆସିଲେ ଘରେ ନିଆଁ ଲଗେଇ ଦେବ ।”

 

କିଛି କହିଲନି । ଚାଲିଗଲା ସଙ୍ଗାତ ଘରକୁ ଶୁଖୁଆ ପୋଡ଼ିବା ପାଇଁ । ଅନେଇ ରହିଚି ଚଇନି ବୋଉ । ଝିଅର ପରିବର୍ତ୍ତନ । କଣ ହେଇଚି ତାର । କିଏ କଣ କହିଚି । କଣବା ତାର ଅଭାବ ରହିଛି । ଭଲ ଲାଗିଲାନି ତାକୁ । ଗୋଟିଏ ବୋଲି ଝିଅ ତାକୁ ସେ ଅନାଥ କରିବ ? କଣବା ସେ ଦୋଷ କରିଥିଲା । ନିଜକୁ ଧିକାରିଲା । ଭୁଲ୍‌ କରିଚି ସେ । ଡାକ ଦେଲା ଚଇ ଚଇ ।

 

ଚଇ ଆସିଛି । ଚାଲିରେ ଚଞ୍ଚଳତା ନାହିଁ । ଓଠରୁ ସେ ହସ କୁଆଡ଼େ ଉଭେଇ ଯାଇଚି । ମୁଖ ଚନ୍ଦ୍ରରେ ରାହୁର ଛାଇ ସ୍ପଷ୍ଟ । ଦୂରେଇ ଗଲା ସନ୍‌ଖି । କଣ କହିବ କଣ ନାଇଁ ଭାବିପାରିଲାନି-। ନଜାଣିଲାପରି ଦୂରେଇ ଗଲା, ରେଷେଇ ଘର ଆଡ଼କୁ ।

 

ବୋଉ ମୋତେ ଡାକୁଥିଲୁ ?

 

ହଁ ।

 

କାହିଁକି ? ମୁଁ ପରା ଯାଇଥିଲି ଶୁକୁଆ ପୋଡ଼ିବାକୁ ।

 

ସରିଲାଣି ?

 

କେମିତି ସରିବ ? ଏଇନେତ ଗଲି । ସଙ୍ଗାତକୁ ଦେଇ ଆସିଚି ।

 

ମୋ ପାଖକୁ ଆସିଲୁ ।

 

ଥଙ୍କେଇ ଗଲା ଚଇ । ବୋଉ କାହିଁକି ଡାକୁଚି ? ହାଡ଼ିଭାଇ କହି ଦେଲାକି ? ନାଁ ସେତ କହି ନଥିବ । ତାହାଲେ... ଆଉ କିଏ କଣ କହିଲାକି ?

 

ଯାଇ ପାରିଲାନି । ରହିଗଲା । ଡରଲାଗିଲା । ବୋଉ ଯଦି ମାରେ ।

 

ପାଖକୁ ଚାଲି ଆସିଲା ସଙ୍ଗି । କୋଳକୁ ଟାଣି ନେଇ ଅସଂଖ୍ୟ ଚୁମା ଦେଇ ଗଲା । କହିଲା; ତୁ ମୋ ମୋ ଉପରେ ରାଗିଚୁ ଚଇ ?

 

ଚଲ ଅବାକ୍ ହେଇଗଲା । ଏ କଣ ହଉଚି । କଣ ପାଇଁ ବୋଉର ଏତେ ଦରଦ । ବୋଉ କଣ ପୁଣି ପଛକୁ ଫେରିଗଲା । ବୋଉ ଛାତିରେ ଆଉଜି ରହିଲା । କହି ପାରିଲାନି । ନିର୍ବାକ ନିସ୍‌ପନ୍ଦ ଭାବେ ପଡ଼ି ରହିଲା ସେମିତି ।

 

ଚଇ କିଛି କହିଲୁନି ଯେ ?

 

କଣ କହିବି ?

 

ତୁ ମୋ ଉପରେ ରାଗିଚୁ ?

 

ତୋ ଉପରେ ? କାହିଁକି ?

 

କିଏ କଣ କହିଚି ?

 

କାହାରତ କିଛି ବିଗାଡ଼ିନି କିଏ କଣ କହିବ ।

 

ତାହେଲେ ତୁ ଏମିତି ମୁହଁ ଫୁଲେଇ ରହୁଚ କିଆଁ ?

 

କଣ କହିବ ସତ ନା ମିଛ । ବଣ ପୋଡ଼ିଗଲେ ଦୁନିଆ ଜାଣେ ମନ ପୋଡ଼ିଗଲେ.... । କାହିଁକି ସେ ଇଆ କଲା । ଯଦି ସବୁଦିନ ପରି ଟିକେ ହସିଥାନ୍ତା ତାହାଲେ... ।

 

କଣ କିଛି କହିଲୁନି ?

 

ମୁଣ୍ଡଟା ଟିକେ ବିନ୍ଧୁଚି ଯେ... ।

 

ମୋତେ ଆଗରୁ କହିଲୁନି ? ମା ଟାକୁ ମୋର ଏତେ ଶୋଧୁଲି ଲୋ । ଯା ତୁ ଶୋଇଥା କି ମୁଁ ଟିକିଏ ବଇଦ ଘରୁ ଆସେ ।

 

ଏତେବଡ଼ ମିଛଟାଏ କହଦେଇ ପାରିଲା ସେ ? ଜିଭ ନେଉଟିଲା ତାର । ନିଜକୁ ବିଶ୍ଵାସ କରି ପାରିଲାନି । କାହିଁକ ସେ ମିଛ କହିଲା । ଏଇ ହାଡ଼ିଭାଇ ପାଇଁ ତ ? କିନ୍ତୁ କିଏ ତାର ସେ । ମନେ ମନେ ହସିଲା । ସେ ତାର କେହି ନୁହେଁ ? ସେ ତାର ସବୁ । ମନର ଦେବତା ପ୍ରଥମ ମଧୁପ ଆଉ... । ଲାଜଲଗିଲା । ଶୋଇ ରହିଲା ସେ ନିର୍ବାକ ପରି ।

 

ଚାବୁକେ ମାରିଦେଲେ ସାରଥୀ । ରଥ ଚାଲିଲା ତୀବ୍ର ଗତିରେ । ପୃଥବୀ ଉପରେ ସମାନ୍ତରାଳ କରି । ରଥ ଉପରେ ଆସିନ ସୂର୍ଯ୍ୟଦେବ ଚାହିଁଛନ୍ତି ପୃଥିବୀକୁ । ବକ୍ରଭାବେ ନୁହେଁ । ସିଧା । ସମ କୋଣକରି । ଏତେ ପର୍ଯ୍ୟନ୍ତ ବି ଆସିନି ଚଇ । ଚାତକ ଚାହିଁଚି ବାଦଲକୁ । କେତେବେଳେ ଆସିବ । ଦୀର୍ଘ ଅପେକ୍ଷା ତାର ସଫଳ ହେବ । ତୃଷାତାର ମେଣ୍ଟିବ । ଚାହିଁଲା ଦୂରକୁ ବହୁଦୂରକୁ । କାଳେ ଆସୁଥିବ । ଆଖିତାର ପାଇଲାନି । ମୁହଁ ବୁଲାଇଲା । ଭାବିଲା, ନା ଆଜିତାର ଦିନେକୁ ମୋର ଦିନେ । ଆଜି ରାଗକରିବ । ନା, ନା ରାଗନୁହେଁ ଅଭିମାନ କରିବ । କଥା କହିବନି । ଭାବୁ ଭାବୁ ଶୋଇ ପଡ଼ିଲା ଗଛକୁ ଆଉଜି ।

 

ଚଇନି ଆସିଲା । ବାଦଲର ରୂପ ନେଇ ପୁଷ୍ପର ସୁରଭି ନେଇ । ମୁଣ୍ଡରେ ମାଠିଆ । କାଖରେ ଗରା । ଚାହିଁଲା । ହାଡ଼ିଆ ଶୋଇଚି । ଆଶ୍ୱସ୍ତିରେ । ଉଠେଇବି ? ନାଁ ଉଠେଇବ ନି । ମନ ବିବେକର ଦ୍ୱନ୍ଦ । ଭୁଲ ଠିକ୍‌ର ଦ୍ୱନ୍ଦ । ମନ ଜିତିଛି । ଭୁଲ ଜିତିଛି । ଡାକିଲା ଆସ୍ତେ ।

 

ଏ ହାଡ଼ିଆଭାଇ ଶୋଇ ପଡ଼ିଲୁଣି ?

 

ନିଦ ଭାଙ୍ଗିଗଲା । ଆଗରେ ତାର ସ୍ୱପ୍ନର ରାଣୀ, ହୃଦୟର ଦେବୀ । ବିଶ୍ଵାସ କରି ପାରିଲାନି । ଡବ ଡବକରି ଚାହିଁ ରହିଲା ଏକ ଲୟରେ ।

 

କଣ ଏମିତି ଚାହିଁଚୁ କିରେ ହାଡ଼ିଆ’ଇ ?

 

ଚାହିଁଚି ତତେ ।

 

କାହିଁକି ଆଗରୁ କଣ ଦେଖି ନଥିଲୁ ?

 

ଦେଖିନଥିଲି କାହିଁକି । ଦେଖିଥିଲି, କିନ୍ତୁ ସେଦିନ ତୁ ଆସୁଥିଲୁ ଗାଳି ଆଉ ଚାପୁଡ଼ା ନେଇ ଆଉ ଆଜି... ।

 

ଆଉ ଆଜି କଣ ?

 

ନ ଥାଉ, କହିଲୁ ଏତେ ପର୍ଯ୍ୟନ୍ତ ତୁ କଣ କରୁଥିଲୁ ? ତୋର ଭାବିବାର ଥିଲା ଇଆଡ଼େ ଗୋଟେ ଲୋକ ଯେ ଛଟପଟ ହେଉଥିବ ।

 

ହଇରେ ହାଡ଼ିଆ’ଇ ତୁବି ଛଟ ପଟ ହେଲୁଣି ? ମୁ ଦେଖିଥିଲି ପାଣି ନଥିଲେ ମାଛ ଗୁଡ଼ା ଛଟପଟ ହୁଅନ୍ତି । ଦେହ ଖରାପ ହେଲେ ଲୋକମାନେ ଛଟପଟ ହୁଅନ୍ତି ଆଉ ତୋର କଣ ହେଇଚି ?

 

ମୋତେ ଜଳାନି କହୁଚି ।

 

ହେ ଭଗବାନ ମୁଁ ତୋତେ କେମିତି ଜଳେଇଲି ? ତୁକଣ କୁଟା ନା ପତର ହେଇଛୁ ଯେ ତତେ ଜଳେଇବି ।

 

ତାହାଲେ ତୁ ମୋତେ ଥଟ୍ଟାକରୁଚୁ ନା ? ମୁଁ ଯାଉଚି ତୁଥା ।

 

ମୁହଁ ମୋଡ଼ିଲା ହାଡ଼ୁଆ । ପାଞ୍ଚଣ ଟାକୁ ହଲେଲ ୨ ଯିବାକୁ ଆରମ୍ଭକଲା । ଉପରେ ଅଭିମାନର ପ୍ରଳୟ କାରୀ ଢ଼େଉ ଭିତରେ... । ଭିତରେ ଜୀବନ ଦାୟିନୀ ଚିରଶ୍ରୋତା ପ୍ଳାବିନୀ । ଆଉ ପ୍ରେମାମୃର ସାଗର । ଗୋଡ଼ ଚଳୁନି, ତଥାପି ଯିବାକୁ ହେବ ଅଭିମାନର ଢେଉରେ ଠେଲିହୋଇ ।

 

ପାଖକୁ ଲାଗିଆସିଲା ଚଇ । ବାଟ ଓଗାଳିଲା । ଯିବାକୁ ଦେବିନି ତାକୁ । ଯାହାପାଇଁ ଏ ନିରାଟି ଖରାରେ ଦଉଡ଼ି ଦଉଡ଼ି ଆସିଲା ତାକୁ ଏମିତି ଛାଡ଼ିଦେବ ? ହାଡ଼ିଆ ଚାହିଁଚି ଚଉନିକୁ । ଚଇନି ହାଡ଼ିଆକୁ । ଚାରି ଚକ୍ଷୁର ମିଳନ । ଦୁଇଟି ହୃଦୟର ମିଳନ ହେଲା । ଚାହିଁ ପାରିଲାନି ଚଇ । ତଳକୁ ଆଖିକଲା । ଛାତି ଉପରକୁ ଭିଡ଼ି ଆଣିଲା ହାଡ଼ିଆ । ମୁଁହିଁରେ ଉଷ୍ମିତ ଚୁମ୍ବନର ସ୍ପର୍ଶ ଅନୁଭବ କଲା ଚଇ ।

 

ତୁ ମୋ ଉପରେ ରାଗିଗଲୁ । ହାଡ଼ିଆଇ ? କଣକରିବି କହିଲୁ ତୋପରି ମୁଁ ଯଦି ପୁଅଟେ ହେଇଥାନ୍ତି.... । ଆଜିକାଲି ତ ବୋଉ କଥା ଜାଣିଚୁ । ଯୁଆଡ଼େ ଗଲେ ଖାଲି କଟ କଟ ।

 

ମୋଲାଗି ଭାରି ଗାଳି ଖାଉଚୁ ନା ଲୋ ?

 

ତୋଲାଗି ନୁହେଁତ ଆଉ କଣ ? ତୋ ଲାଗିତ ଦିନକୁ ହଜାର ହଜାର ମିଛ କହିବାକୁ ପଡ଼ୁଚି । ପୁଣି ତୋ’କଥା ଟିକିଏ ଭାବି ବସିଲା ବେଳକୁ ବୋଉର ସେ ଯୋଉ ଗାଳିନା... ।

 

ତୁ ତାହାଲେ ମୋତେ ପ୍ରେମ କରିବା ଆରମ୍ଭ କଲୁଣି ?

 

ହଇରେ ହାଡ଼ିଆଇ ସେଗୁଡ଼ା ମିଠାନା ଖଟା ? ମୁଁ ତ ତତେ ଭଲ ପାଉଚି ।

 

ଦୁହେଁ ହସି ହସି ଗଡ଼ିଗଲେ । ହାଡ଼ିଆ ଟାଣିଆଣିଲା କୋଳକୁ I ଚଇନି ଅନୁଭବ କଲା ଉଷ୍ମିତ ଚୁମ୍ବନର ସ୍ପର୍ଶ ।

 

ଘଡ଼ିଏ ଗଲା । ଉଠି ପଡ଼ି କହିଲା । “ଯାଉଚି ହାଡ଼ିଆ’ଇ ।”

 

ନଗଲେ କଣ ହେବନି ?

 

-ଦେଖ ହାଡ଼ିଆ’ଇ ଗୋଟିଏ ମାଠିଆକୁ ଯଦି ଘଣ୍ଟାଟାଏ ଲାଗେନା ତାହେଲେ କାଲିଠୁ ଘରେ କୋଲପ ।

 

ସତରେ ଯାଉଚୁ ।

 

ନା ମିଛରେ ।

 

କାଲି ଆସିବୁ ତ ?

 

କେମିତି କହବି କହ । ଯଦି ବୋଉ ନାହିଁ କରେ ?

 

ଯଦି ଫଦି ମୁଁ ଜାଣେନା । ତତେ ଆସିବାକୁ ହେବ ।

 

ଦୁହେଁ ଦୁଇ ଆଡ଼କୁ ମୁହଁ ମୋଡ଼ିଲେ । ଜଣକର ମୁଣ୍ଡରେ କଳସୀ କାଖରେ ଗରା । ଆଉଜଣକର ହାତରେ ପାଞ୍ଚଣ । ଗୋଟିଏ ଛକରୁ ଦୁଇଟି ରାସ୍ତା । ଯିଏ ଯାହାର ପଥ ଅନୁସରି ନେଲେ ।

 

ଗୁରୁବାର ଆଜି । ଆଖଡ଼ା ବନ୍ଦ । ସାତଦିନରେ ଗୋଟିଏ ଦିନ । ମନ ଖୋଲି କଥାବାର୍ତ୍ତା ହୁଅନ୍ତି ସମସ୍ତେ । ଚାନ୍ଦିନି ଉପରେ ଆସର ଜମିଛି । ପନ୍‌ଝା ହୋଇ ବସିଛନ୍ତି । କେତେକଥା ଚାଲିଚି । ଆଗାମୀ ଭୋଟ କଥା, ଟାଈଚୁଙ୍ଗ ଚାଷକଥା, କଳିଯୁଗ ଶେଷକଥା, ଇତ୍ୟାଦି ଇତ୍ୟାଦି । କୋଉଠି ହସର ଲହଡ଼ିରେ ଚାରିଦିଗ କମ୍ପି ଉଠୁଚି ତ କୋଉଠି ଯୁକ୍ତିତର୍କର ସ୍ପର୍ଶରେ ଆଖ ପାଖର ହାଓ୍ୱା ଗରମ ହେଇ ଉଠୁଚି । ଗୋଟିଏ ମୁଣ୍ଡକୁ ବସିଛନ୍ତି ଦଳେଯୁବକ । ହଗୁରା, ମୁଗୁରା, କାଳିଆ ଇତ୍ୟାଦି । ସେଇ ଦଳର ହାଡ଼ିଆ । ଦୁଇ ମାସହେଲା ଦେଖାନାଇଁ । କଣ ହେଉଚି ତାର ? ଏଇବାଟେ ଆସି ଏଇବାଟେ ଯାଉଚି । ଆଡ଼ ଆଖିରେ ଚାହୁଁନି । କଥା, କଣ ?

 

ହଗୁରା କହିଲା; “ହଇରେ, ହାଡ଼ିଆ କାହିଁକି ଆସୁନି ।”

 

“ପୁଅର ମକୁନ୍ଦି ଉଖୁଡ଼ା ଖାଉଚି ପରି ରାଉଜରେ ଉଡ଼ୁଚି ଆଉ ତାର ଦେଖା ମିଳବ କଣ-?’’ ମୁଗୁରା କହିଲା ।

 

ଆରେ ପରି ରାଇଜରେ କଣ ?

 

ଶଳାଟା ଅନ୍ଧଟା କିରେ ! ବାବୁ ଏଇନେ ଚଇନି ପ୍ରେମରେ ପଡ଼ି ଯାଇଛନ୍ତି !

 

ତୁ କେମିତି ଜାଣିଲୁ ?

 

ସେଦିନ କଣ ହେଇଚିନା, ଭାଇ ପେଇଁ ଭାତ ନେଇ ଯାଉଚି ନଈକୂଳରେ ସେ ଯେଉଁ ପଣସ ଗଛଟା ନାଇଁ, ସେଇଠି ତ ନଟେଇ ଯାଇଛନ୍ତି । ଚଇନି ଗୋଡ଼ଟା ଲମ୍ବେଇ ବସିଚି ଆଉ ଆମ ରଜକୁମାର ତ ସାବିତ୍ରୀଙ୍କ କୋଳରେ ଶୋଇ କଣ ଟୁପୁର ଟାପର ହେଉଛନ୍ତି ।

 

ତୁଟା ଯାହା ଛାଡ଼ିଦେଲୁ ।

 

ତୁ ଥିଲେ ତ ସବୁ କରି ପକେଇ ଥାନ୍ତୁ । ଇହାପ ବାହାଦୁରି ଦେଖ । ତତେ ସେଇ ନଈ ବାଲିରେ ପୋତି ଦେଇ ନଥାନ୍ତା ?

 

ହଗୁରା ଚୁପ୍ ହେଇଗଲା । ହାଡ଼ିଆଟାର ଭାରି ବଳ । ପୁଣି ଏକ ବୁଝାଟା ସେଦିନ ବାଗୁଡ଼ି ଖେଳରେ ତାକୁ ଚାରିଜଣ ଧରି ରଖି ପାରିଲେନି । ପୁଣି ବାଡ଼ି ବୁଲେଇଲେ ତିରିଶି ଜଣଙ୍କୁ ରଖିଦେବ ।

 

ହଇରେ ତମ ମୁହଁକୁ ତ ଲାଜ ନାହିଁ । ଏଇ ମୁଗୁରା କଥାରେ ବିଶ୍ଵାସ କରୁଚ ?

 

ହଇରେ ତାର ପରା ଶହେକେ ଛକୋଡ଼ି ମିଛ । କାଳିଆ କହିଲା ।

 

ଭାରି ଆସିଗଲା ସତ କହିଲା ବାଲା । ହେଇ ହାଡ଼ିଆତ ଏଇବାଟେ ଯାଉଚି, ଡାକି କରି ଯଦି ପ୍ରମାଣ କରିଦେବି ?

 

ତାହାଲେ ଯାହା କହିବୁ ଆମେ ନିଶ୍ଚେ ମାନିବୁ ।

 

ହଗୁରା ଡାକିଲା ହାଡ଼ିଆକୁ । ହାଡ଼ିଆ ଆସୁଚି । ମୁହଁରେ ଗାମ୍ଭୀର୍ଯ୍ୟର ଅଦିନ ବଉଦ । ଆଖିରେ ଧ୍ୱଂସର ହୁତାଗ୍ନି । ପାହାଚ ପରେ ପାହାଚ ଉଠି ଆସିଲା ।

 

କଣ କହୁଚ ?

 

କଥାରେ ବଜ୍ରର ଗମ୍ଭୀରତା ।

 

ନାଇଁ ହାଡ଼ିଆ’ଇ ଆମେ କଣ କହୁଥିଲୁ କି... । ଛେପ ଢୁକିଲା ହଗୁରା । ସାହାସ ହଉନି କହିବାକୁ । ଯଦି ଏ ମଇଁଷିଟା ଫଟା ଶିଙ୍ଗକୁ ଯୋଡ଼ିଦିଏ.... ।

 

କଣ କହୁଥିଲୁ ?

 

ଏଇ ଚଇନି କଥାମ ?

 

କଣ ହେଲା ।

 

ତୁ କୁଆଡ଼େ ତାକୁ ପ୍ରେମ କରୁଛୁ ।

 

ହଁ କରୁଚି । ତୁମ ବାପର କଣ ହେଲା । କଣ୍ଠରେ ତାର ହିମାଳୟର ସ୍ଥିରତା ।

 

ସମସ୍ତଙ୍କ ଦେହରେ ନିଆଁ ଲାଗିଗଲା ।

 

ଚିହିଁକି ଉଠିଲେ ସମସ୍ତେ । ରାଗରେ ପାତିଗଲେ । କାଳିଆ କହିଲା; ‘‘ଆଉ କଣ ତୋ ବୋପାର ଯାଉଚି ?”

 

ହଁ, ହଁ ମୋ ବୋପାର ଯାଉଚି ।

 

କିନ୍ତୁ ଆମ ଆଖି ଆଗରେ... ।

 

ହଁ ତୁମରିମାନଙ୍କ ଆଖି ଆଗରେ ମୁଁ ତାକୁ ଭଲ ପାଇବି । ଦେଖିବା ମୋର କିଏ କଣ କରିବ ।

 

କ୍ଷିପ୍ରଗତିରେ ଚାଲିଗଲା ହାଡ଼ିଆ । ଚାହିଁ ରହିଲେ ସମସ୍ତେ । ଏକ ନୟନରେ, ଏକ ଦିଗକୁ । ଏକ ଭାବନା, ତାଙ୍କ କଥାରେ କଣ କିଛି ମୂଲ୍ୟ ନାହିଁ ? ସେମାନେ କଣ ଇୟାର ପ୍ରତିଶୋଧ ନେଇ ପାରିବେନି । ତାଙ୍କର ଯୁବକତ୍ୱର ହିଡ଼ ଉପରେ ଛିଡ଼ାହୋଇ ସେ କେଳି କରୁଥିବ, ଆଉ ସେମାନେ ନିରବ ଦର୍ଶକ ହୋଇ ସବୁ ଦେଖୁଥିବେ ? ଅସମ୍ଭବ ଇୟା କେବେ ହୋଇପାରେନା । ପ୍ରତିଶୋଧ ନେବାକୁ ହିଁ ହେବ ।

 

ଡିବି ଡିବି ବାଜୁଚି । ସାଇ ସାଇ । ଘର ଘର । ସବୁରି ମୁହଁରେ ଏକ କଥା । ହାଡ଼ିଆ ଚଇନିକି ନେଇ । ଚଇନି ହାଡ଼ିଆକୁ ନେଇ । କୂଅ ମୂଳେ ମାଇପିଙ୍କର ମେଳା । ପୋଖରି ତୁଠରେ ମରଦଙ୍କର ସଭା । ଯିଏ ପାରୁଚି ଦିପଦ ଶୁଣେଇ ଦେଇଚି । ନକହିଲା ଲୋକ କହୁଚି । ଦୁମ୍ ଦୁମ୍ ହୋଇ ଭିତରକୁ ପଶିଆସିଲା ସଙ୍ଗି । ଆଜି ତାର ଦିନେକୁ ମୋର ଦିନେ । ସହିପାରିବନି ସେ ଆଉ ସେ ଦିହ ଜଳା କଥା । ଶୁଣି ପାରିବନି ସେ ଆଶ୍ରାବ୍ୟ କାହାଣୀ । ଡାକ ଛାଡ଼ିଲା; “ଚଇ, ଚଇ” !

 

ବସିଲା ଜାଗାରୁ ଉଠି ଆସିଲା ଚଇ ବୋଉର କଣ ହେଇଚି ? ତାର ଏ ପରିବର୍ତ୍ତନ କାହିଁକ ? ଦିନେ କାଳେ ତ ଏମିତି ସେ ଡାକେନି ? ଆଉ ଆଜି....ଆସିଲା ପାଖକୁ । ଖୁଣ୍ଟ ଆଢ଼ୁଆଳରେ ଠିଆହୋଇ ପଚାରିଲା;

 

ବୋଉ ମତେ ଡାକୁଥିଲୁ ?

 

ବୋଉ କହନା ଲୋ, ଅଲକ୍ଷଣୀ । ଆଉ ମୁହଁ ରଖିଚୁ ଯେ ବୋଉ ଡାକୁଚୁ, ମରଣ ଯାହା ହେଲାନି ।

 

କଣ ହେଇଚି ବୋଉ ?

 

କିଛି ଜାଣିନୁ । ଯା କୂଅମୂଳେ ଟିକେ ଶୁଣିଆ ।

 

କଣ ହେଇଚି ତୁ କହୁନୁ ?

 

ହଇଲୋ ହାଡ଼ିଆ ତୋର କିଏ ? ତୁ ତା’ର କଣ ? ତତେ ପାଣି ଆଣିବାକୁ ପଠେଇବା ଫଳ କଣ ଏଇଆ । ଏମିତିଆ ଝୁଅର ତଣ୍ଟି ଚିପିଦେଲେ ଟିକେ ଦୋଷ ନାଇଁ !

 

ସେଇଥୁରୁ ଯଦି ତୁ ଶାନ୍ତି ପାଇଁବୁ, ନେ ଚିପିଦେ । ଏଇଗଛକୁ ତୁ ଲଗେଇ ଥିଲୁ ପୁଣି ତୁ ହାଣି ଦେ ।

 

ଲୋଟିଲୋ ଚଇ ବୋଉର ଗୋଡ଼ତଳେ । ସଙ୍ଖି ଚାହିଁଛି । କିଛି ଦେଖା ଯାଉନି । ଚାରିଆଡ଼େ ଅନ୍ଧାର । ଗୋଡ଼ତଳେ ମାଟିଟା ଆସ୍ତେ ଆସ୍ତେ କୁଆଡ଼େ ଚାଲି ଯାଉଚି । ତାହାଲେ ସେ କଣ ଭୁଲ କଲା ? ଚଇକଣ ....କୋଳକୁ ଉଠେଇ ଆଣିଲା ଚଇକୁ । ତାର ଆଦରର ଏକୋଇର ବଳା ବିଶିକେଶନକୁ । କଣ କରିଥିଲା ସେ ? ନିଷ୍କଳଙ୍କ ଚନ୍ଦ୍ରମା ଦେହରେ ସେ କଳଙ୍କ ଲେସୁଥିଲା । ସୁନାର ହରିଣକୁ ସେ ପଥର ଭାବିଥିଲା ! ନା ଅସମ୍ଭବ । ତାରି ଜନ୍ମିତ ଝିଅ କେବେ ଏକାମ କରି ପାରିବନି । ମୁଣ୍ଡତାର କଣହେଇ ଗଲା । ମୁଣ୍ଡରେ ତାର ଭାବନାର ଲହଡ଼ି । ଚଇ ମୁଣ୍ଡକୁ ଆଉଁସୁ ଆଉଁସୁ ପଚାରିଲା ‘ଚଇ ।’

 

କଣ ବୋଉ ?

 

ତୁ ଥରେ କହିଦେ ଚଇ ଏସବୁ କଥା ମିଛ । ଦେଖ ମୁଁ କେମିତି ଏ ସବାଖାଇଙ୍କ ଜିଭ ଓପାଡ଼ି ଦେଉଚି ।

 

ସବୁ ମିଛ ବୋଲି କହିବ ? ହାଡ଼ିଆ’ଇକୁ ଅସ୍ୱୀକାର କରିବ ? ତାର ପ୍ରଥମ ମଧୁପକୁ ଠକି ମଧୁନାଁରେ ଗରଳ ଦେଇଦେବ କାହିଁକି ? କୋଉ ଅଧିକାରରେ ? ଇଏ କଣ ପାପ ନୁହେଁ ? ଇଏ କଣ ସମାଜର କଳଙ୍କ ନୁହେଁ ? ଆଉ ସେ ତାକୁ ଭଲପାଇଲା ବୋଲି ବସୁଧ୍ୟା ମାରା ହେଇଗଲା । ତିନିପୁର ଅନ୍ଧାର ହେଇଗଲା । ସେ ପାପ ବ୍ୟଭିଚାର କରି ବସିଲା । ନା ନା ସେ ନିଶ୍ଚୟ କହିଦେବ ସମସ୍ତଙ୍କୁ । ସେ ହାଡ଼ିଆଙ୍କୁ ଭଲପାଏ । ସେ ତାର ମନର ମଣିଷ, ହୃଦୟର ଦେବତା । ଅଡ଼ୁଆ ତଡ଼ୁଆ ପ୍ରଶ୍ନରେ ବାନ୍ଧିହେଇ ପଡ଼ିଲା ସେ । କଣ କହିବ । କଣ ନାଇଁ । ଚୁପ୍ ରହିଲା । ଦୁଇ ଆଖିରୁ ବୋହୁଥିଲା ଗଙ୍ଗା ଯମୁନାର ଦୁଇଟି ଧାର ।

 

ତୁ କିଛି କହିଲୁନି ଚଇ ?

 

କଣ ବୋଉ ?

 

ମୁ ଯାହା ପଚାରି ଥିଲି ?

 

ବୋଉ ମୁଁ, ମୁଁ.... ।

 

ପାଟି ଖନି ମାରିଗଲା । ଶବ୍ଦରାଜ୍ୟରେ ଦୁର୍ଭିକ୍ଷ । ଏତେ ଗୁଡ଼ାଏ କଥା, ଏତେ ଗୁଡ଼ାଏ ଭାବକୁ କେମିତି ସେ ପ୍ରକାଶ କରିବ ? କେମିତି ତାର ହୃଦୟ ଦେବତାର ସଂଧାନ ଦେବ ଅନ୍ୟକୁ । ଯଦି ସେମାନେ ତାକୁ ଗ୍ରହଣ ନକରନ୍ତି ?

 

ଯଦି ସେମାନେ....

 

କଣ ମୁଁ ମୁଁ ହଉଚୁ କହୁନୁ ?

 

ତୁ ଯାହା ଶୁଣିଚୁ ସତ ବୋଉ ।

 

ଠାଇକିନା ଚାପୁଡ଼ାଏ ବସେଇଲା ସଂଖି । ଶୁଖିଲା ଘଡ଼ ଘଡ଼ି ପରି । ଝାଉଁଳି ପଡ଼ିଲା ଚଇ । ଠେଲିଦେଲା ସଂଖି ଦୂରକୁ l କଳଙ୍କକୁ ସେ କୋଳରେ ଧରିବ ? ଗର୍ଜିଉଠିଲେ; ‘‘ତ-ତେ ଟିକେ ବିଷ ମିଳିଲାନି ପାପିନି, କଳଙ୍କିନି ?” ମୁହଁ ମୋଡ଼ି ଚାଲିଗଲା ସଂଖି । ମନରେ ଦୃଢ଼ ପ୍ରତିଜ୍ଞା-। ତାର ଝିଅ ନାଇଁ । ମରିଗଲାଣି ସେ କୋଉଦିନୁ । ସେ ବାନ୍‌ଝ ! ସେ ଅପୁତ୍ରିକ ।

 

ଚଇନି ପଡ଼ିରହିଚି ଦୁଆରେ । ଆଖିରେ ଲୋତକର ଧାରା । ଦୁନିଆକୁ ଅନେଇ ରହିଚି ସେ । ପାପପୂଣ୍ୟକୁ ତଉଲୁଚି ସେ ବିବେକର ମାନଦଣ୍ଡରେ । କିଏ ପାପି ? କିଏ କଳଙ୍କିନି । କୁନ୍ତି, ମନ୍ଦୋଦୋରୀ ସମସ୍ତେ ଅନେକ ଭ୍ରମରକୁ ନିଜ କୋଳରେ ସ୍ଥାନ ଦେଇଛନ୍ତି । ଅଜାଚିତ ଭାବେ ନିଜର ମଧୁକୁ ବାଣ୍ଟି ଦେଇଛନ୍ତି । କିନ୍ତୁ ଦୁନିଆ କହେ ସେମାନେ ନିସ୍‌କଳଙ୍କିନି, ଆଉ ସେ... । ନିଜର ମଧୁକୁ ଗୋଟିଏ ମଧୁପକୁ ଦେଇଛି । ଗୋଟିଏ ଦେବତାର ପାଦତଳେ ନିଜ ଯୌବନର ପୂଜାଥାଳିକୁ ସମର୍ପି ଦେଇଛି । ତଥାପି ସେ କଳଙ୍କିନି, ପାପିନି, କୁଳଟା । କାହାର ଏ ନ୍ୟାୟ ? କିଏ ଏଇ ନ୍ୟାୟପତି । ଠିକ କରି ପାରୁନଥିଲା ଚଇ । ଖୋଜିକି ପାଉନଥିଲା କିଏ କାହିଁକି ତାର ସ୍ଵପ୍ନକୁ ଭାଙ୍ଗିବାକୁ ଗଲା । ସେତ କାହାର ଧୂଳିଘର ଭାଙ୍ଗି ନାହିଁ । ସେ-ତ କାହାର ସୁଖି ସଂସାରରେ ନିଆଁ ଲଗାଇନି ! ତେବେ.. ମନେ ମନେ ତଉଲୁ ଥିଲା ନିଜକୁ ଆଉ ଦୁନିଆକୁ ସେମିତି ପଡ଼ି ରହି ।

 

ଚକୋରୀ କାନ୍ଦୁଚି । ରହି ରହି । ଫୁଲି ଫୁଲି । ଲୁହଝରାଉଚି ରକ୍ତକୁ ପାଣିକରି । ବିରହର ଲୁହ । ଅଭିସାପର ଲୁହ । କେତେବେଳେ ପାହିବ ରାତି । କେତେବେଳେ ସେ ଅଭିଶପ୍ତ ଜୀବନରୁ ମୁକ୍ତହେବ । ଚକୋର, ତାର ଜୀବନ ସାଥି, ତାର ହୃଦୟ ଦେବତା, ଆସିବେ । ମନ ପୁରାଇ ଦେଖିବ । ହସିବ, ଖେଳିବ । ପୁଣି ଚାଲିବ ଜଳକ୍ରୀଡ଼ା । ପୁଣି ଦୁଇ ଚଞ୍ଚୁର ମିଳନ ହେବ । କୋହ ଉଠୁଚି, ହୃଦସାଗର ମଝିରୁ, ମୁଣ୍ଡ ପିଟୁଚି, ଆଖିବେଳା ଭୂମିରେ । କଏ ସେ ରାମଚନ୍ଦ୍ର । କାହିଁକି ତାକୁ ଏ ଅଭିଶାପ ଦେଲେ । କଣ ତାଙ୍କର ଅଭିପ୍ରାୟ । ସେ କଣ ସୀତାଙ୍କୁ ଭଲ ପାଆନ୍ତି ନି-? ସେ, କଣ..... । ତେବେ ତାର ମିଳନରେ କାହିଁକି ବାଧାଦେଲେ । ବୁଝିପାରୁ ନଥିଲା ଚକୋରୀ-। ଖାଲି ମାଣିକ ଝରାଇ କାନ୍ଦୁଥିଲା ଚକୋର ପାଇଁ ।

 

ସମସ୍ତେ ଶୋଇଛନ୍ତି ନିଦରେ । ଚଇନି ଚାହିଁଚି, ଆଖିକୁ ନିଦଆସୁନି । ଭାବୁଚି, କଣ ଭାବିଥିବ ହାଡ଼ିଆ’ଇ । ଆଜିକୁ ସାତ ଦିନ ହେଲା ଯାଇନି । ଚାରିକାନ୍ଥ ମଝିରେ ସେ ଆଜି ବନ୍ଦିନି । କବାଟରେ କୋଲାପ ପଡ଼ିଚି । ପାଟିରେ କୋଲୋପ ପଡ଼ିଚି । ଯାଇହଉନି କି କହି ହେଉନି । ହାଡ଼ିଆଇ ସବୁଦିନ ଆସୁଥିବ ମିଳନର ଆଶାନେଇ, ଭଲପାଇବାର ଭରଷା ନେଇ । କିନ୍ତୁ ବିରହର ଜ୍ୱଳା ନେଇ ଫେରୁଥିବ, ଭାବୁଥିବ ଚଇ ତାକୁ ଭୁଲିଚି । ମଧୁନାରେ ଗରଳ ଦେଇଚି । ମିଳନ ନାରେ ବିରହ ଦେଇଚି । ହେଲେ ଯଦି ଥରେ ସେ ଦେଖି ଯାଆନ୍ତା... । ଅସମ୍ଭବ । ଏ ଅଭେଦ୍ୟ ଦୁର୍ଗ ଭିତରେ ସେ କଣ ଆସି ପାରିବ ? ଏଇଠି ସେ ପୋକ ମାଛିପରି ଛଟ ପଟ ହୋଇ ମରିବ । କେହି ଜାଣିବେନି, କେହି ଶୁଣିବେନି । ଚିତାଗ୍ନି ଉଠିବ ବହୁ ଉପରୁକୁ; ହେଲେ କେହି ଦେଖିବେନି । ଆଉ ଭାବିପାରିଲାନି କଣ କରିବ । ମୁହଁ-ମାଡ଼ି କାନ୍ଦିବା ଛଡ଼ା ଆଉ କଣ ବା ତାର ଉପାୟ ଅଛି ?

 

ଚଇ, ଚଇ

 

କାହାର ଏ କଣ୍ଠ ସ୍ଵର । କେଉଁ ମଧୁପରି ଏ ମଧୁର ଗୁଞ୍ଜରଣ ଅତି ଆପଣାର ଅତି ପରିଚିତ ଏ କଣ୍ଠସ୍ୱର । କାହାର ? ହାଡ଼ିଆର ନୁହେଁତ ? ମନରେ ତାର ଅବିଶ୍ଵାସର ପ୍ରଶ୍ନବାଚୀ । କଡଲେଉଟାଇଲା । ଝରକା ପାଖରେ ସେ କେଉଁ ଅସ୍ପଷ୍ଟ ଛାୟା ହାତ ଠାରି ଡାକୁଚି । କେଉଁ ପ୍ରେତ ଆତ୍ମାର ନୁହେଁତ ? ଅବଚେତନ ଅବସ୍ଥାରେ ପାଖକୁ ଗଲା । ବିଶ୍ଵାସ କରି ପାରିଲାନି ଆଖିକୁ । ତାର ଯିବନାଧିକ ହାଡ଼ିଆର ମୁଣ୍ଡରେ କନାଭିଡ଼ା ହେଇଚି । କଣ ହେଲାତାର ? କାଳେ....... । ନାନା ସେ ପାପକଥା ସେ ଚିନ୍ତା କରିବନି ।

 

ବାହାରକୁ ଆ ଚଇ ବହୁତ କଥାଅଛି ।

 

ହାଡ଼ିଆଇ !

 

ହଁ ମୁଁ, ତୁ ବାହାରକୁ ଆ ।

 

କିନ୍ତୁ କେମିତି ଯିବି କହିଲୁ ?

 

ତାହେଲେ ମୁଁ ଯାଉଚି । ଏଇ ବୋଧେ ଆମର ଶେଷଦେଖା ।

 

ହାଡ଼ିଆ’ଇ !

 

କଣ କହିଗଲା ହାଡ଼ିଆ’ଇ । ଏଇ ତାରା ଶେଷ ଦେଖା, ଚକ୍ରବାଳ ସହ ତାର ଶେଷମିଳନ । କାହିଁକି ? କୋଉଠିକି ଯିବ ସେ ? ବୁଝିପାରିଲାନି କଣ କରିବ । ମନଭିତରୁ କିଏ କହି ଉଠିଲ । ତୁ ଯା ଚଇ । ଏଇବୋଧେ ତୋର ମୋର ଶେଷ ଦେଖା । ତୁ ସଂସାରକୁ ଡରୁଚୁ । ତତେ କଳଙ୍କିନୀର ଅପବାଦ ଦେବ ବୋଲି ? ସେଇ ସଂସାରକୁ ପଚାର । କଳଙ୍କିନୀ କିଏ ? ଯିଏ ଗୋଟିଏ ଦେବତାର ପଦତଳେ ଜୀବନର ସଳିତାକୁ ଜାଳିଦିଏ ନା ଯିଏ ଲିଭା ସଳିତାକୁ ଲକ୍ଷଥର ଜାଳି ତେତିଶ କୋଟି ଦେବତାର ଆଗେ ସଞ୍ଜ ଦେଇ ନିଜକୁ ସତୀବୋଲି ପରିଚୟ ଦିଏ । ଡରନା ଚଇ । ଯଦିତୁ କଳଙ୍କିନୀ ହେଉ ତାହାଲେ ଆମ ଦେଶର ପ୍ରତ୍ୟେକ ନାରୀ କଳଙ୍କିନୀ । କାରଣ ପ୍ରତ୍ୟେକ ଗୋଟିଏ ଗୋଟିଏ ଦେବତାର ପୂଜାରିଣୀ ।

 

ଗୋଡ଼ କାଢ଼ିଲା ବାହାରକୁ । ଶାଗ କିଆରି ପାଖେ ଛିଡ଼ା ହେଇଚି ହାଡ଼ିଆଇ’ । ଚଇନି ଲୋଟିଗଲା ହାଡ଼ିଆ’ଇର ଛାତିରେ । କେତେ ସୁନ୍ଦର ଏ ଛାତିଟା । କେଡ଼େ ପ୍ରଶସ୍ତ । ସତେ କଣ ଦୁନିଆର ସବୁ ସୁଖତକ ଇୟାରି ଭିତରେ ଅଜାଡ଼ି ହେଇଚି । ମୁହଁ ଉପରକୁ କଲା । ହାଡ଼ିଆର ମୁଣ୍ଡରେ କନା ବନ୍ଧା ହେଇଚି । କଣ ହେଲାତାର ? ହାଡ଼ିଆଇ ! ଚିତ୍କାର କରି ଉଠିଲା ।

 

ପାଟିଟାକୁ ବନ୍ଦ କରିଦେଲି ହାଡ଼ିଆ । କିଏ ଶୁଣିବ । କିଏ ଦେଖିବ । ପୁଣି ସନ୍ଧ୍ୟା ଆସିଯିବ । ପୁଣି ବିରହର ରାହୁଗ୍ରାସି ଯିବ ଦୁହିଁଙ୍କୁ ।

 

କଣହେଲା ହାଡ଼ିଆଇ ?

 

ଆମ ଭଲ ପାଇବାର ଚିହ୍ନ ଚଇ । ପ୍ରେମର ସ୍ୱାକ୍ଷର ।

 

ହାଡ଼ିଆ’ଇ ?

 

ଦୁଃଖ କରନା ଚଇ । ସବୁଦିନ କଣ ଏମିତି ଥିବ । ଦିନ ଆସିବ ସେତେବେଳେ ଦୁନିଆ ଦେଖୁଥିବ ତୁ ମୋ ପାଖରେ ଥିବୁ ହେଲେ କିଛି କହି ପାରୁ ନଥିବ । କେବେ ଆସିବ ସେଦିନ ?

 

ତାଁ’ ମୁଁ କହି ପାରିବିନି ଚଇ । ହେଲେ ଦିନ ଆସିବ ।

 

ତୁ ମୋ ଉପରେ ରାଗିଚୁନା ହାଡ଼ିଆ’ଇ ? କଣ କରିବି କହତ, ଚେଷ୍ଟା କରିବି ଯାଇ ପାରୁନି ।

 

ଭାବି ଲାଭକଣ ? ଆଉବି ତତେ ଯିବାକୁ ପଡ଼ିବନି ।

 

ହାଡ଼ିଆ’ଇ ?

 

ଦୁଃଖ ଲାଗୁଚି ନା ? ଭାବତ ଦେଖି ଏଠି ଆମର ସଢ଼ି ସଢ଼ି ମରିବା ଅପେକ୍ଷା ସେଠି ଶାନ୍ତିରେ ମରିବା କେତେ ଭଲ ।

 

କଣ ନେଇ ବଞ୍ଚିବି ହାଡ଼ିଆ’ଇ ?

 

ଚାହିଁରହିଲା ହାଡ଼ିଆ । କି ସ୍ମୃତି ଦେଇ-ଯିବ ତାକୁ ସେ । କଣ ଅଛି ତା’ର ? । ରାମ ହନୁମାନ ହାରରେ ନିଜର ମୁଦି ଦେଇଥିଲେ ଚିହ୍ନ ସ୍ୱରୂପ । କଣ ସେ ଦେଇଯିବ । କଣ ଅଛି ତାର-? ମୁଣ୍ଡରୁ କନା ଫିଟାଇଲା । ବୋହି ପଡ଼ୁଚି ମୁଣ୍ଡା ମୁଣ୍ଡା ରକ୍ତ । ଠୋପେ ଦେଲା ଚଇନି ମୁଣ୍ଡରେ-

 

ହାଡ଼ିଆ’ଇ !

 

ମୋ ପାଖରେ ଆଉକଣ ଅଛି ଚଇ । ଏଇ ମୋର ଶେଷ ସନ୍ତକ । ଭଗବାନଙ୍କ ନାମରେ ଦେଇ ଯାଉଚି ଆକୁ । ଆମ ମିଳନର ସନ୍ତକ । ଆମ ଭଲପାଇବାର ସ୍ମାରକୀ ।

 

ହାଡ଼ିଆ’ଇ ଯଦି....

 

କଣ ଯଦି ଚଇ ।

 

ଯଦି ତୁ ଆସିଲା ବେଳକୁ ଚଇ ନଥାଏ ?

 

ଖୁବ୍ ଚଞ୍ଚଳ ଆସିବି ଚଇ । ଦୁନିଆରେ କୌଣସି ଶକ୍ତି ମୋଠୁ ତୋତେ ନେଇପାରିବନି-। ଯଦନିଏ ସେ କେବଳ ମରଣ । ତୁ ତା ବିଶ୍ଵାସ କରୁଚୁ ? ସିଏ କ’ଣ ଏତେ ନିର୍ଦୟ ହେଇଚି-?

 

ହାଡ଼ିଆ’ଇ.... ।

 

ହାଡ଼ିଆ ଟାଣିନେଲା ଅତି ପାଖକୁ । ଚଇ କାନ୍ଦୁଥିଲା । ବାହୁ ଭିତରେ ଥାଇ । ଆଖିରୁ ବୋହି ଆସୁଥିଲା ମଣି ମରକତର ଦୁଇଟି ଧାର ।

 

ହାଡ଼ିଆ ଯାଇଚି । ସୁଖ ଯାଇଚି । ଶାନ୍ତି ଯାଇଚି । ପଡ଼ି ରହିଚି ସେ ପକ୍ଷକଟା ଜଟାୟୁ ପରି । ତାର ମନର ମଣିଷ ପାଇଁ । ତାର ଜନ୍ତ ଜନ୍ମାନ୍ତର ର ସାଥିପାଇଁ । ପାରିବତ ? ଜଟାୟୁର ନିଷ୍ଠା ଯଦି ସେ ରଖି ନପାରେ ? ଦୁନିଆର ଦାଉରେ ସେ ଯଦି ଜଳପୋଡ଼ି ଛାରଖାର ହେଇଯାଏ-? ତେବେ ବି ଶୋଚନା ନାଇଁ । ତାର ମାଉଁସ ଗଣ୍ଡାକ ପଡ଼ି ରହିଥିବ ତାକୁ ଅନେଇ । ପ୍ରେମର ସନ୍ଦେଶ ଦେବା ପାଇଁ । ଏକ-ନିଷ୍ଠାର ପ୍ରମାଣ ଦେବାପାଇଁ । ହାଡ଼ିଆ’ଇ ଗୋଡ଼ ଦେଲା ମାତ୍ର ସେ କହି ଉଠିବ; “ଦେଖି ଯାଅ ତୁମେ ତୁମ ଆଦରର ଚଇ କେମିତି ଦୁନିଆ ଦାଉରେ ଜଳିପୋଡ଼ି ଯାଇଚି । ଖାଲି ତୁମରି ପାଇଁ । ଛାଡ଼ି ଯାଇଚି ମୋତେ । କହଚି, କହିବୁ ମୋତେ ଯେମିତି ସେ ଭୁଲ ନବୁଝନ୍ତି । ପର ଜନ୍ମର ଅପେକ୍ଷାରେ ଯାଉଚି ।”

 

ଭାବନାର-ଖିଅ ଯୋଡ଼ି ଯୋଡ଼ି ହୋଇ ଯାଉଚି । ବୁଢ଼ିଆଣି ପେଟ ସତାଠାରୁ ଆହୁରି ଲମ୍ବ । ଆକାଶ ଠାରୁ ଆହୁରି ବିସ୍ତୀର୍ଣ୍ଣ । ତାର ଅନ୍ତ ନାଇଁ କୋଉଠି ଥିବ ତାର ହାଡ଼ିଆ’ଇ । କଣ କରୁଥିବ ସେ ? ଖରାବେଳଟା ଏକା ଏକା କେମିତି କଟାଉ ଥିବ ? ମନକୁ କି ସାନ୍ତ୍ୱନା ଦେଇ ?

 

ଚଇ ଚଇ ଆଲୋ ଦିନ ଘଡ଼ିଏ ହେଲାଣି ଉଠୁ ।

 

ବୋଉ ଡାକୁଚି । ଶୁଭିବି ଶୁଭୁ ନାଇଁ । ବୋଉକୁ ଦେଖିବି ଦେଖୁନି । ମନେ ମନେ ଚିଡ଼ି ଉଠିଲା । କାହିଁକି ଏମାନେ ଏମିତି ଦାଉ ସାଧୁଚନ୍ତି । ଟିକଏ ଭାବିବାକୁ ଦେଉନାହାଁନ୍ତି । ଶେଯ ଛାଡ଼ିଲା । ମହଳଣ ଆଖିକୁ ଧୋଇ ଦେଲା ପାଣିରେ । ତନ୍ଦ୍ରା ଯାଇଚି । କାନିରେ ମୁହଁ ପୋଛି ଅନେଇଲା । ଖରା ପଇଲାଣି ଘଡ଼ିଏ ଦିନ ହେଲାଣି । ବା’ କାମକୁ ଯାଇଚି ଆସିବ ସନ୍ଧ୍ୟାକୁ ।

 

ରାଧି ମା ଆସିଛି । ଚାଉଳ ଧାର ନେବ । ଦିନକ ପାଇଁ । ପୁଣି ସୁଝି ଦେବ ସେଇ ମାଣରେ । ସେତିକି । ରୋଷେଇ ପିଣ୍ଡାରୁ ଖସି ଆସୁଛି ସେ । ଆଗରେ ଦେଖିଲା ଚଇ ଛିଡ଼ା ହୋଇଛି, ମହଳଣ ମୁଖ ମଣ୍ଡଳ । ଆଲୁଳାୟିତ କେଶ । ସ୍ଥିର ଚକ୍ଷୁ ଯୁଗଳ । ମୁହଁ ରେ ଅଖଣ୍ଡ ଗାମ୍ଭୀର୍ଯ୍ୟ । ଡରି ଗଲା ସେ । ଚଇଟା ଛଡ଼ା ଦୁନିଆରେ ଆଉ କାହାକୁ ପଚାରେନି । ଡବଡ଼ବିଟା । ଖବିସା ଟାଏ । ମୁହେଁ ମୁହେଁ ଜବାବ ଦେବ । ବଡ଼ ନାଇ ମାନ ନାଇଁ, ଆଗ ନାଇଁ ପଛ ନାଇଁ । ଶାଣ ଦିଆ କଥା । ପାଖକୁ ଲାଗି ଆସିଲା ତାର । ସାକୁଲେଇ କହିଲା; ମା’ଟା ମୋର କେଡ଼େ ନିଉ-ଛୁଣିଆ ଦିଶୁଚି ମ ? ଦିହ କଣ ଖରାପ ଅଛି କିଲେ ମା ? ମୁଣ୍ଡ କାହିଁ ବାନ୍ଧୁନୁ ? କଣ ହୋଇଚି ତୋର ।

 

ଚଇ ଚାହିଁଲା ରାଧିମାକୁ । ଉପରକୁ କେଡ଼େ ଭଲ ଏମାନେ । କିଛି ଜାଣନ୍ତି ନି ? ନିଷ୍କପଟ ହୃଦୟ ଏମାନଙ୍କର । କିନ୍ତୁ ଭିତରଟା କି କଦର୍ଯ୍ୟ । ଛନ୍ଦ କପଟର ଜାଲରେ ଅଠା ବୋଳି ରଖିଛନ୍ତି । କାହିଁ କି ଏମାନଙ୍କର ସୃଷ୍ଟି ? କଣ ଏମାନେ ପାଆନ୍ତି ଏଥିରୁ । ଅନ୍ୟକୁ ପଦେ ନ କହିଲେ କଣ ଏମାନଙ୍କର ଭାତ ହଜମ ହୁଏନି ?

 

ସେମିତି ଚାହିଁ ରହିଚି ଚଇ । ଡବ ଡବ କରି ଢିମା ଢିମା ଆଖି କାଢ଼ି । ଅଗ୍ନି ବର୍ଷୁଚି ସେଇ ଆଖିରୁ । ଜାଳି ଦେବ କି ତାକୁ ? ଡରିଗଲା ରାଧିମା । କଥା ବଦଳାଇବାକୁ ଚେଷ୍ଟା କଲା; ଯାଉଚି ଲୋ ମା । ଘରଗୋଟାକର କାମ ବାକି ପଡ଼ିଛି । ନିଆଁ ଲଗା ଘରଟାରୁ କଣ କେତେବେଳେ କାମ ସରୁଚି ? ଯାଉଚି ସୁବିଧା ଦେଖି ଆସିବି ।

 

ଚଇ ଓଠରେ ତାଚ୍ଛଲ୍ୟର ହସ । ବୋଉ କଣ କାମ କରୁଚି । ଏକା କଣ ବା ସିଏ କରିବ-। ଥକି ଯିବଣି ସିଏ । ତର ତର ହୋଇ ଚାଲିଲା ଚଇ ଗାଧୋଇବାକୁ କୁଅ ମୂଳକୁ । ନଇକୁ ନୁହେଁ-। ପୋଖରିକୁ ନୁହେଁ । ସେ ସବୁ ରାସ୍ତା ଆଜି ତା ପାଇଁ ବନ୍ଦ ।

 

ପାଣି କାଢ଼ି ବସିଲା କୁଅ ମୂଳେ । ଆଗରେ ଶାଗ କିଆରୀ । ଗଲାଦିନ ଏଇଠି ସେ ଭେଟିଥିଲା ହାଡ଼ିଆ’ଇକୁ । ଛାତିରେ ମୁହଁ ଦେଇ କାନ୍ଦିଥିଲା ଆଖି ଭିଜାଇ । ଆଉ ଆଜି– । ଆଜି ଆସିଛି ସେ ଏକା ସାଥି ନାହିଁ । ସାହାରା ନାହିଁ । ଲତାଟା ଏକା ଏକା ଛିଡ଼ା ହେବାକୁ ଚେଷ୍ଟା କରୁଚି-। ପାରୁନି । ଲଟେଇ ଯାଉଚି । ଅନା ବନା ରାସ୍ତା ଉପରେ । ଅଳିଆ ଅସନା ଉପରେ । ଛାତିକୁ ପଥର କରି । ସାଥି ଆଶାରେ । ସାହାରା ଆଶାରେ ।

 

ପଞ୍ଚୁଆତି ବସିଚି । ନିଶାପ ହବ । ଅସାମାଜିକତାର ନିଶାପ । ଅର୍ଧମର ନିଶାପ । ଗ୍ରାମ ଦେବତିଙ୍କର ଆଗରେ ଶପଥ ନେବାକୁ ହେବ । ପଞ୍ଚୁଆତିର ନିଶାପ ଶିରୋଧାର୍ଯ୍ୟ । ଚାହିଁଛନ୍ତି ସମସ୍ତେ । କଣ ହେବ ଫଳ । କି ଦଣ୍ଡ ମିଳିବ । ଚଇନି ବା’ଆ ଆସୁଚି ଦୂରରୁ । ସୁନ୍ଦରୀ ବନର ନାସିକା ଭଳି ଥୁଣ୍ଟା ଥୁଣ୍ଟା ଦାଢ଼ି ଗୁଡ଼ାକ ବାହାରିଚି ପଦାକୁ । ଆଖିରେ ହତାସାର ଛାଇ । ଯିଏ ଦିନେ ରାସ୍ତା ଉପରେ ଦମ୍‌ଦମ୍‌କରି ଛାତି ଫୁଲେଇ ଚାଲି ଆସୁଥିଲା ସିଂହ ପରି, ଆଜି ସେ ଆସୁଚି ଲାଙ୍ଗୁଡ଼ ଜାକି । ମାଇ କୁତିପରି ।

 

ପାହାଚରେ ଗୋଡ଼ ଦେଲା ସେ । ଅନେଇଛନ୍ତି ସମସ୍ତେ । ଉପହାସରେ ଦୃଷ୍ଟି ନେଇ । ତାଛଲ୍ୟର ହସ ନେଇ । ଆସ୍ତେ ଆସ୍ତେ ଉପରକୁ ଉଠିଛି ସେ ଗୋଡ଼ ଭାଙ୍ଗି ଭାଙ୍ଗି ପଡ଼ୁଚି । ସତେ ଯେମିତି କେଉଁ ଆଦିମ ଯୁଗରୁ ସେ ଖାଇନି ବା ଏତେ ବଡ଼ ଉଠାଣି କେବେ ଉଠିନି ।

 

ମାଧିଆ ଭାଇ ବସ ଏଇଠି ।

 

କାହାର ଏ କଣ୍ଠସ୍ୱର । ଭଙ୍ଗା ମାଠିଆ ଶବ୍ଦଠାରୁ ଆହୁରି ଦଦରା । ଛିନ୍ନ ତନ୍ତ୍ରିଯୁକ୍ତ ବୀଣାଠାରୁ ଆହୁରି ବେସୁରା । କି ଉଦ୍ଦେଶ୍ୟ ନେଇ ତାଙ୍କର ଏ ଡାକରା । କି ନିଶାପ ହେବ । କାହାର ହେବ । କି ପାପ ସେ କରିଛି । ଚଇନି କଥା କହିବେତ ? କୁହନ୍ତୁ । ଆପତ୍ତି କଣ ? ସେ–ବି ଶୁଣେଇ ଦେବ ସଫା ସଫା କଥା । ତା ଝିଅ ନାଁରେ ଯିଏ କହିବ ତା ଜିଭଟାକୁ ଟାଣି ଆଣିବ । କି ଦୋଷ ସେ କରିଚି ? ଲୋକେ ଲୋକମାରି ନିର୍ଦୋଷରେ ମୁକ୍ତି ପାଉଚନ୍ତି । ଆଉ ତା ଝିଅ ପାଇଁ କିଛି ନାହିଁ ? ଭାବୁଚି କଣ କରିବ ମାଧିଆ । ଚାଲି ଯିବନା ରହିବ । ଠିଆ ହେବନା ବସିବ । ଠିଆଟା ହେଲ କାହିଁକି ବସ ?

 

ଚାହିଁଲା, ସରପଞ୍ଚ କହୁଛନ୍ତି । ବସିଲା ସେ ଲୋକ ମଝିରେ । କଣ୍ଟା ମଝିରେ । ‘‘ଦେଖ ମାଧିଆ ତୁମକୁ ନେଇ ସମାଜ ନା ସମାଜକୁ ନେଇ ତୁମେ ?’’ ସରପଞ୍ଚ କହୁଛନ୍ତି ।

 

ନା ଆଜ୍ଞା ସମାଜକୁ ନେଇ ମୁଁ ।

 

ତାହେଲେ ସମାଜର ବିଧି ବିଧାନକୁ ନେଇ ତୁମକୁ ଚଳିବାକୁ ହେବ ।

 

କେବେ ତ ଆପତ୍ତି କରିନାଇଁ ଆଜ୍ଞା ।

 

ମୁହଁ ଖୋଲି ନ କଲେବି କାମରେ କର । ଦେଖ ଏଠି ପାଞ୍ଚ ଜଣଙ୍କର ବୋହୁ ଭୁଆଶୁଣି ଅଛନ୍ତି । ତୁମଘରେ ତୁମେ ଯାହାକର, କାହାକୁ ଆଣି ରଖ, କି କଣ କର ଆମର କିଛି ଆପତ୍ତି ନାହିଁ-। କିନ୍ତୁ ବାହାରେ ଏମିତି ରସକ୍ରୀଡ଼ା କରି ଲାଭ କଣ ?

 

କଣ ଆପଣ କହୁଛନ୍ତି ମୁଁ ତ ବୁଝି ପାରୁନି ?

 

ଏଗୁଡ଼ା ବୁଝିବ କେମିତି ? ଏଗୁଡ଼ାତ ନିଜ ଝିଅଙ୍କ କୀର୍ତ୍ତି ।

 

ମିଶ୍ରେ, ମୋତେ ଯାହାକୁହନ୍ତୁ ମୁଁ ସହିଯିବି ହେଲେ...... ।

 

କଣ ହେଲେ ହେ ? ଆମକୁ ନାଲି ଆଖି ଦେଖୋଉଚୁ ?

 

ନା ମିଶ୍ରେ, ସେ ବହପ କେମିତି କରିବି ?

 

ତାହେଲେ ଶୁଣି ନେ ଆଜିକୁ ପନ୍ଦର ଦିନ ଭିତରେ ଝିଅର ବାହାଘର କର ନ ହେଲେ..... ?

 

ନହେଲେ କଣ ମିଶ୍ରେ ?

 

ନ ହେଲେ ନିଆଁ ପାଣି ବନ୍ଦ ।

 

କାହିଁକି ? କେଉଁ ଅପରାଧ ମୁଁ କରିଚି ? ଚୋରି, ଡକାୟତି, ଖୁନ୍ କଣ ମୁଁ କରିଚି ? କାହିଁକି ଏ ସଜା ?

 

ହସୁଛନ୍ତି ସମସ୍ତେ । ହିଡ଼ିମ୍ବା ଗର୍ଜନଠୁ ଆହୁରି ଜୋରରେ । ଝଡ଼ଠୁ ଆହୁରି ବେଗରେ । କାନ ଗିରି ଫାଟି ଯିବକି ? କାନ ମୁଣ୍ଡାରେ ହାତ ଦେଲା ମାଧିଆ । ସୁଂଢ଼ି ସାକ୍ଷୀ ମାତାଲ୍‌ । ମିଶ୍ରଙ୍କ କଥାରେ ଏ ମାନେ ବି ମଜିଗଲେ । ଏମାନଙ୍କର କଣ ନିଜତ୍ୱ ନାହିଁ ? ଏମାନଙ୍କର କଣ ମା ଭଉଣି କେହି ନାହାନ୍ତି ? ଅଛନ୍ତି ଯଦି ଏମାନେ ଏମିତି ହଉଛନ୍ତି କାହିଁକି ? ଝଡ଼ କମିଛି । ପରସ୍ପର ଫୁସ୍‌ଫାସ୍‌ ହେବାର ଲକ୍ଷଣ ଦେଖା ଗଲାଣି । ମିଶ୍ରେ କହିଲେ, ଦେଖିଲତ ତୁମ କଥାକୁ କେମିତି ଲୋକେ ହସରେ ଉଡ଼େଇ ଦେଲେ । ଭାବିନିଅ । ବର୍ତ୍ତମାନ ବି ସମୟ ଅଛି । କଣ ରାଜିତ ?

 

ମାଧିଆ ଆଖିରୁ ନିଆଁ ବର୍ଷୁଛି । କଣ କରିବ ସେ । କଣ କହିବ । ବସି ରହିଛି ସ୍ଥାଣୁ ପରି । ମୂକପରି । ଦେଖିବି ଦେଖି ପାରୁନି । କହିବି କହି ପାରୁନି । ‘‘କଣ ବସି ରହିଚ ମ ? ସଫା ସଫା କଥା କହୁନ । ତୁମଲାଗି ଦଶଲୋକ କମେଇ ହେଇ ବସିଥିବେନା କଣ ?’’ ଜଣେ କହିଲା ।

 

କଣ କହିବି ?

 

କୋଉଟାକୁ ତୁମେ ଗ୍ରହଣ କଲ ?

 

ଝିଅ ଯଦି ନ ମଙ୍ଗେ.... ?

 

ସେଇଟା ତୁମ ଘରୋଇ କଥା ଆମେ କେମିତି କହିବୁ ।

 

ହେଲେ ଆମର ଜବାବ ଦିଅ ?

 

ଝିଅକୁ ନ ପଚାରିଲା ଯାଏ ମୁଁ କିଛି କହି ପାରୁନି ।

 

ଝିଅ ଯଦି ନାହିଁ କରେ ?

 

ମୋର ବି ନାହିଁ ।

 

ତାହେଲ ତୁମେ ଦଶଜଣଙ୍କ କଥାରେ ଅମତ ହେବ ?

 

ହଁ ହଁ ଅମତ ହେବି । ହେଲେ ତୁମ ମାନଙ୍କ ପରି ପଶୁ ହୋଇ ପାରିବି ନାହିଁ ।

 

ଉଠି ଆସିଲା ମାଧିଆ । ସବୁ ଶାନ୍ତ । ସବୁ ସ୍ଥିର । ଝଡର ପୂର୍ବ ଅବସ୍ଥା । ମିଶ୍ରେ ଫୁଲି ଉଠୁଥାନ୍ତି । ତାଙ୍କର ଆଗରେ ଗାଁର ଅପମାନ । ଗାଁ ପ୍ରେମି ମିଶ୍ରେଙ୍କର ନାକ ପୁଡ଼ା ବନ୍ଦ ହେଇ ଯାଉଚି ପବନର ଅଭାବରେ । ଭିଡ଼ରୁ ତାଙ୍କର ଯେମିତି କିଏ ଗୁମୁରି ଗୁମୁରି କହି ଉଠୁଛି, ‘‘ମିଶ୍ରେ ବସି ରୁହନି । ଝଡର ସୃଷ୍ଟି କର । ନହଲେ ନିଶ୍ୱାସ ବନ୍ଦ ହେଇ ଯିବ । ଏ ଗାଁରୁ ତୁମର ପ୍ରତି-ପ୍ରତ୍ତି ଯିବ । ଯଶ ଯିବ ।’’ ମିଶ୍ରେ ଅନେଇ ରହିଥିଲେ ଆଗନ୍ତୁକ ପ୍ରଳୟ, ଝଡର ଶୁଭ କାମନା କରି ।

 

ନିଆଁ ପାଣି ବନ୍ଦ । ତିନି ଦିନ ହେଲା । ଚଇନି ଚାହିଁଲା ବା’ଆକୁ । ବା’ଆ ବସିଛି ପିଣ୍ଡାରେ । ନୁଖୁରା କେଶ । ଭରା ସ୍ୱାସ୍ଥ୍ୟ ଦୁଇଦିନ ହେଲା ପେଟକୁ ଦାନା ଯାଇ ନାହିଁ । ମୁହଁରେ ହତାଶାର ଅଦିନ ବଉଦ । ସେଇଠି ସେମିତି ପିଣ୍ଡାରେ ବସିଛି । ଇଚ୍ଛା ହେଲେ ଶୋଉଛି । ଇଚ୍ଛା ହେଲେ ସେଇଠି ବୁଲୁଚି । ଗଲାଲୋକ ହସିଦଉଚି । ଥଟ୍ଟା କରି ଚାଲି ଯାଉଚି । ସବୁ ଶୁଣୁଚି ମାଧିଆ । ସବୁ ଦେଖୁଚି । କିଛି କରୁନି । କିଛି କହୁନି । ଆଉ ଅନେଇ ପାରିଲାନି ବାପାକୁ । ମୁହଁ ବୁଲେଇଲା ।

 

ବୋଉ ଶୋଇଚି ଠାକୁର ଘରେ । କାନିଟାକୁ ବିଛେଇ ଦେଇ । ନିରାଶ ପରି । ଦଶ ପଦ ପଚାରିଲେ ପଦେ କହୁଛି । କାଲିଠୁ ପାଣି ବି ସରିଲାଣି । ବୋଉ ତାର ପାଣି ପାଣି ହେଇ ଶୋଇଚି-। ଛେପ ଢୋକି, ଠାକୁରଙ୍କୁ ଆଶାକରି ଅନେଇ ପାରିଲାନି ଚଇନି । କାହାପାଇଁ ଏ ଅବସ୍ଥା ? କିଏ ଏଥିପାଇଁ ଦାୟୀ ? ଏଇ ହାଡ଼ିଆଇ ତ ? ଯଦି ସେ ଦିନ ତାକୁ ନ ଦେଖିଥାନ୍ତା.... । କାହିଁକି ସେ ଇଆ–କଲା । ଯଦି ହାଡ଼ିଆ‘ଇ କଥାକୁ ସେ ଧରିବସେ ତାହେଲେ ବାପା ବୋଉଙ୍କର ଚିତା ତାକୁ ନିଜ ହାତରେ ଜଳେଇବାକୁ ପଡ଼ିବ । ଆଉ ଯଦି ବାପା ବୋଉଙ୍କ ପାଟିରେ ଦାନା ଦବାକୁ ଚାହେଁ.....-

 

ନା ସେ କରିପାରିବନି । ଯେତେବେଳ ହାଡ଼ିଆ‘ଇ ତାକୁ ନେଇ ଯିବାକୁ ଆସିବ କି ଉତ୍ତର ଦେବ ତାକୁ ? କଣ କହିବ ? ଭାବିପାରିଲାନି । ଚାଲିଗଲା ବାରିଆଡ଼କୁ । ଶାଗ କିଆରିକୁ । ଯୋଉଠି ହାଡ଼ିଆଇ ତାକୁ ରକ୍ତସିନ୍ଦୁର ପିନ୍ଧେଇ ଦେଇ କହି ଯାଇଥିଲା । ଅପେକ୍ଷା କରିବାକୁ । କଥାବି ଦେଇଥିଲା ସେ ।

 

ସେଠିବି ନିସ୍ତାର ନାଇଁ । ଆରକର ବାଡ଼ିଟା ଶ୍ୟାମ ଭଣ୍ଡାରିର । ସେଠିବି ଚାଲିଚି ଫୁସ୍‌ଫାସ୍‌ ଟୁପର ଟାପର୍‌ । କାନ ଡେରିଲା ଚଇନି । କିଏ କହୁଚି ? କଣ କହୁଚି ? ତା ବିଷୟ ନୁହଁତ ? କାନଟାକୁ ଠିଆ ଠିଆ କରିଦେଲା ତସ୍ତା ହରିଣୀ ପରି ।

 

ଶୁଭୁଚି ଅଷ୍ପଷ୍ଟ ସ୍ୱର । କିଏ କହୁଚି, ‘‘ଆଲୋ ଚଇଘର କଥା କଣମ ?’’

 

କଣ ଆଉ ହବ ଭୋକ ଉପାସରେ ମରିବେ ଆଉ କଣ ?

 

ସେ ଝିଅଟା ସେମିତି ଅଡ଼ିବସିଚି ?

 

ଖାଲି ସେତିକି ନୁହେଁ ମ । କହୁଚି ମରିବ ପଛେ ଆଉ କାହାକୁ ବାହାହେବନି ।

 

ଏମିତି ଝିଅ ଥାଇ କେତେ ନ ଥାଇ କେତେ !

 

ତାର କଣ ଦୋଷ ଅଛିମ । ବାପା ବୋଉତ ଝିଅ ଝିଅ ବୋଲି ପାଣି ପିଉ ନ ଥିଲେ ତାର ଫଳ ଇଏ । ଏମିତି ଝିଅକୁ ତଣ୍ଟି ଚିପି ମାରିଦେବା କଥା ।

 

ବିଚାରା ବୁଢ଼ା ବୁଢ଼ୀ ଦିଟା..... ।

 

ଝିଅପରା ସତୀ ବୋଲେଇ ହଉଚି, ବାପା ବୋଉର କଣ ହେଲେ ଯାଏ କେତେ ଆସେ କେତେ । ସେ ଗୁଡ଼ା ମଲେ କେତେ ଗଲେ କେତେ ।

 

କାନ ବନ୍ଦ ହେଇଗଲା । ଚାଲି ଆସିଲା ଘରକୁ । ଖଟ ଉପରେ କାନ୍ଦିବାକୁ ଲାଗିଲା । ସତୀର ମାନେ କଣ ବୁଝନ୍ତି ଏମାନେ ? ଜଣକୁ ପ୍ରାଣଦେଇ ଭଲପାଇବା କଣ ପାପ ? ତାହେଲେ କଣ ସେ ଅସତୀ । ତାହେଲେ କଣ ତାର ଏଇ ଦୁଷ୍କର୍ମ ପାଇଁ ତାର ବାପା ବୋଉଙ୍କର ମୁନ୍ଦେ ପାଣି ପାଇଁ ପ୍ରାଣ ଯିବ ? ହାଡ଼ିଆ‘ଇ ପାଇଁ ଯଦି ସେ ଯୋଗିନୀ ସାଜିପାରେ ତା ହେଲେ ତାର ଜନ୍ମଦାତା ଜନ୍ମଦାତ୍ରୀ ପାଇଁ ସେ କାହିଁକି ଜଣେ ବେଶ୍ୟାର ଅଭିନୟ କରି ଋଷ୍ୟଶୃଙ୍ଗଙ୍କୁ ଆଣି ତାର ବାପା ମାଙ୍କ ମୁହଁରେ ଟୋପେ ପାଣି ଦେଇ ପାରିବନି । ଯୋଗିନୀ ଅପେକ୍ଷା ବରଂ ବେଶ୍ୟାର ଅଭିନୟ ଭଲ । ଜୀଇ ରହିବା ଠାରୁ ବରଂ ମୃତ୍ୟୁ ଭଲ ।

 

ଲୁହ ପୋଛି ଛିଡ଼ା ହେଲା ବାପା ପାଖେ । ଦାଣ୍ଡରେ ମାଧିଆ ଶୋଇଚି । ଗାଲରେ ଏବେ ବି ଲାଗିରହିଚି ଦୁଇଟି ସୁଖିଲା ଲୁହ ଧାରର ଚିହ୍ନ । ଚଇନି ହଲେଇ ଦେଲା ଆସ୍ତେ । କଡ଼ ଲେଉଟେଇଲା ମାଧିଆ । ଆଗରେ ଚଇନି । ଅଜାଣତରେ ବୋହିଥିବା ଲୁହକୁ ପୋଛିଦେଲା । ଭୟ ହେଲା ତାର ଚଇନି ଦେଖିନି ତ ? ମୁହଁ ଖୋଲିଲା ।

 

ମା କଣ କହୁଚୁ ?

 

ହଁ ବା ତୁ ଘରକୁ ଆଇଲୁ ।

 

ଭିତରକୁ ଉଠିଗଲା ମାଧିଆ । ଅଜଣା ଆଶଙ୍କାରେ ଛାତିଟା ଧଡ଼ ଧଡ଼ ହେଲା । କଣ କହିବ ଚଇ । ଲୁହ ବୋଧେ ତାର ଦେଖିନେଇଚି ସେ । ମଝିଘର ଖଟ ଉପରେ ବସିପଡ଼ିଲା । ପଚାରିଲା କଣ କହୁଥିଲୁ ମା ?

 

ବାପା ମୁଁ ବିଭାହେବାକୁ ରାଜିଅଛି ତୁ ବନ୍ଦୋବସ୍ତ କର ?

 

ଚଇ ! ମୁଁ ସ୍ୱପ୍ନ ଦେଖୁନିତ ?

 

ଦିବାସ୍ୱପ୍ନ ଦେଖିଲେ କିଛି କ୍ଷତି ନାହିଁ ବାପା ।

 

କିନ୍ତୁ ହାଡ଼ିଆ.... ?

 

ତାଙ୍କ କଥା କହନାହିଁ ବା’ । ସେ ଯାଇଚି ଯାଉ । ତା ପାଇଁ ମୁଁ ମରି ଯାଇଚି

 

ଆଉ ମୋ ପାଇଁ...... ।

 

ତୁ ଏଇ ଲୋକଙ୍କ କଥାରେ ଡରିଗଲୁ ମା ?

 

କିଛି କହି ପାରିଲାନି ଚଇ । ମାଧିଆ ଭିଡ଼ିଧରିଥିଲା ଚଇକୁ ସେ ଦିନ ଅତି ଯୋରରେ । ତା ଭିତରୁ ସେଦିନ ଫୁଲି ଫୁଲି କାନ୍ଦି ଉଠୁଥିଲା ତାର ପିତୃତ୍ୱ ଆଉ ଚଇ ଭିତରୁ ତାର ନାରୀତ୍ୱ । ଦୁହେଁ କାନ୍ଦୁଥିଲେ । କିନ୍ତୁ ଦୁଇଟି ଦିଗ ନେଇ । ଠାକୁର ଘରୁ ଅନେଇ ରହିଥିଲା ଚଇବୋଉ ଆଶ୍ରୁଳ ଚକ୍ଷୁରେ । ଆଉ ଠାକୁରଙ୍କୁ ପ୍ରାର୍ଥନା କରୁଥଲା ଝିଅର ମଙ୍ଗଳ କାମନା କରି ।

 

ତେଲିଙ୍ଗା ବାଜୁଚି । ମଙ୍ଗଳ ବାଜଣା । ବିଭାଘରର ସ୍ମାରକୀ । ହାତରେ ହାତ ଛନ୍ଦି ଦେଇଛନ୍ତି ଗୋସେଇଁ । ମନ୍ତ୍ର ପାଠ କରି । ଦୁଇଟି ହୃଦୟକୁ ବାନ୍ଧିଦେଇଛନ୍ତି । ଚଇନି ଆଉ ପାଣୁଆର ହୃଦୟକୁ । ଚିରଦିନ ପାଇଁ ମନ୍ତ୍ରପଢ଼ି ପିନ୍ଧେଇ ଦେଇଛନ୍ତି ସିନ୍ଦୁର ଟିପାଟେ । ଉଦୀୟମାନ ସୂର୍ଯ୍ୟ ପରି ଜଳି ଉଠୁଛି ମୁଣ୍ଡ ଉପରେ । ଠିକ୍‌ ଯେଉଁଠି ଦିନେ ହାଡ଼ିଆର ରକ୍ତ ଦପ୍‌ଦପ୍‌ ହୋଇ ଜଳି ଉଠୁଥିଲା । ବାହାଘର ସରିଲା । ସମସ୍ତେ ଗଲେ ଯିଏ ଯାହାର ଘରକୁ । ମଝିଘର କବାଟ କିଳି ଦେଖିଲା ଆଇନାରେ ନିଜକୁ । କେମିତି ନୂଆ ନୂଆ ଦିଶୁଚି । ସିନ୍ଦୁର ଟିପା ମଝିରେ ଦେଖୁଚି ହାଡ଼ିଆର ରୂପ । ଦିନରାତି କାମକରୁଚି ପଇସା ରଖୁଚି ତାରି ପାଇଁ ।

 

ମନେ ପଡ଼ୁଚି ସେଦିନ ରାତିକଥା । ସେଇଛାୟା କଥା ଯିଏ ତାକୁ ଟାଣି ନେଇଥିଲା ଶାଗ କିଆରି ଯାଏ । ବାହୁ ଦୁଇଟି ଟାଣି ଧରି ଆଙ୍କି ଦେଇଥିଲା ଅସଂଖ୍ୟ ଚୁମ୍ବନ । ଆଉ କହିଥିଲା-। ‘‘ମୋ ପାଖେତ ଆଉ କିଛି ନାଇ ଚଇ ଏଇ ରକ୍ତର ଟିପା ଦେଇ ଯାଉଚି ଭଗବାନଙ୍କ ନାରେ ଶପଥ କରି । ଶୀଘ୍ର ଲେଉଟି ଆସିବି । ସେଦିନ ତତେ ନେଇଯିବି ସେଇଠିକି, ଯୋଉଠି ସମସ୍ତେ ଦେଖୁଥିବେ ହେଲେ କିଛି କହିପାରୁ ନଥିବେ । ତୁ ଅପେକ୍ଷା କରିଥିବୁ ଚଇ । ମୃତ୍ୟୁଛଡ଼ା ଯେମିତି ଆଉ କୌଣସି ଶକ୍ତି ଆମକୁ ଅଲଗା ନକରି ପାରେ’’ ।

 

ଆଖିବୁଜି ହୋଇଗଲା ଚଇନିର । ଝରି ଆସିଲା ଦୁଇଟି ମୁକ୍ତାଧାର । ଦୁଇଟି ମରକତ ଧାରା । ଦୁଇଟି ଠୋପା ପଡ଼ିଲା ହାତଉପରେ । ଚାହିଁଲା ସେ । ଦୁଇଟି ଟୋପା ଭିତରେ ବି ଦେଖିଲା ସେଇ ହାଡ଼ିଆର ମୂର୍ତ୍ତିକୁ । ହସୁଚି ସେ । ତାଛଲ୍ୟର ହସ । ରାକ୍ଷସର ହସ । କହୁଚି, ‘‘ବାଃ ସତୀ, ବାଃ । କି ଆଦର୍ଶ ନ ଦେଖେଇଲୁ ସତେ । ଜଣକୁ ଜିଅନ୍ତା ତତଲା କଡ଼େଇରେ ପକେଇ ଦେଲା ପରେବି ତୋର ଗର୍ବ ? ଆଉକିଛି ଦିନ ଅପେକ୍ଷା କରି ପାରିଲୁନି ? କାହାପାଇଁ ଦିନରାତି ଏକ କରି ମୁଁ ଖଟୁଚି । ସେ ରକ୍ତ ଟିପାଠୁ କଣ ଏ ଟିପା ଭଲ ଦେଖାଯାଉଚି ? ପ୍ରେମର ପ୍ରତିଦାନ କଣ ଏଇଆ ? ଉତ୍ତର ଦେ ଚଇ । ଉତ୍ତର ଦେ ?’’

 

କାନର ଗିରିଟା ଆଉଫାଟି ଯିବକି । ଚିତ୍କାର କରି ଉଠିଲା । ଦଉଡ଼ି ଆସିଲା ମାଧିଆ । କଣ ହେଲା ଝିଅର । ଦେଖିଲା ଚେତା ବୁଡ଼ିଯାଇଚି ଝିଅର । ଉଠେଇଲାନି ତାକୁ । କଣ ଲାଭମିଳିବ । ବରଂ ଶାନ୍ତିରେ ଟିକେ ଶୋଇଥାଉ । ଚଇନି ବୋଉ କୋଳକୁ ଉଠେଇ ନେଲା ଝିଅକୁ-। ପାଣି ଛିଞ୍ଚିଲା । ଚେତା ଆସିଲା ।

 

ଝିଅ ବିଦା ପାଖେଇ ଆସୁଚି । ସବାରିଟା ଠିଆ ହେଲାଣି । ଆଉ କେତେଟା ମିନିଟ୍‌ । ତାପରେ..... । ତାପରେ ସବୁଦିନ ପାଇଁ ଏ ଗାଁ ଏ ଘର ମମତା ତୁଟେଇ ଚାଲିଯିବ ଝିଅ ଅନ୍ୟ ଗାଁକୁ ନିଜର କରି । ଛାତି ଫାଟି ଯାଉଚି ସବାରୀକୁ ଚାହିଁଲା ବେଳକୁ । ଏଥିରେ ଯିବ ତାର ଝିଅ । ଅତି ଅଲୀଅଳ । ଅତି ଦୁଃଖି, ହୁଳହୁଳି ଶୁଭୁଚି । ପାଖେଇ ଆସିଲା ହୁଳହୁଳି ପାଖରୁ ପାଖକୁ । କାନିରେ ଲୁହ ପୋଛୁ ପୋଛୁ ବାହାରି ଆସିଲା ପଦାକୁ ମାଧିଆ । ଆଗରେ ପୋଷ୍ଟମ୍ୟାନ୍‌ ।

 

କଣ କିରେ ଅଗାଧୁ ଭାଇ ।

 

ଆରେ ତୋର ଗୋଟେ ଚିଠି ଥିଲା ଯେ ।

 

କୋଉଠୁ ଆସିଛି କି ?

 

କେଜାଣି ମୁଁ କେମିତି ଜାଣିବି । ଚିଠି ପଢ଼ୁନୁ ।

 

ଆରେ ମୋତେ ଯଦି ପଢ଼ିଆସିଥାନ୍ତା ତୋତେ କହିଥାନ୍ତି କାହିଁକି । ଟିକେ ପଢ଼ିଦେନା ।

 

ଗୁଣୁ ଗୁଣୁ ହେଇ ଚିଠି ପଢ଼ିବା ଆରମ୍ଭ କଲା ଅଗାଧୁ । ବେଳେ ବେଳେ ହସୁଚି । ପୁଣି ମୁହଁ ସୁକେଇ ଦେଉଚି । କଣ ହେଉଚି ଏମିତି । ମାଧିଆ ଚାହିଁଛି ଏକ ଲୟରେ ତାରି ମୁହଁକୁ । କି ଶୁଭଖବର ଦେବସେ ।

 

କଣ ପଢ଼ି ସାରିଲୁ ।

 

ହଁ ଯେ ହେଲେ ହତ ଭାଗାଟା କାହିଁକି ଆସିବ । କଣ କରିବ ଏଠି । ବରଂ ସେଇଠି ମରିଯିବା ଭଲ ।

 

କଣ ହେଇଚି ଅଗାଧୁ ଭାଇ ଏଇ ପବିତ୍ର ଦିନରେ ଏମିତି କାହା କଥା କହୁଚ । ଦେଖଭାଇ ମୋର କିଛି ଦୋଷନାଇଁ । ତୁ କହିଲୁ ଚିଠି ପଢ଼ିବାକୁ ମୁଁ ପଢ଼ିଲି । ଚିଠିଟା ଆସିଚି ଗୋଟେ ସରକାରି ଡାକ୍ତରଖାନାରୁ । ଏଇଯୋଉ ଟ୍ରେନ ଦୁର୍ଘଟଣା ହେଲାନି, ସେଥିରେ ହାଡ଼ିଆ ଆହାତହେଇ ଡାକ୍ତରଖାନାରେ ପଡ଼ିଚି । ସଦାବେଳେ କୁଆଡ଼େ ଚଇ ଚଇ ହେଉଚି ।

 

ମୁଣ୍ଡରେ ରାଧା ଚଡ଼କ ପଡ଼ିଲା ମାଧିଆର । ହାଡ଼ିଆ ହସ୍ପିଟାଲରେ ଅଛି । କିଛି.... । ନା ଏ ଅଲକ୍ଷଣା କଥା ସେ ଧରିବ କେମିତି । ଚଇନି ଜଦି ଶୁଣେ । ନା ସେ ତାକୁ ଶୁଣେଇବନି । ଚୁପକି ବିଦା କରିଦେବ । ତାପରେ..... । ମୁଣ୍ଡିଆ ମାରୁଚି ଚଇ ଗୋଡ଼ତଳେ....... । ଚିଠିଟା ଲୁଚେଇବାକୁ ଚେଷ୍ଟାକଲା ମାଧିଆ । କାଳେ....... । ଚିଠିଟା ଲୁଚେଇ ଲାଭକଣ ବା’ଆ । ସବୁ ମୁଁ ଶୁଣି ସାରିଛି ।

 

ଅବାକ ହେଲା ମାଧିଆ । ଝିଅ କଣ କହୁଚି । ଶୁଣିବି ଶୁଣି ପାରୁନି । ଯାହାପାଇଁ ଦିନେ ନଖାଇ ନପିଇ ମୁଣ୍ଡ ପିଟୁଥିଲା ତାର ଆହାତ ଖବର ପାଇ ସେ ହସି ପାରୁଚି ।

 

ନିର୍ଲିପ୍ତ ହସ । ତାଛଲ୍ୟର ହସ ।

 

ତୁ ତାହେଲେ ଜାଣୁ ଚଇ ।

 

ହଁ ବା’ଆ । ସେ ବରଂ ହସ୍ପିଟାଲରେ ପଡ଼ିଛି ଭଲ ହେଇଚି । ଯଦି ଆସିଥାନ୍ତା କଣ ଦେଖିଥାନ୍ତା ସେ ? ଦେଖିଥାନ୍ତା ତାର ଆଦରର ଚଇ ରକ୍ତ ଟିପା ଲିଭାଇ ସିନ୍ଦୁର ଟିପା ମାରି ତାରି ଶବ ଉପରେ ମାଡ଼ି ଅନ୍ୟହାତ ଧରି ଚାଲିଯାଉଚି । ସେ କଣ ଦେଖି ପାରିଥାନ୍ତା ?

 

କହୁ କହୁ ଚେତା ଶୁନ୍ୟ ହେଇ ଯାଇଥିଲା । ଶୁଭଲଗ୍ନ ଗଡ଼ି ଯାଉଚି । ସେଇ ଅବଚେତନ ଅବସ୍ଥାରେ ଆସିଥିଲା ସେ ପାଣୁଆ ଘରକୁ । ଗାଁ ଦାଣ୍ଡ ଘରଦ୍ୱାର ଛାଡ଼ି ଅନ୍ୟ ଗାଁକୁ । ଚାହିଁ ରହିଥିଲେ ଦୁଇଟି କପୋତ କପୋତୀ । ହୃଦୟ ଭିତରୁ ଗୁମୁରି ଉଠୁ୍ଥିଲା । ‘‘ସେରକ ପୁରିଲା ମାଣକ ପୁରିଲା ଉଠରେ ଉଠରେ ପୁତା ।’’

 

ଦିନ ଯାଇଚି ଚିହ୍ନରହିଚି । ଅଲିଭା ଦାଗଟା ବର୍ତ୍ତମାନବି ସ୍ପଷ୍ଟ ଦେଖାଯାଉଚି । କାଳକ୍ରମେ ମାଧିଆ ଯାଇଚି ତା ସ୍ତ୍ରୀବି ଯାଇଚି ଅଫେରା ପଥରେ । ଅମୃତ ସଂଧାନରେ । ସେଇଦିନୁ ହାଡ଼ିଆ ବିଷୟରେ ଆଉ ବେଶି କିଛି ଭାବିନି କି ଟିପ୍ପଣି କିଛି ରଖିନି ।

 

ହୁଏତ ସେ ଫେରି ଯାଇଥିବ ଭଗ୍ନ ହୃଦୟ ନେଇ ।

 

ଅସଂପୂର୍ଣ୍ଣ କାମନା ନେଇ । ଲଳିତା ହଲେଇ ଦେଲା ।

 

କଣ ଏତେ ଭାବୁଚୁ କିଲୋ ଚଇ ?

 

ନାଇଁ ମ ଏଇଠି ବସୁ ବସୁ ବାପା ବୋଉଙ୍କ କଥା ଟିକେ ମନେ-ପଡ଼ିଗଲା ଯେ..... । ସତେଲୋ ଚଇ ଏଇ ମାଇକିନା ଜନମକୁ ଧିକ୍ । କାହିଁକେତେ ବାଟରେ ସେମାନେ ଆଉ ଆମେ କେଉଁଠି । ଜନମ ଦେଇଥିଲେ ଯେ ଦିନେ ହେଲେ ତାଙ୍କର ସେବା କରି ପାରିଲେ ? ଏଠି ଖାଲି ଦହଗଞ୍ଜ ହୋଇମରିବା ସାର ।

 

ଝିଅ ଜନମତ ସେଇଥି ପାଇଁଲୋ । ପରର ସେବା କରି କରି ତାର ଜୀବନ ଦେବ । ବେଳ ବହୁତ ହେଲାଣି ଚାଲ ଯିବା ।

 

ଦୁହେଁ ଉଠିଲେ । ଆଗପଛ ହେଇଗଲେ ଦୁହେଁ । ଆବୁଡ଼ା ଖାବୁ୍ଡ଼ା ରାସ୍ତାରେ । ଅଙ୍କେଇ ବଙ୍କେଇ । ଲଳିତା ରହିଲା । ଆଉଟିକେ ବାଟଗଲେ ହାତିବାରି । ସେଇଠି ରହିବ ଚଇନି-। ଦୂରରୁ ଦେଖିଲା ପାଣୁଆ । ଚଇନି ଆସୁଚି । ହଳ ଫିଟାଇଲା । ଟିକେ ଚରି ଆସିବେ । ମୁନ୍ଦେ ପିଇ ଆସିବେ । ସେମାନଙ୍କରତ ପୁଣି ଜୀବନ ! ପାଖକୁ ଲାଗି ଆସିଲା ପାଣୁଆ । ମୁଣ୍ଡରୁ କାଖରୁ ଓହ୍ଲାଇଦେଇ କହିଲା । ତୁ ଆଜି ଏତେ ଡେରି କରିଦେଲୁ ଚଇ ।

 

କଣ କରିବି କାମ ସାରି ଆସୁ ଆସୁ ଟିକେ ଡେରି ହେଇଗଲା ।

 

ଖାଲି କାମ କାମ । ଏଇଟା କଣ କାମ ନୁହେଁ । ମୋର କଣ ଜୀବନ ନାହିଁ ? ଦିନ ଆସି ଏତେ ହେଲାଣି । ଖରାଦିନ ଯେ ତଣ୍ଟି ଶୁଖି ଅଠା ଅଠା ହୋଇଯେଉଚି । ଏଇଟାକୁ ଆଉ ଲକ୍ଷ୍ୟ ନାଇଁ ।

 

ମୁହଁଟା ଶୁଖି ଯାଇଛି ପାଣୁଆର । ହସ ସମାଧି ନେଇ ସାରିଛି ବହୁତବେଳୁ । ଚଇନି ଅନେଇ ଅନେଇ ପାରିଲାନି । ମନ ତାର କାଇଲି ଖାଇଲା । ସେ ଅନ୍ୟାୟ କରିଛି । ସେ ଅବିଚାର କରିଚି । ମଳୂକୁ ଭୁଲି ଯାଇଚି ସେ । ଅନ୍ୟ ପାଇ ମୂଳକୁ ଅବହେଳା କରିଚି । କାହିଁକି ? କି ଦରକାର ଥିଲା ? ମୂଳପାଇ ସିନେ ଅଗ ? ମୂଳ ଥିଲେ କେତେ କାନି ମେଲିବ । ମୂଳ ନଥିଲେ.....-

 

ପାଣୁଆ ଖାଇ ଯାଉଚି । କଥା ନାଇଁ ବାର୍ତ୍ତା ନେହିଁ । ଖିଆ ସରିଲା । ପାଣି ମୁନ୍ଦେ ପିଇ ସାରି ଚାଲି ଯିବାକୁ ବାହାରିଚି । ତେବେବି କଥା କହୁନି । ରାଗ କରିଚି । ନା ନା ରାଗ ନୁହେଁ । ଅଭିମାନ କରିଚି । କିନ୍ତୁ କେତେ ସମୟ ? ଚଇନିର ପଦେ କଥା ତାପରେ..... । ରାଗ କୁଆଡ଼େ ଉଡ଼ିଯିବ । ପୁଣି ଯାହାକୁ ତାହା । ପିଲାଳିଆମି ସେଇ ଦୁଷ୍ଟାମି । ଚଇନି ଡାକିଲା,

 

ଏ, ଚାଲିଯାଉଚୁ ।

 

ଯିବିନି ଆଉ କଣ ଏଠି ବସିବି ।

 

ରାଗଟା ଆଜି ପଞ୍ଚମକୁ ଉଠିଚି । ଟିକେ ବେଶି ପାଣି ଦରକାର । ଟିକେ ବେଶି ଖୋସାମତି ଦରକାର । ପାଖକୁ ଚାଲିଆସି ବାଟ ରୋକିଲା ଚଇ ।

 

ତତେ ମୁଁ ତ ଏଇନେ ଯିବାକୁ ଦେବିନି ।

 

ଦେଖ ମୋତେ ଏସବୁ ଭଲ ଲାଗୁନି ।

 

ମୁଁ ବିତ ସେଇଆ କହୁଚି । ମୋତେ ବି ସେଗୁଡ଼ା ଜମା ଭଲ ଲାଗୁନି । ହେଲେ କାଳିଆ ବଳିଆଙ୍କୁ । ସେମାନେ କେମିତି ଲାଙ୍ଗୁଡ଼ ହଲେଇ ଖାଉଚନ୍ତି । ତୁ ତ ଗଲେ ଏଇନେ ତାଙ୍କୁ ଆଣି ଯୋଚି ଦେବୁ । ତାଙ୍କୁ ହେଲେ ଟିକେ ଶାନ୍ତିରେ ଖାଇବାକୁ ଦେ । ସେମାନଙ୍କର ପୁଣିତ ଜୀବନ ଅଛି-!

 

କାଳିଆ ବଳିଆ ବଳଦ ନୁହଁନ୍ତି । ତାର ବାଁ ଡାହାଣ ହାତ । ତା ଜୀବନର ଧନ । ତାଙ୍କୁ ସେ କଷ୍ଟ ଦେବ ? ଠିକ କହୁଚି ଚଇ । ସେମାନେ ଟିକେ ମନ ଖୁସିରେ ଚରନ୍ତୁ । ପୁଣି ଯୋଡ଼ି ଦବ ସେମାନଙ୍କୁ । ପୁଣି ପୃଥିବୀ ଛାତି ବିଦାରି ଫଳେଇବ ସୁନାର ଫଳ । ନେଉଟି ଆସିଲା ସେ ଗଛମୂଳକୁ । ଛିଡ଼ାହେଇଚି ଚଇ ମୂକ ସଖିଟି ପରି । ଅନେଇଲାନି ପାଣୁଆ । ବସି ପଡ଼ିଲା ଥକ୍କାମାରି । ଚଇନିଗଲା ପାଖକୁ । ଚୁପଚାପ୍ ।

 

ତୁ ମୋଉପରେ ରାଗିଚୁ ?

 

ରାଗିବିନି ଆଉ କଣ ଗେଲ କରିବି ।

 

ଦେଖ କାନ ମୋଡ଼ି ହଉଚି । ଆଉକେବେ ଏ ଭୁଲ କରିବିନି ।

 

ତୁ ଯଦି ମୋ ଉପରେ ରାଗିବୁ କଥା କହିବୁନି ତାହେଲେ ମୋର ଏଠି କିଏ ଅଛି ଯେ ମୁଁ କାହାଲାଗି ବଞ୍ଚିବି । ତା ଅପେକ୍ଷା ତୁ ମୋ ତଣ୍ଟି ଚିପିଦେ । ମୁଁ ତ୍ରାହି ପାଇଯିବି । ତୁବି ତ୍ରାହି ପାଇଯିବୁ ।

 

ପାଣୁଆ ଚାହିଁଲା । ଚଇନି ଆଖିରେ ଲୁହ । ତାର ମନର ପ୍ରଥମ ମଣିଷ ଆଖିରେ ଲୁହ-। କାହିଁକି ଏମିତି କଲା । ଲାଜକୁଳିଠି କାହିଁକି ସେ ହାତ ଦେଲା । ଅନ୍ଧାର ଦେଖାଗଲା ତାକୁ । ଟିକା ଡେରି ହୋଇଗଲା ବୋଲି ତାକୁ ସେ ଏମିତି କହିଲା କାହିଁକି ? ଗୋଟିଏ ମଣିଷ ଚାରି ଆଡ଼କୁ-। କଣକରିବ ସେ । ଯଦି କିଛି ହୋଇଯାଏ । ମନଟା ପାପ ଛୁଇଁଲା । ଚାଲି ଆସିଲା ପାଖକୁ-। ଗାମୁଛାରେ ମୁହଁ ପୋଛିଦେଇ କହିଲା ।

 

ତୁ କାନ୍ଦୁଚୁ ଚଇ ।

 

ନା କାନ୍ଦିବି କାହିଁକି ? ନାଇଁମ ଆଖିରେ କଣଟାଏ ପଡ଼ିଗଲା ଯେ..... ।

 

ତୁ ମୋ ଆଗରେ ମିଛ କହୁଚୁ । ମୋଉପରେ ହାତ ଦେଇ କହିଲୁ । ତୁ କାନ୍ଦୁଚୁ ? ଦେଖ ତୁ ଯଦି ଏମିତି କାନ୍ଦୁ ନା ମୁଁ ପୁଣି ରାଗିଯିବି । କଣ ବୋଲି କଣ କରିଦେବି ।

 

ପାଣୁଆ ଛାତିରେ ମୁଣ୍ଡଦେଇ ଚଇ କଳୁଚି ତାର ପୁରୁଷତ୍ୱକୁ । ନାରୀର ସ୍ନେହ ମମତା ଆଗରେ ପୁରୁଷ କେତେ ଛୋଟ । ସେ ଚାହେଁ ଟିକେ ମିଠା କଥା, ଟିକେ ହସ । ସେଥିରେ ସେ ଭୁଲିଯାଏ ସବୁକିଛି । ଅୟୁତ ଯୁଗର ରାଗ, ଅଭିମାନ ପାଣି ଫୋଟକା ପରି କୁଆଡ଼େ ଉଭେଇ ଯାଏ । ପୁରୁଷତ୍ୱର ସିଂହଟାଣକୁ ଠେଲିଦେଇ ନିଜ ଭିତରେ ଧରି ରଖେ ସାଗରର ଉଦାରତାକୁ ।

 

ପୁଣି ଚିରଇପସିତ ମାର୍ଗଶିର ଆସିଛି । ନୂତନ ଉତ୍ସାହ ନେଇ । ନୁତନ ଉଦ୍ଦିପନା ନେଇ-। ଲକ୍ଷ୍ମୀ ଆସିବେ । ନୂଆ ବେଶରେ । ନୂଆ ଢଙ୍ଗରେ । କାହାର ଘର ହସିଉଠିବ କାହାର କାନ୍ଦିଉଠିବ ତାଙ୍କରି ପାଇଁ । ମନଧ୍ୟାନଦେଇ ଖଳାଲିପୁଚି ଚଇନି । ଲକ୍ଷ୍ମୀଙ୍କୁ ସ୍ୱାଗତ ଜଣାଇବ; ପ୍ରଥମ କରି ବେଙ୍ଗଳା ପକାଇ । ପାଖରେ ଛିଡ଼ାହେଇଚି ପାଣୁଆ ଧାନବିଡ଼ା ସବୁ ଗଦା ମରାହେଇଚି ଆଗରେ । ଆନନ୍ଦରେ କୁରୁଳି ଉଠୁଚି ପାଣୁଆ । ବର୍ଷକର ମେହନତର ଫଳ-। କେତେ ଖରା ବର୍ଷା କେତେ ଝଡ଼ ତୋଫାନ ସହିବାର ପୁରଷ୍କାର ଏ । ଲକ୍ଷ୍ମୀ ପାଦ ଦେଇଛନ୍ତି-। ଫଳ ଫଳିଚି । ସୁନାର ଫଳ । ମନେ ମନେ ଜୁହାର ହେଲା ଲକ୍ଷ୍ମୀଙ୍କୁ ଆଗାମି ବର୍ଷର ଶୁଭ କାମନା କରି । ଅନ୍ୟ ମନଷ୍କଭାବେ ପଚାରିଲା ।

 

କଣ ସରିଲା ଚଇ ।

 

ନାଇଁ ଆଉ ଟିକେ ଆଛି ।

 

ଚଞ୍ଚଳ ସାରିଦେ ପିଲାଗୁଡ଼ା ଇସ୍କୁଲରୁ ଫେରିଲେଣି । ଆଲୋ ତୋତେ ଗୋଟାଏ କଥା କହିବାକୁ ଭୁଲି ଯାଇଚି । ଆମ ଖଳାକୁ ଆଜି ବିଡ଼ୁଅ ବାବୁ ଆସିବେ ।

 

କାହିଁକି ଆମେ କି ଦୋଷ କଲେକି ?

 

ଆରେ ନା’ରେ ଏ ଅଞ୍ଚଳରେ ଆମର ସବୁଠୁ କୁଆଡ଼େ ଭଲ ଧାନ ହେଇଚି ଯେ ଦେଖିବାକୁ ଆସିବେ ।

 

କେତେବେଳେ କହିଚନ୍ତି ।

 

ଆଲୋ ସିଏ ପରା ହେଲେ ବାବୁ ଲୋକ । କେତେଆଡ଼େ ତାଙ୍କର କେତେ କାମ । ଆମପରି କଣ ତାଙ୍କର ଗୋଟେ କାମକି ? ପୁଣି ତାଙ୍କର ଗୋଟିଏ ମଟର ଗାଡ଼ି ଅଛି ଯେତେବେଳେ ଇଚ୍ଛା ସେତେବେଳେ ଆସିବେ ।

 

ଦୂରରେ ନାଲି ଧୂଳି ପଡ଼ିଚି । ତୋଟା ମଝିରେ ରାସ୍ତାର ବାଙ୍କଆଡ଼ୁ । କିଛି ଦିଶୁନି । ଖାଲି ଦୁଇଟି ଶବ୍ଦ ଘୁଁ ଘୁଁ ଆଉ ପିଁ ପିଁ । ଲିପା ସରିଲା । ମୁରୁଜରେ ଜିତା କାଟିଲେ କାମ ଶେଷ । ତାପରେ ଘରକୁ ଯିବ । ଚାହିଁ ରହିଥିବେ ଛୁଆଗୁଡ଼ା । ଅଣ୍ଟାରେ ଲୁଗା ଭିଡ଼ିଲା ଚଇନି । ଚିତାପକାଇବ । ଲକ୍ଷ୍ମୀପାଦ । ପଦ୍ମଫୁଲ ଇତ୍ୟାଦି । ପାଣୁଆ ଅନେଇଚି ଚଇନି ଆଡ଼େ । ଓଡ଼ିଆ ଘରର ମୁରୁଜ ପକା ଦେଖି ମନେ ମନେ ଆନନ୍ଦ ପାଉଚି । କେଡ଼େ ସରଳଭାବେ ପକେଇ ଚାଲିଚି ଚଇନି । ନିର୍ଭୁଲ ଭାବେ । ଅଭ୍ୟସ୍ତ ଆଙ୍ଗୁଳି ତାର ବୁଲିଚାଲିଚି ଅଙ୍କା ବଙ୍କା ରାସ୍ତାରେ । କଣଟାଏ ରହିବାର ଶବ୍ଦ ହେଲା । ଘୁରି ଚାହିଁଲା ପଛକୁ ଛିଡ଼ା ହୋଇଚି ଜିପଟାଏ । କେତେ ବାବୁ ଆସିଚନ୍ତି । ଅଜଣା ଅସଚଣା । ସାଥିରେ ସରପଞ୍ଚ ବାବୁ । ଓଳିଗି ହେଲା ସମସ୍ତଙ୍କୁ । ଏଇ ହେଉଛି ପାଣୁ ମାଝି-। ବିଡ଼ୁଅ ପଚାରିଲେ ।

ହଁ ଆଜ୍ଞା ମୋରି ନା ପାଣୁ ମାଝି ।

ଆଉ ଇଏ.......

ଇଏ ମୋର..... । ମୋର ଘର ଲୋକ ।

ଆଛା ପାଣୁ କେତେ ଦିନ ହେଲା ଏ ଚାଷକାମ କଲେଣି ?

ଆଜ୍ଞା ଆମର ଏତ ବାପା ଅଜା ଅମଳରୁ ଚାଲି ଆସୁଚି ।

ତୁମର ଜମିଟା କଣ ପାଖରେ ?

ଆଜ୍ଞା ଏଇ ଦଶ ପନ୍ଦରଟା ଜମି ଛାଡ଼ି ଦେଲେ ସେ ଯେଉଁ ଜମିଟା ଦେଖା ଯାଉଚି ସେଇ ମୋର ହାତିବାରି ସୁନାର ଖେତ ।

ଏଠି କାହିଁକି ଏମିତି ଲିପା ପୋଛା ଚାଲିଛି ।

ଆଜ୍ଞା କାଲି ପରା ବେଙ୍ଗେଳା ପକାଇବୁ ପ୍ରଥମ କରି । ଲକ୍ଷ୍ମୀ ଠାକୁରାଣି ପାଦ ଦେବେ ପ୍ରଥମ କରି । ତାଙ୍କୁ ଟିକେ କଢ଼େଇ ନେବୁନି । ସେଇ ପରା ଆମର ଆଶା ଭରସା ସବୁ ।

ବିଡ଼ିଓ ଚାହିଁ କହିଲେ ପାଣୁକୁ । ପ୍ରଶ୍ନ ପ୍ରଶ୍ନରେ ରହିଲା । କି ସରଳ ଏମାନେ । କି ନିଷ୍କପଟ ହୃଦୟ ଏମାନଙ୍କର । କାହିଁକି ଏମାନେ ଅବହେଳିତ ? କିଏ କହେ ଏମେନଙ୍କୁ ସମାଜ ଏକ ଘୃଣିତ ଅଂଶ ବିଶେଷ ବୋଲି ? ୟାର ସମାଧାନ କଣ ସମ୍ଭବ ? ହରିଜନ ପାଇଁ ହରି ଏତେ ନିର୍ବ୍ଦୟ କାହିଁକି ? ମନରେ ତାଙ୍କର ଅହେତୁକ ପ୍ରଶ୍ନମାଳା । ହଲେଇ ଦେଲେ ସରପଞ୍ଚ । sir ଆପଣ ପରା କହୁଥିଲେ ଜମି ଦେଖି ଯିବେ । ଚାରିଟା ଭିତରେ ଫେରି ପାରିବାତ ?

ଖାଲଢିପ ମାଡ଼ି ଚାଲିଛନ୍ତି ସମସ୍ତେ । ଅନଭ୍ୟସ୍ତ ଜୋତାଗୁଡ଼ା ଏପଟ ସେପଟ ପଡ଼ୁଚି । ଅନେକ ହୃଦୟ ଗୋଟିଏ କାମନା । ଆଗଉଛନ୍ତି ସମସ୍ତେ । ତେନସିଂର ଆଶା ନେଇ । ଦର୍ଶକର ଉତ୍କଣ୍ଠା ନେଇ । ପହଞ୍ଚିଲେ ସମସ୍ତେ ଲକ୍ଷ୍ୟର ଶେଷ ପାହାଚରେ ।

ଏଇ ତୁମ ଧାନ ଖେତ ନା ?

ହଁ, ଆଜ୍ଞା ।

କେତେ ଜମି ଇଏ ହେବ ।

ଗୋଟିଏ ମାଣ ଆଜ୍ଞା ।

କେତେ ଧାନ ହେବ ବୋଲି ଆଶା କରୁଚ ।

ଚାରି ଭରଣ ପାଞ୍ଚ ଭରଣ ଖଣ୍ଡ ଅମଳତ କରିନି । ତେବେ ଆଶା କରୁଚି ହେବ ବୋଲି-

ଆହିୁରି ଅନେକ ପ୍ରଶ୍ନ । ଅନେକ ଉତ୍ତର । ଶୁଭେଚ୍ଛା ଦିଆ ନିଆ । ବିଡ଼ିଓ ଚାଲିଗଲେ । ଅଶେଷ ଧନ୍ୟବାଦ ଦେଇ । ଦୁଇ ଦିନ ପରେ ବାହାରିଲା ସମାଜରେ ନାଁ, ଗାଁ । ଶୁଣିଲା ଉପର ମହଲରେ ବିଚାର ଚାଲିଚି ପୁରଷ୍କାର ମିଳିବ ତାକୁ । କଣ ମିଳିବ ତାକୁ ସେ ପୁରଷ୍କାରରୁ ? କେତେ ଲୋକ କେତେ ଟାପରା କରୁଛନ୍ତି । ବାବୁ ଆସି କହିଗଲେ ସେତିକି କଣ ଯଥେଷ୍ଟ ନୁହଁ । ପୁଣି ଦରିଆ ଆରପାରି ଦେଶରୁ କୋଉ ବାବୁ ଆସିବେ ।

 

ସିଏ କଣ ତା ପକ୍ଷରେ ବଡ଼ କଥା ନୁହେଁ । ଥାଉ ସେ ପୁରଷ୍କାର । ଖାଲି ଲୋକେ ଟାପରା କରିବେ । ସେଇ ବାବୁ ମାନେ ଆସନ୍ତୁ । ଦିପଦ କଥା । ଦିପଦ ପ୍ରଶଂସା । ସେଇ ଯଥେଷ୍ଟ-। ମନେ ମନେ ଲକ୍ଷ୍ମୀସାନ୍ତାଣିଙ୍କୁ ମୁଣ୍ଡିଆ ମାରିଲା । ତାଙ୍କରି ପାଦ ପଡ଼ିଚି ତା ଘରେ । ତାଙ୍କରି ଦୟାରୁ ସବୁ । ସବୁ ବର୍ଷ ଏମିତି ଦୟା କରନ୍ତୁ । ଏତିକି ତାର କାମନା ।

 

ନଈ ଶୋଇଚି । ଅଜଗର ପରି ଅଙ୍କେଇ ବଙ୍କେଇ । ଗରଳ ତାର ଅନେକ ଦିନୁ ଶୁଖିଯାଇଚି । ରକ୍ତ ପ୍ରବାହ ବହି ହେଇ ଯାଇଚି । କଙ୍କାଳଟା । ପ୍ରଳୟ କାରୀ ଜିହ୍ୱା ତାର ଲାଗିଯାଇଚି କୋଉ କଣରେ ଲାଳର ଅଭାବରେ । ମୁଣ୍ଡରେ ହାତ ଦେଇ ବସିଚି ପାଣୁଆ । କଣ କରିବ । ଜମିଟା ଆଡ଼କୁ ଚାହିଁ ହଉନି । ଦିନେ ଯାହାକୁ ଦେଖିଲେ ହସି ହସି ଯାଉଥିଲା ଆଜି ତାକୁ ଦେଖିଲେ ଅଶ୍ରୁଗ୍ରନ୍ଥି ସଜାଗ ହୋଇ ଯାଉଛନ୍ତି । ପାଖରେ ବସିଚି ଚଇନି । ଲକ୍ଷ୍ୟ ନାଇଁ ତା ପ୍ରତି । ସେ ଆଜି ଅବହେଳିତ । ଚଇନି ଡାକିଲା, ପାଣୁଆ କଣ ଏତେ ଭାବୁଚ ? ଆମରତ ଏକା ହେଇନି-। ଦୁନିଆଟା ସାରା ଏମିତି ହେଇଚି ।

 

ନା ଚଇ । ତା ମୁଁ ଭାବୁନି । ମୁଁ ଭାବୁଚି ବିଡ଼ୁଅ ବାବୁ କଣ ଭାବିବେ । ଦରିଆ ପାରି ବାବୁ କଣ ଭାବିବେ ! କହିବେ । କହିବେ, ‘‘ପାଣୁଆଟା ପୁରଷ୍କାର ପାଇଲାଠୁଁ ମନ ମୋଟିଆ ହୋଇଗଲା-। ଦୁଇ ବର୍ଷ ହେଲା କିଛି କରିପାରୁନି ।’’ ମୁଁ କି କଇଫତ୍‍ ଦେବି ?

 

ତୋର କଣ ଦୋଷ ? ମହାପୁରୁ ଏବେ ବର୍ଷା କଲେନି ।

 

ସେ ନ ବୁଝନ୍ତୁ ଆମର କିଛି ଯାଏ ଆସେ ନାହିଁ । କିନ୍ତୁ ଲାଗ ଲାଗ ଦୁଇ ଦୁଇ ବର୍ଷ ମରୁଡ଼ି ପରେ ଆମେ କଣ ଖାଇବା ? ଯୋଉ ବିହନତ ରଖିଥିଲେ ସେ ଆସି ସରିବାକୁ ବସିଲାଣି । ଆଉ...... ।

 

ଆଇ କଣ ?

 

ସରକାରଙ୍କଠୁ ଯୋଉ ବିହନ ଆଣିଥିଲେ ବୁଣିବାକୁ ସେ ତ ଏ ବର୍ଷ ବୋଧେ ଗଜା ମରୁଡ଼ିରେ ଯିବ । କଣଦେଇ ଆମ ପିଲାଙ୍କୁ ବଞ୍ଚେଇବା ? ଶେଷରେ କଣ ସେମାନେ ଛତରରେ ପଶିବେ ?

 

ପାଣୁଆ ?

 

ଆଉ କିଛି କହିପାରିଲାନି ଚଇନି । ପାଟିରେ କିଏ ଯେମିତି କଣ ଭର୍ତ୍ତି କରିଦେଲା । କଣ କହି ବୁଝେଇବ ପାଣୁଆକୁ । ଭାବି ଭାବି ଝଡ଼ିଗଲାଣି ସେ । ସତରେ କଣ ପିଲା ଗୁଡ଼ାକ ତାର ଛତରରେ ପଶିବେ ? ବୋହି ଆସିଲା ଦୁଇଟିଧାର ତାର ଆଜାଣତରେ ।

 

ଲୁହ ପୋଛିଲା ଚଇ । କାହିଁକି କାନ୍ଦୁଚି ସେ । ଲକ୍ଷ୍ମୀସାନ୍ତାଣି ଅଦୟା କଲେ ? କରନ୍ତୁ । ତାକୁତ ଏକା ଅଦୟା କରି ନାହାନ୍ତି । ଦୁନିଆରେ ଚାରିଆଡ଼େ ଏ କଥା । କୋଟିଏ ହୃଦୟ ଗୋଟିଏ ଦୁଃଖ । ସମସ୍ତ ଯଦି ଛତରରେ ପଶିବେ ତାହେଲେ ସେ ପଶିବ । ଏଥିରେ ଦୁଃଖ କରିବାରେ କଣ ଅଛି । ମନକୁ ମନ ସାନ୍ତ୍ୱନା ଦେଲା ।

 

ଚଇ ତୁ କାନ୍ଦୁଥିଲୁ କାହିଁକି ?

 

ନା ମ ଗୋଟିଏ କଥା ମନେ ପଡ଼ିଲା ଯେ ।

 

କଣ ଏମିତି କଥା କି ।

 

ନା ସେମିତି କିଛି ନୁହେଁ ।

 

ତୁ ମୋତେ ଲୁଚୋଉଚୁ ?

 

କଣ ଏମିତି ତୁ କହୁଚୁ ମ । ତୁ କହିଲୁନି ଏଇ ଛତରରେ ପଶିବା କଥା ସେଇ କଥା ଭାବିଲାଠୁଁ ଟିକେ ଦୁଃଖ ଲାଗିଲା ନା । ତୁ ଏକଥା ସ୍ୱପ୍ନରେ ଭାବିପାରୁଚୁ ? ପାଣୁଆ ଥାଉ ଥାଉ ତୁ ଏ କଥା ଜମା ଭାବନା । ମୋ ପରେ କଣ ହେବ କହି ପାରୁନି । ହେଲେ ଏ ହାତ ଦି’ଟା ଥିଲା ପର୍ଯ୍ୟନ୍ତ କାହାକୁ ବାହାରକୁ ଯିବାକୁ ପଡ଼ିବନି । କି ଅଲେଖେଣା କଥା କହୁଚୁ ମ । ମୁଁ କଣ ସେଇ କଥା କହିଲି । ସବୁ କଥାରେ ତୁ ଖାଲି ଭାବି ବସିବୁ । ସତରେ ଚଇ ତୁ ତ ମୋ ପାଖରେ ଅଛୁ । ମୁଁ ଭାବୁଚି କାହିଁକି ? ମୁଁ ଭାରି ବୋକା ନୁହେଁ ଲୋ ?

 

ଖାଲି କଣ ବୋକାକି ?

 

ଆଉ କଣ ?

 

ବୋକା ସାଙ୍ଗକୁ ଗଧଟାଏ ବି ।

 

ଚଇ ହସୁଚି । ପାଣୁଆ ହସୁଚି । ଦୁଃଖ ସାଗରରେ ହସର ଢେଉ । ରୁକ୍ଷ ମରୁ ପ୍ରାନ୍ତରରେ ଚିରଶ୍ରୋତା-ପ୍ଳାବୀନିର ଆବିର୍ଭାବ । ଦୁଇଟି ମୁକ୍ତ ବିହଙ୍ଗ । ଲୋଟଣୀ ଭାଙ୍ଗୁଚନ୍ତି ନିଳ ସାଗରର ଚାନ୍ଦୁଆ ତଳେ । ସଂସାର ସମୁଦ୍ରର ଭଉଁରୀମା ଠାରୁ ବହୁତ ଦୂରରେ ସେମାନେ । ଅନାଗତ ଜଳଘୂର୍ଣ୍ଣିକୁ ଶୋଚନା ବି ନାହିଁ । ଲୋଟଣି ଭାଙ୍ଗି ଭାଙ୍ଗି ଉପରକୁ ଉଠିଯାଉଛନ୍ତି । ବହୁତ ଉପରକୁ । ବୈକୁଣ୍ଠ ପୁରାଭିମୁଖେ । ଭଗବାନଙ୍କର ଆଶୀର୍ବାଦ କାମନା କରି ।

 

ଗଛରୁ ପଳିତ ପତ୍ରସବୁ ଝଡ଼ିପଡ଼ନ୍ତି ମନଭିତରୁ ପୁରୁଣା ମଣିଷର ସ୍ମୃତି ଝଡ଼ି ପଡ଼ିଲା ଭଳି । ଅନ୍ତଃସାରଶୂନ୍ୟ ହେଇଚି ବସୁମାତା । ସନ୍ତାନପାଇଁ ଖିରଶୂନ୍ୟ ଭଣ୍ଡାର ନେଇ ଅନେଇ ରହିଛି ସେ । ବସନ୍ତକୁ ଅନେଇ ରହିଛନ୍ତି ବନସ୍ପତି । ନୂତନ ଆଶାରେ । ନୂତନ ଭରସାରେ । ଯାଯାବର କୋଇଲିର ଜଣାଶୁଣା ମଧୁର ଗୀତଟିକୁ ସ୍ୱାଗତ କରିବା ପାଇଁ ନିଜକୁ ପୂର୍ବରୁ ସଜାଇବାକୁ ଚେଷ୍ଟା କରୁଛନ୍ତି । ବ୍ୟର୍ଥସେ ଚେଷ୍ଟା, ନିଷ୍ଫଳ ସେ ପ୍ରୟାସ । ବସନ୍ତ ଆସିଛି । ଚାନ୍ଦ୍ର ରାତ୍ରିର ସ୍ନିଗ୍ଧତା ନେଇ ନୁହେଁ ବିଦ୍ୟୁତର ଖ୍ରରପ୍ରଭା ଶକ୍ତି ନେଇ । କୋମଳ ପତ୍ରର ଆବରଣକୁ ଭୁଲିଯାଇଛନ୍ତି ସବୁଗଛ ଗୁଡ଼ିକ । କୋଇଲିର ସପ୍ତସ୍ଵର ବେସୁର । ହୋଇଚି । ପ୍ରାଣୀରାଜ୍ୟରେ ଆତଙ୍କ । ହାହାକାର । ଘରଦ୍ଵାର ଛାଡ଼ି ଚାଲିଯାଉଛନ୍ତି ଲୋକମାନେ । ଚଇନିର ଝୁଙ୍କ ଚାଲିଯିବା ଗାଁରୁ । ତାର ପିଲା ଛୁଆଙ୍କୁ ନେଇ ବହୁଦୂରକୁ । ଯେଉଁଠି ଭୋକର ସତ୍ତା ନଥିବ, ଯୋଉଠି ପିଲାତାର ପୁଣି ହସିଉଠିବେ । ଅସ୍ଥି କଙ୍କାଳସାରା ଦେହରେ ପୁଣି ମାଂସ ଲୋପୀ ହୋଇଯିବ ।

 

ଅନେଇଲା ପିଣ୍ଡାକୁ । ପାଣୁଆ ବସିଚି । ମୁଣ୍ଡରେ ହାତଦେଇ । ବେଳେ ବେଳେ ବିପର୍ଯ୍ୟସ୍ତ ବେଶରେ ଚାହିଁ ରହିଚି ହାତିବାରିଆଡ଼େ । ତାର ସୁନାର ଖେତ ଆଡ଼େ । ଚଇନି ଆସିଲା ପାଖକୁ । ଡାକିଲା ତାକୁ । ସରାଗରେ ନୁହେଁ । ଅଭିମାନରେ ନୁହେଁ । ଭୟରେ । ପାଣୁଆ ଚାହିଁଲା ତାକୁ । କଟମଟ କରି । କାହିଁକି ଡାକୁଚି ଚଇନି । କଣ ଆଉ ଅଧିକାଟା କହିବ । କହିବ, ‘‘ଚାଲ ଚାଲିଯିବା । ସମସ୍ତେ ଗାଁରୁ ଚାଲିଗଲେଣି ଇତ୍ୟାଦି, ଇତ୍ୟାଦି ।’’

 

କଣ ଏମିତି ଚାହିଁଚ ମ ? କ’ଣ ଠିକ୍‍ କଲ ?

 

କୋଉକଥା ।

 

କେତେଥର ଆଉ କହିବି ? ଆଜି ସନା ଘର ଚାଲିଗଲେ ।

 

ଯାଆନ୍ତୁ ଆମର କଣ ଅଛି ?

 

କଣ ସମସ୍ତେ ଚାଲିଯିବେ, ଆଉ ଆମେ ଏଇଠି ଭୋକ ଉପାସରେ ମାରିବା ?

 

ସିଏ ବରଂ ଭଲ ହବ, କିନ୍ତୁ ବାପ ଅଜା ଚଉଦ ପୁରୁଷର ଜାଗା ଛାଡ଼ି ଦେଇ ଆମେ ଯାଇ ଛତରରେ ପଶିବା ?

 

ତାହେଲେ କଣ ଆମରି ଆଖି ଆଗରେ ଆମ ଛୁଆ ମରିଯିବେ ଗଣ୍ଡେ ଖାଇବାକୁ ନ ପାଇ-ଆଉ ଆମେ ଚାହିଁ ରହିଥିବା ?

 

ପାଣୁଆ ଚୁପ୍‍ ହୋଇଗଲା । କଣ କରିବ ସେ । ଗୋଟେ ଆଡ଼େ ବାପ ଅଜା ଚଉଦ-ପୁରୁଷର ଭିଟାମାଟି ଥାଇ ଗୋଟେ ଆଡ଼େ ଜନ୍ମିତ ପିଲା ଚାରୋଟି । କାହା ମମତା ରଖିବ । କାହାର କାଟିବ । ଆଖିତାର ବନ୍ଦ ହୋଇ ଆସିଲା । ଚାରିଆଡ଼େ ଅନ୍ଧାର । ଅମାବାସ୍ୟାରେ ଅନ୍ଧକାର । ବର୍ଷଣମୁଖୀ ରାତ୍ରିର ଅନ୍ଧକାର । ବିଜୁଳି ମାରିଲା । କ୍ଷଣକାଳ ପାଇଁ ଆଲୋକିତ ହୋଇ ଉଠିଲା ଚତୁର୍ଦିଗ । ପାଣୁଆ ଦେଖି ପାରିଲା ହରି ମିଶ୍ରଙ୍କୁ ତାର ମାନସ ଚକ୍ଷୁରେ । ଶହେ ଟଙ୍କାର ଜିନିଷକୁ ଦଶଟଙ୍କାରେ ରଖୁଛନ୍ତି ସେ । ଆଖିଦିଟା ତାଙ୍କର କାଳିଆ ବଳିଆ ଉପରେ । ଅନେକ ଥର ମୁହଁ ଖୋଲି କହିଲେଣି ସେ । ସବୁଥର ଫାଙ୍କି ଦେଇଚି ପାଣୁଆ । କିନ୍ତୁ ଏଥର..... ।

 

ଦାଢ଼ି ଗୁଡ଼ାକ ସାଉଁଳି ଅଣିଲା ପାଣୁଆ । ଏକଥା ସେ ଭାବି ପାରୁନି । ନିଶ୍ଵାସ ତାର ବନ୍ଦ ହୋଇ ଯାଉଛି । ସତରେ ସେ କଣ କାଳିଆ ବଳିଆକୁ ବିକି ଦେବ ? ଅନ୍ତ ବାକ୍ୟରେ ତାର ଚାଲିଚି ଖଣ୍ଡଯୁଦ୍ଧ । ମନ ଆଉ ବିବେକର । ରାକ୍ଷସ ଆଉ ଦେବତାଙ୍କର । ଜଣେ କହୁଚି–

 

ତୁ କାଳିଆ ବଳିଆକୁ ବିକିଦେ ପାଣୁଆ । କଣ ହେବ ସେ ଦିଜଣ ଥାଇ ? ଖାଇବାକୁ ତ ଗଣ୍ଡେ ଦେଇ ପାରୁନୁ । ସେମାନଙ୍କର ପାଟି ଫିଟୁନି ବୋଲି ସିନା ? ହେଲେ ସେ କଣ ଅଭିଶାପ ଦେଉ ନ ଥିବେ ? ତାଙ୍କ ଅଭିଶାପ ବ୍ୟର୍ଥ ଯାଏନି ପାଣୁଆ ତାଙ୍କୁ ଦେଇ ଦେ । ହେଲେ ସେଠି ସେମାନେ ଗଣ୍ଡେ ଭଲରେ ଖାଇବେ ।

 

ଆଉ ଜଣେ ଗୁମୁରି ଉଠୁଚି;

 

ସତରେ କଣ ବିକି ଦେବୁ ପାଣୁଆ ? ତୋ ପାଇଁ ସେମାନେ ତ ଦଶ ବର୍ଷ କାଳ ଖଟି ଖଟି ଆସିଲେ । ତାଙ୍କର କଣ ଏଇ ପୁରସ୍କାର ? ତୁ କଣ ମିଶ୍ରଙ୍କ କଥା ଜାଣିନୁ ? ଗୋରୁ ଗାଈଙ୍କୁ ସେ କଣ କରନ୍ତି । ଦିନ ଯାକର ପରିଶ୍ରମ ପରେବି ରାତିରେ ଟିକେ ବିଶ୍ରାମ ଦିଅନ୍ତିନି । ଏମିତିଆ କଂସେଇ ହାତକୁ ଜାଣିଶୁଣି ତୁ ଟେକି ଦବୁ କେତେଟା ଟଙ୍କା ପାଇଁ ?

 

ପାଣୁଆ ଚମକି ଉଠିଲା । କଣ କରିବ ସେ । ସତରେ କଣ କଂସେଇ ହାତକୁ ବିକି ଦେବ କେତେଟା ଟଙ୍କା ପାଇଁ । କାହିଁକି ? ତା ଅପେକ୍ଷା ବରଂ ସେ ମରିଯିବା ଭଲ ।

 

ପୁଣି କିଏ କହି ଉଠୁଚି–

 

ତୁ ଏକା ମରିଗଲେ କିଛି ନଥାନ୍ତା । କିନ୍ତୁ ଚଇନି ? ଆଉ ତାର ଚରିଟା ଛୁଆ । ତୁ ପରା ଅଗ୍ନି ପାଖରେ ଶପଥ କରିଚ ଚଇନିକୁ କିଛି ଦୁଃଖ ଦବୁନି ବୋଲି । ଭାବ । ଦୁଇଟା ଜୀବନ ପାଇଁ ପାଞ୍ଚଟା ଜୀବନକୁ ବଳି ଦଉଛୁ । ଭୁଲିଯା ସେସବୁ କଥା । ଯା ହରିମିଶ୍ରଙ୍କ ପାଖକୁ । ଦୁଇଦିନହେଲା ପରା ଛୁଆଗୁଡ଼ା ଉପାସ । ହେଲେ ସେମାନେ ଗଣ୍ଡେ ଗଣ୍ଡେ ପାଇବେ ଖାଇବାକୁ । ନହେଲେ ଦେଖ ଛୁଆଗୁଡ଼ା କେମିତ ଭୋକ ଉପାସରେ କାନ୍ଦୁଛନ୍ତି । ଆଉକିଛି ଦିନଗଲେ ହୁଏତ ସେମାନେ ମରିଯିବେ । ଆଉ ତୁଇ ତାଙ୍କୁ ନେଇଯିବୁ ମଶାଣିକୁ । ପାରିବୁତ ?

 

ଆଖିବନ୍ଦ ହୋଇଗଲା । କାନବନ୍ଦ ହୋଇଗଲା । ଆଉକିଛି ଶୁଣିପାରିବନି । ଆଉକିଛି ଦେଖି ପାରିବନି । ଯୋଉହାତରେ ସେ ଗଛ ଲଗେଇ ଥିଲା ସେ ହାତରେ ତାଙ୍କୁ ମାରିବ ? କାହିଁକି ତାହାଲେ ସେ ଚାରୋଟିଙ୍କୁ ଆଣୁଥିଲା ଏ ପୃଥିବୀକୁ ? କୋଉ ଅଧିକାରରେ ? ସେମାନଙ୍କ ମରଣ ଯେ ଦେଖିପାରିବନି । ବରଂ କାଳିଆ ଯାଉ । ବଳିଆ ବି ଯାଉ ।

 

ଅନେଇ ରହିଛନ୍ତି କାଳିଆ ବଳିଆ ଦୁଇଟି ପଶୁ । ଦୁଇଟି ମୁକ ସାଥି । ସତରେ କଣ ସେମାନଙ୍କୁ ବିକିଦେବ ପାଣୁଆ ? ଦୁଇଟି ହୃଦୟ କାନ୍ଦୁଛି । ଜଣକ ପାଇଁ । ଗୋଟିଏ ହୃଦୟ ପାଇଁ । ତାଙ୍କର ଚିରସାଥୀ ପାଣୁଆ ପାଇଁ ।

ଜୁଆର ଆସିଥିଲା ଜୀବନ ଯୌବନର । ଫେରିଯାଇଚିସେ ତା’ପଥରେ । ଆସିଛି ଭଟ୍ଟା ବ୍ୟର୍ଥତାର ସ୍ଵାଗତିକା ଗାଇ । ଚାରୋଟି ବର୍ଷର ବ୍ୟବଧାନ ଆଣିଦେଇଚି ଅୟୁତ ଯୁଗର ବୃଦ୍ଧତ୍ଵ । ହାଡ଼ିଆ ବସିଲା ଗଛ ମୂଳେ । ଆଖିରେ ଅସହାୟତାର କାରୁଣିମା ।

 

କୁଆଡ଼େ ଯିବସେ ? ତାର ଜନ୍ମିତ ଘରକୁ ? କାହିଁକି ? କିଏ ଅଛି ତାର ।

 

ନିଜପ୍ରଶ୍ନରେ ନିଜେ ଚମକି ଉଠିଲା । ସତେ କଣ ତାର କେହିନାହିଁ ? ତା’ର ପଥକୁତ ରାତିଦିନ ଅନେଇ ରହିଥିବ ଚଇନି । ସେକଣ ତାର କେହି ନୁହେଁ । ଭୁଲ ବୁଝିଚି ସେ । ଦିନଥିଲା ଯେତେବେଳେ ତାର କେହି ନଥିଲେ । ମା, ବାପା ଯାଇଥିଲେ ବହୁତ ଦିନୁ । କିନ୍ତୁ ଯୋଉଦିନ ନିଜ ରକ୍ତରେ ଟିପା ଲଗେଇ ଦେଇ ଶପଥ କରିଥିଲା ସେଦିନଠୁ ତ ସେଏକା ନୁହେଁ ? ସେ ଅନୁଭବ କରିଚି ଚଇନିକୁ ପ୍ରତିମୁହୂର୍ତ୍ତରେ । ବେଳ ଅବେଳରେ ସେ ଅନେକ ଭାବିଚି ଚଇନି କଥା । ଏବେବି ମନେପଡ଼େ ଚଇନିର ବିଦାୟ ବେଳର ବ୍ୟଥାତୁରା ଆଖିଦୁଇଟି କଥା । ସେ କଣ ଭାବୁ ନଥିବ ? କିଏ କେତେକଥା କହୁଥିବେ ତାକୁ । ବିଚାରୀର କାନ୍ଦି କାନ୍ଦି ଆଖି ଫୁଲିଯିବଣି । କିଏ ତାକୁ ସାନ୍ତ୍ଵନା ଦେଉଥିବ ? ଅଲୋଡ଼ା ଭାବେ ପଡ଼ିଥିବ କୋଉ କୋଣରେ । ତୁଠପଥର ପରି ସହୁଥିବ ସବୁକିଛି । ଏସବୁ କାହାପାଇଁ ?

 

ଭାବନରେ ବାଧାଦେଇ ଉଡ଼ିଗଲେ ଦୁଇଟି ଚଢ଼େଇ । ପ୍ରେମିକ ପ୍ରେମିକା ବୋଧେ । ପ୍ରେମିକ ଆଗରେ, ପଛରେ ପ୍ରେମିକା । ଗୋଟିଏ ଚକର । ଶେଷରେ ହାରମାନିଲା ପ୍ରେମିକା । ଫେରିଆସିଲେ ଦୁହେଁ ସେମାନଙ୍କର ବସାକୁ । ପ୍ରେମିକଟି ଚଞ୍ଚୁ ବଢ଼ାଇଲା ପ୍ରେମିକା ଆଡ଼େ । ମୁହଁ ଘୂରାଇଲ ପ୍ରେମିକା । ଅଭିମାନରେ ବୋଧେ । ପୁଣି କୁଁ କାଁ । କଥାଭାଷା । ବୋଧାବୋଧି । ଦୁଇଟି ଚଞ୍ଚୁ ମିଶିଗଲା କେତୋଟି ଘଣ୍ଟାର ବ୍ୟବଧାନ ପରେ । ଅଭିମାନର କଳାବାଦଲ ଉଡ଼ିଯାଇଚି କେଉଁଆଡ଼େ । ନିର୍ମଳ ପାଉଁଶିଆ ମେଘମୁକ୍ତ ଆକାଶ ତଳେ ଉଡ଼ିଗଲେ ଦୁହେଁ । ଏଥର କିନ୍ତୁ ଆଗପଛ ହୋଇ ନୁହେଁ । ଏକାଠି । ଅଳ୍ପଦୂରତ୍ଵ ରଖି ଖୁବଦୂରକୁ ।

 

ନିଜ ଭାବନରେ ବୁଡ଼ିରହିଲା ହାଡ଼ିଆ । ଘରେ ପହଁଞ୍ଚିବା ଦେଖି ଅଭିମାନର ସାଗରରେ ବୁଡ଼ିରହିବ ଚଇନି । କାମବାହାନାରେ ହୁଏତ ଚାଲିଯିବ ଶାଗ କିଆରି ଆଡ଼େ । ଯେତେବେଳେ ଶାଗକିଆରୀରେ ଯାଇ ସେ ତାର କାନିକୁ ଭିଡ଼ି ଧରିବ ।

 

ସେ ହୁଏତ କହିବ–

 

ଛାଡ଼ ହାଡ଼ିଆ’ଇ । ମୋଦିହ ଜଳାନା । ରାଗିଲେ ମୁଁ କାହାରିନୁହେଁ ଜାଣିଥା !

 

ସତେ କେବେଠୁ ?

 

କାହିଁକି କେବେ ନଥିଲି କି ?

 

କେଜାଣି ମୁଁ କେମିତି ଜାଣିବି, ମୁଁ ତ ଆଜି ଆସିଲି ?

 

ତାହେଲେ ତୁ ମୋତେ ଆଗରୁ ଚିହ୍ନି ନଥିଲୁ ?

 

ଉହୁଁ ।

 

ଅଚିହ୍ନା ଝିଅ ସାଥିରେ ଏମିତି ନିରୋଳାରେ କଥା କହିବାକୁ ଲାଜ ଲାଗୁନି ?

 

ସେଗୁଡ଼ା କଲିକତାରେ ଛାଡ଼ି ଆସିଚି । ସେଠିତ କେତେ ଏମିତି କଥାହେଉ ।

 

କିଛିଦୂର ଦୂରେଇ ଯିବ ସେ । ରାଗରେ । ନା’ ନା ଅଭିମାନରେ । ସଉତୁଣି ହିଂସାରେ ଜଳିଯିବ । ମନ ମାନିବନି । ଦିହ ସହିବନି । ପୁଣି ଫେରିଆସିବ ତାପାଖକୁ ପଚାରିବ, ‘‘ସତରେ କଥାବାର୍ତ୍ତା ହଉ’’ ?

 

ଚିଡ଼େଇବାକୁ ଚେଷ୍ଟ କରିବସେ । ପୂର୍ବଭଳି ମୁହଁରେ ଗମ୍ଭୀରତା ରଖି କହିବ–

 

ସତରେ ନୁହେଁ ଆଉକଣ ମିଛରେ ?

 

କଣ ସବୁ କଥା ହଉ ।

 

ଏଇ ଅନେକ କଥା । ବେଳେ ବେଳେ ସେ କହେ ମୁଁ ତୁମକୁ ଭଲପାଏ । ପୁଣି ବେଳେ ବେଳେ..... ।

 

କଥାଟା ସରିବାକୁ ଦବନି ସେ । ନାରୀ ହୃଦୟ । ଲତାର ହୃଦୟ । ସେ ବା କେମିତି ସହିବ ଏଇ ପ୍ରଳୟଙ୍କାରୀ ଝଞ୍ଜାର ନିଦାରୁଣ ଧକ୍କା । ରକ୍ଷା ପାଇବା ପାଇଁ ପଳେଇଯିବ ସେ ଦୂରକୁ-। କାନିଟାକୁ ଭିଡ଼ି ଧରିବ ଯୋର କରି ସେ । କାନିଟାକୁ ଭିଡ଼ିଧରି ସେ କହିବ–

 

ମୋତେ ଛାଡ଼ିଦେ ହାଡ଼ିଆ’ଇ । ମୁଁ ତୋର କିଏ ? ତୁ ଚାଲିଯା କଲିକତା । ସେଇ ଝିଅଟି ପାଖକୁ । ମୋର ତପସ୍ୟା ବିଫଳ ହୋଇଚି । ମୋର ତତେ ଭଲପାଇବା ଭୁଲ୍ ହୋଇଚି । ମୁଁ ଜାଣେ ପୁଅ ଗୁଡ଼ା ଏମିତି କଥାଦେଇ କେବେ ରଖନ୍ତିନି । ତୁ ମୋତେ ଛାଡ଼୍ । କିଛି ନ ମିଳିଲେ ତ ନଈକି ପୋଖରୀ ମିଳିବ ।

 

ଛି, ଚଇ ଏମିତି ହୁଅନ୍ତି ?

 

କାହିଁକି ଏତେ ସୁଆଗ । ଏଇନେ ପରା କହୁଥିଲୁ ମୁଁ ଜମା ମନେ ପଡ଼େନି ବୋଲି ଆଉ...... ।

 

ମନରେ ତାର ଶିଶିର ବିନ୍ଦୁଟା ଆସ୍ତେ ଆସ୍ତେ ଜମାଟ ବାନ୍ଧିବାକୁ ଲାଗିବ । ଛାଡ଼ିବନି ସେ ତାକୁ । ଟାଣି ଆଣିବ ନିଜ କୋଳକୁ । ଚୁମ୍ବନର ଉଷ୍ମତାରେ ଶିଶିର ବିନ୍ଦୁ ଚାଲିଯିବ କେଉଁ ରାଇଜକୁ । ପୂର୍ବଅବସ୍ଥାକୁ ଫେରି ଆସି ପଚାରିବ–ସତରେ ତୁ ମୋତେ ଭଲପାଉନା ହାଡ଼ିଆ’ଇ ?

 

ତୁ ଏକଥା ବିଶ୍ଵାସ କରୁଚୁ ?

 

ତୁ ଯେ ଏଇନେ କହିଲୁ ?

 

ମୁଁ କହିଲି ତୁ ବିଶ୍ଵାସ କରିଗଲୁ ? ତୋ ହାଡ଼ିଆ’ଇକୁ ଅବିଶ୍ଵାସ କରିପାରିଲୁ ? କାହିଁକି-? କୋଉଥି ପାଇଁ ? ତୁ ବୁଝିବୁନି ଚଇ କେତେରାତି ଅନିଦ୍ରାରେ କାଟିଚି ତୋରି ପାଇଁ । ଝଡ଼ ଝଞ୍ଜା କିଛି ମାନିନି । ଫେରି ଆସିଚି ତୋରି ପାଖକୁ ।

 

ମନ ତାର ବଦଳି ଯିବ । କୋଳ ଭିତରେ ଥାଇ କାନ୍ଦି କାନ୍ଦି କହିବ–ମୋତେ କ୍ଷମା ଦେ ହାଡ଼ିଆ’ଇ ।

Unknown

 

କ୍ଷମା ଦେବନି ? ଦୁଇ ହାତରେ ଭିଡ଼ିଧରିବ ତାକୁ ।

 

ନିଜକୁ ନିଜେ କୁଣ୍ଢାଇବାକୁ ଚେଷ୍ଟାକଲା ସେ । ଖଣ୍ଡିଆ ହାତଟା ପିଟିହୋଇଗଲା ଛାତିରେ । ଅନେଇଲା ହାତଟାକୁ । ରେଳ ଦୁର୍ଘଟଣାର ସ୍ମାରକୀ । ଉଚ୍ଛସିତ ଆଗମନର ସ୍ଵାକ୍ଷର । ମନଟା ମଉଳିଗଲା । ଏଇ ହାତଟାକୁ ନେଇ ସେ କଣ ଯିବ ଚଇପାଖକୁ ? ସେ କଣ ଚିହ୍ନି ପାରିବ-? ଘୃଣା କରିବନିତ ? ଘୃଣା ନକଲେ ବି ସେ ଯାଇ ସେଠି କଣ କରିବ ? ଦୁଇ ହାତରେ ତାର ମୁହଁକୁ ଟେକି ପାରିବନି । ଲୋକେ କଣ କହିବେ ? କହିବେ ଚଇ ଶେଷକୁ ଗୋଟେ ଖଣ୍ଡି ଆହାତ ଲୋକକୁ ବାହାହେଲା ? ସରମରେ ନଇଁଯିବ ସେ । ଯଦି ନଯାଏ.... ।

 

ହୁଏତ ସେ ଭୁଲିଗଲାଣି ବୋଲି ଭାବି ଅନ୍ୟର ଆସରା ନେବ । ସୁନ୍ଦର ସୁଢ଼ଳ ଯୁବକର ହାତ ଧରି ଚାଲିଯିବ ତା ଘରକୁ । କିଛି ଦିନ ପରେ ତାକୁ ବଳେ ବଳେ ଭୁଲିଯିବ । ତା’ହେଲେ....-

 

ତାହେଲେ ସେ ଯିବ କାହିଁକି ? ବାପା ଯାଇଥିଲେ । ବୋଉବି ତପଛେ ଟିକେଟ କାଟିଥିଲା । ଥିଲା କେବଳ ଚଇ । ସେବି ଯାଉ ।

 

ଆଖିରୁ ବୋହି ଆସିଥିଲା ଦୁଇଟି ବିନ୍ଦୁ । ମୁହଁ ଟେକି ଅନେଇଲା ଶେଷଥର ପାଇଁ ଗାଁ ଆଡ଼କୁ । ତାର ଜନ୍ମିତ ସ୍ଥାନ ଆଡ଼କୁ । ଆଖିବୁଜି ଛାଡ଼ି ଚାଲି ଯିବ ସେ ବହୁତ ଦୂରକୁ । ଯେଉଁଠି ଚଇନି ରହି ନଥିବ । ସେଠି ସେ ଭୁଲିଯିବ ଦୁନିଆକୁ ଚଇକୁ ବି । ମୁହଁ ଫେରାଇଲା ଅନ୍ୟ ଆଡ଼େ ।

 

ସୂର୍ଯ୍ୟ ଚାଲି ଯାଉଥିଲେ ଦିଗବଳୟର ଆର ପାରକୁ ରକ୍ତିମ ଆଭାରେ ପଶ୍ଚିମଆକାଶକୁ ରଞ୍ଜିତ କରି । ଦୂରରୁ ଶୁଭୁଥିଲା ଚକ୍ରବାକ ଦମ୍ପତ୍ତିଙ୍କର ବିରହର କରୁଣ ମୂର୍ଚ୍ଛନା ।

 

ପାଣୁଆର ବିପର୍ଯ୍ୟସ୍ତ ବାଳଗୁଡ଼ିକ ସଜାଡ଼ି ଦେଉଥିଲା ଚଇ । ଆଖିଏ ଲୁହ ନେଇ ଅନେଇ ରହିଥିଲା ସେ । କଣ ହୋଇଚି ପାଣୁର ? ଆଖିର ତାରା ଗୁଡ଼ିକ ମିଞ୍ଜି ମିଞ୍ଜି ହୋଇ ଲୁଚି ଯିବାକୁ ଚେଷ୍ଟା କରୁଛନ୍ତି କାହିଁକି ? ପାଣ୍ଡୁରିଆ ଦେହଟା ତାର ବର୍ଷଣମୁଖୀ ବାଦଲର ରଙ୍ଗ ନେଇଚି କାହିଁକି ? ଦୁଇଟି ଝାଡ଼ା ଗୋଟିଏ ବାନ୍ତିରେ କଣ ଲୋକଟା ଏମିତି ହୋଇଯାଏ ? ଗ୍ରାମ ଦେବତୀ, କାଳିଙ୍କୁ ମନେ ମନେ ଡାକିଲା । ମନାସିଲା କଳା ଛିଟ, କଳା କୁକୁଡ଼ା ଇତ୍ୟାଦି ଇତ୍ୟାଦି । ପୁଅକୁ ପଠେଇଥିଲା ‘ଲାଛିନା’ ସା’ନ୍ତଙ୍କ ପାଖକୁ । ବେଳ ଆସି ଅନେକ ହେଲାଣି । ଦେଖା ନାହାନ୍ତି । କଣ ଫିସ୍‍ ପାଇଁ ଆସିଲେନି ? ଭାଗ୍ୟକୁ ନିନ୍ଦିଲା । କଣ କରିବ ସେ । କଣ ବା ତାର ଚାରା । ପାଣୁଆ ଡାକିଲା–

 

ଚଇ ।

 

କଣ ମତେ ଡାକୁଚୁ ?

 

ହଁ ପାଖକୁ ଆଇଲୁ ।

 

ପାଖକୁ ଘୁଞ୍ଚିଗଲା ଆସ୍ତେ । ସବୁଦିନ ପରି ଦେହରେ ସେ ପୁଲକ ଜଗୁନି । ରକ୍ତଗୁଡ଼ା ଯେମିତି ଶିଥିଳ ହୋଇ ଯାଉଛନ୍ତି ।

 

ଆହୁରି ପାଖକୁ ଘୁଞ୍ଚିଆ ଚଇ ।

 

ଏମିତି ପିଲାଙ୍କ ପରି କଣ ହେଉଚୁ । ଶୋଇ ପଡ଼ୁନୁ ।

 

ଶୋଇବା ବେଳେ ଆସିଗଲା ଚଇ । ଆଉଟିକେ ପରେ ହୁଏତ ଶୋଇଯିବ ଚିରଦିନ ପାଇଁ । ତା ପୂର୍ବରୁ ତତେ ହେଲେ ଟିକେ ଦେଖୁଥାଏ ।

 

ଜଳ ଜଳ ଆଖିରେ ଚାହିଁ ରହିଲା ଚଇ । ଏ କଣ କହୁଚି ପାଣୁଆ । ଗ୍ରାମ ଦେବତୀ କଣ ତାର ଡାକ ଶୁଣିବେନି । ତାର ମାନସିକ କଣ ଅପୂରଣ ରହିବ ? ପାଣୁଆ ଉଠିବାକୁ ଚେଷ୍ଟା କରୁଛି-। ଶୁଆଇ ଦେଲା ଚଇ ।

 

ଦେଖ, ପାଣୁଆ ଏମିତି ହେଲେ ମୁଣ୍ଡ ପିଟି ଦେବ ଜାଣିଥା ।

 

ମୁଁ ଗୋଟେ କଥା କହିବି ମାନିବୁ ।

 

ଏଇନେ ନୁହେଁ । ପଛରେ ପଛେ ହଜାରଟା କହିଲେ ଶୁଣିବି ।

 

ନା, ଚଇ ତତେ ଶୁଣିବାକୁ ହେବ ।

 

କଣ କହୁନୁ ?

 

ରଖିବୁ ତ ?

 

କୋଉକଥା ନ ରଖିଚି କହ ?

 

ହେଲେ ଏଇଟା ତୋର ପରୀକ୍ଷାର ବେଳ ।

 

କହନା, କେତେ ଫରିବି କାଢ଼ୁଚୁ ?

 

ମୋ ଦେହଛୁଇଁ ଶପଥ କର ।

 

ଆଚ୍ଛା କଲି, କଣ କହ ?

 

ତୁ ମୋ ପରେ ଛୁଆଗୁଡ଼ାଙ୍କୁ ଛତରରେ ପୁରାଇବୁନି ଚଇ । ମରିଯିବା ଭଲ, କିନ୍ତୁ ତାଙ୍କ ପାଟିରେ ଯେମିତି ଟେକା ଭାତ ନ ପଡ଼େ ।

 

ଚାଇ କାନ୍ଦୁଚି ଅତି ଅସହାୟ ଭାବରେ । ଦିଗହୀନ ମରୁ ବାଲିରେ ଏକାନ୍ତ ପଥୁକି ସେ । ସାହା ନାହିଁ ଭରସା ନାହିଁ । ନିସୁନ ଗାଁଟା ଖାଁ ଖାଁ ଗୋଡ଼ଉଚି । ଭଙ୍ଗା ଦରଭଙ୍ଗା କାନ୍ଥ ଗୁଡ଼ା ସତେ ଯେମିତି ତାକୁ କହୁଛନ୍ତି–‘‘ଦମ୍ଭଧରି ରହିଥିଲୁ ପରା ? ଫଳ ପାଇଲୁ ?

 

ପୁଅ ଡାକୁଚି । ଦେହରେ ବିଦ୍ୟୁତର ତଡ଼ିତ ଖେଳିଗଲା । ହୁଏତ ସାଆନ୍ତେ ଆସିଥିବେ-। ଗୋଡ଼ତଳେ ପଡ଼ିଯିବ ତାଙ୍କର କହିବ, ‘‘ସାଆନ୍ତେ ମୁଁ ହାତ କାଟି ଲେଖି ହେଉଚି ଆରସନ ଆପଣଙ୍କର ପାଉଣା ତୁଟେଇଦେବି । ଦୌଡ଼ିଗଲା ତାଟି ପାଖକୁ । ପୁଅ ଛିଡ଼ା ହୋଇଛି ଆଗରେ-। କିନ୍ତୁ ବଇଦ.... । ବଇଦ କଣ ଆସିଲେନି ? ନା ନା ସେ ଏତେ ନିର୍ଦ୍ଦୟ ହେଇ ପାରିବେନି-

 

ରଘୁ ତୁ ଏକା ?

 

ହଁ ବୋଉ ମୁଁ ଏକା । ବଇଦ ଆସିଲେନି ତାଙ୍କ ଗୋଡ଼ତଳେ ପଡ଼ିଲି ମୁଣ୍ଡ ବାଡେଇଲି । ସେ ଶୁଣିଲେନି । କହିଲେ, ‘‘ ବାପତ ଢମ କାଢ଼ୁଥିଲା । ମୋ ଟଙ୍କା ପଠେଇ ଦଉନି ଯିବି ।’’

 

ସେ ଏକଥା କହି ପାରିଲେ ?

 

ଆହୁରି କହିଲେ, ‘‘ତୋ ବାପ ଦୁଇ ଗୌଣି ମୁଗ ଦେଇଥିଲା ଯେ ଗୋଟେ ପଇସା ଛାଡ଼ିଲାନି । ନାଗୁଣି ପରି ଲାଗି ଲାଗି ନେଲା । ପୁଣି କଣନା ପଇସା ନଦେଲେ ଆଉ କୁଟାଖିଏ ଦେବନି । ଆଉ ମୁଁ ସେଠିକି ମାଗଣା ଯିବିନା ? ଯା ବୋଉକୁ କହିବୁ ଯଦି ପାଏ ଗୁଆ ଘିଅ ଦି’ସେରେ ଅରୁଆ ଚାଉଳ ଦେବ ତାହେଲ ଯିବି । ନ ହେଲେ ତା ଦୁଆର ମାଡ଼ିବିନି’’

 

ତୁ କହିଲୁନି ପରେ ଦେବା କଥା ।

 

ତାଙ୍କ ଗୋଡ଼ତଳେ ପଡ଼ି କହିଲେ, ‘‘ଚାଲ ପଛରେ ଟଙ୍କା ହେଲେ ଦେବୁ । ସେ ମୋତେ ମାଇଲେ କହିଲେ, ‘‘ତୋ ବାପାର କଣ ମୁଁ ବେଠିଆ ହୋଇଚି କିରେ ?

 

କହୁ କହୁ କାନ୍ଦି ପକେଇଲା ରଘୁ । ସତେ ଯେମିତି ଶରୀରଟା ଛିଣ୍ଡି ପଡ଼ିଲା ମୁଣ୍ଡ ଉପରେ । କୋଳକୁ ଟାଣି ଆଣିଲା ଚଇ । ବୋକ ଦେଲା ତାକୁ । ସରଳ ମନତାର ବୁଝିଗଲା ମାତୃତ୍ଵର କୋଳ ପାଇ । ସାନଛୁଆଟା ହେଁସରେ ପଡ଼ି କାନ୍ଦୁଛି । ଚଇ ଗଲା ପାଖକୁ । ବାରିପଟୁ ଡାକି ଶୁଭିଲା ‘‘ଚଇ’’ । ପାଣୁଆର କଣ ଆଉ ଝାଡ଼ା ହେଲା । ବାରିପଟକୁ ଗଲା ଚଇ । ଚେତା ଶୂନ୍ୟ ହୋଇ ପଡ଼ିଚି ପାଣୁଆ । ଉଁ ନାଇଁ ଚୁଁ ନାଇଁ । ଡବ ଡବ କରି ଚାହିଁ ହାତ ଠାରୁଚି ତାକୁ । କଣ କହିବ ବୋଧେ । ଦାନ୍ତ ପଡ଼ିଗଲାଣି । ହାତ ଦିଟା ମୁଠା ମୁଠା ହୋଇ ଯାଉଚି । ପୁଣି ହାତ ଠାରିଲା ତାକୁ । ଚଇ ପାଖକୁ ଚାଲିଗଲା । ଅତି ପାଖକୁ । ଓଠ ଦୁଇଟିର ମୃଦୁ କମ୍ପନ । କିଛି କହୁଛି ସେ । କିନ୍ତୁ ତା ଅବ୍ୟକ୍ତ । ଅସ୍ପଷ୍ଟ, ମୁହଁତ କଳା ହାଣ୍ଡିଆ ମେଘର ରୂପ ନେଲାଣି । ସତେ ଯେମିତି ଦେହର ଲାଲ ଅଂଶତକ ସେ କୋଉ ଡାହାଣୀର କରଗତ ହେଇ ସାରିଚି ।

 

ପାଣି ଛାଟିଲା ଚଇ ମରୂଉଦ୍ୟାନର ସୃଷ୍ଟି ପାଇଁ । କିନ୍ତୁ...... । କିନ୍ତୁ ବେକଟିକୁ ବୁଲାଇ ଦେଲା ସେ ତାର ପ୍ରାୟ ଶାଗ କିଆରି ଆଡ଼କୁ । ଚଷାପୁଅ ସେ । ମାଟିତାର ମା’ । ସେଇ ମା କୋଳରେ ହିଁ ବିଶ୍ରାମ ନେଲା ଚିର ଦିନ ପାଇଁ । ନିଷ୍ପ୍ରଭ ସିନ୍ଦୁରକୁ ମୁଣ୍ଡରେ ଧରି ମୁଣ୍ଡ ପିଟଥିଲା ଚଇ ପରଜନ୍ମ ମିଳନର କମନା କରି ।

 

କିଆରୀଟିକୁ ଶେଷ ପ୍ରଣତୀ ଜଣାଇଲା । ତାର ସ୍ଵାମୀଙ୍କର ହାତ ତିଆରି କିଆରି ଏ । କେତେ କଳ୍ପନା ତାଙ୍କର । ଏଥିରୁ ସେ ସୁନା ଫଳେଇ ଥାଆନ୍ତେ । କିନ୍ତୁ ମଣିଷର ଭାବନା ଭାବନାରେ ହିଁ ରହେ । ତାକୁଇ ସେ ଛାଡ଼ିଯିବ ଆଜି । ତାର ହାତ ତିଆରି ଝାଟି ମାଟିଘର ଯାହାକୁ ନେଇ ସେ ଗର୍ବ କରୁଥିଲା, ଯୋଉଠି କେତେ ତନ୍ମୟ ରଜନୀ କଟେଇ ଦେଇଥିଲା ମାନସୀ ସାଜି ଆଜି ତାକୁଇ ଛାଡ଼ି ଯିବ ଦୂରକୁ । କେବେ ଆସିବ ତାର ଠିକ ନାହିଁ । ତେବେବି ତାକୁ ଯିବାକୁ ହବ । ତାର ସ୍ଵାମୀ, ଇହକାଳ ପରକାଳର ଦେବତାଙ୍କର ଶେଷ ଆଜ୍ଞା ପାଳନ ପାଇଁ । ଆଗ ‘‘କିଶରପୁରୁ’’ରେ ଛତର ଖୋଲିଛି । ସେଠି ଯଦି କିଛିକାମ ମିଳେ....... । ଭାବନାର ସୁଅରେ ଠେଲି ହେଇ ଚାଲିଚି ସେ ଆଗକୁ ଆଗକୁ । ତାର ଲହୁ ଛଳ ଛଳ ଜାଲୁ ଜାଲୁଆ ଆଖିରେ ଦେଖିଲା ପିଣ୍ଡାରେ ବସିଚନ୍ତି ମିଶ୍ରପୁଅ । ଯାହାକୁ ତାର ତାର ଅତି ଆଦରର ବଳଦ ଦୁଇଟିକୁ ବିକିଥିଲା । ଜୁହାର ହେଲା ପାଦତଳେ ।

 

ଅହିସୁଲକ୍ଷଣି ହ ।

 

ଆଉ କି ଆଶୀର୍ବାଦ କରୁଚ ସାନ୍ତେ ?

 

ହୋ ଭୁଲ ହୋଇଗଲା । ତୋର ପରା ସୁନାଖେତବାଲା ମରିଗଲେଣି ।

 

ସାଆନ୍ତେ ଆପଣ ତାକୁ ଥଟ୍ଟା କରୁଛନ୍ତି ।

 

ନା’ ଥଟ୍ଟା କରିବି କାହିଁକି, ମୁଣ୍ଡରେ ବସେବଇବି । ମନେପକାଲୋ ଝିଅ ଯୋଉଦିନୁ ସେ ପୁରସ୍କାର ପାଇଲା ସେଦିନୁ ଆଉ ମଣିଷ ମାନୁଥିଲାଟି ?

 

ସିଏଗଲାକଥା ଗଲାଣି ସେ କଥା ଭାବି ଲାଭ କଣ ? କଲ୍ୟାଣ କରନ୍ତୁ ସେଠି ସେ ଯେମିତି ସୁଖରେ ରହନ୍ତୁ ।

 

ଆଉ ତୁ ଚାଲିଲୁ କୁଆଡ଼େ ।

 

କଣ କରିବି ସା’ନ୍ତେ ? ପିଲା ଦିଟାଙ୍କୁ’ତ ବଞ୍ଚେଇବାକୁ ପଡ଼ିବ ।

 

ହଁ ସେଥିପାଇଁତ ଛତର ଅଛି । ତାପରେ ତୁ ଚାହିଁଲେତ ତୋ ପିଲାଛୁଆଙ୍କୁ ପୋଷିବାକୁ ବହୁତ ବାହାରିବେ । ତାପରେ ସେ ଯେଉଁ ହାକିମଟା ଅଛି ସେ ତ ଏ ଛୁଆଙ୍କୁ ଆପଣାର କରି ରଖିବ ।

 

ସାଆନ୍ତେ..... !!!

 

କିଲୋ ଚମକି ପଡ଼ିଲୁ କି ? ଯାଉନୁ ଦେଖିବୁ । ସେତେବେଳେ ମୋତେ କହିବୁ । କେତେ ଝିଅ ବୋହୁ ତାର ଏମିତି ଆପଣାରନା ।

 

ଭାଗ୍ୟରେ ଯାହାଥିବନା ସାନ୍ତେ ।

 

ହ, ତା ନୁହେଁ ଆଉକଣ ? ଭାଗ୍ୟରେ ଥିଲା ବୋଲି ପାଣୁଆ ତତେ ପାଇଥିଲା ଭାଗ୍ୟରେ ଅଛିବୋଲି ତୁ ଏମିତିକା ହାକିମ ପାଇବୁ ?

 

କାନରେ ହାତ ଦେଲା ଚଇ । ଏଇ କଣ କହୁଛନ୍ତି ସା’ନ୍ତେ । ସେ ତାର ବାପ ସମାନ । ତାହେଲେ ସେ କଣ ଆତ୍ମହତ୍ୟା କରିବ ? କିନ୍ତୁ....... । ପିଲାଗୁଡ଼ାକୁ ଛତରକୁ ସେ ଛାଡ଼ିବନି । ଆକାଶରୁ ସତେ ଯେମିତି କିଏ କହୁଚି । ‘‘ଚଇ ମୋକଥା ତୁ ଏମିତି ଭୁଲୁକଲୁ । ପଥଭୁଲନାତୁ ।’’ ଚାଲିଯାଉଥିଲା ଚଇ । ଫେରିଆସିଲା ଦି ହାତେ । ଘୁରି ଚାହିଁଲା । ମିଶ୍ରେ ହସୁଛନ୍ତି ସେମିତି ଦାନ୍ତ ନିକୁଟି ।

 

ବିଶେଷର ପୁର ଏଇ ଦେଖା ଗଲାଣି । ପାଖ ବରଗଛଟା ପାର ହୋଇଗଲେ ପଡ଼ିବ ସେଇ ଅଖ୍ୟାତ ପଲ୍ଲିର ସୀମା । ଦିନେ ହୁଏତ ଅଖ୍ୟାତ ଥିଲା । କିନ୍ତୁ ଆଜି.... । ଛତର ଖୋଲିଛି ସେଠି । ଜିପ୍‍ କାରର ସୁଅଛୁଟିଛି । ସବୁ ନିମ୍ନଗାମୀ ନଈମାନଙ୍କର ସୁଅ ଗୋଟିଏ ଆଡ଼କୁ । ସେଇ ଦଧିସାଗର ଛତର ଆଡ଼କୁ । ରୋଷେଇ ଧୂନି ଏଠିକିବି ଦେଖା ଯାଉଚି ।

 

ନଥକିନା ବସିପଡ଼ିଲା ରଘୁ । ପଞ୍ଜରା ହାଡ଼ କେତୋଟି ଯେମିତି ଚମଡ଼ା ପାଚେରୀକୁ ଭାଙ୍ଗି ମୁକ୍ତ ପାଇବାପାଇଁ ବିଦ୍ରୋହ କରିବାରେ ଲାଗିଛନ୍ତି । ସେଇ ଆଖି ଦୋଓଟି ଯେଉଥିରେ କି ଦିନେ ମଣି ମୁକୁତାର ଝଲକ ଥିଲା, ଯୋଉ ଦିଟିରୁ ଶତାଂଶୁର ଅଂଶୁ ନିର୍ଗତ ହେଉଥିଲା, ସେ ଆଜି ନିଶ୍ପ୍ରଭ ପ୍ରାୟ । ଦୁନିଆରେ ବୁଭୁକ୍ଷୂର ରୂପ ଦେଖିବାକୁ ସେ ଯେମିତି ନାରାଜ । ଶଂଙ୍କିଯାଇ ପଶିଯିବାକୁ ଚେଷ୍ଟା କରୁଚି ସେ କୋଠରି ଭିତରକୁ ।

 

ଆଉ ଯାଇପାରିବିନି ବୋଉ ।

 

ବାପାଟା ପରା ଏତେବାଟ ଆସିଲୁ ଆଉ ଏତିକି ବାଟ ଯାଇପାରିବୁନି ? ଏଇ ପରା ଛତର ଦେଖାଯାଉଚି ।

 

ଏଇଦେଖା ଯାଉଚି ବୋଲିତ ଏତେବାଟ ଆଇଲେଣି ।

 

ହଁରେ ବାପା ବହୁତ ବାଟ ଆସିଲେଣି ଆଉ ଟିକେ ଚାଲ ।

 

ମୋତେ ଭାରି ଶୋଷ ପାଣିମୁନ୍ଦେ ନଦେଲେ ....... ।

 

ପାଣି ? କୋଉଠୁ ପାଇବ ସେ । ଚାହିଁଲା ଦୂରକୁ । ବହୁତ ଦୂରକୁ । ମରିଚିକାର ଝିଲମିଲ୍‍ ନାଚ । ହାତ ଠାରି କହୁଛି ସେ, ‘‘ରେ ପଥିକ ତୃଷାନଳରେ ଜଳିଯିବା ପୂର୍ବରୁ ମୋ କୋଳକୁ ଆସିବାକୁ ଚେଷ୍ଟା କର । ତୃଷା ତୋର ନିର୍ବାପିତ ନ ହେଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଚେଷ୍ଟା ଯେ କରିବୁ ଏଇ ଶାନ୍ତିତ ପାଇବୁ ?’’

 

ବିବେକର ତାଗିଦ୍ । ବିବେକର ଚେତାବନି–‘‘ରେ ବିଭ୍ରାନ୍ତ ପଥିକ କଳିଯୁଗର ଏଇ ବିଭ୍ରାନ୍ତକାରୀ ଏଇ ଉପଦେଶରେ ପଡ଼ି ତୁ ବାଟ ହୁଡ଼ନା । ଏ ମାୟା ବନ୍ଧନରେ ଥରେ ପଡ଼ିଲେ ଜୀବନର ଶେଷ ପର୍ଯ୍ୟନ୍ତ ଦାସ ହୋଇ ରହିବାହିଁ ସାର ହେବ ।’’

 

କଣ କରିବ ଚଇ । ମରିଚିକାର ଆହ୍ଵାନ ଆଉ ବିବେକର ଚେତାବନୀ ଯେପରି ତାକୁ ବିବୃତ କରିବାକୁ ଚେଷ୍ଟା କରୁଥିଲେ । ରଘୁକଣ ତାର ଆକ୍ଷି ଆଗରେ ଟୋପେ ପାଣି ପାଇଁ ତାର ବାପ ପାଖକୁ ଚାଲିଯିବ ଅଭିମାନ କରି ? ମାତୃତ୍ଵ ସ୍ନେହ ବନ୍ଧନର ବିଜୟ ବାନା ଉଡ଼ାଇବାକୁ ସେ ଚେଷ୍ଟାକଲା–

 

ରଘୁ, ବାପଟା ପରା ଆ ମୁଁ କାଖେଇ ନେଇଯିବି ।

 

ବୋଉ ପାଣି ନ ପିଇଲେ ମୁଁ ମରିଯିବି ।

 

ଛି ଏମିତି ଅଲେକ୍ଷଣା କଥା କହନ୍ତି ! ଉଠୁ ବାପ ଆଉଟିକେ ବାଟଗଲେ ତୋତେ ଖାଇବାକୁ ଦେବି । ପାଣିଦେବି ।

 

ପାଟିଶୁଖି ଯାଉଚି ବୋଉ ମୁନ୍ଦେ ପାଣି.......

 

କଥା ଶେଷ କରିପାରିଲାନି ରଘୁ । କଡ଼କୁ ଢଳି ପଡ଼ିଲା ଚେତା ଶୂନ୍ୟ ହୋଇ । ମାତୃହୃଦୟ ତାର ବିଳପି ଉଠିଲା । ବିବେକ ତାର ହାର ମାନିଲା । ସାନ ଗୁଜିକୁ ଗଡ଼େଇ ଦେଇ ଦଉଡ଼ିଲା ସେ ଟୋପେ ପାଣି ପାଇଁ, ଟୋପେ ଜୀବନ ଦାୟକ ମରୁତର ସଂଧାନରେ । ବିଲର ଫାଟ ଗୁଡ଼ା ଆଁ କରି ଟାକି ବସିଛନ୍ତି । ଗୋଡ଼ ପଡ଼ିଲେ ସେଥିରୁ ରକ୍ତ ଟାଣିନେଇ ସେଥିରୁ ତୃଷ୍ଣା ମେଣ୍ଟାଇବେ । ଚଇ ଦଉଡ଼ୁଚି ଆଗପଛ ନ ବିଚାରି; ଖାଲଢିପ ନମାନି । ଗୋଡ଼ର କେତେ ଜାଗାରୁ ରକ୍ତର ଧାରା ବୋହିବାକୁ ଆରମ୍ଭ କଲେଣି । ଖୁଣ୍ଟଟାରେ ବାଜି ଆଗକୁ ଝୁଙ୍କି ପଡ଼ିଲା ଚଇ । ତଳକୁ ଚାହିଁଲା । ବୁଢ଼ାଆଙ୍ଗୁଠିର ନଖଟା ଉଡ଼ିଯାଇଚି । ରକ୍ତର ସୁଅ ଛୁଟିଚି ଅନବରତ । କାନିରୁ ଖଣ୍ଡେ ଚିରି ଥାପିବାକୁ ଚେଷ୍ଟା କଲା । ସେ ସୁଅ ବନ୍ଦହେବାର ନୁହେଁ । ଧୁଳି ଟିକେ ମାରିଦେଇ ଚାଲିଲା ଆଗକୁ ।

 

ପ୍ରଧାନ ପୁର ଗାଁ । କେବଳ ଚାରି ପାଞ୍ଚୋଟି ନାମଜାଦା ଘରକୁ ଛାଡ଼ିଦେଲେ ସବୁଘର ଫାଙ୍କା । ଦିନ ଦ୍ଵି ପ୍ରହରେ କେବଳ ବିଲୁଆ ମାନଙ୍କର ଆଡାସ୍ଥଳିରେ ପରିଣତ ହୋଇଚି । ରାତିରେ ଝିଙ୍କାରୀର ଝି ଝି ଶବ୍ଦ ଛଡ଼ା ଆଉ କୌଣସି ଶବ୍ଦ ଶୁଣିବାକୁ ମିଳିନି ।

 

ପ୍ରଥମ ଘରେ ଝନଜିର ବାଡ଼େଇଲା ଚଇ । ଜଣେ ବୃଦ୍ଧା ଆସିଲେ ଦନ୍ତହୀନ ପାଟିରେ ପାନଟିକୁ ବେଶ ପାକୁଳେଇ ହଜମ କରିବାରେ ଚେଷ୍ଟା କରୁଥାନ୍ତି । ଭିକାରୀ ଦେଖି ଦେଖି ତାଙ୍କ ଦେହ ସୁହା ହେଇ ଗଲାଣି ବୋଧେ । ଚଇକୁ କଟମଟ କରି ଚାହିଁଲା ପରେ ଓଠରେ ଗୋଟିଏ ମଳିନ ହସରେଖା ଟାଣି କବାଟ ବନ୍ଦ କଲେ । ଚଇ କଥା ବାହାରେ ଆତ୍ମ ପ୍ରକାଶ କରିବାର ସୁଯୋଗ ପାଇଲା ନାହିଁ ।

 

ମୁହଁ ବୁଲାଇଲା ଚଇ ଦ୍ୱିତୀୟ ପାଖକୁ । କାଳି ହେଇ ଯୋଉ ଜଣକ ଆସିଲେ ଦିନେ ହୁଏତ ତାଙ୍କର ଗାଲରେ ମାଉଁସ ଓହଳି ଥିବ । ଦିନେ ହୁଏତ ଯୌବନର ଶ୍ରୀ ରେ ମଣ୍ଡିତ ହୋଇ ତାଙ୍କ ସ୍ଵାମୀଙ୍କ ସହ କଳିରଚନା କରିଥିବେ । କିନ୍ତୁ ଆଜି ହନ୍ତୁହାଡ଼ ଦିଟା ହିମାଳୟର କାଞ୍ଚନଜନ୍‍ଘା ପରି ଉପରକୁ ମୁଣ୍ଡ ଟେକିବାକୁ ଚେଷ୍ଟା କଲେଣି । ଅଙ୍ଗ ଉପାଙ୍ଗରେ ଭଗ୍ନ ଯୌବନର ଲକ୍ଷଣ ସ୍ପଷ୍ଟ ପ୍ରତୀୟ ମାନ । କହିଲେ ସେ.......

 

କଣ କିଲୋ କାହିଁକି ଏମିତି ରଡ଼ି ଛାଡ଼ୁଥିଲୁ ?

 

ଛାଇ ଗୋଡ଼ ତଳେ ମୁଣ୍ଡ ପିଟିଦେଇ କହିଲା–‘‘.... ???’’

 

ଆହା ହ ଲୋ ମୋ ଗେଲ-ବସର ଝିଅ । କି ଅଳି କରୁଛୁ ? ଗଣ୍ଡେ ଭାତ ? ନ ହେଲେ ବୋଲେ ତୋରାଣି । ଉଁ ?

 

ନାଇଁ ମା....... ।

 

ଆଉ ସକାନା ଲୋ । ଯା ଯା ମୋର ଘରେ କିଛି ନାହିଁ ।

 

କବାଟ କିଳିଲେ ସେ । ମୁହଁ ବୁଲାଇଲା ଏଥର ଆଗକୁ । ଗୋଟିଏ ପିଣ୍ଡାରେ ବସିଛନ୍ତି ଜଣେ ବୃଦ୍ଧ । ରୁଦ୍ରାଷ ମାଳା ଧରି ରାମ ରାମ ଜପୁଥିଲା ବେଳେ ନିଜର ଅତୀତକୁ ମନେ ପକାଇ ଚାଲିଥାନ୍ତି ସେ । ତାଙ୍କର କୈଶୋର ଅବସ୍ଥାର କଥା, ତାଙ୍କର ଯୌବନ ଆବସ୍ଥାର କଥା । ଶେଷରେ ହୁଏତ ତାଙ୍କର ବୃଦ୍ଧତ୍ଵ କଥା ମନେ ପକାଇ କାନ୍ଦିବାକୁ ଚେଷ୍ଟା କରୁଥିଲେ । ହୁଏତ ସେଇ ଦୁଇଧାର ଦ୍ୱାରା କିଛି-ହେଲେ କ୍ଷୁଧା ଲାଘବ ହେବ । ଚଇ ଗୋଡ଼ ଧରି କାନ୍ଦିବାକୁ ଆରମ୍ଭ କଲା । ବୃଦ୍ଧ ଉଠାଇ ପଚାରିଲେ ।

 

କଣ ହୋଇଚି ମା...... ?

 

ବାବା ମୁଁ ଜଣେ ଦୁଃଖି । ପୁଅ ମୋର ପାଣି ଟୋପେ ବିନା ବେହୋସ ପଡ଼ିଚି ମୁନ୍ଦେ ପାଣି ।

 

ରୁଦ୍ରାକ୍ଷ ମାଳାଟି ଖସି ପଇଲା ହାତରୁ । ବୃଦ୍ଧଙ୍କ ଆଖିରେ ପୁଣି ଦୁଇଧାର ଲୁହ । ଦିନେ ହୁଏତ ସେ ଜଳଛତ୍ର ବାଣ୍ଟି ଧର୍ମ କରୁଥିଲେ । କିନ୍ତୁ ଆଜି ....... । ଆଜି ନାହିଁ କରିବେ କେଉଁ ମୁହଁରେ । ଚୁପ୍‍ ରହିଲେ ସେ । ବାବା ପୁଅର ସିଆଡ଼େ ଚେତା ଆସିବଣି ।

 

ତଥାପି ସେ ନିରୁତ୍ତର । ଜୀବନ ସଂଗ୍ରାମରେ ସେ ହାରି ଯାଇଛନ୍ତି । ଧର୍ମ କରିବା ଦୃଢ଼ ସଙ୍କଳ୍ପ ନେଇ ସେ ଯେଉଁ ବନ୍ଧୁର ପଥକୁ ସମତଳ କରି କରି ଯାଉଥିଲେ ଏ ଦୁର୍ଭିକ୍ଷ ତାକୁ ପୁଣି ଆବୁଡ଼ା ଖାବୁଡ଼ା କରିଦେଲାଣି । ଆଉ ସମତଳ କରିବା ଧୈର୍ଯ୍ୟ ନାହିଁ କି ବୟସ ବି ନାହିଁ । ଚଇ ହଲେଇ ଦେଇ କହିଲା ବାବା ଚେତନା ଫେରି ପାଇଲା ପରି କହସେ..... ।

 

କଣ ମା ?

 

ବାବା ପିଲାଟା ଟୋପେ ପାଣି ନ ପାଇଲେ ମରିଯିବ ଯେ ?

 

ହେଲେ ମା ମୁଁ ଅସମର୍ଥ ।

 

କାହିଁକି ବାବା ଟୋପେ ପାଣି ଦେଲେ କଣ ଆପଣଙ୍କର ପାଣି ଭଣ୍ଡାର ସରିଯିବ ?

 

ଗୋଟେ ଜୀବନକୁ ବଞ୍ଚେଇବାକୁ ଆପଣ ଏତିକି କରି ପାରିବେନି ?

 

ପାରିଥାନ୍ତି ମା ଯଦି ଦୁନିଆରୁ ମୋର କେହି ନ ଥାନ୍ତେ ।

 

ତାହେଲେ କଣ ମୁଁ ନିରାଶ ହେବି ବାବା ?

 

ମୁଁ ନିରୂପାୟ ମା ।

 

ଚଇମନରେ ପରିବର୍ତ୍ତନ । ଆଖିରୁ ଲୁହ ପୋଛିଲା ସେ । ଏ ଲୁହ, ଏ କାକୁତି ମିନତି କରି କିଏ କାହାକୁ ଜିତିନି କେବେ । କଞ୍ଚା ଲୁହା ଦେଖିଲେ ସମସ୍ତେ ପାଣି ଦିଅନ୍ତି । ସେ ମାଡ଼ ଖାଇବ । ଚିନ୍ତା ନାହିଁ । ସେଇଥିରୁ ସେ ପାଇବ ସ୍ଵର୍ଗର ଶାନ୍ତି । କୁକୁର ମୁହଁରୁ ଛଡ଼େଇ ଆଣିଲା ସେଇ ଦଦରା ହାଣ୍ଡିଟା । ଗହିରିଆ କରି ଖପରା ଖଣ୍ଡେ ଭାଙ୍ଗିଲା । ପାଖ ଘରେ କେହି ନାହିଁ ।

 

ଦଦରା ତାଟିତାକୁ ପେଲି ପଶିଲା ଭିତରକୁ । ଗୋଦା ଟିପି ଟିପି ଆସ୍ତେ ଆସ୍ତେ ଆଗେଇଲା ସେ ରୋଷେଇ ଘର ଆଡ଼କୁ । କେହି କୁଆଡ଼େ ନାହିଁ । ମା’ଟା ଖାଇ ସାରି ଅଳସ ଭାଙ୍ଗୁ ଭାଙ୍ଗୁ ପିଲା ସାଥିରେ ଟିକେ ଘାଲେଇ ପଡ଼ିଚି ବୋଧେ । କଳା ବିଲେଇଟା ମିଆଉଁ ମିଆଉଁ ହେଇ ଚାଲିଗଲା ଦୂରକୁ । ନିଷ୍କଣ୍ଟକ ରାସ୍ତାରେ ଆଗେଇ ଚାଲିଲା ଚଇ । ଶିକୁଳି ଖୋଲିଲା । ଖୁବ୍ ଆସ୍ତେ । ବାୟୁରେ ଯେପରି ତରଙ୍ଗ ସୃଷ୍ଟି ନହୁଏ । ଆଗରେ ଦୁଇଟି କୁମ୍ଭ । ଗୋଟିଏ ପୂର୍ଣ୍ଣ ଆନ୍ୟଟି ଅଧା । ମନତାର କରୁଳି ଉଠିଲା । ଦିନେ ବନ୍ଧୁଙ୍କ ଆଦେଶରେ ବିଧୁରା ଜନନୀଟି ଭିକ୍ଷା ମୁଠେ ପାଇନଥିଲା । କିନ୍ତୁ ସେ.... । ରଘୁର ଜୀବନ କବଚ ସେ ପାଇଚି । ମାତୃତ୍ଵ ତାର ସଫଳ ହୋଇଚି-

 

ପିଲାଟି କାନ୍ଦିଉଠିଲା କେଁ କରି । ଘରଣୀଙ୍କ ନିଦ ବୋଧେ ଭାଙ୍ଗି ଗଲା । ଉଠିଆସିଲେ ପଦାକୁ । ତୁନିକରିବେ ସେ । ଆଖିରେ ପଡ଼ିଲା କିଏ ଜଣେ ରୋଷେଇ ଘରେ । ଆଗେଇଗଲେ । ହାତରେ ମୁନ୍ଦେ ପାଣି । ଚିହିଁକି ଉଠି ରଡ଼ି ଛାଡ଼ିଲେ । ସମଗୋତ୍ରୀୟ ଅନ୍ୟ କୁକୁର ଗୁଡ଼ାକ ‘ଭୋ’ କରି ଦୌଡ଼ି ଆସିଲେ ଭିତରକୁ । ଚଇ ଥରୁଚି ଗୋଟାପଣେ ।

 

ଆଖି ପଡ଼ିଲା ଜଣକର–

 

ଆରେ ଏଇଟା ଚୋରଣିଟାଏ ରେ ।

 

ହଁ ଦେଖୁନୁ । ପାଣିଗୁରା କେମିତି ଚୋରି କରି ନେଉଚି ।

 

ଟୋକାଳିଆ ରକ୍ତରେ ନିଆଁ ଲାଗିଗଲା ଭିଡ଼ି ଆସିଲେ ଜଣେ ଯୁବକ । ରୂପ ଅବୟବରେ ଯୌବନର ଗନ୍ଧ ନଥିଲେ ମଧ୍ୟ ବୟସ ଅନୁପାତରେ ଯୁବକ । ଭିଡ଼ି ଆଣିଲେ ଚଇକୁ–

 

କିଲୋ, ଶାଳି କଣ ଚୋରି କରୁଥିଲୁ ?

 

ନାଇଁ ବାବୁ ପୁଅଟା ମୋର ପାଣି ଟୋପେପାଇଁ ବେହୋସ ହୋଇ ପଡ଼ିଚି । ମୋତେ ଛାଡ଼ିଦିଅ । ପୁଅ ସିଆଡ଼େ ଉଠିବଣି ।

 

ଆହାଲୋ ପୁଅ ସୁଆଗି, ଯା ତୋ ପୁଅ ପାଖକୁ ।

 

ଠେଲି ଦେଲେ ଦୂରକୁ । ସହିପାରିଲାନି ଚଇ । ହାତରୁ ଖସି ପଡ଼ିଲା ଖପରାଟି । ପୁଅର ଜୀବନ୍ୟାସ ପଡ଼ିଗଲା ଇୟାଡେ ସିଆଡ଼େ । ଦୁଆର ବନ୍ଧର ଆଘାତରେ ମୁଣ୍ଡରୁ ଛୁଟୁଥିଲା ଅସରନ୍ତି ଲହୁର ସୁଅ । ଆଖିରେ ଆଖିଏ ଲୁହ । ଗରିବ ମାଇପ ସମସ୍ତଙ୍କ ଶାଳୀ । ଉଠି ଚାହିଁଲା ପଛକୁ । ଦଳଟା ହସୁଛନ୍ତି । ବିଭତ୍ସ ସେ ହସ । ନିଷ୍କରୁଣ ସେ ହସ ।

 

ଛତରରେ ଶହେ ଏକୋଇଶି ନମ୍ବର ପଲ୍ଲା । ‘ବିଶେଷର ପୁର’ ଛତରରେ ଧାଡ଼ି ଧାଡ଼ି ଲମ୍ବି ଯାଇଥିବା ପଲ୍ଲାଗୁଡ଼ିକରୁ ଶେଷ ପଲ୍ଲାଟି । ପତର ଛୁଆଣି ନୂଆଣିଆ । ସିଧା ଛିଡ଼ାହେଲେ ମୁଣ୍ଡ ବାଜିବ । ସେଥିରେ ରହିବାକୁ ଲୋକଙ୍କର କି ଆଗ୍ରହ ! ଏଇ ଟିକକ ଆଶ୍ରା, ଏଇ ଟିକିଏ ନୂଆଣିଆ ଛାଇ ପାଇଁ କାହିଁ ବାଟରୁ ଲୋକ ଛୁଟିଛନ୍ତି ହୃଦୟରେ ଭରା କଳସୀର ଆଶାନେଇ, କଣ୍ଠରେ ସାହାରାର ତୃଷାନେଇ ।

 

‘ଗୁଜି’କୁ ବାହାରେ ଗଡ଼େଇ ଦେଇ ଭିତରଟିକୁ ସଫା କରିବାକୁ ଲାଗିଲା ଚଇ, ପତର ଝାଡ଼ୁରେ । ଚାହିଁଲା ଉପରକୁ । ନିଉଛୁଣା ପତରଗୁଡ଼ା କି ଦାଉ ସାଧୁଛନ୍ତି । ସେମାନେ ଦୂରେଇ ଯିବାକୁ ପ୍ରସ୍ତୁତ । ଠାଏ ଠାଏ ଛୋଟ ଛୋଟ ଜଳା ଦେଖା ଯାଉଚି । ବନ୍ଦ କରିବାକୁ ହେବ । ବାହାରି ଆସିଲା ପଦାକୁ ।

 

ଦୂରକୁ ଚାହିଁଲା । ବହୁତ ଦୂରକୁ । କୋରଡ଼ ଗତ ଆଖି ଗୁଡ଼ିକର ରଶ୍ମି ଯେତେବାଟ ଯାଇପାରେ । କାହିଁ ପତର ତ ଦେଖାଯାଉନି ? ଖାଲି ନଣ୍ଡା ଗଛଗୁଡ଼ା । ତାର ଯୌବନ ଯାଇଚି । ହତଶ୍ରୀ ହୋଇଛି ସେ ଧୀର ପବନର ପରଶରେ ସେ ଆଉ ଖିଲଖିଲହୋଇ ହସି ଉଠୁନି । ତୋଫାନ ସାଥିରେ ସେ ଆଉ କ୍ରିଡ଼ା ରଚି ପାରୁନି ।

 

କେବଳ ବେଳେ ବେଳେ ଥରି ଉଠୁଚି ।

 

ଖରା ଦାଉରୁ ରକ୍ଷା ପାଇବାପାଇଁ ସମସ୍ତେ ତତ୍ପର ।

 

ଶୁଖିଲା ପତର ଗଡ଼ି ଗଡ଼ି ଚାଲିଚି ପବନରେ । କଙ୍କାଳ ଗୁଡ଼ା ଗୋଡ଼ାଇଛନ୍ତି ପଛରେ, ବୁଲା କୁତି ପରି । ପରିଧାନ ପ୍ରତି ଧ୍ୟାନ ନାହିଁ । ପୁରୁଷ ସ୍ତ୍ରୀର ବାଗ ବିଚାର ନାହିଁ । ବର୍ଣ୍ଣ ବୈଷମ୍ୟର ବ୍ୟବଧାନ ବନ୍ଧୁତାରେ ପରିଣତ ହେଲାଣି । ଗୋଟିଏ ପତର ପାଇଁ କଳିଲାଗି ଯାଉଛନ୍ତି ନିଜ ଭିତରେ । ଠେଲାଠେଲି ମରାମରି ପର୍ଯ୍ୟନ୍ତ ଚାଲି ଯାଉଛି ।

 

ଗାଁର ସୁନାନାକି ବୋହୁ ପାହାନ୍ତା ଗାଧୁଆ ଭୁଲିଲାଣି । ଓଢ଼ଣା ପାଇଁ କାନିଟା ଟାଣିଲେ ବି ପାଉନି । ଅସୂର୍ଯ୍ୟଂପଶ୍ୟା ଆଜି ଦାଣ୍ଡରେ । ପର ପୁରୁଷ ସାଥିରେ କଳି କରୁଛି ଖଣ୍ଡେ ପତର ପାଇଁ । ଗଣ୍ଡେ ଭାତ ପାଇଁ ମୁହେଁ ମୁହେଁ ବକାବକି ଠେଲାଠେଲି । ନୂଆ ଭାଆଷୁଣି ଦେହରେ ଅନ୍ୟର ଛାଇ ପଡ଼ିଲେ ସେ ଆଉ ଚମକି ଉଠୁନି କି ଅନ୍ୟ ପୁରୁଷର ଦେହ ଗାଁର କେଉଁ କଣପସା ମାଇପିଠି ବାକିଲେବି ନିଶାପ କରିବାକୁ ମିଶ୍ର ପଞ୍ଛା ପଂଝାଏ ନାହାନ୍ତି । ସମସ୍ତେ ଆଜି ଏକାକାର । ସବୁ ନଦୀ ନିଜକୁ ହଜାଇ ଦେଇଛନ୍ତି କ୍ଷୁଧାର ସମୁଦ୍ରରେ । ଭଙ୍ଗା ମହାନଦୀର ବିଚାର ନାହିଁ କି ସାପୁଆ ସାଳନ୍ଦୀର ବିଚାର ନାହିଁ । ସମସ୍ତେ ଏକ । ଉଦ୍ଦେଶ୍ୟ ସମାନ । ପେଟକୁ ଗଣ୍ଡେ ଦାନା ଆଉ ପିନ୍ଧିବାକୁ ଖଣ୍ଡିଏ କନା । ସେତିକି ଯଥେଷ୍ଟ । ଏଇତକ ଯୋଗାଡ଼ କରିପାରିଲେ ସେମାନେ ନିଜକୁ ଧନ୍ୟ ମନେ କରିବେ । ବର୍ତ୍ତମାନ ଆଉ ଗଙ୍ଗାର ପବିତ୍ରତା କି ମହାନଦୀର ବିଶାଳତା ଦରକାର ନାହିଁ ।

 

ଚଇ ଦେଖୁଥିଲା ସୁଆଙ୍ଗର ପଟ ପରିବର୍ତ୍ତନ । କେତେ ବେଶ କେତେ ଘଟଣା । ସତରେ ସେ କଣ ଏ ଯୁଦ୍ଧରେ ପାରିବ ? ସାମାନ୍ୟ ବାନରଟେ ହୋଇ କଣ ଲଙ୍କାଗଡ଼ ଜୟର ସ୍ଵପ୍ନଦେଖି ପାରିବ ? ? ? ଦୂରରୁ କିଏ ଡାକୁଚି–‘‘ପାଣୁଆ ଦୌଡ଼ିଆରେ ଏଇଠି ମେଞ୍ଚେ ପତର ପଡ଼ିଚି ।’’

 

ପାଣୁଆ ! କିଏ ଏଇ ପାଣୁଆ । ତାର–– । ନା ନା ତା ହୋଇପାରେ ନା !!! ନିଜ ହାତରେ ସେ କନା ଢାଙ୍କି ଦେଇଚି । ତା ଛାତିରେ ଘଣ୍ଟା ଘଣ୍ଟା ପଡ଼ି ଲୁହରେ ଭିଜେଇ ଦେଇଚି । ସେ କଣ ଏତେ ନିଷ୍ଠୁର ହେଇପାରେ ? ତରି ପାଦତଳେ ସେଦିନ କାଚ ଦିପଟିକୁ ଅତି ନିର୍ମମ ଭାବରେ ପିଟି ଦେଇ ପୋଛି ଦେଇଥିଲା ସଧବାର ଶେଷ ସନ୍ତକ ସିନ୍ଦୁର ଟିପାଟି । ଏ ସବୁ ଶୁଣି କଣ ସେ ସହିପାରିଥାନ୍ତା ? ଆଜି ଯଦି ସେ ଥାନ୍ତା.... ?

 

ସେ ଯାଇଚି, ଯାଉ । ଭଲ ହେଇଚି । ସେ କଣ କରିଥାନ୍ତା ଏ ଭିଡ଼ା ଓଟରାକୁ ହୁଏତ ସବୁ ଦେଖି ଅତୀତକୁ ଝୁରି ଝୁରି ମରିଥାନ୍ତା । ତା ଅପେକ୍ଷା ତାର ମରଣ କଣ ଭଲ ନୁହେଁ ? ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ମା କୋଳରେ ଟଳି ପଡ଼ିଛି । ଛତ୍ରଭଙ୍ଗ ଦେଇନି ତ ? ହେଲେ..... ।

 

ସେ ଯଦି ଥାନ୍ତା ରଘୁ ଆଜି ତାକୁ ଅଭିମାନ କରି ଚାଲିଯାଇ ନ ଥାନ୍ତା । ଟୋପେ ପାଣିପାଇଁ ତାର ଗୋଟେ ହାତ ଛିଣ୍ଡି ପଡ଼ି ନ ଥାନ୍ତା । ଏ ଜଳାଗୁଡ଼ା ହୁଏତ ତାକୁ ଆଜି ଉପହାସ କରୁ ନ ଥାନ୍ତେ ।

 

ଅଜଣାତରେ କାନ୍ଦୁଚି ଚଇ । କାନିରେ ମୁହଁ ଗୁଞ୍ଜି କାନ୍ଦୁଚି । ମନ ହେଉଚି ମୁଣ୍ଡ ପିଟି ଦିଅନ୍ତା କି ? ସବୁ ଶେଷ ହୁଅନ୍ତା । ପାଣୁଆ ସିଆଡ଼େ ଅନେଇ ବସିଥିବ ଯେ.... । ବାପ ପୁଅ ଭାରି ନିଷ୍ଠୁର । ସରଗରେ ତାରା ମେଳରେ ଖେଳୁଚନ୍ତି । ଆଉ ଆମେ ମା ଝିଅ...... ।

 

କଙ୍କାଳଟେ ପାଖେଇ ଆସିଲା । ଦୁର୍ବଳ ହତଟାକୁ ଚଇ ଉପରେ ରଖୁ ରଖୁ କହିଲା, ‘କାନ୍ଦୁଚୁ’ ।

 

ଚଇ ଛିଡ଼ାହେଲା । ଆକ୍ଷିରେ ହାତମାରିଲା । ସତରେ ଲୁହ ଦିଧାର, ତେବ ସେ କଣ କାନ୍ଦୁଥିଲା ? କାହିଁକି ?? କାନ୍ଦତାର ସବୁଦିନ ପାଇଁ ସରିଯାଇଚି । ଛାତିତାର ପଥର ହୋଇଯାଇଚି-। ସେଥିରୁ କଣ ପାଣି ବାହାରି ପାରେ । ତେବେ ସେ କାନ୍ଦୁଥିଲା କାହିଁକି ? ଚାହିଁଲା, ଆଗରେ ବୁଢିଟିଏ । ଝୋଟପରି ବାଳ । କାହିଁ କେତେବାଟରୁ ଆସିଚି ପେଟ ଚାଖଣ୍ଡକ ପାଇଁ । ତେବେବି ସେ ହସୁଚି । ଅବାକ୍ ହେଲାଚଇ । ଏ ହସ କଣ ତା ଅନ୍ତରର ? ଏ କ’ଣ ପୂର୍ଣ୍ଣଗର୍ଭା ନଈର କଳକଳ ଛଳ ଛଳ ହସର ଧାରା ?

 

କଣ ଚାହିଁଚୁ ଝିଅ, ଦୌଡ଼ି ଯା ବେଳ ଥାଉ ଥାଉ ଆଉ ଦି’ଟାପତର ଆଣି ମାଡ଼ିଦେ । ନହେଲେ ସବୁ ସରିଯିବ । ତୁ ହାରିଯିବୁ । ଖରା ମାଡ଼ି ଆସୁଚି । ଛଟପଟ ହୋଇ ମରି ଯିବୁ ଯେ । ତୁ ଏକାଥିଲେ କିଛି ନଥିଲା । ଚାହିଁଲୁ ଏ ଛୁଆଟିକୁ ।

 

ଆଠ ମାସର ଛୁଆ ଗୁଜି ହସୁଚି । ଦରୋଟି ହସ । ଆମେରିକା ଦୁଧଟିକେ ପେଟରେ ପଡ଼ିଚି । ଗୋଡ଼ ହାତ ଛାଟୁଚି । ଅନେକ ଦିନପରେ ଗୁଜିର ଏ ହସ । ଚଇ ହସିଲା । ସତେ ସେ ଛିଡ଼ା ହୋଇଚି କାହିଁକି ? ଗୁଜିର ଏ ହସଟାକୁ କଣ ସବୁଦିନ ଏମିତି ଧରି ରଖିପାରିବନି ?

 

ମାଦଳପରି ଗଡ଼ିଚାଲିଛନ୍ତି ପତର ଗୁଡ଼ା । ପଛେ ପଛେ ଗୋଡ଼ାଇଲା ଚଇ ମାତୃତର ସଫଳତା ପାଇଁ । ଗୋଟେ ଝଙ୍କା ବରପାଖେ ପହଞ୍ଚିଲା । ଡାଳ ମେଲିଚି ଚାରିକାନି । ପତ୍ରର ଶେଷ ଚିହ୍ନବି ନାହିଁ । ଦୁଇ ତିନିଟା କଙ୍କାଳ ଗୋଟେଇବାରେ ଲାଗିଛନ୍ତି । ଚଇବି ନଇଁଲା । ଦୁଇଟା କଙ୍କାଳ ସିଧା ହେଲେ । ତରାଟି ଚାହିଁଲେ ତାକୁ ହେଟାବାଘ ଆଖିନେଇ, ସିଆଳର ଆଖିନେଇ । ଗୋଟେ ଡେଙ୍ଗା କଙ୍କାଳ ଚାଲି ଆସିଲା ପାଖକୁ । ଟିକେ ଧକ୍କାରେ ପଡ଼ିଗଲା ଚଇ । ଚାହିଁଲା ମିଣିପଟେ ଚାହିଁ ହସୁଚି । ବିଭଶ୍ଚ ସେ ହସ । ଅନ୍ୟଦିନ ହୋଇଥିଲେ ମୁଣ୍ଡଗଣ୍ଡି ଏକାଠି କରି ଦେଇଥାନ୍ତା ଖଡୁ ମୁସାରେ । କିନ୍ତୁ ଆଜି.... । ନିଜ କାମରେ ମନଦେଲା ସେ । କଙ୍କାଳ ଟି ଗର୍ଜି ଉଠିଲା; ‘‘କିଲୋ, କଣ ଶୁଭୁନି କି ? ଏଠୁ ପତର ଗୋଟେଇ ବାକୁ କିଏ କହିଲା ? ଭଲରେ ଯିବୁନା, ଦେଖିବୁ ?’’

 

ଆଉ କଣ ଦେଖିବ କଣବା ଦେଖିବାର ବାକି ଅଛି । ଆଉ ଲାଜକଲେ ଚଳିବନି । ଦିନଥିଲା ଯେତେବେଳେ ପୁରୁଷ ଛାଇ ପଡ଼ିଲେ ଦେହମାରା ହେଉଥିଲା ।

 

ସେ ଯୁଗ ଗଲାଣି । ସେ କଥା ଗଲାଣି । ଦିନ ଯାଇଚି ଖାଲି ଚିହ୍ନଗୁଡ଼ା ପଡ଼ି ରହିଚି । ଛିଣ୍ଡା କାନିଟାକୁ ଅଣ୍ଟାରେ ଗୁଡ଼ାଇ କହିଲି, କିରେ ବାଡ଼ିପୋଡ଼ା କାହାକୁ ନାଲି ଆଖି ଦେଖୋଉଚୁ ମୁଁ କାହା ବାପ ଜମିରୁ ପତର ନେଉନିମ ଏତେ ପଡ଼ିଆଖି ଦେଖୋଉଚୁ ? ଛତର ଗଛରେ ସମସ୍ତଙ୍କ ଅଧିକାର ।

 

ଜଳି ଉଠିଲା କଙ୍କାଳଟା ନିଆଁ ସେକା ଦେହଟା ତାର ଆହୁରି ପାଚି ପାଚି ଉଠୁଥାଏ । ଥରୁଚି ସେ । କି ହେଲାରେ କହିତ ନୁହଇଁ ଭାରତୀରେ ! ଶେଷରେ କ’ଣ ଏଇଆ ଶୁଣିବାକୁ ଥିଲା । ତାକୁ ଦେଖୁଥିଲେ ଗର୍ଭିଣି ଗାଈ ବାଟ ଛାଡ଼ୁଥିଲେ ଶେଷରେ ଏଇ ମାଇପି ଚାଖଣ୍ଡକ ଠାରୁ ଏତେକଥା ଶୁଣିବାକୁ ହେଲା ? ହାତ ବଢ଼ାଇଲା । ଆଜି ଶେଷ କରିଦେବ ତାକୁ । ପଛରେ ପଛେ ଫାଶି ପାଉ ।

 

ଚଇ ପାଟି କରୁଚି । ହାତମୁଠା ତଣ୍ଟି ପାଖରେ ଆସ୍ତେ ଆସ୍ତେ ଟାଣ ହେଇ ଉଠୁଚି । ଗଁ ଗଁ ହେଲାଣି ଚଇ । ଟିକକ ପରେ ହୁଏତ ଶେଷ ହେଇଯିବ । ଶେଷରେ ତାର ଗୁଜିକୁ ଏକୁଟିଆ ଏଇ ସମୁଦ୍ରରେ ଭସାଇ ଦେଇ ଯିବ । ଆଉ କେତେଗୁଡ଼େ କଙ୍କାଳ ଘେରିଗଲେଣି । ଛଡ଼େଇବାକୁ ସାହାସ ହେଉନି । ଦିନେ ଏଇ ଲୋକଟା ଗୁଣ୍ଡାଥିଲା । ରାଣ୍ଡିପୁଅ ଅନନ୍ତାପରି ଚକର କାଟୁଥିଲା ଦିନ ସାରା । ଯାହାଇଚ୍ଛା ତା କରେ । ପାଟି ଫିଟାନ୍ତିନି କେହି । କେହି କିଛି କହିଲେ ପାଟି ବନ୍ଦକରି ଛାଡ଼ୁନଥିଲା । କେତେଥର ଏଥିପାଇଁ ଜେଲ ଯାଇଚି । କିନ୍ତୁ ଅଙ୍ଗାର ଶତ ଧୌତେନ...... । କିଏ ଛଡ଼ାଇବ । କାହା ଜୀବନକୁ ଭରସା ନାହିଁ । ଖଣ୍ଡିଆ ହାତରେ ପିଅନଟା ମୁଳିଠେଙ୍ଗା ଧରି ଦୌଡ଼ି ଆସିଲା ଗୋଟିଏ ଶକ୍ତ ପ୍ରହାର । ବାସ୍ ସେତିକିରେ କଙ୍କାଳଟା ଟଳିପଡ଼ିଲା ଶୁଖିଲା ପରି ।

 

ନିଷ୍କ୍ରାନ୍ତ ଚଇ ଦାଢ଼ିଆ ପିଅନଟା ପ୍ରତି ଗୋଟିଏ କରୁଣ ଦୃଷ୍ଟିପାତ ଢାଳି ଦୌଡ଼ିଗଲା ଗୁଜି ପାଖକୁ । ସେମିତି ହସୁଚି । ଗୋଡ଼ ବାଡ଼େଇ ଖେଳୁଚି ସେ କୋଳକୁ ଆଣିଲା । ଧୂଳିର ଫୁଲ । ଧୂଳିରେ ଗଡ଼ୁଚି । ଝଡ଼ତୋଫାନ ପାଇଁ ସେ କାତର ନୁହେଁ । ସେ ଜାଣେ ନିଷ୍କପଟ ନିର୍ମାୟା ଗୋଟିଏ ଦରଭଙ୍ଗା ହସର ଟୁକୁରା । ପାପ ପୂଣ୍ୟ, ମୋହମାୟାର ଅର୍ଥ ତାପାଖେ ସମାନ । ଏ ସବୁ ସେ କିଛି ଜାଣେ ନା । ସେ ଜାଣେ ପ୍ରକୃତି ଓ ସେ ଦୁହେଁ ଅବିଚ୍ଛିନ୍ନ, ଅଭିନ୍ନ ।

 

ହାଲିଆ କଙ୍କାଳଗୁଡ଼ା ଉଠିବାକୁ ଚେଷ୍ଟା କରୁନାହାନ୍ତି । ସାହାସ ବି ହେଉନି । ରାତିର ଅସହ୍ୟ ଗରମ ହେତୁ ସେମାନଙ୍କୁ କେତେ ବିନିଦ୍ର ରଜନୀ କଟେଇବାକୁ ପଡ଼ିଚି । ହାକିମଙ୍କ ମନା । ସେମାନେ ଦୁର୍ବଳ । ପୂଣ୍ଣ ବିଶ୍ରାମ ଲୋଡ଼ା । ତନ୍ଦ୍ରାଠୁ ସେମାନଙ୍କୁ ବହୁତ ଦୂରରେ ରହିବାକୁ ପଡ଼ିବ । ନହେଲେ ସେ ପଞ୍ଜରା ହାଡ଼ କେତୋଟି ଖସିଯିବ ଯେ । ତ୍ରସ୍ତ କଙ୍କାଳଗୁଡ଼ା ଶୋଇଛନ୍ତି । ଉଠିବାକୁ ଚେଷ୍ଟାକଲେ ମଧ୍ୟ ଡାକ୍ତରଙ୍କ ଆଦେଶ ସେମାନଙ୍କ କାନମୁଣ୍ଡାକୁ ଥାପୁଡ଼େଇଦେଇ କହୁଚି, ‘‘ଶୋଇଯାରେ ଶୋଇଯା ।’’ ତୁମେତ କଙ୍କାଳଗୁଡ଼ା, ଅଥର୍ବଗୁଡ଼ା କଣ କାମ କରିପାରିବ ? ତା ଅପେକ୍ଷା ବରଂ ଅନିଦ୍ରା ହେଇ ଆଉ ଏଇ ହାଡ଼ କେତୋଟିକୁ ତଡ଼ି ଦିଅନା । ହୁଏତ ବେଳ ଆସିପାରେ ଯେତେବେଳେ ଏଇ ହାଡ଼ରେ ମାଉଁଶ ଲାଗିବ ମାଂସପେଶୀ ଗୁଡ଼ା ପୁଣି ଇସ୍ପାତ ପରି ଟାଣ ହୋଇଉଠିବେ, ସେତେବେଳେ ତୁମକୁ କିଏ କହିବ ଶୋଇବାକୁ ।

 

କିନ୍ତୁ କାଖରେ ଛୁଆଟାକୁ ଜାକି ରାସ୍ତାମଝିରେ ଚାଲିଚି ଚଇ । ଦୁର୍ବଳ, ଅସ୍ତବ୍ୟସ୍ତ ଗୋଡ଼ ପଥ ଜାଣୁନି । ବେଳେ ବେଳେ ଅବାଟରେ ପଡ଼ୁଚି । ତଥାପି ଚିରା ଲୁଗା କାନିଟାକୁ ଗୁଡ଼େଇ ଦେଇ ଦେହର ସମସ୍ତ ବଳ ନେଇ ଚାଲିଚି । ଦେହରେ ତାର ଅଣଚାଶ ପବନର ବଳ । ମନରେ ତାର ପୂର୍ଣ୍ଣମୀ ତିଥିର ଜ୍ୟୋତ୍ସ୍ନାଭିଜା ରାତ୍ରୀର କୋମଳ ସରସତା । ସେ ଯାଉଚି ପାଣୁଆର ଶେଷ କଥା ପୂରଣ କରିବାକୁ । ଛତରରେ ରହିଲେବି ହାତଟେକା ଭାତ କି ହାତଟେକା ଦୁଧସେ ନେବାକୁ ଚାହୁଁନି । କାମ ନ କରିବାକୁ ଆଦେଶ ନଥିଲେ ମଧ୍ୟ ଯୋରକରି ଗୋଡ଼ତଳେ ପଡ଼ି ସେ କାମ ଯୋଗାଡ଼ କରିଚି । ବାବୁର ବାସନ ମାଜିବ, ଘର ଓଳେଇବ ତା ବଦଳରେ..... ।

 

କାନ୍ଥକୁ ଆଉଜି ଶୋଇ ପଡ଼ିଚି ପିଅନଟା ରାତିର ଅସହ୍ୟ ଗରମରେ ଶୋଇ ପାରି ନଥିଲା । ପାହାନ୍ତାରେ ଶିତୁଆ ପବନ ଶୁଆଇ ଦେଇଚି ତାକୁ । ଚଇ ଚାହିଁଲା ଘର ବନ୍ଦ । ବାବୁଙ୍କ ପହଡ଼ ବୋଧେ ଫିଟିନି । ପିଅନକୁ ଡାକିବକି ଆଉ ।

 

ତଳପାହାଚରେ ବସିପଡ଼ିଲା ସିଏ । ଗୁଜି କାନ୍ଦବୋଧେ ଭୁଲିଗଲାଣି । ପେଟରେ ପଶୁଚି ଦରିଆ ପାରି ଦୁଧ । ପେଟ ପୁରୁଚି ମନ ଭୁଲୁଚି । ହେଲେ ଆମ ଗାଈ ଦୁଧ ? ସେମାନଙ୍କ ଦୁଧ ଭଣ୍ଡାର ଆଜି ଶୂନ୍ୟ । ସେ ଜୁଆରିଆ ନଈରେ ଆଉ ଜୁଆର ଆସୁନି । ଶତ ଅତିଥିର ସେବା ପାଇଁ ସେ ଅକ୍ଷମ । କେବଳ ଭଟ୍ଟା ହିଁ ଭଟ୍ଟା । ତେଣୁ ଦରିଆ ପାରି ଦୁଧହିଁ ଏକମାତ୍ର ସମ୍ୱଳ । ସେଇ ଆଜି ଅସଂଖ୍ୟ ଛୁଆଙ୍କର ଜୀବନ ଦାତା ।

 

ଗୁଜିକୁ କୋଳକୁ ଟାଣି ଆଣି ବୋକଦେଲା । ଟିକି ଓଠଟିକୁ ହଲେଇ ଦଉ ଦଉ କରି ଦୁଇ କରି ହସିଉଠୁଚି ଗୁଜି । ବାବୁଙ୍କ ଲାଙ୍ଗୁଡ଼ କଟା କୁକୁରଟା ଭୁକି ଉଠିଲା ନିଦ ଭାଙ୍ଗିଲା ପିଅନର-। ବିଳିବିଳେଇଲା ପରି କହିଉଠିଲା, କିଏ ସେ ।

ଚଇ ହସି ଉଠିଲା । ଚାହିଁଲା ପିଅନ ଆଡ଼େ । ଏଇ ଜୀବନ ଦାତା । ଗୁଜିକୁ ମା ଛେଉଣ୍ଡାରୁ ବଞ୍ଚେଇ ଦେଲା । ନ ହେଲେ ଗୁଜି ଆଜି...... । ହୁଏତ ଖାଇବାରେ ଅଭାବ ପଡ଼ିବ ବୋଲି ନିଉଛୁଣା କଙ୍କାଳ ଗୁଡ଼ା ତାର ତଣ୍ଟିଚିପି ଦେଇ ଦେଇଥାନ୍ତେ । ତାହାଲେ.... । ତାହାଲେ ସେ ପାରିରେ ପାଣୁଆ ତାକୁ ଘୃଣା କରିଥାନ୍ତା । ମୁଁ ହଁ ବୁଲାଇ ନେଇଥାନ୍ତା ତା ଆଡୁ ଅଭିମାନରେ, ରାଗରେ ।

କହିଥାନ୍ତା; ‘‘ଚଇ ଏତିକି କରି ପାରିଲୁନି । ମୋ ଦେହ ଛୁଇଁ ପରା କହିଥିଲୁ ଛୁଆ ଦିଟାଙ୍କ ଭାର ମୋ ଉପରେ ବୋଲି । ଏତେ ଚଞ୍ଚଳ ଭୁଲିଗଲୁ ?’’

ଚଇ ଚାହିଁଲା ଉପରକୁ । ଆକାଶର ନୀଳିମାକୁ । ଆହୁରି ଦିଟା ତାରା ମିଞ୍ଜି ମିଞ୍ଜି ହେଉଛନ୍ତି । ଗମ୍ଭୀର ହୋଇ ଉଠିଲା ଚଇ । ଏଇଥିରୁ ଗୋଟିଏ ତା ପାଣୁଆ ଅତୃପ୍ତ ଆତ୍ମାର । ବ୍ୟର୍ଥ ପିତୃତ୍ୱ ନେଇ ସେ ଜଳି ଯାଉଚି । ତେଣୁ ତାର ନିଷ୍କୃତ ନାହିଁ । ସମସ୍ତଙ୍କ ପଛରେ ଯିବାର ଶାସ୍ତି ତାକୁ ଭୋଗିବାକୁ ପଡ଼ୁଚି ।

ପିଅନଟା ମୂଳିଆ ଠେଙ୍ଗାଟାକୁ ତଳେ କଚାଡ଼ି ପୁଣି ପଚାରିଲା, ‘‘ଏଇ, ତୁ କିଏ ? ଏଠି କାହିଁକି ଏତେ ସକାଳୁ ? ଭଲକରି ରାତି ପାହିନି ଏଠି କାହିଁକି ବସିଚୁ ? ପଛେ ଆସିବୁ ଯା । ବାବୁଙ୍କ ସାଥିରେ ଦେଖାହେବ ।’’

ଚଇ ଥଙ୍ଗେଇ ଥଙ୍ଗେଇ କହିଲା, ‘‘ମୋତେ ଚିହ୍ନିପାରୁନ ପିଅନ ବାବୁ ? କାଲିପରା ମୋ ଜୀବନ ବଞ୍ଚେଇ ଥିଲ ? ନ ହେଲେ ମୋ ଗୁଜି ଭାଷି ଯାଇଥାନ୍ତା ବାବୁ ତୁମର ମଙ୍ଗଳ ହେଉ ।’’

କୁଆଡ଼େ ଆସିଚୁ ପଛେ ଆସିବୁ ଯା । ବାବୁଙ୍କର ଉଠୁ ଉଠୁ ଆହୁରି ଦି ଘଣ୍ଟା, ‘‘କଣ୍ଠରେ କର୍କଷତା ଟାଣି କହିଲା ପିଅନ ।’’

ଚଇ ହସିଲା । କାରୁଣ୍ୟ ଭରା ସେ ହସ । କହିଲା, ‘‘ମୁଁ କାମ କରିବାକୁ ଆସିଚି ବାବୁ । ମୁଁ ଏଇଠି ବସିଚି, ବାବୁ ଉଠନ୍ତୁ । ତୁମେ କାହିଁକି ବ୍ୟସ୍ତ ହେଉଚ ?’’

ପିଅନ ଚାହିଁଲା । ଆଖିରେ ତାଛଲ୍ୟର ଇଙ୍ଗିତ । ଛତର ଖୋଲିଲା ଦିନୁ ଏମିତି କେତେ କାମ କରିବାକୁ ଆସିଲେଣି । କିନ୍ତୁ କେହି ବଞ୍ଚି ନାହାଁନ୍ତି । ସରଳ ମନ ନେଇ ଏମାନେ ଆସନ୍ତି, ଗଲା ବେଳକୁ ଦେହରେ ପାପରକ୍ତ ନେଇ ଆତ୍ମାହତ୍ୟା କରନ୍ତି । ସେ ଦିନ......

ଏମିତି ଜାଙ୍ଗୁଲୁ ଜାଙ୍ଗୁଲୁ ରାତି ଥାଏ । ରାମ ତିଆଡ଼ି ଛତରର ବ୍ୟବସ୍ଥାପକ ହାତରେ ଚମ୍ପାକୁ ଧରି ଆସିଲେ । ବାବୁଙ୍କ କାମ କରିବ, ଆଉ ତା ବଦଳରେ ତାକୁ ଅଧିକା ଗଣ୍ଡେ ଭାତ, ଆଉ ଖଣ୍ଡେ ଭଲ ଲୁଗା ମିଳିବ । ଚମ୍ପା ସେ ଦିନ ମହା ଖୁସି । ସେ ମାଗି ଖାଇବନି, ଲାଗି ଖାଇବ । ବାବୁ ପଚାରିଲେ, ‘‘କିଏ ରାମ ତିଆଡ଼ି, ସକାଳୁ ସକାଳୁ କୁଆଡ଼େ ?’’

ରାମ ତିଆଡ଼ି ପାଖକୁ ଘୁଞ୍ଚିଗଲେ । ବାବୁଙ୍କ କାନ ପାଖୁ ମୁହଁ ନେଇ ଫିସ୍‍ ଫିସ୍‍ କରି କଣ କହିଥିଲା । ସେ କାନ ଡେରିଥିଲେ ମଧ୍ୟ କିଛି ଶୁଣିପାରି ନ ଥିଲା । ତା ପରେ ବାବୁ ହସି ଉଠିଲେ । କହିଲେ, ‘‘ଆଜି ସକାଳୁ ତୁମ ମୁହଁ ଚାହିଁଚି ତିଆଡ଼ି ଆପଣେ । ଦେଖି କଣ ହେଉଚି ।’’

ତିଆଡ଼ି ନନାଙ୍କର ଛାତି କୁଣ୍ଢେମୋଟ ହେଇଗଲା । ଅମାବାସ୍ୟାର ଜୁଆର ପରି ଛାତି ଫୁଲି ଉଠୁଥିଲା ତାଙ୍କର । ଚମ୍ପାକୁ ଡାକ ହେଲା ଭିତରକୁ । ଗଲା ସେ । ମୁହଁରେ ଆରକ୍ତ ଲଜ୍ୟାର ପାଟଳିମା । ବାବୁ ପଚାରିଲେ, ‘‘ତୋ ନା କଣ ?’’

 

‘ଚମ୍ପା ।’

 

‘ଘର’ ।

 

‘ସମଲେଇ ପୁର’ ।

 

‘ଏତେ ବାଟରୁ ଆସିଚୁ ? ଆଉ କିଏ ଅଛି ତୋର ? ’

 

ଆଖି ଦୁଇଟି ସଜଳ ହେଇ ଉଠିଥିଲା ସେଦିନ । ଓଠ ଦୁଇଟିରେ ଲକ୍ଷ କମ୍ପନ ସୃଷ୍ଟି ହେଉଥିଲା । କଣ କହିବ ସେ । କେଉଁଠୁ ଆରମ୍ଭ କରିବ । ଭାବନାର ଖିଅଗୁଡ଼ା କେମିତି ଅଡ଼ୁଆ ହେଇ ଉଠୁଥିଲା । ବାବୁ ପାଖକୁ ଚାଲିଯାଇ କାନ୍ଧ ଉପରେ ହାତରଖି ପଚାରିଲେ; ଡରୁଚୁକି ? ଦୁଃଖ ଲାଗୁଚି ବୋଧେ ? ହଉ ଆଜି ନକହ, ପରେ କହିବୁ ।

 

ଚମ୍ପା ନିରବ ରହିଲା । ତଳକୁ ଅନେଇ ଲୁହ ଗଡ଼ାଉଥିଲା । ତିଆଡ଼ି ଆପଣେ ବହୁତ ବୁଝାଇଥିଲେ ସେଦିନ । ଟିକେ ତୁନି ହେଲାପରେ ବାବୁ ପୁଣି ପଚାରିଲେ; ‘‘ଏଇ ଦୁର୍ବଳ ଦେହନେଇ କାମ କରି ପାରିବୁ ? ବରଂ ଯା ଅନ୍ୟମାନଙ୍କପରି କିଛିଦିନ ବସି ଖା । ତାପରେ ଇଛା ହେଲେ......-।’’

 

ଲୁହ ପୋଛିଲା ଚମ୍ପା । ଥରି ଥରି କହିଲା, ‘‘ନାଇଁ ବାବୁ ମୁଁ କାମ କରି ଖାଇବି । ବାପା ମଲାବେଳେ କହିଚି, ମାଗି ଖାଇଲେ ନର୍କରେ ପଡ଼ିବୁ ।’’

 

ଆଉକିଛି ସେଦିନ କହିନଥିଲେ ବାବୁ । ଚମ୍ପା ସାହେବଙ୍କ ତମ୍ୱୁ ପାଖ ପଲ୍ଲାରେ ରହିଲା । ଚମ୍ପା ଗଲାପରେ ତିଆଡ଼ି ଆପଣେ ପୁଣି କଣ ମନ୍ତ୍ରଣା କରିଥଲେ ବାବୁଙ୍କ ସାଥିରେ । ବାବୁ ଖାଲି ହସି ହସି ଗଡ଼ି ଯାଉଥାନ୍ତି । ରୋମ ମୂଳ ଖାଲି ଟାଙ୍କୁରି ଉଠୁଥାଏ । କାନ ପାତିଥିଲା ସତ । ହେଲେ ଶୁଣି ପାରିନଥିଲା କିଛି ।

 

ଏଇ ଆଖି ଦେଖିଚି । ସେଇ ଦିନଠୁ ପ୍ରତ୍ୟେକ ଦିନ ସକାଳୁ ଆସେ ଚମ୍ପା । ବାବୁଙ୍କୁ ଉଠାଏ । ବିଛଣା ଝାଡ଼େ । ବାସନ ମାଜେ । ଘର ଓଳାଏ । ଚାଲିଯାଏ ପଲ୍ଲାକୁ । ପୁଣି ଉପର ଓଳିଆସେ ।

 

ଦାନ୍ତରେ ବ୍ରସ୍‍ ଝାଡ଼ୁ ମାରୁ ମାରୁ ଆଖିପଚିଲା ଚମ୍ପା ଉପରେ । ଆଜକୁ ପନ୍ଦର ଦିନ ହେଲା କାମ କରୁଚି ଚମ୍ପା । ଗଣ୍ଡେ ଗଣ୍ଡେ ପେଟପୁରା ଖାଇବାକୁ ପାଇବାରୁ ପୂର୍ବର ସେ ଚମ୍ପାକଢ଼ି ରୂପ ପୁଣି ହସିବାକୁ ଆରମ୍ଭ କଲାଣି । ବାବୁ ହସିଲେ । ଚିରା ଶାଢ଼ି ଭିତରୁ ଉଙ୍କି ମାରୁଥିବା ମାଂସଳ ଗୋଲ ଦୁଇ ବାହୁ ଦିଟାକୁ ଦେଖି ଆତ୍ମହରା ହୋଇ ଉଠିଲେ ବାବୁ । ଡାକିଲେ ଚମ୍ପାକୁ । କଳାହାତଟାକୁ ଧୋଇ ଦେଇ ଆସି ଛିଡ଼ାହେଲା ପାଖରେ ।

 

ବାବୁ ହସିଲେ । ଖୁବ୍‍ ଜୋରରେ ହସିଲେ । ଚମ୍ପା ଜାଣିପାରୁ ନଥାଏ, କଣ କେଉଁଠି ଭୁଲ ରହିଗଲା କି ? ହସ ଶୁଣି ଝର୍କାର ରେଲିଂ ଫାଙ୍କରେ ଅନେଇଥାଏ ହାଡ଼ିଆ; ସେଇ ଦାଢ଼ିଆ ପିଅନଟା । ବାବୁ ଚମ୍ପା ପାଖକୁ ଭିଡ଼ି ଯାଉଥାନ୍ତି । ଚମ୍ପା ଗୋଟାପଣେ ଥରୁଥାଏ । ପାଖକୁ ଲାଗିଯାଇ ବାବୁ ରୁମା ତଉଲିଆରେ ମୁହଁରେ ଲାଗିଥିବା କଳାଦାଗଟା ପୋଛି ଦେଉ ଦେଉ କହିଲେ, ‘‘ଦେଖିଲୁ କେମିତି ଦେଖାଗଲା ଏଥର । ହାତରେ କାମ କରୁ କରୁ ମୁହଁରେ କଳା କେମିତି ଲାଗୁଚି । ଚମ୍ପା ଥରୁଥିଲା ।

 

ବାବୁପୁଣି ଦରଦ ମିଶା କଣ୍ଠରେ କହିଲେ, ‘‘ଆରେ ତୁ ଏମିତି ଥରୁଚୁ କାହିଁକି ? ମୁଁ ବାଘ ନା ଭାଲୁ ? ସମସ୍ତେ ଆମେ ମଣିଷ । ମୁଁ ତୋତେ ସାହାଯ୍ୟ କରିବି ତୁ ମୋତେ ସାହାଯ୍ୟ କରିବୁ । ମୁଁ ତୋ ଭୁଲ୍ ବାଛିବି ତୁ ମୋ ଭୁଲ ବାଛିବୁ । ଏଥିରେ ଭାବିବାର କଣ ଅଛି । ବରଂ ଆମେ ଆପଣାକୁ ଆପେ ଚିହ୍ନିବା ଉଚିତ ।

 

ଚମ୍ପା ହସୁଥିଲା । ଖୁବ୍ ମନ ମତାଣିଆ ହସ । ଖୁବ୍‍ ମାଦକ-ଭରା ହସ । ସତରେ ଏ ବାବୁଟା କେଡ଼େ ଭଲ । ଅନ୍ୟମାନଙ୍କପରି ଇୟାର ବଡ଼ ପଣିଆ ନାହିଁ କି ମଣିଷ ମଣିଷକୁ ଘୃଣା କରିବାର ମନୋବୃତ୍ତି ନାହିଁ । ମନେ ପଡ଼ୁଥିଲା ପିଲାଦିନ କଥା । ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା ବେଳେ ମହାତ୍ମାଗାନ୍ଧୀଙ୍କ ବିଷୟ ବୁଝାଉ ବୁଝାଉ ମାଷ୍ଟ୍ରେ କହୁଥିଲେ, ‘‘ସେ ହେଉଚି ମହତ ଯିଏ ପରପାଇଁ ନିଜକୁ ବଳି ଦିଏ ।’’

 

ମନେ ମନେ ବାବୁଙ୍କୁ କେତେ ଉପରେ ରଖୁଥିଲା ଚମ୍ପା । ସେ ଦେଖୁଥିଲା ବାବୁଙ୍କଠି ଚଳନ୍ତି ପ୍ରତୀମାର ରଶ୍ମି । ଅନ୍ୟମାନଙ୍କ ସାଙ୍ଗରେ ତଉଲୁଥିଲା ସେ ବାବୁଙ୍କୁ । ପ୍ରଥମେ ଯେତେବେଳେ କାମ କରିବାକୁ ଆସେ କେତେଲୋକ କେତେ କଥା ନକହିଛନ୍ତି ? ଗୋଟିଏ ଯିଦରେ ଆସିଛି ସେ କାମ କରିବ ଖାଇବ । ନ ହେଲେ ଶୁଖି ଶୁଖି ଶୁକୁଆ ହେବପଛେ ହାତ ପାତିବନି । ସମସ୍ତେ କହନ୍ତି ବାବୁ ଭଲଲୋକ ନୁହେଁ । ଜିଅନ୍ତା ରାକ୍ଷାସ ସେ । କିନ୍ତୁ ସେଇ ରାକ୍ଷାସଠି ସେ ପାଇଚି ଦେବତ୍ୱର ସଂଧାନ । ତେବେ ସମସ୍ତେ ଯାହା କହନ୍ତି କଣ ମିଛ ? ? ବାବୁ ଡାକିଲେ ଆସ୍ତେ ଅତି କୋମଳ ଭାବରେ–‘ଚମ୍ପା ।’

 

ଚମ୍ପା ନୀରବ ରହିଲା ।

 

ବାବୁ ପାଖକୁ ଚାଲିଆସି କହିଲେ, ‘‘କିଲୋ ଆଜି କଣ କଥା କହିବୁନି ବୋଲି ପ୍ରତିଜ୍ଞା କରିଚୁ କି ?’’

 

ଚମ୍ପା ପ୍ରକୃତିସ୍ଥା ହେଲା । ସତରେ ବାବୁ ଡାକୁଛନ୍ତି କେତେ ବେଳୁ କେଜାଣି । ଡରି ଡରି କହିଲା, ‘‘ମୋତେ ଡାକୁଥିଲେ ?

 

ତୋତେ ଡାକୁଥିଲି ? କାଇଁ ମୋରତ ମନେ ପଡ଼ୁନି । ଏଇ ପତର ଗୋଟେଇ ଚମ୍ପାକୁ ନା ? ବାବୁଙ୍କ ମୁହଁରେ ରସିକତାର ଭଙ୍ଗି ।

 

ଚମ୍ପା ପୁଣି ଟିକେ ହସିଲା । ଗୋଟିଏ ଛୋଟ ବିଜୁଳି ଧାର ନୁହେଁ ଗୋଟିଏ ଶାଣ ଦିଆ ଛୁରୀର ଧାର । ବାବୁଙ୍କର ରକ୍ତରେ ନିଆଁ ଖେଳିବୁଲିଲା । ଆହୁରି ରସିକତା ବଢ଼ିଗଲା ।

 

କାନିଟାକୁ ଭିଡ଼ିଧରି କହିଲେ; ‘‘କଣ ମୋ’ କଥା ଶୁଭୁନି ।’’

 

କାନିଟାକୁ ଛଡ଼େଇ ନେଉଥିଲା ଚମ୍ପା । କାଳେ କିଏ ଦେଖିବ । ବାପ ଅଜା ନା ପଡ଼ିବ । ଚାଲିଯାଉଥିଲା ବାହାରକୁ ସେ । ବାବୁ ପୁଣି ଡାକିଲେ; ‘‘ଚମ୍ପା ।’’

 

ଚମ୍ପା ଗୋଡ଼ ଚଳିଲାନି । ରହିଗଲା ସେ । ତାର ଅନ୍ନଦାତାକୁ ଏମିତି ପାଦରେ ଦଳିଦେଇ ଚାଲିଯିବ । କହିଲା; ‘‘କିଛି କହିବେ ।’’

 

‘‘ମୁଁ ଗୋଟେ ପ୍ରସ୍ତାବ ଦେବି । କଣ ତୁ ରାଜି ।’’

 

‘‘କୁହନ୍ତୁ ।’’

 

ବୁଲେଇ ବୁଲେଇ କଥା ବାଢ଼ିଲେ ବାବୁ; ‘‘ତୁ ତ ଏବେ ଆସିଲୁ । ହେଲେ ଆଜିକୁ ବର୍ଷେହେଲା ମୁଁ ବାହାରେ । କେବଳ ପୁଝାରି ରନ୍ଧାଛଡ଼ା ଆଉକିଛି ଭାଗ୍ୟରେ ଜୁଟିଲାନି । ଆଜି ସିଲୁ, ମୋ ସ୍ତ୍ରୀ ଥିଲେ ହୁଏତ ରାନ୍ଧୁଥାନ୍ତା, ବଳେଇ ବଳେଇ ଖୁଆଇ ଦେଉଥାନ୍ତା । ବାସ୍ତବିକ ସ୍ତ୍ରୀ ମାନଙ୍କ ହାତରନ୍ଧା ପୁରୁଷଙ୍କଠାରୁ ଖୁବ୍‍ ଭଲ । ଯଦି କିଛି ନ ଭାବୁ କାଲିଠୁ ତୁ ଯଦି ଗଣ୍ଡେ ଗଣ୍ଡେ ରାନ୍ଧନ୍ତୁ ।’’ ଏକା ନିଃଶ୍ୱାସରେ କହି ସାରି ଚାହିଁ ରହିଲେ ଚମ୍ପାକୁ ।

 

ଚମ୍ପା ତଳକୁ ମୁହଁ କଲା ।

 

ଭାବୁଥାଏ, ବାବୁଟା ଭାରି ମାଇଚିଆ । ସ୍ତ୍ରୀ ହାତରନ୍ଧା ଖାଇବାକୁ ଭାରିମନ । ବିଚରା ପିଲା ପିଲିଙ୍କଠୁ ଦୂରରେ ଏଇ ମଫସଲରେ ପଡ଼ିଚି ଆମରି ପାଇଁ । ଯଦିସେ ରାନ୍ଧିଦିଏ..... ।

 

ଛିଃ...... ଲୋକ କଣ କହିବେ । ଯେଉଁମାନେ ମନା କରୁଥିଲେ, ସେମାନେ କଣ ପାଖପୁରେଇବେ । ଛତର ସରିଲା ପରେ ଜାତିରୁ ଅଲଗା କରିବେ । ନିଆଁ ପାଣି ଅଟକ । ଢୋଲ ବଜେଇ କହିବେ ‘ଚମ୍ପା ପରପୁରୁଷକୁ ଭାତ ବାଢ଼ୁଥିଲା ।’ ମାଇପେ କହିବେ ‘‘ପେଟ ଏମିତି ପୋଡ଼ି ଯାଉଥିଲା ଲୋ, କୁଅ ପୋଖରି କଣ ଅଭାବ ଥିଲା ? ନହେଲେ ତ ଗଛଡ଼ାଳଗୁଡ଼ା କୁଆଡ଼େ ଯାଇନଥିଲା । ଏମିତି ଝିଅ ଥିଲେ କେତେ ନଥିଲେ କେତେ । ପେଟଚାଖଣ୍ଡକ ପାଇଁ ନାୟକ ବଂଶର ନାଁ ପକେଇଲା । କେମିତି ବାପ ମା ସେ କେଜାଣି ? କୋଉ ବେଳାରେ ଜନମ କରିଥିଲେ ଅନ୍ତୁଡ଼ି ଶାଳରେ ଟିକେ ସିନ୍ଦୁର ପାଇଲେ ନି ।’’

 

ତାଙ୍କ ମୁଣ୍ଡରେ ଗୁଣ୍ଡ । ମୁହଁରେ ନିଆଁ ପାଉଁସ । ଏତେ ବହପ ତାଙ୍କର, ନାୟକ ବଂଶର ଝିଅକୁ ଅପମାନ କରିବେ । ସମସ୍ତଙ୍କ ତଣ୍ଟି ଚିପି ରକ୍ତ ପିଇଦେବନି ! କଣ ପାଇଁ ତାହେଲେ ବାବୁ ଏତେ ଖଟୁଚି । ତାରି ଦାନା ଖାଇ ତାକୁ ନିନ୍ଦିବେ । ସେ ପାଟି ଛିଣ୍ଡି ପଡ଼ିବନି । ବାବୁ କହୁଚି, ମଣିଷକୁ ମଣିଷ ପରି ଚିହ୍ନ । ମାଷ୍ଟ୍ରେବି ଦିନେ ଏମିତି କହୁଥିଲେ । ତେବେ..... ?

 

ତେବେ ସବୁ ଶାସ୍ତ୍ର କ’ଣ ମିଛ । ସବୁ ଉପଦେଶ କ’ଣ ପାଣିଫୋଟକା । କିଏ କହିବ ତା-। କାହା ପାଟିରେ କ’ଣ ସିଏ ବାଡ଼ ଦେବ । ଏମାନେ ଏମିତି କୁହନ୍ତୁ; କ୍ଷତି କଣ ? ଅନ୍ଧପରି ମରିବା ଅପେକ୍ଷା କିଛି କରି ମରିବା ଶ୍ରେୟସ୍କର ନୁହେଁ ?

 

ଚମ୍ପା ଭାବୁଥିଲା ଅନେକ କିଛି ।

 

ବାବୁ ପୁଣି ପଚାରିଲେ; ‘‘କଣ ଏତେ ଭାବୁଚୁ ଚମ୍ପା, ନାହିଁ କଲେବି ଚଳିବ ଯେ । ଏତେଦିନ ଗଲାଣି ଆଉକଣ କିଛିଦିନ କଟେଇ ଦେଇ ପାରିବିନି ।’’

 

ଚମ୍ପା ଢୋକ ଗିଳିଲା । କଣ କରିବି, କଣ କହିବ । ଦେହରେ ସମସ୍ତ ଶକ୍ତି ସଂଚୟ କରି କହିଲା; ‘‘ହଉ ବାବୁ ।’’

 

ଚମ୍ପା ଚାଲି ଯାଇଥିଲା ପଲ୍ଲାକୁ ସେଦିନ । ବାବୁ ଗଲାବାଟକୁ ଅନେଇ ଭାବୁଥିଲେ ଅନେକ କିଛି । ହସୁ ଥିଲେବି । ସୁନାର ପଞ୍ଜୁରି, ମୋତି ମାଣିକ୍ୟର ଦାନା ପାଇଁ ପକ୍ଷୀଟି ବାଟ ଛାଡ଼ିଚି । ମହୁ ସଞ୍ଚିତ ଦୁବଘାସ ଖାଉ ଖାଉ ହରିଣୀଟି ଧରା ଦେଇଚି ଆବଦ୍ଧ ପିଞ୍ଜରାରେ । କାମନାର କଣ ଶେଷ ନାହିଁ ? ? ଇୟାପରେ ହୁଏତ ଶେଷ ହେବ ସେମାନଙ୍କର ମୁକ୍ତ ବିଚରଣ । ନୀଳିମ ଆକାଶରେ ଲୋଟଣୀ ପକ୍ଷୀଟିର ଡେଇଁବାର ସ୍ୱାଧୀନତାର ଆଉ ଆସିବନି । ସେତେବେଳେ ଭାବିବେ ସେମାନେ । କିନ୍ତୁ ଗୁଡ଼ ଆଉ ନେଡ଼ିରେ ଥିବତ ? ?

 

ଚମ୍ପା, ଚମ୍ପକ କଢ଼ିର ରୂପ ଧାରଣ କରିଚି । ସତେ କଣ ଏଇ କେଇଟା ଦିନ ଭିତରେ ବସନ୍ତ ଆସିଗଲା ? ଗଛଗୁଡ଼ା ସେମିତି ଥୁଣ୍ଟା ହେଇ ପଡ଼ିଛନ୍ତି । କଙ୍କାଳ ଗୁଡ଼ା ଏବେବି ଗଣ୍ଡେ ଭାତପାଇଁ ଚିତ୍କାର କରି ବୁଲୁଛନ୍ତି । କୁକୁର ମଣିଷ ଆଜି ସମାନ । ବାବୁମାନଙ୍କ ଅଇଁଠା ପତର ଖଣ୍ଡେ ପଡ଼ିଲେ ଲଙ୍ଗଳା ଛୁଆଗୁଡ଼ା ନିଜଭିତରେ କାମୁଡ଼ା କାମୁଡ଼ି ଫାଳେ ପତର ପାଇଁ ।

 

ଏଥର ନିଇତି ଆସେ ଚମ୍ପା । ବାସିକାମ ସାରି ଚୁଲିଲଗାଏ । ଭାତ ଡାଲି ତରକାରୀ । ତା ଇଚ୍ଛା ଯେତେ ସେତେ କରିପାରେ । କହିବାକୁ ନାହିଁ । ଛତର ଗୋଦାମ ଘର ଚାବି ଆଜି ତା ହାତରେ । ରୋଷେଇ ସରିଲେ ବାବୁଙ୍କୁ ଦିଏ, ସେ ଖାଏ । ପେଟପୁରା ଭାତ ଡାଲି ....... । ନୂଆଲୁଗା ପାଉଚି ଅନେକ । ଯେତେଟା ଚାହିଁଲେ ପିନ୍ଧିପାରେ । ତା ପାଇଁ କଟକଣା ନାହିଁ; ମାପଚୁପ ନାହିଁ । ଲୋକେ ଦେଖନ୍ତି । ହସନ୍ତି, କହିପାରନ୍ତିନି କିଛି । ନିଜେ ନିଜେ କହି ହୁଅନ୍ତି, ‘ସେ ପରା ଏଇନେ ପାଟରାଣୀ ।’

 

ଚମ୍ପା ଶୁଣେନା । ବାଟଭାଙ୍ଗି ଚାଲିଯାଏ । ତା କାମତ ତାକୁ ବଳଉଚି । ଆଉ ଏଇ ନିଉଛଣାଙ୍କ କଥାକୁ ଶୁଣୁଛି କିଏ ? ଖରାବେଳଟା ବୁଲେନା ବାବୁଙ୍କ ଦୟାରୁ ପତ୍ର ପଲ୍ଲାରୁ ତା ପାଇଁ ତମ୍ୱୁ ପଡ଼ିଚି । କିଏ କହିବ । ସେ ପରା ବାବୁଙ୍କ ...... ଜିଭ ଲେଉଟେନା । ଲାଳଗ୍ରନ୍ଥି ଗୁଡ଼ା ଶୁଖି ଠା ଠା ହେଇ ଯାନ୍ତି । କେହି କିଛି କହିଲେ ତାର ଖାଇବାକୁ ବନ୍ଦ ।

 

ଚମ୍ପା ଫେରେ ସଂନ୍ଧ୍ୟା ବେଳକୁ ବାବୁଙ୍କ ତମ୍ୱୁକୁ । ବାବୁ ଥାନ୍ତୁ ନଥାନ୍ତୁ ତା କାମ ସେ କରେ । ଚୁଲି ଲଗାଏ । ଓଦାକାଠ ଫୁଙ୍କି ଫୁଙ୍କି ବିରକ୍ତ ଲାଗିଲେ ବାହାରକୁ ଆସେ । ଥଣ୍ଡା ପବନ ଲାଗିଲେ ଦେହଟା ଭଲଲାଗେ । ପୁଣି ଫେରେ ରୋଷଇ ଘରକୁ । ରୋଷେଇ ଶେଷ । ବାବୁ ଆସନ୍ତି । ଖାଇବାକୁ ଦିଏ, ନିଜେ ଖାଏ । ପୁଣି ଘରକୁ ଫେରେ ।

 

ଦିନେ ଦିନେ ବାବୁ ଖାଇସାରି ବୋତଲକୁ ହାତ ଠାରନ୍ତି । ଗୋଟେ ଗ୍ଳାସ ଦେବାକୁ । ଦୁର୍ଗନ୍ଧରେ ନାକ ଫାଟିଯାଉଥିଲେ ମଧ୍ୟ ବାବୁଙ୍କ ହାତକୁ ବଢ଼ାଇ ଦିଏ ସେ । ବେଳେ ବେଳେ ବାବୁ ବେଶି ପିଇଦେଇ ଚମ୍ପା ଆଡ଼କୁ ହାତବଢ଼ାନ୍ତି । ପାଟିରୁ ବାହାରୁଥାଏ ଇଂରାଜି କଥା ଫିସ୍‍ଫିସ୍‍ ହେଇ-। ଚମ୍ପାକୁ ଡରଲାଗେ । ନଖାଇ ଚାଲିଆସେ ଘରକୁ ।

 

ଦିନେ ଦିନେ ବାବୁ ବେହୁସିଆର ହେଇ ଲୋଟି ଯାଆନ୍ତି ଖଟିଆରେ । କାନିଧରି ଟାଣନ୍ତି ଚମ୍ପାକୁ । ଅନୁରୋଧ କରନ୍ତି ଘରକୁ ନ ଯାଇ ରହି ଯିବାକୁ । ଆଖିରେ ବି ସେ କରୁଣ ମିନତୀର ଚିହ୍ନ । ଚିଡ଼ି ଉଠେ । ଭୟରେ ଛାଡ଼ି ଦିଅନ୍ତି । ଚମ୍ପା ସନ୍ଦେହକରେ ବାବୁ କଣ ପିଅନ୍ତି ? ଦାରୁ ନୁହେଁତ ???

 

ଏକୁଟିଆ ଖରାବେଳେ ଛତର ବୁଲି ଫେରୁଚି ହାଡ଼ିଆ । ଗୋଟିଏ ହାତରେ ସେଇ ତିନି ପୁରୁଷ ମୂଳିଆ ଠେଙ୍ଗାଟା । ରାଗରେ ଲାଲ ପଡ଼ିଚି ଆଖି । ବଜାତ୍ ସୁଦାମକୁ ସେ ଠିକକରି ଦେଇଚି । ତା ଆଗରେ ପୁଣି ବଳ ଦେଖଉଚି । ପେଟଟା ତାର କ’ଣ କେଜାଣି, ଯେତେବେଳେ ପୁରୁନି; ସମସ୍ତଙ୍କଠଉଁ ଛଡ଼େଇ ଖାଉଚି । ପିଲାଗୁଡ଼ାଙ୍କ ପ୍ରତି କ’ଣ ତିଳେ ଦୟା ଅଛି ? ଆଉଟିକେ ହେଇଥିଲେ ସେ ଛୁଆଟାକୁ ମାରି ଦେଇଥାନ୍ତା । ଦେଇଛି ଠିକ୍‍ କରି । ଗୋଟିଏ ପାହାରରେ ସାବାଡ଼ । ଆଉଦିନେ ଯଦି ଏମିତି କରେନା..... ।

 

ଭାବି ଭାବି ମଝିଦାଣ୍ଡରେ ଠେଙ୍ଗାଟାକୁ ଠକ୍ ଠକ୍ କରି ଚାଲିଚି । ଅରଣା ମଇଁଷି ଟାଏକି ଆଉ । ଚମ୍ପା ଡାକିଲା; ‘‘ଏଇ ଦରୁଆନ୍‍ ବାବୁ, ଟିକେ ଶୁଣିବୁ ।’’

 

ହାଡ଼ିଆ ଚାହିଁଲା । ଚମ୍ପା ଡାକୁଚି । ଏଟାକୁ ସେ ଖୁବ୍ ଚିଡ଼େ । ବାଗନାହିଁ, ବାଇଶ ନାହିଁ । ସବୁବେଳେ ଫଁ ଫଁ କଥା । ବାବୁଙ୍କ ପାଇଁ ଇନ୍ଦ୍ର ଚନ୍ଦ୍ର ମାନୁନି । ପୁଣି ଏ ସୁଆଗ ଡାକ କାହିଁକି । ମୁହଁ ଫେରାଇ ଚାଲି ଯାଉଥିଲା । ଚମ୍ପା ଡାକିଲା, ‘‘ଏ ଦରୁଆନ ବାବୁ ।’’

 

ମୁହଁ ଛିଞ୍ଚାଡ଼ି କହିଲା, କଣକି । ଆଜି କାହିଁକି ଭାରି ସୁଆଗିଆ ଡାକ ।

 

ତୁ କାହିଁକି ମୋଉପରେ ରାଗୁଚୁ କହିଲୁ ।

 

ଆଉକଣ ପୂଜାକରିବି । ବୁଝିଲୁ, ମୁଁ କାହାର ନୁହେଁ । ଯାହାବୁଝେ ସେଇଆ । ରାଗିଲେ ବାବୁ ଫାବୁ ଛଡ଼େଇ ଦେବି ବୁଝିଲୁ ।

 

ନାରେ ହାଡ଼ିଆଭାଇ, ମୁଁ ଗୋଟେ କଥା ପଚାରିବି କହିବୁ ।

 

କଣ ଜଲଦି ପଚାର, ମୁଁ ଯିବି ।

 

ବାବୁ ସେଗୁଡ଼ା କଣ ପିଏ କହିଲୁ । ମୋତେ କାହିଁକି ଭାରି ଡର ଲାଗୁଚି ।

 

ହାଡ଼ିଆ ଚାହିଁଲା । ସତରେ ଡରି ଯାଇଚି ଚମ୍ପା । ଏତେଦିନେ ବାଘ ବିଲେଇ ସାଜିଚି । ନିଶରେ ହାତ ମାରି କହିଲା; ‘‘ସାବଧାନ ଥିବୁ ଚମ୍ପା, ବାବୁଟା ବିଲାତି ଦାରୁ ପିଉଚି । ନିଶା ଭୋଳରେ....... ।

 

ଚମ୍ପା ପଥର ପାଲଟି ଯାଇଥିଲା । ସତରେ ହାଡ଼ିଆ କଣ କହିଗଲା । ବାବୁଟା ଏତେ ନିଚ । ସେ ଦାରୁ ପିଉଚି । ଥରେ ଏଇ ଦାରୁ ପିଇଥିବାରୁ ତା ବାପକୁ ହାଣିବାକୁ ବସିଥିଲା । ଆଉ ଆଜି ନିଜେ ସେ ଦାରୁ ବଢ଼ଉଚି ଅନ୍ୟ ହାତକୁ ।

 

କ’ଣ କଲା ସେ । ପେଟ ଚାଖଣ୍ଡକ ପାଇଁ ନିଜକୁ ବିକିଦେଲା । ଆଜି ବାବୁକୁ ପଚାରିବି କଣ ସେ ପିଏ ।

 

ବାବୁଙ୍କୁ ଖାଇବାକୁ ଦେଇ ବିଞ୍ଚୁ ବିଞ୍ଚୁ ଚମ୍ପା ପଚାରିଥିଲା; ‘‘ବାବୁ, ମୁଁ ଗୋଟେ କଥା ପଚାରିବି ।’’

 

କାହିଁକି ହଜାରଟା ପଚାରୁନୁ ।’’

 

ସେ ବୋତଲରୁ ସବୁ ଦିନ କଣ ମୁଁ ଦିଏ ।

 

ତୁ ବୁଝିପାରିବୁନି । ସେ ଗୋଟେ କବିରାଜ ଔଷଧ । ଚେରମୂଳରୁ ତିଆରି କି, ନା ଟିକେ ଗନ୍ଧାଏ ।

 

ଆଉ ହାଡ଼ିଆ କହୁଥିଲା ..... ।

 

କଣ କହୁଥିଲା ?

 

ସେ ଗୁଡ଼ା ଦାରୁବୋଲି ।

 

ମୁଁ ପଚାରୁଚି ଏଇନେ ।

 

ଡକରା ଗଲା ହାଡ଼ିଆକୁ । ସେମିତି ହଲି ହଲି ଆସୁଥାଏ ସେ । ପରବାଏ ନାହିଁ । ହକ ସରକାରୀ । ଖଟୁଚି, ଖାଉଚି । ଡରିବି କିଆଁ ? ଦାନ୍ତ କଡ଼ ମଡ଼ କରି ବାବୁ ପଚାରିଲେ; ‘‘ତୁ କ’ଣ ମୋ ନା’ରେ କହୁଚୁ ।’’

 

କାହାକୁ ?

 

ଚମ୍ପାକୁ ।

 

କିଛି ନାହିଁ ତ ? ସେ ପଚାରିଲା ...... ।

 

କଣ ପଚାରିଲା ।

 

ବାବୁ କଣ ପିଏ ?

 

ଆଉ ତୁ କହିଦେଲୁ ଦାରୁ । ମଫସଲି, ତୁ କ’ଣ ଜାଣୁ ?

 

ତାପରେ କେତେକଣ ଇଂରାଜିରେ ଗାଳିଦେଉଥାନ୍ତି । ରାଗ ଚରମ ସୀମାରେ ପହଞ୍ଚିଲା-। ବାବୁଙ୍କ ଆଦେଶ ଆଜି ଛତରର ଶେଷ ମୁଣ୍ଡରେ ଜଗିବ । ହାଡ଼ିଆ ଉଠିଲା । ହାତରେ ସେଇ ଠେଙ୍ଗାଟା ।

 

ଖିଆ ସରିଚି । ଚମ୍ପାର ଅଜାଣତରେ ବାବୁ କେତେବେଳେ ଘରର କବାଟ ଦେଇ ଦେଇଛନ୍ତି । ଚମ୍ପା ଖାଇସାରିଲା । ବାବୁ ଡାକିଲେ; ‘‘ଚମ୍ପା, ଶୁଣି ଗଲୁ ।’’

 

ଚମ୍ପା ଥରୁଚି । ଛାତିଟା ଆଜି କାହିଁକି ଧପ୍ ଧପ୍‍ ହେଉଚି । ବାବୁ ରାଗିଛନ୍ତି । କଣ ବୋଲି କ’ଣ ଯଦି କୁହନ୍ତି ? ଥରି ଥରି ଗଲା ପାଖକୁ । ବାବୁ କେମିତି ହସୁଛନ୍ତି । ସେ ହସରେ କେମିତି ଗୋଟେ ବିଭତ୍ସତା ପୁରି ରହିଚି ।

 

ଗିଲାସେ ଆଣିଲୁ ।

 

ଥରି ଥରି ଗଲା ଆଲମିରା ପାଖକୁ । ହାତ ଥରୁଚି । ସତେ ଯେମିତି ପଛରୁ କିଏ ଭିଡ଼ି ଧରୁଚି । ସବୁଦିନ ପରି ଆଜି ହସି ହସି ବଢ଼େଇ ପାରୁନି । ଥରିଲା ଥରିଲା ହାତରେ ଢାଳିଲା ଗ୍ଳାସେ । ବଢ଼ାଇ ଦେଲା ହାତକୁ ।

 

ଏକା ନିଶ୍ୱାସରେ ପିଇସାରି ବାବୁ ଭିଡ଼ିଧରିଲେ ତା କାନିକୁ । ସେ କେମିତି ହିଂସ୍ରହେଇ ଉଠୁଛନ୍ତି । ଛାଟିପିଟି ହେଲା ମୁକ୍ତି ପାଇଁ । ପାଟିକରି ଡାକିବାର ଶେଷ ଚେଷ୍ଟା ବି କରିବାକୁ ପଛେଇ ନାହିଁ । କେହି ଶୁଣି ନାହାଁନ୍ତି । ହାଡ଼ିଆ ବହୁତ ଦୂରରେ । ଯେଉଁ କଙ୍କାଳ ଗୁଡ଼ିକ ଶୁଣିଛନ୍ତି, ନିଜର ଅକ୍ଷମତା ପ୍ରକାଶ କରିଛନ୍ତି ସେମାନେ । ରାହୁଗ୍ରାସରୁ ମୁକ୍ତି କାହିଁ ? ଆଦମ୍ ଓ ଇଭ୍‍ ଯୁଗକୁ ଖସିଯାଇଥିଲେ ବାବୁ । ଚମ୍ପା ଆସିଲାବେଳେ ହସୁଥିଲେ ସେ ଅତି ବିଭତ୍ସ ଭାବେ ।

 

ତାପର ଦିନ ସକାଳୁ ଦେଖାଗଲା । ଗୋଟେ ଥୁଣ୍ଟା ସାହାଡ଼ା ଗଛରେ କାନ୍ଦି କାନ୍ଦି ଓହଳି ପଡ଼ିଚି ତଳକୁ ଚମ୍ପା । ଚମ୍ପକ କଢ଼ିଟି ମଉଳି ଯାଇଚି । ଶତ ଚେଷ୍ଟାରେ ବି ସେ ଆଉ କୁସୁମି ଉଠିବନି ।

 

ଚମ୍ପାପରେ ଗୋରି । ପରେ ବୁଧି । ସମସ୍ତେ ଆସିଛନ୍ତି ପରେ..... । ଆଜି ପୁଣି ଆସିଛି ଚଇ । ସ୍ୱାମୀର ଶେଷ ଆଜ୍ଞା ପାଳନ କରିବ । ପେଟ ଚାଖଣ୍ଡକ ପାଇଁ ନିଜତ୍ୱକୁ ବଳି ନଦେଇ ଖଟି ଖାଇବ । ହାତ ପାତିବନି କାହାକୁ । ଗୁଜି ପେଟରେ ପଡ଼ିବନି ଖିର । ତାର ହସରେ ନଥିବ ମାଗି ଆଣିଲା ତିଅଣର ସ୍ୱାଦ । ବଡ଼ହେଲେ ସେ କହି ପାରିବନି ଛତରରେ ପସି ସେ ବଡ଼ ହେଇଚି । ମନେ ମନେ କରୁଚି ଉଠୁଚି ଚଇ । ମାତୃତ୍ୱର ଅହଂକାରରେ ସେ ଗର୍ବିତ ।

 

ହାଡ଼ିଆ ଚାହିଁଚି । ଏ ବୁଦ୍ଧି କିଏ ଦେଲା ଆକୁ । ସମସ୍ତେ ହାତପାତି ଖାଉଛନ୍ତି । ଛତର ଖୋଲିଚି । କାମ କରିବେନି । କଳହେଲା ଯାଏ ଖାଇବେ । ବଢ଼ା ଭାତକୁ ଗୋଇଠା ମାରି ଏ କଣ ଠିକ୍‍ କରିଚି । ଏ ନର ରାକ୍ଷାସ ହାବୁଡ଼ରେ ପଡ଼ି କଣ ସତରେ ବର୍ତ୍ତୀ ପାରିବ । ଶେଷରେ-

 

ବାବୁ ଉଠିଲେ ବୋଧେ । ପହଡ଼ ଖୋଲିଲା । ଆଖି ମଳି ମଳି ଡାକିଲେ, ଦରୁଆନ ।

 

‘ଆଜ୍ଞା’

 

ପାଣିଟିକେ ଆଣିଲୁ । ଆରେ କାମ କରିବାକୁ ସେ ମାଇକିନା ଆସିନି ।

 

ପାଣି ବଢ଼ାଉ ବଢ଼ାଉ ଚାହିଁ ରହିଥିଲା ହାଡ଼ିଆ ବାବୁ ନୁହେଁତ ରାକ୍ଷାସଟେ । ଗୋଟେ ପାହାର ଦିଅନ୍ତା କି । ଥାଉ ଆଉଦିନେ ବେଳ ଆସିଲେ ଛାଡ଼ିବନି । ବାବୁ ପୁଣି ପଚାରୁଛନ୍ତି କିରେ ସେ ମାଇକିନା ଆସିନି କାମକୁ ।

 

ନାହିଁ କରିଦେବକି ?? କାହିଁକି ନାହିଁ କରିବ ? ଯଦି ଜଣେ ବାଢ଼ିଲା ଭାତକୁ ଗୋଇଠା ମାରି ମାଗିଖାଏ ତାହେଲେ ତାର ଦଣ୍ଡ ପାଇବା ଉଚିତ୍ । ଏମିତି ଦିନେ ଦିନେ ସକାଳୁ ଚମ୍ପା, ଗୋରି, ବୁଧି ଆସିଥିଲେ ଇଏବି ଆସିଚି ନାହିଁ କରିବ କାହିଁକି ? ଇଏ ତାର ଭୋଇ ନା ଭଣ୍ଡାରୀ । ହେଲେ ମଣିଷତ ସେ ? ହଁ ନାହିଁ ମଝିରେ କିଛି କହିପାରନି ।

 

କଣ କରିବ ।

 

ସେମିତି ଚାହିଁ ରହି ଭାବୁଥାଏ । କିଏ ଏ ମାଇପିଟି । କେଉଁଠି ତା ଘର । କେଉଁଠି ଦେଖିଲା ପରି ମନେ ହେଉଚି । କାଇଁ ମନେ ପଡ଼ୁନିତ ? ତେବେ ଇୟା ପ୍ରତି ମମତା କାହିଁକି ? ଧିରେ ଧିରେ କହିଲା; ‘‘ହଁ, ବାବୁ ପିଣ୍ଡାରେ ବସିଚି ପରା ।’’ ‘‘ବୋକା କାହାଁ କା, ସେତେବେଳୁ ଆସି ବସିଲାଣି । ମୋତେ ଡାକିଦେଲୁନି ? ଖରା ଆସି ଏତେ ହେଲାଣି କେତେବେଳେ କାମସାରି ଯିବ-। ବିଚାରୀର କୋଳ ଛୁଆଟା କାନ୍ଦିବଣି’’; ବାବୁ ରାଗି କଡ଼ ମଡ଼ ହେଇ କହିଲେ ।

 

ସତରେ ବାବୁଙ୍କର ଭାରି ଦୟା । ହେଇପାରେ କିଏ କହିବ ! ସେମାନେ ସିନା ଏକା ଏକା ଥିଲେ, ହେଲେ ଇୟାରତ କାଳ ଛୁଆଟେ ଅଛି । ସେଥିପାଇଁ ବୋଧେ..... । ଆଶ୍ୱସ୍ତିରେ ନିଶ୍ୱାସ ମାରିଲା ହାଡ଼ିଆ । ଭଗବାନ ବାବୁଙ୍କୁ ସୁବୁଦ୍ଧି ଦେଇଛନ୍ତି । ଇୟାଠୁ ବଳି ଆଉ ଭାଗ୍ୟର କଥା କଣ ହେଇ ପାରେ ।

 

ବାବୁ ଡାକିଲେ । ଚଇ ଭିତରକୁ ଗଲା । ବାବୁ ଛିଡ଼ା ହେଇଛନ୍ତି ପାହାଚ ଉପରେ । ଛୁଆଟାକୁ ଗଡ଼େଇ ଦେଇ ମୁଣ୍ଡିଆ ମାରିଲା । ବାବୁ ହସୁଥାନ୍ତି । ଝର୍କା ସେପାଖେ ହାଡ଼ିଆ । ବାବୁ ପଚାରିଲେ ।

 

ତୋ ନା କଣ ?’

 

ଚଇନି ।

 

ସୁନ୍ଦର ନା’ଟିଏ ତ । ଆଛା ଏଡ଼େ ଟିକିଏ ଛୁଆକୁ ନେଇ କେମିତି କାମ କରିବୁ କହିଲୁ । ଚାଲିଲେ ଗୋଡ଼କୁ ଗୋଡ଼ ବାଜୁଚି । କିଛିଦିନ ରହିଯା ବଳ ହେଲେ ପଛେ କାମ କରିବୁ ।

 

ନାଇଁ ବାବୁ, କେତେ କାମଯେ ଏତେ କଥା । ବଳ ଥିଲାବେଳେ ଘର କାମ କରି ବିଲକାମ କରୁଥିଲୁ, ଏଇନେ ବଳନାହିଁ ବୋଲି କଣ ଗୋଟେ ଘରକାମ କରିବୁନି ? ପାରିବୁନି ଯେ ମାଗି ଖାଇବୁ !

 

ବାବୁ ହସୁଥିଲେ । କେଡ଼େ ସରଳ ଏମାନେ । ଚମ୍ପା, ଗୋରୀ, ବୁଧି ସମସ୍ତେ ଏମିତି ଆଦର୍ଶ ଦେଖେଇ ଆସିଛନ୍ତି, ହେଲେ ପାଇଛନ୍ତି କଣ ? ପୁରୁଷର ଟିକିଏ ସାହଚର୍ଯ୍ୟ ପାଇଁ ନଗରଚାରିଣୀମାନେ ପରସ୍ତ ପରସ୍ତ ପାଉଡ଼ର ମାରିହେଇ ଶତ ଶଯ୍ୟାର ନାୟିକା ହେବାପାଇଁ ଇସାରା ଦେଉଥିଲା ବେଳେ ଏମାନେ...... । ବୋକି ଗୁଡ଼ା । ଜୀବନକୁ ଉପଭୋଗ କରି ଜାଣନ୍ତି ନି-। ବହୁତ ପଛରେ ପଡ଼ି ଯାଇଛନ୍ତି ।

 

ସତରେ ଏମାନେ ପଛରେ ପଡ଼ି ଯାଇଛନ୍ତି, ନା ଦୁନିଆ ପଛରେ ପଡ଼ିଛି ! ବାବୁ ସେମିତି ଚାହିଁଥିଲେ ଚଇକୁ । ବ୍ୟତିବ୍ୟସ୍ତ ହେଲା ଚଇ । କହିଲା; ‘‘ବାବୁ, କଣ ଏମିତି ଚାହିଁଚ ?’’

 

ପ୍ରକୃତିସ୍ଥ ହେଇ ବାବୁ ପଚାରିଲେ; ‘‘ତୋ ଘର କୋଉଠି, ଚଇ ।’’

 

ମକଦଲା ପୁର

 

ଆଛା ଆଜି ଯା କାଲିଠୁ କାମକୁ ଆସିବୁ ।

 

ଚଇ ଚାଲି ଯାଇଚି ତା ପଲାକୁ । କାନ୍ଧରେ ଗୁଜିକୁ ପକେଇ ହଲେଇ ହଲେଇ ଚାଲିଯାଇଚି ତା ବାଟରେ ।

 

କାନ୍ଦୁଚି ହାଡ଼ିଆ ଝର୍କା ରେଲିଂ ଧରି ବସି ପଡ଼ିଚି ତଳେ । କିଏ ଏ ଚଇ ? ଘର ମକଦଲାପୁର । ଇଏ ଆଉ ସିଏ ନୁହେଁତ ? ନିଜ ପ୍ରଶ୍ନରେ ଚମକି ଉଠିଲା । ନା, ତା କଦାପି ହେଇ ପାରେନା । ଚଇ ଏତେ ତଳକୁ ଯାଇପାରେନା । ସେ ତାକୁ ଚିହ୍ନିଚି । ତା ହୃଦୟକୁ ଚିହ୍ନିଚି । ସେ ପବିତ୍ର । ସେ ନିର୍ମଳ । ଚନ୍ଦ୍ର, ସୂର୍ଯ୍ୟରେ କଳଙ୍କର ଦାଗ ଥାଇପାରେ, ହେଲେ ସେ...... ।

 

ଯଦି ହେଇଥାଏ ! ତା ପଲାକୁ ଯିବ ? ହାତଧରି ମନା କରିବ ? ସେକଣ ତା ହାଡ଼ିଆର କଥା ଟାଳି ପାରିବ ? ଯାହା ପାଇଁ ଦିନେ ଦୁନିଆକୁ ଖାତିର କରୁନଥିଲା ସେ କଣ ଆଜି ଏ ବାବୁଟାକୁ ଛାଡ଼ି ପାରିବନି ? ବାବୁ ରାଗିବ, ରାଗୁ । ଯଦି କେବେ ଦେହରେ ହାତ ଦିଏ ତେବେ ଏ ଠେଙ୍ଗା...... ।

 

କିନ୍ତୁ ନିଜର ପରିଚୟ ଦେଇ ପାରିବତ । କଣ ଭାବିବ ଚଇ । ଏ ଖଣ୍ଡିଆ ହାତ, ଦାଢ଼ିଆ ପିଅନଟାକୁ କଣ ପୁଣି ସେଇ ଆଦର ସ୍ନେହ ଦେଇ ପାରିବ ? ଯଦି ପଚାରେ; ‘‘କାଳିମାଟି ଯାଇ ଭୁଲିଗଲୁ ନା’ରେ । ଭାବିପାରିଲୁନି ଚଇର ଅବସ୍ଥା କଣ କରିଥାନ୍ତି ଆଉ । ଜବରଦସ୍ତ ଅନ୍ୟଜଣଙ୍କର ହାତ ଧରାଇଲେ ସେମାନେ । ସେ କିନ୍ତୁ ତୋ ପରି ବେକୁଫ ନୁହେଁ । ତୋ ପରି ମାଇଚିଆ ନୁହେଁ । ଡରି ପଳେଇ ଯିବାକୁ ଚାହେଁନା । ତାରି ଓସାରିଆ ଛାତିରେ ମୋତେ ଆଶରା ଦେଇଚି । ସାନ୍ତ୍ୱନା ଦେଇଚି । ସେ ମୋତେ ଭଲ ପାଏ । ତୋପରି ନୁହେଁ । ଦେହକୁ ନୁହେଁ, ମନକୁ । ଦେଖୁନୁ । ଗୁଜି କେମିତି ହସୁଚି । ତାକୁଇ ପଚାରେ । ସେ ଠିକ୍‍ ତା’ବାପ କଥା କହି ପାରିବ । ଆଉ ଏତେବେଳେ ତୁ ଆସିଚୁ । ଦେହଟାର ବାସନା ଏ ପର୍ଯ୍ୟନ୍ତ ଲିଭିନି । ମୁଁ ଯିବି, ତୁ କିଏ କହିବାକୁ ?’

 

ମୁଣ୍ଡଟାକୁ ଚାପିଧରି ବସି ପଡ଼ିଲା ହାଡ଼ିଆ । କଣ କରିବ ? ତା ଭୁଲର କଣ ପ୍ରାୟଶ୍ଚିତ୍ ନାହିଁ ? ସେତ ଭଲରେ ଥିଲା । ଏମିତି କେତେ ଆସିଚନ୍ତି, କାହାକୁତ ସେ ବାରଣ କରିନି । ପୁଣି ଚଇନି କାହିଁକି ଆସିଲା ? ଭଗବାନ କଣ ପ୍ରତିଶୋଧ ନେବାକୁ ଚାହାଁନ୍ତି ?

 

ତଥାପି ସେ ଯିବ । ତା ଆଗରେ ତାର ଅନ୍ତରର ଚଇକୁ ଏମିତି ଜଳି ପୋଡ଼ି ମରିବାକୁ ଦେବନି । ସେ କହୁ ତାପାଇଁ ଯଦି ଚଇ ଏତେ ଦୁଃଖ ସହି ପାରିଲା ତାହେଲେ ଚଇ ମୁହଁରୁ କଣ ସେ, ଏଇତକ ଶୁଣି ରହି ପାରିବନି ?

 

ବୈଶାଖୀ ଝାଞ୍ଜି ଭିତର ଦେଇ ପେଲି ଯାଉଥିଲା ହାଡ଼ିଆ । ଗୋଡ଼ରେ ଚପଲ ନାହିଁ । ବାଲି ତାତିରେ ଖଇ ଫୁଟୁଚି । ଶୁଖିଲା କେଶ ଦାଢ଼ି ଫୁର ଫୁର ହେଇ ଉଡ଼ୁଚି । ସତେ ଯେମିତି ବୁଢ଼ୀଆଣୀ ବସା । ସବୁ ପଲ୍ଲାର ତାଟି ବନ୍ଦ । ଭିତରେ ଟୁପୁରୁ ଟାପର ହେଉଛନ୍ତି ସେମାନେ । କୋଉଥିକି ଲକ୍ଷ୍ୟ ନାଇଁ ହାଡ଼ିଆ ଚାଲିଚି । ଆଉ ଦି’ ଟା ପଲ୍ଲାଛାଡ଼ି ଚଇର ପଲ୍ଲା । ପତର ତାଟିଟା ଆଉଜା ହୋଇଚି । ହାଡ଼ିଆ ଛିଡ଼ା ହେଲା କବାଟ ପାଖେ । ଡାକିଲା; ‘‘ଚଇ’’

 

ଚଇନି ଚମକି ଉଠିଲା । କାହାର ଏ କଣ୍ଠସ୍ଵର । କାହାର ଏ ‘ଚଇ’ ଡାକ । କିଏ ଜାଣେ ତାକୁ ଏଠି ଚଇ’ ବୋଲି । ଏ ତ ହାଡ଼ିଆଇର କଣ୍ଠସ୍ଵର । ଛି, କ’ଣ ମନେ ପଡ଼ୁଚି । ହାଡ଼ିଆଇ ଯାଇଚି କାଳିମାଟି । କେତେରୋଜଗାର କରୁଥିବ ! ସୁନ୍ଦର ଦେଖି ବୋଧେ ହେବଣି । କୋଉଥିରେ ବା ତାର ଅଭାବ ।

 

ସେ କଣ ତାଛଡ଼ା ଆଉକାହାକୁ ଭଲପାଇ ପାରିବ ?? କାହିଁକି ନୁହେଁ ? ସେତ ପୁଣି ତାକୁ ଭୁଲି ଅନ୍ୟର ହାତ ଧରିଲା । ସେ କଣ ପାଣୁଆକୁ ଭଲପାଉନଥିଲା ? ? ଖୁବ ଭଲପାଉଥିଲା ହାଡ଼ିଆଇଠୁ ବହୁତ ବେଶି । ଜଣେ ଜଣକୁ ହୃଦୟ ନିଗାଡ଼ି ଭଲପାଇଲେ ଭଗବାନ ବୋଧେ ସହିପାରନ୍ତିନି । ନହେଲେ ସେଦିନ ହାଡ଼ିଆଇ କୁ ନେଇଗଲେ, ଆଉ ପରେ ପାଣୁଆକୁ । କ’ଣ ଲାଭ ପାଇଲେ ଭଗବାନ ?

 

ମନେ ମନେ ସମ୍ପୁଥିଲା ଭଗବାନଙ୍କୁ । ଯଦି ଆଗରେ ପାଆନ୍ତା....... । ପୁଣି ହାଡ଼ିଆ ଡାକୁଚି, ‘‘ଚଇ ତାଟୀଖୋଲ । ମୁଁ ପରା ଡାକୁଚି ।’’

 

ସେ ଆଉ ସ୍ଵପ୍ନ ଦେଖୁନି ତ ? ତାର ଶୁଣିବାରେ କିଛି ଭୁଲ ରହିନି । ହାଡ଼ିଆଇ କାଳିମାଟି ଗଲାଦିନ ଏମିତି ଡାକି ଥିଲା, ‘‘ଚଇ ତାଟୀ ଖୋଲ । ମୁଁ ପରା ଡାକୁଚି ।’’ ମରଦପୁଅ ହେଇ କଣ ସେ ଏପର୍ଯ୍ୟନ୍ତ ଅଭିଆଡ଼ା ରହିଚି ? ବାହାଘର ଦିନ ତାର ପାଇଥିଲା, ରେଳ ଦୁର୍ଘଟଣାରେ ହାଡ଼ିଆଇ ଡାକ୍ତରଖାନାରେ ।

 

ତାପରେ ଯଦି ସେ ଆସିଥିବ ଗାଁ କୁ ! କଣ ଭାବିଥିବସେ । ସେ କଣ ବିଶ୍ଵାସ କରିଥିବ ନିଜ ଆଖିକୁ ?? ଭାବିଥିବ ଚଇ ତାକୁ ଧୋକା ଦେଇଚି । ପର ପୁରୁଷର ହାତଧରି ଚାଲି ଯିବାରେ ତାର ବହୁତ ଆନନ୍ଦ ଥିଲା ? ସେ ବୁଝିନଥିବ ତା ଦୁଃଖ କଥା । ପୁଣି ଫେରି ଯାଇଥିବ କାଳିମାଟି ।

 

ଚଇ କାନ୍ଦୁଥିଲା, ଗୁଜିକୁ କୋଳରେ ଜାକି କାନ୍ଦୁଥିଲା । ଛୋଟ ଛୁଆଟି ପରି ଅତି ଅସହାୟ ଭାବରେ । କାହିଁକି ଏ କଦର୍ଯ୍ୟ ଭାବନା କରୁଚି । ଭଗବାନ ନକରନ୍ତୁ ହାଡ଼ିଆଇ ଛତରକୁ ନଆସୁ । ସେଇ କାଳିମାଟିରେ ଘରକରି ସୁଖରେ ରହୁ । ନଜାଣୁ ସେ ତାର ଆଦରର ଚଇ କଥା । ତାର ସୁଖ କଣ ମୋରସୁଖ ନୁହଁ ?

 

ଲୁହ ପୋଛିତାଟି ଟାକୁ ଖୋଲିଲା ଚଇ । ଆଗରେ ଛିଡ଼ା ହେଇଚି ପିଅନଟା । ‘ବାବୁ ତୁ-? ଶଂକି-ଯାଇ ପଚାରିଲା ଚଇ ।

 

ହାଡ଼ିଆ ଦେଖୁଥିଲା ଚଇକୁ । ଅସ୍ଥି ଙ୍କକାଳ ସାର ସରୁ ସୁନା ଖଡ଼ିକା ଖଣ୍ଡେ । ମୁହଁର ହନୁ ହାଡ଼ ଉପରକୁ ବେଶ୍‍ ଦେଖା ଗଲାଣି । ଏଇ କଣ ତାର ପ୍ରେମିକା, ଚହଟ ଚିକଣ ଚଇ ? ଇୟାରି ପାଇଁ କଣ ଗାଁରେ ହୁଲସ୍ତୁଲ୍‍ ପଡ଼ିଥିଲା ? କାଳିମାଟି ଯାଇ ଗୋଟିଏ ହାତ ବଳିଦାନ କଣ ଏଇ ଚଇ ପାଇଁ ?

 

ଚଇ ତେବେ ବାହା ହେଇଥିଲା ? ଭୁଲି ଯିବଣି ବୋଧେ ହାଡ଼ିଆଇ କଥା । ପାରିଲା ତ-? କେଡ଼େ ହତଭାଗିନୀଟେ । ଯୋଉ ଡାଳ ଧରୁଚି ସେଡାଳ ଛିଡ଼ୁଚି । ସେ ଆଜି ମା ହେଇଚି । ମାତୃତ୍ଵର ଜୟବାନା ପାଇଁ ପାଗଳ ପରି ଘୂରି ବୁଲିଚି ୟାଡ଼େ-ସିଆଡ଼େ । କିନ୍ତୁ ଏତେ ତଳକୁ ଯାଇ ପାରିଲା କେମିତି ? ଦୁନିଆରେ ଆଉ କଣ ଲୋକ ନଥିଲେ ? ନାଥ ମିଶ୍ରଙ୍କ ବାଡ଼ିରେ କାମ କରିଥିଲେତ ପେଟ ଅପୋଷା ରହିନଥାନ୍ତା ? ଜାଣନ୍ତରେ ହେଉ ବା ଅଜାଣତରେ ହେଉ ତଳକୁ ଗୋଡ଼ ବଢ଼ାଇଛି । ତେବେ ଶେଷ ପାହାଚରେ ଗୋଡ଼ ଦେଲା ପୂର୍ବରୁ ସେ କଣ ଟାଣି ପାରିବନି-?

 

ଆଉ ପରିଚୟ ଦେବ କାହିଁକି ? ଚିହ୍ନି ପାରିବନି ସେ । ଚିହ୍ନିଲେ ବି କଦର୍ଯ୍ୟ ରୂପକୁ ଦେଖି ଘୃଣା କରିବ । ‘’କଣ ପିଅନ ବାବୁ ଭିତରକୁ ଆସୁନ ? ବାହାରେ ଖରା । ମୁଣ୍ଡ ଫାଟିଯାଉଚି-।’’ ଚଇନି ଡାକିଲା । ନାଲୋ ଥାଉ । ଏଇବାଟେ ଯାଉଥିଲି ଯେ । ଗୁଜି କଥା ମନେପାଇଲା କଣ ଶୋଇ ଗଲାଣି କି ?

 

ହଁ ପିଅନ ବାବୁ ଶୋଇ ଗଲାଣି ।

 

ଦୁଧ ଦେଇଚୁଟି ?

 

ସେଇ ଦରିଆ ସେପାରି ଦୁଧତ ?

 

ହଉ କେମିତି ହେଲେ ଜୀବନ ରହୁ । ଯାଉଚି ।

 

ହାଡ଼ିଆ ଚାଲି ଯାଉଥିଲା । ଗଲାବାଟକୁ ଅନେଇ ଅନେଇ ତାଟି କିଳିଲା ଚଇନି । କେଡ଼େ ଭଲ ଏଇ ପିଅନ ବାବୁଟା । ସେଦିନ ତା ଜୀବନ ବଞ୍ଚେଇ ଥିଲା ଆଉ ଆଜି ଗୁଜିକୁ ଦେଖିବାକୁ ଆସିଥିଲା । ଗୁଜିକୁ ଭାରିଭଲ ପାଏ ତେବେ । ମୋ ଚନ୍ଦ୍ରମା ଟାକୁ କିଏ ଭଲ ନ ପାଇବ ଯେ ? ମନେ ମନେ ଭାବି ହସି ଚୁମା ଦେଲା ଗୁଜିକୁ । ଗୁଜି ଶୋଇଚି । କୋଳକୁ ଟାଣି ଆଣିଲା । ଅତି ପାଖକୁ । ଗେଲ କରୁ କରୁ ଶୋଇବାକୁ ଚେଷ୍ଟା କଲା ।

 

ପାଣୁ ମିଶ୍ରେ, ରାମତିଆଡ଼ି, ଗୋବିନ୍ଦ ପ୍ରଧାନଙ୍କର ଗୋପନ କଥା ଚାଲିଚି । ଖୁବ୍‍ ଗୋପନ କଥା । ପାଣୁ ମିଶ୍ରେ ସତର୍କ କରିଦେଉଥାନ୍ତି, ରାମ ଭାଇନା ଆସ୍ତେ କୁହ । କାନ୍ଥର ବି କାନ ଅଛିଯେ । ଯଦି ଗୁମର ଖୋଲି ଯାଏନା..... ।

 

ରାମ ତିଆଡ଼ି ଚିଡ଼ି ଉଠୁଛନ୍ତି, ପାଣୁଟା ଏଡ଼େ ଡରୁଆଟେ । ଏମିତି ଡରିଲେ କଣ କରିବ ଜୀବନରେ । ଆମରି ଦେଶ ଧନ ଆମେ ନଉଚେ ଏଥିରେ ଡରିବାର କଣ ଅଛି ? ଗୋଟିଏ ଚନ୍ଦ୍ର ଯେତିକି ଅନ୍ଧକାର ଦୂରକରେ ଲକ୍ଷେ ତାରାବି ନୁହେଁ । ଦେଶର ଗୋଟିଏ ଚନ୍ଦ୍ର ଦରକାର, ଲକ୍ଷେ ତାରାନୁହେଁ ।

 

ଏ ସରକାର ବୋକା । ଏ କଙ୍କାଳ ଗୁଡ଼ାଙ୍କୁ ଛମାସ ହେଲା ପୋଷିଲାଣି ତଥାପି ପର କଅଁଳୁନି । ଆଉ କେତେମାସ ଏମିତି ଚାଲିବ କେଜାଣି ? ସତେକି ରାମିଆ ମଣିଷ ହେବ ? ଆଉ ଆମର କେତେଟା ଟଙ୍କା ଦରମା ବଢ଼େଇଲା ବେଳକୁ ରକ୍ତ ଶୁଖି ଯାଉଚି ।

 

ଗୋବିନ୍ଦ ପ୍ରଧାନ ପାଳିଧରିଲେ, ଭଗବାନଙ୍କୁ ଡାକି ତିଆଡ଼ି ଭାଇନା ଆଉ ଗୋଟେ ବର୍ଷ ଏମିତି ଚାଲୁ । ନହେଲେ ଦି ଦିଟା ଝିଅଙ୍କୁ ବିଦା କରି ପାରିବତ ?

 

ସମସ୍ତେ ହସି ଉଠିଲେ । ସରକାର କହିଛନ୍ତି ସ୍ୱାସ୍ଥ୍ୟ, କାମ କରିବାର ସକ୍ଷମ ହେଇଗଲେ କିଛିଦିନ ସେମାନଙ୍କୁ କାମ ଯୋଗାଇ ଦିଆ ଯିବ । ତାପରେ ଛତର ଶେଷ । ହଳ ବିହନ ଯୋଗାଇ ଦିଆଯିବ ସେମାନଙ୍କୁ ।

 

କଥାଟା ଶୁଣି କୁରୁଳି ଉଠୁଥିଲେ ପାଣୁମିଶ୍ରେ । ତେବେ ଏଇନେ ଆଉକିଛି ଦିନ ଚାଲିବ ତାଙ୍କ ହାତରେ । ପୁଅଟା ସହରକୁ ଆସିବ । ଜମି ଆହୁରି ଦଶମାଣ କରିବାକୁ ହେବ । ନହେଲେ ସାତପ୍ରାଣୀ କୁଟୁମ୍ବ ପୋଷି ହେବେତ ? ଦରକାର ଟଙ୍କା । ଇୟାରି ଭିତରେ ଯୋଗାଡ଼ ନହେଲେ.....-

 

ତିଆଡ଼ି ଆପଣେ ପଇତାକୁ ଦେଖୁଥିଲେ । ନୂଆ ପଇତା ଝଟକୁଚି । ଦିନେ ହୁଏତ ସାବୁନ ଟିକେ ନ ପାଇ ସଫା ହୋଇପାରୁ ନଥିଲା । ଆଜି ତା ଜାଗାରେ ନୂଆ । ମୂଳରୁ ଯେ ଏମିତି ଗରିବ ଥିଲେ ତା ନୁହେଁ । ଶିବ ପଟ୍ଟନାୟକ.........

 

ହଁ ଶିବ ପଟ୍ଟନାୟକ ଗାଁର ମାମଲତକାର । ଚାହିଁଥିଲେ ଗାଁଟାକୁ କିଣି ନେବାକୁ । ଟଙ୍କାଥିଲା, ରାଜାଙ୍କ କାନ କୁହା ବୋଲି କାହାକୁ ଖାତିର କରୁ ନଥିଲା । ଇୟାର ହଁ ନା ଉପରେ ରାଜାଙ୍କର ହଁ ନା । ସାମାନ୍ୟ ଘଟଣାରୁ ରାଗି ଉଠିଥିଲା ସେଦିନ । କହିଥିଲା ତଳି ତଳାନ୍ତ କରିବ ବୋଲି । କରିଚି ମଧ୍ୟ । ପଚିଶି ମାଣ ଜମିରୁ ପାଞ୍ଚ ମାଣ ଅଛି । ଘରେ ମାଙ୍କଡ଼ ଡେଇଁ ଥିଲେ । ଶେଷରେ ସେ ହାରିଗଲେ । ତେବେ ଏ ଯାଏଁ ବି ସେ ପଇତା ଛୁଆଁ ଶପଥ ଭୁଲି ନାହଁନ୍ତି ।

 

ଶିବ ପଟ୍ଟନାୟକ ମଲେଣି ଦି’ ମାସ ହେଲା । ପୁଅ ନା-ବାଳକ । ରାଜା ରାଜୋଡ଼ା ଗଲେଣି । ବର୍ତ୍ତମାନ ତାଙ୍କର ପାଳି, ଚକ୍ର ବୃଦ୍ଧି ସୁଧର ହାରରେ ପାହି ପାହି କରି ପ୍ରତିଶୋଧ ନେବାକୁ ହେବ । କିଛି ଟଙ୍କା ଲୋଡ଼ା, ଟଙ୍କା...... ।

 

ଦୀର୍ଘ ନିଶ୍ଵାସ ପକାଇଲେ ତିଆଡ଼ି ଆପଣେ । ଚାହିଁଲେ, ପାଣୁ ମିଶ୍ର ଗୋବିନ୍ଦ ପ୍ରଧାନ ଚାହିଁଛନ୍ତି ତାଙ୍କରି ଆଡ଼କୁ । ନିର୍ଦ୍ଦେଶ ପାଇଁ ଅପେକ୍ଷା । ଏମାନନଙ୍କର ସେ ଜ୍ଞାନ ଦାତା, ବୃଦ୍ଧି ଦାତା-। ପଚାରିଲେ, ସେ ଚାଉଳ ଟ୍ରକଟା ସୁବିଧାରେ ଓଡ଼ିଶା ସୀମା ପାର ହୋଇଗଲା ତ ?

 

ଗୋବିନ୍ଦ ମୁରକି ହସି କହିଲେ ଆପଣ କାହାକୁ କେଉଁ କଥା କହୁଛନ୍ତି ତିଆଡ଼ି ଆପଣେ-। ଗୋବିନ୍ଦ ପ୍ରଧାନ ଯାଉ କାମରେ ହାତ ଦେଇଚି କେବେ ନ କରି ସାରି ଛାଡ଼ିଚି-?

 

ମୁହଁ ବୁଲାଇଲେ ପାଣୁ କରକୁ । ଗମ୍ଭୀର ହୋଇ ବସିଛନ୍ତି । କାନ୍ଧରେ ହାତ ଥାପୁଡ଼େଇ ତିଆଡ଼ି ଆପଣେ ପଚାରିଲେ, କିରେ ପାଣୁ ଏମିତି ମୁହଁ ମାରି ବସିଚୁ କାହିଁକି ? କ’ଣ ଗୋଦାମ ଘରେ କିଛି ଅସୁବିଧା ହେଲାକି ?

 

ମିଶ୍ରେ ମୁହଁ ଟେକିଲେ । ରାମ ଭାଇନାଙ୍କ ମୁହଁରେ ସେମିତି ଚେନାଏ ହସ ଲାଖି ରହିଛି-। ଆଖିରେ ଅଭୟ ପ୍ରଦାନର ଏକ ଅଭିନବ ଜ୍ୟୋତି । କହିଲେ, ଗୋଦାମ ଘର ଠିକ ଅଛି ଆଜ୍ଞା । କାଲି ଦାନ ସୂତ୍ରରେ ଦୁଇଶହ ବସ୍ତା ଚାଉଳ ପୁଣି ଟ୍ରକରେ ଆସି ପହଞ୍ଚୁଚି ।

 

କ’ଣ ଗୋଦାମ ଘରେ ରଖି ଦେଲୁକି ?

 

ଆଉ କ’ଣ କରିଥାନ୍ତି ?

 

ଜାଣେପରା ତୋ ହାତରେ ଖଡ଼ା ସିଝିବନି । ବାଟରୁ ତ ସିଆଡ଼େ ବିଦା କରି ଦେଇଥାନ୍ତୁ, ପୁଣି ଏ ଦୋହରା କାମ କାହିଁକି ? ଖାତାରେ ପକେଇ ଦେଇଚ ?

 

ଆଉ କଣ ଉପାୟ ଥିଲା ? ବାବୁ ପରା ଥିଲେ ସେଇଠି ?

 

‘‘ହୁଁ ବାବୁ ଥିଲେ ?’’ ମୁହଁ ଛିଞ୍ଚାଡ଼ି କହିଲେ ରାମ ତିଆଡ଼ି, ‘‘ଗୋଟାଏ ବୋତଲ ଧରାଇ ଦେଲୁନି ? ବୋକା କଣ କେଉଁଠି ଗଛରୁ ଫଳନ୍ତି ?’’

 

କିଛି ସମୟ ପାଇଁ ନୀରବ ରହିଲେ ସମସ୍ତେ । ତିଆଡ଼ି ଆପଣେ ଗୁଣୁ ଗୁଣୁ କରି କଣ କହି ଯାଉ ଥାନ୍ତି । ଗୋବିନ୍ଦ ପ୍ରଧାନଙ୍କର ମହା ଭାଳେଣୀ । ଆଉ କଣ ବୋଝାଇ ଟ୍ରକ ବେଙ୍ଗଲ ଯାଇ ପାରିବନି ? ତେବେ ଦିଟା ଝିଅ କଣ ଅଭିଆଡ଼ା ରହିଯିବେ ? ଲୋକେ କଣ କହିବେ ତାଙ୍କୁ-? ଥଟ୍ଟା କରିବେ । ନା ? ଚିଡ଼େଇବା ପାଇଁ କହିବେ, ‘‘ଜନମ କରି ଦେଲେ କଣ ହୁଏ ପ୍ରଧାନେ, ତାଙ୍କ ଖର୍ଚ ତୁଲେଇଲେ ନା ।’’

 

ବୟସ ବଢ଼ିବ ଦରବୁଢ଼ୀ ହେବେ । ତା ପରେ..... । ଛଳ ଛଳ ହେଇ ଆସୁଥିଲା ତାଙ୍କର ଆକ୍ଷି ଦୁଇଟି । ମରଦ ପୁଅ କଣ କାନ୍ଦିବେ ? ଲୁଚେଇ ରଖିବାକୁ ଚେଷ୍ଟାକଲେ । ଦରଦ ଭରା କଣ୍ଠରେ ପଚାରିଲେ, ‘‘ତିଆଡ଼ି ଭାଇନା କଣ କରିବା କହିଲ ?’’

 

‘ତୁମ ମୁଣ୍ଡ ଗଣ୍ଡି’, ତିଆଡ଼ି ଆପଣେ ଚିଡ଼ି ଉଠିଲେ, ‘‘ସବୁ ଗଧ ତ ଏକାଠି ହେଇଚ । ତୁମକୁ ନେଇ ପରା ମଣିଷ ବୁଡ଼ି ମରିବ ?’’

 

ଗାଳିଗୁଡ଼ା ଚନ୍ଦନ ପରି ଲାଗୁଥିଲା ଦୁହିଁଙ୍କୁ । ଏମିତି କଣ ହୁଏନି ? ବଡ଼ ମାନଙ୍କ ଗାଳି କଣ ଗାଳି ? ସବୁ ତାଙ୍କରି ଭଲ ପାଇଁ । ଗାଳି ଦିଅନ୍ତୁ, ଆହୁରି ଦିଅନ୍ତୁ ନା ।

 

ପାଣୁ କହିଲା, ‘’ଭାଇନା ଆପଣ ଏମିତି ରାଗିଲେ ହବ । ଆମେ ପରା ଆପଣଙ୍କ ଆଗରେ ଛୁଆ । ଆପଣ ଆମକୁ ଯାହା କହିବେ ଆମେ ନିଶ୍ଚୟ ମାନିବୁ ।’’ ସବୁତ ମାନି ପକଉଚ-? ମୁଣ୍ଡରେ ବୁଦ୍ଧିଥିଲେ ସିନା ହେବ । ମୁଁ ଯେତେ ପଢ଼ାଇଲେ କଣ ହବ ?

 

ଥରେ ପରୀକ୍ଷା କରି ଦେଖନ୍ତୁ ନା ।

 

ଓହୋ । ଏମିତି କେତେଥର ଦେଖିଲିଣି ନା ଆଉ ଦେଖିବାକୁ ବାକି ଅଛି । ‘ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦର ପୋଡ଼ା କାଠ ।’ ହଇରେ ତୁ ପରା ସବୁଦିନ ଚାଉଳ କାଢ଼ି ରାନ୍ଧିବାକୁ ଦଉ ?

 

ହଁ ତ !

 

କେତେ କେତେ ଦଉ ?

 

ଦୁଇଟା ସେକସନକୁ କୋଡ଼ିଏ ବସ୍ତାକରି ଦିନକୁ ଚାଳିଶ ବସ୍ତା ।

 

ଏ ଓଳି ଦୁଇବସ୍ତା ଆର ଓଳି ଦୁଇ ବସ୍ତା ଏମିତି ଦିନକୁ ଚାରି ବସ୍ତା ରଖି ହିସାବ ଠିକ୍‍ କର । ମାସକୁ କୋଡ଼ିଏ ବସ୍ତା ହେଲାଣିଟି ? ପ୍ରଧାନେ ତାକୁ ପଠେଇ ଦେବେନି ?

 

ଭଲ ବୁଦ୍ଧିଟା ବତେଇଛନ୍ତି ଭାଇନା । ପ୍ରଧାନେ ଖୁସି । ଝିଅ ବାହାଘର ହେଇଯିବ । ମିଶ୍ରେ, ଖୁସି ସାତପ୍ରାଣୀ କୁଟୁମ୍ବ ମରୁ ମରୁ ତରୀ ଯିବେ । ତିଆଡ଼ି ଆପଣେ ବୋହିଯାଉଥିବା ପାନପିକକୁ ପୋଛୁ ପୋଛୁ ଭାବୁଥିଲେ, ପଟ୍ଟନାୟକ ବଂଶର ତଳି ଉଠିବାକୁ ଆଉ କେତେଟା ବା ଦିନ ।

 

ଆଜି ପୂର୍ଣ୍ଣମୀ ଚାନ୍ଦ ହସୁଚି ନିଳିମା ଆକାଶରେ । ତାର ଏଇ ହସଟା କଣ ଚିର ଦିନ ରହିବ ? ତାର ଏ ରୂପ ଯୌବନ କଣ ଅତୁଟ ? ନାଁ । ପଛରେ ଆଖି ମିଟିକା ମାରୁଛି ଅମାବାସ୍ୟା-। ସେତେବେଳେ ଏ ହସ ଟୁକୁଡ଼ା ନଥିବ କି ଯୌବନ ଭରା ବୁକୁ ନଥିବ । ସବୁ ଲୀନ ହେଇଥିବ କାଳ ଗର୍ଭରେ ।

 

ପଙ୍ଗତ ବସିଛି । ଦଶଟି ଧାଡ଼ିରେ ଦୁଇଶହ ବସିଛନ୍ତି ଲୋକ । ପ୍ରଥମ ପଙ୍ଗତରେ ହାଡ଼ ସର ସର ଛୁଆ ଆଉ ବୁଢ଼ା ଗୁଡ଼ା । ଡାକ ଶୁଭୁଛି, ‘‘ଭାତ ଏଠି ଦିଅ । ଆଉଟିକେ ଡାଲି ।’’ ଘୋ ଘୋରେ କାନ ଅତଡ଼ା ପଡ଼ୁଚି । ବୁଲି ବୁଲି ତାଦରଖ କରୁଛନ୍ତି ତିଆଡ଼ି, ପ୍ରଧାନେ ଆପଣେ । ପରଶୁଣୀଏ ମହା ଭାଳେଣୀରେ ପଡ଼ିଲେଣି । କଣ କରାଯିବ । ଆଉ ଦେଲେ ଭାତ ନିଅଣ୍ଟ ପଡ଼ିଯିବ । ପ୍ରଧାନେ ପରିଶେଷରେ ତିଆଡ଼ି ଭାଇନାଙ୍କ କାନ ପାଖକୁ ଚାଲିଆସି କହିଲେ, ‘‘କଣ କରିବା ଭାଇନା ଭାତତ ପାଇବନି ?’’

 

ମୁଁ ଆଉକଣ ଘରୁ ଆଣିବି ? ଆରେ ଆଗରୁ ସେଇ ଚାଉଳ ଦିଆ ହେଉଥିଲା ପାଉଥିଲା । ଏବେ ଏ ଚାଉଳ ଗୁଡ଼ା ଯଦି ଭାତ ନହେଲା । ଯେତିକି ଚାଉଳକୁ ସେତିକି ଭାତହେଲା, ମୁଁ କଣ କରିବି ? ନାହିଁ କରିଦିଅ ଆଉ ହେବନି ।’’

 

ଚାରିଆଡ଼େ ଚିତ୍କାର ଶୁଭୁଚି, ‘ଆଉ ଦିଅ, ଆଉ ଦିଅ । ଆମ ପେଟ ପୂରିନି ।’ କେହି ଉଠୁ ନାହାନ୍ତି । ରାମ ବାବୁଙ୍କର ସେଇ ଏକା ଯିଦ୍ ଖାଇବାକୁ ଦେବା ବନ୍ଦ କର । ଚାଉଳ ପାଇବନି । ବାଧ୍ୟ ହେଇ ପତର ଫିଙ୍ଗିଲେ ସେମାନେ । ଆଉଦଳେ ବସିଲେଣି । ଭାତ ଦିଆଗଲା । କୋଉଠି ଥିଲେ ଆଗ ପଂଝାକ । ଝାମ୍ପ ମାରିଲେ ମାଟିଆ ଚିଲପରି । ଭିଡ଼ା ଓଟରାରେ ଭାତ ସବୁ ବିଛାଡ଼ି ହେଇ ପଡ଼ିଲା ଇୟାଡେ ସିଆଡ଼େ । କୁସ୍ତି କସରତରେ କେତେକଙ୍କ ମୁଣ୍ଡ ଫାଟିଲାଣି । ତେବେବି ପରବାୟ ନାହିଁ । କୁଆ ପରି ଖୁଣ୍ଟି ଖାଇ ଯାଉଥାନ୍ତି ସେମାନେ ।

 

ଦୂରରେ ଛିଡ଼ା ହେଇ ବାବୁ ଦେଖୁଥିଲେ । କଣ ଇୟେ ହେଉଚି । କାହିଁକି ଏ ଚଡ଼ା ମଡ଼ା-। ସେଇ ଚାଉଳତ ଯାଉଥିଲା, ଆଜି କଣ ହେଲା ? ଡାକିଲେ ରାମ ତିଆଡ଼ିଙ୍କୁ ।

 

ବଙ୍କୁଲି ବାଡ଼ିଟା ହଲେଇ ଆସି ପହଞ୍ଚିଲେ ରାମ ତିଆଡ଼ି । ଭଙ୍ଗା ଦାନ୍ତ ମଝିରୁ ବୋହି ଆସୁଚି ପାନ ପିଙ୍କର ଗୋଟିଏ ଧାର । ଆଖିରେ ଆଖିଏ ନେଞ୍ଜରା । ପିଙ୍କ ପୋଛୁ ପୋଛୁ ପଚାରିଲେ, ‘‘ଡାକୁଥିଲେ ଆପଣ ?’’

 

ହଁ ମୁଁ ଡାକୁଥିଲି ।

 

କାହିଁକି ଆଜ୍ଞା । ଭୟଭୀତ କଣ୍ଠରେ ପଚାରିଲେ ରାମ ତିଆଡ଼ି ?

 

ଆଜି କେତେ ଚାଉଳ ଦିଆ ହେଇଥିଲା ?

 

ସବୁଦିନ ଯେତିକି ଆଜ୍ଞା ।

 

ତେବେ ପାଇଲା ନାହିଁ କାହିଁକି ?

 

ଆମେ କଣ କରିବୁ ଆଜ୍ଞା । ଏଥର ଚାଉଳ ଯେତେକୁ ଭାତ ସେତେ । ଏଥିରେ ମୁଁ କଣ କରିବି ନା ଆପଣ କଣ କରିବେ । ତାପରେ ଆଜ୍ଞା, ଖାଇ ଖାଇ ଏଗୁଡ଼ାଙ୍କ ପେଟ ବଡ଼ ହେଇଗଲାଣି । ରାକ୍ଷାସ ପେଟ ପାଇଛନ୍ତିତ ? ପୁରିବ କୁଆଡ଼ୁ ।

 

ବାବୁ ଚିଡ଼ି ଉଠିଲେ । ସବୁ ସହି ପାରିବେ । ସବୁ ଅନ୍ୟାୟ କରି ପାରିବେ । କିନ୍ତୁ ଭୋକି ରଙ୍କିଙ୍କ ମୁହଁରୁ ଭାତ ଛଡ଼େଇ ଆଣିବ । ସେ ସହି ପାରିବେ ନି । ରାଗି ଯାଇ କହିଲେ, ‘‘ତୁମେ ଚୁପକର ତିଆଡ଼ି ଆପଣେ । ଆଜି ସେମାନେ ହାତ ପତେଇ ପାରୁଥାନ୍ତି । ଆଜି ସେମାନଙ୍କ ପେଟ ବଡ଼ ହେଇ ଯାଇ ପାରିଥାଏ । କିନ୍ତୁ ଦିନେତ ସେଇମାନଙ୍କ ଦୟାକୁ ଆମେ ମାନେ ଚାହିଁଥିଲେ ?’’

 

ଗମ୍ଭୀର ହେଇ ଉଠିଲେ ତିଆଡ଼ି । ବାବୁଙ୍କ ମୁଣ୍ଡ ଖରାପ ହେଇ ଯାଇନି ତ ? କାହାକୁ କଣ କହୁଛନ୍ତି । କେତେ ବାବୁ ସେ ଏମିତି ଦେଖିଛନ୍ତି । କାଲି ଲଙ୍ଗଳା ହେଇ ବୁଲୁଥିଲେ, ଆଜି ପତିଆରା ଦେଖଉଛନ୍ତି ?

 

ନୀରବତା ଭଙ୍ଗକରି ବାବୁ କହିଲେ, ‘‘କାଲି ସବୁକାମ ତଦାରଖ ମୁଁ କରିବି । ମୋ ବିନା ଅନୁମତିରେ କୌଣସି କାମ ହେଇ ପାରିବନି ।’’ କହି ଚାଲିଗଲେ ସେ ।

 

ତିଆଡ଼ି ଆପଣେ ଅନେଇଥିଲେ ତାଙ୍କ ଗଲା ପଥକୁ । ଯଦିସବୁ ଗୁପ୍ତକଥା ଫିଟିଯାଏ ତାହାଲେ ସେ ବି ଛାଡ଼ିବେନି । ବାବୁଙ୍କ ଗୁମର କଥା ଭଲ ଭାବେ ଖୋଲି ଦିଅନ୍ତି ଯଦିନା...... ।

 

ବୈଠକ ବସିଚି ଗୋଦାମ ଘରେ । ପାଣୁ ମିଶ୍ରେ, ରାମ ତିଆଡ଼ି, ଗୋବିନ୍ଦ ପ୍ରଧାନ । ଫୁସୁରୁ ଫୁସୁରୁ କଥା ଚାଲିଚି । କେତେକଥା କିଛିସମୟ ନିରବରେ କଟୁଚି । ପୁଣି ପରେ ଫୁସୁରୁ ଫୁସୁରୁ । ହାଡ଼ିଆ କାନ ପାରିଲା । କଣ କଥା ହେଉଛନ୍ତି ? କବାଟ ପାଖୁ ଲାଗିଗଲା । ନା, ସବୁ ବୃଥା । କାନ୍ଥର ଯେ କାନ ଅଛି । ସେଥିପାଇଁ ବୋଧେ....... ।

 

ବାବୁଙ୍କ ଆଦେଶ ସେ ଗଲା ପର୍ଯ୍ୟନ୍ତ ସେ ସେଇଠି ପହରା ଦେଉଥିବ । ଗଲାଦିନର ଗୋଳମାଳ ସରକାରଙ୍କ କାନକୁ ଯାଇଛି ।

 

ଉପରୁ ଆସିଛି ହାକିମି ଏହାର ପୁନରାବୃତ୍ତି ଯେମିତି ନହୁଏ । ବାବୁଙ୍କ ମନକୁ ବାଧିଚି । ବିବେକକୁ ବିଛା କାମୁଡ଼ିଚି । ହାକିମଙ୍କ କଥା, ‘‘ତୁମେ ଅପାରଗ-। ଏହାର ପୁନରାବୃତ୍ତି ହେଲେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ କରାଯିବ ।’’ ମନେ ପକାଇ ବାବୁ ବେଳେ ବେଳେ ବିବ୍ରତ ହୋଇ ପଡ଼ୁଛନ୍ତି ।

 

ଅନେଇଲା ଏ କରକୁ । ଆରାମ ଚେୟାର ଉପରେ ବାବୁ ବସି ଭାବୁଛନ୍ତି ଅନେକକିଛି । କାନ୍ଥକୁ ଅନେଇ ଭାବୁ ଭାବୁ ଅଜଣାତରେ ଟେବୁଲ ବାଡ଼େଇଲେ ଚଇ ଆସିଲା । ଛିଡ଼ା ହେଲା ପାଖରେ, ଖୁବ୍ ପାଖରେ । କାଇଁ ବାବୁତ ଅନଉ ନାହାନ୍ତି । ସବୁଦିନ ପରିତ ‘ଇୟା କର ତାକର’ କହୁନାହାନ୍ତି । ତେବେ.... । ବାବୁ ଡାକିଲେ କାହିଁକି ? ଛନକା ପଶିଲା ଚଇକୁ । କଣ କରିବ ସେ । ଡାକିଲା, ‘ବାବୁ ।’

 

ଚମକିଲା ପରି ଉଠି ପଡ଼ିଲେ ବାବୁ । ଚାହିଁଲେ, ଚଇ ଥରୁଚି ବରଡ଼ା ପତର ପରି । କାହିଁକି ? ପଚାରିଲେ, ‘‘ତୁ ଏଠି ଛିଡ଼ା ହେଇଚୁ କାହିଁକି ଚଇ ?’’

 

ଚଇ ନୀରବ ରହିଲା । କଣବା ଉତ୍ତର ଦେବ ସେ ତାଙ୍କୁ । ବାବୁ ତାକୁ ନିଜେ ଡାକିଲେ । ପୁଣି ପ୍ରଶ୍ନ....... ? ଥରିଲା ଥରିଲା କଣ୍ଠରେ ପଚାରିଲା, ‘‘କଣ ଆଣିବି ? ଆପଣ ଡାକିଲେ ଯେ....... ।’’

 

ବାବୁ ହସିଲେ । ମୁରୁକି ହସା । ଏ ହସରେ ସବୁଦିନିକା ପରି ନାରୀମନ ହରଣ କରିବାର ଯାଦୁକରୀ ଭାଷା ନଥିଲା । ଗୋଟେ ଗୋଟେ ଚା ମଲାଜହ୍ନ । କହିଲେ, ‘‘ନା ତୁ ଯା । ତୋ କାମ କର । ମୁଁ ଯାଉଚି ଗୋଦାମ ଘରୁ ଟିକେ ଆସେ ।’’ ଜଳଖିଆ କରିବେନି ?

 

ଭଲ ଲାଗୁନି, ଆସିଲେ ଖାଇବି । ରୋଷେଇ କରିଦେଇ ପଳେଇ ଯିବୁନି । ଏଇଠି ତୁ ଆଜି ଖାଇବୁ ।

 

ନିଜକାମରେ ମନଦେଲା ଏଥର ।

 

ଚୁପି ଚୁପି କଥା ଭିତରୁ ଏବେ ଟିକେ ଗମ୍ଭୀର କଥା ଶୁଭିଲାଣି । ହାଡ଼ିଆ କାନ ପାରିଲା-। ପଛପଟେ ବୁଲିଯାଇ ଛିଡ଼ାହେଲା ପାଖ ଝରକା ପାଖେ । ଶୁଭୁଚି ତିନି ମୂର୍ତ୍ତୀଙ୍କ କଥା । ତିଆଡ଼ି ଆପଣେ ଧମକେଇଲା ପରି କହୁଛନ୍ତି, ‘‘ତୁମେ କାହିଁକି ବ୍ୟସ୍ତ ହେଉଚ ଯେ । ରାମ ତିଆଡ଼ିର ଏମିତି କେତେ ଅଫିସର ଦେଖି ଦେଖି ଆଖିରେ ପରଳ ପଡ଼ିବାକୁ ବସିଲାଣି । ଆଉ ଇଏତ ଛୁଆ । ତୁମେ ଚୁପ୍‍ ରହିବ । ଯାହା କହିବାର କଥା ମୁଁ କହିବି ।’’

 

ପୁଣି କିଛି ସମୟ ନୀରବରେ କଟିଲା । ରାମ ତିଆଡ଼ି ମିଶ୍ରଙ୍କ ଆଡ଼କୁ ଝୁଙ୍କିପଡ଼ି ପଚାରିଲେ, ‘‘କଣ ମିଶ୍ରେ ଠିକ୍ କରିଚ ?’’

 

କୋଉ କଥା ଆଜ୍ଞା ?

 

କଣ କଉ କଥା ମ ? କାଲି ସନ୍ଧ୍ୟାବେଳେ ଯାହା କହିଥିଲି ।

 

ହେଜତ ହେଉନି ।

 

ଚୋପାଟା ହେଉନି । ହଇଏ ତମେ ମରିବନିତ ଆଉ କଣ ମରିବେ ଗାଁ ଲୋକେ ।

 

ନାଲିପାଣି କଥା କଣହେଲା ? ଚଢ଼ା ଗଳାରେ ପଚାରିଲେ ତିଆଡ଼ି ନା ।

 

ମିଶ୍ରେ ଚାରିପାଖକୁ ଚାହିଁଲେ କନ କନ କରି । ଠିକ୍‍ ଗୋଟିଏ ଛୋଟ କଅଁଳା ବାଛୁରି ପରି । ସତେ ଯେମିତି ସେ ଅଜ୍ଞ । ସେ ନି-ର୍ବୋଧ । ପ୍ରଧାନେ ଡରିଗଲେ । ଯଦି ମିଶ୍ରେ ପାଣିର ବନ୍ଦୋବସ୍ତ ନ କରି ଥାଆନ୍ତି ? ସବୁକଥା ଫସର ଫାଟିବ । ତାପରେ ଚାକିରୀଯିବ । ତେବେ ତାଙ୍କ ଝିଅଦିଟା...... ? ଟଙ୍କା ଅଭାବରୁ କଣ ଅଭିଆଡ଼ି ରହିଯିବେ ? ସେ ନିଶ୍ଵାସରେ ସେ ଜଳି ଯିବେନି-?

 

ରାଗ ଲାଗିଲା ମିଶ୍ରଙ୍କ ଉପରେ । ଏତେବଡ଼ କଥାଟା ସେ ସହଜ ବୋଲି ଭାବି ପାରିଲେ ? ବାବୁ ଯଦି ଚିଡ଼ି ଉଠନ୍ତି ?

 

‘ଶଳା ବାଉରୀକୁ କହିଥିଲି ଆସିଲା ନି ନା ?’ ମନେ ମନେ ଚିଡ଼ିଉଠୁଥାନ୍ତି ମିଶ୍ରେ । ନଗଦ ଦଶଟଙ୍କା ନେଇ ଯଦି ଠିକ୍‍ ସମୟରେ ନ ଆଣେ.... । ଆଜି ତାର ଦିନେକୁ ମୋର ଦିନେ । ଯଦି ଚାକିରୀ ଚାଲିଯାଏ ୟା’ ହପକୁ ଏ ସଂସାରରୁ ବିଦା କରିଦେବିନି ? ସେ ସିନା ଯିବ, ପୁଅ ପାଠ ପଢ଼ିବ କେମିତି ?? କଣ କଟକ, ମାଟି ମାଡ଼ି ପାରିବନି ? ଆଉ ସାତ ପ୍ରାଣୀ କୁଟୁମ୍ବ ଭାଷି ଯିବେ ଯେ । ତାଙ୍କରି ଆଗରେ ତାଙ୍କରି ପୁଅଝିଅ ସ୍ତ୍ରୀ ସମସ୍ତେ ଏମିତି ଛତରରେ ପସିବେ ? ହାତ ପାତି ଭାତ ଗଣ୍ଡେ ପାଇବେନି ? ପତ୍ର କୁଡ଼ିଆରେ ଦିନରାତି କାଟିବେ, ଆଉ ସେ ବାପହୋଇ ସବୁ ସହି ଯିବେ ? ଆକ୍ଷି ତାଙ୍କର ଜକେଇ ଆସିଲା । ପିତୃତ୍ଵ ତାଙ୍କର କାନ୍ଦି ଉଠିଲା ।

 

ତିଆଡ଼ି ଆପଣେ ଚାହିଁଲେ ମିଶ୍ର କାନ୍ଦୁଚି । କଥାଟା ବହୁତ ବାଧିଚି ବୋଧେ । କାନ୍ଧରେ ହାତ ପକେଇଲେ । ‘‘ତୁ କାନ୍ଦୁଚୁ ? କୋଉ କଥାଟା ବା ଇୟେ । ଆରେ ଗୋଟେ ଫାନ୍ଦଗଲା ଆଉକଣ ନାହିଁ ?’’

 

ସତରେ କଣ ସେ କାନ୍ଦୁଛନ୍ତି ? ଚମକି ପଡ଼ିଲେ ମିଶ୍ରେ । ଲୁହ ପୋଛିଲେ । କରଣ ଦୃଷ୍ଟିରେ ଚାହିଁ କହିଲେ, ‘‘ମୋତେ ରକ୍ଷାକର ତିଆଡ଼ି ଭାଇନା । ନ ହେଲେ ସାତ ପ୍ରାଣୀ କୁଟୁମ୍ବ ଭାସିଯିବେ ଯେ ?’’

 

ତିଆଡ଼ି ଆପଣେ ହସିଲେ । ବ୍ୟଙ୍ଗଭରା ହସ । କହିଲେ, ‘‘ଏଇଥିପାଇଁ ତୁ ଡରି ଯାଉଚୁ-? ଆରେ ତୋ ପାଖେ ପାଖେ ପରା ମୁଁ ଅଛି । ଚିନ୍ତାନାହିଁ । ଗୋଟେ ବାଟ ବନ୍ଦହେଲେ ଆଉ ଗୋଟେ ଫିଟିବନି ?’’

 

ଲସର ପସର ହେଇ ଧାଇଁ ଧାଇଁ ଭିତରକୁ ପ୍ରବେଶ କଲା ବାଉରୀ । ମିଶ୍ରଙ୍କୁ ଅଟକାଇ ନେଉ ନେଉ ତିଆଡ଼ି ଆପଣ ପଚାରିଲେ, ‘‘ତୁ ମରିବୁନି । ଲକ୍ଷେବର୍ଷ ଆୟୁଷ ହେବ । କଣ ପାଇଲୁ-? ଏଇନେ ତ ତୋରି କଥା ପଡ଼ିଥିଲା ।’’

 

ବୁଜୁଳାରୁ ଦୁଇ ତିନିଟା ଲମ୍ବା ବୋତଲ ବାହାର କଲା ବାଉରୀ । ଚିରା ଲୁଗାଟାରେ ଗୁଡ଼େଇ ଆଣିଚି ସହରରୁ । ଏଇ ପୁଲିସ ବାଲା ଯାହା ହେଉଚନ୍ତି ନା ଟେବୁଲ ଉପରେ ଥୋଇଲା । ବଡ଼ ବଡ଼ କାଗଜରେ ଇଂରାଜୀ ଲେବୁଲ୍ । କହିଲା, ‘‘ଖାଣ୍ଟି ବିଲାତି ଆଜ୍ଞା । ମୋ ଜୀବନରେ ଏମିତି କେବେ ପାଇ ନ ଥିଲି । ହେଲେ ଟିକେ ଚଢ଼ା ଦର ଆଜ୍ଞା । ଶଳା ନିଶୁଆଟା ପରା ଗୋଟେ ପଇସା କମ୍‍ କଲାନି ।’’

 

ସମସ୍ତଙ୍କ ମୁହଁରେ ହସ । ପ୍ରଧାନେ ଖୁସି; ତାଙ୍କର ଦି ଦିଟା ଝିଅ ଉଠିଯିବେ । ମିଶ୍ରେ ଖୁସି ତାଙ୍କ ସାତ; ପ୍ରାଣୀକୁଟୁମ୍ବ ବଞ୍ଚିଗଲେ । ତିଆଡ଼ି ଆପଣେ ହସୁଛନ୍ତି । ବାବୁଙ୍କୁ କଡ଼ା ପାନେ ଦେବେ । ଦୂରରୁ ଦେଖାଗଲାଣି ବାବୁ ଆସୁଛନ୍ତି ବାଉରୀଆକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇ ବାବୁଙ୍କ ଆଗମନକୁ ଅନେଇ ରହିଲେ ।

 

ବାବୁ ପଶିଲେ ଭିତରକୁ । ସାଷ୍ଟାଙ୍ଗ ପ୍ରଣିପାତ ଜଣାଇଲେ ତିନିହେଁ । ଆଜି ଷ୍ଟୋର ଘର ଦେଖାଯିବ, କାହିଁକି ଅଭାବ ପଡ଼ୁଚି ଜିନିଷ । ଜମା ଖର୍ଚ୍ଚର ହିସାବ ଆଜି ନେବେ ବାବୁ । ବସିବାକୁ ନିର୍ଦ୍ଦେଶ ଦେଇ ବସିଲେ ସେ ।

 

କାଗଜ ଦେଖି ଦେଖି ଗଣି ଗଣି ଚାଲୁଥାନ୍ତି ବାବୁ । ସଂଦେହହେଲେ ପଚାରୁ ଥାନ୍ତି, ‘ଏଇଟା କେତେ ଏଇଟା କୋଉଠି ଅଛି ଇତ୍ୟାଦି ।’ ଆବୁଡ଼ା ପଡ଼ି ତିଆଡ଼ି ଆପଣେ ଝୁଙ୍କିପଡ଼ି କହି ଦେଉ ଥାଆନ୍ତି ।

 

ଦେଖା ସାରିଲା । ସବୁଥିରେ କମ୍ଅଛି । ଯାହାବା ଅଛି ସବୁ ଅଖା କଣା । ଦୁଇଶହ ବସ୍ତାର ହିସାବ ନାହିଁ । ଦିନକୁ ଯେତିକି ଦିଆଯାଏ ତା ଅପେକ୍ଷା ଅନେକ ଅଧିକା ଲେଖାଯାଇଚି । ଚିଡ଼ି ଉଠିଲେ ବାବୁ । ଡାକିଲେ, ‘ତିଆଡ଼ି ଆପଣେ ଶୁଣିଲେ ।’

 

ତିଆଡ଼ି ଆପଣେ ଆସିଲେ । ହାତରେ ଦିଟା ଲମ୍ବା ବୋତଲ । ଖାଣ୍ଟି ବିଲାତି । ୟାକୁ ବାଉରୀ ତା ଜୀବନରେ ଦେଖିନଥିଲା । ବାବୁଙ୍କ ରାଗ ବୋଧେ ଏଇଥିରେ ମରିଯିବ । ବୋତଲ ଥୋଇଲେ ଟେବୁଲ ଉପରେ । ବାବୁ ଅନେଇଲେ । ସେ ରଙ୍ଗପାଣି ଗୁଡ଼ ଯେମିତି ଥଟ୍ଟା କରୁଛନ୍ତି । ହାତଠାରି କହୁଛନ୍ତି, ‘‘ତୁମେ ଅପାରଗ ବାବୁ । ଖୁବ୍ ଅପାରଗ । ନହେଲେ ଆମେ ଦିଟା କଣ ତୁମ ମୁହଁ ବନ୍ଦ କରି ପାରନ୍ତୁ ? ତୁମେ ପରା I. A. S. ?’’ ବଡ଼ ଚାକିରୀ ପାଇଚ । ଖୁବ୍ ? ବିଚକ୍ଷଣ ବୁଦ୍ଧିବୋଲି ନାଁ ଅଛି ? ଚାହିଁଲ ଏଇ କାଙ୍ଗାଳ ଗୁଡ଼ାକୁ । ତୁମରି ଭୁଲ ପାଇଁ କେତେଟା ସଂସାର ଉଜୁଡ଼ି ଯିବ ଜାଣିଚ ?? ସେଇମାନଙ୍କ ତତଲା ନିଶ୍ଵାସରେ ତୁମେ କୁଆଡ଼େ ଉଡ଼ିଯିବ ବାବୁ ଠିକ୍ ଝଡ଼ରେ ଗୋଟେ ଓସ୍ତ କି ବରପତ୍ର ପରି । ବେଳ ଅଛି ଫେରି ଆସ । ତଳ କର୍ମଚାରୀଙ୍କ ପାଖରେ ନିଉନ ହେବ ?? ତାଙ୍କରି ଆଙ୍ଗୁଠି ନିର୍ଦ୍ଦେଶରେ ତମେ ନାଚିବ ଛୋଟ କଣ୍ଢେଇ ପରି ? ଭୁଲକରନା-। ବେଳ ଅଛି ଫେରିଆସ । ନହେଲେ ପସ୍ତେଇବ ଯେ ।’’

 

ଫେରି ଆସିଲେ ଭାବନା ରାଜ୍ୟରୁ । ବୋତଲ ଦିଟାକୁ ଫିଙ୍ଗିଦେଲେ ଦୂରକୁ । ଝନ୍‍ ଝାଣ ହେଇ ପଡ଼ିଲା ଦିଟା ବିଲାତି ବୋତଲ । ଚାରିକର ବିଛାଡ଼ି ହେଇ ପଡ଼ିଲା ମାଦକତାର ଟିକି ଟିକି ଟୁକୁଡ଼ା କେତୋଟି ।

 

ତିଆଡ଼ି ଆପଣେ ଦାନ୍ତ କାମୁଡିଲେ । ସତରେ ବାବୁକୁ ଆଜି ଭୁତ ଲାଗିଚି । କଥାରେ ଅଛି ମରଣ କାଳେ ବିପରୀତ.... । ନହେଲେ ବାଢ଼ିଲା ଭାତକୁ ଗୋଇଠା ମାରନ୍ତା ?

 

ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି ବାବୁ । ଲମ୍ବା ଲମ୍ବା ପ୍ରଶ୍ନ । ଅନେକ କିଛି ଯାହାର ଉତ୍ତର ନାହିଁ । ଯାହାର ପରିପ୍ରକାଶ ପାଇଁ ଭାଷାକୋଷର ଅଭାବ । ତିଆଡ଼ି ଆପଣେ ଚୁପ୍ । ବାବୁ ଆହୁରି ରାଗିଉଠିଲେ । ଟେବୁଲ ବାଡ଼େଇ ପଚାରିଲେ, ‘‘ଉତ୍ତର ଦିଅନ୍ତୁ ତିଆଡ଼ି ଆପଣେ । ନହେଲେ ମୁଁ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ ହେବି । କୁହନ୍ତୁ ପ୍ରଧାନେ, କୁହନ୍ତୁ ମିଶ୍ରେ ?’’

 

ମୁଣ୍ଡ ତଳକୁ କାଲେ ପ୍ରଧାନେ ମିଶ୍ରେ । ତିଆଡ଼ି ଆପଣେ ସେମିତି ନିର୍ବିକାର, ଭାବେ ବସିଥାନ୍ତି । କହିଲେ, ‘‘ଇୟାର ଉତ୍ତର ନାହିଁବାବୁ । ସବୁତ ସେ ଦରିଦ୍ର ନାରାୟଣ ସେବାରେ ଯାଇଚି । ବାକି ଯାହାଥିଲା ସେତେକ ବିଲାତିରେ ।’’

 

ବାବୁ ଗମ୍ଭୀର ହେଇ ଉଠିଲେ । କଣ କରାଯାଇ ପାରେ ଏମାନଙ୍କୁ । କି ଶାସ୍ତି । ସମସ୍ତେ ନୀରବ । ସମସ୍ତେ ମୁକ । ସମସ୍ତେ ଜଡ଼ । ବାବୁ ନୀରବତା ଭାଙ୍ଗି କହିଲେ, ‘‘ତେବେ ସବୁକଥା ସତ ?’’

 

ତିଆଡ଼ି ଆପଣେ ମୁଣ୍ଡ ଉଠେଇଲେ ଉପରକୁ । ଆଗରେ ବାବୁ । ହସିଲେ ଟିକେ । ସେ ହସ ତାଛଲ୍ୟର । ସେ ହସ ବିଭତ୍ସତାର । କହିଲେ, ‘‘ଚମ୍ପା ଆଉ ଗୌରୀର ମୃତ୍ୟୁ ମଧ୍ୟ ସତ୍ୟ ଆଜ୍ଞା-।’’

 

ହତବାକ୍ ହୋଇଗଲେ ବାବୁ । ପୃଥିବୀଟା ତଳକୁ ତଳକୁ ଖସି ଯାଉନିତ ? ଏ ବାୟୁମଣ୍ଡଳରେ ଅମ୍ଳଜାନ ବଦଳରେ ଅଙ୍ଗାରକାମ୍ଳ ନିଜର ଆଧିପତ୍ୟ ବିସ୍ତାର କରୁନିତ ? କଣ କହୁଛନ୍ତି ତିଆଡ଼ି । ଯେ ଦିନେ ମୁହଁ ଟେକି ଅନେଇବାକୁ ସାହାସ କରୁନଥିଲେ, ସେ ପୁଣି ଏକଥା କହି ପାରୁଛନ୍ତି ??

 

ମୁହଁଟା ଆସ୍ତେ ଆସ୍ତେ ରଙ୍ଗା ପଡ଼ି ଆସୁଥିଲା । ଦେହର ସମସ୍ତ ରକ୍ତ ଯେମିତି ଜମାଟ ବାନ୍ଧୁଥିଲେ, ମୁହଁରେ ଆଗାମୀ ପ୍ରଳୟର ସୂଚନା ଦେବାପାଇଁ । କଣ କରାଯାଇ ପାରେ ? ତାଗିଦା କରିବା ପାଇଁ ବାବୁ କହିଲେ, ‘‘କାହାକୁ କଣ କହୁଚ ତିଆଡ଼ି ଆପଣେ ଜାଣି ପାରୁଚ ତ ? ଟିକେ ଆଙ୍ଗୁଳି ହଲେଇଲେ....... ।’’

 

ସେମିତି କୁଟିଳ ହସ ହସୁଥିଲେ ତିଆଡ଼ି ଆପଣେ । ପାନରଙ୍ଗା ଖଣ୍ଡିଆ ଦାନ୍ତଗୁଡ଼ା ଖତେଇ ହେଲାପରି ବାହାରକୁ ଦେଖାଯାଉ ଥାଆନ୍ତି । କଥାଟାର ଖିଅଧରି କହିଲେ, ‘‘ହଁ ଆଜ୍ଞା ଆଙ୍ଗୁଳି ହଲେଇଲେ ଦୁଇ ଦୁଇଟା ଜୀବନ ସାରିଥିବା ଅପରାଧରେ କିଛିଦିନ ଘଣା ପେଷା ଭାଗ୍ୟରେ ମିଳିବ ।’’

 

ନିର୍ବାକ ବାବୁ ଚାହିଁ ରହିଲେ ସେମିତି । ଚାରିକାନ୍ଥ ଯେମିତି ଖତେଇ ହେଉଛନ୍ତି । ଗହମ ବସ୍ତା ଗୁଡ଼ାବି ହାତଠାରି କହୁଛନ୍ତି, ‘‘ଚିନ୍ତା କରନି ବାବୁ । କିଛିଦିନ ଗଲେ ଆମକୁ ଆଉ କଳକୁ ଯିବାକୁ ପଡ଼ିବନି ଯେ । ଓଃ କି ଦୁର୍ଦ୍ଧାନ୍ତ ସେ କଳଟା । ଟିକେ କଣ ଦୟା ମାୟା ଅଛି ତାଠି ? ପାଇଲା ମାତ୍ରେ ପେଶିଦେଲା । ବାପାଙ୍କର ଗେହ୍ଲା ପୁଅନା ? କିନ୍ତୁ ତୁମ ହାତ... । କଲମ ଧରା ହାତକରଣ ଏତେ ନିର୍ମମ ହେଇପାରେ ? ଜେଲର ସେଇ ବଡ଼ ଚକିଟାବି ଆପଣଙ୍କ ପରସ ପାଇଁ ଧାନ୍ୟ ହେବ । ଆଉ ଡେରି ନାହିଁ ଯେ ?’’

 

କାଗଜଟାକୁ ଫିଙ୍ଗିଦେଇ ବାହାରି ଗଲେ ବାବୁ । ଦୂରକୁ ଚାହିଁଲେ ଖାଲି ପତର କୁଡ଼ିଆ-। ଦୂରରେ ସେଇ ଓସ୍ତଗଛ ତଳେ ଦୁଇଟି ଝିଅ ପତର ଗୋଟାଉଛନ୍ତି । ମୁହଁ ଦେଖା ଯାଉନି-। ଚିହ୍ନି ହେଉନି । ଇଏ ଆଉ ଚମ୍ପା, ଗୌରୀ ନୁହଁନ୍ତି ତ ? ଆଖି ବନ୍ଦ ହେଇଗଲା । ଆଉ ଚାହିଁ ହେବନି । ପେଡ଼ଲରେ ଗୋଡ଼ ଦେଲେ ବାବୁ । ପଛରେ ହସୁଥିଲେ ତିନିହେଁ । ହସୁଥିଲେ ଶିଆଳଗୁଡ଼ା ବି-

 

ରନ୍ଧା ସାରିଲା । ରାତି ଆଠଟା ହେଲାଣି । ଶୀଘ୍ର ଖାଇବାକୁ ଦେଲେ ଚଇ ଫେରିଯିବ ତାର କୁଡ଼ିଆକୁ । ବିଲାତି ଖିରରୁ ଟୋପେ ଦେବ ଗୁଜିର ମୁହଁରେ । ଗୁଜିର ମୁହଁରେ ପୁଣି ହସର ଚନ୍ଦ୍ରମା ଉଇଁବ । ପୁଣିସେ ହସି ହସି ଲୋଟି ଯିବ କୋଳରେ । ଧଡ଼ରା ସ୍ତନ ଦିଟା ଚୋଷିବାରେ ତାର କି ଆନନ୍ଦ ?

 

ଆଜି ଖରାବେଳେ ବାବୁ ଭଲକରି ଖାଇ ନାହାଁନ୍ତି । ଚାରିଟା ବେଳେବି ବୁଲିଯାଇ ନାହାନ୍ତି । ଟେବୁଲ୍ଉପରେ ମୁଣ୍ଡଦେଇ ସେଇ ଲୁଗାରେ ସେମିତି ଶୋଇଛନ୍ତି । କାଗଜ ଉଡ଼ୁଛି ଇୟାଡ଼େ ସିଆଡ଼େ । ସରକାରୀ କାଗଜ । ଛାପା କାଗଜ । ପାଟିରେ ହାତ ଦେଲା ଚଇ । ‘‘ଏ ମା ବାବୁକଣ ପାଗଳ ହୋଇଗଲେ କି? କାଗଜପତ୍ର ଟିକେ ପବନରେ ଖେଳେଇ ହେଇଥିଲେ ରାଗିଉଠନ୍ତି । ତାହାହେଲେ..... । ଡାକିଲା, ‘‘ବାବୁ । ବାବୁ ।’’

 

ବାବୁ ଶୁଣିବି ଶୁଣୁନାହାନ୍ତି । ଉଠୁନାହାନ୍ତି । ଚଇ ମନ ପାପ ଛୁଇଁଲା । ହଲେଇ ଦେବକି-? ନା ନା ବାବୁଙ୍କୁ ଛୁଇଁବା ଅସମ୍ଭବ । ଏହାତ କେବଳ ଜଣକ ପାଇଁ । ପରପୁରୁଷକୁ ଛୁଇଁବା ପାପ ଯେ । ଚେୟାରଟାକୁ ହଲେଇ ଡାକିଲା, ‘‘ବାବୁ । ବାବୁମ ।’’

 

ବାବୁ ଉଠିଲେ । ଆଗରେ ଚଇ । ବିପର୍ଯ୍ୟସ୍ତ ବାଳଗୁଡ଼ା ଏମିତି କେବେ ଫୁରୁ ଫୁରୁ ହେଇ ଉଡ଼େନା । କିନ୍ତୁ ଆଜି....... । ଉଠିଗଲେ ବାହାରକୁ । ମୁହଁ ଧୋଇଲେ । ସାବୁନୁରେ ନୁହେଁ, ଖାଲି ପାଣିରେ । ରୁମାତଉଲିଆରେ ପୋଛିବାକୁ ମନେ ନାହିଁ । ଆଗରେ ସୁଖୁଥିବା ଲୁଙ୍ଗିଟାକୁ ଟାଣି ଆଣିଲେ । ଚେୟାର ବହୁତ ଦୂରରେ । ଆଣିବାକୁ ଧର୍ଯ୍ୟ ନାହିଁ । ଯିବାକୁ ବଳ ନାହିଁ । ଟିଉବ୍ଉଏଲର ଚଟାଣ ଉପରେ ବସିପଡ଼ି ପଚାରିଲେ, ‘‘ମୋତେ ଡାକୁଥିଲୁ ଚଇ ।’’

 

ଚଇର ସାହାସ ହେଲା । ଥରିଲା ଗଳାରେ କହିଲା, ‘‘ଖାଇବନି ବାବୁ । ରାତିପରା ଦିଘଡ଼ି ହେଲାଣି । ଦେଲେ ମୁଁ ଯିବିଯେ ।’’

 

ବାବୁ ଚାହିଁଲେ ଉପରକୁ । ଜହ୍ନଟା ଉପରକୁ ଉଠିଲାଣି । କେତେ ଉପରକୁ । ଦିଘଡ଼ି ହେବ ବୋଧେ । ମନଭଲ ନାହିଁ । ଭାତନଖାଇ ମୁନ୍ଦେ ପିଇଲେ...... । ଗୋରି ମାରିବାଠୁ ଆଜି ପର୍ଯ୍ୟନ୍ତ ସେ ପିଇନାହାନ୍ତି । ଜିଭଟା ଅଠା ଅଠା ହେଇଗଲାଣି । ପାଟିଟା ଯେମିତି କୋଉକାଳରୁ ଅଘସା ।

 

ଚଇ ଶୁଣିଲୁ ।

 

ଚଇ ଛିଡ଼ାହେଲା ଆଗରେ । ଆଜି ବାବୁଟାର କଣ ହେଇଚି ଏମିତି । କାହିଁକି ହେଉଚି । ଭୁତ ଲାଗିଲାକି ଆଉ । ଚାବିଟା ବଢ଼େଇ ଦେଉ ଦେଉ ବାବୁ କହିଲେ, ‘‘ନେ ଚଇ ଆଲମିରା ଫିଟେଇ ସେ ଡେଙ୍ଗା ବୋତଲଟା ଆଣିଲୁ । ଆଉ ତାପାଖେ ଯୋଉଗ୍ଲାସଟା ।’’

 

ଚଇ ଚାଲିଗଲା । ହାଡ଼ିଆ ରାତିରେ କୁଆଡ଼େ ଯାଏନା । ଗୋଡ଼େ ଗୋଡ଼େ ଜଗିଚି ଚଇକୁ । ଯଦି ବାବୁଟା କିଛି କରେନା...... ? ଚାହିଁଥିଲା ପରଦା ଫାଙ୍କରେ । ବୋତଲଟା ଆଣିଲାଣି ଚଇ । ସେଇ ବୋତଲ ଯାହାକୁ ଚମ୍ପା, ଗୋରି ଢାଲୁଥିଲା । ବାଡ଼ିଟା ସିଧା କରିନେଲା । ଯଦି ଦର୍କାର ପଡ଼େ...... ।

 

ଗିଲାସଟା ବଢ଼େଇ ଦେଲା ଚଇ ହାତକୁ । ବାବୁ କହିଲେ, ‘‘ତୁ ଢାଳ ଚଇ ।’ ଚଇ ଠିପି ଖୋଲିଲା । ଇସ୍‍ କି ଗନ୍ଧ । ପଚାରିଲା, ବାବୁ ତୁମେ ମଦ ଖାଉଚ ?’’

 

ବାବୁ ହସିଲେ । କେଡ଼େ ନିର୍ବୋଧ ଏମାନେ । ବିଲାତିକୁ ଦେଶି ବୋଲି ଭାବନ୍ତି । ଜାଣନ୍ତିନି ଏଥିରୁ ମୁନ୍ଦେ ପଡ଼ିଲେ.... । କଥା ବୁଲେଇବାକୁ କହିଲେ, ‘‘କିଛି ନୁହେଁରେ ଏଗୁଡ଼ାକ ବିଲାତି ଓଷଧ ନା; ଟିକେ କଡ଼ା । ସେଇଥି ପାଇଁ ଗନ୍ଧ ହେଉଚି । କିଛି ଭାବନା ଜାଣି ।’’

 

‘‘ନାନା ବାବୁ ମୋତେ କେମିତି ଲାଗୁଚି । ଏଗୁଡ଼ାକ ଓଷଧ ନୁହେଁ ମଦ । ପିଅନା ବାବୁ-। କଲିଜା ପୋଡ଼ି ଯିବ ଯେ । ମୋ ସାନ କଥା ମାନ ହେଲେ । ଖିର ଦେଉଚି ରହିଥା-।’’

 

ଏକ ଲୟରେ ଚାହିଁ ଦେଖୁଥିଲେ ବାବୁ ଅତୀତକୁ । ଏମିତି ସେଦିନ ଚମ୍ପା ଆସିଥିଲା । ଯୋଉଦିନ ଜାଣିଲା ଯେ ମୁଁ ମଦ ଖାଏ ବୋଲି.... । କେତେ ଅନୁରୋଧ ନ କରିଚି ସେ । ସେ ଦିନ କୂଅମୂଳେ ଏମିତି ସଂନ୍ଧ୍ୟାବେଳେ.... ।

 

‘‘ଚମ୍ପା ଶୁଣିଲୁ ।’’

 

‘‘କଣ ବାବୁ ?’’

 

‘‘ଚାବି ଧର ।’’

 

ଚମ୍ପା କେମିତି ଗୋଟେ ନିସହାୟ ଭାବରେ ଚାହିଁଥିଲା । ଏତେବଡ଼ ଘରର ଚାବିଟା ବାବୁ ତାକୁ ଦଉଚନ୍ତି ?? ସତେ ବାବୁ କେତେ ଭଲ ପାଆନ୍ତି ତାକୁ ? ଯେତେବେଳେ ବୋତଲ ଆଣି ଢାଳିବାକୁ କୁହାଗଲା ତ୍ରସ୍ତା ହରିଣୀ ପରି ସେ କନ କନ ହେଇ ଚାହୁଁଥିଲା । ହାତରେ ତାର ଭୂମିକମ୍ପ ସୃଷ୍ଟି ହେଇଥିଲା । ପଚାରିଲା । ‘‘ବାବୁ ଏ କଣ ପିଉଚ ?’’

 

ସେ ଦିନ ବାବୁ ନୁଚେଇ ନ ଥିଲେ । ପ୍ରକୃତ ନାଁ ଟା ଉଚ୍ଚାରଣ କରିଥିଲେ । ଚମକି ପଡ଼ିଥିଲା ଚମ୍ପା । ଯାହାକୁସେ ଦେବତାର ଆସନ ଦେଉଥିଲା ସେ କଣ ଏତେ ନିଚ ହେଇପାରେ ?

 

ଅସମ୍ଭବ । କହିଥିଲା, ବାବୁ..... ।

 

କଣକହିବୁ ?

 

ମୋ ଛୋଟ କୁହା ମାନିବ ?

 

କଣ କହୁନୁ ।

 

ନା ବାବୁ ଛୋଟ ମୁହଁରେ ବଡ଼କଥା ।

 

ଥରେ କହ ଦେଖିବା ।

 

ମୋ ସାନକୁହା ମାନ ବାବୁ । ଏ ବିଷଗୁଡ଼ା ପିଅନା ।

 

କହି ଗୋଡ଼ଧରି ପକାଇଲା ଚଇ । ସେ ଦିନ ବି ତା କଥା ଶୁଣି ନ ଥିଲେ ବାବୁ । ଚମ୍ପା ଯାଇଚି । ତାଙ୍କରି ପାଇଁ ସେ ଚାଲିଯାଇଚି ଅଫେରା ରାଇଜକୁ । ପୁଣି ସେଇ ଅନୁରୋଧ ?? ନା ସେ କିଛି ଶୁଣିବେନି । ଚମ୍ପା ଯାଇଚି, ତା କଥା ଶୁଣି ନାହାନ୍ତି । ଆଉ ଚଇ କଥା...... । ଇୟାବିନା କିଏ ତୃଷ୍ଣା ମେଣ୍ଟାଇବ ? କହିଲେ, ‘‘ଢାଳ ଚଇ । ଦି ଢୋକ ଦେ । ବାସ୍, ତା ପରେ ପଛେ ମୁଁ ଆଉ ପିଇବିନି ।’’

 

ଥର ଥର ହାତରେ ଚଇ ଢାଳିଲା ।

 

ମୁହଁ ପାଖକୁ ନେଉଥିଲେ ଗ୍ଲାସଟା । ଆଖି ପଇଲା ସେ ତରଳ ବସ୍ତୁ ଉପରେ । ଆଲୁଅ ପଡ଼ି ଚମତ୍କାର ଦେଖାଯାଉଚି । କୋଉ ପ୍ୟାରିସ ବାଲା କରିଚି କେଜାଣି ? ତାହାତରେ ସୁନା ବରଷୁ । ହସିବାକୁ ଚେଷ୍ଟା କରୁଥିଲେ ବାବୁ ।

 

ପୁଣି ଗୋଟେ ଘମାଟିଆ କଳା ବାଦଲ । ଚମ୍ପାର ନୁହେଁ, ଗୋରିର । ସେଇ ପତଳା ମୁହଁ-। ଖଣ୍ଡାଧାର ନାକ । ସରୁ ଆଖି ଦୁଇଟି । ଆଖି ଦୁଇଟିରୁ ବହି ଆସୁଚି ଦୁଇଟି ଧାର । ଆଉ ଗୋଟିକର କଳା ଭଅଁର ଭିତରେ ମୃତ୍ୟୁ କରୁଛି ତାଣ୍ଡବ ଲୀଳା । ଅନ୍ୟଟିର କଳା ଭଅଁରରେ ଝଡ଼ର ଘୂର୍ଣ୍ଣି । ଟିକେ ଅସାବଧାନ...... । ସେଇ ଘୂର୍ଣ୍ଣିଟା ଯେମିତି କ୍ରମେ କ୍ରମେ ପାଖକୁ ପାଖକୁ ମାଡ଼ି ଆସୁଚି ।

 

ଗ୍ଲାସଟା ଫିଙ୍ଗିଦେଲେ ବାବୁ । ଚିତ୍କାର କରି ଉଠିଲେ, ‘‘ସଇତାନ ।’’

 

ଚମକି ଚାଲି ଯାଉଥିଲା ଚଇ । ଭିତରକୁ ପ୍ରବେଶ କରୁଥିଲା ହାଡ଼ିଆ । ମଝିଘରର ଦୁଆର ବନ୍ଧ ଝୁଣ୍ଟି ପଡ଼ିଗଲା ଚଇ । ଆସ୍ତେ ଉଠାଇଲା ହାଡ଼ିଆ । ଚାରି ଆଖିର ମିଳନ ହେଲା ଅୟୁତ ଯୁଗପରେ । ପ୍ରକୃତିସ୍ଥ ହେଲା ଚଇ । ପଚାରିଲା ପିଅନ ବାବୁ...... ।

 

କଣହେଲା ଡରିଲୁ, କି ?

 

ନା ଯେ ବାବୁଟା........ ।

 

ହସିଲା ହାଡ଼ିଆ । ବାବୁର ଅସଲ ରୂପ ଦେଖିନି ବୋଧେ । ଇଏତ ଖାଲି ଟିକିଏ ଝଡ଼ିବର୍ଷା । ଏଇ ସାମାନ୍ୟକୁ ଦେଖି ଡରି ଯାଇଚି ଚଇ । ତେବେ ଝଡ଼ ତୋଫାନରେ..... ।

 

‘‘କଣ ଚୁପ୍ ରହିଲୁ ଯେ ପିଅନ ବାବୁ’’, ଚଇ ପଚାରିଲା ।

 

ଭୁଲାଇବା ପାଇଁ କଥାବୁଲାଇ ହାଡ଼ିଆ କହିଲା, ‘‘ତୁ ବ୍ୟସ୍ତ ହେଉଚୁ କାହିଁକି ? ଏମିତି କେତେଦିନ ଆସିବ । ଏମିତି କେତେ ରୂପ ଦେଖିବୁ । ଆଉ ଏତିକି ବେଳୁ ଡରିଗଲେହେବ ? ରାକ୍ଷାସ ଘରକୁ ଆସିଚୁ ଯେତେବେଳେ ଛାତିକୁ ପଥର କର । ରାକ୍ଷାସର ବିକଟାଳ ଶବ୍ଦକୁ ଡରିଯା’ନା । ମୁକାବିଲା କର । ସାଥିରେ ପରା ତୋର ପିଅନ ଭାଇ ଅଛି ?’’

 

ଆଖି ଜଳି ଉଠିଥିଲା ହାଡ଼ିଆର । ମୁଠାଟାବି ଆସ୍ତେ ଆସ୍ତେ ଟାଣ ହେଇ ଆସୁଥିଲା । ଦୀର୍ଘନିଶ୍ଵାସ ମାରିଲା ଚଇ । ପଛରେ ତାର ପିଅନ ବାବୁର ଲୁହା ହାତଟା ସତେ କେଡ଼େ ଭଲ ଏଇ ପିଅନ ବାବୁଟା ? କୋଇ ଜନ୍ମର ସଂପର୍କ ପରି ମନେ ପଡ଼ୁଚି । ଚଇ ଚାଲିଗଲା କାମରେ । ହାଡ଼ିଆ ଦେଖିଥିଲା ବାବୁକୁ, ଚଇକୁ । ଦୁଇଟି ସମାନ୍ତର ସରଳ ରେଖାକୁ । ଦୂରରୁ ବିନ୍ଦୁରେ ମିଳିତ ହେଲାପରି ଦେଖା ଯାଉଥିଲେ ମଧ୍ୟ ଦୁହିଁଙ୍କ ଭିତରେ ବ୍ୟବଧାନ ଅନେକ ।

 

ପିଙ୍କାଟା ଟାଣି ଟାଣି ଯାଉଥିଲା ହାଡ଼ିଆ । ବସ୍ତିଟା ସାରା ତଦାରଖ କରିବ । ବୋଉ କଙ୍କାଳଟାର ହୃତପିଣ୍ଡଟା ଆଉ କାମକରୁନି କି କିଏ ଅନ୍ତିମ ଶଯ୍ୟାରେ ପଡ଼ି ଖାଲି ମଇଁଷି ପଲ୍ଲଦେଖି ହାତଠାରି ଡାକୁଚି । ଆଗରେ ଦଶ ନମ୍ବର କୁଡ଼ିଆଟା । କାନ୍ଦଣା ଶୁଭୁଚି । କିଏ ଚାଲିଗଲା କି ? ପିଙ୍କାଟାକୁ ଲିଭେଇ କାନରେ ଗୁଞ୍ଜିଲା । ବାଡ଼ିଟାକୁ ଠକଠକ କରି ଭିତରକୁ ପଶିଲା । କପୋତିଟି ବାହୁନି ଉଠୁଚି । ପାଖରେ ପଡ଼ିଚି ଗଲା ରାତିର କେତେଗୁଡ଼ିଏ ଶୁଖିଲା ଡାଲିଗୋଳା ଭାତ । କାନିରୁ ଦିମୁଣ୍ଡା ବିଦେଶି ଖିର ଫିଟାଇ କପୋତିଟି ଗୁମୁରି ଗୁମୁରି କାନ୍ଦି ଉଠି କହୁଚି, ‘‘ସେରକ ପୁରିଲା ମାଣକ ପୁରିଲା ଉଠରେ ଉଠରେ ପୁତା’’ । ସତରେ ଆଉ କଣ ପୁତା ଉଠିବ ??

 

ଆଖ ପାଖରେ ଆଉକେତେ ଗୁଡ଼ାଏ କଙ୍କାଳ ବି ଭିଡ଼ ଜମେଇଲେଣି । ସମବେଦନା ଜ୍ଞାପନ କରିବାକୁ ବାହାରି ଆସିଲେଣି ଅନେକ । ସମସ୍ତଙ୍କ ଆଖିରେ ଶିଶିର ବିନ୍ଦୁ । ବସି ପଡ଼ିଲା ହାଡ଼ିଆ । ଆହା ଅକାଳ ବଉଦଟା ଆସି ଚାଲିଗଲା । ଘଡ଼୍‍ ଘଡ଼୍‍ ଚଡ଼୍‍ ଚଡ଼୍‍ କରି ? ଟୁକୁ ଟୁକୁ ଭାଷା କେତୋଟି କହିବା ପର୍ଯ୍ୟନ୍ତ ଅପେକ୍ଷା କରି ପାରିଲାନି ??

 

ପଚାରିଲା, ‘‘କଣ ହେଇଥିଲା ମାଉସି ।’’

 

ସ୍ତ୍ରୀ ଲୋକଟି ଆହୁରି ଜୋରରେ କାନ୍ଦି ଉଠିଲା । କୋହର ତରଙ୍ଗ ଅସମ୍ଭବ ଭାବେ ମୁଣ୍ଡ ପିଟିବାକୁ ଆରମ୍ଭ କଲା ହୃଦୟର ବେଳାଭୂମୀରେ ।

 

ଚଇ କାମକୁ ଯାଉ ଯାଉ ଅଟକି ଗଲା । କାହିଁକି ଏ ଭିଡ଼ ? କାହିଁକି ଏ କରୁଣ କୋଳାହଳମୟ ବାତାବରଣ ? କେଉଁ ବୀଣାର ତନ୍ତ୍ରୀଟି ତୁଟିଗଲା । ଭିଡ଼ ଠେଲି ପଶିଲା ଭିତରକୁ-। ଛୁଆଟିଏ ଶୋଇଛି । ଗୁଜି ବୟସର । ଆଉ କପୋତୀଟି... । ଆଗରେ ପିଅନ ବାବୁ । ଆଖିରେ ଆଖିଏ ଲୁହ । ଏ ଭିଡ଼ରେ ଅଜନ୍ତୁରି ହୋଇ କାନ୍ଦିବକୁ ଆରମ୍ଭ କଲା ଗୁଜି । ପିଅନବାବୁ କୋଳକୁ ଗୁଜିକୁ ଦେଇ ଦେଇ ସେଇ ଅସ୍ତି କଙ୍କାଳସାର ସ୍ତ୍ରୀ ଲୋକଟିକୁ କୋଳକୁ ଟାଣି ଆଣିଲା ଚଇ । ସହାନୁଭୂତି ଟିକକ ପାଇ ଆହୁରି ଜୋରରେ କାନ୍ଦି ଉଠିଲା ସ୍ତ୍ରୀ ଲୋକଟି । ଫଟା କାନିଟାରେ ଲୁହ ଦିଧାର ପୋଛି ଦେଉ ଦେଉ ଚଇ ପଚାରିଲା, ‘‘କଣ ହୋଇଥିଲା ଭଉଣୀ ?’’

 

ସ୍ତ୍ରୀ ଲୋକଟି କିଛି କହି ପାରୁନଥିଲା । ଖାଲି ଜଳ ଜଳ କରି ଚାହିଁ ରହିଥିଲା । ଚଇ ପୁଣି ପଚାରିଲା, ‘‘କହୁନୁ ଭଉଣୀ । ଆମକୁ ଯଦି ନ କହିବୁ ଆଉ କାହାକୁ କହିବୁ କହିଲୁ ? ରୋଗ ଯଦି ହୋଇଥିଲା ଔଷଧ ତ ଆଣି ପାରିଥାନ୍ତୁ ?

 

ସେମିତି ଜଳ ଜଳ କରି ଚାହିଁ ରହିଥିଲା ସ୍ତ୍ରୀ ଲୋକଟି । କଣ କହିବ । ସତେ ଯେମିତି ପାଟିରେ କିଏ ଲୁଗା ମେଞ୍ଚେ ମାଡ଼ି ଦେଇଚି । ଓଠ ଦୁଇଟି ବରଡ଼ା ପତ୍ର ପରି ଥରିଉଠୁଛି ମାତ୍ର । କେବଳ ଭାଷାର ପରିପ୍ରକାଶ ପାଇଁ ଋଦ୍ଧ ଦ୍ୱାର ସେ । ସମସ୍ତଙ୍କ ମୁହଁରେ ପ୍ରଶ୍ନବାଚୀର ଚିହ୍ନ । ସ୍ତ୍ରୀ ଲୋକଟି ପୁଡ଼ାଟି ଫିଟାଇ ଦରିଆପରି ଦୁଧ ଦିମୁଣ୍ଡାକୁ ଦେଖେଇ ପୁଣି କାନ୍ଦିବାକୁ ଆରମ୍ଭ କଲା ।

 

ସ୍ତ୍ରୀ ଲୋକଟିକୁ ନିଜ ଉପରକୁ ଆଉଜାଇ ଆଣିଲା ଚଇ କୋହ ସମ୍ବରଣ କରି ପାରିଲାନି ସ୍ତ୍ରୀ ଲୋକଟି । ଛୁଆଟି ପରି କାନ୍ଦି ଉଠିଲା । ଆଗରେ ନିଜ ରକ୍ତ ମାଂସ ଗଢ଼ା ଛୁଆଟି ଶୋଇଚି । ଆଖି ଦୁଇଟି ଅଧାବୁଜା । ଦୁଃଖର ଆତିଶଯ୍ୟରେ ଭାଙ୍ଗି ପଡ଼ିଲା ସେ । ତାପରେ ଛୁଆଟି ଉପରେ କଚାଡ଼ି ପଡ଼ିଲା ଚେତାଶୂନ୍ୟ ହୋଇ ।

 

ହାଡ଼ିଆ ବସି ପଡ଼ିଲା ସେଇଠି । ଗୁଜିକୁ ଚଇ କୋଳକୁ ଉଠେଇ ଦେଇ ସ୍ତ୍ରୀ ଲୋକଟିକୁ ବାଁ କାନ୍ଧରେ ଉଠେଇ ନେଲା । ମଲା ଛୁଆଟିକୁ ଡାହାଣ ହାତରେ ଜାକିଧରି ସିଧା ସିଧା ଚାଲିଲା ସେ । ଅନ୍ୟ କଙ୍କାଳ ଗୁଡ଼ାକ ପଛେ ପଛେ ଅନୂଶରଣ କରି ଚାଲିଲେ ।

 

ଆଗରେ ରାମତିଆଡ଼ିଙ୍କ ବଖରାଟା । ପିଣ୍ଡାରେ ବସି ଓଦାଲୁଗାରେ ଗୁଣୁ ଗୁଣୁ କରି ମନ୍ତ୍ର ପଢ଼ି ତିଳକ ଚିତା କାଟିବାରେ ବ୍ୟସ୍ତ ଅଛନ୍ତି । ଦୂରରୁ ଘୋ ଘୋ ଶୁଭିଲା । ତିଆଡ଼ି ଆପଣେ ଚାହିଁଲେ । ଆଗେ ଆଗେ ଆସୁଚି ହାଡ଼ିଆ । ଆଉ ପଛରେ ବାଛୁରି ପଲ୍ଲ । ଅବାକ ହେଲେ । କାହିଁକି ଏ ଲମ୍ବା ପ୍ରୋସେସନ ? କୋଉ ରାଜନୈତିକ ଦଳ ଆସି ମତେଇ ଦେଲେ କି ?? ତାଙ୍କ ଗୁମର କଥା ଖୋଲି ଗଲାକି ?? ନହେଲେ ହାଡ଼ିଆ.... ।

 

ମନରେ ପାପ ଛୁଇଁଲା ।

 

ପାଖକୁ ପାଖକୁ ଲାଗି ଆସୁଛି ପ୍ରୋସେସନଟା । କଙ୍କାଳର ପ୍ରୋସେସନ । ସତେଯେମିତି ପଙ୍ଗପାଳ ଦଳଟିଏ । ଯୋଉଠି ବସିବେ ନଣ୍ଡା କରିଦେବେ । ଛତର ଖୋଲିଲାଣି ତିନିମାସ ହେଲା । ଏମିତି କେବେ ତ ହେଇ ନଥିଲା । ତେବେ..... । ଆସନ୍ନ ବିପଦକୁ ମୁକାବିଲା କରିବାକୁ ହେବ ।

 

ଖଣ୍ଡେ ଦୂରରେ ସମସ୍ତେ ଛିଡ଼ାହେଲେ । ଆଗେଇ ଆସିଲା ହାଡ଼ିଆ । ତିଆଡ଼ି ଆପଣେଙ୍କ ଗୋଡ଼ତଳେ । କିଛି କହିଲାନି । ଛିଡ଼ାହେଲା ମୁକ ସାକ୍ଷୀଟି ପରି । ତିଆଡ଼ି ଆପଣେ ଅନେଇଲେ । ଆଗରେ ହାଡ଼ିଆ । ଆଖି ଦିଟାରେ ଯେମିତି ଦି ଚୁଲି ନିଆଁ ହୁତ୍ ହୁତ୍‍ ହୋଇ ଜଳୁଚି । ଭୀଷଣ ଭାବେ ହିଂସ୍ର ହେଇ ଉଠିଛି ସେ । ଏ ଅଗ୍ନିକୁ କିପରି ଲିଭେଇବେ ମନେ ମନେ ଉପାୟ ଖୋଜୁଥିଲେ । ସମସ୍ତେ ନୀରବ । ସମସ୍ତେ ଯେମିତି ନିର୍ବାକ୍, ନିସ୍ପ୍ରାଣ ଅଚଳନ୍ତି ପ୍ରତୀମା । ନୀରବତାର ପୂର୍ଣ୍ଣଚ୍ଛେଦ ଟାଣି ତିଆଡ଼ି ଆପଣେ ପାଟି ଫିଟେଇଲେ-

 

କଣ ହେଇଚି ହାଡ଼ିଆ ।

 

ହାଡ଼ିଆ ଚୁପରହିଲା । ଆଖିରେ ସେମିତି ଦି ଉହ୍ନେଇ ନିଆଁ । ନିଶ୍ୱାସରେ ସେମିତି ଅଣଚାଷ ପବନ ଝଡର ପୂର୍ବାଭାସ ଦେଉଥାଏ । ଆଉଟିକେ ପାଖକୁ ଲାଗିଆସି କଅଁଳିଆ ‘‘କଣ୍ଠରେ ତିଆଡ଼ି ଆପଣେ କହିଲେ, କଣ କହୁନୁ ହାଡ଼ିଆ । କଣ ହେଇଛି ?’’

 

କଣ ପଚାରୁଚ ତିଆଡ଼ି ଆପଣେ ? ଦେଖି ପାରୁନ କଣ ହେଇଚି ? ମୁଁ ପଚାରୁଚି ପହର ଦିନ ଯୋଉ ଗୁଣ୍ଡ ଦୁଧ ଆସିଥିଲା ଗଲା କୁଆଡ଼େ ? ? ଆପଣଙ୍କର କଣ ପିଲା ନାହାଁନ୍ତି ? ଯଦି ଆପଣଙ୍କର ପୁଅ କି ନାତି ଟୋପେ ଖିର ନ ପାଇ ଆପଣଙ୍କ କୋଳଛାଡ଼ି ଚାଲିଯାଇଥାନ୍ତା ତା ହେଲେ.......... ???

 

ଶେଷ ଆଡ଼କୁ ହାଡ଼ିଆର କଣ୍ଠଟା ରୁଦ୍ଧ ହୋଇ ଯାଇଥିଲା । କିଛି କହିବାକୁ ଭାଷା ପାଇ ନଥିଲା । ତିଆଡ଼ି ଆପଣେ ରାଗରେ ଜଳି ଉଠୁଥିଲେ । ପିଅନଟେ ହେଇ ଆଜି ତାଙ୍କୁ କୈଫିୟତ ତଲବ କରୁଚି ? ଏକାଥିଲେ ପାନେ ଦେଇଥାନ୍ତେ । ଏତେ ଲୋକଙ୍କୁ ଦେଖି ଶଙ୍କିଗଲେ ସେ । କଥାଟାକୁ ଚଳେଇ ନେବାପାଇଁ କହିଲେ, ‘‘ଆରେ କିଏ ମନା କଲା । ସରକାର ତୁମ ଧନ ତୁମକୁ ଦେଉଛନ୍ତି । ତୁମେ ନେବ । ଏଥିରେ ଆମର କଣ ଅଛି । ହେଲେ ଏ ଅଘଟଣ ଘଟିଲା କେମିତି-??’’

 

ତିଆଡ଼ି ଆପଣେ ଏଥର ସମସ୍ତଙ୍କ ଉପରେ ଟିକେ ରାଗିଗଲେ । କହିଲେ, ‘‘ଦେଶର ଗୋଟେ ଜ୍ୟୋତି ଲିଭିଗଲା । ତୁମେମାନେ ଥିଲ କୋଉଠି ? ମୋତେ ଟିକେ ଖବର ଦେଲନି ? ଓଡ଼ିଆ ଘରର ବୋହୁ ବୋଲି ସେ ଯଦି ଲାଜ କଲା ତୁମେ ମାନେ କଣ ମରିଯାଇଥିଲ ? ମରଦ ହେଇ ଘରେ ଲୁଚିଲ ଲାଜ ଲାଗୁନି ? ‘ଶତ୍ରୁ ପରା ମା ପେଟରୁ’ । ତୁମେ ଆଉ ହେବ କଣ । ସେ ଛୁଆଟାକୁ ମାରିଚ ତୁମେ ମାନେ । ସମସ୍ତଙ୍କୁ ମୁଁ ପୁଲିସରେ ଦେବି ।’’

 

ପୁଲିସ୍‍ ନାଁ ଶୁଣି ସମସ୍ତେ ଚମକି ଉଠିଲେ । ଯିଏ ଯାହାର ମୁହଁ ମୋଡ଼ିଲେ । ତିଆଡ଼ି ଆପଣେ ହାଡ଼ିଆ ପାଖକୁ ଲାଗିଆସି କାନ୍ଧରେ ହାତଟାକୁ ଚାପିରଖି କହିଲେ, ‘‘ହାଡ଼ିଆ ତୁ ଏପର୍ଯ୍ୟନ୍ତ ବଡ଼ଙ୍କୁ କେମିତି କଥା କହିବାକୁ ହୁଏ ଜାଣିନୁ । ଯଦି ମୁଁ ତୋ ଉପରେ ସେମିତି ରାଗିଯାଇଥାନ୍ତି ତା ହେଲେ କଣ ହେଇଥାନ୍ତା କହିଲୁ ? ଦୁଧ କଥା ପଚାରୁଥିଲୁ ପରା ? ତୁ ଯେତିକିର ସେତିକିରେ ରହୁନୁ ? ଏ ସବୁ ଭାବିବାକୁ କିଏ କହୁଚି ? ଯଦି ଛେଳିର ଗୋଡ଼ରେ ଧାନ ମକଚି ହେଉଥାନ୍ତା........ ।’’

 

ମୁହଁ ଟେକି ଚାହିଁଲା ହାଡ଼ିଆ । ସମସ୍ତେ ଚାଲିଗଲେଣି । ସେ ଏକା । ଆଗରେ ତିଆଡ଼ି ଆପଣେ । ପାଦରେ କଠୋଉ । ମୁଣ୍ଡରେ ଚିତା । ସତରେ କେଡ଼େ ଭୁଲଟାଏ ନୋହିଲା ? ବ୍ରାହ୍ମଣ ଯେ’ ଠାକୁର ସେ । ଏ ପାପର କଣ ପ୍ରାୟଶ୍ଚିତ ଅଛି ?

 

ଆଉ ଟିକିଏ ଭଲେଇ ହେବାକୁ ତିଆଡ଼ି ଆପଣେ ଅଣ୍ଟାରୁ ଚାବିଟା ଆଣି ଟେକି ଧରିଲେ-। କହିଲେ, ‘‘ଅବିଶ୍ୱାସ ହେଉଚି ପରା; ନେ ଯା, ଦେଖିବୁ ଯେତିକି ଆସିଥିଲା ସେତିକି ଅଛି କି ନାହିଁ-। ବ୍ରାହ୍ମଣକୁ ସକାଳୁ ଅପଦସ୍ତ କରିବାକୁ ବସିଚୁ ? ସେ ପାଟି ଛିଡ଼ି ପଡ଼ିବନି ?

 

ଗୋଡ଼ ଧରିପକାଇଲା ହାଡ଼ିଆ । କହିଲା, ‘‘ଭୁଲ ହୋଇଗଲା ସାଆନ୍ତେ । ଆଉ କେବେ ହେବନି ।’’

 

ମନେ ମନେ ହସୁଥିଲେ ତିଆଡ଼ି ଆପଣେ । କେଡ଼େ ନିର୍ବୋଧ ଏମାନେ । ଚିତା କାଟି କାଟି ବାଳ ପାଚିଲାଣି ଏମାନେ ପୁଣି ମୋତେ ଚିତା କାଟିବାକୁ ବସିଛନ୍ତି ? ନ ହେଲେ କଣ ଏମାନେ ଛୋଟଘରେ ଜନମ ହେଇଥାନ୍ତେ ? ତଳୁ ଉଠେଇ ହାଡ଼ିଆକୁ କହିଲେ, ‘‘ଆଉ କାନ୍ଦି କଣ ଲାଭ ବାପ । ଏମିତି ବେଳେ ବେଳେ ଭୁଲ୍‍ ହୁଏ । ଯା ଘରକୁ ଯା । ତୁ ତୋ କାମ କର । ଯେତିକିର ଲୋକ ସେତିକିରେ ଚଳ । ଚନ୍ଦ୍ରକୁ ହାତବଢ଼ଉଚୁ କାହିଁକି ? ?

 

ଠେଙ୍ଗାଟାକୁ ଧରି ଚାଲିଯାଉଥିଲା ହାଡ଼ିଆ । ବାଙ୍କ ବୁଲିଗଲା ପର୍ଯ୍ୟନ୍ତ ସେମିତି ସେଇଠି ଅନେଇ ହସୁଥିଲେ ରାମତିଆଡ଼ି ।

 

ଆଜି ଆସରାଟା ଖୁବ୍‍ ଗମ୍ଭୀର । ତିନୋଟି ମୁର୍ତ୍ତି । କାଠ କି ପାଷାଣର ନୁହେଁ । ସବାକ୍‍ ସେମାନେ । କିନ୍ତୁ ନୀଳ ନୀଳିମାନେ କଳାମେଘର ଆବିର୍ଭାବ । ଅସହ୍ୟକର ସେ ଯନ୍ତ୍ରଣା । ଉପରେ ହାକିମଙ୍କର ଚିଠିଟାକୁ ଲେଉଟାଇ ଲେଉଟାଇ ବ୍ୟସ୍ତ ଆଜି ତିଆଡ଼ି ଆପଣେ । ଏଇ କେମ୍ପ ବାବୁ ହେଇଥିଲେ ଧପେଇ ଦେଇଥାନ୍ତେ । ନ ହେଲେ ସୁରା ଆଉ ସାକିର ବନ୍ଦୋବସ୍ତ କରି ଦେଇଥାନ୍ତେ । ନିହାତି ନହେଲେ ଚମ୍ପା, ଗୋରିର ଖବର ପଦାରେ ପକାଇ ଦେବାର ଧମକ ଦେଇଥିଲେ ସବୁ କଥା ତୁଟିଥାନ୍ତା । ହେଲେ..... ।

 

କଟକରୁ ଚିଠି ଆସିଛି ବାବୁଙ୍କ ଉପର ବାବୁ ଆସୁଛନ୍ତି । ତଦାରଖ କରିବେ । ମାଲ ଅଧା ନାହିଁ । ତେହିଁକି ଏଇ ଯୋଉ ହାଡ଼ିଆ ଖଣ୍ଡକ.... । ଗୋଡ଼େ ଗୋଡ଼େ ଜଗିଚି । ଯଦି ସବୁ କହିଦିଏ ନା ? ? ଚାକିରି ଖଣ୍ଡକ ଯିବ ।

 

ତେବେ......

 

ତେବେ ପଟ୍ଟନାୟକଙ୍କୁ ନିର୍ମୂଳ କରି ପାରିବେ ତ ???

 

ଗୋବିନ୍ଦ ପ୍ରଧାନେ ଭାବୁଥିଲେ ଦି ଦି ଟା ଝିଅ କେମିତି ଉଠିବେ ?

 

ପାଣୁମିଶ୍ରେ ଭାବୁଥିଲେ, ପୁଅ କଟକ ଯାଇପାରିବତ ? ଆଉ ସାତ ପ୍ରାଣୀ କୁଟୁମ୍ବ... ।

 

ତିଆଡ଼ି ଆପଣେ କାଠିଖଣ୍ଡେ ଧରି ବାଘ ଛେଳି ଗାର ଟାଣୁଥିଲେ । ଛେଳି ମାନଙ୍କର ଦୁଗ ତିଆରି କରୁଥିଲେ । ଯେମିତିକି ବାଘକୁ ବନ୍ଦିକରି ରଖିନେବେ । ଉଁ କି ଚୁଁ ହେବନି । ସେ ଫେରିଯିବ ତା ବାଟରେ ।

 

ମିଶ୍ରେ ନୀରବତାରେ ପୂର୍ଣ୍ଣଛେଦ ଟାଣି ପଚାରିଲେ, ‘‘ଭାଇନା କଣ କିଛି ଠିକ୍‍ କଲେ ? ଏଇନେ ତ ଆଉ ରକ୍ଷା ନାହିଁ ।’’

 

ତିଆଡ଼ି ଆପଣେ ସେମିତି ତଳକୁ ମୁହଁ ପୋତି ଗାର ଟାଣୁ ଟାଣୁ କହିଲେ, ‘‘ସକାଳ ଘଟଣା ଜାଣିଚଟି ?’’

 

‘‘ଆଜି ଆପଣ ନଥିଲେ..... ।’’ ପ୍ରଧାନେ କହିଲେ କାନକୁ ଆଉଁସି ଆଉଁସି । କଥାରେ ମଧୁ ବୋଳି ।

 

ଏଥର ଗର୍ବରେ ମୁଣ୍ଡ ଉପରକୁ କଲେ ତିଆଡ଼ି ଆପଣେ । ସତେ ସେ ନଥିଲେ କଣ ବୋଲି କଣ ହୋଇଥାନ୍ତା । ବ୍ରାହ୍ମଣ ଘର ପୁଅଟି ? ବାପ କଣ ମିଛରେ ଶାସ୍ତ୍ର ପଢ଼େଇଥିଲା ?? ହିକଲେ, ‘‘ପ୍ରଧାନେ ଚୁପ୍‍ ହୋଇ ବସିବାବେଳ ଗଲାଣି । କାମ କର । ଫନ୍ଦି ଖୋଜ । ନହେଲେ ଚାରି ପାଞ୍ଜିରୁ ଯିବ ଯେ ।’’

 

ସେଇଆ ମୁଁ କହୁଥିଲି ଆଜ୍ଞା । ବେଳ ଥାଉ ଥାଉ ନା’ ନ ଲଗେଇଲେ ପୁଣି ଉଆଁସ ରାତିରେ ଭଉଁରୀରେ ପଡ଼ିଯିବା ଯେ ?

 

ସେଇଥିପାଇଁ ତ କହୁଚି ବେଳହୁଁ ମଙ୍ଗ ଠିକ୍‍ କରିନିଅ ଯେ, ଉଆଁସ ରାତି ଆସୁ କି ଭଉଁରୀ ଆସୁ କାଟି ଚାଲିଯିବ । ଆଛା କହିଲ ସେ ପାଉଡର ଦୁଧ କଥା ହାଡ଼ିଆ କେମିତି ଜାଣିଲା-? ସେକଥା ଆମେ କେମିତି ଜାଣିବୁ ଭାଇନା । ସେଟାତ କୋଉଠୁ ଗୋଟେ କାଳ ନାଗ ଆସି ଯୁଟିଛି ଯେ, ଯୁଆଡ଼େ ଗଲା ବେଳକୁ ହାଡ଼ିଆ । କଣ ଟିକିଏ କଲା ବେଳକୁ ହାଡ଼ିଆ ।

 

ହଁ ।

 

ବର୍ତ୍ତମାନ ଉପାୟ କଣ କହିଲେ ।

 

କହିଥିଲି ବାଉରୀଆକୁ ଡାକିବାକୁ । ଡାକିଚୁ ??

 

ସେ ପରା ବାହାରେ ଅପେକ୍ଷା କରି ବସିଛି । ଡାକିଦେବି ?

 

ହଁ ଡାକ । ତାରି ଦେଇ କାମ ।

Unknown

 

ପ୍ରଧାନେ ତର ତର ହେଇ ଉଠିଗଲେ । ବାଉରୀଆ ହାତରେ ଆଜି ତାଙ୍କ ସାତପ୍ରାଣୀ କୁଟୁମ୍ବ । ପୁଅ କଟକ ଯିବା କଥାବି ତା ହାତରେ । ଭାଇନା ଯୋଉକାମ କରିବାକୁ କହିବେ ତାକୁ ବାଉରିଆକୁ କରିବାକୁ ହେବ । ନକଲେ ଉପାୟ ନାହିଁ । ଯେ କୌଣସି ମତେ ସେକାମ କରିବାକୁ ତାକୁ ରାଜି କରାଇବାକୁ ହେବ । ଦରକାର ପଡ଼ିଲେ ପାଞ୍ଚ ପଚିଶ ଦେଇ ସନ୍ତୁଷ୍ଟ କରାଇବାକୁ ହେବ-। ଯଦି କିଛି ନହେଲା ଶେଷ ବେଳକୁ...... ।

 

ଆଗପଛ ହୋଇ ପ୍ରବେଶ କଲେ ବାଉରୀ ଆଉ ପ୍ରଧାନେ । ତିଆଡ଼ି ଆପଣେ ସେମିତି ଗାର କାଟିବାରେ ବ୍ୟସ୍ତ । ଶୁଣେଇ ଶୁଣେଇ ପ୍ରଧାନେ କହିଲେ, ‘‘ଭାଇନା ବାଉରୀ ପରା ଅପେକ୍ଷା କରିଚି । କଣ କହିବେ ବୋଲି ପରା ଡାକିଥିଲେ ।’’

 

ତିଆଡ଼ି ଆପଣେ ମୁଣ୍ଡ ଉଠେଇଲେନି । ସେମିତି ମୁଣ୍ଡ ତଳକୁ କରି ଗାର କାଟୁ କାଟୁ କହିଲେ, ‘‘ବାଉରୀ ।’’

 

ଆଜ୍ଞା

 

ଆଜି ଯାହା କହିବି କରି ପାରିବୁ ତ ?

 

ଆପଣଙ୍କ ନିମକ ଖାଉଚି ଆଜ୍ଞା; ଆପଣଙ୍କ କଥା କରିବିନି ତ ଆଉ କାହା କଥା କରିବି-? ଏ ଜୀବନ ଗଲେ ଯାଉ ପଛେ । ଜୀବନ ଯିବା କଥା ନୁହେଁରେ । ସେମିତି କିଛି ବଡ଼ କଥା ନୁହେଁ-। କିନ୍ତୁ ମୁଁ କାହିଁକି ଭାବୁଚି ତୁ କରିବୁନି ।

 

କହି ପରୀକ୍ଷା କରନ୍ତୁ ଆଜ୍ଞା ।

 

ଏଥର ମୁହଁ ଉପରକୁ ଉଠେଇଲେ ତିଆଡ଼ି ଆପଣେ । କଣ ଇସେରା ଦେଲେ ମିଶ୍ରଙ୍କୁ । ଅଣ୍ଟାରୁ କାଢ଼ି ଦୁଇ ଖଣ୍ଡ ଦଶ ଟଙ୍କିଆ ନୋଟ୍‍ ବଢ଼େଇଲେ ବାଉରୀଆ ହାତକୁ । ବାଉରୀଆ ଏକାବେଳେ ଏତେଟଙ୍କା ଦେଖି ସ୍ତମ୍ଭୀଭୂତ ହୋଇଗଲା । ଆଜି କାହା ମୁହଁ ଦେଖି ଉଠିଥିଲା କେଜାଣି ? ସକାଳୁ ସକାଳୁ ଦୁଇଟା ଦଶ ଟଙ୍କିଆ ନୋଟ । ହାତ ବଢ଼େଇଲା ନେବାକୁ । ନୋଟ ଦେହରୁ କେମିତି ଗୋଟେ ବାଷ୍ପ ବାହାରୁଚି । ହାତକୁ ବେଶ୍‍ ଗରମ ଜଣାଯାଉଚି । ସତେ ଯେମିତି ଆଗାମୀ ଝଡର ପୂର୍ବାଭାଷ । ହାତ ରୁକି ଗଲା । ଟଙ୍କାଟାକୁ ଟେବୁଲ ଉପରେ ରଖି ଦେଉ ଦେଉ ପଚାରିଲା, ‘‘ଟଙ୍କା କଣ ବଡ଼ କଥା ଆଜ୍ଞା କାମ କୁହନ୍ତୁ କରିସାରିଲେ...... ।’’

 

ପୁଣି ସେମିତି ଗାର କଟାରେ ମନ ଦେଇ ରାମ ତିଆଡ଼ି ପଚାରିଲେ, ‘‘ବାବୁଙ୍କର କଟକ ଯିବାର ଥିଲା କଣ ହେଲା ?’’

 

କାଲି ଗଲେ ଆଜ୍ଞା । ଆପଣ ଛିଡ଼ା ହେଇଥିଲେ । ପହରଦିନ ପରା କଟକ ବାବୁଙ୍କୁ ନେଇ ଆସିବେ ?

 

ତିଆଡ଼ି ଆପଣେଙ୍କ ଆଖିରେ ଆନନ୍ଦ ଅଶ୍ରୁ । ଏଇ ହେଉଚି ମାହେନ୍ଦ୍ର ବେଳ । ଏମିତି ବେଳ ହାତରୁ ଗଲେ ଆଉ କଣ ଆସିବ ? ହାତର କରାମତି ଏତିକିବେଳେ ନ ଦେଖେଇଲେ ବେଳ ଗଡ଼ିଯିବ । କଟକ ବାବୁ ଆସିଲେ କାମ ଶେଷ । କହିଲେ, ‘‘ବାଉରୀ ।’’

 

ଆଜ୍ଞା କିଛି କହିବେ ?

 

ଏଇଟା ମାହେନ୍ଦ୍ର ବେଳା ପାରିବୁତୁ ? ସାବଧାନ; ଦିକାନ ପୁଅ ଜାଣିବେନି ।

 

କୁହନ୍ତୁ ଆଜ୍ଞା ।

 

ଆଜି ରାତିରେ ଗୋଦାମ ଘରଟାକୁ ନିଆଁ ଲଗେଇ ଦେଇ ପାରିବୁ ?

 

ତିଆଡ଼ି ଆପଣେ......... ??

 

ହଁ ଏଇ ଏକମାତ୍ର ପନ୍ଥା । କହ ପାରିବୁ ତୁ ??

 

ଚମକି ଉଠିଲା ବାଉରୀ । ସାମାନ୍ୟ କେତେଟା ଟଙ୍କା ପାଇଁ ସେ ଏତେ ଲୋକଙ୍କ ଦାନାରେ ନିଆଁ ଲଗେଇ ଦେବ ? କାହିଁକି ? ସମସ୍ତଙ୍କ ନିଶ୍ୱାସରେ ସେ ଜଳି ଯିବନି ? ହାତ ଦିଟା କେମ୍ପା ହେଇଯିବନି ? ନା ସେ ପାରିବନି । ଲକ୍ଷ୍ମୀଙ୍କୁ ସେ ନିଆଁରେ ପକେଇଦେଇ ପାରିବନି । ଲକ୍ଷ୍ମୀଛଡ଼ା ହେଇଯିବ ସେ । ଆଖି କୋଣରେ ଲୁହ ଜକେଇ ଆସିଲା । ତିଆଡ଼ିଙ୍କ ଗୋଡ଼ତଳେ ପଡ଼ିଯାଇ କହିଲା ମୋତେ ମଣିଷ ମାରିବାକୁ କୁହନ୍ତୁ ପଛେ ସେଥିପାଇଁ ମୁଁ ରାଜି । କିନ୍ତୁ ଲକ୍ଷ୍ମୀ ଭଣ୍ଡାରରେ ନିଆଁ ଲଗାଇବାକୁ କୁହନ୍ତୁନି । ଧରମ ସହିବନି ଆଜ୍ଞା ।

 

ରାଗରେ ଲାଲ ପଡ଼ିଗଲେ ତିଆଡ଼ି ଆପଣେ । ବାଉରୀ ଆଜି ତାଙ୍କୁ ଧର୍ମ ଅଧର୍ମ କଥା ଶିଖାଉଚି । ପିଲାଟି ଦିନରୁ ଶାସ୍ତ୍ର ପଢ଼ି ପଢ଼ି ହେଲାନି ଯେ ଶେଷକୁ ଏଇ ବାଉରୀ ତାଙ୍କୁ ଶିଖେଇବ-? ଗର୍ଜିଉଠିଲେ, ‘‘ମୋତେ ଆଉ ଧର୍ମ କଥା ଶିଖାନା ମ । ଧର୍ମ କରି କରି ବାଳଝୋଟ ହେବାକୁ ବସିଲାଣି । ଦିନେ ହେଲେ କେହି ପାଟି ଫିଟେଇ ନାହାଁନ୍ତି । ଆଉ ଛୋଟ ମୁହଁରେ ବଡ଼ କଥା-। ବାଛିନେ ନିଆଁ ଲଗେଇବୁ ନା ଚୋରା ମଦ ବ୍ୟବସାୟ କରୁଚୁ ବୋଲି ଘଣା ପେଲିବାକୁ ଯିବୁ ? ତୁ ଗଲେ ତୋର ପିଲାଏ ଅନାଥ ହେଇ ଯିବେନି ??

 

କାନମୁଣ୍ଡା ଝାଇଁ ଝାଇଁ ହେଇଗଲା ବାଉରୀର । ତିଆଡ଼ିଙ୍କର କଥା, ‘‘ପିଲାମାନେ ତୋର ଅନାଥ ହେଇ ଯିବେନି ??’’ ବାରମ୍ବାର କିଏ ଘଣ୍ଟା ପିଟିଲା ପରି କହିଯାଉଥାଏ । କଣ କରିବ । ସତକୁ ସତ ଯଦି ସେ ଜେଲ୍‍ ଚାଲିଯାଏ....... । ମନେ ପଡ଼ିଚି ତାର........ । ସେଇ ଛଅ ମାସର ଛୋଟ ପୁଅଟି କଥା । କେତେ ଦିଅଁ ଦେବତାରେ ବାର ବର୍ଷର ତପସ୍ୟା ସୁକୁଆ ପୋଡ଼ାରେ ନ ଯାଇ ପୁଅଟି । ତାର ସେଇ ଦରୋଟି ହସ । ବା ବା ଡାକ । ସବୁକୁ ଏଡ଼ାଇ କଣ ଚାଲିଯିବ ଚାରିକାନ୍ଥ ଭିତରକୁ ସେଥିରେ ପୁଣି କମଳା...... ।

 

କମଳା ତା ସ୍ତ୍ରୀ । କେତେ ବାଛି ବାଛି ଶେଷକୁ କମଳା ବୁଝିଲା । ନଗଦ ପାଞ୍ଚଶହ ଟଙ୍କା ଦେଇ ଆଣିଥଲା । ପହିଲି ରାତିରେ ସେ କହିଥିଲା, ତୁ ମୋତେ କେବେ ଛାଡ଼ି ଦେବୁନି ତ ?

 

ମଙ୍ଗଳାଙ୍କ ରାଣ ପକେଇଥିଲା ସେଦିନ ବାଉରୀ । ବରଗଛମୂଳ ଦିଅଁଙ୍କ ରାଣ ପକେଇ ଶପଥ କରିଥିଲା, ତାକୁ କେବେହେଲେ ଦୁଃଖ ଭିତରେ ଏକୁଟିଆ ଛାଡ଼ିଦେଇ କୁଆଡ଼େ ଯିବନି । ସଂସାରଟି ଠିକ୍‍ ଚାଲିଥିଲା । ତିନିମାଣ ଜମିରୁ ଯାହା ମିଳେ ଆଉ ଅନ୍ୟର ପାଇଟି କରି ଯେତିକି ମିଳେ ସେଥିରେ ଦୁଇ ପ୍ରାଣୀ କୁଟୁମ୍ବ ବେଶ୍‍ ଚଳିଯାନ୍ତି ।

 

ତା ପରେ....... ।

 

ତା ପରେ ଦେଖାଦେଲା ମରୁଡ଼ି । ଲାଗ ଲାଗ ତିନି ବର୍ଷ । ଛତର ଖୋଲିଲା । ଗାଁ ଛାଡ଼ି ସମସ୍ତେ ଆସିଲେ । କଛା ମାରିଲା ବାଉରୀ । ନିଜ ବାହା ଉପରେ ତାର ଭାରି ଭରସା । ଚାଷ ସିନା ଗଲା, ଆଉ କଣ କିଛି ଜୁଟିବନି ? ଦିଟା ପେଟ ପୋଷି ପାରିବନି ଯେ ତାର କମଳା କୁ ନେଇ ଛତରରେ ପୁରେଇବ । ଲୋକ କଣ କହିବେ ?

 

ସେଇଦିନୁ ସେ ଚୋରା ମଦ ବ୍ୟବସାୟ ଖୋଲିଚି । ବଡ଼ ବଡ଼ ବାବୁଙ୍କୁ ମଦ ଯୋଗାଏ-। ଦେଶି, ବିଲାତି, ଘୋଡ଼ାମାର୍କା, ଶୁନା ମୋହର ମାର୍କା, ନାନା ଜାତିର । ଦି ପଇସା ପାଏ-। ବେଶ୍‍ ଚଳିଯାଏ । ଆଉ ଆଜି ଯଦି..... ।

 

କମଳା ଅନାଥ ହେବ । କୋଳ ଛୁଆଟା ଖିର ଟୋପାଏ ପାଇବନି । ନିଆଁ ଲଗେଇ ଦେଲେ କ୍ଷତି କଣ ? ? ଦୁଇଟା ଦଶଟଙ୍କିଆ ନୋଟ । ବେଶ୍‍ କିଛିଦିନ ଚଳିଯିବ ।

 

କେତେ ସମୟ ବା ଅପାକ୍ଷା କରିବେ ସେମାନେ । ପ୍ରଧାନେ ବ୍ୟସ୍ତ ହେଇ–ପଡ଼ିଲେ । ସତକୁ ସତ ଯଦି ଇଏ ନ ମଙ୍ଗେ..... । ଇଥରଟା ଥରି ଉଠିଲା । ଶୁଣାଗଲା ପ୍ରଧାନଙ୍କ କଣ୍ଠ ଶଦ୍ଧ, କଣ ଠିକ୍‍ କଲୁ ବାଉରୀ । ରାମ କକେଇ କଣ ତୋର ଅମଙ୍ଗଳ କଥା କହୁଛନ୍ତି । ତୁ ତ ବୁଝୁନୁ । ତୋ ପିଲା ପିଲି ଛତରେ ପଶିଲା ପରେ ଯଦି ସାନ ବାବୁଙ୍କ ହାବୁଡ଼ରେ ପଡ଼ି....... ।

କଥାଟାକୁ ଶେଷ ହେବାକୁ ଦେଲାନି ବାଉରୀ । ଆହତ ସିଂହ ପରି ଗର୍ଜି ଉଠିଲା, ବନ୍ଦକର ପ୍ରଧାନେ । ମୋ କମଳି ଦେହରେ ହାତ ଲଗେଇବ ? କଟୁରିଟା କଣ କୁଆଡ଼େ ଉଭେଇ ଗଲାକି ?

ବତି ଘରର ଆଲୁଅଟା ଟିକିଏ ଦେଖାଗଲାଣି । ଯେତେବେଳେ ଆଉଟିକେ ଆଗେଇ ଗଲେ ଭଲକରି ଦେଖିବାକୁ ମିଳିବ । ମିଶ୍ରେ ପାଟି ଖୋଲିଲେ, ତୁ ବ୍ୟସ୍ତ ହେଉଚୁ କାହିଁକି କହିଲୁ । ଆମେ ଥାଉ ଥାଉ ତୋର ଏ ଦଶା ହେବ ? ଆଉ ତୁ ଯଦି ଆମ କଥା ନ ମାନୁ ତାହେଲେ ତ ସେ ଅଲଗା କଥା । ତୁ ଆମ କଥା ମାନି ଯା । ଦେଖିବୁ ଦି କାନ ପୁଅ ଜାଣିବେନି । ଆଉ ତୋର ତ ଏତକ ଲାଭ; କିଛି ଦିନ ଚଳି ଯିବୁ ।

ନୋଟ ଦିଟାକୁ ହଲଉଥିଲେ ମିଶ୍ରେ । ବାଉରୀ ଚାହିଁଲା । ନୋଟ ଦିଟା କେମିତି ଟିକେ ଲୋଭଣିଆ ଦେଖା ଯାଉଚି । ନେଲେ କ୍ଷତି କଣ ? ଇୟା ପରେ କଣ ଆଉ ସରକାର ଦେବେନି କି-? ବାବୁ ପ୍ରଶନ୍ନ କରି ରଖିଥିଲେ ଆଉ କେତେ ଏମିତି ମିଳିବ । କାଳ ପୁରୁଷର ଜୟ ହେଲା-। ବାଉରୀ ହଁ ଭରିଲା ।

ସମସ୍ତଙ୍କ ମୁହଁରେ ହସର ଝଲକ । ଏକା କାନ୍ଦୁଥିଲା ବାଉରୀ । ଲକ୍ଷ୍ମୀ ସା’ନ୍ତାଣୀଙ୍କୁ ପୋଡ଼ିବାକୁ ଯାଉଚି ? ମିଶ୍ରେ ବଢ଼େଇ ଦେଲେ ଦଶଟଙ୍କିଆ ନୋଟ ଦୁଇଟାକୁ । କାମ ହାସଲ ପରେ ପୁଣି ଗୋଟେ ପାଞ୍ଚଟଙ୍କିଆ ନୋଟ ମିଳିବାର ପ୍ରତିଶ୍ରୁତି ।

ବାଉଁରୀ ଚାଲି ଗଲାଣି । ମୁଣ୍ଡରୁ ଗୋଟିଏ ମସ୍ତବଡ଼ ବୋଝ ଗଲା । ଏଥିରୁ କଣ ମିଳିବ-। କଟକରୁ କି ଭୂବନେଶ୍ୱରରୁ ଆରବାବୁ ଆସୁଛନ୍ତି । ବିଜୟ ଦର୍ପରେ ହସି ହସି ଲୋଟି ଯାଉଥିଲେ ତିଆଡ଼ି କକେଇ । ହସରେ ସୁରାପିଇ ସମତାଳରେ ଭାଙ୍ଗି ପଡ଼ୁଥିଲେ ଗୋବିନ୍ଦ ପ୍ରଧାନେ ଆଉ ପାଣୁ ମିଶ୍ରେ ।

ସ୍ୱର୍ଣ୍ଣ ପୁରୀ ଲଙ୍କା ଆଜି କଳାକନା ବୁଲିଯାଇଛି ହନୁମାନର ଅଗ୍ନି ସଂଯୋଗରେ । କୁଆଡ଼େ ଗଲା ସେ ହନୁ । ହଜାର ହଜାର ଆଖି ଘୁରିବୁଲୁଚି ତାର ପଛରେ । ତାର ସଂଧାନରେ । ସବୁ ଶେଷ ହେଇଚି । ଭଣ୍ଡାର ଘର ପୋଡ଼ି ଛାର ଖାର । ସେଇ ଯାଗାରେ ଛିଡ଼ା ହେଇଛି ପୋଡ଼ା ଅଙ୍ଗାରର ଗୋଟିଏ ଛୋଟ ସ୍ତୁପ । ତାର ଚାରି ପାଖେ ଡେଇଁ ଡେଇଁ ଗର୍ଜୁଛନ୍ତି ପାଣୁ ମିଶ୍ରେ, ଗୋବିନ୍ଦ ପ୍ରଧାନେ; ରାମ ତିଆଡ଼ି ।

ସମସ୍ତଙ୍କ ଆଖି ଛଳ ଛଳ । ଏଇଆ କଣ ଭାଗ୍ୟରେ ଥିଲା ? ତା ହେଇ ଥିଲେ ଇୟା ପୂର୍ବରୁ ସେମାନଙ୍କ ଜୀବନ ଗଲା ନାହିଁ କାହିଁକି ?? ନିଜ ପୁଅ ଝିଅଙ୍କର ମରଣ ଅବସ୍ଥା ଦେଖେଇବା କଣ ଭଗବାନଙ୍କର ଶେଷ ଇଚ୍ଛା ? ହଉ, ତାଙ୍କ ମନବାଞ୍ଛା ପୁରଣ ହେଉ । ସମସ୍ତଙ୍କର ଅଭିଶାପ ଭଗବାନଙ୍କ ଉପରେ । ଗୋବର୍ଦ୍ଧନ ସେ । ସବୁନାଟ ଲଗେଇ ବସି ଦେଖୁଛନ୍ତି ।

ପିଙ୍କାଟାକୁ ଦପ୍‍ ଦପ୍‍ ଜଳେଇ ଭକ୍ ଭକ୍‍ ଧୂଆଁ ଛାଡ଼ି କୋଚିଲା ଗଛଟାକୁ ଆଉଜି ଧ୍ୱସ ସ୍ତୁପକୁ ଚାହିଁଚି ହାଡ଼ିଆ । ପାଖରେ ତାର ସାଥୀ ମୂଳିଆ ଠେଙ୍ଗା ଖଣ୍ଡକ । ମନରେ ଅସରନ୍ତି ଭାବନା । କଣ ହେଲା ଇଏ । ଲକ୍ଷ କଙ୍କାଳର ନାକ ପୁଡ଼ାକୁ ବନ୍ଦକରିବାକୁ ସାହସ କଲାକିଏ ? ସମସ୍ତଙ୍କ ଭାତରେ ଧୁଳି ପକେଇବାରେ କାହାର ବା କି ସ୍ୱାର୍ଥ ? ଏଥିରେ ରାମ ତିଆଡ଼ିଙ୍କ ହାତ ନାହିଁ ତ ? ତାଙ୍କରି ପ୍ରରୋଚନାରେ..... ।

ନିଜ ପ୍ରଶ୍ନରେ ନିଜେ ଚମକି ପଡ଼ିଲା ହାଡ଼ିଆ । କାହାକୁ କଣ ସେ ଭାବୁଚି ? ତାଙ୍କର ଦେବତା ରୂପ ଦେଖିଚି । ଠାକୁରଙ୍କୁ ସବୁଦିନେ ସେ ଭୋଗବାଢ଼ନ୍ତି । ଦୟାକରି ଏତେ ଲୋକଙ୍କୁ ଖାଇବାକୁ ଦେଉଛନ୍ତି । ତାଙ୍କୁ ପୁଣି........ । ଅସମ୍ଭବ ।

 

କିନ୍ତୁ କାନକୁ ଅବିଶ୍ୱାସ କରିବ କେମିତି । ସେଦିନ ଗୁଣ୍ଡା ବୈଠକର ସେ ଯେଉଁ ଘଟଣା... । ଟଙ୍କାତ ପୁଣି ମୁହଁ କରିଦିଏ ବଙ୍କା । ତା କଣ ହେଇନି ତାଙ୍କ ଜୀବନରେ । ଯଦି ସେଇଥିରେ ବଦଳି ଯାଇଥାନ୍ତି ସେ । ତଥାପି ଏତେବଡ଼ କାମକରିବାକୁ ହାତ ଗଲା କେମିତି ? ଏତେ ଲୋକଙ୍କ ଲୁହରେ ସେ ତଳି ତଳାନ୍ତ ହେଇ ଯିବନି ? ମୁଣ୍ଡରେ ଢୁକୁ ନଥିଲା; କଣ ହେଇପାରେ ।

 

ପିଙ୍କାଟାକୁ ଆଉ ଦିଢୋକ ଟାଣିଦେଇ ଭକ୍‍ କରି ଧୂଆଁ ମେଞ୍ଚେ ଛାଡ଼ି ଦେଇ ସେମିତି ପଥର ପରି ଦୂରକୁ ଅନେଇ ରହିଲା । ଗୁଜିକୁ ଧରି ଇଆଡ଼କୁ ଆସୁଚି ଚଇ । ବାବୁ ନାହାନ୍ତି । ରୋଷେଇ ବନ୍ଦ ।

 

ପାଖରେ ଆସି ପହଞ୍ଚି ଗଲାଣି ଚଇ । ଖେୟାଲ ନାହିଁ ହାଡ଼ିଆର । କଣ ବୋଲି କଣ ଭାବୁଚି । ସାତ ତାଳ ପାଣିରୁ ଖୋଜୁଚି ବୁଢ଼ୀ ଅସୁରୁଣୀଆ ମୁଦ ଦିଆ ସୁନା ଫରୁଆକୁ ଯଦି ପାଆନ୍ତା...... । ସୁନା ପୋକଟିର ବେକମୋଡ଼ି ଦିଅନ୍ତା । ଗର୍ଜନ କରି ବୁଢ଼ୀ ଅସୁରୁଣୀ ମୁଣ୍ଡ ପିଟି ମରନ୍ତା । ତା ପରେ ଯାଇ ଏତେ ଲୋକଙ୍କ ମୁହଁରେ ହସର ଢେଉ ଉଛୁଳି ପଡ଼ନ୍ତା । ଶାନ୍ତିରେ ନିଶ୍ୱାସ ମାରନ୍ତେ ଟିକି ଟିକି ଛୁଆ ଗୁଡ଼ା ପୁଣି ଠୁକୁ ଠୁକୁ ହୋଇ ଚାଲନ୍ତେ ।

 

ପାଖରେ ବସିଲା । ଆହୁରି ଜୋରରେ ଦପ୍‍ ଦପ୍‍ କରି ପିକାକୁ ଟାଣିବାରେ ଲାଗୁଚି ହାଡ଼ିଆ । ଛି କି ଅଲେକ୍ଷଣା କଥା ଏଗୁଡ଼ା । ପିଅନ ବଙ୍କାଟକୁ ସର୍ବନାଶ ବୁଦ୍ଧି କିଏ ଦେଲା ? ଧୁଆଁ ଟାଣି କଲିଜାଟାକୁ ପୋଡ଼ି ଦେଉଚି । ଏମିତି ସର୍ବନାଶ ବୃଦ୍ଧି ଥିବ ଯାହାର ନାଁ..... । ପିଙ୍କାଟାକୁ ଟାଣି ଆଣି ଫିଙ୍ଗି ଦେଲା ।

 

ଚମକି ପଡ଼ିଳା ହାଡ଼ିଆ । ବୁଲି ଚାହିଁଲା । ଆଗରେ ଚଇ । ଅନେକ ଦିନ ତଳର ପ୍ରେମିକା ତାର । ସେ ଆଜି ଅନ୍ୟର ସ୍ତ୍ରୀ । ପରିଚୟ ନଦେଇ ଦୂରେଇ ରହିବାକୁ ଚେଷ୍ଟାକରିଚି ଅନେକ । ତେବେ ତା ଚେଷ୍ଟାକଣ ବିଫଳ ହେଲା ? ? ଚଇ କଣ ତାର ଅସଲ ପରିଚୟ ପାଇ ଗଲାଣି ? ?

 

ସବୁ ଗଡ଼ ବଡ଼ ହୋଇ ଗଲା ତାହେଲେ । କଣ ଭାବିଥିବ ଚଇ । ଭାବିଥିବ, ‘‘ଦିନେ ଯୋଉ ହାଡ଼ିଆ’ଇ ତାକୁ ପାଖରୁ ଛାଡ଼ି ଦେଉ ନଥିଲା ସେ କେତେ ଦୂରେଇ ରହୁଚି ? ହାଡ଼ିଆଇ କଣ କେବଳ ତା ଦେହଟାକୁ ଭଲ ପାଉଥିଲା ? ମନର ମୂଲ କଣ ତାପାଖରେ କିଛି ନାହିଁ ? ହେଇ ପାରେ ସେ ଅନ୍ୟର ସ୍ତ୍ରୀ, ହେଇପାରେ ସେ ଛତରେ ଗୋଟେ ଭିଖାରୁଣୀ, ସେଥିରେ ଘୃଣା କରିବାର କଣ ଅଛି ? ସେତ ନିଜେ ଅନ୍ୟହାତ ଧରିନି ? କାଳି ମାଟିରୁ ହାଡ଼ିଆ ଫେରିଲାନି ବୋଲି ସିନା........ ।

 

କଣମ ପିଅନ ବାବୁ ଏତେ ଭାବୁଚୁ ?

 

ତୁ ମୋତେ ଚିହ୍ନି ପାରିଚୁ ତାହାଲେ ?

 

ହସିଲା ଚଇ । ଘରପୋଡ଼ି ଗଲାନି ଯେ ପିଅନବାବୁଟା ପାଗଳ ହୋଇଗଲା ଗରୀବଙ୍କ ପାଇଁ କେଡ଼େ ଦୟା ୟାର । ସେମିତି ହସି ହସି କହିଲା, ପାଗଳ ହେଇ ଗଲକି ପିଅନ ବାବୁ ? ତୁମକୁ କିଏ ନଚିହ୍ନେ କହିଲ । ଗୁଜିକୁ ପଚାରନା, ସେ କହିବ ତୁମକୁ ପିଅନ ବାବୁ ବୋଲି ।

 

ଆଶ୍ୱସ୍ତିରେ ନିଶ୍ୱାସ ମାରିଲା ହାଡ଼ିଆ । ପିଅନ ବାବୁ ତେବେ ତାର ପରିଚୟ । ବେଶ୍‍ ଭଲ ହେଇଚି । ସେଇ ପିଅନ ବାବୁ ନାଁରେ ସେ ରହି ଯାଉ ସବୁଦିନ ପାଇଁ ।

 

ଗୋଟେ କଥା କହିବି ପିଅନ ବାବୁ ।

 

ଗୋଟେ କାହିଁକି, ଦଶଟା କହୁନୁ ।

 

ତୁ ଏତେ କଣ ଭାବୁଚୁ କହିଲୁ ?

 

ତୁ କଣ କିଛି ଭାବୁନୁ ?

 

ହେଲେ ତୋ ପରି ନୁହେଁ ।

 

ସତେ ଲୋ ଚଇ । କଣ ହୋଇ ଗଲା କହିଲୁ ? କିଏ ସେ ହନୁ ଏମିତି ଛାର ଖାର କରିଦେଇ ଗଲା ? ପାଖରେ ଯଦି ପାଆନ୍ତି ନା.... । ଛାଡ଼ ସିଏ ସବୁ ଭାଗ୍ୟ । ତେବେ ଯିଏ ଏ ସବୁ କାମ କରିଚି ତା ବଂଶ ନିପାତ ହୋଇଯିବେ ଲୋ ବଂଶ ନିପାତ ହୋଇଯିବେ ।

 

ଆଖିରୁ ଲୁହ ପୋଛିଲା ଚଇ । ବାବୁ ନାହାନ୍ତି । କାଲି ଆସିବେ । କିନ୍ତୁ ଏ କଙ୍କାଳ ଗୁଡ଼ା କାଲି ପର୍ଯ୍ୟନ୍ତ ବଞ୍ଚିଲେ ତ ? ଏ ନିରନ୍ନ ଲଙ୍ଗୁଳା ଛୁଆଗୁଡ଼ାଙ୍କର ନାକ ଗୁଡ଼ା ସେ ପର୍ଯ୍ୟନ୍ତ ଫୁଲି ଉଠୁଥିଲେ ତ ?

 

ତୁ କାନ୍ଦୁଚୁ ଚଇ ।

 

ନା ପିଅନ ବାବୁ । ମୋର କଣ ଅଭାବ ଅଛି ମୁଁ କାନ୍ଦିବି ? କିନ୍ତୁ ଏ କଙ୍କାଳ ସାରା ପିଲାଗୁଡ଼ା କାଲି ପର୍ଯ୍ୟନ୍ତ ବଞ୍ଚିଲେ ତ ? ଗୁଜିପରି କେତେ ଛୁଆ ଦୁଧ ଟିକେ ନପାଇ ଟଳି ପଡ଼ିବେ କିଏ ତାର ହିସାବଦେବ ??

 

ଭଗବାନ ନକରନ୍ତୁ ତା । ସମସ୍ତେ ଯାଆନ୍ତୁ । ହେଲେ ଗୁଜି ମୁହଁରେ ସେଇ ହସ ଖଣ୍ଡିକ ସେମିତି ଝୁଲୁଥାଉ ! ଚଇକୁ ଯଦି ସେ ବିଭା ହୋଇ ଥାନ୍ତା..... ।

 

ଗୁଜି ହସୁଚି । ହାତ ବଢ଼ାଉଛି ଯିବାକୁ । କାଲିକାର ବାସିଖିର ଟିକେ ପେଟରେ ପଡ଼ିଚି ନା ? କୋଳକୁ ନେଲା ହାଡ଼ିଆ । ହାଡ଼ିଆର ଲମ୍ବା ଲମ୍ୱା ଦାଢ଼ି ଗୁଡ଼ା ଟାଣି ଓଟାରି ପକାଉ ଥାଏ ଗୁଜି । ହାଡ଼ିଆ ପାଉଥାଏ ପିତୃତ୍ୱର ଆନନ୍ଦ । ସେ ଦାଢ଼ି ଟଣାରେ ଥାଏ ଅସୀମ ଆନନ୍ଦ ।

 

ଛୁଆଟାକୁ ଦେଇ ଦିଅ ପିଅନ ବାବୁ, ନ ହେଲେ ସବୁ ଦାଢ଼ି ସଫା କରିଦେବ । ଏତେ ଦୁଷ୍ଟହେଇଚି.... ।

 

ଆହୁରି କୋଳକୁ ଜାବୁଡ଼ି ଧରିଲା ହାଡ଼ିଆ । ଏଇ ଦୁଷ୍ଟାମିରେ ସ୍ୱର୍ଗର ଆନନ୍ଦ ଅଛି । ମୁହଁରେ ଆଙ୍କିଦେଲା ଅଜସ୍ର ଚୁମ୍ୱନ । ଗେହ୍ଲାଳିଆ କଣ୍ଠରେ କହିଲା, ‘‘ତୋ ମା କହୁଛି ତୁ ଭାରି ଦୁଷ୍ଟ ହେଉଚୁ । ନୁହେଁ ଲୋ ଗୁଜି ? ଆଉ ତୋ ମା’ ଟା ଭାରି ଶାନ୍ତ । ପିଲାଦିନେ ପଛେ ବାଡ଼ିଧରି ବାଡ଼ଉଥିବ । ମୋ ସୁନାଟା ପରି କିଏ ହବମ ।’’ ଚଇ ଆଡ଼କୁ ମୁହଁ ବୁଲାଇଲା । ଲାଜକୁଳି ଲତାପରି ଲଟେଇ ଗଲାଣି ସେ । ଏ ପିଅନ ବାବୁଟା ସତରେ କେତେ ଭଲ ମ ?

 

ଚଇ ହାତରେ ବଢ଼ାଇଲା ନବାକୁ । ଗୁଜି ଛାଡ଼ିବାକୁ ନାରାଜ । ହାଡ଼ିଆ କହିଲା, ଦେଖିଲୁ ଚଇ ଇଏ କାହା ଝିଅ । ତୋ ଝିଅ ହୋଇଥିଲେ ତୋ ପାଖକୁ ଯାଇ ନଥାନ୍ତା ? ଦେଖ ଯାହା ଯେତେ ଅସୁବିଧା ହେଉ ପଛେ ମୋ ରାଜଜେମାର ଯଦି କିଛି ଅସୁବିଧା ହୁଏ ମୋତେ କହିବୁ ।

 

ଚଇ ଆହୁରି ଲାଜେଇ ଗଲା । ଜୋରକରି ଟାଣି ନେଇ ଚାଲିଗଲା ଗୁଜିକୁ । ଗୁଜି କହୁଥିଲା ‘‘ବା ବା ବା ।’’

 

ଦରୋଟି ଭାଷା । ଭଙ୍ଗୀ ଭଙ୍ଗୀ ହସ । ନିଶ୍ପାପ କଳିସେ । ସେ କଣ ଜାଣେ ବା ବା’ର ମାନେ । ସେ ସେମିତି କହି ହେଉ ଥିଲା । ଚଇ ଚାଲି ଯାଉଥିଲା ଦୂରକୁ ଦୂରକୁ । ଅନେଇ ରହିଥିଲା ହାଡ଼ିଆ ।

 

ଗୋଟାଏ ଦିନ ବିତିଗଲାଣି । ତିନି ମାଇଲ ବ୍ୟବଧାନରେ ଅନ୍ୟ ଯେଉଁ ଛତରଟି ଖୋଲି ଥିଲା ସେଠିକି କାଲି ଠାରୁ ଖବର ଦିଆଗଲାଣି । ଏତେ ପର୍ଯ୍ୟନ୍ତ କିଛି ସାହାଯ୍ୟ ଆସିନି । କଟକ ଖବର ଯାଇଥିଲା । କାଇଁ ବାବୁ ବି ଏପର୍ଯ୍ୟନ୍ତ ଆସି ନାହାନ୍ତି । ସମସ୍ତଙ୍କର ମହାଚିନ୍ତା । ତିଆଡ଼ି ଆପଣେ ଘନ ଘନ ଆସି କହି ଦେଉଥାନ୍ତି, ‘‘ଭାଗ୍ୟ ଖାଲି ଭାଗ୍ୟ । ଇଏ ପରା କଳି କାଳ । କିଏ କଣ କାହା କଥା ଶୁଣୁଚି । ନେଲା ବେଳକୁ ସମସ୍ତେ । ଦେଲା ବେଳକୁ କେହି ନୁହେଁ । ଭଗବାନ ତୁମର ସହାୟ । ମୋ ପାରୁ ପର୍ଯ୍ୟନ୍ତ ମୁଁ କରୁଚି । ତେଣିକି ଯଦି ନହେବ ମୁଁ ଆଉ କଣ କରିବି । ବାବୁଟା ସିୟାଡ଼େ ହସିଲା ଯେ ଏତିକି ବେଳେ ଟିକେ ଆସନ୍ତାନି । ତାର ବା କଣ ଯାଉଚି । ମଟର ଚଢ଼ି କାଠଯୋଡ଼ି କି ମହାନଦୀ ହାଓ୍ୱା ଖାଉଥିବ ।’’

 

ସମସ୍ତଙ୍କର ରାଗ ବାବୁଙ୍କ ଉପରେ । ଗରୀବଙ୍କ ପାଇଁ ତିଆଡ଼ି ଭାଇନାଙ୍କର କି ଦରଦ-? ଆଜି ସୁଦ୍ଧା ଦଶଟା ଲାଙ୍ଗୁଳା ଛୁଆ ଟଳି ପଡ଼ିଲେଣି । ଲୋକମାନେ ଅନ୍ୟ ଛତରକୁ ଯିବାକୁ ବାହାରିଲେଣି । ଯେଉଁମାନେ ଲଣ୍ଠନର କିରଣ ଦେଖି ବତୀ ଖୁଣ୍ଟର କିରଣ ବୋଲି ଭାବି ପଡ଼ି ରହିବାକୁ ଚାହାଁନ୍ତି ସେମାନେ ପିଲାମାନଙ୍କର ଆଶା ଛାଡ଼ିଲେଣି ।

 

ଏଇ ଦୂରରୁ ଧୂଳି ଉଡ଼ୁଚି । ଖୁବ୍ଦୁରରୁ । ବାବୁ ଆସିଲେ ବୋଧେ । ସାଥିରେ ବୋଧେ ଥିବ ଦୁଇ ତିନି ଟ୍ରକ ବୋଝେଇ ମାଲ । ଧୂଳି ପାଖକୁ ପାଖକୁ ଆସିଲା । ଗୋଟିଏ ଅମୂହାଁ ଧଳା ଗାଡ଼ି । ପାଖେଇ ଆସିଲା ଗାଡ଼ିଟା । ଗାଡ଼ି ରହିଲା । ଗାଡ଼ି ଚାରିକର ଘେରିଗଲେ କେତେ ଗୁଡ଼ାଏ କଙ୍କାଳ । ବାବୁଙ୍କୁ ସବୁକଥା କହିବେ । ଖାଇବାକୁ ଦାନା ମାଗିବେ ।

 

ଗାଡ଼ିରୁ ଓହ୍ଲାଇ ପଇଲେ କେତେଗୁଡ଼ାଏ ଗୋରାଲୋକ । ଦେହରେ ଲମ୍ୱା ଲମ୍ୱା ଟ୍ରାଉଜର । ଲମ୍ୱା ଲମ୍ୱା ସାର୍ଟ । ମୁଣ୍ଡରେ ସେ ଗୋଟେ ରକମର ଟୋପି । ଓଡ଼ିଆ ବୁଝନ୍ତି ନି । ଏ ଅଞ୍ଚଳକୁ ସେମାନଙ୍କ ପ୍ରଥମ ଆଗମନ । ଦରଖଣ୍ଡିଆ ହିନ୍ଦି କୁହନ୍ତି । ଜଣେ ଖଣ୍ଡେ ହିନ୍ଦିରେ ପଚାରିଲା, ଆପଣ ଏ ଛତ୍ରର ପରିଚାଳକ ।

 

‘ଆଜ୍ଞା ହଁ ।’

 

ତେବେ ଚାଲନ୍ତୁ ଆପଣଙ୍କ ପାଖରେ ଅନେକ କାମ ଅଛି ।

 

ଭିତରକୁ ପଶିଗଲେ ସମସ୍ତେ । ବ୍ୟାକୁଳ ନୟନରେ ଅନ୍ୟମାନେ ଚାହିଁ ରହିଲେ । ଏକଥାବାର୍ତ୍ତାରୁ ଖାଦ୍ୟ ଆସିବାର କଣ ସୁରାକ ମିଳିପାରେ । କେତେ ସମୟ ଫୁସୁରୁ ଫାସର ହେବା ପରେ ହସି ହସି ବାହାରି ଆସିଲା ତିଆଡ଼ି ନନା । ଗାଈ ଗୋଠପରି ଗୋଟିଏ ଜାଗାକୁ ଅଡ଼େଇ ନେଲା । କଣ କହିବେ ବୋଧେ ଦୂରରେ ପାଦ୍ରିମାନେ ହସୁଥାନ୍ତି ।

 

ସମସ୍ତେ ଅପଲକ ନୟନରେ ଚାହିଁ ରହିଥାନ୍ତି ଠିକ୍‍ ଚାତକ ପରି । ତିଆଡ଼ି ଭାଇନାଙ୍କ ମୁହଁରୁ କିଛି ଅମୃତ ଝରିବ ସେଇଥିରେ ସେମାନେ ଆଗମୀ ଦିନମାନଙ୍କର ଶୁଭ କି ଅଶୁଭ ସୂଚନା ପାଇବେ ।

 

ଉଞ୍ଚାଜାଗାକୁ ଉଠିଗଲେ ତିଆଡ଼ି ଆପଣେ । ଖୁବ୍ଉଞ୍ଚା ଗଳାରେ କହିଲେ, ଏ ଯେଉଁମାନଙ୍କୁ ଦେଖୁଚ ସେମାନେ ବିଦେଶୀ ଲୋକ । ସେମାନେ ଚାହାନ୍ତି ତୁମମାନଙ୍କ ଛୁଆମାନଙ୍କୁ ବଞ୍ଚେଇବାକୁ । ତୁମମାନଙ୍କର ମତ କଣ ?

 

କିଏ ବାପ, ମା ହୋଇ ବିରୋଧ କରିବ ? କୋଉ ବାପା ମା ନ ଚାହିଁବ ତାର ପିଲାଟିର କଙ୍କାଳରେ ମାଂସ ପଳେ ଲିପିଦେବାକୁ ? ସମସ୍ତେ ଏକ ସ୍ୱରରେ କହିଲେ, ସବୁ ତ୍ୟାଗ ପାଇଁ ଆମେ ପ୍ରସ୍ତୁତ ଅଛୁ । ଆମ ଜୀବନ ଯାଉ ପଛେ ପିଲାଏ ବଞ୍ଚନ୍ତୁ ।

 

ସମସ୍ତଙ୍କ ମୁହଁରେ ହସ । ଅନେକ ଦିନପରେ ସେମାନେ ହସୁଛନ୍ତି । ଟାକରା ଗାଲର ହନୁହାଡ଼ଟା ଟିକେ ଘୁଞ୍ଚିଗଲା । ରାମ କକେଇ ହସୁଚନ୍ତି । ତାଙ୍କର ଗର୍ବରେ ଛାତି ଫୁଲି ଉଠୁଚି ଯେ ସେ ଲୋକଙ୍କୁ ପଟେଇ ନେଇ ପାରିଛନ୍ତି । ଲୋକମାନଙ୍କୁ ଆଉ ଟିକେ ଉତ୍ସାହ ଦେବାକୁ କହିଲେ, ସେମାନେ ଚାହାନ୍ତି ତୁମ ମାନଙ୍କର ପିଲାମାନେ ଖାଆନ୍ତୁ, ପିଅନ୍ତୁ, ପାଠ ପଢ଼ନ୍ତୁ । କିନ୍ତୁ ସେଥିପାଇଁ ତୁମମାନଙ୍କୁ ସେମାନଙ୍କ ପାଇଁ କିଛି ସ୍ୱାର୍ଥ ବଳିଦାନ କରିବାକୁ ହେବ ।

 

ସମସ୍ତେ ଉତ୍ସୁକ । କଣ ସ୍ୱାର୍ଥ ବଳିଦାନ । ଏ ସୁପୁରୁରଷ ମାନେ କିଏ ।ଏମିତି ଅଯାଚିତ ଦାନ କାହିଁକି ?

 

କଣ ପାରିବ ?

 

ସମସ୍ତେ ଏକ ସ୍ୱରରେ କହିଲେ, ହଁ ଆମେ ଜୀବନସୁଦ୍ଧା ଦେଇ ପାରିବୁ । ଆପଣ କୁହନ୍ତୁ ।

 

ତିଆଡ଼ି ଭାଇନାଙ୍କ ଛାତିଟା ଆହୁରି କୁଣ୍ଢେମୋଟ ହୋଇଗଲା । ଏଇ ଦେବ ପୁରୁଷ ମାନଙ୍କର ତାଙ୍କ ପ୍ରତି କି ଭଲ ଧାରଣା ନ ହେବ । ପୁଣି କାମ ସରିଗଲା ପରେ ଦୁଇଶହ ନଗଦ । କହିଲେ, ତୁମମାନେ ତୁମମାନଙ୍କର ପିଲାମାନଙ୍କୁ ଦେଇ ଦିଅ । ସେମାନେ ଦୂରକୁ ନେଇଯିବେ । ସେଇଠି ରଖି ସେମାନେ ମଣିଷ କରିବେ କିନ୍ତୁ ପରେ ତୁମେମାନେ ସେମାନଙ୍କୁ ଦାବି କରିବନି ।

 

ମୁହଁଟିମାନ ମଉଳି ଗଲା । ପୁଅ ଛୋଟା, କଣା, କୁଜା ହୋଇ ଭୋକ ଉପାସରେ ମରୁପଛେ ଦୂରକୁ ନ ଯାଉ । ସବୁଦିନ ପାଇଁ ସେମାନଙ୍କର ଚାନ୍ଦ ବଦନଟି ପଶ୍ଚିମ ଆକାଶରେ ଡୁବି ନ ଯାଉ । ଏତିକି ହେଇ ପାରେ, କେତୋଟି ମୁହୂର୍ତ୍ତପାଇଁ ଯାଇ ପୁଣି ନୂଆକଳେବର ଧରି ଆସନ୍ତା ରାତ୍ରୀରେ ଫେରିଆସୁ । ପୁଣି କୁମୁଦ ଖେଳି ଉଠୁ ।

 

ରାମତିଆଡ଼ି ବଡ଼ ଅଡ଼ୁଆରେ ପଡ଼ିଲେ । ଭାବିଥିଲେ କହିଲା ମାତ୍ରେ ଲୋକମାନେ ହଁ ଭରିଦେବେ । ଇଏ କଣ ହେଲା । ଲୋକ ମୁହଁ ଫେରେଇ ନେଉଛନ୍ତି କାହିଁକି ? ଲୋକଙ୍କୁ ଚେତେଇ ଦେବାପାଇଁ ସଜାଡ଼ି ହୋଇ ଉଠିଲେ ତିଆଡ଼ି । ଖୁବ୍ ଉଚ୍ଚଗଳାରେ କହିଲେ, କଣ ଚାହଁ ତୁମେମାନେ । ନିଜର ପିଲାର ଉପକାର କଣ ଚାହଁନା ? ଚାଉଳ ଆସୁ ଆସୁ ଆହୁରି କେତେ ଦିନ ଜଣା ନାହିଁ । କଣ ଦେଇ ଏ ଛୁଆ ମାନଙ୍କୁ ବଞ୍ଚେଇବ ? ତୁମେ ମାନେ କଣ ଏଇଆ ଚାହଁ ଯେ ତୁମରି ଆଖି ଆଗରେ ଏଇ ଛୁଆ ପିଲାମାନେ ପୋକମାଛି ପରି ଝଡ଼ି ଯାଆନ୍ତୁ ?

 

ଲୁହ ବୋହୁନଥିଲେ ମଧ୍ୟ କାନ୍ଧପକା ପାଚଲା ଗାମୁଛାଟା ଭିଡ଼ିଆଣି ଆଖି ପୋଛିବାକୁ ଆରମ୍ଭ କଲେ ତିଆଡ଼ି ଆପଣେ । ତାରି ଭିତରେ ଦେଖୁ ଥାନ୍ତି ମାତୃବୀଣାର ତନ୍ତ୍ରୀକୁ । ଥରି ଉଠୁଚିକି ନା ? କି ଆହୁରି ଜୋର ଦରକାର । ନା, ଲକ୍ଷ୍ୟ ଅବର୍ଥ୍ୟ । ଛୁଆ ଗୁଡ଼ାଙ୍କୁ ନିଜ ନିଜ କୋଳ ଭିତରେ ଚାପିରଖି କାନ୍ଦିଉଠିଲା ମାତୃତ୍ୱର ସେହେନାଇଟା ।

 

ତିଆଡ଼ି ଆପଣେ ପୁଣି ସଜାଡ଼ି ହୋଇଗଲେ । ଆଉ ଟିକେ କରୁଣ ସ୍ୱର ସାହାନାଇର ହେବା ଦରକାର । ସେତିକିରେ ଦୁଇଶହଟଙ୍କା ନୋଟ । ତାଙ୍କୁ ଆହୁରି କରୁଣ କରି ସେହନାଇ ସାଥିରେ ଭାୟୋଲିନର ସୁରଟାକୁ ମିଶେଇ ଦେବାକୁ ପଡ଼ିବ । ନ ହେଲେ ପଟ୍ଟନାୟକ ବଂଶର ମୂଳୋତ୍ପାଟନ କରାଯିବ କେମିତି ? ଟିକେ ଦୂରରେ ପିଣ୍ଡା ଉପରେ ଛିଡ଼ାହୋଇ ପାଦ୍ରି ତିନିଟା ହସୁଥିଲେ । ସାହାନାଇ, ଭାୟୋଲିନର କରୁଣ ମୂର୍ଚ୍ଛନା ସହ ଏସ୍‍ ରାଜର ସୁରଟାକୁ ମିଶେଇ ଦେବାକୁ ପ୍ରବର୍ତ୍ତାଉଥିଲେ ସେମାନେ ।

 

ଅନେକ ପରିମାଣରେ ଉତ୍ସାହିତ ହୋଇ ବ୍ୟର୍ଥପୂର୍ଣ୍ଣ କଣ୍ଠରେ ଛଳନା କରି ତିଆଡ଼ି କହିଲେ, କଣ ଭାବୁଛ ଏତେ । ମୁଁ ବି କାହାର ଜଣଙ୍କର ବାପା । ମୁଁ ଜାଣେ ନିଜ ରକ୍ତ ମାଂସରେ ଗଢ଼ା ଛୁଆଟିକୁ ଦେଇ ଦେବା କେଡ଼େ କଷ୍ଟ । ତେବେ ନଖାଇବାକୁ ଦେଇ ମାରି ଦେବା ଠାରୁ ପାପ ଏ ଦୁନିଆରେ ନାହିଁ । ସେମିତି ହେଲେ ସାତ ଜନ୍ମରେ ପିଲା ହବନି । ‘ହାତୀ ବନସ୍ତରେ ଥିଲେ ରାଜାଙ୍କର ।’ ସେମାନଙ୍କର ଭଲରେ ଆମର ଭଲ । ଭଗବାନ ସେମାନଙ୍କୁ କୋଟି କୋଟି ଆୟୁଷ ଦେଇଥା’ନ୍ତୁ ।

 

ଶେଷବେଳକୁ ତିଆଡ଼ି କକେଇଙ୍କର କଣ୍ଠସ୍ୱର ଅତି କରୁଣ ହୋଇ ଆସିଥିଲା । ବସି ପଡ଼ିଲେ ସେ ।

 

ଗୋଟିକ ପରେ ଗୋଟିଏ ଆସି ପିଲାଙ୍କୁ ଜମା କରିବାକୁ ଲାଗିଲେଣି । ସତେ, ହାତୀ ବନସ୍ତରେ ଥିଲେ ରାଜାଙ୍କର । ସେମାନଙ୍କର କୋଟିଏ ବର୍ଷ ଆୟୁଷ ହେଉ । ରକ୍ତକୁ ପାଣି କରି, ଆଶ୍ରୁ ନିଗାଡ଼ି, ଗୋଟିକ ପରେ ଗୋଟିଏ ଥୋଇ ଦେଉଥାନ୍ତି । ନିଷ୍ପାପ ନିର୍ମାୟା ଶିଶୁ ସେମାନେ । କଣ ଜାଣନ୍ତି ବା । ପେଟପୁରିଥିଲେ କେବଳ ହସ; ଖାଲିଥିଲେ କାନ୍ଦ ।

 

ଟିକେ ଦୂରରେ ହାଡ଼ିଆ ଦେଖୁଥାଏ ।

 

ମନତାର ବିଦ୍ରୋହ କରି ଉଠୁଥାଏ । ତିଆଡ଼ି ମୁଣ୍ଡକୁ ଗୋଟେ ପାହାର ଦିଅନ୍ତାକି ?

 

କୋଳ ଭିତରକୁ ଯାକି ଧରିଲା ଗୁଜିକୁ । ସତେ କଣ ଗୁଜିକୁ ସେମାନଙ୍କ ହାତକୁ ଦେଇ ଦବ । ନା ନା ସେ ପାରିବେନି । ସ୍ୱାମୀଙ୍କର ଶେଷ ସନ୍ତକ । ତେବେ କଣ ଫୁଲଟିକୁ ଏମିତି ଝଡ଼ିବାକୁ ଦେବ ? ତା ଅପେକ୍ଷା ବରଂ..... । ତିଆଡ଼ି କକେଇ କହୁଥିଲେ ହାତୀ ବନସ୍ତରେ ଥିଲେ...... । ତା ଆୟୁଷ ଜହ୍ନି ଫୁଲ ହେଉ ହେଲେ ..... । ଦେଇଦବା ବରଂ ଭଲ । ଭଲ ଖାଇବ । ଭଲ ପିନ୍ଧିବ, ପାଠପଢ଼ିବ । ଆଉ ସିଏ କଣ କରିପାରିବ ? ପାଣୁଆ ସିଆଡ଼େ ଉପରେ ହାତଠାରି କହିବ, ‘‘ତୁ ବୋକିଟେ । ତୋରିଲାଗି ମୋ ଝିଅ ନଷ୍ଟହୋଇଗଲା ।

 

ଭାବନାର ଢେଉରେ ଭାଷି ଭାଷି କେତେବେଳେ ଯାଇ ତିଆଡ଼ି କକେଇଙ୍କ ପାଖରେ ପହଞ୍ଚିଲାଣି ତାର ଖେଆଲ ନାହିଁ । ପିଲାଟାକୁ ଅନେଇ କଣ ଭାବୁଚି । ଏଇ ତିଆଡ଼ି କକେଇ ପାକଳା ଦାନ୍ତ ଦିଟାକୁ ଦେଖେଇ ହାତ ବଢ଼େଇଲେଣି । ଟିକେ ପରେ ଛୁଆଟାକୁ ନେଇଯିବେ ।

 

ହାଡ଼ିଆ ସହିପାରିଲାନି । ଚଇର ଛୁଆ ଆଜି ଖିରସ୍ତାନ ହୋଇଯିବ ? କାଳିମାଟିରେ ସେ ଦେଖୁଛି ଏଇ ପାଦ୍ରିମାନେ ଅନାଥ ଛୁଆଗୁଡ଼ାକୁ ନେଇ ଖିରସ୍ତାନ କରି ଦିଅନ୍ତି । ଗୋରୁମାଂସ ଖାଇବାକୁ ଦିଅନ୍ତି । ଛି ଛି ସେ ଥାଉ ଥାଉ...... ।

 

ଦୌଡ଼ିଆସି ଝାମ୍ପି ନେଲା ତିଆଡ଼ିଙ୍କ ହାତରୁ । ଛୁଆଟା କାନ୍ଦି ଉଠିଲା । ଚଇର ଚେତା ଆସିଲା । ଗୁଜି କାନ୍ଦୁଚି । ହାତବଢ଼ାଉଚି ତା ପାଖକୁ ଆସିବାକୁ । ଟାଣି ଆଣିଲା କୋଳକୁ । ଚୁମାଦେଲା । ଧରଡ଼ା ସ୍ତନ ଗୋଟାକୁ ମୁହଁରେ ଦେଲା । ପୁଣି ପୂର୍ବର ସେ ହସ ଉକୁଟି ଉଠିଲା । କାନ୍ଦି ଉଠିଲା ଚଇ । ହାଡ଼ିଆ ଠେଲି ଠେଲି ବାହାରକୁ ନେଇ ଯାଉଥିଲା ଚଇକୁ । ତିଆଡ଼ି ଜଳି ଉଠିଲେ । ସାମାନ୍ୟ ପିଅନଟା ସବୁଥିରେ ବାଧା ଦେଉଚି । ରାଗି ଦାନ୍ତ କଡ଼ ମଡ଼ କରି ଡାକିଲେ, ‘‘ହାଡ଼ିଆ ।’’

 

ଚମକି ପଡ଼ିଲା ଚଇ । କିଏ ଏଇ ହାଡ଼ିଆ । ଇଏଆଉ ତାର ସେ ହାଡ଼ିଆ ନୁହେଁ ତ ?

 

ହାଡ଼ିଆ ଛିଡ଼ା ହୋଇଗଲା ।

 

ସେମିତି ଗର୍ଜିଉଠି ତିଆଡ଼ି କକେଇ କହିଲେ, ସେତ ତା ଛୁଆକୁ ଦେଉଥିଲା ତୁ କିଏରେ-?

 

ତା ଛୁଆ ନୁହେଁ ତିଆଡ଼ି କକେଇ ଆମଛୁଆକୁ ।

 

ଠେଲି ଠେଲି ନେଇଗଲା ଜନଗହଳିର ଅନେକ ଦୂରକୁ । ଚଇ ବୁଝି ପାରୁନଥିଲା ଇୟେ କଣ ହଉଚି । ସେମିତି ସିଏ କାନ୍ଦୁଥିଲା । ଗାଡ଼ିର ଷ୍ଟାର୍ଟ ଶୁଭିଲାଣି । ଗାଡ଼ି ଭିତରେ କାନ୍ଦି ଉଠୁଥିଲେ ଛୁଆଗୁଡ଼ାକ । ଆଉ ବାହାରେ ଅନେକ ଗୁଡ଼ିଏ ପିତୃ ମାତୃ ହୃଦୟ ।

 

ପଶ୍ଚିମ ଆକାଶରେ ସୂର୍ଯ୍ୟଦେବତା ଦୂରରୁ ଦୂରକୁ ଚାଲି ଯାଉଥିଲେ । ଆଉ କେ କାଁ ହୋଇ ମାଳକୁ ମାଳ ପକ୍ଷି ଉଡ଼ିଯାଉଥିଲେ ଦୂରରୁ ଦୂରକୁ । ଆଜି ଅମାବାସ୍ୟ ।

 

ପାଖ ଛତରରୁ ସାହାଯ୍ୟ ଆସିଚି । ପୁଣି ଛତର ଖୋଲିଛି । ଯେଉଁମାନେ ନିଜ କୋଳ ଖାଲିକରି ଛୁଆମାନଙ୍କୁ ଦେଇ ଦେଇଛନ୍ତି ସେମାନଙ୍କ ଆଖିକୁ ନିଦ ନାହିଁ । ପେଟକୁ ଭୋକ ନାହିଁ । କେତେକ ଶଯ୍ୟା ଧରିଲେଣି । ଦି ଦିନ ହେଲା ଚଇ ବାହାରକୁ ବାହାରିନି । ଲଜ୍ଜ୍ୟାରେ । ଭୟରେ । କିଏ ଏଇ ପିଅନବାବୁ । ଇଏକଣ ତାର ଆଦରରେ ହାଡ଼ିଆଇ । ତେବେ ସେ କଣ ତାର ଦେହକୁ ଚାହେଁ ? କାହିଁ ପାଣୁଆ ଥିଲା ବେଳେ ତ ଦିନେ ହେଲା ସେ ତା ଦୁଆରେ ଠିଆ ହୋଇ ନଥିଲା ? ଆଜି କାହିଁକି ତା ପଛରେ ଛାଇପରି ଲାଗିରହିଚି । କଣ ଚାହେଁ ସେ ? ?

 

ନା ଇୟେ ତା ହାଡ଼ିଆ’ଇ ହୋଇ ପାରେନା । ସେ ଏତେ ନିଚକୁ ଯାଇ ପାରେ ନା । ସେ ମହତ୍ । ତା ହୃଦୟ ପ୍ରଶସ୍ତ । ସେତ କାଳମାଟି ଯାଇଚି ?

 

ମନେ ପଡ଼ୁଚି ବାହାଘର ଦିନ କଥା । ବିଦା ବେଳକୁ ଟେଲିଗ୍ରାମ ଆସିଥିଲା । ସରକାରୀ ଟେଲିଗ୍ରାମ । ରେଳ ଦୁର୍ଘଟଣାରେ ହାଡ଼ିଆ ପଡ଼ିଥିଲା ଡାକ୍ତରଖାନାରେ ଖଣ୍ଡିଆ ହାତ...... ।

 

ନା ହେଇ ପାରେନା । ସେ ହାଡ଼ିଆ’ଇର ହୃଦୟକୁ ଭଲଭାବେ ଚିହ୍ନିଚି । ତାର ମମତାମୟ ଆଖିଦିଟା ଏବେବି ତା ଆଖି ଆଗରେ ନାଚୁଚି । ସେ କଣ ଏତେ ନିଚକୁ ଚାଲି ଯାଇ ପାରେ ?

 

ତେବେ ସେ ପିଅନ ବାବୁଟା ଆମ ଛୁଆ ବୋଲି କାହିଁକି କହିଲା ? ମୋ ଛୁଆ ଉପରେ ତାର କି ଅଧିକାର ? ରକ୍ତ ମାଂସ ଦେଇ ଗଢ଼ିଚି । ଏ ରକ୍ତରେ ମିଶିଚି ପାଣୁଆର ରକ୍ତ । କହିଲେ କହିପାରେ ପାଣୁଆର ରକ୍ତ । ସିଏ କିଏ କହିବାକୁ ? ?

 

ଛି ଲୋକେ କଣ ଭାବିଥିବେ । ଆଜି ଗୁଜି ଥାଆନ୍ତା ରାଜ ପ୍ରସାଦରେ । ଗାଈଖୀର ଖାଇ ଦୋଳିରେ ଝୁଲୁ ଥାଆନ୍ତା । ଏ ଅଲେଖେଣା କାହିଁକି ମନାକଲା । ମନାକଲାନିତ ଜୋରରେ ଝିଙ୍କି ନେଲା । ଯେତେବେଳେ ସେ କହିଲା ଆମ ଛୁଆ ବୋଲି ସେ ଅନ୍ୟମାନଙ୍କୁ ଦେଖିଚି । ସମସ୍ତଙ୍କ ଆଖିରେ ପ୍ରଶ୍ନବାଚୀ ।

 

ପୁଣି ଦେଖା ହେଉ ବଢ଼େଇ ଦେବ ଦିପଦ । କଣ କରି ପାଇଲାଣି କି ? ଛାର ପିଅନଟେ...... । ଗୁଜି ଉପରେ ରାଗ ଲାଗିଲା । ପ୍ରଥମ ଦିନ ଏଇ ଗୁଜିଟା ହାତ ବଢ଼ାଇ ତାପାଖୁ ଡେଇଁ ନପଡ଼ି ଥାନ୍ତା ତାହେଲେ ଏତେ କଥା ହେଇଥାନ୍ତା କାହିଁକି ?

 

ସେ ଭୁଲ କରିଚି । କୁଅଁରୀ ଜୀବନରେ ସେ ଭୁଲକରି ରାତି ରାତି କାନ୍ଦିଥିଲା । ପୁଣି ଅଜି ଗୋଟେ ବିରାଟ ଭୁଲ କରିଚି । ଧର୍ମ ଆଗରେ ପାପ କରିଚି । ତାର ଆରାଧ୍ୟ ଦେବତା ପାଣୁଆ ହୁଏତ ସ୍ୱର୍ଗରେ ଥାଇ ହାତଠାରି ଥଟ୍ଟା କରୁଥିବ । ନିଜକୁ ନିଜେ ସମ୍ଭାଳି ପାରିଲାନି । ଛୁଆଟିପରି କାନ୍ଦି ଉଠିଲା ।

 

ବାବୁ ଗଲା ପରଠାରୁ ଆଉ କାମକୁ ଆସେନା ଚଇ । ବିଶେଷତ ପାଦ୍ରୀବାବୁ ଆସିଲାଦିନଠୁ ଚଇ ଆଉ ଦେଖା ଦେଇନି । ଦେହ କଣ ଖରାପ ହେଲାକି ? ନିଜକୁ ଧିକକାରିଲା ହାଡ଼ିଆ । ଟିକେ ଦେଖି ଆସିଥିଲେ କଣ ହେଇଥାନ୍ତା ? ଗୁଜିଟାକୁ ଅନେକ ଦିନରୁ ଦେଖିନି । ତାକୁ ଗୋଟାଏ ଦିନ ନ ଦେଖିଲେ ଯୁଗଟାକୁ ପରି ଲାଗୁଚି । ବାଡ଼ିଖଣ୍ଡ ଧରି ଆସିଲା । ଘରର ତାଟୀଟା ଦିଆ ହୋଇଚି । ଡାକିଲା, ଚଇ ଚଇ ।

 

କିଏ ପିଅନ ବାବୁ ଡାକୁଚି । ଆଜି ତାର ଦିନେ କୁ ମୋର ଦିନେ । ସଫା ସଫା ପଚାରି ଦେବ ସେ ତାର କିଏ । ଭୋଇ ନା ଭଣ୍ଡାରି । ଅନ୍ୟମାନେ ଯେମିତି ସିଏ ସେମିତି । ତା ପାଇଁ ତାର ଏବେ ଭାବନା ! କାହିଁକି ? ଏତେ ପିଲା ଅଛନ୍ତି କାହାକୁ ନଧରି ଏଠିକୁ ଚାଲିଆସେ କାହିଁକି ? ସେ କଣ ଭାବୁଛି ତାକୁ ଏମିତି ବଦନାମ କରିଦେଲେ ଶେଷରେ ସେ ତାକୁ ବାହା ହବ ? ଅସମ୍ଭବ । ସେ ପାଣୁଆର । କେବଳ ପାଣୁଆର । ଏ ଜନ୍ମରେ ସେ କେବଳ ତାର ଏକା । ଆର ଜନ୍ମରେ ପଛେ........ ।

 

ତାର ଆପଣାର ହାଡ଼ିଆଇକୁ ଏତେ କଥା କହିପାରିବି ? ଜିଭ ତାର ଲେଉଟିବ ତ ? ଛି ଏବେ ସେ ଭାବନା କରୁଚି କାହିଁକି ? କେବଳ କଣ ତାର ଆଦ୍ୟ ମଧୁ ଚୁମ୍ୱନକାରୀ ମଧୁପର ନାଁ ହାଡ଼ିଆ ହେଇ ପାରେ ? ଅନ୍ୟ କାହାର ନୁହେଁ । ଏମିତି କେତେତ ହାଡ଼ିଆ ଥାଇ ପାରନ୍ତି । ଆଜି ସେ ପଚାରିବ । ଘର କେଉଁଠି ଇତ୍ୟାଦି ।

 

ତାଟୀଟା ଖୋଲିଲା । ଭିତରକୁ ପ୍ରବେଶ କଳା ହାଡ଼ିଆ ଆଖି ମୁଜି ଶୋଇଚି ଗୁଜି । ଖୁବ ନିଶ୍ଚିନ୍ତରେ । ପାଟିଟିକୁ ପାକୁ ପାକୁ ପାକୁ କରୁଚି । ଶୋଇକି ବୋଧେ ଦୁଧ ଖାଉଥିବାର ସ୍ୱପ୍ନ ଦେଖୁଚି । ଚଇ ପଚାରିଲା, ‘‘ପିଅନ ବାବୁ ?’’

 

ଛୁଆଟାକୁ ସେମିତି ଏକ ଦୃଷ୍ଟିରେ ଚାହିଁ ରହି ଉତ୍ତର ଦେଲା, ‘‘କଣ କହିବୁ ।’’ ‘‘କହିଥିଲୁନା ତୋ ହାତ ଘଟଣା କହିବୁ ବୋଲି । କହୁନୁ ।’’ ଅଭିମାନିଆ ସ୍ୱରରେ କହିଲା ଚଇ ।

 

ହାଡ଼ିଆ ଚାହିଁଲା । ସେ ପାଖ ଝାଟି କାନ୍ଥଟାକୁ ଆଉଜି ବସିଚି ଚଇ । ମୁହଁରେ ଗୋଟେ ଦୁର୍ଦମନୀୟ ଗାମ୍ଭୀର୍ଯ୍ୟ । ହାଡ଼ିଆ ହସିଲା । ମନେ ପକେଇଲା ଗାଁ କଥା । ଏ ଚଇଟା ମୁଳରୁ ଏମିତି ଟିକିଏ ଟିକିଏ କଥାରେ ରାଗ ଫର ଫର । ଦୁଇ ତିନ ଦିନ କଥା କହିବନି । ଏଡ଼ୁଟିଏ ହେଲାଣି ସେ ଢଙ୍ଗ ଯାଇନି । କହିଲା, ପରେ କହିଲେ ଚଳିବ ।

 

ପରେ ପରେ ତ କହି ଏତେ ଦିନ ଗଲାଣି । ଆଉ କେତେ ଦିନ ଯିବ । କାହିଁକି ଆଜି କହିଲେ କଣ କ୍ଷତି ଅଛି । ନାଇଁ, ଯଦି ମୁଁ ଜାଣିଲେ କିଛି କ୍ଷତି ହେବ ତାହେଲେ ନ କୁହ । [ପାଗେଳି ଟାଏ କି ? ଏଥିରେ କ୍ଷତିର ପ୍ରଶ୍ନ କୋଉଠୁ ଉଠୁଚି । କିନ୍ତୁ ଇଏ କାଳିମାଟିର ଘଟଣା ]

 

କାଳାମାଟିର ??? ଚଇ ଚମକି ପଡ଼ିଲା । ହାଡ଼ିଆ ଜାଣେ ଚଇ କିଛି ଜାଣେନା । ତା ପାଇଁ ସେ ପିଅନ ବାବୁ । ସେଦିନ ସେ ତିଆଡ଼ି ଆପଣେ ହାଡ଼ିଆ ବୋଲି ଡାକିଦେଇଥିଲେ ସେକଥା ତାର ମନେ ନାହିଁ । ତେଣୁ କେବଳ ନା ବଦଳେଇ କହିବାକୁ ଲାଗିଲା ।

 

ରକ୍ଷଣଶିଳ ଗାଁ ରାମଚନ୍ଦ୍ର ପୁରରେ ତା ଘର ପାଖର ଗୋଟିଏ ଝିଅକୁ ଭଲ ପାଇଥିଲା ସେ । ତାରିପାଇଁ କାଳିମାଟି ଗଲା କିନ୍ତୁ ଯେତେବେଳେ ତାକୁ ନେଇଯିବା ପାଇଁ ପ୍ରସ୍ତୁତ ହୋଇ ଫେରୁଥିଲା ମନରେ ଅୟୁତ ଇନ୍ଦ୍ରଧନୁ ଆଙ୍କି ରେଳ ଦୁର୍ଘଟାଣାରେ ଏ ହାତଟି କଟି ଯାଇଥିଲା । ତାପରେ ସେ ଗାଁକୁ ଯାଇନି ।

 

ରେଳ ଦୁର୍ଘଟଣା କଥା ଶୁଣି ଚମକି ପଡ଼ିଲା ଚଇ । ତେବେ ସେଇଦିନୁ ହାଡ଼ିଆଇ ଗାଁକୁ ଯାଇନି । ବିଭାଘର କଥା ଶୁଣି ଫେରିଚି । ବାଟରୁ ପଛେ ପଛେ..... । ନିଜର ଭାବକୁ ଗୋପନ ରଖି ପଚାରିଲେ, ସେ ଝିଅଟି ନା କଣ ପିଅନ ବାବୁ ।

 

ଜାଣି ଲାଭ ନାହିଁ ତୋର ।

 

ଲାଭ କ୍ଷତି କଥା ମୁଁ ଜାଣେ । ସବୁଥିରେ କଣ ଲାଭ ଥାଏ ?

 

ତା ନାଁ.......... ।

 

କହୁନୁ । ଲାଜ ଲାଗୁଚି ? ତେବେ ମୁଁ ସିଆଡ଼କୁ ମୁଁହ କରୁଚି ।

 

ତା ନା ଚଇତି ।

 

ଚଇତି ନୁହେଁ ଚଇନି । ରାଗରେ ଗର୍ଜିଉଠିଲା ଚଇନି ।

 

ତୁ କେମିତି ଜାଣିଲୁ ଚଇ ?

 

ଭୁଲେଇବାକୁ ଚେଷ୍ଟା କରନି ହାଡ଼ିଆଇ । ମୁଁ ଛୁଆନୁହେଁ । ତୁ ଏତେ ତଳକୁ ଚାଲିଗଲୁ-? ସେଇ ଦିନୁ ତୁ ଛାଇ ପରି ଲାଗିଚୁ । ମୋର ଭଲ ପାଇବାର ପ୍ରତିଦାନ କଣ ଏଇୟା-? ମାଇଚିଆ ପରି ସିଆଡ଼େ ଲୁଚିଲୁ । ଆଉ ତାଙ୍କ ପରେ ପୁଣି ତୁ ଗୋଡ଼େଇଚୁ ? ଏ ଜନ୍ମରେ ଚଇକୁ ତୁ ପାଇବୁନି ହାଡ଼ିଆଇ । ଏ ଦେହକୁ ତୁ ଛୁଇଁଲା ପୂର୍ବରୁ ଏ ଦେହଟା କୁଆଡ଼େ ଉଭେଇ ଯାଇଥିବ-

 

ଚଇ !!

 

ଚଇ ତୋ ପାଇଁ ମରି ଯାଇଚି ହାଡ଼ିଆଇ । ମୋ ପ୍ରତି ଯଦି ତୋର ଟିକେ ଦୟାଥାଏ ତାହେଲେ ଏଠୁ ଚାଲିଯା । ତୋ ଛାଇ ଯେମିତି ଏ ଘରେ ନ ପଡ଼େ ।

 

ମୋତେ ଭୁଲ ବୁଝନା ଚଇ । ତୋ ହାଡ଼ିଆକୁ ତୁ ଚିହ୍ନିନୁ ?

 

ସେ ହାଡ଼ିଆଇ ଆଉ ନାହିଁ ପିଅନ ବାବୁ । ତାରି ଦେହରେ ଗୋଟେ ଦେହଲୋଭୀ ପଶୁ ଆସି ପଶିଛି । ଚାଲିଯା ଏଠୁ ।

 

ହାଡ଼ିଆ ଆଖିରେ ଲୁହ । କଣ ସେ ଏଇୟା ଚାହିଁଥିଲା ? ତାର ସ୍ନେହ ମମତାକୁ କଣ ଚଇ ଏଇମିତି ଗ୍ରହଣ କଲା ? କାହିଁକି ? ସେତ ସେମିତି କିଛି ଅଘଟଣ ଘଟେଇ ନାହିଁ । ରହୁ ସେ-। ସୁଖରେ ରହୁ । ଶାନ୍ତିରେ ରହୁ । ସେତିକିରେ କଣ ସେ ସନ୍ତୁଷ୍ଟ ନୁହେଁ ? ସେ ଭୁଲ ବୁଝିଲା ବୋଲି କଣ ସେ ରାଗିବ ?

 

ସେ ଦୁଃଖିତ ନୁହେଁ ଚଇ ଦୂରେଇ ଦେଉଚି ବୋଲି । ସେ ଦୁଃଖିତ ନୁହେଁ ଚଇ ତାକୁ ସନ୍ଦେହର ପ୍ରହେଳିକା ମଝିରେ ରଖି ଦୂରେଇ ଦେଉଚି ବୋଲି । ଦୁଃଖ ତାର ଗୁଜି ପାଇଁ । ପିଲାଟାର କି ଦୋଷ । କେତଟା ଦିନରେ କେତେ ମାୟା ମମତା ଲଗେଇ ଦେଇଥିଲା । ତାକୁ ଭୁଲି ରହି ପାରିବ ତ ? ଶେଷଥର ପାଇଁ ଚୁମା ଦେବାକୁ ଝୁଙ୍କି ପଡ଼ିଥିଲା । ଚଇ ପାଟିକଲା ।

 

ବହୁତ ହେଇଚି ହାଡ଼ିଆଇ । ଛୁଆଟାର ସ୍ନେହ ଦେଖାଇ ମୋର ସର୍ବନାଶ କରିବାକୁ ଚେଷ୍ଟା କରୁଥିଲୁ । ପାଣୁଆର ପବିତ୍ର ସ୍ମୃତିରେ ପୁଣି କଳଙ୍କର ଟିକା ଆଙ୍କି ଦେବାକୁ ବସିଛୁ କାହିଁକି-?

 

ହାଡ଼ିଆ ଆଖିରୁ ଠପ୍‍ ଠପ୍‍ ଗଳି ପଇଲା ଦିଠୋପା ତତଲା ଲୁହ । ଅନେକ ଦିନରୁ କାନ୍ଦି ନ ଥିଲା ସେ । ମନ ହେଉଥିଲା ମନ ପୁରେଇ ଥୋଡ଼େ କାନ୍ଦନ୍ତା କି ? ଗୁଜି ଶୋଇଚି । ତାକୁ ଗୋଟେ ଛୋଟ ଚୁମା ଦେବାକୁ ତାର ଅଧିକାର ନାହିଁ । ହାତଟାକୁ ଚାହିଁଲା । କଟା ଖଣ୍ଡେ । ଭଲ ହେଇଚି । ନ ହେଲେ ସେ ବି କାନ୍ଦିଥାନ୍ତା ଧରିବାକୁ । ବାଡ଼ି ଖଣ୍ଡକ ଧରି ବାହାରକୁ ବାହାରି ଆସିଲା ହାଡ଼ିଆ । ତାରି ଗଲା ବାଟକୁ ଚାହିଁ ରହିଲା ଚଇ ।

 

ବାଉରିଆ ଆହାର ଛାଡ଼ିଲାଣି ଘର ପୋଡ଼ି ଦିନୁ । ବାହାରକୁ ଯାଉନି ଆଉ । ସବୁ ଆଡ଼େ ଦେଖୁଚି ନିଆଁ । ଦାଉ ଦାଉ ହୋଇ ଜଳୁଥିଲା ନିଆଁର ଧୂମଶିଖା । ତାରି ଭିତରେ ଯେମିତି ଆତ୍ମପ୍ରକାଶ କରିଚି ମୃତ୍ୟୁର ତାଣ୍ଡବଲୀଳା । ସେଥିରୁ ଯେଉଁ ଗରମ ବାଷ୍ପ ବାହାରୁଚି ସେଥିରେ ତାର ନାକ କାନ ରନ୍ଧି ହୋଇଯାଉଚି । ସେ ସ୍ଵପ୍ନନଟା....... ।

 

କି ବିକଟାଳ ସେ ସ୍ଵପ୍ନ । ରାତି ଅଧ । ଅମାବାସ୍ୟା ତିଥି । ଗହିର ମଝିରେ ତାର ଘରଟା-। ଛୋଟ ଚାଳଘର । ଝିଅଟି ମା କୋଳରେ ଶୋଇଚି । କିଏ ଗୋଟେ କାଳିଆ ଭୁଷୁଣ୍ଡାଟା ନିଆଁ ହୁକାଟାକୁ ଧରି ଦୌଡ଼ିଆସି ମାଡ଼ି ଦେଲା ଘରେ । ହୁ ହୁ ହେଇ ଜଳି ଉଠିଲା ଖୁବ୍ ଉପରକୁ । ବାହାରି ଆସିଲା ସେ । ଅତରଛରେ କମଳା ବି ବାହାରି ଆସିଲା । ଛୁଆଟା କଥା ମନେ ନାହିଁ । ଚାରିଆଡ଼ୁ ନିଆଁ ଧରିଲାଣି । ଆଣିବାକୁ ଉପାୟ ନାହିଁ । କମଳି ପଶିଗଲା ଭିତରକୁ । ଗାଁ ଲୋକମାନେ ଆସିଲେ ସତ କିନ୍ତୁ ପାଣି ମୁନ୍ଦେ କେହି ପକାଇଲେ ନି । କେତେ ମିନତି ନ କଲା ସେ-? ସମସ୍ତେ ଦେଖଣା ହାରି । କମଳି, ଝିଅ ଦୁହେଁ ଭିତରେ ସମାଧି ହେଲେ ।

 

ଚାଉଁକିନା ନିଦ ଭାଙ୍ଗିଗଲା । ଆଗରେ ଚୁଲିଟା ଦାଉ ଦାଉ ହୋଇ ଜଳୁଚି । ତାରି ଭିତରେ କଙ୍କାଳ ଗୁଡ଼ା ହସୁଛନ୍ତି । ଦଳେ ହାତ ଠାରି କହୁଛନ୍ତି, ଦେଖିଲୁ ତ, ଆମ ଖାଇବା ଜିନିଷକୁ ପୋଡ଼ି ଆମ ଛୁଆଙ୍କୁ ଆମଠୁ ଛଡ଼େଇ ନେଲୁ । ଶେଷରେ ତାଙ୍କୁ ଝୁରି ଝୁରି ଆମେ ଚାଲିଲୁ ଆର ପାରିକୁ । ଏବେ କଣ ହେଲା କହ ? ଯାହାପାଇଁ ତୋର ଏତେ, ତାଙ୍କୁ ଆମରିପାଖୁ ନେଇ ଆସିଲୁ-। ରଖି ପାରିଲୁ ତୁ ???

 

ଚିତ୍କାର କରି ଉଠିଲା ବାଉରୀଆ ? ପାଖରେ ଶୋଇଚି ଝିଅଟି । କୋଳରେ ଜାକିଧରି ଅସଂଖ୍ୟ ଚୁମା ଦେଇଗଲା । କି ସ୍ଵପ୍ନ ଦେଖିଲା ସେ । ଡାକିଲା କମଳିକୁ । କମଳି ଅତଡ଼ା ଖାଇଲା ପରି ଚାଲିଆସିଲା ଭିତରକୁ । ବାଉରୀଆ ଆଉଁସି ପକାଇ କହିଲା, ତୋର କିଛି ହେଇନି ତ ?

 

କଣ କହ ?

 

ଦେଖିଲୁ, କୋଉଠି ପୋଡି ଯାଇନି ତ ?

 

ପାଗଳ ହେଇଗଲୁନା କଣ ମ ? ଏମିତି କଣ ହେଉଚୁ ?

 

ପ୍ରକୃତିସ୍ଥ ହେଲା ବାଉରିଆ । ସତରେ ଏମିତି କଣ ହେଉଚି ସେ । ସପନ ଦେଖି ଏମିତି ଛୋଟ ଛୁଆଙ୍କ ପରି କାନ୍ଦି ଉଠୁଚି କାହିଁକି ? ଘରକୁ ସ୍ଵପ୍ନ ଦେଖିଲେ ପରକୁ ହୁଏ । ଏଥିରେ ଭାବିବାର କଣ ଅଛି । ନିଜକୁ ନିଜେ ସାନ୍ତ୍ଵନା ଦେଉଥିଲା ବାଉରି ।

 

ମନ ବୁଝୁନି । ପାଦ୍ରିମନେ ଛୁଆଗୁଡ଼ାଙ୍କୁ ନେଇଗଲା ବେଳର ଦୃଶ୍ୟତାର ମନେପଡ଼ୁଛି । ତାରିପାଇଁ ସେମାନେ ଖାଇବାକୁ ନ ପାଇ ନିଜ କୋଳରୁ ଛୁଆଗୁଡ଼ାଙ୍କୁ ଦେଇଦେଲେ । ମାତ୍ର କୋଡ଼ିଏ ଟଙ୍କା ପାଇଁ ଏତେକ ସେ କରିପାରିଲା ? ଯଦି ସେଇ ଯାଗାରେ ସେ ଥାନ୍ତା ? ?

 

ଭାବିଲେ ମୁଣ୍ଡ ଘାରିହୋଇ ଯାଉଚି । ରାମତିଆଡ଼ି ସେଦିନ ଆହୁରି ପାଞ୍ଚ ଟଙ୍କା ଯାଚୁଥିଲେ । ତାକୁ ସେ ଆଣିନି । ମନସ୍ତାପରେ ଅନ୍ଧାରେ ଅନ୍ଧାରେ ଛପି ଛପି ଚାଲିଆସିଥିଲା ଘରକୁ । ସେଥିର ସେ କଣ ଶାନ୍ତିରେ ରହି ପାରିଚି ??

 

ଯୋଉ କୋଡ଼ିଏଟଙ୍କା ଆଣିଥିଲା; ସେଥିରୁ ସେ ଗୋଟିଏ ପଇସାବି ଖର୍ଚ୍ଚ କରିନି । ଗାଁ ପୁରୋହିତଙ୍କୁ ଦଶଟଙ୍କା ଦେଇ ମହାଦେବଙ୍କ ପାଖେ ପାଣିନାଗି କରେଇଥିଲା । ଆଉ ଦଶଟଙ୍କା ସବୁଦିନ ଘିଅ ବତୀ ବସେଇବାକୁ ଦେଇଚି । ଏସବୁ କଣ ବୃଥା ?

 

ସେଦିନ ପାଇଁ ସେଇ ଲୋକଟା, ଯାହାଠି କାଳିସି ଲାଗନ୍ତି; ବୁଲି ବୁଲି ଆସିଥିଲା ତା ଘରକୁ । ଝୁଣା ଧୂପରେ ସ୍ଵାଗତ ଜଣେଇଥିଲା ତାକୁ । ତାଙ୍କରି ନିର୍ଦ୍ଦେଶରେ ମଝିଶିକାରୁ ଗୁଆ ଘିଅ ସେରକ ଆଣି ଭେଟି ଦେଇଥିଲା । କିନ୍ତୁ ସେ କଣ କହିଲେ ଆଜିବି ତା ମୁଣ୍ଡରେ ପଶିନି । କହିଲେ, ଶୀଘ୍ର ପୁଲିସ୍ ଆଗରେ କହି ସେମାନଙ୍କୁ ବନ୍ଧାଇ ଦେ । ନୋହିଲେ ତୋର ବଂଶ ନିପାତ କରିବି ।

 

ସେଇ ଦିନଠୁ ସେ ସ୍ଥିର ହୋଇ ରହି ପାରୁନି । ସବୁ ବେଳେ ସେଇ ଘଟଣା ଆଖିରେ ନାଚୁଚି । ଡାକିଲା କମଳିକୁ । ଥରିଲା ପାଦରେ ପହଞ୍ଚିଲା । ପଚାରିଲା, ସେ ଡାକିଲ ?

 

ହଁ ଏଇଠି ବସ । ଅନେକ କଥା କହିବି ।

 

କମଳି ଶଙ୍କିଗଲା । କଣ ଏଡ଼େ ଗୁପ୍ତ କଥା । ବାଉରୀଆ କହେ ରାଜା ଆଗରେ ସତ କହି ମୁଣ୍ଡକାଟ କରେଇବି ପଛେ ସ୍ତ୍ରୀ ଆଗରେ ସତ କହିବନି । ପୁଣି ଆଜି ଏକ ନୂଆ ଢଙ୍ଗ । କଣ ଭୁତ ଲାଗିଲେ ଆଉ ।

 

ଛତରରେ ଘର ପୋଡ଼ି ଯାଇଥିଲା ଜାଣୁ ? କେତେ ଭୋକିଲା ଆଖିରେ ନିଆଁ ଗେଞ୍ଜି ଜଣେ ଅଦୃଶ୍ୟ ହୋଇ ଯାଇଥିଲା । ସେ କିଏ ଜାଣୁ ?? ମୁଁ ସବୁ କରିଚି ?

 

ପାଟିରେ ହାତ ଦେଇ ଦେଲା କମଳି । କିଏ ଶୁଣିବ । ପୋଲିସ ଘନ ଘନ ଦୌଡ଼ୁଛି । ଏକଥା ଯଦି ଶୁଣି ଯାଏ.... !

 

ତୁ ବ୍ୟସ୍ତ ହନା । ମୁଁ ତୋ ପାଇଁ ସବୁ ବନ୍ଦୋବସ୍ତ କରି ଦେଇଚି । ଯଦି କିଛି ନ ମିଳେ ଆତ୍ମହତ୍ୟା କରିଦେବୁ ପଛେ ଛତରକୁ ଯିବୁନି । ସେ ବାବୁଟା..... ।

 

କମଳି ବୋକା ପାଲଟି ଯାଇଥିଲା । ଇଏ କଣ କହୁଚି ବାଉରିଆ । ଯିଏ ଦିନେ ଛତରକୁ ଯିବାକୁ କାପୁରୁଷତା ବୋଲି ଘୃଣା କରୁଥିଲା ସେ ପୁଣି ଆଜି ଏକଥା କହୁଚି ? କାନକୁ ବିଶ୍ଵାସ କରି ପାରୁନଥିଲା । ମୁଣ୍ଡ ଖରାପ ହୋଇଗଲାନା କଣ ? ହଲେଇ ଦେଇ କହିଲା, ହୋସରେ ଅଛଟି ? ଏମିତି କଣ ହଉଚ କହିଲ । ଏମିତି ହେଲେ ମୁଣ୍ଡ ପିଟି ଦେବି ଜାଣିଥା ।

 

କମଳିର ଭାରି ବିଶ୍ଵାସ ତାର ଅଭିମାନରେ ବାଉରିଆ ତରଳି ଯିବ । ଏମିତି କେତେ କଥା ହାସଲ କରିଚି ସେ । କିନ୍ତୁ ଆଜି ଇୟେକଣ ? ବାଉରିଆ କେମିତି ବେ ବାଗିଆ କରି ହସୁଚି-। ଉଠିଛିଡ଼ା ହେଲା । ଗାମୁଛା ଖଣ୍ଡ କାନ୍ଧରେ ପକାଇ ବାହାରିଲା । କମଳି ଆଗରେ ବାଟ ଛକି କହିଲା, ତୁମେ ଯାହାକୁହ ପଛେ ମୁଁ ତୁମକୁ ଆଜି ଛାଡ଼ିବିନି । ଆମର କୋଉଠିକି ଯିବା ଦରକାର ନାହିଁ । ଯେତିକି ଅଛି ସେତିକିରେ ଚଳିବା ପଛେ ।

 

ବାଉରିଆ ହସିଲା । କମଳି ଭାବିଚି ରୋଜଗାର କରିବାକୁ ବୋଧେ ବାହାରିଚି ସେ । ଜୀବନରେ ବହୁତ କମେଇଚି । ଆଉ କଣ ବା କମେଇବ ? ସବୁ ଶେଷ ହୋଇଚି । ପାପର ପ୍ରାୟଶ୍ଚିତ କରି ହେଲେ ବାକି ଜୀବନ ତକ କଟେଇବ ।

 

ଛାଡ଼ କମଳି ମୋତେ ତୁ ଓଗାଳ ନା ।

 

କୁଆଡ଼େ ନ କହିଲେ ମୁଁ ଛାଡ଼ିବିନି ।

 

ରୋଜଗାର ପାଇଁ ନୁହେଁ କମଳି, ପ୍ରାୟଶ୍ଚିତ ପାଇଁ ।

 

ପ୍ରାୟଶ୍ଚିତ ପାଇଁ..... ।

 

ହଁ କମଳି କେତେଦିନ ଆଉ ପାପଭାରା ମୁଣ୍ଡେଇ ବସିବି । ଦେଖୁନୁ ସେ କଙ୍କାଳଗୁଡ଼ା କେମିତି ଠକ୍ ଠକ୍ ଗଡ଼ି ପଡ଼ୁଛନ୍ତି । କହିଲୁ ଏତେ ଲୋକଙ୍କୁ ଖୁନ କରି ମୁଁ ବସି ପାରିବି ? ଏଇନେ ନଗଲେ ସେ ତିନିହେଁ ଆଉ କେତେଙ୍କୁ ମାରି ଦେବେଯେ । ଉତ୍ତର ପାଖ ଗଛମୂଳେ ପୋତା ଘୁମରେ ଯେତିକି ଅଛି ସେତିକି ଅଛି ସେତିକି ତୋର ଚଳି ଯିବ ସେତକ । ଜେଲରୁ ପ୍ରାୟଶ୍ଚିତ କରି ଫେରିଲା ପରେ ଯଦି ତୁ ଥାଉ ପୁଣି ନୂଆ ସଂସାର ଗଢ଼ିବା ।

 

କମଳି ଆଉ ବେଶି ଶୁଣି ପାରି ନ ଥିଲା । ଗୋଡ଼ତଳେ କଚାଡ଼ି ହୋଇ ବେହୋସ ହୋଇ ପଡ଼ିଥିଲା ।

 

ଟିକେ ଦୂରରେ ମସିଣାଟାରେ ଶୋଇଚି ଝିଅ । ଝିଅଟିକୁ ଉଠେଇ ନେଇ ଶୁଆଇଦେଲା ପାଖରେ । କବାଟକୁ ଆଉଜେଇ ଆଣି ଭଗବାନଙ୍କ ନାଁରେ ମୁଣ୍ଡିଆ ମାରି ଚାଲିଯାଉଥିଲା ବିବେକର ଆହ୍ଵାନରେ ଟିକେ ଶାନ୍ତି ପାଇଁ । ପଛରେ ପଡ଼ିରହିଥିଲା ନିଜ ଝାଳ ତିଆରି ଛପର ଘର ଖଣ୍ଡିକ ଆଉ ରକ୍ତ ମାଂସ ଗଢ଼ା ଝିଅଟି ।

 

ଅନ୍ୟ ଦିନ ପରି ଆଜି ସନ୍ଧ୍ୟାବେଳ ବି ତ୍ରିଶକ୍ତିଙ୍କର ଆସର ବସିଚି । ଅନ୍ୟଥରଠୁ ଏଥର ଟିକିଏ ସ୍ଵତନ୍ତ୍ର । ତିଆଡ଼ିଙ୍କ ଛଡ଼ା ଅନ୍ୟ କାହା ମୁହଁରେ ହସ ନାହିଁ । ସତେ ଯେମିତି କୋଉ ମହାଜନ ନାଲିସ୍ କରି ସେ ଦେଇଥିବା ହସତକ ଫେରେଇ ନେଇଚି ତାର ଗନ୍ତା ଘରକୁ । ପ୍ରଥମେ ତିଆଡ଼ି ଆରମ୍ଭ କଲେ, କିରେ ପାଣୁ ଏମିତି ଚୁପ୍ ହେଇ ବସିଲ କାହିଁକି ? କାହିଁକି ଡାକିଥିଲ କହୁନ କାହିଁକି-?

 

ପାଣୁ ମିଶ୍ରେ ଗୋବିନ୍ଦ ପ୍ରଧାନେ ପରସ୍ପରକୁ ଚାହାଁ ଚାହିଁ ହେଲେ । କିଏ କହିବ । ବିଲେଇ ବେକରେ କିଏ ଘଣ୍ଟି ବାନ୍ଧିବ । ଘଣ୍ଟି ବନ୍ଧା ତ ଦୂରର କଥା ଆଗକୁ ଗଲେତ ?

 

ଏଥର ତିଆଡ଼ି ମୁରବି ପଣିଆ ଦେଖେଇ କହିଲେ, କିରେ ଗୋବିନ୍ଦ କହୁନୁ, କଥା କଣ-?

 

ଛେପ ଢୋକିଲେ ଗୋବିନ୍ଦ ପ୍ରଧାନେ । ମିଶ୍ରେ ତାଙ୍କ ଜାତିଭାଇ ଏଇନେ ନ କହିଲେ ପଛେ କହିଦେଇ ଭାଗ ପାଇ ପାରନ୍ତି । କିନ୍ତୁ ସେ..... । ଯଦି ଭାଗ ନ ପାଆନ୍ତି ପୁଅ କଟକ ଯିବ କେମିତି ? ଆଉ ସାତ ପ୍ରାଣୀ କୁଟୁମ୍ୱ...... । ଅଗତ୍ୟା ଖୋଲିବାକୁ ବାଧ୍ୟ ହେଲେ । କଣ କି କକେଇ ସେଇ ଯୋଉ ଗୁଣ୍ଡ ଦୁଧ ପଠେଇ ନଥିଲେ, ସେ ଟଙ୍କା ତ ଆମେ ପାଇଲୁନି କି ସେ ଯେଉଁ ଦୁଇଶହ ବସ୍ତା ଚାଉଳ କଲିକତା ପଠେଇଥିଲୁ ସେକଥା ବି କୁଆଡ଼େ କଣ ହେଲା କିଛି ଜଣା ଗଲାନି ?

 

କଟମଟ କି ଅନେଇଲେ ରାମ ତିଆଡ଼ି । ଗୋବିନ୍ଦ ପ୍ରଧାନ ଆଜି ତାଙ୍କୁ ପ୍ରଶ୍ନ କରୁଚି ଭାଗ କଥା । ଦିନେ ଷ୍ଟେସନର ବାର ବୁଲାଟାକୁ ଆଣି କୁଳରେ ଲଗେଇ ଦେଇଥିଲେ । ସେ ପୁଣି ଆଜି ବାଘ ହେଇ ତାଙ୍କୁ ଖାଇବାକୁ ବସିଲାଣି ? ଯେତେବେଳେ ମୁନ୍ଦେ ମନ୍ତ୍ରପାଣି ଛିଞ୍ଚି ଦେଲେ “ପୁନଃମୂଷିକ ଭବ” ହେଇଯିବ ସେତେବେଳେ ବାପକୁ ମଉସା ବୋଲି ଭାବୁଥିବ ଯେ ।

 

ମିଶ୍ରେ ସେମିତି ମୁଣ୍ଡକୁ ତଳକୁ ପୋତି ବସିଛନ୍ତି । ସେଇ ହେଉଛନ୍ତି ନୁଆଣିଆ । ସେଇଠି ବିଧାଏ ପକାଇଲେ ବାକିସବୁ ଠିକ୍ ରାସ୍ତାକୁ ଆସିଯିବ । ପଚାରିଲେ, ତୁ କଣ କହୁଚୁ ପାଣୁ-? ସେମିତି ମୁଣ୍ଡପୋତି ଗୋଡ଼ ନଖରେ ଗାର ଟାଣୁ ଟାଣୁ ମିଶ୍ରେ କହିଲେ, ମୁଁ କଣ କହୁଥିଲିକି କକେଇ ଯେତେଦିନ ଗଡ଼ୁଥିବ ସେତେ ଅଳିଆ ହେଉଥିବ । ସବୁ ଆସ୍ତେ ଆସ୍ତେ ହିସାବ ନିକାସ କରିଦେଲେ ଯାଏ । ତିଆଡ଼ି ଅବାକ୍ ହେଲେ । ପାଣୁ ଏତେ କଥା କହି ଜାଣିଲା କେମିତି ? କୋଉଠୁ ଶିଖିଲା ଏତେ କଥା ? କାଲି କାନ ମୋଡ଼ିଲେ କଥା ବାହାରୁ ନଥିଲା ଆଉ ଆଜି..... । ଟଙ୍କା ମୋହ ଲାଗିଲାଣି ଯେତେବେଳେ ସହଜେ ଛାଡ଼ୁଛି କେତେକେ ? ଆଉ ଚପେଇ ରଖି ଲାଭ ନାହିଁ । ବରଂ କିଛି କିଛି ଦେଇ ମୁହଁ ବନ୍ଦ କରି ଦେଲେ କଥା ଛିଣ୍ଡେ । ଆଉ କଥା ଥିବନା କହିବେ ।

 

ତିଆଡ଼ି ଆପଣେ ହସିଲେ । କହିଲେ, ଆରେ ଏଇ କଥା ମୋତେ ଘରେ କହି ଦେଇଥାନ୍ତୁ ଆଉ ଏଠିକି କାହିଁକି ଘୋଷାଡ଼ି ଆଣିଲୁ । ଏଠିପରା କାନ୍ଥର କାନ ଅଛି । ଯଦି କିଏ ଶୁଣି ନିଏ ତେବେ ପାଇଟି ସରିଲାରେ ବାପ ।

 

ମୁଁ କଣ ଆସୁଥିଲିକି । ଏଇ ପ୍ରଧାନେ କହିଲାରୁ ନା........ ?

 

ହଇଏ ମିଶ୍ରେ କେଡ଼େ ମିଛ କହୁଚ ? ଗୀତା ଛୁଇଁ ଶପଥ କଲ ।

 

ତିଆଡ଼ି ଆପଣେ ହସୁଥିଲେ । ଛୁଆଳିଆ ଢଙ୍ଗ ଛାଡ଼ିନି ଏମାନଙ୍କର । ଏମାନେ ପୁଣି ଆସୁଛନ୍ତି ତିଆଡ଼ି ସାଥିରେ ଟକର ଦେବାକୁ ? ମନ ନେବାକୁ କହିଲେ, ହଉ ଭଲ ହେଲା ଆସିଲ ଟିକେ ଗପ ସପ ହେଲେ । ହିସାବ ନିକାସ ହୋଇଗଲେ ତୁମ ମନ ନିର୍ମଳ ଆମ ମନ ନିର୍ମଳ । ଟଙ୍କା ପଇସା କଥାଟି । ସେଇଥିପାଇଁ ଆମେ ଆସିଥିଲୁ ନା । ଆମର କଣ ଟଙ୍କା ବୁଡ଼ି ଯାଉଥିଲା । ଆପଣଙ୍କ ପାଖରେ ରହିବା ଯା’ ଆମ ପାଖରେ ରହିବା ତା’ । ହିସାବ ପତ୍ର ସରିଲେ କାମ ଶେଷ । ହସି ହସି କହିଲେ ପ୍ରଧାନେ ।

 

ସମୁଦାୟ କେତେ ଟଙ୍କା ହୋଇଥିଲା କି ?

 

“ମିଶ୍ରେ ହିସାବ ଦେଖିଲ”, କହୁଣିଟେ ମାରି ପ୍ରଧାନେ କହିଲେ ।

 

ମଳିଚିଆ ଖୋଳ ଭିତରେ ହାତ ପୁରାଇ ଅଳିଆ କାଗଜ ବାହାର କଲେ । ଖଣ୍ଡିଆ ଚଷମାଟା ଲଗେଇ ଖୋଜି ଖୋଜି ବାହାର କଲେ କେତେ ଗୁଡ଼ାଏ ରସିଦ୍ । ହିସାବ କଲେ । ପାହି ପାହି ହିସାବ । ସମୁଦାୟ ଦଶହଜାର ଟଙ୍କା ।

 

କିରେ ଖର୍ଚ୍ଚ ଗଲା କେତେ ?

 

“ଏଇ ପାଞ୍ଚଶହ ଟଙ୍କା ଭିତରେ”, ପ୍ରଧାନେ କହିଲେ ।

 

ରାଗିଉଠିଲେ ତିଆଡ଼ି ଆପଣେ । ଖର୍ଚ୍ଚ ଜମା ପାଞ୍ଚଶହ ଟଙ୍କା କହିଲେ ହିସାବ ରଖିଚ ?

 

କେତେଟା ଟଙ୍କା ଯେ....... ।

 

ପୁଅ ମନେ ମନେ ମକୁନ୍ଦି ଉଖୁଡ଼ା ଖାଉଛି । ହଇରେ କୁଆଡ଼େତ ଟଙ୍କା ଗଲାଣି ଯେ ଜମା ଆଠହଜାର ଟଙ୍କା ଅଛି । ଆଉ ତୁମେ ବାଲିଙ୍ଗି କଣ କାଢ଼ୁଚ ? ଅବିଶ୍ଵାସ ହେଉଚି ?

 

ନାଇଁମ ଅବିଶ୍ଵାସ ନୁହେଁ ଯେ......ହେଇଥିବ । ତେବେ କେତେ ଭାଗ ପଡ଼ିବ କହିଲନି ତ ? ଆଉ ସେ ପାଦ୍ରୀଙ୍କଠଉ ପିଲା ଯୋଗାଡ଼ କରିଦେଇ ଯୋଉ ଦୁଇଶହ ଟଙ୍କା ନେଇଥିଲେ.....-?

 

ତିଆଡ଼ି ଆପଣେ ଚିଡ଼ି ଉଠିଲେ । ଏଗୁଡ଼ା ସବୁ ମନେରଖିଛନ୍ତି କେମିତି ? ଚିଡ଼ି ଉଠିଲେ, କିରେ ଚାରିଆଡ଼କୁ ତ ଲୋଭ । ସେ ଟଙ୍କାରେ କାହିଁକି ଆଖି ପଡ଼ୁଚି ? ମୁଁ ପାଟିକଲି ପିଲା ଯୋଗାଡ଼ କଲି । ଟଙ୍କା ପାଇଲି ତୁମର କଣ ଅଛି ? ପୁଲିସ୍ ବର୍ତ୍ତମାନ ଆରେଷ୍ଟ କଲେ ତୁମେ ପିଠିରେ ପଡ଼ିବ ?

 

“ଆମେ ପଡ଼ିବୁ ତିଆଡ଼ି ଆପଣେ”, କହି କହି ଭିତରକୁ ପ୍ରବେଶ କରୁଥିଲେ ପୋଲିସ୍ ଦଳ । ସାଥିରେ ବାଉରୀ । ଗୋଟି ଗୋଟିକରି ଚିହ୍ନେଇ ଦେଉ ଥିଲା ସେ । ନିଜ ସପକ୍ଷରେ ନାନା ଯୁକ୍ତି କରୁଥିଲେ ମଧ୍ୟ ରକ୍ଷା ପାଇ ନଥିଲେ ତିନିହେଁ । ବିଚାରାଳୟରେ ବିଚାରର ସାନ୍ତ୍ଵନା ଦେଇ ନେଇ ଯାଇଥିଲେ ଥାନାକୁ । ହାତରେ କଡ଼ି ଅଣ୍ଟାରେ ଦୌଡ଼ି ଦେଇ ରାସ୍ତା ମଝିରେ ନେଇ ଯାଉଥିଲା ବେଳେ ଆହତ ସିଂହ ପରି ଗର୍ଜନ ଛାଡ଼ୁଥିଲେ ମଧ୍ୟ ପରାସ୍ତ ସୈନିକ ପରି ମୁହଁ ତଳକୁ କରି ଚାଲିଥିଲେ ମଝି ଦାଣ୍ଡରେ ।

 

ରାତିଟା ଆହୁରି ଗଭୀର ହେଉଥିଲା ।

 

ଝିଙ୍କାରୀର ଶବ୍ଦ ସେଇ ଗଭୀରତାକୁ ଏକ ସନ୍ତାନହରା ଆକୁଳିତା ଜନନୀର ଚାପା କ୍ରନ୍ଦନ ଭଳି ଏକ ମର୍ମନ୍ତୁଦ କରୁଣତାରେ ଭରିଦେଉଥିଲା ।

 

ଆଶ୍ଵସ୍ତିରେ ନିଶ୍ଵାସ ମାରିଲେ ବାବୁ । ତାଙ୍କର ସମସ୍ତ କଳଙ୍କ ଲିଭି ଯାଇଚି । ରାମ ତିଆଡ଼ି ଯାଇଛନ୍ତି, ପାଣୁ ମିଶ୍ରେ; ଗୋବିନ୍ଦ ପ୍ରଧାନ ବି ତାଙ୍କରି ପଥ ଅନୁସରଣ କରିଛନ୍ତି । ବାକି ଅଛି ହାଡ଼ିଆ । ଏଇଟାକୁ ନିକାଲି ଦେଲା ପରେ ଆଉ କିଏ ଅଛି ତାଙ୍କର କଳଙ୍କକୁ ପଦାରେ ପକାଇ ଦେବାକୁ । ଇୟାପରେ ସେ ହେବେ ସୁନାପୁଅ । ଚନ୍ଦ୍ର ସୂର୍ଯ୍ୟଙ୍କର କଳଙ୍କ ଥାଇପାରେ କିନ୍ତୁ ସେ ନିଷ୍କଳଙ୍କ ।

 

ପାଣି କାଢ଼ୁଚି ଚଇ । ମାଉଁସ ଟିକେ ଦେହରେ ଲାଗିଲାଣି ପୁଣି ସେଇ ଚମ୍ପା କଢ଼ିର ରୂପ ଉକୁଟିବାକୁ ଆରମ୍ଭ କଲାଣି । କିଏ କହିବ ଦିନେ ଏଇ ତଳ ହନୁହାଡ଼ ଦେଖାଇ ଛାତିର କଙ୍କାଳ ଗୁଡ଼ାକୁ ଫୁଲାଇ ଦିନେ ତାଙ୍କରି ଦୁଆରେ ଗୋଡ଼ ଭାଙ୍ଗୁଥିଲା ବୋଲି ?

 

ଘରଗୋଟାକର ହାନି ଲାଭ ବୁଝୁଚି ସେ । ବାବୁ ଅତି ବିଶ୍ଵାସରେ ଘରର ସବୁ ଚାବିକାଠି ଧରାଇ ଦେଇଛନ୍ତି ଚଇକୁ । ହେଲେ ଝିଅଟା ଟିକେ ବେବାଗିଆ । ଚମ୍ପା ଗୋରି ପରି ଏତେ ଚଞ୍ଚଳ ମିଶିପାରେନା । ଭଲ ଜିନିଷରେ ତାର ଘୃଣା । ଯାଚିଲା ଧନ ଠେଲିଦିଏ । ନିଜକୁ ନେଇ ତାର ଭାରି ଗର୍ବ । କେତେଦିନ ଏମିତି ନିଆଁ ପାଖରେ ଘିଅ ନତରଳି ରହିବ ???

 

ବାବୁ ଅନେଇଛନ୍ତି ତାକୁ । ଲାଜେଇ ଗଲା ନିଜକୁ ନିଜେ । କାହିଁକି ଆଜି ଏଇ ନାଲି ଶାଢ଼ି ଖଣ୍ଡ ପିନ୍ଧିଲା ? ଏଇ ନାଲି ରଙ୍ଗଟାକୁ କାହିଁକି ସେ ଭାରି ଭଲ ପାଏ । ଏଇ ନାଲିରଙ୍ଗ ଶାଢ଼ି ଭିତରେ ଲୁଚି ରହିଥାଏ ଅନେକ ସ୍ମୃତି ।

 

ମାଣବସା ଗୁରୁବାର । ଚାଷି ମୁଲିଆର ବଡ଼ ଦିନ । ବା ତାର ଆଗରୁ ତାଗିଦ୍ କରିଥାଏ ସକାଳୁ ଯେମିତି ଲିପାପୋଛା ସରେ । ତାପରେ ଖଳାରେ ରନ୍ଧା ଯିବ । ଖିରୀ ଖେଚେଡ଼ି, ତରକାରୀ....... । ଏଇତ ଗୋଟାଏ ଦିନ । ମାଗିଯାଚି ଗୋଟାଏ ଦିନ ଖାଇବା କଥା । ଚଇବୋଉ ନାହିଁ ନାହିଁ କହୁଥିଲେ ବି ବା କୁସୁତିଆ ହାଟରୁ ଦୁଇଟା ଲୁଗା ଆଣିଥିଲା । ଗୋଟେ ନେଳି । ଆରଟା ନାଲି । ବୋଉ ତାର ନେଳିଟାକୁ ନେଇ କହିଦେଇ ଗଲା ନାଲିଟା ପିନ୍ଧିବାକୁ ।

 

ରୋଷେଇ ସରିଲା । ଲକ୍ଷ୍ମୀମାକୁ ପୂଜାଦେଇ ଖାଇ ବସିଲେ ବାପା ମା ଝିଅ ଏକା ବେଳକେ । ଖିଆ ସରିଲା । ଘରେ ପାଣି ନାହିଁ । ନଈରୁ ଆଣିବାକୁ ହେବ । ମୁଣ୍ଡଟାକୁ ଭଲକରି ବାନ୍ଧିଦେଇ ଗରା ଧରି ବାହାରିଲା ପାଣି ପାଇଁ । ସେଦିନ ସୁଲି ବେଙ୍ଗିକୁ ଡାକିଥିଲା । ସମସ୍ତଙ୍କ ଠାରୁ ନାସ୍ତିବାଣୀ । ଏକା ଯାଇଥିଲା । ବୋଉର ତାଗିଦ୍ ସହଳ ସହଳ ଚାଲିଆସିବୁ ।

 

ଗୋଟେ ମାଠିଆ ବୁଡ଼େଇଚି କି ନାଇଁ ଛୋଟ ଟେକାଟିଏ ମୁଣ୍ଡରେ ବାଜିଲା । ଚାହିଁଲା ଚାରିଆଡ଼କୁ । କେହି ନାହିଁ । କାଉ କି କୋଇଲି ବୋଧେ ପକେଇ ଦେଇଥିବ । ପୁଣି ଗୋଟିଏ ମାଠିଆ ବୁଡ଼େଇଲା ।

 

ଛୋଟ ଟେକାଟିଏ ପୁଣି ବାଜିଲା ମୁଣ୍ଡରେ । ଚାହିଁଲା । କେହି ନାହିଁ ବାଡ଼ିଖିଆ ଯୋଗଣିଖିଆ କରି ବହୁତ ଶୋଧିଥିଲା ମନପୁରେଇ ସେ । ଗଛ ସନ୍ଦିରୁ ବାହାରି ଆସିଲା ହାଡ଼ିଆ । ତାର ଜୀବନର ହାଡ଼ିଆ । ଜିଭ କାମୁଡ଼ି ପକେଇଲା । କାହାକୁ କଣ କହିଲା ସେ । ତାର ମରଣ ହେଉନି ।

 

ନିଜକୁ ନିଜେ ଭର୍ତ୍ସନା କରିବାକୁ ଲାଗିଲା ଚଇ । ପାଖକୁ ଲାଗି ଆସିଲା ହାଡ଼ିଆ । କଥା ନାଇଁ ବାର୍ତ୍ତା ନାଇଁ ସେମିତି ଡବ ଡବ କରି ଚାହିଁ ରହିଲା ଚଇକୁ । ଲାଜେଇ ଗଲା, ଡର ବି ମାଡ଼ିଲା-। କିଏ ଦେଖି ନବନି ତ ? କଥାଟାକୁ ଛିଣ୍ଡେଇ ଦେବାକୁ କହିଲା, କଣ ଏତେ ଦେଖୁଚୁମ ଆଗରୁ କଣ ଦେଖୁନଥିଲୁ କି ?

 

ସବୁଦିନ କଣ ସମାନ ଥାଏ । ମନେକର ଯେତେବେଳେ ଆମେ ପିଲା ଥିଲୁ ତୁ ଆସୁଥିଲୁ । ଡାକୁଥିଲୁ । କୋଳି ଖାଇବାକୁ ଯାଉଥିଲେ । କିଏ କଣ କହୁଥିଲା, ନା ତୁ ଏମିତି ତର ତର ହେଇ ଯାଉଥିଲୁ ସବୁଦିନ ଦେଖୁଥିଲି କିନ୍ତୁ ଆଜି ଦେଖୁଚି ନୂଆ ରୂପରେ । ନାଲି ଶାଢ଼ିଟା କେଡ଼େ ସୁନ୍ଦର ଦିଶୁଚି ମ ? ଠିକ୍ ଗୋଟେ ନାଲିକଇଁ ଭଳି ଆଉ....... ।

 

ଲୁଗାଟାକୁ ଦାନ୍ତରେ କାମୁଡ଼ି କାମୁଡ଼ି ଆନନ୍ଦର ସୁରା ପିଇ ଯାଉଥିଲା । ଦୁନିଆରେ କଣ ଅଛି । ଏମିତି ବିପଦ କଥାଶୁଣିଲେ ତ ମନ ପୁରି ଯାଉଚି ଆଉ ଯେତେବେଳେ ହାଡ଼ିଆଟା ସବୁଦିନ ପାଇଁ ଯା’ ପାଖରେ ଥିବନା..... ? କେଡ଼େ ମଜା ନହେବ ସତେ ? ତା ଠୁ ଆଉ କିଏ କଣ ଭାଗ୍ୟବାନ ଅଛି ? ହସି ହସି କହିଥିଲା, ଦେଖ୍ ହାଡ଼ିଆଇ ମୋ ସାଥିରେ ତୁ ଏମିତି ଆଉ ଲଗାନା ଭଲରେ ଯଦି ବାଟ ଛାଡ଼ିବୁ ଛାଡ଼ ନହେଲେ ପାଟି କରି ଡାକିବି ।

 

କେଡ଼େ ଉପକାର ବନ୍ଧୁଟେ ମ ମୋର । ଡାକ୍ ଡାକ୍ ଭଲରେ ଡାକ୍ ସମସ୍ତେ ଆସି ଦେଖନ୍ତୁ ଯମୁନା କୂଳରେ ରାଧା କୃଷ୍ଣ କେମିତି କେଳି ରଚନା କରିଛନ୍ତି ।

 

ଉଠୁଚୁନା ଡାକିବି ।

 

ଛି ଛି ଏଡ଼େ ସହଜ କଥାଟାକୁ ହାତରୁ ଛାଡ଼ିବି । ତୁ ବୁଝୁନୁ ଚଇ ଯଦି ଡାକନ୍ତୁ ନା କେତେ ଉପକାର ଟାଏ କରନ୍ତୁ କହିଲୁ । ସମସ୍ତେ ଆସନ୍ତେ, ଦେଖନ୍ତେ, ମତେ ଆଉ କହିବାକୁ ପଡ଼ନ୍ତା ନି ।

 

କଥାରେ କିଏ ପାରିବ ହାଡ଼ିଆ’ଇକୁ । ଯାତ୍ରାରେ ଥିଲା କି ନା ସେଇଥି ସକାଶେ ଏଡ଼େ ଏଡ଼େ କଥା କହୁଚି ନ ହେଲେ........ । ହାତ ଗଣ୍ଠି ପରେ ହାଡ଼ିଆଇକୁ କାନିରେ ବାନ୍ଧିରଖିବ । ମସ୍ତ କରି ଗୋଟେ ଗଣ୍ଠି ପକାଇ । କାଳେ ଉଠି ଯିବେ ଯେ । ଏମିତି ଏଇ ନଈକୂଳକୁ ଦୁହେଁ ଆସିବେ । ହାଡ଼ିଆଇ କଥା କହୁଥିବ ସେ ଶୁଣୁଥିବ । ଏମିତି କେତେ କଥା....... ।

 

ଚଇ ସେମିତି ଛିଡ଼ା ହୋଇ ଆକାଶ ପାତଳ ଭାବୁଚି । ମଉକା ଦେଖି ହାଡ଼ିଆ କହିଲା, କିଲୋ ମତେ ତ କହୁଥିଲୁ ଆଉ ନିଜେ କଣ ଭାବୁଚୁ ମ ? କୁଆଡ଼େ ହଜିଗଲୁ କି ? ଉଚ୍ଛନ୍ନ ହଉଥିଲୁ ଯିବାକୁ ପରା, ଯାଉନୁ । କିଏ ରଖୁଚି କି ?

 

ଯିବିନାହିଁ ଆଉ କଣ ରହିବି ?

 

ଚାଲିଯାଉଥିଲା ଚଇ । କାନିଟାକୁ ଭିଡ଼ି ଧରିଲା ହାଡ଼ିଆ ।

 

ସତରେ ଚାଲିଯାଉଛୁ ଚଇ ।

 

ନା ମିଛରେ । କଣ କହିବାକୁ ବାକି ରହିଗଲା କି ?

 

କଥା କଣ ସରିବ ? ସେ ପରା ଅସରନ୍ତି ଭଣ୍ଡାର । କାଲି ଆସିବୁଟି ?

 

ଦେଖ୍ ହାଡ଼ିଆଇ ସେ କଥା କହିପାରିବିନି । କିନ୍ତୁ ଚେଷ୍ଟା କରିବି । ଏଇ ନାଲି ଶାଢ଼ି କାହିଁକି ମୋର ଆଉକଣ ଶାଢ଼ି ନାହିଁକି ?

 

କୌଣସିଟା ଚଳିବ ନି । ଖାଲି ଏଇ ନାଲିଟା । ମନେରହିଲା ??

 

ହସି ହସି ଚାଲିଗଲା ହାଡ଼ିଆ । ଗୋଠ ଆଡ଼େ । ଓଲେଇ ଗାଈଟା କାହା ବାରିରେ ପଶିଲାଣି । ଚଇ ଚାହିଁଥିଲା ତାର ଗଲା ପଥକୁ । ଛୁଆଳିଆ ଢଙ୍ଗ ଯାଇନି । କେମିତି ନେଇ ଘର କରିବ କେଜାଣି ???

 

ଆହୁରି ମନେପଡ଼ୁଛି ଯାତରା କଥା । ରାବଣ ବଧ ହେଉଥିଲା ସେଦିନ । ଏଇ ନାଲି ଶାଢ଼ି ଖଣ୍ଡ ଗୁଡ଼େଇ ହୋଇ ଯାଇଥିଲା ଯାତରା ଦେଖି । ସାଥିରେ ବୋଉ । କୁଆଡ଼େ ଚାହିଁବାକୁ ଡର । ଗାଁ ଯାକର ମାଇପି । ଟିକେ ବେବାଗିଆ ହେଇ ବସିଲେ କି କୁଆଡ଼େ ଚାହିଁଲେ, ସବୁ ଅନର୍ଥର ସୃଷ୍ଟି । କେତେକଥା ଉଠିବ । ସଜ ମାଂସରେ ପୋକ ପଡ଼ିବ । କେତେ ଲୋକ ରଙ୍ଗରଙ୍ଗିଆ ଢଙ୍ଗରେ ଛିଗୁଲେଇ କେତେ କଥା କହିବେ ।

 

“ରୂପ ଟିକେ ଅଛି ବୋଲି କେତେ ଫୁଲେଇ ବା ?” ଆଉଜଣେ କହିଲା, “ସମସ୍ତଙ୍କର ଏକ ସମୟରେ ସେମିତି ରୂପରଙ୍ଗ ଚହଟି ଉଠିଥାଏ ନା, ଇଏ କୋଉ ନୂଆକଥା ହେଲା । ଆମର କଣ ରୂପ ନ ଥିଲା ନା ଆମକୁ ଢଙ୍ଗ ଶାଢ଼ି ପିନ୍ଧି ଆସି ନଥିଲା । ହେଲେ ଆମକୁ ଲୋକ ଲାଜ ଥିଲା-। ଏମିତି ବେସରମି କିଏ ହେଇଚି । ଛି ଛି ଏମିତି ଝିଅ ଥିଲେ କେତେ ନଥିଲେ କେତେ”-

 

ଚାରି ଆଡ଼କୁ ଦୃଷ୍ଟି ପକାଇ ନିଜକୁ ବାଗେଇ ନେଲା । କୋଉଠି ଲୁଗା ଖସି ଯାଇଚି କି-? ନା, ସବୁ ଠିକ୍ ଅଛି । ବାଜା ବାଜିଲାଣି । ଗୋଟି ପିଲା ଆସି ନାଚିଗଲେଣି । ଟିକେ ପରେ ପ୍ରକୃତ ବିଷୟ ଆରମ୍ଭ ହେବ । ରାମ ବେଶରେ ଆସିବ ହାଡ଼ିଆ । କେଡ଼େ ସୁନ୍ଦର ନ ଦିଶୁଥିବ-!! ବାଁ ହାତରେ ଧନୁ । ଆର ହାତରେ ଶର । ସାଥିରେ ଥିବେ ଲକ୍ଷ୍ମଣ । ସୀତାଙ୍କ ପାଇଁ ସେ ପାଗଳ-। ଝୁରି ଝୁରି ପାଗଳ ହେଇ ଉଠୁଥିବେ । କେଡ଼େ ମଜାହେବ । କାଲି ନଈକୂଳରେ ଚିଡ଼ାଇବ । କହିବ, ଛି ହାଡ଼ିଆଇ ତୁ ଏତେ ମାଇଚିଆଟା ନାରେ । ନିଜ ସ୍ତ୍ରୀକୁ ସମ୍ଭାଳି ପାରିଲୁନି ଯେ ଛାର ଅସୁରଟାଏ ନେଇଗଲା । ତତେ କିଏ ବାହା ହବ ମ ?

 

ରାଗିଉଠି ମାରିବାକୁ ଗୋଡ଼େଇବ ସେ । କହିବ, ଦେଖିଲୁ ବଳଥିଲା ବୋଲି ତାକୁ ମାରି ଆଣିଲି ନା ? ତୁ ନିଶ୍ଚିନ୍ତ ଥା, ତୋତେ କେହି ନେବେନି । ତୋର ଯୋଉ ରୂପନା.... ?

 

ଅଭିମାନ କରି ରୁଷି ଚାଲିଯିବ ସେ । ବେହିଆଙ୍କ ପରି ବାଟ ଛାଡ଼ିବନି ହାଡ଼ିଆ । ବାଟ ଓଗାଳିବ ।

 

କଣ ରାଗିଗଲୁ କି ?

 

ମୋତେ ଛାଡ଼େ ମୁଁ ଯାଏ । ଏ ଥଟ୍ଟା ମୋତେ ଭଲଲାଗେନା । ଗୋଟେ ଲଙ୍କା କି କିସ୍କିନ୍ଦ୍ୟା ସୁନ୍ଦରୀ ବାହାହବୁ ଯେ ତୋ ମନ ମାନିବ ।

 

ଏତକ କହି ମିଛଟାରେ କାନ୍ଦିପକାଇବ ସେ । ଲୁହ ନ ବୋହିଲେ ଆଙ୍ଗୁଠି ଗେଞ୍ଜି ଲୁହ ବାହାର କରିବ । କିଛି ନ ହେଲେ ଲୁଗାକାନିଟାକୁ ମୁହଁରେ ଗୁଞ୍ଜିଧରି ସଁ ସଁ ହୋଇ କାନ୍ଦିବ । ସମ୍ଭାଳି ପାରିବନି ହାଡ଼ିଆ । ଜୋର ଜବରଦସ୍ତି କରି ଲୁଗାଟାକୁ ଟାଣିନେବ । ସେଇଠି ସେ ସାତ ସରଗର ନିଧିପାଇବ । କାନ ପାଖରେ କହିବ-

 

ମିଛରେ କହିଲି ବୋଲି ତୁ ରାଗିଗଲୁ ଆଉ ତତେ ଥଟ୍ଟା କରିବିନି ।

 

ସେମିତି ଛାତିଟାରେ ପଡ଼ିରହି ହୃତପିଣ୍ଡର ସ୍ପନ୍ଦନ ଗଣୁ ଗଣୁ କହିବ, ତୁ ଏମିତି କହିଲୁ କାହିଁକି ?

 

ମୁଁ କହିଲି ବୋଲି ତୁ ସତ ମଣିଲୁ ? ନାଲି ଶାଢ଼ି ପିନ୍ଧି ତୁ କେବେ ଆଇନାରେ ଦେଖୁନା-? ଠିକ୍ ଗୋଟେ ପଳାଶ ପାଖୁଡ଼ା ତ !

 

ଧେତ୍ ସବୁ ବାଜେ କଥା.... ।

 

ହୁଇସିଲ ବାଜିଲାଣି । ପ୍ରଥମ, ଦ୍ଵିତୀୟ, ଆଉ ଥରେ । ସମସ୍ତେ ଉଦବିଘ୍ନ । ରାମ ରାବଣ ଯୁଦ୍ଧ ପର୍ଯ୍ୟନ୍ତ ଚେକା ପକେଇ ବସିବାକୁ ହେବ । ତୃତୀୟ ହୁଇସିଲ ବାଜିଲା ।

 

ପ୍ରବେଶ କଲେ ରାମ, ଲକ୍ଷ୍ମଣ, ସୁଗ୍ରୀବ, ହନୁମାନ ଆଉ ସହଚର ବର୍ଗ । ତିଥ ଚଳେଇବା ଭଙ୍ଗିରେ ଦିପଦ କହିଦେଇ କନ୍ କନ୍ କରି ଚାହିଁଲା ଚାରି ଆଡ଼କୁ ହାଡ଼ିଆ । ସତରେ କଣ ଚଇ ଆସିଲାନି ? ଯଦି ନ ଆସିଥାଏ ନା କାଲି ଆଉ କଥା କହିବନି । ଆଖିପଡ଼ିଲା ଚଇ ଉପରେ । ସେଇ ନାଲି ଶାଢ଼ିଟା ପିନ୍ଧିଚି । ଚଇମୁହଁ ତଳକୁ କଲା । ଆତ୍ମହରା ହୋଇ ପଡ଼ିଲା ହାଡ଼ିଆ । କୃଷ୍ଣଚୂଡ଼ାର ସବୁ ରଙ୍ଗକଣ ଏଇ ଚଇଠି ? ଅନ୍ୟମନସ୍କ ଭାବେ ଅନାଇ ରହିଲା । ସୁଗ୍ରୀବର ଉତ୍ତର ଦେବାକୁ ଭୁଲିଯାଇଥିଲା ସେ । ଲକ୍ଷ୍ମଣଙ୍କର କେତେ ଚୁମୁଟା ସତ୍ତ୍ୱେ ଆଖି ଫେରେଇବାକୁ ନାରାଜ । ଶେଷରେ ଫେରିଲା ଭାବନାରୁ ।

 

ନାଟରେ ବହୁତ ବାଧା ପଡ଼ୁଚି ରାମ ଯୋଗୁ । ରାମ କିଛି କରିପାରୁନି । ପାଟିକୁ କଥା ଆସୁନି । ମାଷ୍ଟେ କେତେଥର ତାଗିଦ୍ କରିଲେଣି । କିଛି ଲାଭ ହେଉନି । କୌଣସି ପ୍ରକାର ନାଟ ସରିଲା ।

 

ଗାଁରେ ଠାକୁ ଠା ଲୋକେ ବାର କଥା କୁହାକୁହି ହେଲେଣି । କୂଅ ମୂଳେ ଗାଁ ମାଇପେ ବି ହାଟ ଜମେଇଲେଣି ।

 

ଏଡ଼େ ଅଲାଜୁକ ଟାଏନା ସେ ? ଟିକିଏ ଲାଜ ସରମ ଅଛି ?

 

କହନିଲୋ ନାନି । ମୋତେ ଦିକୋଡ଼ି ପାଞ୍ଚ ହେଲାଣି ଏମିତି ଅଲାଜୁକ ଝିଅ ଦେଖିନଥିଲି ।

 

ଶୁଣିନକି ? ସବୁଦିନ ପରା ଖରାବେଳେ ରାଧା ଯମୁନାକୁ ପାଣି ଆଣି ଯାଉଚନ୍ତି ଆଉ ସେଠିତ କୃଷ୍ଣ ଅଛନ୍ତି । ଖାସ ସେଇଥିପାଇଁ ପରା ମୋ ସୁଲିକୁ ଆଉ ଛାଡ଼ୁନି ତା ସାଥିରେ ।

 

ଭଲ କରିଚମ ନାନି । ସେ ବାର-ଦୁଆର ପଶିଟା ସାଥିରେ ତୁମ ଝିଅକୁ ଛାଡ଼ିଲେ ମାଟି ହେଇଯିବ । ଏ ଭୁଲ କରିବନିଟି ?

 

ମୁଁ କଣ ତା ମା ପରି ହେଇଚିକି ?

 

ସେ ଯାହା ହେଲା; ତୁମେ ଯମୁନାରେ କେଳିକର କି କଦମରେ ଝୁଲ; ଏଇ ନାଟ ମଝିଟାରେ ଟିକେ ରହିଯାଇଥିଲେ କଣ ହେଇ ନଥାନ୍ତା ?

 

ଏଟାପରା ସେ ଟୋକାଟାର ମୁଣ୍ଡଚୁରି ଖାଇଲାଣି । କେଡ଼େ ସୁନ୍ଦର କରୁଥିଲାଟି । ଏଇ ରାକ୍ଷସୀ ପାଇଁ ସବୁ ନଷ୍ଟ ହେଇଗଲା ।

 

କାଲିକା ଦୁର୍ଘଟଣା ପାଇଁ ପଞ୍ଚାୟତ ଫାଇନ୍ କରିଚି ପାଞ୍ଚଟଙ୍କା । ବାହାର କରି ଦେଇଛନ୍ତି ହାଡ଼ିଆକୁ ନାଟରୁ । ହାଡ଼ିଆ’ଇର ମନଦୁଃଖ ନଥିଲା କିନ୍ତୁ ସେ ସେଦିନକୁ ଭୁଲିନି । ସେଇଦିନୁ ସେ ଶପଥ କରିଥିଲା ନାଲି ଶାଢ଼ି ପିନ୍ଧି କୁଆଡ଼େ ଯିବନି । ପୁଣି ଆଜି..... । ବାବୁ ଚାହିଁଛନ୍ତି । ବାବୁଙ୍କ ଆଖିରୁ ବର୍ତ୍ତୀବା ପାଇଁ ଚାଲିଗଲା ବାହାରକୁ କାମର ବାହାନା କରି ।

 

ଝର୍କା ରେଲିଂ ଧରି ଜୁଳୁ ଜୁଳୁ କରି ଚାହିଁଥିଲା ହାଡ଼ିଆ । ଦାଣ୍ଡରେ ଗୁଜି ଖେଳୁଚି । ଏଥର ପେଟେଇଲାଣି । ଚଇନି ରୋଷେଇରେ ବ୍ୟସ୍ତ ଅଛି ବୋଧେ । ହାଡ଼ିଆ ଚାପା ଗଳାରେ ଡାକୁଚି, “ଗୁଜି ଆ ଆ” । ହାତଠାରି ପ୍ରତ୍ୟୁତ୍ତର ଦେଉଚି ଗୁଜି । ଆତ୍ମବିହ୍ଵଳ ହାଡ଼ିଆ ଦୁଇ ରଡ଼ର ଫାଙ୍କାରେ ହାତଟାକୁ ଗଳେଇ ଡାକୁଚି, ‘ଆ ଆ’ ।

 

ଘୁସୁରିବାକୁ ଚେଷ୍ଟା କରୁଚି ଗୁଜି । ଡେଣାଟାଏ ଥିଲେ ଉଡ଼ିଯା’ନ୍ତା ତାପାଖୁ । ଥକିଗଲାଣି । ଆଉକେତେ ଚେଷ୍ଟା କରିବ ? ନୂଆ କଅଁଳିଆ ଡେଣା ନେଇ କେତେ ଆଉ ସେ ପହଁରିବ ପବନର ସମୁଦ୍ରରେ ।

 

ହାଡ଼ିଆ ଜୋରକରି ହାତଟାକୁ ପୁରୋଉଚି । ମୋଟା ବାହୁଟା ଆଜି ତାର କାଳ । ଟିକିଏ ଆଉ ଚାଲିଯା’ନ୍ତା କି ? ଟିକିଏ ସମୟ ପାଇଁ ଏଇ ବାହା ଦିଟା କାଠି ପରି ନଳି ନଳି ହୋଇଯା’ନ୍ତା କି ? ଚଇ ଦେଖିବା ପୂର୍ବରୁ ଥରୁଟିଏ ଛୁଅନ୍ତା । ଥରୁଟିଏ ତା ରଙ୍ଗିଣି ଫୁଲ ପାଖୁଡା ପରି ନାଲି ଟୁକୁ ଟୁକୁ ଓଠକୁ ଚୁମି ଦିଅନ୍ତା କି ?

 

କାହାର ପାଦ ଶବ୍ଦ ଶୁଭୁଚି । କାହାର ? ଚଇର ନୁହେଁ ତ ? ନା ଭଗବାନ ତା ନ କରନ୍ତୁ-। ଆଉଟିକେ ସମୟ ସେ ରହିଯାଉ ସିଆଡ଼େ । ଆଖି ପୁରେଇ ଦେଖିନଉ ଥରେ । ସେ ଦୋଷ କରିଥାଇ ପାରେ । ସେ ଚଇକୁ ପାଇବା ପାଇଁ ତା ପାଖକୁ ପାଖକୁ ଚାଲିଯିବାକୁ ଚେଷ୍ଟା କରିଥାଇ ପାରେ । କିନ୍ତୁ ଏ ଛୁଆଟା........ ।

 

ସରଳ ସୁନ୍ଦର କୋମଳ ଫୁଲଟିଏ । ଏଇ ପାହାନ୍ତାରୁ ଫୁଟିଚି । ସେ କଣ ଜାଣେ ସୂର୍ଯ୍ୟ କିରଣର ପ୍ରଖରତା କେତେ ? ପ୍ରଭାତର ସୁନେଲି କିରଣରେ ଉଦଭାସିତ ସେ । ତେବେ ତା ପ୍ରତି ଏ ଅନ୍ୟାୟ କାହିଁକି ? ସେ ଗୁଜିକୁ ଭଲ ପାଏ । ଚଇଠୁ ଆହୁରି ଅଧିକ । ସାହାଜାହାନଙ୍କର ମନରୁ ତାଜର ସାମୟିକ ବିସ୍ମୃତି ଘଟିପାରେ । କିନ୍ତୁ ଗୁଜି କଥା ସେ ଭୁଲିବା ଅସମ୍ଭବ ।

 

ଗୋଟିଏ ନିଷ୍କଳଙ୍କ ମଧୁଯୁକ୍ତ ଫୁଲକୁ ବୃନ୍ତଚ୍ୟୁତ କରିବା ପାପ ହୋଇପାରେ, କିନ୍ତୁ ତାକୁ ସ୍ପର୍ଶ କରି, ତାର ନାଲି ଟୁକୁ ଟୁକୁ ଓଠରୁ ଝରୁଥିବା ଅମୃତକୁ ମନଭରି ପିଇଯିବାରେ କି ପାପ ଅଛି-? ଚଇକୁ ପିଲାଦିନରୁ ଦେଖିଛି । ଟିକିଏ କଥାରେ ରାଗେ । ପୁଣି ଟିକିଏ କଥାରେ ହସେ । ତାରି କଥାକୁ ଧରିବସିଲେ ହବ ?

 

ଗାଳି ଦେବ ତ ? ଦଉ.....କ୍ଷତି କ’ଣ ? ବାରଲୋକଙ୍କଠୁ ବାର କଥା ଶୁଣିଥିଲା ଚଇପାଇଁ, ସେତେବେଳେ ତ ପିଠିପାତି କୁରୁମ ପରି ଶୋଇ ଯାଇଚି, ତେବେ ବର୍ତ୍ତମାନ ଶେଷ ଜୀବନର ସାନ୍ତ୍ଵନା ଗୁଜି ପାଇଁ ଏଇତକ କଥା ଶୁଣି ପାରିବନି ?

 

ମନ ଭିତର ଅସଂଖ୍ୟ ପ୍ରଶ୍ନକୁ ସମାଧାନ କରିବା ପାଇଁ ବାଟ ପାଉନଥିଲା । ଉତ୍ତରମାଳା ଶେଷ ଯେମିତି । କବାଟ ଆଉଜା ହୋଇଚି । ଠେଲି ପଶିଲା ଭିତରକୁ । ଗୁଜି ତାରି ଆଡ଼କୁ ବୁଲିପଡ଼ି ହାତ ଗୋଡ଼ ବଢ଼ାଉଚି । ସତେ ଯେମିତି କହୁଚି, “ମତେ ଧରୁନ ? ଦେଖିଲ ଏଇ ଟିକି ଟିକି ଡେଣାରେ କେତେ ବାଡ଼େଇ-କୁଟି ହେଉଚି । ନଧରିବ ଯଦି କାନ୍ଦିବି । ବୋଉ ଆସିବ । ଗାଳି ଦେବ । ସହିପାରିବ ତ ??”

 

ପ୍ରଶ୍ନକୁ ମନରାଜ୍ୟରେ ହଜେଇ ଦେଇ ଗୁଜିକୁ ଟେକିନେଲା କୋଳକୁ । ଲମ୍ବା ଲମ୍ବା ଦାଢ଼ି ଗୁଡ଼ାକ ଭିତରେ ହାତ ପୁରାଇ ‘ତା ତା’ କରି ଖେଳୁଚି ଗୁଜି । ଅଣ୍ଟାରେ କୁତ୍ କୁତ୍ କଲା । ଏଥର ସଜୋରରେ ହସିଉଠିଲା ଗୁଜି । ପୁଣି ଚୁପ୍ ଚାପ୍ । ପୁଣି ହସ ।

 

ଚାଉଳରୁ ଧାନ ବାଛୁଥିଲା ଚଇ । ଶୁଣିଲା ଗୁଜି ହସୁଚି । ଗୋଟେ ହସୁକୁରି ଲତାକି ଆଉ ! କାହା ସାଥିରେ ଖେଳୁଚି ? ହାଡ଼ିଆ’ଇ ? ନା ନା ସେ ହେଇ ନଥିବ । ତାକୁ ସିଏ ମନାକରିବା ସତ୍ତ୍ୱେ କଣ ପୁଣି ଆସି ଧରିଥିବ । କି ସମ୍ପର୍କ ତା ସାଥିରେ ତାର ? ହେଇପାରେ ତାରି ଧରିବା ଆଳ ନେଇ ଯଦି ମୋ ପାଖକୁ ଘୁଞ୍ଚିବାକୁ ଚେଷ୍ଟା କରୁଥାଏ ।

 

ପ୍ରଶୟ ଦେବ ତାକୁ ?? ନା ନା ଏଥର ଧରିଥିଲେ ମିଠାକଡ଼ା ଦିପଦ ଶୁଣେଇ ଦେବ । ତେବେ ବି ଯଦି ନହୁଏ....... ? ବାବୁ ଅଛନ୍ତି । ତାକଥା କଣ ବାବୁ ଶୁଣିବେନି ?

 

ବାବୁ କିଛି କମ୍ ନୁହନ୍ତିତ । ସେ ବି ଚାହାନ୍ତି ତା ଦେହକୁ । ଖାଲି ହାଡ଼ିଆ ଅଛି ବୋଲିସିନା..... । ନହେଲେ ସେ ରାତି, ଯୋଉଦିନ ହାତକୁ ପିଆଲା ବଢ଼େଇ ଦେଉଥିଲା..... ।

 

ବାବୁଙ୍କୁ କିଛି କହିବିନି ତେବେ । ଆଜି କଡାମିଠା ଦିପଦ ଶୁଣେଇ ଦେବ । ପୁଣି ଯଦି ଆସେ ଗୋଡ଼ ତଳେ ପଡ଼ିଯିବ । ପାଣୁଆ ସିଆଡ଼େ ଛଟପଟ ହେଉଥିବ ଯେ ? ନିଦରେ କଣ ଟିକେ ଶୋଇ ପାରୁଥିବ ? ଟାପରା କରି କଣ ଟିକେ ଅଗାଧୁ ମିଶ୍ରେ ଥରେ କହି ଦେଇଥିଲେ ବୋଲି ପରା ଗାଁଟାକୁ ହୁଲସ୍ତୁଲ କରି ଦେଇଥିଲା । ଆଉ ଆଜି କଣ ସେ ନିଶ୍ଚିନ୍ତରେ ବସିପାରୁଥିବା ଦେବମହଲକୁ ହଲେଇ ସାରିବଣି । ଜମଙ୍କୁ ତାଗିଦ୍ କରିବଣି, ଶୀଘ୍ରତାକୁ ଏଠିକି ନେଇ ଆସ । ନହେଲେ...... ।

 

ସେଠିକି ନେଇଗଲା ପରେ ବି କଣ ସିଏ ଶାନ୍ତିରେ ରହି ପାରିବ ? ଜୀବନର ପ୍ରଥମ ପୁରୁଷକୁ କେମିତି ଭୁଲିବ ସେ ? କଳା ପଟାରେ ପ୍ରଥମ ଚକ୍ ଦାଗ । କେତେ କଷ୍ଟରେ ଲିଭେ ସତେ ??

 

ଦାଣ୍ଡଘରକୁ ଆସିଲା । ସେ ଯାହା ଭାବୁଥିଲା ଠିକ୍ । ହାଡ଼ିଆ ଦାଢ଼ିକୁ ଟାଣିବାରେ ଲାଗିଚି ଗୁଜି । କି ଆନନ୍ଦ ସେଥିରେ । ହସରେ ଗାଁ ଫାଟି ପଡ଼ୁଚି । ହାଡ଼ିଆ କହୁଚି, ତୋ ମା ପରି ହବୁନୁ ଲୋ ।

 

ହାଡ଼ିଆଇ ।

 

ହାଡ଼ିଆ ଚମକି ପଡ଼ିଲା । ଚଇ ଆସିଗଲାକି ? ବୁଲି ଚାହିଁଲା । ପଛରେ ଚଇ । ରାଗରେ ଥରୁଛି ? ଗୁଜିକୁ ସେମିତି ଖେଳେଇ ଖେଳେଇ ତଳେ ଥୁଆଉ ଥୁଆଉ କହିଲା, ଦେଖିଲୁ ଗୁଜି କହୁନଥିଲି.......ଏଇନେ ତୋ ବୋଉ ଆସିଯିବ । ତତେ ମୋଠୁ ଛଡ଼େଇ ନେବ ? ମୋ କଥାକୁ ପରା ହସର ଚାଙ୍ଗୁଡ଼ିରେ ପୁରେଇ ଦଉଥିଲୁ ? ଏବେ ଦେଖିଲୁ ତ ତୋ ମା କଥା । ତୋ ମା’ର ପରା ମୁଁ ସାତ ପର ?

 

ଚଇ ଚାହୁଁଥିଲା ଦୁଇଜଣଙ୍କୁ । ହାଡ଼ିଆଇ କହୁଚି ମୁଁ ତାର ସାତ ପର । ସେ ବୁଝୁନି କାହିଁକି ? ଦିନେ ତ ତାରି ପାଇଁ ମୁଁ ଜୀବନର ବାକିତକ ତାରି କୋଳରେ ଶୋଇ କଟେଇ ଦେବାକୁ ଶପଥ କରିଥିଲି । ସେଥିପାଇଁ ତ କେତେ ବିରହ ବିଧୁର ରାତି ଅନିଦ୍ରାରେ କଟେଇ ଦେଇଚି । କେତେ ଏକାକୀ ଦ୍ଵିପ୍ରହର କଟାଇଚି । କିନ୍ତୁ ଆଜି ମୁଁ ଅନ୍ୟର ସ୍ତ୍ରୀ । ପାଣୁଆ ଛଡ଼ା ଅନ୍ୟକଥା ଭାବିବା ବି ପାପ । ସବୁ ଜାଣି ହାଡ଼ିଆଇ ବୁଝୁନି କାହିଁକି ?

 

ଏବେବି କଣ ତାକୁ ପାଇବାର ମୋହ ସେ ଛାଡ଼ି ପାରିନି ? ତାଙ୍କ ଜାତି ପ୍ରଥା ଅନୁସାରେ ସେ ହାଡ଼ିଆଇକୁ ଦୁତିଅ ହୋଇ ରହି ପାରନ୍ତା । ପୁଣି କେତେ ଗୁଜି ତା’ରି କୋଳରେ ଫୁଟିଉଠନ୍ତେ । କିନ୍ତୁ ମାନସିକ ଶାନ୍ତି ପାଇ ପାରିବ ତ ? ସରଗରେ ପାଣୁଆ ପୁଅ ଝିଅଙ୍କୁ ଖେଳେଇ ଖେଳେଇ ହାତଠାରି କହିବ, ଦେଖରେ ପିଲେ ତମ ମା କେମିତି ତମକୁ ଭୁଲି ଯାଇ ଅନ୍ୟକୁ ବାହା ହେଇ ଘର କଲାଣି । ତୁମ କଥା ଆଉ କଣ ସିଏ ମନେ ପକାଉଚି କି ?

 

ଗୁଜିକୁ ବର୍ତ୍ତମାନ ଭଲ ପାଇଥାଇ ପାରେ । ଯେତେବେଳେ ତାର କୁନମୁନି ଛୁଆ ଗୁଡ଼ିକ ଆସିବେ ସେତେବେଳେ କଣ ଆଗର ସ୍ନେହ ସେ ଦେଇ ପାରିବ ଗୁଜିକୁ ? ଗୁଜି ପାଣୁଆର ଶେଷ ସନ୍ତକ । ତାକୋଇ ଛାଡ଼ି ଆଉସବୁ ନେଇ ସାଇଚି ନିଜ ପାଖକୁ । ତାକୁ ସେ ଅନାଥ ହେବାକୁ ଦେବନି ।

 

ଦୁର୍ବଳତା-ଟାକୁ ହୃଦୟର କୋଉ କୋଣରେ ଲୁଚେଇ ଚଇ କହିଲା, ଅପବିତ୍ର ହାତ ମୋ ଛୁଆଠି ଲଗାନି ହାଡ଼ିଆଇ । ତୁ କଣ ଭାବୁଛୁ ଗୁଜିର ଆଳ ଧରି ମୋପାଖ ତୁ ଆସି ପାରିବୁ ବୋଲି-? ଅସମ୍ଭବ । ପାଣୁଆ ପରି ତୋତେ ସାତଜନ୍ମ ତପସ୍ୟା କରିବାକୁ ପଡ଼ିବ ।

 

ଚଇ ।

 

ଚଇ ତୋ ପାଇଁ ମରିଯାଇଚି ହାଡ଼ିଆଇ । ଏ ଚଇ ତୋର ନାହିଁ । ଖାଲି ପାଣୁଆର ମନରେ ଯଦି ପାଇବାର ଆଶାରଖି ଆଉ ତୁ ଭୁଲ୍‍ କରୁଚୁ ।

 

ଏକଣ କହୁଚୁ ଚଇ ? ତୋ ହାଡ଼ିଆଇକୁ ଚିହ୍ନିନୁ ? ଏବେ କଣ ସେଇ ହାଡ଼ିଆଇର ରୂପ ତୁ ଦେଖି ପାରୁନୁ ?

 

ସେଇତ ଭୁଲ ହୋଇଛି ହାଡ଼ିଆଇ । ପିଅନ ବାବୁ ହିସାବରେ ତୁ ରହିଯାଇଥିଲେ ଭଲ ହୋଇଥାନ୍ତା । ସେଥିରେ ମୁଁ ଦେଖୁଥିଲି ଦେବତ୍ଵକୁ । ଯେଉଁ ଦିନଠାରୁ ଜାଣିଲି ହାଡ଼ିଆଇ ବୋଲି ସେଦିନଠୁ ତୋ ଦେହରେ ଦେଖୁଛି ପଶୁତ୍ଵକୁ । ତୋ ଦେହରେ ଖାଲି ଜଲିଉଠିଚି ମୋତେ ପାଇବାର ନିଆଁ ।

 

ଚୁପ ହୋଇ ଯା ଚଇ କିଏ ଶୁଣିବ ଯେ ?

 

ତୋ ଗୋଡ଼ ଧରୁଛି ହାଡ଼ିଆଇ ମୋ ଜୀବନ ଭିତରକୁ ଆଉ ଆସିବାକୁ ଚେଷ୍ଟା କରନା । ନହେଲେ କୂଅ କି ପାଖରୀ ଦେଖିବି ।

 

ଶେଷପଦକ ଶୁଣି ହାଡ଼ିଆ ଆଖି ଛଳ ଛଳ ହୋଇ ଉଠିଲା । କିଛି କହିପାରି ନଥିଲା ସେଦିନ । ଚଇକୁ ଚାହିଁଲା । ଗମ୍ଭୀର ଭାବେ ଠିଆ ହାଇଥିଲା ସେ ଗୋଟିଏ ନିଶ୍ଚଳ ପ୍ରତିମା ପରି । ଗୁଜିକୁ ଉଠାଇଲା । ଶେଷ ଥର ପାଇଁ ଅଶ୍ରୁଭରା ଆଖିରେ ହୃଦୟର ସମସ୍ତ କୋହକୁ ଚାପି ରଖି ଶେଷ ଚୁମା ଦେଲେ । ଇୟାପରେ ହୁଏତ ଆଉ କେବେ ଆଖି ପୁରେଇ ନଦେଖି ପାରେ । ତାପରେ ବାଟା ଭାଙ୍ଗି ଚାଲିଗଲା ସେ । ଗୁଜି ଶୋଇଛି । ଓଠରେ ସେଇ ହସ ଟିକକ । ଚଇ ଚାହିଁଥିଲା ତାର ଗଲା ବାଟକୁ । ସମୁଦ୍ରରେ ଭଟ୍ଟା ପଡ଼ିଲାଣି ବୋଧେ ।

 

ସେ ସ୍ତ୍ରୀ ଲୋକଟି ମରିଗଲା ଆଜି । ଦୁଇଦିନ ତଳେ ତାରି ଛୁଆଟିକୁ ପାଦ୍ରିମାନଙ୍କ ହାତକୁ ଟେକି ଦେଇଥିଲା । ସେଇଦିନୁ ସେ ଆହାର ଛାଡ଼ି ଦେଇଥିଲା । ମାତୃତ୍ଵ ତାର ବିଳପି ଉଠିଲା । ଯେଉଁ ଦିନ ସେ ପାଦ୍ରି ମାନଙ୍କୁ ରାମ ତିଆଡ଼ିଙ୍କ କଥାରେ ଟେକି ଦେଇଥିଲା ସେଦିନ ମୁଣ୍ଡରେ ଦେଇଥିବା ପିଢ଼ାଟାକୁ ଜାକି ଧରି ଅନେକ କାନ୍ଦିଥିଲା । ତାରା ଗଣି ଗଣି ରାତି ଅନେକ ବେଳକୁ ଶୋଇଥିଲା । ଆଉ ରାତି ଅଧରେ...... ।

 

ରାତି ଅଧରେ ପିଢ଼ାଟାକୁ ଚାପିଧରି ମନକୁ ମନ ସଁ ସଁ ହୋଇ କାନ୍ଦି ଉଠିଥିଲା । ଅନେକ ବେଳକୁ ବୁଝାଇ ଥିଲେ ତାକୁ । କୌଣସିଥିରେ ବୁଝି ନ ଥିଲା ସେଦିନ ତିଆଡ଼ି ଆପଙ୍କର ଗୋଡ଼ଧରି ମୁଣ୍ଡ ବାଡ଼େଇ କହୁଥିଲା, ମୋ ଛୁଆକୁ ଫେରେଇ ଦିଅ ସାଆନ୍ତେ । ଭଗବାନ ଆପଣଙ୍କର ମଙ୍ଗଳ କରିବେ । ଆପଣଙ୍କର ପିଲା ଛୁଆର ଆୟୁଷ ବଢ଼ିବ ।

 

ଆରେ ଏମିତି ପିଲାଙ୍କ ଭଳି କଣ ହେଉଛୁ ।

 

ମୁଁ ମରିଯିବ ସା’ନ୍ତେ । ମୋ ପୁଅ ନ ଖାଉ । ନ ପଢ଼ୁ । ଏଇଠି ମୋରିଆଗରେ ଖେଳୁଥାଉ । ମୋ ପିଲାଙ୍କୁ ଆଣିଦିଅ ସାନ୍ତେ । ପାଗଳ ହେଇଗଲୁନା କଣ ?

 

ହଁ ସାନ୍ତେ ମୁଁ ପାଗଳ ହୋଇଯିବି । ଦେଖୁନ ମୋ କୋଳଟା ଖାଲି ଆକୁ ନେଇ ମୁଁ କଣ ବଞ୍ଚି ପାରିବି ? ?

 

ଢୁ କିନା ମୁଣ୍ଡ ବାଡେଇ ଦେଇଥିଲା ତିଆଡ଼ି ଆପଣଙ୍କ ଗୋଡ଼ତଳେ । ତିଆଡ଼ି ଚାହିଁଲେ-। ସମସ୍ତ କଙ୍କାଳଙ୍କର କୋଟର ଗତ ଆଖିଗୁଡ଼ା ତାଙ୍କରି ଉପରେ ସତେ ଯେମିତି ଚିତା ବାଘ ଗୁଡ଼ା ନଟି ଭିତରେ ଲୁଚି ରହିଛନ୍ତି । ଟିକେ ସମୟ ସୁବିଧା ପାଇଲେ ଝାମ୍ପି ଦେବେ । ଏଇ ଅପ୍ରୀତିକର ପରିସ୍ଥିରୁ ନିଜକୁ ବଞ୍ଚେଇବା ପାଇଁ ବାଟକାଟିବାକୁ ଚେଷ୍ଟା କଲେ ରାମତିଆଡ଼ି । କିଏ ଜଣେ ପଛରୁ ଟାଣି ଧରି ଜୋରକଲା, ଚାଲି ଯାଉଚ କକେଇ ? ତା ଛୁଆ ଦେଇ ଯାଅ; ନ ହେଲେ ଏ ଠେଙ୍ଗାଟା ସବୁ ଠିକ କରିଦେବ ।

 

କିଏ ଏତେ ସାହସ କଲା ଏକଥା କହିବାକୁ । ଚାହିଁଲେ, ଆଗରେ ବାଟ ଓଗାଳୁଚି ହାଡ଼ିଆ । ଆଖି ଦିଟା କେମିତି ତାର ନାଲ୍ ନାଲ୍‍ ହୋଇ ଜଳି ଉଠୁଚି । ଘରପୋଡ଼ି ଶିଖାତ ଏତେ ଲାଲ ଦେଖାଯିବନି ? ଟିକେ ଦବେଇ ଦେବାକୁ କହିଲେ, କିରେ ଭାରି ବହପ ହୋଇଗଲାଣି ତ ? ମଣିଷ ଦେଖାଯାଉ ନାହାନ୍ତି କି ? ଆରେ, ବାଘକୁ ଛେଳି ମଣିଲେଣି ? ହଉରେ ପୁଅ, ମନେ ରହିଲା; ପଛରେ ଦେଖିବା ।

 

ଛାଡ଼ିବାର ଲୋକ ନୁହେଁ ହାଡ଼ିଆ । ପୁଣି ବାଟଓଗାଳି କହିଲା, ପଛରେ ନୁହେଁ କକେଇ ଏଇନେ ଦେଖ । ସମସ୍ତଙ୍କର ଆଗରେ କୁହ ତାର ପିଲା ଫେରେଇ ଦେବ ତ ?

 

କଥାଟା ଶୁଣି ସ୍ତମ୍ଭୀଭୂତ ହୋଇ ଯାଇଥିଲେ ତିଆଡ଼ି । ଆଶା ତାଙ୍କ ଆଶାରେ ରହି ଯାଇଥିଲା । ସମସ୍ତେ ଅନେଇଛନ୍ତି ତାଙ୍କୁ । ସମସ୍ତଙ୍କର ମୁହଁରେ ସେଇ ଗୋଟିଏ ପ୍ରଶ୍ନ । ଗୋଟେ ଅନୁରୋଧ । ସେ ଜାଣନ୍ତି ହାଡ଼ିଆଟା ହୁଣ୍ଡାଗୁଣ୍ଡା । ଆଗାନାହିଁ ପିଛାନାହିଁ । କହିଲେ ବୁଝିବ ବି ନାହିଁ-। ଯାହା ବୁଝିଥିବ ସେଇଆ । ଏ ଅପମାନ କଣ ସହ୍ୟ କରିହେବ ?? ତଥାପି କଥାଟାକୁ ଚପାଇବାକୁ ଚେଷ୍ଟା କଲେ ପାଖକୁ ଲାଗିଯାଇ କାନ୍ଧରେ ହାତ ପକାଇଲେ ।

 

କି କଥାଟା କହିଦେଲି ବୋଲି ସତରେ ରାଗିଗଲୁ ନା କଣ ? ହଇରେ ମୁଁ ପରା ତୋ ବାପ ବୟସର । ତୁ ପୁଣି ମତେ ଏକଥା କହୁଚୁ ।

 

ଏଥର ଟିକିଏ ଶାନ୍ତ ପଡ଼ିଗଲା ହାଡ଼ିଆ । ଦାଉ ଦାଉ ହୋଇ ଜଳୁଥିବା ଆଖି ଦିଟା ଏଥର ଟିକିଏ ନରମି ଗଲା । କହିଲା ସା’ନ୍ତେ ତୁମେ ମୋତେ ମାରିଲେ କି ହାଣିଲେ ମୁଁ କିଛି କହି ନଥାନ୍ତି । ଦେଖୁଛନ୍ତି ଏଇ ବିଚାରିଟିକୁ । ମୁଣ୍ଡ ପିଟି ପିଟି ବାଁ ପାଖ ମୁଣ୍ଡଟା କଣ ହେଲାଣି ? ଆହାର ନେବାକୁ ଭୁଲିଲାଣି ସେ । ମରିଯିବ ସା’ନ୍ତେ ମରିଯିବ ଖାସ ତାରି ପାଇଁ...... ।

 

ସେଇକଥା ଭଲରେ କହିଥିଲା ହୋଇ ନ ଥାନ୍ତା ? ତୁ ଏମିତି ରାଗିକି କହୁଚୁ ଯେମିତି ତୁମ ବାପାମାଙ୍କର ମୁଁ ବେଠିଆ ଥିଲି ?

 

ମୁଁ କ୍ଷମା ମାଗି ନଉଚି ସାନ୍ତେ ହେଲେ ତା କଥା ବୁଝ ।

 

କିରେ ତୁମମାନଙ୍କୁ କିଏ କହି ଦେଉଥିଲା । ଦେଇ ଦବାକୁ ?

 

ଆପଣ ପରା କହୁଥିଲେ ।

 

ମୁଁ ଏଇଆ କହୁଥିଲି । ମୂର୍ଖଙ୍କ ସାଥିରେ ଆଉ କଣ କରି ହବ ? ତୁମ ପିଲାଙ୍କ ଭଲ ପାଇଁ କହୁଥିଲି, ଏବେ ତୁମେ ନ ବୁଝିବ, ମୋର କଣ ଦୋଷ ? ଏତେବେଳେ ସକେଇଲେ କଣ ହବ ? ସିଏ ଯାଇ କୋଉଠି ଥିବେ । ମୁଁ ପୁଣି କେଉଁଠି ଆଣିବି ?

 

ଭୋ’କରି କାନ୍ଦି ଉଠିଲା ସ୍ତ୍ରୀ ଲୋକଟି । ହାଡ଼ିଆ ଗୋଡ଼ ତଳେ ପଡ଼ିଗଲା । କାନ୍ଦ କାନ୍ଦ ହୋଇ ହାଡ଼ିଆ କହିଲା, ତାଙ୍କୁ ବଞ୍ଚେଇ ଦିଅନ୍ତୁ ସାଆନ୍ତେ । ତୁମ ଘରେ ପଛେ ଗୁଲାମ ହୋଇ ରହିବି ତାକୁ ତା ଛୁଆ ଫେରେଇ ଦିଅନ୍ତୁ ।

 

ରାମତିଆଡ଼ି ଚାହିଁଲେ, ସମସ୍ତଙ୍କ ମୁହଁ ତଳକୁ । ସମସ୍ତଙ୍କ ଆଖିରେ ଅଶ୍ରୁ ହାଡ଼ିଆକୁ ଆସ୍ତେ ତଳକୁ ଉଠାଇଲେ, ତୁ ବଡ଼ ବିକଳିଆ । ଏତେ ବ୍ୟସ୍ତ କାହିଁକି ହୋଇ ପଡ଼ୁଚୁ କହିଲୁ ? ଆରେ ଏଇଟା କେଉ ବଡ଼ କଥା ଯେ ହବନି । ମଣିଷ ଜହ୍ନକୁ ଯିବାକୁ ବାହାରିଲାଣି ଆଉ ତୁ ବ୍ୟସ୍ତ ହେଉଚି କାହିଁକି । ଚେଷ୍ଟା କରିବା, ତେଣିକି ଫଳ ଭଗବାନଙ୍କ ହାତରେ ।

 

ସମସ୍ତଙ୍କ ମୁହଁରେ ଆନଦ । ଲୁହ ପୋଛୁଚି ସ୍ତ୍ରୀଲୋକଟି ସେ ତା ପୁଅକୁ ପୁଣି ଫେରି ପାଇବ । ଆଉକଣ ଦରକାର । ରାମ ତିଆଡ଼ି ହସୁଥିଲେ । ସେ ହସର ଅନ୍ତରାଳରେ ହସୁଥିଲା ପିଶାଚ । ଖୁବ୍‍ ବିକଟାଳ ଭାବେ । ଅତି ବିଭତ୍ସ ଭାବେ । ହାଡ଼ିଆର ପ୍ରସଂସା ସେଦିନ ଚାରିଆଡ଼େ ଖେଳି ଉଠିଥିଲା । ଚଇ କହିଥିଲା, ପିଅନବାବୁ ତୁ ଭାରି ଭଲରେ ।

 

କାହିଁକି ଏମିତି କଣ ଦେଖିଲୁ କି । ତୋ ପାଇଁ ତ କିଛି କରିନି ।

 

ମୁଁ କଣ ଏଡ଼େ ସ୍ୱାର୍ଥପର ? ଖାଲି ମୋରି ଉପକାର କଲେ ମୁଁ ଭଲ କହିବି । ତୁ ନଥିଲେ ବିଚାରିପିଲାଟି କଣ ପାଇଥାନ୍ତା ?

ପାଇଲାଣି କୋଉଠି ଚଇ । ଯଉଦିନ ପାଇବ ସେଦିନ କହିବୁ ।

ଭାରି ଖୁସି ହେଇଥିଲା ଚଇ । ଭାଗ୍ୟ ଦୋଷରୁ ସିନା ଗରିବ ଘରେ ଜନ୍ମ ହେଇଚି ପିଅନ ବାବୁ ନହେଲେ ଖୁବ୍ ବଡ଼ ହେଇଥାନ୍ତା । ଖୁସି ହେଇଥିଲା ହାଡ଼ିଆ । ବହୁତ ଦିନ ପରେ ସେ ପୁଣି ଚଇଠୁ ସେଇ ମଧୁବୋଳା କଥା ଶୁଣୁଚି । କାହାମୁହଁ ଚାହିଁଥିଲା କେଜାଣି । ଦାଢ଼ି ଆଉଁସି ଆଉଁସି ଚାଲି ଯାଉଥିଲା । ଚଇ ଡାକିଲା, ପିଅନ ବାବୁ ।

ଅଟକି ଗଲା ହାଡ଼ିଆ । ଏଇ ପିଅନ ବାବୁ ଜାଗାରେ ହାଡ଼ିଆ’ଇ ଡାକିଥିଲେ କେମିତି ହେଇଥାନ୍ତା । କେଡ଼େଭଲ ଲାଗିନଥାନ୍ତା । ନା ଥାଉ । ଏଇ ପିଅନ ବାବୁ ବୋଲି ସେ ଚିହ୍ନୁ । ଭଙ୍ଗା ହୃଦୟକୁ ଯୋଡ଼ି କଣ ଲାଭ ? ଫଟା ମାଠିଆରେ କାଦୁଅ ଲେସିଲେ ଫଟା ବନ୍ଦ ହେଇଯିବ ସିନା, ନୂଆ ହେଈ ଯିବକି ?

ଛି ପଛରୁ ଡାକୁଚୁ ।

କାହିଁକି ଅନୁକୂଳରେ ଯାଉଥିଲୁ କି ?

‘ହୁଁ’

କୋଉଠି କି ମ ?

କନିଆ ଖୋଜି ।

ଦାଢ଼ିଆଟାକୁ କିଏ ବାହାହେବ ମ ? ସିଏ ଆସିଲେ କହିବନି ଯେ ମୁଁ କହିବି । ହଉ ଯା-

କଣ ହହୁନୁ ।

ନା ସେ ଆସିଲେ କହିବ ଯେ ।

ଦେଖି ତୋ ପାଟିରୁ ଶୁଣିଥିବା ।

ମୁଁ କଣ କହୁଥିଲି କି.... ।

ଢୋକ ଗିଳିଲା ଚଇ । ହାଡ଼ିଆ ହସିଲା । ଇୟାର ଦସ୍ତୁର ଏମିତି ସବୁଦିନେ । କଥାଟା ପୁରା କରିବନି । ଭାରି ଭଲ ଲାଗୁଥିଲା । ପୁଣି ପଛକଥା ମନେ ପଡ଼ୁଥିଲା । ପିଲାଦିନର ଚଇକୁ ପୁଣି ସେ ଅନୁଭବ କରୁଥିଲା ।

ଆଲୋ କହୁନୁ କଣ କହିବୁ ।

ତୁ ଗୁଜିକୁ ଭଲ ପାଉନାରେ ।

କାହିଁକି ଅବିଶ୍ୱାସ ହେଉଛିକି ?

ତେବେ ତାରି ମୁଣ୍ଡ ଛୁଇଁ କହ ମୁଁ ଯାହା କହିବି ସେଇଆ କରିବୁ ।

ଆଛା ହେଲା କହ ।

 

ତୁ ପିଙ୍କା ଟାଣିବୁନି ଆଉ ।

 

କାହିଁକି କଣ ଅସୁବିଧା ହେଉଛି କି ?

 

ଛି’ କଲିଜା ପୋଡ଼ିଯିବ ପରା ?

 

ସେଦିନ ଗର୍ବରେ ଛାତି ଫୁଲି ଉଠିଥିଲା । ଚଇ ଆଜି ତାର ଝିଅ ମୁଣ୍ଡ ଛୁଆଁଇ ଶପଥ କରାଉଚି । ସେ କଥା ସେ ରଖିବନି ? ହସି ହସି ବାହାରି ଯାଉଥିଲା ବାହାରକୁ ।

 

ତା ପରେ ଲକ୍ଷେ ଥର ଯାଇଥିଲା ରାମ ତିଆଡ଼ିଙ୍କ ପାଖକୁ । ‘‘ଚିଠି ଦେଇଚି । ଏଇ ଆଜିକି କାଲି ଆସିବ’’ ପ୍ରଭୃତି ସାନ୍ତ୍ୱନା ଦେଇ ଦେଇ ଆସୁଥିଲେ ସବୁଦିନ, ସ୍ତ୍ରୀ ଲୋକଟି ଆସେ, ତାକୁ ବୁଝେଇ ଫେରେଇ ଦେବାକୁ ପାଟିକୁ କଥା ଆସେନା । ଅଳ୍ପ ଅଳ୍ପ ଖାଉଚି ସେ । ଭାରି ଦୁର୍ବଳ ହେଇ ଗଲାଣି । ନାହିଁ ବୋଲି କହିବ କେମିତି ? ଠୁକୁର ମୁକୁରୁ ହେଇ କିଛି ଦିନ ଗଲା ।

 

ତାପରେ ପାଖ ଛତରକୁ ଚାଉଳ ନେଇ ଯାଇଥିଲା । ଶୁଣିଲା ରାମ ତିଆଡ଼ି ବନ୍ଧା ହେଇ ଯାଉଛନ୍ତି । ସେଥିପାଇଁ ତାର ଦୁଖ ନାହିଁ । ଛୁଆଟା କଥା କେହି ପଚାରିଲେନି ? ଯିଏବା ସାହାସ କରି ପଚାରୁଥିଲେ ତାଙ୍କୁ ନାଲ ଆଖିରେ ଜବାବ ମିଳୁଥିଲା ।

 

ହତବାକ୍ ହୋଇଥିଲା ହାଡ଼ିଆ । ସ୍ତ୍ରୀ ଲୋକଟିକୁ କି ଉତ୍ତର ଦେବ ସେ । ଚଇ ଯଦି ପଚାରେ, ‘କୁଆଡ଼େ ଗଲା ତୁମ ପୁରୁଷ ପଣିଆ ହାଡ଼ିଆଇ ? ଖାଲି ଲୋକ ଦେଖାଣିଆ ବାହା ବାହାରୁ କଣ ମିଳିବ ?’ ସେ ଦିନଠୁ ବୁଝେଇ ବୁଝେଇ ଖାଇ ନ ଥିଲା ସ୍ତ୍ରୀ ଲୋକଟି ।

 

ଆଜି ଚାଲିଗଲା ।

 

ଲକ୍ଷେ କଙ୍କାଳର ଅର୍ତ୍ତଦାନ ଫୁଟି ଉଠୁଥିଲା କଙ୍କାଳ ଥରାଇ ।

 

ଓଦା କାଠ ଗୁରା । ଫୁଙ୍କି ଫୁଙ୍କି ଦରମରା ହେଲେବି ଜଳୁନି । ଧୁଆଁରେ ଆଖିକାନ ଫୁଟି ଯାଉଚି । ବାହାରକୁ ଚାଲି ଆସିଲା ଚଇ । ଘସି ଗୁଣ୍ଡା ଦିଟା ପକେଇ ଦେଇ ଆସିଚି । ଟିକେ ପରେ କୁହୁଳି କୁହୁଳି ଜଳି ଉଠିବ । ପୁଣି କିଛି ସମୟ ପରେ ଲିଭିଯିବ । ନିଆଁର ସତ୍ତାବି ଲୋପ ପାଇଯିବ-

 

ଚଇର ମନ କୁହୁଳି ଉଠିଚି । ଜଳି ଉଠିଚି ଅତୀତର ସ୍ମୃତିଟା । ସେ କଣ ଲିଭି ପାରିବ ? ନା ଜଳିବ ଆହୁରି ଜୋରରେ ? ତିଳ ତିଳ କରି ନ ସାରିଲା ପର୍ଯ୍ୟନ୍ତ । ଏତେ ପର୍ଯ୍ୟନ୍ତ ଜଳିବାରେ କି ଲାଭ ଅଛି ? ଇୟାର ପୂର୍ଣ୍ଣଚ୍ଛେଦ ପଡ଼ି ଯାଆନ୍ତା କି ?

 

କିଏ ଟାଣିବ ପୂର୍ଣ୍ଣଚ୍ଛେଦ ? ଉପରକୁ ଅନେଇଲା । ଟିକି ଟିକି ତାରାଗୁଡ଼ିକ ବିଛେଇ ହେଇ ପଡ଼ିଛନ୍ତି । ପାହାନ୍ତି ବିଛା ଗଙ୍ଗ ସିଉଳି କି ଆଉ ! ଇୟାରି ଭିତରେ କେଉଁଠି ଲୁଚି ରହିଚି ପାଣୁଆ । ଛୁଆଙ୍କୁ ଖେଳଉଚି । ମନେ ମନେ ପାର୍ଥନା କଲା, ମତେ ନେଇଯା ପାଣୁଆ । ସାଥିହେଇ ଖେଳିବା । ତୋ କଥା ମାନି ଛତର ଭାତ ଗୁଜି ପେଟରେ ପଡ଼ିବନି ବୋଲି ବାବୁ ପାଖରେ କାମ କଲି । କି ବିଭତ୍ସ ସେଇଟା । ସଦାବେଳେ ଲୋଲୁପ ଆଖି । ହାଡ଼ିଆ ନ ଥିଲେ କୋଉଦିନୁ ଗୁଜି ଅନାଥ ହେଇ ସାରନ୍ତାଣି ।

 

ହାଡ଼ିଆ କଣ କମ୍ କି ? ଦିନେ ତାକୋଇ ଫୁଲ ଚନ୍ଦନ ଦେଇ ପୂଜା କରୁଥିଲି । ସେବି ମୋର ଦାଉ ସାଧିଲା । ତାର ଆଖି ବି ମୋ ଉପରେ । କେତେଦିନ ଏମାନଙ୍କ ଆଖିକୁ ଆଡ଼େଇ ଚାଲିବି ? ମୁଁ ମାନୁଚି ପ୍ରଥମ ବସନ୍ତର ନୂତନ ପଲ୍ଲବିତ ରୂପ ସମ୍ଭାର ଭିତରେ ସେ କୋଇଲି ଭଳି ଡେଇଁ ଡେଇଁ ବୁଲୁଥିଲା । ଧରିତ ରଖି ପାରିଲାନି ? ତେବେ ପୁଣି ସେ କାହିଁକି କୁହୁ କୁହୁ କରି ଡାକୁଚି । ତା କୁହୁ ଡାକର ଉତ୍ତର କଣ ମୁଁ ଆଉ ଦେଇ ପାରିବି ?

 

ତଥାପି ସେ ପାଖ ଛାଡ଼ିନି । ତୁ ସିନା ସେଠି ମଜାରେ ରହିଲୁ । ମୁଁ କଣ କରିବି କହ ? କିଏ ମୋର ସାହା ? ମନଟା ଇସ୍ପାତର ହେଲେବି କେତେ ଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ଗୁଳିକୁ ଅବରୋଧ କରି ପାରିବ ? ତୁ ମୋତେ ନେଇଯା ପାଣୁଆ, ମୋତେ ନେଇ ଯା’ । ସେଇଠି ସାଥିହୋଇ ପାରିଜାତ ତୋଳିବା ।

 

ଆଖିରୁ ବୋହୁଥିଲା ଧାର ଧାର ଲୁହ । କାନରେ ପୋଛିବାକୁ ଚେଷ୍ଟାକଲା । ସେ ଲୁହ କଣ ସରିବାର ? ମେଘ କନ୍ୟା ଯଦି ଏମିତି ମନପୁରେଇ କାନ୍ଦି ପାରନ୍ତା....... । ତାର କଣ ଦୁଃଖ ନାଇଁ ? ସେତ କାନ୍ଦୁନି । ତେବେ ମୁଁ କାନ୍ଦିବି କାହିଁକି ?

 

ଚୁଲିଟା ଜଳି ଉଠିଲାଣି । ଖୁବ୍‍ ଜୋରରେ । ଭାତ ହାଣ୍ଡରେ ପାଣିପୁରେଇ ତଳେ ଥୋଇ ଦେଇ ଆସିଚି । ଚାଉଳ ତ ଏପର୍ଯ୍ୟନ୍ତ ଧୁଆ ହୋଇନି ? ପାଣୁଆ ଥାଉ ସେଠି ମଜାରେ । ତାକୁ ତ କାମ କରିବାକୁ ହେବ । ଉଠି ଛିଡ଼ା ହେଲା ।

 

ପିଣ୍ଡାଟାରେ ବାବୁ ବସିଛନ୍ତି । ମୁହଁରେ ଦାମିକା ସିଗାରେଟ । ଓଠ କଣରେ ଗୋଟିଏ ଛୋଟ ହସ ରେଖା । ଚଇ ଅପଦସ୍ତ ହେଲା । ଗରମ ପାଇଁ ଦେହରୁ ଲୁଗା ଖସେଇ ଦେଇଥିଲା । ସେଇ ଆଡ଼କୁ ଭକୁଆଙ୍କ ପରି ଚାହିଁ ରହିଥିଲେ ବାବୁ । ଗୋଟାପଣେ ଗିଳି ଦେବେକି ଆଉ ? ରୋଷେଇ ଘରକୁ ପସି ଯିବାକୁ ଚେଷ୍ଟା କରୁଥିଲା ଚଇ । ବାବୁ ଡାକିଲେ, ଚଇ ଶୁଣିଲୁ ।

 

ଛାତି ଥରିଲା । ବାବୁଟା ବଡ଼ ବେହିଆ । କିଛି କଥା ନ ଥିଲେ ବି ଡାକେ । ଯେତେକ ବାଜେ ଗପ । ‘ତୁ ସୁଂଦର । ତୋ ଝିଅ ସୁଂଦର ’ । ଆଜି ପୁଣି କଣ କହିବ କେଜାଣି । ଲାଜ ସରମକୁ ପୋଡ଼ି ଖାଇଲାଣି କୁଆଡ଼େ । ଚମ୍ପା, ଗୋରି କଥା ଜାଣେ । ସମସ୍ତଙ୍କୁ ଏମିତି ମିଠାଳିଆ କଥାକହି ମରଣ ମୁହଁକୁ ଟାଣି ନେଇଚି । ତାକୁ ବି ଟାଣି ନେବାକୁ ଚେଷ୍ଟା କରୁଚି ।

 

ଜାଣିଲା ଦିନୁ ସାବଧାନ ହେଇଚି ଚଇ । ବେଶି ପାଖକୁ ଯାଏନା । ଦୂରେଇ ଠିଆ ହୁଏ-। କାମର ବାହାନା ଦେଖେଇ ଚାଲିଯାଏ । କାରଣ ସେ ମରିବାକୁ ଚାହେଁନା । ଗୁଜି ଅନାଥ ହେଇଯିବ ଯେ । ଗୁଜିକୁ ଏମିତି ଅବସ୍ଥାରେ ଛାଡ଼ିଗଲେ ଉପରେ ପାଣୁ କଣ କହିବ ? ଅଭିମାନ କରିବ । କୋଳକୁ ନେବନି । କହିବ, ଆଉ କିଛି ଦିନ ବଞ୍ଚି ପାରିଲୁନି ଯେ ନିଜେ ନିଜେ ବାଟ କଢ଼େଇ ଚାଲି ଆସିଲୁ ? ମୋର କଣ ତୋତେ ସାଥିରେ ଆଣିବାର ଇଚ୍ଛା ନ ଥିଲା ? ଖାଲି ଗୁଜି ମୁହଁକୁ ଚାହିଁ ଛାଡ଼ି ଆସିଥିଲି । ଗୁଜି ଯେ ଆମ ବଂଶର ଶେଷ ସଂତକ । ତାରି ପାଇଁ ତୁ ବଞ୍ଚିଥାନ୍ତୁ । ତୁ କଣ କଲୁ ?? ମରଣକୁ ବାଟ କଢ଼େଇ ଆଣିଲୁ ?

 

ହାଡ଼ିଆ ଥିଲେ ତାର କାତେ ବଳ । ବାବୁକୁ ଡର ନ ଥାଏ । ହାଡ଼ିଆର ସେ ଦମ୍ଭିଲା ବାଡ଼ିଖଣ୍ଡ ଦେଖିଲେ ବାବୁ ନରମି ଯା’ନ୍ତି । ହାଡ଼ିଆ ଦୁଇଦିନ ହେଲାଣି ଆସିନି । କୁଆଡ଼େ ବାବନା ଭୂତ ପରି ବୁଲୁଛି । ଗୁଜିକୁ କଣ ସିଏ ଭଲ ପାଏନା ? କିଏ କହିଲା ? ସେ ତାକୁ ଭଲପାଏ । ଜୀବନ ଦେଇ ଭଲପାଏ । ନିଜେତ ସିଏ ମନା କରିଚି ଆସିବାକୁ ।

 

ମନେ ମନେ ଖୋଜୁଥିଲା ହାଡ଼ିଆକୁ । ଏଇନେ ଟିକକ ପାଇଁ ଆସି ଯାଆନ୍ତା କି ? ନାଁ ସେତ ନାହିଁ । ଥିଲେ ସେଇ ଝର୍କା ପାଖରେ ବସି ପିଙ୍କା ଟାଣୁଥାନ୍ତା । ଛାତିଟାକୁ ଜାକି ଖ ଖ କାଶୁଥାନ୍ତା । ସେ ନାହିଁ । କୁଆଡ଼େ ବୁଲୁଚି ବୋଧେ । ବାବୁଙ୍କ ପାଖକୁ ଯିବ କେମିତି ? ମଦୁଆଙ୍କୁ କି ବିଶ୍ୱାସ । ବାହାନା ବତେକ ଦୂରେଇ ରହିବାକୁ ଚେଷ୍ଟା କଲା । କହିଲା, ଚୁଲିଟା ପରା ଜଳିଲାଣି ଏଇନେ ଲିଭିଲେ ଆଉ ଜଳିବନି ? ଚାଉଳ ପକେଇନି ପରା ?

 

ଚଇ ଚାଲିଗଲା ଭିତରକୁ ।

 

ବାବୁ ପଛେ ପଛେ ଉଠିଗଲେ ରୋଷେଇ ଘର ଦୁଆର ମୁଁ ପାଖକୁ । ଚାଉଳ ଛାଣି ପକୋଉଛି ଚଇ । ବାବୁ ପଛରେ । ଛାତିଟା ଦାଉଁ ଦାଉଁ ପଡ଼ିଲା ଉଠିଲା । କି ଅସଭ୍ୟ ମ ଏଇଟା ? ହାଡ଼ିଆ’ଇ ହେଲେ ଏଇନେ ଆସନ୍ତା । ଜାଣି ଜାଣି ବାବୁଙ୍କ ଅଲକ୍ଷରେ ଦି ମୁଠା ପାଣି ଛିଞ୍ଚି ଦେଲା । ପୁଣି ଯୋଉ ଧୁଆଁକୁ ସେଇ ଧୁଆଁ । ଭାବିଲା ବାବୁ ଚାଲିଯିବେ ବୋଧେ ।

 

ସେଇଠି ବାବୁ ବସି ପଡ଼ିଲେ । ଧୁଆଁ ଚାଲିଗଲା ଉପରେ । ପୁଣି ଜଳି ଉଠିଲା ଚୁଲି । ଧୁଆଁର ବାଦଲ ନାହିଁ । ପ୍ରଖର ସୂର୍ଯ୍ୟ କିରଣ । ବାବୁ ପଚାରିଲେ, ତୁ ମୋତେ ଘୃଣା କରୁ ନା ଲୋ-??

 

ପାଟିକୁ କଥା ଆସୁନି । ଏ ପ୍ରଶ୍ନର କି ଉତ୍ତର ଦେବ । ଛାତିଟା ଆହୁରି ଜୋରରେ ପଡ଼ୁଚି ଉଠୁଚି । ବାବୁ ପାଠ ଉପରେ ଖୁବ୍‍ ରାଗୁଥିଲା ଚଇ । କି ପାଠ ପଡ଼ିଚି ଏଇ ? ଇୟା ଅପେକ୍ଷା ପାଣୁଆ ହାଡ଼ିଆ କେତେ ଭଲ ?

 

‘‘କଣ ଚୁପ୍‍ ରହିଲୁ ଯେ ।’’ ବାବୁ ପଚାରିଲେ । ‘‘ସମସ୍ତେ ଏମିତି କାହିଁକି ମୋତେ ଭୁଲ୍‍ ବୁଝନ୍ତି କେଜାଣି ? ଆର ଜନ୍ମରେ ବୋଧେ ମୁଁ ବହୁତ ପାପ କରିଥିଲି ।’’

 

ପାଣି ଆଣିବାର ବାହାନାରେ ବାହାରକୁ ଚାଲିଯିବାକୁ ଚେଷ୍ଟା କରୁଥିଲା ଚଇ । ବାଲଟିଟା ଭିଡ଼ି ଧରିଲେ ବାବୁ । ବାଲଟିଟା ଛାଡ଼ି ଦେଇ ବାହାରକୁ ଚାଲିଆସିଲା ଚଇ । ମନ ହେଉଥିଲା କହି ଦିଅନ୍ତା, ଏ ଜନ୍ମରେ ଯେଉଁ ପାପ କଲୁଣି ଆର ଜନ୍ମରେ ଏ ଗୋଡ଼ ହାତ ରହୁଚି କି ନାଇଁ । ଆଉ ଭୁଲ୍‍ ବୁଝୁଛନ୍ତି କଣ ?

 

ବାଲଟିଟା ରଖିଦେଇ ଚଇ ପଛେ ପଛେ ବାହାରକୁ ଚାଲି ଆସିଲା । ବାବୁ କହିଲେ, ମୋତେ ଏ ସବୁ ଭଲ ଲାଗେନା । ଏକୁଟିଆ ଯାଗାରେ ଟିକେ ଗପସପ କରିବାକୁ ବାହାରିଲା ବେଳକୁ ତୋର ଏଇ ମୁହଁ ଛିଞ୍ଚାଡ଼ିଆ କଥା ଭଲ ଲାଗେନା । ପଦେ କଥା କହିବାକୁ ତୋ ମୁହଁ କଣ ଘୋରି ଯାଉଛି ?

 

କୁତ୍ରିମ ହସ ଫୁଟେଇ ଚଇ କହିଲା, ତା ନୁହେଁ ଯେ ବାବୁ । କାମ କଲାବେଳେ ମୋତେ କଥାବାର୍ତ୍ତା କରିବାକୁ ଭଲଲାଗେନା ।

 

ତେବେ କାମ ଥାଉ ପଛରେ ହେବ । ବସ ଟିକେ ଗପ କରିବା ।

 

ନା ବାବୁ କାମତ ଆରମ୍ଭ ହେଇନି । ସାରିଲେ ମୁଁ ପୁଣି ଯିବିତ ?

 

ବାବୁଙ୍କ ମୁହଁରେ କେମିତି ଗୋଟେ ବିଭତ୍ସ ହସ ଫୁଟି ଉଠିଥିଲା । ଚଇ ପାଖକୁ ପାଖକୁ ଲାଗି ଯାଉଥିଲେ ସେ । ଚଇ ଥରି ଥରି ଘୁଞ୍ଚି ଯାଉଥିଲା ଟିୟୁବ୍ଓ୍ୱେଲ ଚାନ୍ଦିନି ପାଖୁ । ଠିକ୍‍ ଚାନ୍ଦିନିର ଆରମ୍ଭରେ ଝୁଣ୍ଟିପଡ଼ିଲା ଚଇ । ବାବୁ ବସି ପଡ଼ିଲେ ପାଖରେ । ଚଇ ଉଠି ଦଉଡ଼ି ଯିବାକୁ ଚେଷ୍ଟା କରିଥିଲା । କାନିଟାକୁ ଟାଣି ଧରିଲେ ବାବୁ । ‘ବାବୁ’ ହାଡ଼ିଆ ରେଲିଂ ସେପାରିରେ ଡାକୁଚି ।

 

କାନିଟାକୁ ଛାଡ଼ି ଦେଲେ ବାବୁ । ହାଡ଼ିଆକୁ ତାଙ୍କର ଡର । ଖୁବ୍‍ ହୁଣ୍ଡାଟାଏ । ଆଗା ନାହିଁ; ପିଛା ନାହିଁ । କହିଲେ, କୁଆଡ଼େ ଚାଲି ଆସିଲୁ । ପଛରେ କହିଥିଲେ ହେଇ ନ ଥାନ୍ତା ?

 

ରୋଷେଇ ଘର ଭିତରକୁ ପଶିଯାଇ କାନ୍ଦୁଥିଲା ଚଇ । ମନ ହେଉଥିଲା ହାଡ଼ିଆ’ର ଗୋଡ଼ତଳେ ପଡ଼ିଯାଇ କ୍ଷମା ମାଗନ୍ତା । ହାଡ଼ିଆ’ଇ ମଣିଷ ନୁହେଁ ଦେବତା । ସେ ଆଜି ନ ଥିଲେ...-

 

ଦାଣ୍ଡରେ ବାବୁଙ୍କର ପାଟି ଶୁଭୁଥିଲା କାହାକୁ ଗାଳି ଦେଲା ପରି ।

 

ଛୋଟା ଛେଳି ଛୁଆଟାକୁ ଉଠାଇ ଆଣିଲା କୋଳକୁ । କେଡ଼େ ସୁନ୍ଦର ହେଇଛି । ଛୋଟାଟାଏ । ଦୌଡ଼ି ପାରୁନି । ପଛରେ ପଡ଼ି ଯାଉଚି । ଅନ୍ୟଦିଟା ଭାଇ ତାର ମାଡ଼ିବସି ଖାଇ ଯାଉଛନ୍ତି । ଏକା ପଛରେ ରହିଯାଉଚି ଛୁଆଟି । ପେଟ ଜଳୁଚି । କେତେ ସମୟ ବା ଅପେକ୍ଷା କରାଯାଇପାରେ । ମା’ଟି ଅନ୍ୟ ଛୁଆ ଦିଟାକୁ ନେଇ ଚାଲିଯାଇଚି ପତର ଗୋଟିଏ ପାଇଁ । ପଡ଼ି ରହିଚି ଛୁଆଟି । ଏଇତ ସଂସାର ?

 

ଛୁଆଟି ଆଶରା ପାଇଲାଣି ମେଁ ମେଁ ହେଇ ସେ ଆଉ ତାର ମା’କୁ ଖୋଜୁନି । ହାଡ଼ିଆର ହାତ ଚାଟିବାକୁ ବସିଲାଣି । ହାଡ଼ିଆ ଉଠିଗଲା ଭିତରକୁ । ଶିକାରେ ଥୁଆହୋଇଛି କେଉଁ ଦିନର ସେମେଟା ମୁଢ଼ି ଗଣ୍ଡାଏ । ଦେଲା ଛୁଆଟିକୁ । କେଡ଼େ ଆନନ୍ଦ ସେ । ଲାଙ୍ଗୁଡ଼ଟି କୃତଜ୍ଞତାର ଚିହ୍ନ ସ୍ୱରୂପ ହଲେଇ ହଲେଇ ମୁହଁକୁ ଚାହିଁ ରହିଲା । ଆହୁରି ଦି ଏତିକି ଦେଲେ ଏ ପେଟଟାରେ ପସିଯାଆନ୍ତା ।

 

ଭଙ୍ଗା ଗୋଡ଼ଟିକୁ ଆଉଁସିବାକୁ ଚେଷ୍ଟା କଲା ହାଡ଼ିଆ । ସେ କଣତାର ପେଟ ପୁରେଇ ପାରିବ ? ନିଜେତ ସେ ପାଏନି ମୁଠେ । ସେ କେମିତି ଅନ୍ୟର ପେଟ ପୁରେଇବ ? ଦୁଃଖ ଲାଗିଲା-। ଚାହିଁଲା ଖଣ୍ଡିଆ ହାତକୁ । ଯଦି ଏଇଟା ଥା’ନ୍ତା... । କାମ କରିଥା’ନ୍ତା ମାଟି ଖୋଳିଥା’ନ୍ତା-। ସିଏ ଖା’ନ୍ତା । ଛୁଆଟାକୁ ବି ଖୁଆନ୍ତା ସେ ଅକର୍ମଣ୍ୟ । ମାଟି ତାଡ଼ି ଖାଇବାର ସୌଭାଗ୍ୟ ତାର କାହିଁ-?

 

ଯାଇଚି ଭଲ ହେଇଚି । ଥିଲେ ଲାଭକଣ ହେଇଥାନ୍ତା । ପାଣୁଆରତ ପୁଣି ଏମିତି ଦିଟା ମୃଦଗର ପରି ହାତ ଥିଲା ? ସେ କଣ ପାରିଲା ? ଚଇ ପରି ସ୍ତ୍ରୀତ ଆସି ଛତରରେ ମିଶିଲା ?

 

ଚଇ, ତାକୁଇ ନେଇ ଦିନେ ସ୍ୱପ୍ନର କୋଣାର୍କ ଗଢ଼ୁଥିଲା ସେ । କଣ ମୁଣ୍ଡି ମାରି ପାରିଲା-? ପାଣୁଆ ମାରିଲା ମୁଣ୍ଡି । ସବୁ ଗୌରବ ତାରି । ସେ ଅଯୋଗ୍ୟ । ଖାଲି କାଳିମାଟି ଆଉ ଭଲପାଇବାର ସ୍ମୃତିଟା ରହିଗଲା । ତାକୁ କଣ ଲିଭେଇ ପାରିବ ?

 

ଚଇ ତାକୁ ଅବିଶ୍ୱାସ କରୁଚି । କାହିଁକି ? ଏତେଦିନର ମିଳାମିଶା ପରେବି ସେ କଣ ଜାଣି ପାରିଲାନି, ତାର ହାଡ଼ିଆ’ଇ ର ହୃଦୟ ? ‘ତା ହାଡ଼ିଆଇର କଣ ଖାଲି ଦେହ ଅଛି ? ଦେହକୁ ପାଇବାକୁ ଇଛା କରୁଚି ? ତା ଛଡ଼ା ତାର ଆଉ କିଛିନାହିଁ ? ସେକି ହୃଦୟହୀନ ? ଜଣକର ହୃଦୟକୁ ଭଲ ପାଇବା କଣ ପାପ ?

 

ଏମିତି କାହିଁକି ଭାବିଲା ସେ ? କୋଉଠିତ ଭୁଲ କରିନି ସେ । ବାବୁ ହାତରୁ ବଞ୍ଚେଇ ବାକୁ ଛାଇ ପରି ପଛେ ପଛେ ଲାଗିଥିଲା । ଏଇଟା କଣ ତାର ଭୁଲ ? ଆଜି ସିଏ ନଥିଲେ...... । ତେବେ ସେ କଣ ବାବୁଙ୍କୁ ଭଲପାଏ ? ସେଇଥିପାଇଁ ତାକୁ ବାଟରୁ ହଟେଇ ଦେବାକୁ ଚାହେଁ ?? ନା ନା ଅସମ୍ଭବ । ଏମିତି ପାପଚିନ୍ତା କରିବା ତାର ଉଚିତ ନୁହେଁ । ସେ ଭୁଲକଲା ବୋଲି ତାର ଭୁଲ କରିବାର ତ କିଛିମାନେ ନାହିଁ ? ଚଇ ଶୁଦ୍ଧ, ପବିତ୍ର ନିଷ୍ପାପ, ନିଷ୍କଳଙ୍କ ।

 

ଗୁଜି, କେଡ଼େ ସୁନ୍ଦର ଛୁଆଟେ । ପେଟେଇଲାଣି । ଆଉ କିଛିଦିନ ପରେ ଗୁରୁଣ୍ଡିବ । ଠିଆହବ । ପୁଣି ସ୍କୁଲକୁ ଯିବ । ତାପରେ..... । ଛୁଆଟା କଣ ଦୋଷକଲା ? ଚଇ ଠିକ୍‍ କରିଚି । ଗୁଜିକୁ ଛଡ଼େଇ ନେଇଚି ତା ପାଖରୁ । କାହିଁକି ରଖନ୍ତା ସେ ? ତାରତ ତା ଉପରେ କିଛି ଅଧିକାର ନାହିଁ ? ସେ ତ ସାତ ପର । ପାଣୁଆର ଝିଅ ସିଏ । ତାକୁ ଧରିବ କାହିଁକି ? ଗୁଜି ଉପରେ ତାର କି ଅଧିକାର ଅଛି ?

 

ଆଖିରେ ଲୁହ ଜମି ଆସୁଚି । ଗାମୁଛାରେ ପୋଛି ଦେଲା ।

 

ଛୁଆଟା ଆରାମରେ ଶୋଇଚି କୋଳରେ । ପେଟରେ ଗଣ୍ଡେ ମୁଢ଼ି ପଡ଼ିଚି ତ । ଉଠେଇ ଦେବାକୁ ଇଚ୍ଛା ହେଉନି । ଏଇ ହେବ ତାର ଗୁଜି । ୟାକୁଇ ଆଉଁସି ଗୁଜିର ସ୍ନେହ ପାଇବ ? ଛେଳି ଛୁଆଟି ମୁହଁ ବୁଲେଇ ଛାତିର ବାଳ ଭିତରେ ମୁହଁ ଗୁଞ୍ଜିଲା । ଠିକ୍ ଏମିତି ଗୁଜି ଗୁଞ୍ଜେ । ମୁଠା ମୁଠା ବାଳ ଧରି ଝିଙ୍କେ । ସେ ଦିନ ଓହୋ ‘ଓହୋ ମରିଗଲି ମରିଗଲି’ ହୁଏ । କିନ୍ତୁ ତାରି ଭିତରେ କି ଆନନ୍ଦ ! ଗୁଜି ହସେ ।

 

ଗୁଜି ପାଖରେ ନାହିଁ । ଅଛି ଛେଳି ଛୁଆଟା । କେଡ଼େ ସୁନ୍ଦର ଏଇ । ସବୁ ଛୁଆ କଣ ଏମିତି ? ଭଗବାନଙ୍କ ସୃଷ୍ଟିରେ ଏଇତ ବି ଗୋଟେ ବୈଚିତ୍ର୍ୟ । କୋଳ ଖାଲି କରିବାକୁ ଚାହାଁନ୍ତିନି ବୋଧେ । ଗୋଟିଏ ଗଲେ ଆଉ କିଛି ଦେଇ ଭର୍ତ୍ତି କରନ୍ତି ।

 

ଛୁଆଟାକୁ ଟେକିଲା ମୁହଁ ପାଖକୁ । ଗେଲ କଲା । ସତେ ଯେମିତି ମଣିଷ ଛୁଆ । ଛୁଆଟାବି ମେଁ ମେଁ ହୋଇ ଆହୁରି କୋଳକୁ ଲାଗିଗଲା । ସେ ଅନୁଭବ କରୁଥିଲା ପିତୃତ୍ୱର ଆନନ୍ଦ-

 

ପୃଥିବୀଟା ନିଜ କକ୍ଷରେ ଘୁରି ଆସିଲାଣି ଖୁବ୍ ଚଞ୍ଚଳ । ଏତେ ଚଞ୍ଚଳ ତିନିଶହ ଷାଠିଏ ଦିନ ହୋଇ ଗଲାଣି ବୋଲି ଚଇକୁ ଜଣା ପଡ଼ୁଥାଏ । ବାବୁଙ୍କ ପତଳା ସାର୍ଟ ଗୁଡ଼ାକ ସର୍ଫରେ ବୁଡ଼େଇ ଧୋଇ ଧୋଉ ଭାବୁଥାଏ ଅନେକ କିଛି । ଆଜି ରଜ । ପହିଲି ରଜ । କାଇଁ ‘‘ବନସ୍ତେ ଡାକିଲା ଗଜ’’ ତ ଶୁଭୁନି ? କୁଆଁରୀ ଝିଅ ମାନଙ୍କର କଠୋଉ ପିନ୍ଧା ଖଟ୍‍ଖଟ୍ଆଜି କୁଆଡ଼େ କେଉଁ କୋଣରେ ମିଳାଇ ଯାଇଚି ।

 

ଏଠୁ ଆଗରେ, ଖୁବ୍‍ ଦୂରରେ, ଯେଉଁଠି ଆକାଶଟା ପୃଥିବୀ ଉପରେ ଭାଙ୍ଗିପଡ଼ିଲାପରି ଜଣାପଡ଼େ, ଗୋଟେ ପୋଡ଼ା ଗଛଟାଏ ଦେଖା ଯାଉଚି ସେଇଠି କଟେଇଥିଲା ତାର କୁଆଁରୀ ଜୀବନ । ସେଇଠି ଥାପୁଡ଼େଇ ଥାପୁଡ଼େଇ ସେ ସପନର କେତେ ବାଲିଘର ନତୋଳିଚି ? ହେଲେ କିଛି ରହିଲା ? ଖାଲି ଟିକିକ ପାଇଁ ବାଲିକଙ୍କଡ଼ା ପରି ଦେଖାଦେଇ ଲୁଚିଗଲା ? ଭୁଷୁଡ଼ି ଗଲା ଦୁଲ୍‍କିନା ? ତାକୁ ଧରିକଣ ରଖିପାରିଲା ?

 

ବାରିଟାର ଦିଟା ସାଗ ପଟାଳି, ଗୋଟେ ଶଳିଆ ପଟାଳି ଡେଇଁଗଲେ ସେକଡ଼କୁ ପଣସ ଗଛଟା । ସେଇଠି ବନ୍ଧାହୁଏ ଦୋଳି । ରଜଦୋଳି । ପଟାଦୋଳି । ତଳେ ତେନ୍ତୁଳି ଖିଲାଣ । ନଇଁଯିବ ପଛେ ଭାଙ୍ଗିବନି । ଡାକଟାରେ ନଡ଼ା ଗୋଟେ ପରସ୍ତ । ତାପରେ ଅଖା । ତାଉପରେ ଝୁଲୁଚି ଦୋଳି । ଦୋଳିଟାର କେଁ କେଁ ଶବ୍ଦଟା ଭଲଲାଗେ ନା ?

 

ମଝିରେ ବସିଚି ଚଇ । ଗୋଟେ ପଟେ ହାଡ଼ିଆ । ଅନ୍ୟପଟେ ସାକର ଆଉଗୋଟେ ଟୋକା ଦୋଳି ପହଞ୍ଚୁଛି । ପୃଥିବୀଟାକୁ ଦିଭାଗ କରି ଦୋଳି ଉଠୁଚି । ତଳକୁ ଚାହିଁଲେ ପାତାଳ । ଉପରେ ଆକାଶ । ତିନିଟା ଶରୀର ଯେମିତି ତାରି ଭିତରେ ଝୁଲୁଛନ୍ତି । ମନ କହୁଚି, । ଝୁଲରେ ହାତୀ ଝୁଲ...... ।’’

 

ଛାତି ଥରୁଚି । ପାପ ଛୁଉଁଚି ମନ । କାହିଁକି ଏମାନଙ୍କ ସାଥିରେ ବସିଲା । ଏଇନେ ଯଦି ପଡ଼ିଯାଇ ଛୋଟି ହେଇଯାଏ..... ? ମୁଣ୍ଡଯଦି ଫାଟିଯାଏ..... ? ଆକ୍ଷି ପଡ଼ିଲା ତଳକୁ । ପୃଥିବୀଟା ଘୁରୁଚି । ଖୁବ୍‍ ଜୋରରେ ଏଇ ମୁଣ୍ଡଟା ଘୂରେଇବାକୁ ଆରମ୍ଭ କଲାଣି ଆକ୍ଷି ବନ୍ଦ ହେଇଗଲା । ତାପରେ ........

 

ନିଜକୁ ତାପରେ ସେ’ ଆବିଷ୍କାର କରିଥିଲା ଖଟଉପରେ । ଦଉଡ଼ିଆ ଖଟ ଉପରେ ହାଡ଼ିଆ’ଇ । ଚେତା ଆସିଲା ପୃଥିବୀଟା ସେମିତି ଘୂରିଲା ପରି ମନେ ହେଉଚି । ସତରେ କଣ ଘୂରୋଉଚି ? ମୁଣ୍ଡ ଆଉଁସି ଦେଉ ଦେଉ ବୋଉ ପଚାରିଲା । କଣ ଲାଗୁଚି ?

 

କିଛି କହିପାରିଲାନି ଚଇ । ଦେହ ଥରୁଚି । ଯେତେଚେଷ୍ଟା କଲେବି କହି ହେଉନି । ସତେ ଯେମିତି ସେ ମୁକ । କେଭେ କଥା କହିନି । ଛୁଆ ଦିନର ଖଣ୍ଡି ଖଣ୍ଡି କଥାକହି କାହାର ମନ ନେଇନି ସେ । ଖଟର ବାଡ଼ା ଧରି ଉଠିବାକୁ ଚେଷ୍ଟାକଲା । ହାଡ଼ିଆ ଯବରଦସ୍ତ ଶୁଆଇ ଦେଉ ଦେଉ କହିଲା, ତୁ ତ ନିଜ ଗୁଣରୁ ପଡ଼ିଲୁ ସମସ୍ତଙ୍କୁ ଗାଳି ଖୋଇଲୁ ଆଉକଣ ଉଠୁଚୁ ସମସ୍ତଙ୍କ ମୁଣ୍ଡ ଫଟେଇବୁ ବୋଲି ?

 

ଚଇ ଶୋଇ ପଇଲା । ତା ଲାଗି ହାଡ଼ିଆ’ଇ ଗାଳି ଖାଉଚି କାହିଁକି ? ତାର କଣ ଦୋଷ-? ବରଂ ହାଡ଼ିଆଇ ନଥିଲେ ସେ ତ ସେ ପୁରକୁ ଯାଆନ୍ତାଣି ? ଭଙ୍ଗା କଣ୍ଢେଇଟା । ସଁ ପୁର ଯାତରାରୁ କିଣିଥିଲା । ସେ ମୂର୍ତ୍ତୀଟା ସେମିତି ହସୁଚି । ଓଠ ପାଖେ ବଇଁସିଟା ଲାଗି ରହିଚି ଘଡ଼ି ଘଡ଼ି ସାଥେ ବିଜୁଳି ପରି । ଛନ୍ଦାୟୀତ ପଦ ଯୁଗଳ । ରାଧାପାଇଁ ବ୍ୟାକୁଳ ନୟନରେ ଚାହିଁ ରହିଚି ମୂର୍ତ୍ତୀଟା । ରାଧା ଆସିଲେ କଦମ୍ୱ ମୂଳକୁ । ତା ପରେ...

 

ସତେ କୃଷ୍ଣ କେଡ଼େ ଭାଗ୍ୟବାନ । ରାଧା ପରି ପ୍ରେମିକା ତାଙ୍କର ଥିଲା । ରାଧା ତାର କର୍ତ୍ତବ୍ୟରେ କେବେ ହେଳା କରିନି । କୃଷ୍ଣଙ୍କୁ ଖୁସି କରିବାପାଇଁ ନିଜ ହୃଦୟର ସମସ୍ତ ସଂଚିତ ପ୍ରେମ ସୁଧାକୁ ଓଜାଡ଼ି ଦେଇଛି ତାଙ୍କରି ପାଦତଳେ । ଆଉ ସେ ? ତାରିପାଇଁ ହାଡ଼ିଆ ଗାଳି ଖାଉଚି ଇୟାଠୁଁ ତାଠୁଁ । ସମସ୍ତଙ୍କର ନାସିକା କୁଞ୍ଚନ ଦେଖିବାକୁ ପଡ଼ୁଚି ତାକୁ । କାହିଁକି ସହୁଚ ସେ ସେସବୁ ? ସେ କଣ ତାକୁ ସୁଖି କରି ପାରିବ ? ଆଖିରୁ ବୋହୁଥିଲା ଦିଧାର ଲୁହ ।

ଚଇ ବାପା ଯାଇଛନ୍ତି ବାଇଦ ଡାକି । ବୋଉ ଉଠିଗଲେଣି ପଥି ତିଆରି ପାଇଁ ହାଡ଼ିଆ ଲାଗିଗଲା ମୁଣ୍ଡପାଖକୁ । ଲୁହ ଦି ଧାରକୁ ପୋଛୁ ପୋଛୁ ଡାକିଲା ଚଇ ?

ଚଇ ଆଖି ଖୋଲିଲା । ମୁଣ୍ଡ ଆଉଁସୁଛି ହାଡ଼ିଆ । ଉତ୍ତରପାଇ ମେଘକନ୍ୟା ଆହୁରି ଯୋଗରେ କାନ୍ଦି ଉଠିଲା । ହାଡ଼ିଆ କହିଲା ଦେଖ ଚଇ ତୁ ଯଦି ଏମିତି କାନ୍ଦିବୁ କିଛି କହିବୁନି ତାହାଲେ ମୁଁ ଆଉ ଆସିବିନି ।

ଆଉ ଆସିବୁନି ?

କେମିତି ଆସିବି । ତୁ ତ ମୋତେ ଦେଖିଲେ ବେଶି କାନ୍ଦୁଚୁ ।

ମୋର କଣ ହେଇଚି ହାଡ଼ିଆଇ ?

କଣ ହବ ମ ? ତ ଏମିତି ଛଟଉଚୁ ନା... ?

ସତେତ ? ସେ ଏମିତି ଛଟଉଚି କାହିଁକି ? ହସିଲା ? କଳା ବାଦଲ ଭିତରେ ସରୁ ବିଜୁଳି ରେଖାଟିଏ ଯେମିତି । ହାଡ଼ିଆ ଆତ୍ମତୃପ୍ତିରେ କୁରୁଳି ଉଠିଲା । ତେବେ କଣ ତାରି କଥା ପଦକ ପାଇଁ ଚଇ ଅପେକ୍ଷା କରିଥିଲା । କୋଳକୁ ମୁଣ୍ଡଟି ଉଠାଇ ଆଣିଲା ଆସ୍ତେ । ତାରି କୋଳ ଭିତରେ ଥାଇ ଚଇ ଅନୁଭବ କରୁଥିଲା ଗଭୀର ଆଶ୍ୱସ୍ତ ।

କୁଆଡ଼େ ଗଲା ସେଦିନ ? ସେଇରଜ, ସେଇ ହାଡ଼ିଆର ଅଛି, ତେବେ କଣ ଅଭାବ ରହିଲା ? ସେକଣ ଅପୂରଣୀୟ ? କାଇଁ ହାଡ଼ିଆଇ କାଇଁ ତ ଦେଖା ଯାଉନି ? ନା ସେ ଆସିବନି । ନିଜେତ ସେ ତାକୁ ଫେରେଇ ଦେଇଚି । କଡ଼ା କଡ଼ା କଥା କହି ଅପମାନ ଦେଇଚି ସେଦିନ କେମିତି ହାଡ଼ିଆଇର ମୁହଁ ଖୁବ୍ ମଉଳି ଯାଇଥିଲା । ଆଖିରେ ତାର ଫୁଟିଉଠୁଥିଲା କେମିତି ଗୋଟେ କାତର ଚାହାଣୀ ।

ତାର ଦୋଷ କଣ ?

ଗୁଜିକୁ ଭଲ ପାଉଥିଲା ଏଇ କଣ ତାର ଦୋଷ ?

ସେତ ତାପ୍ରତି କିଛି ଅନ୍ୟାୟ କରିନି । ନିଜକୁ ହାଡ଼ିଆ ବୋଲି ପରିଚୟ ନଦେବାପାଇଁ ବହୁତ ଚେଷ୍ଟା କରିଚି ? ତେବେ ସେ ଭୁଲ୍‍ ବୁଝିଲା ? ତାପାଇଁ କଣ କିଛି କରିନି ସେ ? ସେ ନଥିଲେ ବୋଧେ ଗୁଜିକୁ ଛାଡ଼ି ସେ ଚମ୍ପା, ଗୌରିଙ୍କର ବାଟକୁ ଅନୁସରଣ କରନ୍ତାଣି ।

 

ସେ ଭୁଲ୍ କରିଚି ?

 

ଖୁବଖ ଭୁଲ୍ । ତାକୁ କଣ ସଜଡ଼ା ଯାଇ ପାରେନା ?

 

ପୂର୍ବାକାଶରେ କୃଷ୍ଣଚୁଡ଼ାର ସମସ୍ତ ରଙ୍ଗ ଥାପି ଦୂର ପାହାଡ଼ର ପଛପଟୁ ବାହାରି ଆସୁଛନ୍ତି ସୂର୍ଯ୍ୟ ଦେବତା । ସାତଟା ଘୋଡ଼ା, ଜଣେ ସାରଥି ଏଇ ତାଙ୍କର ସାଥୀ । ପୃଥିବୀ ପର୍ଯ୍ୟଟନ-କାରୀ ସେ । ଘୋଡ଼ା ଛଡ଼ା ଉଚ୍ଛନ୍ନ ହେଲେଣି । ଆଗକୁ ମାଡ଼ିଯିବେ । ଅନ୍ୟ ପାଖରେ ଦେଖାଯାଉଥିବା ସେଇ ପାହାଡ଼ ପର୍ଯ୍ୟନ୍ତ । ସେଠି ପହଁଞ୍ଚିଲା ପରେ ପର୍ବତ ଆରକରେ ରାତିକ ପାଇଁ ବିଶ୍ରାମ ନେବେ । ପରଦିନ ସକାଳୁ ପୁଣି ଆରମ୍ଭ ହେବ ଯାତ୍ରା ।

 

ପାଖକୁ ଲାଗି ଖଣ୍ଡେ ଖଣ୍ଡିଆ ସଉପରେ ଶୋଇଚି ଛେଳି ଛୁଆଟି । ଆଖି ମୁଦି ଖୁବ୍‍ ନିଦରେ ଶୋଇଚି । ଏବେ ଆଉ ମା କୋଳକୁ ଯାଏନା । ହାଡ଼ିଆ କୁଆଡ଼େ ବାହାରିଲେ ଛୋଟେଇ ଛୋଟେଇ ପଛେ ପଛେ ଗୋଡ଼ାଏ । ବୁଲ କୁତି, କ୍ଷୂଧାର୍ତ୍ତ ଶିଆଳ ତାରିଆଡ଼େ ଅନେଇ ରହନ୍ତି । ରାଗରେ ଜଳିଉଠନ୍ତି । ହିଂସା ହୁଏ । ନିଜ ଉପରେ ନିଜର ରାଗହୁଏ । ଖିଙ୍କାରି ଗୋଡ଼ାନ୍ତି । ଛୁଆଟି ମେଁ ମେଁ ହେଇ ଗୋଡ଼ରେ ଛନ୍ଦି ହେଇଯାଏ । ଆଜିକାଲି ଛୁଆଟିର ଭାଷା ବୁଝିଲାଣି ହାଡ଼ିଆ । ଉଠେଇ ନିଏ । ଖଣ୍ଡିଆ ହାତଟାରେ ଜାକିଧରି ଗେଲ କରେ । ବାଡ଼ି ଉଠାଏ । ଅନ୍ୟମାନେ ପଳେଇ ଯାଆନ୍ତି ।

 

ମୁହଁଧୋଇ ଆସିଲା ହାଡ଼ିଆ । ଏତେ ପର୍ଯ୍ୟନ୍ତ ବି ଶୋଇଚି ? କେଡ଼େ ଗଧଟାଏ ମ ? ଛୁଆଦିନେ ଏତେ ଶୁଅନ୍ତି ? ବଡ଼ହେଲେ କଣ କରିବ ? ଉଠେଇ ଦେବକି ? ନା ଥାଉ, ଆଉଟିକେ ଶୋଉ । ଆଉଟିକେ ସପନ ରାଇଜରେ ବୁଲୁ । ଉଠିଲେ ସପନ ଭାଙ୍ଗିଯିବ ଯେ ।

 

ତେଲଟିକେ ଦେହରେ ମାଖି ଦେଇ ଗୁଡ଼ାଖୁ ଟିକେ ଦାନ୍ତରେ ଗେବା ମାରୁ ମାରୁ ବାହାରିଲା ଯୋରକୁ । ଏଇ ଆଗରେ ଯେଉଁଠି ପାଣିମନ୍ଦେ ଅଟକି ରହିଚି । ଯୋଉଠି ଗାଁ ଯାକର ଲୋକ ଗାଧୁଆନ୍ତି । ସେବି ଗାଧେଇବ । କାଇଁ ଏତେ ପର୍ଯ୍ୟନ୍ତ ତ ଛୁଆଟା ଉଠିଲା ନି ?

 

ନାଁ ଏଥର ଉଠେଇଲେ ହେବନି । ଅଳସୁଆ ହେଇଯିବ । ବଡ଼ହେଲେ ଏଇ ଅଲେକ୍ଷଣା ଗୁଡ଼ାଙ୍କ ମୁହଁରେ ନିଜକୁ ବଞ୍ଚେଇବ କେମିତି ? ହଲେଇ ଦେଲା । ଖୁବ୍ଆସ୍ତେ । କାଳେ କଷ୍ଟହେବ । ଭିଡ଼ି ମୋଡି ହୋଇ ଉଠିବାକୁ ଆରମ୍ଭ କଲା ଛୁଆଟି । ହାଡ଼ିଆ କହିଲା, କେଡ଼େ ଅଳସୁଆଟାଏ ମ । ବଡ଼ ହେଲେ ଜୀବନରେ କଣ କରିବୁ । ଛି ଛି ଏଡ଼େ ବେପରୁଆଟାଏ । ଗଧଘରେ ଜନମ ହେଲୁନି କାହିକି କେଜାଣି । ପୁଣି ଗୋଟେ ପୁଅ ହେଇଚି ?

 

ଛୁଆଟି ବୁଝିପାରିଲା ବୋଧେ । କେଡ଼େ ଭୁଲଟାଏ ସେ କରିନି ସତେ ? ଦିନ ଘଡିଏ ହେଲାଣି । ଖରା ଉପରକୁ ଉଠିଲାଣି । ତେବେବି ଶୋଇଚି । ମେଁ ମେଁ ହେଇ ଗୋଡ଼ ଚାଟିଲା । କୋଳକୁ ଉଠାଇ ଆଣି ଗେଲକଲା ହାଡ଼ିଆ । ଆଉଁସିଲା । ଚୁମାଦେଲା । ଗାଲକୁ ଛୋଟ ଚାପୁଡ଼ାଟାଏ ମାରି କହିଲା, ହଇରେ ଏମିତି ହୁଅନ୍ତି ? ଦିନ ଆସି କେତେ ହେଲାଣି କହିଲୁ ? ସକାଳୁ ଉଠିସିନା ଦୌଡ଼ା ଧାପଡ଼ା କଲେ ଦିହରେ ବଳହେବ ? ତୁ ତ ଏତେବେଳ ଯାଏ ଶୋଇବୁ, ଆଉକଣ ହେବକହିଲୁ ?

 

ଡାକ୍ତର ବାବୁ କହିଛନ୍ତି ତେଲ ଘଷିଲେ ତାର ଗୋଡ଼ ଭଲ ହେଇଯିବ । ସେଇଦିନୁ ସକାଳୁ ସବୁଦିନ ତାକୁ ତେଲଘଷେ ହାଡ଼ିଆ ।

 

ଠଣାରୁ ଶିଶିଟା ଭିଡ଼ି ଆଣିଲା । ପତର ଠିପିଦିଆ ଶିଶିଟା ଡାକ୍ତର ବାବୁଙ୍କୁ କେତେ ନେହୁରା ହେଇ ଓଷଦ ଟିକେ ଆଣିଚି । ଡାକ୍ତର ବାବୁ କହିଛନ୍ତି, ବ୍ୟସ୍ତ ହେବା ଦରକାର ନାହିଁ । ମାସକ ଭିତରେ ଗୋଡ଼ ଭଲ ହେଇଯିବ । ସେଇ ଦିନୁ ସବୁ କାମ ଛାଡ଼ି ସକାଳେ ସନ୍ଧ୍ୟାରେ ତେଲ ଘଷି ବସେ ହାଡ଼ିଆ । ଖୁବ୍ ଆସ୍ତେ । ତେଲକୁ ମିଞ୍ଜେଇ ମିଞ୍ଜେଇ କାଳେ କାଟିବ ତାକୁ ।

 

ଚଇ ଉପରେ ହିଂସା ହେଉଥିଲା । ରାଗମାଡୁ ଥିଲା । ମନଟା କେମିତି ଗୋଟେ ଅସହ୍ୟ ଯନ୍ତ୍ରଣାରେ ଜଳି ପୋଡ଼ି ଯାଉଥିଲା । ମନ ହେଉଥିଲା ତାକୁ ଭିଡ଼ିଆଣି ଦେଖେଇ ଦିଅନ୍ତା । ଦେଖ ଚଇ ତୋ ଗୁଜି ସୁନ୍ଦର ନା ମୋ ଛୁଆ ସୁନ୍ଦର । ସେଦିନ ପରା ଗୁଜି ପାଇଁ ବାରକଥା କହୁଥିଲୁ । ଅବିଶ୍ୱାସ କରି କ୍ରୋଧର ହୋମ କୁଣ୍ଡରେ ମୋତେ ଆହୁତି ଦେବାକୁ ବାହାରି ଥିଲୁ ? ଦେଖ ଆଜି ସେଇ କୁଣ୍ଡରୁ କେମିତି ଏଇ ଛୋଟାଟିକୁ ଚରୁ ରୂପେ ମୁଁ ପାଇଚି । ଆଉ କିଛି କହିବୁ ? ଲଜ୍ୟାରେ ମୁଣ୍ଡ ନୁଆଁଇ ନେବ ସେ ।

 

ତେବେ ବି ଗୁଜିକୁ ସେ ଭୁଲି ପାରିନି । ତାର ସେ ରଙ୍ଗିଣି ଫୁଲ ପାଖୁଡା ଭଳି ଓଠ ଦୁଇଟିରୁ ଝରି ପଡ଼ୁଥିବା ହସ ଗୁଚ୍ଛଟି, ତାର ସେଇ ହାତ ଗୋଡ଼ବାଡେଇ ‘ତା ତା’ ଡାକ । ଏବେ ବି ମନେ ପଡ଼େ । ତାର ଦାଢ଼ି ଟଣାରେ ଥାଏ କେମିତି ଗୋଟେ ଆକର୍ଷଣ । ତାକୁ ସେ ଭୁଲିବ କେମିତି-?

 

ଏଇ କେଇ ଦିନ ହେଲା ସେ ବାବୁ ଘରକୁ ଯାଇନି । ରାଗରେ ନୁହେଁ ଅଭିମାନ କରି । ଚଇ ଉପରେ ସେ ଅଭିମାନ କରଚି । କେତେ ନିଷ୍ଠୁର ଚଇଟା ଛୁଆଟାକୁ ସେ ଜନ୍ମ ଦେଇଥିଲା ବୋଲି ତା କୋଳରୁ ତାକୁ ଛଡ଼େଇ ନେଲା ? ଦୁଇଟା ମୁହଁ ଲାଗିଯିବା ପୂର୍ବରୁ ଗୋଟେ ବାଡ଼ ପକେଇ ଦେଇ ପାରିଲା ? ନିଷ୍ଠୁର । ପାଷାଣ ହୃଦୟ ତାର ।

 

ଗୁଜିର କଣ ଦୋଷ । ନିର୍ମାୟା ଛୁଆଟା । ଦୁନିଆ କଥା କଣ ଜାଣେ ସେ ? ନ ଜାଣୁ ଭଲ । ନ ହେଲେ ସେ ବି ତାକୁ ଧୋକା ଦେବ । ସତରେ କଣ ଗୁଜି ଉପରେ ସେ ରାଗିଚି । ଅସମ୍ଭବ । ଚଇ ରକ୍ତ ମାଂସରେ ଗଢ଼ା ସେ । ତା ଉପରେ କଣ ରଗା ଯାଇ ପାରେ ?

 

ତେବେ ସେ ଯାଇନି କାହିଁକି ?

 

ନିଜକୁ ନିଜେ ଅପମାନିତ ହେଲା ସେ ।

 

ତେଲଘଷା ସରିଲାଣି । କବାଟଟାକୁ ଆଉଜେଇ ଆଣି ଛୁଆଟିକୁ କାଖେଇ ଚାଲିଲା ଗାଧୋଇ । ଝରଣାକୁ ଲାଙ୍ଗୁଳା ପିଲାଗୁଡ଼ା ଗୋଡ଼ ହାତ ବାଡ଼ାନ୍ତି, ପାଣି ଗୋଳିଆ କରନ୍ତି । ସେଥିରେ ତାଙ୍କର ଆନନ୍ଦ । ବଡ଼ମାନେ ଚିଡ଼ି ଉଠନ୍ତି, କିରେ ଆଉ କାହାକୁ ଗାଧୋଇ ଦବନି କି ? ବାପ ଯେମିତି ଖୋଳେଇଚି ।

 

ଦାନ୍ତ ଘଷୁ ଘଷୁ ସେଇଠି ପହଞ୍ଚିଲା ହାଡ଼ିଆ । ଛୁଆଟାକୁ କୂଳରେ ଠିଆ କରିଦେଇ ପାଣି ପାଖକୁ ଆସିଲା । ସମସ୍ତଙ୍କର ସେ ପିଅନ ବାବୁ । ସମସ୍ତଙ୍କର ଅତି ଆପଣାର ସମସ୍ତେ ତାକୁ ଭକ୍ତି କରନ୍ତି । ସେବି ମୁଣ୍ଡ ନୁଆଁଏ । ବେଳ ଅବେଳରେ ହାଡ଼ିଆ ହାଜର । ସମସ୍ତଙ୍କର ସବୁ ଅଭିଯୋଗ ଶୁଣେ । ହୁଣ୍ଡା ବୁଦ୍ଧିରେ ବିଚାର କରେ । ସମସ୍ତେ ମାନି ନିଅନ୍ତି । ମୁଣ୍ଡ ତଳକୁ କରନ୍ତି ।

 

ଏଇ କେତେଦିନ ହେଲା ଅନେକ ପରିବର୍ତ୍ତନ ହେଇଚି ହାଡ଼ିଆର । ପୂର୍ବର ସେ ହସ ହସ ମୁହଁ ନାହିଁ । ଲୋକଙ୍କୁ ଦେଖିଲେ ମୁହଁଟାକୁ ଘୁଙ୍ଗୁରା କରେ । ହସ ଆସୁଥିଲେ ବି ବଳେ ବଳେ ତାକୁ ଚାପି ରଖେ । ଲୋକ ଦେଖିଲେ କଥା କହେନା । ପଚାରିଲେ ମାପ ଚୁପ ଉତ୍ତର ଦେଇ ଚାଲିଯାଏ ନିଜ କାମରେ । ପୁଣି ଫେରି ଆସେ ଘରକୁ । ଛେଳି ଛୁଆଟା ସାଥିରେ ଖେଳେ । ଗୋଡ଼ିଆ ଗୋଡ଼ି, ଡାଳ ମାଙ୍କୁଡ଼ି ଇତ୍ୟାଦି । ତାକୁ ଦେଖିଲେ ହସେ । ଖୁବ୍‍ ଜୋରରେ ଗଗନ ଫଟେଇ ହସେ । କେହି ପଚାରିଲେ କିଛି କୁହେନା । ଗମ୍ଭୀର ହେଇଯାଏ । କବାଟ ଖିଲାଣଟାକୁ ଭଲକରି ଦେଇ ଦେଇ ଛୁଆଟା ସାଥିରେ ପୁଣି ଖେଳେ ।

 

ଦାନ୍ତଘଷା ସରିଲା । ପାଣିଟାକୁ ଦି ହାତରେ ଖେଳେଇ ଦେଇ ଗୋଟେ ବୁଡ଼ ଦେଲା । ଅଣ୍ଟାବିନ୍ଧା ପାକେଲା ଗାମୁଛାଟା ଫିଟେଇ ଘଷି ହେବାକୁ ଆରମ୍ଭ କଲା । କାହାକୁ ଅନାଉ ନାହିଁ । ନିଜ କାମରେ ନିଜେ ଲାଗିଛି । କି ଦରକାର ଅନ୍ୟସାଥିରେ କଥା କହିବ ? ରାମୁ ପଚାରିଲା, କଣ ପିଅନ ବାବୁ ଆଉତ ଦେଖା ମିଳୁନି ? କୁଆଡ଼େ ଯାଉଚ ମ ?

 

ଘଷାବନ୍ଦ କରି ମୁନ୍ଦେ ପାଣି କୁଳୁକୁଞ୍ଚା କରୁ କରୁ ଅନେଇଲା ସମସ୍ତଙ୍କ ମୁହଁକୁ । ସମସ୍ତେ ଅନେଇଛନ୍ତି ତାରି ଆଡ଼କୁ ସମସ୍ତେ । ଯେପରି ଇୟାରି ଉତ୍ତର ଚାହାଁନ୍ତି । ଏଇ ଉତ୍ତର ଯେମିତି ହେବ ସେମାନଙ୍କ ନିଶ୍ୱାସ ପ୍ରଶ୍ୱାସର ଅମ୍ଳଜାନ । ହସିଲା ଟିକେ । କହିଲା, କାହିଁକି ରାମୁଭାଇ, କଣ ଦରକାର ଥିଲା କି ?

 

ନା ମ ସେମିତି ପଚାରୁ ଥିଲିନା ? କହିଲି ଆଉ କାହିଁକି ଦେଖା ମିଳୁନି ?

 

କାହିଁକି ମୋ କାମରେ କିଛି ଅବହେଳା କଲି କି ?

 

ରାମ ରାମ ସେ କଥା କିଏ କହିଲା । ଯିଏ କହିବ ତା ପାଟିରେ ପୋକ ପଡ଼ିବ ନି । ତେବେ ତୁମର ଅନେକଟା ପରିବର୍ତ୍ତନ ହେଇଚି । ଆଉ ଦେଖାହେଲ କଥା କହୁନ ମୁହଁ ଭାଙ୍ଗି ଚାଲି ଯାଉଚ । କି ଯୋଗରେ ଛେଳି ଛୁଆଟାକୁ ପାଇଲ କେଜାଣି । ତାରି ସାଥିରେ ହସ । ତାରି ସାଥିରେ ଖେଳ । ଆଉ ଆମକୁ ଭୁଲିଗଲ ?

 

ଛେଳିଛୁଆଟାର ବିରୁଦ୍ଧରେ କିଛି ଶୁଣିବାକୁ ଚାହୁଁନଥିଲା ହାଡ଼ିଆ । ମନ ହେଉଥିଲା ଗୋଟେ ଚାପୁଡ଼ାରେ ମୁହଁ ବନ୍ଦକରି ଦିଅନ୍ତା । ଏଇ ଛୁଆଟା ତା ପାଇଁ ସବୁ । ମା ଥାଇବି ମା ଛେଉଣ୍ଡ ସେ । ଏମାନଙ୍କ ପରି କୃତଘ୍ନ ନୁହେଁ । ସେ ସରଳ ସେ ନିରୀହ । ତା ଆଖିରେ ଅନାବିଳ ସ୍ନେହର ଜ୍ୟୋତି । ଅଙ୍ଗ ଅଙ୍ଗରେ ତୁଳି ତଳ୍ପର କୋମଳତା । ତା ସହ କଣ ଏମାନେ ତୁଳନୀୟ ? ଅସମ୍ଭବ ।

 

ଉପରକୁ ଉଠି ଆସିଲା । ଓଦା କାନିଟାକୁ ଚୁପୁଡ଼ି କାନ୍ଧରେ ପକେଇ ଯାଉ ଯାଉ କହିଲା, ଆଉଦିନେ ତାକଥା କହିବୁନି ରାମୁଭାଇ । ସେ ଲୋକମାନଙ୍କଠୁ ଖୁବ୍‍ ଭଲ । ତାର ସ୍ନେହ ଅନାବିଳ । ତୁମ ସାଥିରେ ହସିବାଠୁ ତା ସାଥିରେ ହସିବାକୁ ଖୁବ୍ ଭଲଲାଗେ ।

 

ସମସ୍ତେ ବୋକାପରି ଚାହିଁଥିଲେ ।

 

ଛେଳିଛୁଆଟାକୁ ଯାକିଧରି ଚାଲିଯାଉଥିଲା ସେ ଦୂରକୁ ଦୂରକୁ ।

 

ପଳାଶଟା ରକ୍ତାଭହେଇ ଉଠୁଚି । ଆହୁରି ବେଶି ରକ୍ତାଭହେଇ ଉଠୁଚି ବାବୁଙ୍କର ଆଖିଦିଟା । ହାଡ଼ିଆ କିଛିଦିନ ହେଲା ଆସୁନି । ଶନିଗ୍ରହ ବୋଧେ କକ୍ଷଚ୍ୟୂତ ହେଇଚି । ତେଣୁ ମାତ୍ରଟା ଟିକେ ବଢ଼େଇ ଦେଲେ କ୍ଷତିକଣ ? ହାଡ଼ିଆଟାକୁ ଚିହ୍ନିବି ଚିହ୍ନିପାରିଲେ ନି । ଚମ୍ପା ଆସିଥିଲା । ଗୋରୀ ଆସିଥିଲା । ସମସ୍ତେ ପିଆଲା ଭର୍ତ୍ତି କରନ୍ତି । ସମସ୍ତଙ୍କ କଟିରେ ସେ ତାଙ୍କର ସୁଗୋଲ ବହୁଦିଟାକୁ ମେଖେଳାୟିତ କଲାବେଳେ ସମସ୍ତେ ଶିହରୀ ଉଠନ୍ତି । ଆହୁରି ପାଖକୁ ଲାଗିଆସନ୍ତି । ହାଡ଼ିଆ ଦେଖେ ଦୂରେଇ ଯାଏ ବାହାନା କରି ।

 

କିନ୍ତୁ ଏତେ.... ? ଗୋଡ଼େ ଗୋଡ଼େ ଜଗିବସିଚି । ଟିକେ କୁଆଡୁ କଥା କହିବାକୁ ବସିଲା ବେଳକୁ ଆସି ପହଁଞ୍ଚେ । ହାତରେ ପୁରୁଷେ ଉଞ୍ଚେର ଠେଙ୍ଗା । ଆଖିଦିଟା ତାର ଜଳିଉଠେ-। ଖୁବ୍ ଗମ୍ଭୀର ହୋଇଉଠେ । ଦେଖିଲେ ଡରମାଡ଼େ । ସାହାସ ପାଏନି । କିନ୍ତୁ ଚଇ ଗଲା ପରେ ପରେ ଚାଲିଯାଏ ।

 

ତେବେ ଚଇର ତା ସାଥିରେ କିଛି ସମ୍ୱନ୍ଧ ଅଛିକି ?

 

ମନେ ମନେ ସେ ଆଉ ଚଇକୁ ପାଇବାକୁ ଚେଷ୍ଟା କରୁନି ତ ?

 

କିଏ କହିପାରିବ ? ନରମାୟା ନାରାୟଣଙ୍କୁ ଅଗୋଚର । ଚଇଟା ବି ସେମିତି । ଯେତେ ଯାହା ଦେଲେ ନେବନି । ଅନେଇବନି । ଜୋର କରିଦେଲେ କହିବ, ବାବୁ ଆମେ ଗରୀବ-। ଏଗୁଡ଼ାକୁ ନେଇ କଣ କରିବୁ ? ସେଗୁଡ଼ା ବଡ଼ଲୋକଙ୍କୁ ସାଜେ । ପେଟକୁଗଣ୍ଡେ ଖାଇବାକୁ ଦଉଚ । ଛତରରେ ପଶିନି । ସେଇ କ’ଣ ଯଥେଷ୍ଟ ନୁହେଁ ?’’

 

ଗର୍ବରେ ଛାତି କୁଣ୍ଢେମୋଟ ହେଇଯାଏ । ତେବେ ଚଇ ନିଜେ ମାନିଛି ସେ ତାଙ୍କ ପାଖେ ରୁଣି । ନଇଁଗଲାଣି ବୋଧେ । ଆଉ କେଇଟା ଦିନପରେ ଆପେ ଆପେ ନଇଁ ଯିବ । ଝଡ଼ ଦରକାର ନାହିଁ ।

 

କଟକରୁ ଫେରିଲା ବେଳେ ଗୁଜି ପାଇଁ ଗୋଟେ କଳ ମଟର ଆଣିଥିଲେ । ଚାବି ଦେଲେ ଚାଲେ । ଖୁବ୍ ଜୋରରେ ଚାଲେ । ପୁଣି ବନ୍ଦ ହୁଏ । ଚାବି ସରେ । ପେଟ ଭୋକିଲା ପଡ଼େ । ପଡ଼ି ରୁହେ ସେଇଠି ।

 

ଗୁଜିକୁ ଦେବେ । କେତେ ଖୁସି ନ ହେବ ଗୁଜି । ଆହୁରି ଖୁସି ହେବ ଚଇ । ତାଙ୍କ ଶ୍ରମ ସାର୍ଥକ ହେବ । ତା ମୁହଁରେ ଟିକେ ହସ ଫୁଟି ଉଠିବ । ପାଖେଇ ଆସିବ ସେ । ଖୁବ୍ ପାଖକୁ । ତାପରେ..... ?

 

ନିଜ ଭାବନାରେ ନିଜେ କୁରୁଳି ଉଠୁଥିଲେ ବାବୁ । ଏଇ, ଚଇ ପାଣି ଆଣୁଚି । ଆଜିକାଲି ଭାରି ଅନ୍ୟମନସ୍କ ରହୁଚି ସେ । ହାଡ଼ିଆର ଅନୁପସ୍ଥିତି ଯେମିତି ତାକୁ ବିବ୍ରତ କରିଚି । ଅଠରଥର ଡାକିଲେ ପଦେ ଜବାବ ଦେଉଚି । ତେବେ କଣ... ?

 

ତେବେ କଣ ହାଡ଼ିଆକୁ ସେ ଭଲପାଏ ?

 

କି ଗୁଣ ତାଠୁ ଅଛି ?

 

ସେ କଣ ତାଙ୍କଠାରୁ ଯୋଗ୍ୟ ?

 

କେଜାଣି ହୋଇଥିବ । ପ୍ରଶ୍ନର ଅସଂଖ୍ୟ ଢେଉ ଗୁଡ଼ା ତାଙ୍କ କଳ୍ପନାର ବେଳାଭୂମିରେ ମୁଣ୍ଡ ପିଟି ପୁଣି ଫେରି ଯାଉଛନ୍ତି । କାହାପାଇଁ ଆଶ୍ରୟ ନାହିଁ । କାଇଁ ଏ ପର୍ଯ୍ୟନ୍ତ ତ ହେଲାନି । ସେମିତି ସବୁଦିନ ପରି ମୁହଁରେ ଦରଦ ଭାଷା, ଆଖିରେ କରୁଣ ଚାହାଁଣୀ । କିଛି ପରିବର୍ତ୍ତନ ହେଇନି । ଚାପ ପକେଇବାକୁ ଚେଷ୍ଟା କରିଛନ୍ତି କିନ୍ତୁ ସବୁ ବିଫଳ ହେଇଚି । ସବୁ ସ୍ୱପ୍ନ ଭାଙ୍ଗି ଯାଇଚି କାଚ କଣ୍ଢେଇଟି ପରି ।

 

ଗୁଜିକୁ ଭାରି ଭଲ ପାଏ ଚଇ । ଗୁଜିକୁ କିଛି ଦେଲେ ମନା କରେନା ଭଲ ଦରବ ଦେଖିଲେ ଦିଏ । କେଡ଼େ ଆଶା, ଗୁଜିକୁ ବାପ ଛେଉଣ୍ଡ ବୋଲି ଜଣେଇ ଦେବନି । ଏଇ ସୁଯୋଗ-

 

ଗୁଜିକୁ ନେଇ କିଛି କରାଯାଇ ପାରେ ।

 

ସେ ହେବ ତାଙ୍କର ଶେଷ ଅସ୍ତ୍ର ।

 

ସମସ୍ତେ ହାଡ଼ିଆର ପ୍ରସଂସା କରନ୍ତି । ଲୋକଟା କଣ ଯାଦୁ ବିଦ୍ୟା ଜାଣେ ? ଶତ ଚେଷ୍ଟାକରି ସେ ଯେଉଠି ଅସଫଳ ହୁଅନ୍ତି ସେଇଠି ସେଇଠି ସେ ସଫଳ ହୁଏ । କଣ ଇୟାର କାରଣ ହେଇପାରେ ।

 

ମନେ ମନେ ଭାବୁଥିଲେ ବାବୁ ।

 

ଏଠୁ ତଡ଼ିଦେଲେ କେମିତି ହୁଅନ୍ତା ?

 

ସେଥିପାଇଁ କଣ ସେ ଚେଷ୍ଟା କରି ନାହାଁନ୍ତି ? ବହୁତ କରିଛନ୍ତି । ବଡ଼ ବାବୁଙ୍କୁ କହି ପାଖ ଛତରକୁ ବଦଳି କରି ଦେଇଥିଲେ । ସେଦିନ ଲୁଚେଇ ଲୁଚେଇ କାନରେ ମୁହଁ ଗୁଞ୍ଜି ଅନେକ କାନ୍ଦିଥିଲା ଚଇ । ଆଉ କାନ୍ଦିଥିଲେ ବି ଏଇ କଙ୍କାଳ ଗୁଡ଼ା । ବଡ଼ ବାବୁ ଆସିଲା ଦିନ ଗୋଡ଼ ତଳେ ପଡ଼ିଥିଲେ ହାଡ଼ିଆକୁ ରଖିବା ପାଇଁ । ସମ୍ମତି ପ୍ରଦାନ କରି ଯାଇଥିଲେ ହାଡ଼ିଆ ରହିବା ପାଇଁ ବଡ଼ବାବୁ । ହାଡ଼ିଆ ରହିଚି । ଚଇ ବହୁତ ଖୁସି । ସବୁ ରାଗ ତାଙ୍କ ଉପରେ । ଜାଣି ଜାଣି ସେଦିନ ଡାଲିରେ ବେଶି ହଳଦୀ ପକେଇ ଦେଇଥିଲା । ତରକାରୀଟା ବି ଖୁବ୍‍ ଲୁଣିଆ ।

 

ଏଇ ହାଡ଼ିଆଟାକୁ ସେ ଡରନ୍ତି ଖୁବ୍‍ ଡରନ୍ତି । ତାର ସେଇ ଗୋଲ୍‍ ଗୋଲ୍‍ ବାହୁଦିଟାକୁ ଆଉ ପୁରୁଷ ଉଞ୍ଚର ତମ୍ବା ପାତଲଗା ବାଡ଼ିଟା ଦେଖିଲେ ଦେହ ଶିତେଇ ଉଠେ । ସାହସ ହୁଏନି । ସେ ଏବେ ନାହିଁ । ଆଉ ଆସେନା । ଆସିଲେ ଦୂରେଇ ରୂହେ, ଦେଖା ଦିଏନା । କଣ ହେଇଚି କେଜାଣି ?

 

ବାବୁ ଡାକିଲେ ଚଇକୁ । ଅଣ୍ଟାରୁ କାନିଟାକୁ ଫିଟେଇ ଦେଇ ଆସି ଛିଡ଼ାହେଲା ପାଖରେ-। ଖୁବ୍‍ ନମ୍ର ଭାବରେ । କନ୍‍ କନ୍ କରି ଚାହିଁଲା ବାହାରକୁ । ତ୍ରସ୍ତା ହରିଣୀଟିଏ । କୁଆଡ଼େ ଯିବ । ବ୍ୟାଧ ଯଦି ଶର ସଂଧାନ କରେ ? ଯେତେ ବାଟକୁ ଆଖି ପାରିଚି ଅନେଇଲା ଦୂରକୁ । ହାଡ଼ିଆର ଗନ୍ଧ ବର୍ଣ୍ଣ ନାହିଁ । ସତରେ କଣ ହାଡ଼ିଆ ତା ଉପରେ ରାଗି ଆଉ ଆସୁନି ? ସେ ନିଜେ ଭୁଲ କରିଚି-। ନିଜ ହାତରେ ଠେଲି ଦେଇଚି ହାଡ଼ିଆକୁ ଦୂରକୁ । ମୂଳରୁ ଏକଜିଦିଆ ବୋଲି ସେ କଣ ଜାଣି ନଥିଲା ? ଏମିତି କଲା କାହିଁକି ? ଯଦି ଏଇନେ...... ।

 

ମୁଣ୍ଡର ଭଉଁରୀଟା ଖୁବ ଜୋରରେ ଘୂରାଇଲାଣି । ଆଉଟିକେ ଗଲେ ତଳକୁ କୁଟା ଖଣ୍ଡ ପରି କେଉଁଠି ନେଇ ମାଡ଼ି ଦେବ ତାର ପତ୍ତା ନାହିଁ । ତେବେ ବି ନିଜର ସମସ୍ତ ବଳ ଖର୍ଚ୍ଚ କରି ପଚାରିଲେ, ଆପଣ ଡାକୁଥିଲେ ବାବୁ ?

 

ହଁ ଏ ଘରେ ଆଉକିଏ ଅଛନ୍ତି ? ହାଡ଼ିଆଟା ତ କୁଆଡ଼େ ଯାଇଛି ଯେ ଦି ଦିନ ହେଲା ଦେଖାନାହିଁ ? ତୁ ତାକୁ ଦେଖିଥିଲୁ ?

 

ଏତକ କହିସାରି ବାବୁ ଅନେଇ ରହିଲେ ତା ମୁହଁକୁ । ଇଦ୍ରଧନୂର କୋଉ ରଙ୍ଗଟା ଉକୁଟି ଉଠୁଚି । କୋଉ ରଙ୍ଗଟା ଖୁବ୍‍ ତେଜିଆନ ହେଇ ମୁହଁଟାକୁ ଆବୃତ୍ତ କରୁଚି । ନାଁ. କୋଉଟା ନୁହେଁ । ସବୁ ରଙ୍ଗର ମିଶ୍ରଣରେ । ଗୋଟେ କଳା ବାଦଲ । ଖୁବ୍‍ ନିଘଞ୍ଚ କଳା । ନତମୁଖୀ ହେଲା । ପଚାରିଲା, ତୁ ଆଜିକାଲି ଭାରି ଅନ୍ୟମନସ୍କ ରହୁଚୁ ?

 

ଚଇ ଚମକିଲା । ସେ ଅନ୍ୟମନସ୍କ ରହୁଚି ? କାହିଁକି ? କଣ ହାଡ଼ିଆଇ ନାହିଁ ବୋଲି ? ଏକଥା ବାବୁ ଜାଣିଲେ କେମିତି ? ଅନ୍ୟମାନେବିତ ଜାଣିଥିବେ ? କେତେଭୁଲ ନକରିଚି । ଲୁଚେଇବାକୁ ଚେଷ୍ଟାକରି ପଚାରିଲା, ମୋତେ ଡାକୁଥିଲେ ।

 

ହଁ କଣ ବସେଇଚୁ କହିଲୁ ।

 

ଏଇତ ଡାଲିଟା ବସେଇ ଆଇଲି ।

 

କଣ ଡାଲି ହଳଦି ପଡ଼ିସାରିଲାଣି ।

 

ନା ଡାଲିଟା ପକେଇ ସାରିନି । ପାଣି ଫୁଟିବଣି, ଯାଉଚି ।

 

ଏତକ ଏକା ନିଶ୍ୱାସକେ କହିଦେଇ ବନ୍ଧନ ମୁକ୍ତ ହେବାକୁ ଚେଷ୍ଟା କରୁଥିଲା ଚଇ । ରାହୁ ଗ୍ରାସରେ ଆଉ କିଛି ସମୟ ରହିଥିଲେ ଅଣନିଶ୍ୱାସି ହେଇ ଉଠିଥାନ୍ତା । ବାବୁପୁଣି ଡାକିଲେ, ଚଇ ।

 

ଗୋଡ଼ଟା ରହିଗଲା । କଣ୍ଟାଟାରେ ଲୁଗା କାନିଟା ଲାଗିଗଲାକି ? ଫେରି ଚାହିଁଲା । ବାବୁ ହସୁଚନ୍ତି । ଖୁବ୍ ମନ ମତାଣିଆ ହସ । ନିଶ୍ୱାସ ନେବାକୁ କଷ୍ଟ ହେଉଥିଲା ଚଇକୁ । ଗୋଟେ ଶ୍ୱାସ ରୋଗ ଯେମିତି । ‘‘କଣ ଆଉ କାମ ଥିଲା ।"

 

ଆଲୋ ଡାଲିରେ ଟିକେ କମ ଲୁଣ କରିବୁ ।

 

ତରକାରୀ କଣ କରୁଚୁ କହିଲୁ ?

 

ଆଳୁଛଡ଼ା ଆଉ କଣ ଅଛି ଯେ ?

 

ଆଛାଟିକେ ଆଳୁଝୋଳ କରିଦେବୁ, ବେଶି ରାଗ କରିବୁନିଟି । ମୁଁ ବରହମପୁରୀଆ ନୁହେଁ । ଗୁଜି କୁଆଡ଼େ ଗଲାକି ?

 

କିଛି କହିଲାନି ଚଇ, ରୋଷେଇ ଘରୁ ଗୁଜିକୁ ବାବୁଙ୍କ ପାଖରେ ଥୋଇ ଦେଇ ଚାଲିଗଲା । ଗୁଜି ହସୁଚି । ବସନ୍ତର ଚୋରୀ ମଳୟର ହସ । ଖୁବ୍ ମନ ନିଆ । ବାବୁ ଟାଣିନେଲେ ପାଖକୁ ସନ୍ଧ୍ୟାରେ ପ୍ରଥମ କଢ଼ି । ଅଫୁଟା, ନିଷ୍ପାପ, ନିସ୍କଳଙ୍କ । ଠାକୁର ମୁଣ୍ଡରେ ଲାଗିବା ଯୋଗ୍ୟ । ଏଇମାନେ ବଡ଼ ହେବେ । ଇଆରିଠି ଚଇର ସମସ୍ତ ଶୋଭା ପୁଣି ଉକୁଠି ଉଠିବ ।

 

ଗାଡ଼ିଟାରେ ଚାବି ଦେଲେ । ପେଟ ପୁରିଲା । ହସି ହସି ଘରର୍‍ କରି ଚାଲିଗଲା ଦୂରକୁ-। ଖିଲ ଖିଲ ହେଇ ହସି ଉଠିଲା ଗୁଜି । ହାତ ବଢ଼େଇ ଆଣିବାକୁ ଚେଷ୍ଟା କଲା । ଟିକେ ଟିକେ ଘୁଷୁରିବାକୁ ଆରମ୍ଭ କଲାଣି । କିନ୍ତୁ ପିତୃତ୍ୱ ତାଙ୍କର କାନ୍ଦି ଉଠିଲା । ଆଜିକୁ ୬ ମାସ ତଳେ ଦେଖିଥିଲେ ଝିଅକୁ । କେଡ଼ୁଟିଏ ହେବଣି । ଚମ୍ପାକଢ଼ି ରଙ୍ଗ ଧରିବଣି କି ନା । ଯୁଇ ଲେଖିଥିଲା, “ଝିଅର ଝାଡ଼ା ହେଉଚି । ନିଶ୍ଚେ ଚାଲି ଆସିବ । ମୋ ରାଣ ସାତଥର କି । ମୋ ମୁଣ୍ଡ ଖାଇବ-।’’ ସେ ଯାଇପାରି ନାହାନ୍ତି କାର୍ଯ୍ୟ ବ୍ୟସ୍ତତା ନେଇ । ଏଇ ଗୁଜିକୁ ଦେଖିଲେ ମନେ ପଡ଼େ ।

 

ଚଇର କଣ ମନ ହେଉ ନ ଥିବ ଗୁଜିକୁ ଏମିତି ଖେଳିଲା ଅବସ୍ଥାରେ ଦେଖିବାକୁ ? କାଇଁ ଆସୁନି ତ ? ଡାକିଲେ, ଚଇ । ମୋତେ ଡାକୁଥିଲେ ?

 

କଣ କାମ ସରିଲା ନା ଖାଲି କାମ ଲାଗିଥିବ ?

Unknown

 

ସରିଲାଣି କୋଉଠି । ଡାଲିତ ବସିଚି ।

 

ଦେଖିଲୁ ଗୁଜି କେଡ଼େ ସୁନ୍ଦର ଖେଳୁଚି ।

 

ଚଇକୁ ଦେଖି ଗୁଜି ଆହୁରି କିଲ୍ କିଲ୍ ହେଇ ଉଠିଲା । ଆହୁରି ଦମ୍ଭ ଆସିଗଲା ଯେମିତି-। ଆତ୍ମହରା ହୋଇ ଉଠିଲା ଚଇ । କେଡ଼େ ସୁନ୍ଦର ଦେଖାଯାଉଚି ଏଇ ଖେଳନା ସାଥିରେ ଗୁଜି-। କେତେ ଖୁସି ନ ହେଉଛି । ଆଜି ପାଣୁଆ ଥାଆନ୍ତା କି ? ସେତେବେଳେ ନିଜକୁ ଭୁଲି ଯାଇଥିଲା ସେ ଜାଣେନା ବାବୁଙ୍କ ସ୍ପର୍ଶରେ ଶିତେଇ ଉଠିଲା । ବାବୁ ଧରିଛନ୍ତି ଦୁଇ ବାହାକୁ । ଖୁବ୍ ନିକଟକୁ ଟାଣି ଦେବାକୁ ଚେଷ୍ଟା କରୁଛନ୍ତି । ଛାଟି ପିଟି ହେଲା ଚଇ । ବାବୁ କଣ ସହଜେ ଛାଡ଼ି ଦେବେ-

 

ବାରଣ୍ଡାରେ କାହାର କାଶ ଶୁଭିଲାଣି । ଠେଙ୍ଗାଟା ବି ଠୁକ୍ ଠୁକ୍ ହେବାର ଶବ୍ଦ ହେଲାଣି-। ବାବୁଙ୍କ ଆଖିରେ ହାଡ଼ିଆର ସେ ଲମ୍ବା ପାତ ଦିଆ ଠେଙ୍ଗାଟା ନାଚିବାକୁ ଆରମ୍ଭ କଲା । ତାର ସେଇ ବାଳୁଆ ମୁହଁଟା ଭିତରୁ ଯେମିତି ଆଖି ଦିଟା ଦିହୁଡ଼ି ପରି ଜଳି ଉଠୁଚି । ଟିକେ ଆଗେଇଲେ ଯାଳିଦେବ । ପଚାରିଲେ, ହାଡ଼ିଆ ।

 

ଉତ୍ତର ଆସିଲା, “ଆଜ୍ଞା’’ ।

 

ହାତଟା ଆସ୍ତେ ଆସ୍ତେ କୋହଳ ହେଇ ଅସିଲା । ତାଙ୍କର ସମସ୍ତ ପୁରୁଷତ୍ତ୍ୱ ହାର ମାନିଚି । ଯୋଉ ବାହୁଉପରେ ତାଙ୍କର ଅକାଟ୍ୟ ବିଶ୍ଵାସ ସେ ଆଜି ନିସ୍ତେଜ । ସୁଯୋଗ ନେଲା ଚଇ । କଳ ମଟରଟାକୁ ଫିଙ୍ଗି ଦେଇ ଗୁଜିକୁ ନେଇ ଚାଲିଗଲା ରୋଷେଇ ଘରକୁ । ଆଖିରେ ଲୁହର ଧାରା ।

 

ବୁକୁରେ ଏଇ ନିଘଞ୍ଚ ବୋଝ ।

 

ତେବେ କଣ ହାଡ଼ିଆଇ ତାକୁ ଲୁଚି ତାରି ପାଇଁ ଛାଇ ପରି ଲାଗିରହିଥାଏ ? ସେ ନମସ୍ୟ । ଇଚ୍ଛା ହେଉଥିଲା ତାରି ଗୋଡ଼ତଳେ ମୁଣ୍ଡପିଟି ଦିଅନ୍ତା କି ? ଦେବତାର ପୂଜା ପାଇଁ ସବୁରକ୍ତ ନିଗାଡ଼ି କ୍ଷମା ମାଗି ନିଅନ୍ତା କି ?

 

ଅନେକ ଦିନପରେ ଭଗବାନ ଡାକ ଶୁଣିଛନ୍ତି । ମେଘଖଣ୍ଡେ ଭାଷୁଚି ଆକାଶରେ । କେତେ ଲୋକଙ୍କର କେତେ ଆଶା । କେତେ ରଙ୍ଗିନଭରା ସ୍ୱପ୍ନ । ଟିକେ ଟିକେ ଉତ୍ତର ଦେବାକୁ ଆରମ୍ଭ କଲାଣି । ଆଉଟିକେ ପରେ ବୋଧେ ବର୍ଷା ହୋଇଯିବ । ବେଶି ନ ହେଲେ ବି ମାଟି ଓଦାହେଇ ପାରିବତ ।

 

ସମସ୍ତେ ବାହାରେ । ଆଜି ରଜର ତୃତୀୟ ଦିନ । ବସୁମାତା ଗାଧୋଇବ । ପୁଣି ଗୁରୁବାର । ସପ୍ତାହଟାସାରା ଗୁରେଇ ତୁରେଇ ବର୍ଷା ହେବ । ଆଖିରେ ଇନ୍ଦ୍ରଧନୁ ସୃଷ୍ଟି କରୁଚି ଏଇ ବର୍ଷାଟା । ହାଡ଼ିଆ ବାହାରି ଆସିଲା । ଅନେକ ଦିନ ପରେ ଏ ଆଖି ଦେଖୁଚି । କାଇଁ ବର୍ଷା ହେଉନି ତ ? ରେଲଡ଼ବା ପରି ମେଘଗୁଡ଼ା ଚାଲି ଯାଉଚି । ଟିକେ ଅପାକ୍ଷା କରୁନି । ଟିକେ ସପନର ସାର୍ଥକତା ପାଇଁ ରହି ଯାଉନି ।

 

ଟିକେ ଆଗରେ ବୁଢ଼ା କେତେଜଣ ବସିଯାଇଚନ୍ତି । କଣ ଗପ ଚାଲିଚି । ଖୁବ୍‍ ଯୁକ୍ତି ତର୍କ-। ଯିଦ୍‍ ଯାଦ୍ । ହାଡ଼ିଆ ସେଇବାଟେ ଚାଲି ଯାଉଥିଲା । ଜଣେ ଡାକିଲା–

 

ପିଅନ ବାବୁକି ? ଶୁଣମ ।

 

କଣ୍ଠରେ ଆନନ୍ଦର ଆଦ୍ରତା । ପାନଛେପଗୁଡ଼ା ପୋଛିବାକୁ ବେଳ ନାହିଁ । ହାଡ଼ିଆ ଘୂରିଲା । ବୁଢ଼ାଟି ତାଙ୍କରି ଗାଁର । ଲାଖାଯୋଖାରେ ଦାଦି ହେବ । ଦିନେ ପଞ୍ଚୁଆତିରେ ଇୟେବି ଜଣେ ନ୍ୟାୟପତି ହେଇ ତାଙ୍କରି କଥା ବିଚାର କରିଥିବେ । ଚଇକୁ ପାଣୁଆ ସାଥିରେ ବିଭାହେବା ପାଇଁ ନିର୍ଦ୍ଦେଶ ଦେଇଥିବେ । ସେଇ ଆଜି ଡାକୁଛନ୍ତି ପିଅନ ବାବୁ । ଥଟ୍ଟାରେ ନୁହେଁ ତ ? ମନ ହେଉଚି ଗୋଟିଏ ପାହାର ଦିଅନ୍ତା ତାପରେ...... ।

 

ନା ଥଟ୍ଟା କରିବ କାହିଁକି । ସମସ୍ତଙ୍କର ସେ ପିଅନ ବାବୁ । ସମସ୍ତଙ୍କ ପାଇଁ ସେ ଅତି ଆପଣାର । ହାଡ଼ିଆ ଅପେକ୍ଷା ପିଅନ ବାବୁଟାକୁ ସେ ପସନ୍ଦ କରେ । ଖୁବ୍‍ ଭଲ ଲାଗେ ତାକୁ । ତାପରେ ଖଣ୍ଡିଆ ହାତ ଆଉ ଦାଢ଼ିକୁ ଦେଖି ସେ କଣ ଚିହ୍ନି ପାରିଥିବେ । ଅନେଇଲା ହାତକୁ । ଖୁବ୍‍ ଭଲ ହେଇଚି ହାତଟା କଟିଯାଇ । ଭଗବାନଙ୍କର ଆଶୀର୍ବାଦ ଇୟେ । ଚିହିଁ ପାରିଥିଲେ ପୁଣି ତାଙ୍କର ସ୍ୱଭାବ ଜାଗିଉଠିଥାନ୍ତା ପୁଣି ସେ ଚଇ ଆଉ ତା ସମ୍ବନ୍ଧକୁ ନେଇ କେତେ କାହାଣୀ ଶୁଣେଇ ଥାନ୍ତା । ସବୁ କଣ ସହି ପାରିଥାନ୍ତା ଚଇ ? ଶେଷରେ ଦୋଷ ହେଇଥାନ୍ତା ତାର । ଗୁଜି ଛଳ ଛଳ ଆଖିରେ ଦୋଷ ଦେଇଥାନ୍ତା ତାର । ପାଣୁଆ ଆକାଶରୁ ଅଭିଶାପ ଦେବାକୁ ଭୁଲି ନ ଥାନ୍ତା ।

 

ପୁଣି ଚାହିଁଲା ଖଣ୍ଡିଆ ହାତଟା । କେଡ଼େ ଭଲ ହେଇଚି କଟିଯାଇ । ଆଉ ଟିକେ ଯୋରରେ ପବନ ଦେବାକୁ ଆରମ୍ଭ କଲାଣି । ଭାରି ଭଲ ଲାଗୁଚି । ଏଇ ଚଇ ଆସୁଚିନା କଣ । କାଖରେ ଗୁଜି । ଖୁବ୍‍ ପାଖରେ ହୋଇଗଲାଣି । କାନ୍ଧରେ ଛେଳି ଛୁଆଟା କିଲ୍‍ କିଲ୍‍ ହୋଇ ଉଠିଲାଣି । ଥାପୁଡ଼େଇ ଦେଲା । ଏଇ ଯାଗାରେ ଗୁଜି ଥାନ୍ତା କି ?

 

ଚଇ ଆହୁରି ପାଖକୁ ଚାଲି ଆସିଲାଣି । ଟିକେପରେ ବୋଧେ ତା ପାଖେ ପହଞ୍ଚିଯିବ । ଗୁଜି ତାକୁ ଦେଖି କିଲ୍‍ କିଲ୍‍ ହେଲାଣି । ସେଇ ଗୋଟିଏ କଥା ‘‘ତା, ତା’’ ଡାକି ହାତ ହଲଉଚି । ସେଇ ଗୋଟିଏ କଥା ଭିତରେ ସେ ଯେମିତି ଅନେକ କଥା କହିଯାଉଛି । କହୁଚି–ତୁ ମତେ ଏଇଥିପାଇଁ ଭଲ ପାଉଥିଲୁ ? କ୍ଷଣିକ ପାଇଁ ତୁ ସିନା ଭୁଲିଗଲୁ ! ଦେଖ ମୁଁ କେମିତି ମନେ ରଖିଚି-। ମୋ ଭଲ ପାଇବା କେତେ ନିର୍ମଳ । କେଡ଼େ ପବିତ୍ର । ମୋତେ ଭଲ ପାଇବା ଭିତରେ ତୋର ସେ ଆବିଳତା ନଥିବ ସେ କଥା କିଏ କହିବ ?

 

ଚମକି ଉଠିଲା ହାଡ଼ିଆ । ଆଖିରୁ ବହି ଯାଉଥିଲା ଦି’ଧାର ଲୁହ । ଛେଳି ଛୁଆଟିକୁ କାନ୍ଧରେ କାଖେଇ ଆଣି ସେଇ ବୁଢ଼ାଙ୍କ ମେଳରେ ବସିଗଲା ସେ ।

 

ଜଣେ ବୁଢ଼ା କହିଲା, ବାପ କଣ ସେଠି ଛିଡ଼ାହେଇ ଭାବୁଥିଲୁ କି ?

 

ନାଁ ମଉସା ଚଷାପୁଅକିନା, ଏଇ ମେଘ ଦେଖି ଟିକେ..... ।

 

ବୁଢ଼ା ଦିର୍ଘଶ୍ୱାସ ପକେଇଲା । ଦିନେ ହୁଏତ ଦେହରେ ବଳବୟସ ଥିଲା । ଚଷା ପୁଅ ବୋଲି ମନରେ ଅମାପ ଗର୍ବ । ଅସରାଏ ବର୍ଷା ହେଲା ହଳ ଧରି ବାହାରି ଯାଉଥିଲେ ବିଲକୁ । ସେ ବର୍ଷାରେ କାଦୁଅରେ ପଚ୍ ପଚ୍‍ ହୋଇ ଲଙ୍ଗଳ ଗଣ୍ଠିଧରି ‘‘ହ, ହ, ଏଇଠିବୁଲ୍ ଏଇଠିବୁଲ୍’’ କହିବାରେ କି ମଜାଥିଲା ।

 

ଆଜି ସେ ସବୁ ସାତ ସପନ । ନିଜକୁ ଆଉ ଚଷା ପୁଅ କହିବାକୁ ଲାଜ ଲାଗୁଚି । ବର୍ଷାଟାକୁ ଦେଖିଲା ବେଳକୁ ଆଉ ରୁମମୂଳ ଟାଙ୍କୁରି ଉଠୁନି । ପାଞ୍ଚଣ କଥା ଆଉ ମନେ ପଡ଼ୁନି । କିଏ କୋଉଠି ରହିଲେଣି । କୋଉ ଚାଳରେ ତାକୁ ଗୁଞ୍ଜି ଦେଇଥିଲେ ତା’ବି ମନେ ପଡ଼ୁନି । ତଥାପି ପୂର୍ବକଥା ଭାବିଲେ ବେଳକୁ ଖୁବ ଭଲ ଲାଗେ । ବୁଢ଼ା କହିଲେ, ଆଉ ଚଷାପୁଅ କଅଣ ପିଅନ ବାବୁ ? ଚଷାପୁଅ ଲଙ୍ଗଳ ଭୁଲିଲାଣି । ଜମିଠୁ ଏତେ ଦୂରରେ ରହିଲେଣି ଆଉକି ଚଷାପୁଅ ।

 

ହଁ ମଉସା । ଇୟେବି ଭାଗ୍ୟରେ ଥିଲା । ଚଷାପୁଅ ଅନ୍ୟଆଗରେ ଖଣ୍ଡେ ଭାତପାଇଁ ଗୋଡ଼ଭାଙ୍ଗି ଛିଡ଼ା ହେବାକୁ ପଡ଼ିଲା ।

 

ଛାଡ଼ ସିଏ ଭାଗ୍ୟ ।

 

ହଁ ମ ଭାଗ୍ୟ ନୁହେଁ ଆଉ କଣ ?

 

ମନଖୋଜୁଥିଲା ଗୁଜିକୁ । ସତରେ କଣ ଚଇ ଚାଲିଗଲା । ଟିକେ ଅପେକ୍ଷା କଲାନି ? ଗୁଜିକୁ ଥରେବି ଆଖିପୁରେଇ ଦେଖି ପାରିଲାନି ? କାହାର ‘ତାତା’ ଶବ୍ଦ ଶୁଣାଯାଉଚି । ଗୁଜିର ନୁହେଁ ତ ? ଘୂରି ଚାହିଁଲା କେତେଗୁଡ଼ିଏ ମାଇକିନାଙ୍କର ସଭା ବସିଚି । ସମସ୍ତଙ୍କ ମୁହଁରେ ହସ । ଅନେକ ଦିନ ପରେ ହସୁଚନ୍ତି ସେମାନେ । ଯଦି ହନୁ ହାଡ଼ଟା ଭର୍ତ୍ତି ହେଇଥାନ୍ତା..... ।

 

ଗୁଜିର ଆଖିପଡ଼ିଲା ହାଡ଼ିଆ ଉପରେ । କିଲ୍‍ କିଲ୍‍ ହେଇ ଉଠିଲା ସେ । ହାଡ଼ିଆକୁ ଡାକୁଚି । ଚଇ ଚାହିଁଲା । ଖୁବ୍‍ ଲୁଚେଇ । ହାଡ଼ିଆ ଜାଣି ପାରିବନି ଯେମିତି । ହାଡ଼ିଆ ଚାହିଁଚି ଗୁଜିକୁ । ନିଶବ୍ଦରେ ହାତ ବଢ଼ାଉଚି । ଗୁଜି ବି ବ୍ୟସ୍ତ ହେଲାଣି ଯିବାକୁ । ହଲେଇ ଦଉଚି ଚଇକୁ । ଛାଡ଼ିଦେଲେ ଖପକରି ଡେଇଁ ପଡ଼ନ୍ତା ହାଡ଼ିଆ ପାଖକୁ ।

 

ମୁହଁ ଘୂଇରେଆଣିଲା ଚଇ । ମନହଉଥିଲା କସିଦିଅନ୍ତା ଦିଟା ଚାପୁଡ଼ା ଗୁଜିକୁ । ରଖେଇ ଦେଉନି । ବିବେକ ବାଧାଦେଲା । ନାଇଁ ସେ ସେମିତି ହେଉ । ହାଡ଼ିଆର ସେଥିରେ ଆନନ୍ଦ ତ ? ଅନେକ ଦିନ ପରେ ଆଜି ଗୁଜିକୁ ଦେଖୁଚି କିନା । ହାଡ଼ିଆ ଜାଣିପାରିନି ଚଇ ତାକୁ ଦେଖିଚି ବୋଲି । ନହେଲେ ପଳାନ୍ତାଣି । ଚଇ ମନ ଆନନ୍ଦରେ ଫୁଲି ଉଠୁଥିଲା ।

 

ହାଡ଼ିଆ ଛେଳି ଛୁଆଟିକୁ ଉଠେଇଲା । ଗୁଜି ହାତ ବଢ଼ଉଚି । ଟାଣିନେବ କୋଳକୁ । ତା ଖେଳ ସାଥି କରିବ । ବାଳଗୁଡ଼ାକୁ ଆଖିଆଗରୁ ଉଠେଇ ନେଇ ହାଡ଼ିଆ ଭଲକରି ଦେଖିବାକୁ ଚେଷ୍ଟାକଲା । ଆଉ ସେ ସୁଯୋଗ ଆସିବ କି ନାଇଁ । ଗୁଜିଟା ଟିକେ ଚିଡ଼ିଯାଇଚି । ଟିକେ କଳା ପଡ଼ିଯାଇଚି । ରାଗ ଲାଗୁଥିଲା ଚଇ ଉପରେ । । ଛୁଆଟାର ପେଟକୁ କଣ ପୁରେଇ ପାରୁନି ? ତାକୁ କହିଥିଲେ.....

 

ନା ନକହିଚି ଭଲ କରିଚି । ଏ ଧନ କାହିଁକି ଗୁଜି ପେଟରେ ପଡ଼ିବ ? ପାଣୁଆର ଝିଅ ସେ । ବାପ ଖେତ ପାଇଁ ପୁରଷ୍କାର ଆଣିଥିଲା ଆଉ ସେ ମାଗି ଖାଇବ ? ଚଇ ତାକୁ ଭୁଲି ଯାଇଚି-। ଗାଁ କଥା ତାର ଆଉ ଜମା ମନେନାହିଁ । ନଈକୂଳ କଥା । ଶାଗପଟାଳି କଥା କୋଉଦିନୁ ବୋଧେ ଭୁଲିଯିବଣି । ତେବେ ସେ ଭୁଲି ପାରୁନି କାହିଁକି ? ପୁରୁଷ ପୁଅ ପରେ ସବୁ ଭୁଲିଯାଏ-? ଗୋଟିକଠୁଁ ଯାଇ ଅନ୍ୟଠି ବସାବାନ୍ଧେ । ତେବେ ଚଇକୁ ଭୁଲି ପାରୁନି କାହିଁକି-!!

 

ସେଥିପାଇଁ ଚେଷ୍ଟା କଣ କରିନି ? ବହୁତ କରିଚି । ତାକୁଇ ଭୁଲିବା ପାଇଁ ଅନ୍ୟବେଳେ ଝିଅଙ୍କୁ ନେଇ କେତେ ପାପ କଳ୍ପନା କରିଚି । କିନ୍ତୁ ସେଇ ଝିଅଙ୍କ ମୁହଁରେ ସେ ଦେଖିଚି ଚଇକୁ । କୋଉ ଜନ୍ମର ପାପ କେଜାଣି ଏ ଜନ୍ମରେ ନିଭୋଉଚି । ତଥାପି ଶାନ୍ତିନାହିଁ ।

 

କାଳିମାଟିରେ ରହିଲେ ଚଇ ମନେ ପଡ଼ିବ ବୋଲି ଏଠିକୁ ସେ ଚାଲି ଆସିଲା ପିଅନ ହେଇ । ଏଠିବି ତ୍ରାହି ନାହିଁ । ପୁଣି ଦେଖା ହେଲା ଚଇ । ଦୂରେଇ ରହିବେକୁ ଚେଷ୍ଟା କରିବି ପାରିନି-। ବାବୁଙ୍କ ଘରେ ସାହସ ପାଇଁ ସେଇ କରୁଣ ଆଖି ଦେଖିଲେ ସେ ବିଚଳିତ ହୋଇପଡ଼େ । ଆହୁରି ପାଖକୁ ଲାଗିଯାଏ । ଏ ସବୁ ଦୁର୍ବଳତା କାହିଁକି ? ଜଣେ ଯଦି ଭୁଲି ପାରିଲା.... । ଆଖି କଣରେ ଲୁହ ଜକେଇ ଆସିଲା । ଆଉ ଟିକେ ହେଲେ ବହି ପଡ଼ିବ । ଏତେ ଲୋକଙ୍କ ଆଗରେ.....-। ଛି ଛି କଣ ଭାବିବେ ସେମାନେ ! ଚଇ ଯଦି ଦେଖିବ.... । କୁଆଡ଼ୁ କଣ ଭାବିବ ? ଭାବିବ ହାଡ଼ିଆଇ ଏବେବି ଭଲ ପାଉଚି । ତାକୁନେଇ କେତେ ପାପ କଳ୍ପନା କରୁଚି । କାନିଟାରେ ମୁହଁ ପୋଛି ବୁଲେଇ ନେଲା ସିଆଡ଼କୁ ।

 

ଗୁଜି ସେମିତି ‘‘ତା ତା’’ ହେଉଥିଲା ।

 

ହାଡ଼ିଆର ଭାବନାର ଅନ୍ତରାଳରେ ଚଇ ଦେଖି ପାରିଚି ହାଡ଼ିଆକୁ ତାର ଲୁହ ଛଳ ଛଳ ଆଖି ଦିଟାକୁ । ସେଦିନ ଶାଗ କିଆରିରେ ଏମିତି କାନ୍ଦୁଥିଲା ହାଡ଼ିଆ । ଛାତିଉପରେ ପଡ଼ି କାନ୍ଦୁଥିଲା ସେ ନିଜେ । ସେ କାନ୍ଦ ଭୁଲିଚି । ଛାତି ପଥର କରି ସହିଚି ସବୁ । ତେବେ ହାଡ଼ିଆ ଏତେ ଦୁର୍ବଳ କାହିଁକି ? ଗୁଜିକୁ ଦେଖିଲେ ସେ କାନ୍ଦିଉଠେ କାହିଁକି ? ସେ କଣ ଚାହୁଁଚି ଗୁଜିପରି ତାଠଉଁ ଆଉ ଗୋଟିଏ ଆସନ୍ତା ?

 

ଅସମ୍ଭବ । ସେ ପାଣୁଆର । ଏକାନ୍ତ ଭାବେ ପାଣୁଆର । ଗୁଜି ପରେ ଆଉ କଣ୍ଢେଇ ସୃଷ୍ଟି ଅସମ୍ଭବ । ଏ ପର୍ଯ୍ୟନ୍ତ କଣ ନଈକୂଳ, ଶାଗ ପଟାଳି କଥା ଧରି ବସିଚି ହାଡ଼ିଆ । ଭାବୁ । ପାପର ପ୍ରାୟଶ୍ଚିତ କରୁ ସେମିତି କାନ୍ଦି କାନ୍ଦି । କାଳିମାଟିରୁ ଆଉ ଟିକେ ଆଗରୁ ଯଦି ଆସିଥାନ୍ତା..... ।

 

ବୋକାଟା ଖୁବ୍ଡ଼େରିରେ ଆସିଲା ।

 

ଛି କଣ ସେ ଭାବୁଚି ହାଡ଼ିଆ ନାଁରେ । ସେ ମଣିଷ ନୁହେଁ । ସେ ଦେବତା । କାଠ ପାଷାଣ ଦେବତାଠୁ ଆହୁରି ଉଚ୍ଚରେ । ସେ ଯଦି ଚାହିଁଥାନ୍ତା ! ବାବୁପରି କଣ ତାକୁ ଯୋରକରି....... । ସେ ଦେହ ଚାହେଁନା । ସେ ଚାହେଁ ଗୁଜିକୁ । ନିକଟରେ ପାଇବାକୁ ଇଚ୍ଛାକରେ ସେ । ଖୁବ୍‍ ନିକଟରେ ପାଣୁଆ ପରି ଛାତିରେ ପକେଇ ରାତି ରାତି କଟେଇ ଦେବାକୁ ଚାହେଁ ସେ ।

 

ସେଇକଥାକୁ କଣ ଧରି ବସିଚି ସେଇଦିନୁ । ଏତେକଥା ଭୁଲିପାରୁନି ସେକଥାକୁ ଭୁଲିଗଲେ ଚଳନ୍ତାନି ?

 

ଏଇ ବର୍ଷା ପକେଇବାକୁ ଆରମ୍ଭ କଲାଣି । ୟାପରେ ହୁଏତ ଜୋରରେ ବର୍ଷା ହୋଇପାରେ । କେହିତ ଉଠୁ ନାହାନ୍ତି । ଲଙ୍ଗଳା ପିଲାଗୁଡ଼ା ଉପରକୁ ଆଁ କରି ଭୂଇଁରେ ପଡ଼ିବା ପୂର୍ବରୁ ଟୁକି ନେଉଛନ୍ତି । ଅନେକ ଦିନରୁ ତୁଷାର୍ତ୍ତ କିନା ? ଉତ୍ତରରୁ ଗୋଟେ କଳା ମେଘ ଭାଷି ଆସୁଚି । ଆଉ ଟିକେ ହେଲେ ବରଷିଯିବ । ଘରକୁ ଚାଲି ଯିବକି ଆଉ ! ନା ଆଜି ଯାଆନି । ଅନେକ ଦିନ ପରେ ଗୁଜିକୁ ଦେଖିଚି ହାଡ଼ିଆ । ଆଖିପୁରେଇ ଦେଖିନଉ । ବର୍ଷାରେ ତିନ୍ତିଗଲେ କଣ ଦେହଟା ଛିଣ୍ଡିଯିବ ?

 

ଚଇ ବସିଥିଲା ସେମିତି ବର୍ଷାଟାରେ । ତାଳିମାରି ଖୁବ୍‍ ଜୋରରେ ପାଟିକରି ନାଚିବାକୁ ଆରମ୍ଭ କଲେଣି ଛୁଆଗୁଡ଼ା ଚଇର କୋଳଭିତରକୁ ଲାଗିଆସିଲା ଗୁଜି । ଆଉ ହାଡ଼ିଆ କୋଳଭିତରକୁ ଛେଳି ଛୁଆଟା । ସେଇଥିରୁ ସେମାନେ ଯେମିତି ପାଉଥିଲେ ଅନେକ କିଛି ।

 

ବର୍ଷା ହେଉଥିଲା ଅନେକ ଯୋରରେ । ଦାଣ୍ଡରେ ସୁଅ ଛୁଟିଲାଣି । ଅନ୍ୟଦିନ ହୋଇଥିଲେ ପିଲାମାନଙ୍କ କାଗଜ ଡଙ୍ଗା ଭାଷୁଥାନ୍ତା କିନ୍ତୁ ଆଜି ପତ୍ରକୁଡ଼ିଆର ଭଙ୍ଗା ଡାଳଗୁଡ଼ା । ଶତକଙ୍କାଳର ଆଶ୍ରୟ ଦାତା ଟଳି ପଡ଼ିଥାନ୍ତି ଆହାତ ସୈନ୍ୟଙ୍କ ପରି ଇୟାଡ଼େ ସିୟାଡ଼େ ।

 

ତଥାପି ସେଥିରେ ଆନନ୍ଦ ।

 

ତଥାପି ଏବର୍ଷା ପୁନଜନ୍ମର ଆଶିର୍ବାଦ ।

 

ପଙ୍ଗପାଳ ପରି ଆସିଥିଲେ ବାଦଲ ଗୁଡ଼ା ଆନନ୍ଦର ଫୁଲଝୁଡ଼ି ନେଇ । ଗତାୟୁ ସନ୍ଧ୍ୟାର ରୋମାଞ୍ଚ ନେଇ କେଡ଼େ ସୁନ୍ଦର ଭାବରେ ଖେଳି ଖେଳି ଯାଇଥିଲା ଦୂରକୁ । ଖୁବ୍‍ ଦୂରକୁ ଆଖି ପାଉନି । କିନ୍ତୁ ସ୍ମୃତିରେ ରଖିବା ପାଇଁ ଛାଡ଼ି ଯାଇଥିଲେ ଅନେକ କିଛି । ମନରେ ଚିରଦିନ ପାଇଁ ରହିବାଭଳି କେତେଗୁଡ଼ିଏ କଳା କଳା କଟାଦାଗ ଛାଡ଼ି ଯାଇଥିଲେ । ଯାହାକୁ ଲିଭେଇବାକୁ ପ୍ରୟାସ କରିବା କେବଳ ସୂର୍ଯ୍ୟକୁ ସୃଷ୍ଟି କରିବା ସଙ୍ଗେ ସମାନ ।

 

ପ୍ରତି କୁଡ଼ିଆରେ ଜଣେ ଦିଜଣ ପଡ଼ିଛନ୍ତି । ଦେହରେ ଉତ୍ତାପ । ପାଦଟା ବରଫଠାରୁ ଆହୁରି ଥଣ୍ଡା । ପ୍ରମାଦ ଗଣୁଛନ୍ତି ସମସ୍ତେ କଣ କରାଯାଇ ପାରେ ? ନିକଟତମ ଡାକ୍ତର ଖାନାକୁ ଖବର ଯାଇଚି । କାଇଁ, ବାବୁ ଏତେ ପର୍ଯ୍ୟନ୍ତ ତ ଆସିଲେ ନି ?

 

ମନରେ ସମସ୍ତଙ୍କର ପାପ ଛୁଇଁଚି । ହାଡ଼ିଆ ଭିଡ଼ିଆଣିଲା ଛେଳି ଛୁଆଟାକୁ । ତାକୁ ଆଉ ଜର ହେଉନି ତ ? ପରୀକ୍ଷା କରିନେଲା । ନାଇଁ ଉତ୍ତାପ ନାଇଁ । ନାକରୁ ପାଣିଗଳୁଚି । ନିଜକୁ ନିଜେ ଧିକ୍କାରିଲା । ଗୁଜି ଉପରେ ରାଗହେଲା । ତାରିପାଇଁ ସିନା ଅଟକି ଯିବାରୁ ତା ଛେଳି ଛୁଆଟା ତିନ୍ତିଲା । ଆଜି ଯଦି ତାର କ’ଣ ହୁଏ...... ? ଗୁଜି ତାର କିଏ ? ପାଣୁଆର ଝିଅ ସିଏ ଚଇର ରକ୍ତମାଂସ ନେଇ ଆସିଚି । ତାପାଇଁ ତାର ଏତେ ଦରଦ କାହିଁକି ? ସେ ତାର କେହି ନୁହେଁ ।

 

କେହି ନୁହେଁ ???

 

ଆଖିଟା ତାର କେମିତି ଛଳ ଛଳ ହେଇ ଆସିଲା । ଆଉଟିକେ ହେଲେ ଖୁବ୍‍ ଦିଟା ବଡ଼ ଟୋପା ଖସି ପଡ଼ିବ । କାନ୍ଧପକା ପାଚିଲା ତଉଲିଆ କାନିରେ ପୋଛିନେଲା ଆଖିକୁ । ଗୁଜି ଆଜି ସାତପର । ଧରିବା ଦୂରର କଥା ଦେଖିବାରେ ପାପ । ଅନେକଥର ଲୁଚି ଲୁଚି ଦେଖିବାକୁ ଚେଷ୍ଟା କରିଚି । ସବୁଥିରେ ଧରାପଡ଼ିଚି । ଅପଦସ୍ତ ହେଇଚି । ତଥାପି ଛାଡ଼ିନି । ସମୟ ପାଇଲେ ଦୌଡ଼ିଯାଏ ଦେଖିବାକୁ । ଲୁଚି ଲୁଚି ଦେଖେ, ହସେ, ଆନନ୍ଦ ପାଏ । ପୁଣି ଚଇ ଆସିଲେ ଚାଲିଆସେ । କାଳେ କଣ ଭାବିବ !

 

କାଲି ପୁରା ବର୍ଷାଟା ଖାଇଚି ଗୁଜି । କେମିତି ଥିବା କେଜାଣି ? ବହୁତ ଇଚ୍ଛା ହେଉଚି ଦୌଡ଼ିଯାଇ ଦେଖିଆସିବ । ଦେହ ଅସୁଖ ଥିଲେ ରାତି ରାତି ଜଗି ବସିବ । ସେବା କରିବ । ସେ ତାର କେହି ନହେଲେବି ଚଇର ଝିଅତ । ଛି-ଏସବୁ କଣ ଭାବୁଚି ଯେ ? ସେଠିକି ପୁଣି ସେ ଯିବ ? ଯଦି ଚଇ ଦେଖେ କ’ଣ ଭାବିବ ? କହିବ-ହାଡ଼ିଆଇ ପୁଣି ପାଖକୁ ଚାଲିଆସିଲୁ । କୋଉଦିନ ମୁଁ ତୋତେ ଭଲ ପାଉଥିଲି ବୋଲି ମୋତେ ଅପଦସ୍ତ କରିବାକୁ ତୁ ଆଗେଇ ଆସୁଚୁ । ତୁପରା କହୁଥିଲୁ ଦେହଟା ମାମୁଲି ଜିନିଷ । ମନବା ବଡ଼କଥା । ପାଣୁଆ ନଥିବାରୁ ସୁଯୋଗ ନେଇ ତୁ ଛାର ଦେହଟା ପାଇଁ ଏତେବାଟ ଆଗେଇ ଆସୁଚୁ । ଅସମ୍ଭବ ତ । ଏ ଜନ୍ମରେ ତୋ ସାଥିରେ ଭେଟ ନୁହେଁ ପରଜନ୍ମରେ । ଆରପାରିରେ । ଏ ଦେହଟାତ ଏଜନ୍ମ ପାଇଁ ପାଣୁଆର । ଫେରିଯା ନହେଲେ...... ।’’

 

କାନଟାକୁ ଛାପିଧରି କାନ୍ଦିଉଥିଲା ହାଡ଼ିଆ । ଛେଳିଛୁଆଟା ଛିଡ଼ାହେଇ ଅନେଇ ରହିଚି ମୁହଁକୁ । ଆଖିରୁ ତାରବି ପାଣି ଗଡୁଚି । କୋଳକୁ ଟାଣିଆଣି ଗେଲକଲା ହାଡ଼ିଆ । ଲୁହ ପୋଛିଦେଲା ଆଖିରୁ । ତାପାଇଁ ଛୁଆଟା ଆଜି କାନ୍ଦୁଚି । ଏ ଜନ୍ମରେ କଣ ଶାନ୍ତିନାହିଁ ! ନିଜେ କାନ୍ଦି ଅନ୍ୟକୁ କନ୍ଦେଇବା କଣ ତା ଭାଗ୍ୟରେ ଲେଖା ? ଏଇଥିପାଇଁ କ’ଣ ତାର ଜନ୍ମ ? ଛେଳିଛୁଆଟା । ନିର୍ବୋଧ ସେ । ତଥାପି ତା ଦୁଃଖ ବୁଝିପାରି କାନ୍ଦିଲା ! କିନ୍ତୁ ମଣିଷ ଜନ୍ମପାଇ ଚଇ ବୁଝିଲାନି । ସନ୍ଦେହରେ କାଳି ବୋଳି ଦେଲା ତାଠି । ଟିକେ ସଂକୋଚ ବୋଧ କଲାନି ?

 

ନା ସେ ଭୁଲିଯିବ ଚଇକୁ । ଭୁଲିଯିବ ଗୁଜିକୁ । ସେମାନେ ତାର କିଏ ? ଏଇ ଛତରର ଜଣେ ଜଣେ ଆଶ୍ରିତା ସେମାନେ ଅନ୍ୟମାନଙ୍କ ପରି । ତେବେ ସେମାନଙ୍କ ପ୍ରତି ସେ ଏତେ ଦୁର୍ବଳ କାହିଁକି ହବ ? ଏଇ ଛେଳି ଛୁଆଟା ତାରି ପାଇଁ ମାକୁ ତା’ର ଭୁଲିଚି ତା କାନ୍ଦରେ ସେ କାନ୍ଦୁଚି । ତା ହସରେ ସେ ହସୁଚି, ତାକୁ ନିଜର କରିନେବ ।

 

ଦେହଟା କେମିତି କସମସ ଲାଗୁଚି । ତିନ୍ତିବାର ଅଭ୍ୟାସ ନାଇଁ କିନା ! ଅନେକ ଦିନରୁ ସେ ଅଭ୍ୟାସ ଛାଡ଼ିଦେଲାଣି । କେଜାଣି ଚଇକୁ ନଭେଟିଥିଲେ କାଳେ ଅଭ୍ୟାସ ଥାନ୍ତା କାଳିମାଟି ଗଲାଦିନୁ ସେ ଅଭ୍ୟାସ ଗଲାଣି ଟିକିଏ ତିନ୍ତିଲେ ଥଣ୍ଡା ଧରୁଚି । ଦେହଟା କସମସ ଗୁଚି । କାନରେ ଖୋସା ଦେଇଥିବା ଖଣ୍ଡିଆ ପିଙ୍କାଟାକୁ ଆଣିଲା । ସବୁକୁ ଭୁଲେଇ ଦିଏ ଏଇ ପିଙ୍କାଟା । ଦିଢ଼ୋକ ଟାଣିଦେଲେ ମନଟା ଆକାଶରେ ଉଡ଼େ । ତଳେ ପଡ଼ିରହେ ଏକ ଆବୁଡ଼ା ଖାବୁଡ଼ା ପୃଥିବୀଟା ।

 

ନୂଆ ପିଅନଟା, ତାକୁ ତଡ଼ି ଯାହାକୁ ନିଜଘର ଜଗିବା ପାଇଁ ରଖିଛନ୍ତି ପାଖେଇ ଆସୁଚି-। ଭାରି ଡହରାଟାଏ । ଦେଖାହେଲେ କିଛି ଲାଞ୍ଚନେଲେ ଚଇ କଥାଟିକେ କହିବ । ପାଖରେ ପହଞ୍ଚିସାରି ଓଳଗି ହେଲାସେ । କହିଲା–

 

କୁଆଡ଼େ ଯାଉଚକି ହାଡ଼ିଆ’ଇ ?

 

ନାଁମ, ଯାଉଚି ଦେଖେ ଷ୍ଟୋରଘର ଆଡ଼େ କଣ ହେଉଚି । ଯିବାକୁ ଇଛା ହେଇନିମ ଦେହଟା କେମିତି ମାଁଦା ମାଁଦା ଲାଗୁଚି ।

 

କାଲି ତିନ୍ତି ଥିଲୁକି ?

 

ହଁରେ ଭାଇ ଟିକେ ତିନ୍ତିଗଲି ।

 

ଆଉ ତମ ଛୁଆଟା ଭଲ ଅଛିଟି ?

 

ଦିଟାତ ଶୁଖିଲା ଭାତ ପକେଇ ଦେଇ ଆସିଚି । ହତଭାଗାଟା ।

 

ଯାହା ହେଉ ଭାଇ ବଞ୍ଚିଗଲା । ନହେଲେ ପରା ଜରରେ ପଟାଳୀ ପଡ଼ିଯାଇଛନ୍ତି ।

 

କି ଜର ହେଲା କେଜାଣି ଗୋଟିଏ ଦିନରେ ବାସ...... ।

 

କଣ ହଉଚି ।

 

କଣ ହବ ଆଉ । ସିଧା ଉପରକୁ ଟିକେଟ କାଟୁଛନ୍ତି ।

 

କାହିଁକି କିଏ ଗଲାଣି କି ?

 

ହାଡ଼ିଆ କଣ୍ଠରେ ବ୍ୟଗ୍ରତା । ପିଅନଟା ନୂଆ ହେଲେ କଣ ହବ ସେ ବେଶ୍‍ ଠଉରେଇ ପାରିଚି ହାଡ଼ିଆର ଏ ବ୍ୟଗ୍ରତା କେବଳ ଗୁଜି ଆଉ ଚଇ ପାଇଁ । ଦୁନିଆ ଭାସିଗଲେ ତାର ଯାଏ ଆସେ ନାହିଁ । କିନ୍ତୁ ସେ ଦିଜଣଙ୍କର କ’ଣ ହେଲେ....... । ଚିଡ଼େଇବା ପାଇଁ କହିଲା ତୁ ବ୍ୟସ୍ତ ହନା ମ ହାଡ଼ିଆ’ଇ, ସେଦିଜଣଙ୍କର କିଛି ହେଇନି । ସେଇ ହରିନନା ପୁଅଟା ଚାଲିଗଲା । ତେବେ କାଇଁ ଆଜି ଚଇତ କାମକୁ ଆସିନି । ତାର କ’ଣ ହେଲାକି ?

 

ଖୁବ୍‍ ଜୋରରେ ଚାପିଧରି ହଲେଇ ଦେଲା ହାଡ଼ିଆ ଉପର ତଳ ଦାନ୍ତଙ୍କର ସଂପର୍କ କେମିତି ଗାଢ଼ରୁ ଗାଢ଼ତ୍ତର ହେଇ ଆସୁଚି ପଚାରିଲା, ଚଇ ଆଜି ଆସିନି ? ନା, କାଇଁ ସକାଳୁତ ଆସିନି ।

 

ତା ଦେହ କେମିତି ଅଛି ଜାଣିନୁ ?

 

ଆରେ ବାଃ, ମୁଁ ଜାଣିବି କେମିତି ? ତେବେ ଆରମସେ ପୁଝାରୀଟା କହୁଥିଲା ଗୁଜିକୁ କଣ ଟିକେ ଜର ହେଉଚି । ତୁ ତୋର ଛିଡ଼ା ହେଇଥା । ଦେଲୁଗୋଟେ ପିଙ୍କା, ମୁଁ ଯାଏ । ମୋର ସିଆଡ଼େ କେତେକାମ ।

 

ପିଙ୍କାଟଏ ହାତକୁ ବଢ଼େଇ ଦେଲା ହାଡ଼ିଆ । ନୂଆ ପିଅନଟା ଚାଲି ଯାଉଥିଲା । ହାଡ଼ିଆ ଟାଣିଧରି ପଚାରିଲା–

 

ଡାକ୍ତର ବାବୁ ଆସି ନାହାନ୍ତି ?

 

କିରେ ତାଙ୍କର କଣ ଜୀବନ ନାହିଁ ? ଦେଖୁଛୁ ପୁଣିପରା ଧୂମାଳ ଆଇଲାଣି । ସେ ତ ପୁଣି ମଣିଷ ! ତାଙ୍କର ତ ପୁଣି ଜୀବନ ଅଛି !

 

ତା ବୋଲି......

 

ତୁ ଭାବୁଥା ମୁଁ ଯାଉଚି ।

 

ନୂଆ ପିଅନଟା ଚାଲିଗଲା । ହାଡ଼ିଆ ଭାବୁଥିଲା ଗୁଜିକଥା ଯଦି ତାର କଣ ହୁଏ...... । ଡାକ୍ତର ବାବୁ ଆସିଲେନି ? କାହିଁକି ? ସେକଣ ପଇସା ଦେଉ ନାହାନ୍ତି । ହରିନନାର ପୁଅ ମରିଗଲା ଟିକେ ଓଷଧ ନପାଇ । ଆଉ ଗୁଜିଯଦି ମରିଯାଏ.... !!

 

ଆଗରେ ଚଇର କୁଡ଼ିଆଟା କ’ଣ ଗୋଟେ ଆଲୁଅଟେ ଦିକ୍ ଦିକ୍‍ ହେଇ ଜଳୁଚି । ତାଟିପାଖେ ଛିଡ଼ା ହେଇଗଲା । ଡାକିବକି ଚଇ ? ଯଦି ଚଇ ଅନ୍ୟକିଛି ଭାବେ । ନା, ସେ ଡାକିବନି-। ପତରଟିକେ ଝାଡ଼ିଦେଲେ ସେଇଫାଙ୍କ ମଝିରେ ଦେଖାଯିବ । ତାରି ଭିତର ଦେଇ ଦେଖିନବ ଗୁଜିକୁ । ତାପରେ ପୁଣି ଚାଲିଯିବ ତାର ଛେଳିଛୁଆଟି ପାଖକୁ । ଏକା ଥିଲା । ବର୍ଷା ଆସିଲାଣି-। ବିଲୁଆ କୁକୁରଙ୍କ ପାଟି ଶୁଣି ଡରି ଯିବଣୀ । ଜୀବନର ଆଶ ଛାଡ଼ି ବସିଥିବ ସେ । ଯଦି କେହି ଖଣ୍ଡିଆ ପାଚେରିଟା ଡେଇଁଲା........ ।

 

ପତରଦିଟା ଛିଣ୍ଡାଇ ଟିକେ ଜଳା ହେଲା । ସ୍ପଷ୍ଟ ନହେଲେବି ଟିକେ ଟିକେ ଦେଖା ଗଲାଣି । ଛିଣ୍ଡା କତରାଟାଏ ଉପରେ ଶୋଇଚି ଚଇ । ଛାଟି ପିଟି ହେଉଚି । ଖାଲିଦେହଟାକୁ ଗୋଟେ ଛିଣ୍ଡା ଲୁଗାରେ ଘୋଡ଼େଇ ଦେଇଚି ଚଇ । ଆଖିରେ ଆଖିଏ ଲୁହ, ଛାତି ଉପରେ ହାତ ପକେଇଚି, କାଡେ ଚମକିବ । ଆର ହାତଟାକୁ ମୁଣ୍ଡରେ ଦେଇ କାନ୍ଦୁଚି ସେ ।

 

ଚଇ ଭାବୁଚି । ଅସରନ୍ତି ଭାବନା । ତା ଭାଗ୍ୟରେ କ’ଣ ଏଇୟା ଥିଲା ! ଏଇ ଅଭିଶପ୍ତ ଜୀବନ ନେଇ ସେ ଜନ୍ମହେଲା କାହିଁକି ? ଯୋଊ ଡାଳରେ ହାତ ଦେଇ ଆଶ୍ରା ଲୋଡ଼ୁଚି ସେଭାଙ୍ଗୁଚି-। ହାଡ଼ିଆ ଯାଇଥିଲା । ପାଣୁଆ ଗଲା । ଛୁଆଗୁଡ଼ା କାଳେ ଅଶାନ୍ତିରେ ଦହଗଞ୍ଜହେବେ ବୋଳି ନେଇଗଲା ପାଖକୁ । ବାକିଥିଲା ଗୁଜି । ପାଣୁଆର ଶେଷ ଚିହ୍ନ । ଇୟାର ମୁହଁକୁ ଚାହିଁଲେ ପାଣୁଆ ମନେପଡ଼େ । ଖୁବ୍‍ ମନେପଡ଼େ । ତେଣୁ ଯେତେବେଳେ ହାଡ଼ିଆପାଇଁ ସେ ଦୁର୍ବଳ ହେଇପଡ଼େ-। ଯେତେବେଳେ ମନକହେ ତାପାଇଁ ଟିକେ ମନପୁରେଇ କାନ୍ଦିବାକୁ ଗୁଜିଭିତରେ ପାଣୁଆ ମନାକରେ । କାନ୍ଦି ପାରେନା । ଲୁହ ସୁଖିଯାଏ ।

 

ଆଜିସେଇ ଗୁଜିକୁ ନିଜ ପାଖକୁ ଟାଣି ନେଉଚି ପାଣୁଆ । ସ୍ଵାର୍ଥପରଟାଏ । ସମସ୍ତଙ୍କୁ ପାଖକୁ ନେଇ ଖେଳିବ । ସୁଖରେ ରହିବା, ଆଉ ସେ କି ଦୋଷକଲା ? ସେ କ’ଣତାକୁ ତାର ସମସ୍ତ ସଂଚିତ ଧନ ଓ ଜାତି ଦେଇନି ? ତାରି ଦୁଃଖରେ କଣ ସେ କାନ୍ଦି ତକିଆ ଭିଜେଇନି ? ତେବେ ଏତେ ସ୍ଵାର୍ଥପର ହେଲା କାହିଁକି ?

 

ହାଡ଼ିଆଇ ସହିତ ଯୋଗୁଚି ବୋଧେ । ସେ ଚାହିଁଥିଲେ ହାଡ଼ିଆ’ଇକୁ ନେଇ ପୁଣି ଘରକରି ପାରିଥାନ୍ତା । ପୁଣି ସେ ତକିଆ ଭିଜେଇ ଥାନ୍ତା ଜଣକପାଇଁ । ହସି ହସି ଲୋଟିଯାଇପାରିଥାନ୍ତା ଜଣକ କୋଳରେ । କିନ୍ତୁ କରିନି ଗୁଜି ମୁହଁକୁ ଚାହିଁ । କାଳେ ଅନାଥ ହେଇଯିବ ବୋଲି । ସେଥିପାଇଁ କଣ କଟୁକଥା କହିନି ହାଡ଼ିଆଇକୁ । ତାର ପ୍ରଥମ ପୁରୁଷକୁ ସେମିତି ଖାଲିହାତରେ ଫେରେଇ ଦେଇଚି । ସେମିତି ଜଳିପୋଡି ମରିଚି ପଛେ କେବେ ପାଟି ଖୋଲି କହିନି । ହାଡ଼ିଆଇ ଠାକୁର । ସେ ନଥିଲେ କ’ଣ ବାବୁ ମୁହଁରୁ ଏପର୍ଯ୍ୟନ୍ତ ରକ୍ଷାପାଇ ପାରିଥାନ୍ତା ? ଅସମ୍ଭବ । ତଥାପି ଉପକାର ବଦଳରେ ସେ ହାଡ଼ିଆଇକୁ ଦେଇଚି ଅପମାନ । ନାନା କଟୁକଥା କୁହାଇ ଆଖିରୁ ନିଗିଡ଼େଇ ଦେଇଚି ପାଣି । ତଥାପି ହାଡ଼ିଆଇ ଲୁଚି ଲୁଚି ଆସେ । ଗୁଜିକୁ ଧରେ, ଚାଲିଯାଏ । ଆଜି ଯଦି ହାଡ଼ିଆଇ ଥାଆନ୍ତା......... ।

 

ତେବେ କଣ ଅକାଳରେ ଗୁଜି ଝଡ଼ିଯିବ....... ??

 

ଖୁବ୍‍ ଜୋରରେ କାନ୍ଦିଉଠିଲା ଚଇ । ମନ ହେଉଥିଲା ବାଳଗୁଡ଼ାକୁ ଛିଣ୍ଡେଇ ଏଇଠି ବାଡ଼େଇ କଚାଡ଼ି ହେଇ ମରନ୍ତା । ଗୁଜି ଯିବା ପୂର୍ବରୁ ସେ ଚାଲି ଯାଆନ୍ତା ସେଇଠିକି । ଯଦି ପାଣୁଆ ଦେଖା ହୁଅନ୍ତା, କହନ୍ତା-ତୋରିଲାଗି ମୋର ସୁନା ସପନ ଛାର ଖାର ହୋଇଗଲା । ତୋରି ଅବିଶ୍ଵାସ ଲାଗି ମୋର ମାତୃତ୍ଵ ଅସଫଳ ହେଲା । ଦେଖିଲୁତ ସବୁ । ଏଥର ବିଶ୍ଵାସ ହେଲା ?

 

ଛୋଟଛୁଆ ପରି କାନ୍ଦିଉଠିଲା ଚଇ । ଗୁଜି ଉଠିଲାଣି । କାନ୍ଦୁଚି ବି ସିଏ । ହାଡ଼ିଆ ସହି ପାରିଲାନି । ଡାକିଲା ‘‘ଚଇ...... ?’’

 

କଣ୍ଠରେ ତାର ଆଦ୍ରତା ।

 

ଆଖିରୁ ଲୁହ ପୋଛିଲା ଚଇ । ସତର୍କ ଆଖିଦିଟା ତାର ପୁଣି ଘୁରି ଆସିଲା ଘର ଚାରିକର । ଏଇ ସେ କଣରେ ସେଇ ଜଳ ବାଟେ ଦିଟା ଆଖି ଦେଖାଯାଉଚି । ଜଳିଲା ଜଳିଲା ଆଖି । ହାଡ଼ିଆର ନୁହେଁତ । କାହିଁକି ଆସିବ ? ପଚାରିଲା-‘କିଏ ?’ ମୁଁ ଚଇ ମୁଁ । ମୋତେ ଚିହ୍ନି ପାରୁନୁ ଚଇ ? ମୁଁ ପରା ତୋ ହାଡ଼ିଆଇ ! ତାଟି ଖୋଲ । ଗୁଜି ଦେହ କ’ଣ ହେଇଚି ଦେଖେ ।

 

ତାହାଲେ ପାଣୁଆ ଜାତି ଯିବ । ଛତରରେ ଏତେ ପିଲା ଶୋଇଛନ୍ତି କାହା ପାଖକୁତ ଯାଉନି ହାଡ଼ିଆଇ । କାଲି ଓଷଧ ଟିକେ ନ ପାଇ ହରିନନାର ଛୋଟ ଛୁଆଟା ତାଙ୍କରି ଆଗରେ ମରିଗଲା । ସେତେବେଳେ କୁଆଡ଼େ ଯାଇଥିଲା ହାଡ଼ିଆଇ ? ଆଉ ଆଜି ଏଇ ମେଘ ଅନ୍ଧାର ରାତିରେ ତା ପାଖକୁ ଦୌଡ଼ି ଆସିଚି କାହିଁକି ? ଗୁଜି ତାର କିଏ ? ପାଣୁଆ ଠିକ୍ କରିଚି ଏବେ । ନିଜ ଝିଅର କଳଙ୍କ କଣ ସହିପାରନ୍ତା ? ନେଇ ଯାଉଚି । ନଉ । ହେଲେ ସେ ଏତେ ଚଞ୍ଚଳ ହାରିବାକୁ ମାନି ନବନି । ସବୁ ବଦଳରେ ସେ ପାଣୁଆକୁ ମନେଇବ । ତାକୁ ବିଶ୍ଵାସ କରିବାକୁ ପଡ଼ିବ ପାଣୁଆକୁ ।

 

ତାଟିଟା ଫିଟେଇ ବାହାରି ଆସିଲା ଚଇ । ରଣଚଣ୍ଡି ମୂର୍ତ୍ତି । ଆଖିରୁ ନିଆଁ ପିଣ୍ଡୁଳା ଖସି ପଡ଼ୁଚି ଯେମିତି । ହାଡ଼ିଆ ଅନେଇଲା ଚଇକୁ । ଲଙ୍କାପୋଡ଼ି ବେଳର ମା’ କାଳିଙ୍କ ପରି ବିକଟାଳମୂର୍ତ୍ତି । ଇଏ କଣ ସେଇ ଚଇ ଯା ଦେହରେ ଶତ ବସନ୍ତ ଲହଡ଼ି ଭାଙ୍ଗୁଥିଲା ? ଇଏ କଣ ସେଇ ଚଇ ଯାର ଚାଲିରେ ଫୁଟି ଉଠୁଥିଲା ଲକ୍ଷେ ପଦ୍ମ । ଆଉ ଯାର ଚାହାଣୀରେ ଶିବଙ୍କ ତପସ୍ୟାବି ଟଳି ପାରୁଥିଲା । ମୁହଁ ତଳକୁ କରି ଭିତରକୁ ପଶିବାକୁ ଚେଷ୍ଟା କରୁଥିଲା ହାଡ଼ିଆ ।

 

ବାଟ ଓଗାଳିଲା ଚଇ । ଭିତରକୁ ପସିବାକୁ ଦେବନି ଗୁଜିପରି ନିଷ୍କଳଙ୍କ ପ୍ରତିମା ଦେହରେ ସେ ପାପ ଛାଇ ପଡ଼ିବାକୁ ଦେବନି । ନହେଲେ ଖୁବ ଚଞ୍ଚଳ ନେଇଯିବ ଯେ ପାଣୁଆ । ପାଣୁଆ ଜିତି ଯିବ । ଆଉ ସେ...... ।

 

ମୋତେ ଛାଡ଼ ଚଇ, ମୁଁ ଦେଖେ ଗୁଜିର କଣ ହେଉଚି–

 

କ’ଣ ଛାଡ଼ିବୁନି ?

 

ଆଜି ଦିନକ ପାଇଁ ମୋତେ ଅବିଶ୍ଵାସ କରନା ଚଇ । ଛାଡ଼ିଦେ ମୁଁ ଯାଏ । ଆଜି ଦିନକ ଆଖି ପୁରେଇ ଦେଖିନିଏ ।

 

ତୋ ପାପଛାଇ ମୁଁ ପଡ଼ିବାକୁ ଦେବିନି, ହାଡ଼ିଆ’ଇ ।

 

ଚଇ..... ।

 

କହତୁ କାହିଁକି ଏତେ ରାତିରେ ଛପି ଛପି ଏଠିକି ଚାଲି ଆସିଚୁ ?

 

ଚଇ ଶେଷରେ କଣ...... ??

 

କାହିଁକି ଭାବିବିନି କହିପାରିବୁ ହାଡ଼ିଆଇ । ଛତରରେ ଏତେ ଲୋକ ଥାଉ ଥାଉ କାହିଁକି ତୁ ଏଇଠାକୁ ଚାଲି ଆସୁଚୁ ? ଏଥିରେ ତୋରକଣ କିଛି ସ୍ଵାର୍ଥ.....

 

କଥାଟାକୁ ସଂପୂର୍ଣ୍ଣ କରିବାକୁ ଦେଲାନି ହାଡ଼ିଆ । ଗୋଟେ ଶକ୍ତ ଚାପୁଡ଼ା ଦେଲା ଚଇକୁ-। ତଳେ ପଡ଼ିଗଲା ସେ । କାନ୍ଦି ଉଠିଲା ସଁ ସଁ ହେଇ । ଚେତା ଫେରିଲା ହାଡ଼ିଆର । କ’ଣ କଲା ସେ । ଚଇ ଉପରକୁ ହାତ ଉଠେଇ ପାରିଲା ? ଚଇ ଠିକ୍‍ କହିଚି । କଣ ପାଇଁ ଏଇ ମେଘଅନ୍ଧାର ରାତିରେ ସେ ଚାଲି ଆସୁଚି ତା ପାଖକୁ ? ଛତରରେ କଣ ଆଉ ଛୁଆ ନାହାନ୍ତି ? ଭିତରକୁ ଚାହିଁଲା-। ପବନରେ ଲିଭି ଯାଇଚି ବତୀଟା । ଗୁଜି ଆଉ ଦେଖା ଯାଉନି । ଏଇବୋଧେ ଭଗବାନଙ୍କର ଇଚ୍ଛା । ସେ ଗୁଜିକୁ ନଦେଖିବା ହିଁ ଭଲ । ମୁହଁ ଘୂରେଇଲା । ନିଘୋଡ଼ ଅନ୍ଧାର ରାତି-। ଆଖିକୁ ଆଖି ଦିଶୁନି । ତାରିଭିତରେ ଲୁହଗଡ଼େଇ ବାଡ଼ିଟା ଠୁକ୍‍ ଠୁକ୍‍ କରି ମିଶିଗଲା ହାଡ଼ିଆ-

 

ଦୂରକୁ ଚାହିଁଥିଲା ଚଇ ।

 

ଖୁବ୍ ଅନ୍ଧାର । କେବଳ ଅନ୍ଧାର ।

 

ସକାଳ କେତେବେଳୁ ହେଲାଣି । ଖରା ଆସି ଚାଳମଥା ଛୁଇଁଲାଣି । ଛେଳିଛୁଆଟା ସେମିତି ଚକାମଡ଼େଇ ଶୋଇଚି । ଡାକିଲେ ଉଠୁନି ହାଡ଼ିଆଇ ରାଗହେଲା । କେଡ଼େ ଅଳସୁଆଟାଏ ମ । ପିଲାଦିନୁ ଏମିତି ଅଳସୁଆ ହେଲେ ବଡ଼ଦିନକୁ କ’ଣ କରିବ କେଜାଣି ! ଡାକିଲା । ଛେଳିଛୁଆଟି ଅନଉଚି । କାତର ଚାହାଣୀ । ତା’ରିଭିତରେ ସେ କହିଦେବାକୁ ଚାହୁଁଛି ଅନେକ କିଛି । ସାରା ସଂସାରଟାର କଥାକୁ ଯେମିତି ସେଇଟିକେ ଚାହାଁଣୀ ଭିତରେ ସେ ରଖି ଦେବାକୁ ଚାହୁଁଚି । ମୂକସେ । ନିଜ କଥାର ପରିପ୍ରକାଶ ପାଇଁ ସେ ଅଧିକ କଣ କରି ପାରେ ? କାଲିର ବର୍ଷା ମାଡ଼ରେ ଦେହ କ’ଣ ଖରାପ ହେଲାକି ? ହରିହରବାବୁ ଡାକିନଥିଲେ........ ।

 

ଠେଙ୍ଗାଟାକୁ ଦୂରକୁ ଫିଙ୍ଗିଦେଲେ ଛେଳିଛୁଆଟା ପାଖୁ ଚାଲି ଆସିଲା ହାଡ଼ିଆ । ହାତମାରିଲା ଦେହରେ । ରୁମ ମାରୁନି ତ ? ତାହେଲେ ଦେହବୋଧେ ଖରାପ ହେଲା । ଚାରିଆଡ଼ ଅନ୍ଧାର ଦେଖା ଦେଲା । ଖରାଗୁଡ଼ା ଯେମିତି ଅନ୍ଧାରର ଦେବଦୂତ ପରି ଚାଳଉପରେ ଡିଆଁ ମାରୁଛନ୍ତି । କଣ କରାଯାଇ ପାରେ । ପଶୁବାବୁତ ଅନେକ ଦୂରରେ ।

 

କୋଳକୁ ଉଠେଇ ଆଣିଲା ଛୁଆଟାକୁ । ଥରୁଚି ସେମିତି । ଆଉଁସିଲା । ମୁହଁକୁ ଅନେଇଚି ଛୁଆଟା । ଆଖିରେ ଦିଧାର ଲୁହ କଷ୍ଟ ହେଉଚି ବୋଧେ । ନିଜ ଆଖିରେ ହାତମାରିଲା । ତା ଅଜଣାରେ ଲୁହଗୁଡ଼ା ଆଖିର ପଆବରେ ସଭା ଆରମ୍ଭ କଲେଣି । ଆଖିରୁ ଲୁହ ପୋଛିଲା । ଆଜି ସେ କାମକୁ ଯିବନି । ତାର ଏକଇରବଳା ବିଶିକେଶନକୁ ନେଇଯିବ ଆଉ ଛତରକୁ । ପଶୁବାବୁ ପାଖୁ । ଗୋଡ଼ତଳେ ପଡ଼ିବ । ଦାନ୍ତରେ କୂଟାଦେଇ ଶରଣ ପଶିବ । ଡାକ୍ତରବାବୁଙ୍କୁ ଭଲକରିବାକୁ ପଡ଼ିବ ଆକୁ । ନହେଲେ ତା ପ୍ରାଣବାୟୁ ଛାଡ଼ିଯିବ ଯେ ।

 

ନଉଛୁଣା କୁକୁରଗୁଡ଼ା ଛୁଆଟାକୁ ଦେଖି ଭୁକିଲେଣି ଭାରିଲୋଭ ତାଙ୍କର ଏଇ ଛୁଆଟା ଉପରେ । ଏଡ଼େ ସୁନ୍ଦର ଛୁଆଟାଏ ଦେଖିଲେ କିଏ ଲୋଭ ନ କରିବ ? ହାଡ଼ିଆ ମନେ ମନେ ଗର୍ବ କରୁଥିଲା । ପିତୃତ୍ଵ ତାରି ମନର କ୍ଷୁଦ୍ର ରାଜ୍ୟରେ ନିଜର ଆସ୍ଥାନ ଜମେଇବାକୁ ଆରମ୍ଭ କରୁଥିଲା । ଏହା ପଛେ ପଛେ କେତେ ଗୁଡ଼େ ଦାନ୍ତ ନିକୁଟି ଗୋଡ଼େଇଛନ୍ତି । ଠେଙ୍ଗାଟାକୁ ହୁରୁଡେଇ ଦେଲା । ଏଇ ଗୁଡ଼ାଙ୍କ ଆଖିରେ ଛୁଆଟା ଶୁଖି ଯାଉଚି । ଅଲେକ୍ଷଣା ଗୁଡ଼ା । ନିଜେତ ହେଇ ପାରିବେ । ଯିଏ ହେବ, ସହି ବି ପାରିବେନି ।

 

ସକାଳୁ କେମିତି ଟିକେ ପବନ ଦେଉଚି । ଛୁଆଟାକୁ ଶୀତ କରୁଥିବ ବୋଧେ । କାନ୍ଧରୁ ଫଟାଲୁଗାଟା ଟାଣି ଆଣି ଗୁଡ଼େଇ ଦେଲା । ଛୁଆଟା କିଲ୍ କିଲ୍‍ ହେଉଚି । ସେ ଚାହୁଁନି ଲୁଗା । ସେ ଏମିତି ଲଙ୍ଗଳା ଫୁଙ୍ଗୁଳା ହେଇ ରହିବାକୁ ଚାହେଁ । ଆସ୍ତେ କିନା ଗୋଟିଏ ସରୁ ଚାପୁଡ଼ା ଦେଇ ହାଡ଼ିଆ କହିଲା, ‘‘କେଡ଼େ ଦୁଷ୍ଟଟାଏମ । ଦେହରେ ଟିକେ ଲୁଗାରଖି ଦେଉନି । ବେଳ କାଳ ଯେମିତି....... । କହିଲେ କଣ ବୁଝିବ । ଦେହ ସିନା ପଶୁବାବୁ ପାଖକୁ ଦୌଡ଼ି ଦୌଡ଼ି ମରିବି ।’’

 

ଆଉ ବେଶୀ କିଲ୍‍ କିଲ୍‍ ହେଉନି ଛୁଆଟା । ସ୍ଥିର ହେଇ ଗଲାଣି । ଭଲକରି ଆଉ ପରସ୍ତେ ଗୁଡ଼େଇ ଦେଲା ଲୁଗାଟା । ଶୀତ ଯେମିତି ପଶି ପାରିବନି । ନିଜ ଦେହରେ ଜଡ଼େଇ ଧରିଲା ।

 

ଆଗରେ ହରିହରବାବୁ ଆସୁଚନ୍ତି । ଛତର ବୁଲିଯାଇଥିଲେ ବୋଧେ । ସବୁଦିନ ସକାଳୁ ସେ ଯାଆନ୍ତି । ଦେହପା ବୁଝନ୍ତି । କାହାର କଣ ଅସୁବିଧା ଥିଲେ ନିଜେତାର ତଦାରଖ କରନ୍ତି । ରୋଗ ବୈରାଗରେ ପଡ଼ିଥିଲେ ନିଜେବସି ଆଊଁ ସନ୍ତି । ଓଷଧ ଢାଳି ଦିଅନ୍ତି । ସବୁଦିନ ପରି ଆଜିବୋଧେ ଯାଇଥିଲେ । ଏଇ ଫେରୁଛନ୍ତି । ‘‘କୁଆଡ଼େ ଯାଉଚୁ କିରେ ହାଡ଼ିଆ ?’’

 

ଓଳଗି ହେଲା ହାଡ଼ିଆ । ରାମତିଆଡ଼ି ଥିଲାବେଳେ ଯୁକ୍ତି ତର୍କଛଡ଼ା ଓଳଗି କ’ଣ ଜାଣିନଥିଲା । ସେ ଜେଲକୁ ଗଲାପରେ ଆସିଲେ ହରିହରବାବୁ । ସାକ୍ଷାତ ଠାକୁର । ଚଳନ୍ତି ପ୍ରତିମା । ମନଜାଣି ଦିଅନ୍ତି । ଆପେ ଆପେ ମୁଣ୍ଡ ନଇଁଯାଏ । ହରିହରବାବୁ ବି ହାଡ଼ିଆକୁ ଭଲପାଆନ୍ତି । ରାମତିଆଡ଼ି ଥିଲାବେଳେ ହାଡ଼ିଆର କାର୍ଯ୍ୟକଳାପ ଲୋକଙ୍କ ଠାରୁ ଶୁଣି ସେ ମହାଖୁସି । କଥା କଥାକେ ହାଡ଼ିଆକୁ ଡାକରା । ହାଡ଼ିଆ ଯାହା କହିବ ତାହାହିଁ ହେବ । ତାଙ୍କର ଡାହାଣ ହାତସେ ।

 

ଆସିବାର କିଛିଦିନ ହୋଇଥାଏ । ନୂଆଲୋକ ହରିହର ବାବୁଙ୍କୁ କେମିତି ଅଡ଼ୁଆ ଅଡ଼ୁଆ ଲାଗୁଥାଏ । ଜଣେ ଏଇଠୁ ଜେଲ ଯାଇଚି । ଜଗିରଖି ଚଳିବାକୁ ହେବ । କେହି ଖୁଞ୍ଚା ପେଲା ନାହାନ୍ତି ତ ? ହାତେମାପି ଚାଖଣ୍ଡେ ଚାଲିଲେ କେମିତି ହୁଅନ୍ତା ?

 

ମନେ ମନେ ଠିକ କରିଥିଲେ ସେ ଦିନ ହରିହର ବାବୁ କାହାକୁ ବିଶ୍ଵାସ କରିବେନି । ସବୁ କଥାକୁ ନିଜେ ଦେଖିବେ, ନିଜେ ବୁଝିବେ । କାହାର ବୁଝେଇବାରେ ତାଙ୍କର ଯାଏ କେତେ ଆସେ କେତେ ? ବାବୁଙ୍କ କଥା ଆଗରୁ ଟିକେ ଟିକେ ଶୁଣିଥିଲେ । ମନଖରାପ ହେଇ ଯାଇଥିଲା । ଏ ବୟସରେ ଘରେ ପିଲାଛୁଆ ଥାଉ ଥାଉ....... ।

 

ନା ତାଙ୍କୁ ଭଲବାଟକୁ ଆଣିବେ । ପଶୁର ମୁଖା ତାଙ୍କୁ ଛାଡ଼ି ମନୁଷ୍ୟତ୍ଵର ମୁଖା ପିନ୍ଧିବାକୁ ପଡ଼ିବ । ଏଇ ମୂଳମନ୍ତ୍ର ନେଇ ସେଦିନ ସେ ପହଞ୍ଚିଥିଲେ ବିଶେଷର ପୁରରେ ସେଥିପାଇଁ ସାଥୀଲୋଡ଼ା । ସହଯୋଗୀ ଲୋଡ଼ା ।

 

ସଂଧାନୀ ଆଖିତାଙ୍କର ଖୋଜି ବୁଲୁଥିଲା ସାଥୀଟିଏ ପାଇଁ । ସହଯୋଗୀ ପାଇଁ । କେତେ ଆସିଲେ । ତେଲମଖା କଥାନେଇ ହାତରେ ପ୍ରଲୋଭନର ଦିହୁଡ଼ି ନେଇ । ଭାବିଥିଲେ ଏଇ ଦିହୁଡ଼ିର ଆଲୋକରେ ହରିହର ବାବୁ ଝାସଦେବେ । ହରିହର ବାବୁ ଭାଳିଲେନି । ସେ ଖୋଜି ବୁଲିଲେ ସାଥୀଟିଏ । ତାଙ୍କର ଡାହାଣ ହାତ ହେବ । ସେଦିନ ରାତିରେ....

 

ତେଲ ଚିକିଟା ଅନ୍ଧାର ଭିତରେ ପାଦ ଚିପି ଚିପି ଆଗେଇ ଯାଉଥିଲେ ହରିହର ବାବୁ । ସମସ୍ତେ ଶୋଇଛନ୍ତି ଖୁବ୍‍ ନିଶ୍ଚିନ୍ତରେ । ଆଜିକାଲି ପେଟଟିକେ ଓଦା ରହୁଚି ନା । ଟିକେ ଦୂରରେ ଛୋଟ ନିଆଁ ଖଣ୍ଡେ ଜଳିଉଠି ପୁଣି ଲିଭି ଯାଉଚି । ମନରେ ସଂଦେହର ଅଳନ୍ଧୁ । କେହିକିଛି ଷଡ଼ଯନ୍ତ୍ର କରିବାକୁ କାହାକୁ ଇସାରା ଦେଉନି ତ ?

 

ଚୁପି ଚୁପି ପଛବାଟେ ବୁଲିଗଲେ ହରିହର ବାବୁ । ଥୁଣ୍ଟା ଗଛଟାକୁ ଆଉଜି ପିଙ୍କା ଟାଣୁଚି ହାଡ଼ିଆ । ପାଖରେ ମୂଳିଆ ଠେଙ୍ଗା ଖଣ୍ଡେ । କୋଳରେ ଛେଳି ଛୁଆଟା ହରିହର ବାବୁ ଚମକି ଉଠିଲେ । ତେବେ ହାଡ଼ିଆ ଯାହାକରେ କେବଳ ଲୋକଦେଖାଣିଆ ? ଆଉସେ ଯାହା ତା’ ବିଷୟରେ ଶୁଣିଛନ୍ତି ସବୁ ମିଛ ?

 

ମନେ ମନେ ଆଶ୍ଵସ୍ତ ହେଲେ । ଲୋକଙ୍କ ମୁହଁକଥା ଶୁଣି ସାଥିକରି ନେବାକୁ ବସିଥିଲେ ହାଡ଼ିଆକୁ । ଭଗବାନ ଡାକ ଶୁଣିଛନ୍ତି । ବଦନାମରୁ ତାଙ୍କୁ ରକ୍ଷାକରି ଦେଇଛନ୍ତି ଅନ୍ଧାରଟା ମାଡ଼ିଆସିବା ପୂର୍ବରୁ ଜହ୍ନଟା ଉଇଁ ଆସିଚି ।

 

ପାଖକୁ ଲାଗିଆସି ପଛପଟୁ କାନ୍ଧଟାରେ ହାତ ପକେଇଦେଲେ ହରିହରବାବୁ । ହାଡ଼ିଆ ଚମକି ଉଠିଲା । କାହାର ଏ ଶକ୍ତହାତ । ଏତେରାତିରେ କିଏ ଏଠିକି ଆସିଚି ? ଘୂରି ପଡ଼ିଲା । ଆଗରେ ହରିହର ବାବୁ । ଚମକି ଉଠିଲା ତେବେ ସେ ଯାହାକୁ ଦେବତା ବୋଲି ଭାବୁଥିଲା ସେ କଣ ନର ରାକ୍ଷସ ? ସେ କ’ଣ ରାମତିଆଡ଼ି ପରି ରାତ୍ରିଚର । କୁହେଳିଚିରି ପଚାରିଲା–

 

‘‘ଆଜ୍ଞା ଆପଣ ?’’

 

‘‘କାହିଁକି କୋଉଥିରେ ଅସୁବିଧା ହେଲା କି ?’’

 

‘‘ଆପଣ ଏ କଣ କହୁଛନ୍ତି ?’’

 

‘‘ତୋପ୍ରତି ଗୋଟେ ଶକ୍ତ ଧାରଣା ଥିଲା ହାଡ଼ିଆ । ଭାବିଥିଲି ଏ ଖଣ୍ଡଟାରେ ତୁ ଗୋଟେ ହୀରା । ତୋତେ ସାଥିକରି ନେବି । ମୋ ରଥର ଚାଳକ କରିନେବି । ତୁହେବୁ ସାରଥୀ । କିନ୍ତୁ ଆଜି ଦେଖୁଚି ତୁ ଖଣ୍ଡେ କାଚ । ତୋ ମନରେ ଏତେ ନୀଚ ଧାରଣା ଥିଲାବୋଲି ମୁଁ କଳ୍ପନା କରିନଥିଲି ।’’

 

ବାବୁ ?

 

ଦାନ୍ତଗୁଡ଼ା ଚାପି ହେଇ ଆସୁଥିଲା, ମନହେଉଥିଲା ଗୋଟେ ପହାରରେ ଏଇଠି ସମାଧି କରିଦିଅନ୍ତା ହରିହର ବାବୁଙ୍କୁ । କିନ୍ତୁ କାହିଁକି କେଜାଣି ହାତଉଠୁନି । ଦେହ ଥରି ଉଠୁଚି । ଦେହର ସମସ୍ତ ବଳ କିଏ ଶୋଷି ନେଇଚି ଯେମିତି । ହରିହର ବାବୁ ଖୁବ୍‍ ପାଖେଇ ଆସିଲେ । ଲୁଗା କାନିର ବେକରେ ପକେଇ ଭିଡ଼ିଧରି ପଚାରିଲେ କହ କ’ଣ ପାଇଁ ଏଠିକୁ ଏତେ ରାତିରେ ଆସିଥିଲୁ-? କୋଉ ଜିନିଷ ବାହାରକୁ ପଠଉଚୁ ?

 

ହାଡ଼ିଆର ପୁରୁଷତ୍ଵ ଜାଗି ଉଠିଲା । କ’ଣ କହି ଯାଉଛନ୍ତି ହରିହର ବାବୁ ? ସେ ଚୋରାରେ ଜିନିଷ ପଠାଉଚି ? କଙ୍କାଳ ଗୁଡ଼ାଙ୍କ ଦେହରୁ ମାଂସ ରାଂପି ପଠାଉଚି ବାହାରକୁ । ଗୋଟାଏ ଝିଙ୍କାରେ ତଳେ ପକେଇ ଦେଲା ହରିହର ବାବୁଙ୍କୁ । ସାର୍ଟଟାର କଲର ଧରି ନିଜ ପାଖକୁ ଝିଙ୍କି ଆଣିଲା ପାଖକୁ ହାଡ଼ିଆ । ଆଖିଦି’ଟା ଜଳିଉଠୁଚି ତରଳା ଲୁହାପରି । କହିଲା, ବାବୁ ମୋତେ ସଂଦେହ କରୁଚ ? ହାଡ଼ିଆ ଦେହରେ କଳଙ୍କ ବୋଳୁଚ ? କଣପାଇଁ ? କୋଉଦିନ ପଚାରିତ ମୁଁ ଏଠି ସବୁଦିନ ରାତିରେ କାହିଁକି ଉଜାଗର ରହି ଠେଙ୍ଗାଟାଧରି ଜଗିବସେ ? କିଛି ନବୁଝି କଳଙ୍କ ଲେପିଲ ? ମନହେଉଚି ଏଇଠି ଶେଷକରି ଦିଅନ୍ତି । କିନ୍ତୁ ଆଜି ନୁହେଁ । ମୋର କଳଙ୍କ ଯୋଉ ହାତରେ ଲେପିବାକୁ ଆରମ୍ଭ କରିଥିଲେ ସେଇ ହାତରେ ପୋଛିବାକୁ ପଡ଼ିବ ।’’

 

ଛାଡ଼ିଦେଇଥିଲା ହରିହର ବାବୁଙ୍କୁ । ହରିହର ବାବୁ ଖଣ୍ଡେ ବାଟକୁ ଛାଡ଼ିକି ପଡ଼ିଥିଲେ । ସାହସ ହେଇନଥିଲା ଆଉକିଛି କହିବାକୁ । ହାଡ଼ିଆଟା ହୁଣ୍ଡାଟାଏ । ଯାହାବୁଝେ ସେଇଆ । କାହାର ମତ ନିଏନି । କାହାକୁ ଖୁସାମନ୍ତ କରେନି କି କାହାଠୁ ଖୁସାମନ୍ତ ଚାହେଁନି । ସେ କହେ ସେ କାଊଁରିଆ କାଠି । ଭାଙ୍ଗିଯିବ ପଛେ ନଇଁବନି କରି ଦେଖ, ଏବି ସେଇଆ । ପାଖକୁ ଚାଲିଆସି ହାଡ଼ିଆ କହିଲା, ‘‘ଶୁଣିବାକୁ ଚାହୁଁଚ ପରା ମୁଁ ଏଠି କାହିଁକି ରାତିସାରା ବସେ ।’’ ଶୁଣ-

 

ଏଇ ଯୋଉ ପିଚୁ ରୋଡ଼ଟା ଦେଖି ପାରୁଚ, ସିଧା ଲମ୍ବିଯାଇଚି କାଳିମାଟିକି । ଯିଏ ମୋପାଇଁ ନର୍କଠୁ ହୀନ । ଯାହାଲାଗି ମୁଁ ଦୁନିଆଁର ସବୁଠୁଁ ବଳି ବଡ଼ ଜିନିଷ ହଜେଇ ଏବେବି ଖୋଜି ପାଉନି । ତାପ୍ରତି ମୋର ଟିକେବି ଦୟାନାହିଁ । କଙ୍କାଳଙ୍କ ପେଟକଟା ଧନ କାଳିମାଟି ରାସ୍ତା-। ଏଇବାଟେ ସବୁ ଯିବ ।

 

ରାତିଟା ପଇଠି କଟାଏ । ଏମିତି ଜଗି ଜଗି । ଆଗରୁ କହତୁ, ଏଇବାଟେ ଯାଉଥିଲେ । ଅନେକଙ୍କୁ ଫେରିଯିବାକୁ ଅନୁରୋଧ କରେ । ଫେରିଯାଆନ୍ତି ସେମାନେ । ନଗେଲ ଏକ ଠେଙ୍ଗାଉଠେ । କାହାର କାହାର ରକ୍ତ ପିଏ । କିନ୍ତୁ ପୁଲିସର ଭୟରେ ନଆଗେଇ ଧରାନଦେଇ ପଛକୁ ଫେରି ଯାଆନ୍ତି । କ୍ରମେ କ୍ରମେ ସମସ୍ତେ ଜାଣିଲେଣି । ଏବାଟେ ଆଉ ବେଶୀ ଆସୁନାହାନ୍ତି-। ଅନ୍ୟ କୋଉବାଟେ ଯାଉଚନ୍ତି କେଜାଣି ?

 

କିନ୍ତୁ ମୁଁ ଏଇଠି ଜଗିବସେ । ସେମିତି ରାତି ଅନିଦ୍ରା ହେଇ ବିଲୁଆ ଘଉଡ଼େଁ । ହେଟାବାଘ ଘଉଡ଼େଁ । ବିଶ୍ଵାସ ହେଉନି ? ଅପେକ୍ଷାକର, ତୁମ ଭାଗ୍ୟକୁ ଯଦି କିଛି ଯୁଟେ ।

 

ଗୋଟେ ବଡ଼ବାଉଁଶ ଟାଣିଆଣି ରାସ୍ତାର ଏପାଖ ସେପାଖ ଥିବା ଗଛରେ ବାନ୍ଧିଦେଲା । ରାସ୍ତା ବନ୍ଦ । ହରିହର ବାବୁ ନିର୍ବାକ । କଣ କହିବେ ସେ ? ସତେକଣ ପାଣୁଆ ଏତେ ସଚୋଟ । କେତେଟା ଲୋକଙ୍କ ପାଇଁ କ’ଣ ସେ ରାତି ରାତି ଅନିଦ୍ରା ହୁଏ ? ବାଉଁଶଟା ବାନ୍ଧିସାରି ହରିହର ବାବୁଙ୍କୁ ଟାଣିନେଲା ଗୋଟେ ଗାତ ଭିତରକୁ । ରାସ୍ତାରେ ଛିଡ଼ାହେଲେ ଦେଖାଯାଉନି ।

 

ଏଇ ଟିକେ ଦୂରରେ ଶୁଭିଛି ଘୁଁ ଘୁଁ ଶବ୍ଦ । ଛୋଟ ଛୋଟ ଦିଟା ଆଲୁଅ । ଟ୍ରକଟାଏ ବୋଧେ ବଡ଼ ଆଲୁଅ ଦେଇନି । ଲୋକ ଗୋଚରର ଭୟରେ । କାଳେ କିଏ ସତର୍କ ହେଇଯିବ । ଗାଡ଼ିଟା ଅଟକିଲା ବାଉଁଶ ଧଡ଼ା ପାଖରେ । ଲାଇଟ ଲିଭିଗଲା । ଦୁଇଟି ଲୋକ ଠେଙ୍ଗା ଧରି ବାହାରି ଆସିଲେ ଆଗ ସିଟରୁ । କଥାବାର୍ତ୍ତା ହେଉ ହେଉ ଚାରିଆଡ଼କୁ ସତର୍କ ଦୃଷ୍ଟି ପକେଇବାକୁ ଚେଷ୍ଟା କରୁଥିଲେ । ‘‘କିରେ କହୁଥିଲୁ ପରା ହାଡ଼ିଆ ଥିବ ବୋଲି ?’’

 

କହନା ଭାଇ ଯେତେଥର ଆସିଲା ବେଳକୁ ଜଗୁଚି । କିରେ ବାବୁ ଯଦି ଟଙ୍କା କଥା ଦଶ ପଚିଶି ନେଲେ ନେଉପଛେ ଛାଡ଼ି ଦେ । ନା ଯିବନି କି ବାବୁ ଛାଡ଼ିବନି । ସେ ଦିନ ଆଉଗୋଟେ ଲୋକକୁ ଆଣିଥିଲି ଯେ ଶଳା ପାରିଲାନି । ଗୋଟେ ହାତରେ କମ ବାଡ଼ି ବୁଲେଇବକି ? ହଉ ଆଜି ଆସିବାକୁ ଦେ । ଖାଣ୍ଟି ବିହାରି ଅଛିଟି !

 

ହାଡ଼ିଆ ହାତଟା କେମିତି ମୁଠା ମୁଠା ହେଇ ଆସୁଥିଲା ଛିଡ଼ା । ହେଇ ପଡ଼ିଲା । ବିହାରି ପଣିଆ ଛଡ଼େଇ ଦେବ । ହରିହର ବାବୁ ଟାଣିନେଲେ । କହିଲେ-

 

ହାଡ଼ିଆ, ଦେଖୁଚୁ ସେ ଲୋକଟାକୁ ? ତୁ ଗୋଟେ ହାତରେ କଣ କରିବୁ । ତା ବୋଲି କୋଉ ମାନଙ୍କୁ ଛାଡ଼ିଦେବି ।

 

ଟ୍ରକ ନମ୍ବରଟା ଦେଖିନେ ପଛରେ ଦେଖିବି ।

 

ନା ବାବୁ ଚକ ଗଡ଼ିଲେ ବାରହାତ । ପଛରେ ଆଉ କ’ଣ ? ହାଡ଼ିଆଇ ଦେହରେ ରକ୍ତ ଥିଲାଯାଏ କେବେ ଛାଡ଼ିଦେଇ ପାରିବନି ।

 

ଉଠି ଛିଡ଼ାହେଲା । ବିହାରିଟା ଗଛମୂଳେ ଛିଡ଼ାହୋଇ ଗର୍ବରେ ନିଶ ମୋଡ଼ୁଚି । ହାଡ଼ିଆ ଦେଖିନେବ । ତାପରେ ନଗଦ ପାଞ୍ଚଟଙ୍କା ଆଉ ଦି ବୋତଲ ମଦ ଆଉ ଜଣକ ବାଉଁଶ ଖୋଲିବାରେ ବ୍ୟସ୍ତ । ହାଡ଼ିଆ ଠେଙ୍ଗା ଉଠିଲା । ଗୋଟିଏ ପାହାର । ବିହାରିଟା ଢଳି ପଇଲା ସେଇଠି । ଆର ଲୋକଟା ଚିତ୍କାର କରି ଚାଲି ଯାଉଥିଲା ଟ୍ରକ ଭିତରକୁ । ଟ୍ରକଟା ସେମିତି ପଛେଇ ପଛେଇ ଫେରିଯାଇଥିଲା ।

 

ନମ୍ବର ଦେଖିବାକୁ ଚେଷ୍ଟା କରିଥିଲେ ହରିହର ବାବୁ । ନମ୍ବର ନାଇଁ ।

 

ବିହାରିକୁ ନେଇ କେଶ ଚାଲିଲା । ତା ପରେ ଧରା ଦେଇଥିଲା ।

 

ଏକଶହବସ୍ତା ଗୁଣ୍ଡଦୁଧ ।

 

ସେଇଦିନଠୁ ହାଡ଼ିଆ ତାଙ୍କର ସାଥୀ । ସାରଥୀ ସେ ।

 

ଓଳିଗିର ପ୍ରତ୍ୟୁତ୍ତର ଦେଲେ ହରିହର ବାବୁ । ପୁଣି ପଚାରିଲେ ‘‘କୁଆଡ଼େ ଯାଉଚୁ କିରେ ହାଡ଼ିଆ ?’’

 

‘‘ଟିକେ ପଶୁବାବୁ ପାଖକୁ ।’’

 

‘‘କାହିଁକି, ତୋ ପୁଅର ଦେହକ’ଣ ହେଲାକି ?’’

 

‘‘କାଲିଟିକେ ତିନ୍ତିଗଲା ଯେ....... ।’’

 

‘‘ଭଲକରିଚୁ ଯା । ଡାକ୍ତର ବାବୁଙ୍କୁ ଡକେଇଲେ ଆସୁନାହାନ୍ତି । କହିବୁ ଆଜି ନଆସିଲେ ପୁଣି ଦି’ ତିନିଟା ଛୁଆ ମରିଯିବେ । ଆ ମୁଁ ଖଣ୍ଡେଚିଠି ଲେଖିଦେଉଚି । ନେଇଯିବୁ ।’’

 

ହାଡ଼ିଆ ମନ ପାପ ଛୁଇଁଲା । ଦି’ତିନିଟା ଛୁଆ ମରିଯିବେ କ’ଣବେଶି ହେଲାକି ? ଗୁଜି ଦେହର କଣ ବେଶିହେଲା । ଡାକିଲା-‘‘ସାଆନ୍ତେ-

 

‘‘କ’ଣ କିଛି କହିବୁ ?’’

 

‘‘ଚଇଘର ଆଡ଼େ ଯାଇଥିଲେ କି ?’’

 

‘‘ଏଇନେ ତ ସିଆଡୁ ଆସୁଚି ତ ।’’

 

‘‘ଗୁଜି ଦିହ କେମିତି ଅଛି ସାଆନ୍ତେ ?’’

 

‘‘ଯଦି ଆଜି ଔଷଧ ଟିକେ ନପାଏ....... ।’’

 

ଆଉ କହିପାରି ନଥିଲେ ହରିହର ବାବୁ । ଚାଲିଯାଉଥିଲେ ତାଙ୍କ ବାଟରେ । ହାଡ଼ିଆ ପଛେ ପଛେ ଅନୁସରଣ କରୁଥିଲା । ମନଭିତରେ କେମିତି ଗୋଟେ ଅସ୍ଵସ୍ତିର ଚକାଭଉଁରୀ ଖେଳିବୁଲୁଥିଲା । ତାରିଭିତରୁ କିଏ ଯେମିତି କହିଉଠୁଥିଲା–ଥରେଯାଇ ଦେଖିଆ ହାଡ଼ିଆ । ସେ ତୋତେ ଖୋଜୁଚି । ଟିକେ ତା ପାଟିରେ ଔଷଧ ଦେଇ ପାରିବୁନି ?

 

ହାଡ଼ିଆ ଗୋଡ଼ ଚଞ୍ଚଳ ହୋଇ ଉଠୁଥିଲା ।

 

ଅଉ ଚଞ୍ଚଳ ହୋଇ ଉଠୁଥିଲା ଆଖିଦିଟା ଗୁଜିକୁ ଦେଖିବାକୁ ।

 

ମୁଣ୍ଡ ଉପରକୁ ଖରା ଉଠିଲାଣି । ଉପରକୁ ନିଆଁ ବର୍ଷୁଚି । ତଳେ ଖଇ ଫୁଟୁଚି । ଗୋଡ଼ଦିଟା କେମିତି ରଡ଼ ନିଆଁରେ ପଶି ପଶି ଗଲାପରି ଲାଗୁଥିଲା । ଖାତିର ନାହିଁ ହାଡ଼ିଆର । ଠେଙ୍ଗାଟାକୁ ଧରି ଚାଲିଯାଉଚି । କୁଆଡ଼କୁ ବେଳନାହିଁ । ଆଖି ଲାଖିଚି ଗୁଜିଠି । ଦେହ ବହୁତ ଖରାପ ।

 

ଆଗକୁଡ଼ିଆଟା ପାଖରେ ଠିଆ ହେଇଗଲା । ଏଇଠି ଗୁଜି ରହେ । ଚଇ ରହେ । ଅନେକଥର ଆସିଚି ଏଇ କୁଡ଼ିଆ ପାଖକୁ । ଭିତରକୁ ପଶିନି । ତାଟି ପାଖରେ ଛିଡ଼ାହୁଏ । ଭିତରକୁ ଯିବାକୁ ଚାହିଁଲେ ମୁଣ୍ଡବାଜେ । ଚଇ ରାଗି ଉଠିଲେ ନିଆଁ ପରି ଜଳିଉଠେ ତାର ଆଖିଦିଟା । ପାଟିରୁ ବାହାରୁଥାଏ ମେସିନ ଗନର ଆବାଜ । ଡରିଯାଏ ହାଡ଼ିଆ । ଫେରିଆସେ ।

 

ଭିତରକୁ ଯିବାକୁ ଇଛାହଉନି । ଯଦି ସେମିତି ଚଇ ତାକୁ ଭୁଲବୁଝେ ସେଇ ରଡ଼ ନିଆଁ ଉପରେ ଆଣ୍ଠେଇ ପଡ଼ିଲା । ଖାତର ନାହିଁ । ଜଳିଯାଉ ଏଇ ଆଣ୍ଠୁ ଦିଟା । ସେପଙ୍ଗୁ ହେଇଯାଉ । ସେଥିରୁ ପାଇବ ସେ ଆତ୍ମସନ୍ତୋଷର ସଂଧାନ ! ସେଇଥିରୁ ପାଇବ ସେ ଜୀବନର ପରମ ତୃପ୍ତି । ସମସ୍ତଙ୍କୁ ସେ ଛାତି ଫୁଲେଇ ଦେଖେଇ ଦେଇ ପାରିବସେ ସେ ଗୁଜିକୁ ଭଲପାଏ । ଏକାନ୍ତ ନିଜର ଭାବେ ଭଲପାଏ ।

 

ଫାଙ୍କାବାଟେ ଚାହିଁଲା । ଗୁଜି ଶୋଇଚି । କଇଁ ପାଖୁଡ଼ା ପରି ଆଖିପତା ଦିଟା ବୁଜିହେଇ ପଡ଼ିଚି । ଏଇ ଦୁଇଦିନ ଜରରେ କଣ୍ଟା ହୋଇ ଗଲାଣି ଗୁଜି । ହାଡ଼ ମାଳ ମାଳ ଦେହଟାକୁ ଆଉ ଚାହିଁହେଉନି । ଆଖିବନ୍ଦ ହେଇ ଯାଉଚି । ମଝିରେ ମଝିରେ ଦୁଧ ଖାଇବାର ସ୍ୱପ୍ନଦେଖି ପାଟିଟାକୁ ପାକୁଳି ଦଉଚି । ଏଇ, କ’ଣ ସେଇ ଯିଏ ହାତବାଡ଼େଇ ତା ତା କରି କିଲ୍ କିଲ୍‍ ହେଇ ତା ପାଖକୁ ଗୁରୁଣ୍ଡି ଆସୁଥିଲା, ଇଏକ’ଣ ସେଇ ଗୁଜି ! ଯାହାର କାନ୍ଦହେଲେ ମୁକୁତା ହସିଲେ ମାଣିକ ଝରୁଥିଲେ ? ଇଏ କ’ଣ .......

 

କମ୍ପାଉଣ୍ଡର ବାବୁ କହିଯାଇଛନ୍ତି ଖରାବେଳେ ପାଣିପଟି ପକେଇବାକୁ । କାଳେ ଜର ବଢ଼ିଯିବ । ଛୋଟ ଶିଶିଟିଏ ଔଷଧ ଦେଇ ଯାଇଥିଲେ ସରିଲାଣି । କହି ଯାଇଥିଲେ ଆସିବାକୁ । ଆସି ନାହାନ୍ତି । କଣ ଅସୁବିଧା ଥିବ । ପାଣି ପଟି ପକେଇ ଚାଲିଚି ଚଇ । କାଇଁ ଜରତ କମିବାକୁ ନାହିଁ ?

 

ମନେ ମନେ ଭଗବାନଙ୍କୁ ଡାକୁଥିଲା ଚଇ ।

 

ମୁହଁଟା ତାର ଗମ୍ଭୀର ହୋଇଗଲା । ନାସପାତିର ମୁଁହଟାରେ ଜାମୁକୋଳି ରଙ୍ଗ କିଏ ଲେପିଦେଲାକି ? ମନେ ମନେ ବିରକ୍ତ ହୋଇ ଉଠୁଥିଲା ଚଇ । ପିଲାଦିନେ ସେଯୋଉ କଥାମାନି ଭଗବାନଙ୍କ ନାଁରେ ଆଇମା ଶୁଣେଇଥିଲା ସବୁ ମିଛ । ସବୁ ଭଣ୍ଡଗପ । ଗଜକୁ ଉଦ୍ଧାରିଥିଲେ ପରା-! ଦ୍ରୌପଦୀର ଲାଜ ରଖିଥିଲେ ପରା ! କୁଆଡ଼େ ଗଲାସେ ? କଣ ତାରି ବେଳକୁ ପଥର ପାଲଟିଗଲେ ? ପାଣୁଆ ଗଲାବେଳକୁ କେଡ଼େଦିଅଁକୁ କେତେ ମନାସି ନଥିଲା ସେ ! କ’ଣ ହେଲା ତାର ? ପାଣୁଆ ଛାଏଁ ପାଣୁଆ ଚାଲିଗଲା । ତା ପଛେ ପଛେ ପୁଅଟା । ଆଉ ଏଇନେ ଗୁଜି ଯିବ-। ଯାଉ । ସେଥିପାଇଁ ପଥରଟାକୁ ଡାକିବ କାହିଁକି ? ତାର କ’ଣ ହୃଦୟ ଅଛି ? ସେ କଣ ମଣିଷପରି ହସିପାରେ ? ସେ କଣ ଅନ୍ୟର ଦୁଃଖ ଦେଖିଲେ କାନ୍ଦିପାରେ ? ତାର ଜୀବନ ନାହିଁ । ସେ ମାଟି ଗୋଡ଼ିପରି ପଥର ଖଣ୍ଡେ । ତାକୁ ଡାକିବ କାହିଁକି ? ସବୁମିଛ ।

 

ସବୁ ଖାଲି ଗାଲୁ ଗପ ।

 

ବାଳ ଗୁଡ଼ାକ ଓଟାରି ପକାଉଥିଲେ ଚଇ ।

 

ଚଇର ମନେ ପଡ଼ୁଥିଲା ହାଡ଼ିଆ କଥା । ତା’ର ହାଡ଼ିଆ’ଇ । କେତେଭଲ ପାଉନଥିଲା ସେ । ଲୋକେ କହନ୍ତି ପ୍ରତିମା ସେ । ବାବୁଭାୟାଙ୍କ ଠାରୁ ଲୋକେ ବେଶି ପସନ୍ଦ କରନ୍ତି ତାକୁ । ସମସ୍ତଙ୍କର ଦୁଃଖ ସୁଖରେ ସେଭାଗି । ଅନ୍ୟଜଣେ ହସିଲେ ସେ ହସେ । ଅନ୍ୟଜଣେ କାନ୍ଦିଲେ ସେ କାନ୍ଦେ । ଲୁହଝରାଏ । ତେବେ..... ।

 

ତେବେ ତାପାଇଁ ଏତେ ନିଷ୍ଠୁର କାହିଁକି ? ଏପ୍ରଶ୍ନ ପଚାରି କେମିତି ଅଣନିଶ୍ୱାସି ହେଇ ଯାଉଥିଲା ଚଇ । ଗଳାଟାକୁ କିଏ ଯେମିତି ମାଡ଼ିଧରୁଚି । କିଏ ଯେମିତି କହି ଉଠୁଚି, ତାରକଣ ଦୋଷ ଚଇ ? ସେକ’ଣ ଚାହିଁ ନଥିଲା ତୋ ଦୁଆରେ ଠିଆ ହେବାକୁ ? ସେ କଣ ଚାହିଁ ନଥିଲା ଗୁଜି ଭଲହେଉ ? ତୁ ତାକୁ ତଡ଼ି ଦେଇଛୁ । ଅବିଶ୍ୱାସର ନିଆଁରେ ତାକୁ ଶେଷ ଆହୁତି ଦେଇଚୁ ତୁ । କେମିତି ଆସନ୍ତା ସେ ? ଏଇନେ ତୁ ତାକୁ ଦୋଷ ଦେଉଚୁ ? ମନେରଖ ଗୁଜିର କ’ଣ ହେଲେତୁ ଦାୟୀ । ତାର ଯଦି..... ।

 

ଚଇ କାନ୍ଦରେ ତୀବ୍ରତା ବଢ଼ି ଯାଇଚି । କୋହ ଉପରେ କୋହର ସୃଷ୍ଟି ତାକୁ ବିବ୍ରତ କରିଦେଇଚି । ନିଜକୁ ନିଜେ ଧିକ୍କାରୁଚି ସେ ନିଜକୁ ବିଶ୍ଳେଷଣ କରିବାକୁ ଚେଷ୍ଟା କରୁ ଥିଲା ସେ । ସେ କଣ ଭଲ କରିଚି ? ଯଦି ସେ କେବେ ଭୁଲ କରିଚି ତେବେ ସେଥିପାଇଁ ଦାୟୀ ପାଣୁଆ । ପାଣୁଆର ଶାନ୍ତି ପାଇଁ ହାଡ଼ିଆ’ଇକୁ ସେ ଦୂରେଇ ଦେଇଚି । କଳଙ୍କର ନିଆଁରେ ତାକୁ ଜାଳି ପୋଡ଼ି ଭଷ୍ମ କରିଦେଇଚି । ଏଥିରୁ କଣ କେବଳ ତାର ସ୍ୱାର୍ଥଅଛି ? ପାଣୁଆର ନାହିଁ ?

 

ପାଣୁଆଟା ସ୍ୱାର୍ଥପରଟା । ସମସ୍ତଙ୍କୁ ନେଇ ତାକୁ ଜଳେଇ ପୋଡ଼େଇ ମାରିବାକୁ ଭାବିଚି-। ସେ ଛାଡ଼ିପାରିବନି ଗୁଜିକୁ । ଆରପୁରରେ ପାଣୁଆକୁ ବି ସେମିତି ଜଳେଇ ପୋଡ଼େଇ ମାରିବ ।

 

ଆଜିଯିବ ସେ ହାଡ଼ିଆଇ ପାଖକୁ । ସେ କ’ଣ ଦୂରକୁ ଠେଲି ଦେଇ ପାରିବ ? ଯଦି କିଛି କୁହେ, ଗୁଜିକୁ ପାଦତଳେ ରଖିଦେଇ କହିବ, ନେ ହାଡ଼ିଆଇ ଆକୁ ବଞ୍ଚାଅ । ତୁ ପରା ଗୁଜିକୁ ଭଲ ପାଉଥିଲୁ ? ମୋ ଦେହକୁ ନୁହେଁ ? ନେ ଗୁଜିକୁ କହି ବଞ୍ଚେଇ ପାରିବୁତ ?

 

ଯଦି ବାବୁଙ୍କ ପରି ସେ ସେମିତି ଇସାରାରେ ଉତ୍ତର ଚାହେଁ ଗୁଜିର ପ୍ରାଣ ବଦଳରେ ବଦଳରେ...... ! ନା ଅସମ୍ଭବ । ଗୁଜି ଯାଉଚି ଯାଉ । ତା ବାପା ପାଖକୁ ଯିବ । ସେଇଠି ସେ ପାରିଜାତ ତୋଳିବ । ଭାଇ ସାଥିରେ ଖେଳିବ । କିନ୍ତୁ ଶିଉଳି ପାହାଚ ଉପରେ ସେ ଗୋଡ଼ରଖି ପାରିବନି ।

 

ଆଖି ପାଇଲା ତାଟି ଆଡ଼େ । ହାଡ଼ିଆ କେତେବେଳକୁ ଆଣ୍ଠେଇ ଦେଖୁଚି । ଆଖିରେ ଆଖିଏ ଲୁହ । ଘଉଡ଼େଇ ଦେବନି ? ନା ଥାଉ । ଆଉ ଦେଖିପାରିବିକି ନାଇଁ । ଦେଖିନେଉ ଏଇଥର । ଖରାଟାରେ କେତେବେଳୁ ଆଣ୍ଠେଇଲାଣି । ଭିତରକୁ ଡାକିବକି । ନା ଆଣ୍ଠେଇ ଥାଉ । ତାର ଯଦି ଦରକାର ସେ ସେମିତି ଆଣ୍ଠେଇ ଦେଖୁ । ଭିତରକୁ ଡାକିବି କାହିଁକି ? ନିଜର ଦୁର୍ବଳତାକୁ ଘୋଡ଼ାଇବାକୁ ଚେଷ୍ଟା କଲା ଚଇ ।

 

ନିଜର ଆଜାଣତରେ ଉଛୁଳିବାକୁ ଆରମ୍ଭ କଲେଣି ଲୁହଗୁଡ଼ା । ଚଇର ସେ ନୀରବ ପ୍ରାର୍ଥନାପୂର୍ଣ୍ଣ ଚାହାଣୀରେ ହତବାକ ହୋଇ ଯାଇଥିଲେ ହାଡ଼ିଆ । ଗୁଜିର ମରଣ ପାଇଁ ନିଜକୁ ଧିକ୍କାରୁ ଥିଲାସେ । ଅନ୍ୟଦିନ ପରି ଚଇତ ଆଉ ଧିକ୍କାରୁନି । ସେଦିନ କ’ଣ ଟିକେ କହିଦେଇଥିଲା ବୋଲି ଆଜିଯାଏଁ ଡାକ୍ତରଙ୍କୁ ଡାକିବାକୁ ଯାଇନି । କ’ଣ ଭାବୁଥିବ ଚଇ ? କଣ ଭାବୁଥିବ ସ୍ୱର୍ଗରେ ଥାଇ ପାଣୁଆ । ଭାବୁଥିବେ ‘‘ହତାଶାର ପ୍ରତିଶୋଧ ନେଲା । ସେ ଚାହୁଁଥିଲା ଚଇର ଦେହକୁ । ମନକୁ ନୁହେଁ । ଏଇକ’ଣ ଭଲପାଇବାର ଶେଷକଥା ?’’

 

କବାଟ ଫିଟେଇ ଠିଆହେଲା ଚଇ । ଆଖିରେ ସେଇ କାତର ଚାହାଣୀ । ମୁହଁରେ ଭାଷାନାହିଁ । କିଏ ମନ୍ତର କରି ଉଡ଼େଇ ନେଇଚି ଯେମିତି । ମୂକ ସେ ।

 

ହାଡ଼ିଆ ଡାକିଲା ,‘‘ଚଇ’’..........

 

–‘କଣ’ ?

 

–‘‘ମୋତେ ଭୁଲ ବୁଝନା ଚଇ । ଏଇଥର ପାଇଁ ଭୁଲ ବୁଝନା । ଦେଖୁଚୁ ଗୁଜି କେମିତି ହେଲାଣି ! ଏଇକ’ଣ ମା’ର ମମତା ! ସବୁକଥା ଭୁଲିଯା ଗୁଜିର ଜୀବନ ପାଇଁ । ମୋତେ କିଛି କରିବାକୁ ଦେ ଚଇ । ଶେଷଚେଷ୍ଟା ଟିକକ ମୁଁ ଯେମିତି କରେ ।’’

 

-‘‘କଣ ଚାହୁଁ ତୁ ।’’

 

-‘‘ମୋ ସାଥିରେ ତୁ ଚାଲ ଚଇ ଡାକ୍ତରଙ୍କ ପାଖକୁ । ଗୁଜି ଭଲ ହେଇଯାଉ । ଦେଖିବୁ ମୁଁ ଆଉଜମା ଆସିବିନି ।

 

ମନେ ମନେ ଜଳି ଉଠୁଥିଲା ଚଇ । ଏଇ ବୋଧେ ହାଡ଼ିଆର ଶେଷ ଚେଷ୍ଟା । ଗୁଜି ଚାଲିଗଲା ପରେ ହୁଏତ ଆଉ ସୁବିଧା ପାଇବନି । ଡାକ୍ତର ବାବୁ ପାଖକୁ ଯିବାର ବାହାନା ଦେଖେଇ..... ।

 

ନା ନା ଅସମ୍ଭବ । ଗୁଜିର ଟିକେ ପ୍ରାଣ ପାଇଁ ପାଣୁଆକୁ ସେ ହତ୍ୟା କରିଦେଇ ପାରିବନି । ବରଂ ଯଦି ହାତରେ ଗୋଟେ ଛୁରି ଥାଆନ୍ତା ଏଇଠି ହାଡ଼ିଆର ରକ୍ତରେ ଗାଧୋଇ ଦିଅନ୍ତା ଗୁଜିକୁ । ତାଟିଟା କିଳିଦେଲା ଚଇ । ଭିତରୁ ଗର୍ଜିଉଠିଲା, -‘‘ତୁ ଚାଲିଯା ହାଡ଼ିଆଇ, ଏ ପବିତ୍ର ଶିଶୁ ଦେହରେ ଯେମିତି ତୋର ଏ କଳା ଛାଇଟା ନପଡ଼େ ।’’

 

ଖୁବ ଜୋରରେ କାନ୍ଦି ଉଠୁଥିଲା ଚଇ ।

 

ଆଖିରୁ ଲୁହ ପୋଛି ପୋଛି ଚାଲିଯାଉଥିଲା ହାଡ଼ିଆ ।

 

ଆଉ ଆଠ ଦଶଟା କିଆରୀ ଡେଇଁଗଲେ ଚିତଳ ନଈଟା । ଆଇ ନଈଟାକୁ ପାରହୋଇଗଲେ ସନାତନପୁର ଛତର । ଆଖପାଖର ବଡ଼ ଛତର । ଡାକ୍ତର ବାବୁ ରୁହନ୍ତି ଏଇଠି । କେତେଗୁଡ଼ିଏ କମ୍ପାଉଣ୍ଡର ନର୍ସନେଇ ସେ ଲଗାୟତ ଛଅ ମାଇଲ୍‍ ଚକଡ଼ାର ସବୁ ଛତର ଗୁଡ଼ାକ ଦେଖିବାର ଭାର ନେଇଛନ୍ତି ସେ । ସପ୍ତାହରେ ଥରେ ଗାଁକୁ ଆସନ୍ତି । ମନ ନହେଲେ ଆସିବା ବି ବନ୍ଦ । କେହି ସାହାସ କରି ପଚାରି ପାରନ୍ତି ନି । କିଏ ତାଙ୍କୁ ବାଧ୍ୟ କରିବ ? ଯଦିଆଉ କି ଔଷଧ ଦେଇ ଦେବେ ?

 

ହାଡ଼ିଆ ଧପାଲିଚି । ଡାକ୍ତର ବାବୁଙ୍କୁ ନେଇଯିବ । ଯେମିତି ହେଲେ ଚଇକୁ ଓ ଗୁଜିକୁ ଭଲ କରିବାକୁ ହେବ ।

 

ମନଟା ଆହୁରି ଛଟପଟ ହେଉଥିଲା ଛେଳିଛୁଆଟା ପାଇଁ । ଗୁଜିପରି ଛୁଆଟେ । ମୂକ ସେ । କିନ୍ତୁ ତାର ସେ ଚାହାଣୀ ଭିତରେ ଅନେକ କିଛିକହେ । ଅନେକ ଅଳିକରେ । ତା କଥା ବୁଝିଲାଣି ଏବେ ହାଡ଼ିଆ । ମନକଥା ଜାଣିଲା ପରି ତାର ସବୁ କାମ କରିଯାଏ ହାଡ଼ିଆ । ତାକୁ ଛାଡ଼ିଆସିଚି ଘରେ । ମୁଢ଼ି ହାଣ୍ଡିଟା ମୁହଁ ପାଖରେ ଥୋଇ ଦେଇ ଆସିଥିଲା । ଖାଉଥିବ । ଶୋଷକଲେ ହାଣ୍ଡି ଟାରେ ପାଣି ଘୋଡ଼ା ହେଇଚି । ବୋକାଟା କ’ଣ ପାଇବ କି ?

 

ପାଦକୁ ଆଉରି ଚଞ୍ଚଳ ଆଗକୁ ବଢ଼େଇବାକୁ ଚେଷ୍ଟା କରୁଥିଲା, ସଅଳ ଫେରିବ । ଡେରିହେଲେ ଛୁଆଟା ମେଁ ମେଁ ହୋଇ ଘର ଅତଡ଼ା ପକେଇବ ।

 

ଏଇ ଡାକ୍ତରଖାନା ଦେଖାଗଲାଣି । କମ୍ପାଉଡ଼ର ବାବୁ ପିଣ୍ଡାରେ ବସି ଔଷଧ ଦେଉଛନ୍ତି-। ନାଲି ନେଳି ପାଣି ଟିକେ ଟିକେ । ହାଡ଼ିଆ ଛିଡ଼ାହେଲା । ପାକୁଆ କମ୍ପାଉଡ଼ରଟା କି ଔଷଧ ଦେବ-! ଗୁଜି ପାଇଁ ଭଲ କଡ଼ା ଔଷଧ ନେବ । ଦିପାନରେ ଭଲ ଯେମିତି । ନା ନା ଖାଲି ଔଷଧ ନେଲେ ହବନି । ଡାକ୍ତର ବାବୁଙ୍କୁ ନେଇ ଯିବାକୁ ହେବ ।

 

କେତେ ଭାବନା ଆସୁଚି । ଗୁଜି କଥା, ଚଇକଥା, ମୂଳ ଛେଳି ଛୁଆଟା କଥା । ବେଳ କେତେ ହେଲାଣି କେଜାଣି ।

 

ପାକୁଆ କମ୍ପାଉଡ଼ର ବାବୁ ଡାକି ପକେଇଲେ । ଭାବନାଟା ଖିନ୍ ଖିନ୍‍ ହୋଇ ଛିଣ୍ଡିଗଲା-। ଭାରି ରାଗ ଲାଗୁଥାଏ । ଦିଅନ୍ତା ଗୋଟେ ପାହାର ଯେ....... ।

 

ଚାହିଁଲା କେହି ନାହାନ୍ତି । ସନ୍ଧ୍ୟା ହେଇ ଆସୁଚି । ଆଉଟିକେ ପରେ ରାତି ଆସି ଯିବ । ଘୋର ଅନ୍ଧାର ରାତି । କାଳ ରାତି । କିଏ କହି ପାରିବ ଆଜିକି ବର୍ଷା ନ ହେବ !

 

କମ୍ପାଉଣ୍ଡର ବାବୁ ଅନେଇଛନ୍ତି, ଆଉ ସବୁ କମ୍ପାଉଣ୍ଡର ମାନେ ଗଲେଣି । ଇଏ ଟିକେ ଵୟସ୍କ କି ନା ! ସବୁ ଦାୟିତ୍ୱ ଆଙ୍କରି ଉପରେ । ଭଣ୍ଡାର ଘର ଚାବିଟା ଅଣ୍ଟାରେ ଝୁଲା । ବାବୁଙ୍କର ଡାହଣ ହାତ ସେ । ପାଞ୍ଚପଚିଶ୍ ଯାହାଆସେ ବାବୁଙ୍କର ତାଙ୍କର ଭାଗବଣ୍ଟା ହୁଏ । ବାବୁ ତାଙ୍କୁ ଖୁବ୍ ଭଲ ପାଆନ୍ତି । କାହକୁ କେମିତିଆ ଔଷଧ ଦିଆଯବ ବତେଇ ଦିଅନ୍ତି ସେ । ପଇସାଦିଆ ନା ସରକାରୀ । ସେଇ ଅନୁସାରେ ଔଷଧ ଲେଖାଯାଏ । ଭାଗ୍ୟ ଯାହାର ଟେକ..... । ଆଜିକାଲି ବିରକ୍ତ ହେଉଛନ୍ତି ଡାକ୍ତର ବାବୁ । ପଇସା ହେଉନି । କମ୍ପାଉଣ୍ଡର ବାବୁ ଚିନ୍ତିତ । କ’ଣ କରାଯାଇ ପାରେ । ହାଡ଼ିଆ ପାଖକୁ ଚାଲିଆସି ଓଳଗି ହେଲା । ପଚାରିଲା-

 

‘‘ସାଆନ୍ତେ ଡାକ୍ତର ବାବୁ କାହାଁନ୍ତି ?”

 

-“କାହିଁକ ମୋତେ କହୁନୁ ।”

 

“ନା ମ, ଡାକ୍ତର ବାବୁଙ୍କ ଠି ଦରକାର ଅଛି ନା-"

 

ଶେଷ କମ୍ପାଉଣ୍ଡର ବାବୁ ବି ଚାଲିଗଲେଣି କେତେବେଳୁ ।

 

ହାଡ଼ିଆ ବସିବି ଆଣ୍ଠୁଟି ଭିତରେ ମୁହଁ ଗୁଞ୍ଜି ବସି ଭାବୁଚି ଗୁଜିକଥା । ଛେଳି ଛୁଆଟା କଥା । ରାତି ଘଡ଼ିଏ ହେଲାଣି । ଏତେ ଡେରି ଦେଖି ବୋଧେ ମେଁ ମେଁ ହେଇ ଘର କମ୍ପଉଥିବ ଛୁଆଟା । ଗୁଜିର ଜର ବେଶି ବଢ଼ିଲାକି ? ଚଇ ମୁଣ୍ଡ ବାଡ଼େଇ କାନ୍ଦୁଥିବ । କପାଳକୁ ନିନ୍ଦୁଥିବ । କୁଆଡ଼େ ଗଲେ ଡାକ୍ତର ବାବୁ ? କି ହାଓ୍ୱା ଖାଉଛନ୍ତି ସେ !

 

ଯଦି ଠିକ୍ ଟାଇମରେ ଡାକ୍ତର ବାବୁ ନ ପହଞ୍ଚନ୍ତି.... ଆଉ ଗୁଜି.... ଯଦି....ଏଇ ଠେଙ୍ଗାରେ ପ୍ରଳୟ କରିଦେବ ପୃଥିବୀକୁ । ଡାକ୍ତର କମ୍ପାଉଣ୍ଡରଙ୍କର ମୁଣ୍ଡ ଫଟା ରକ୍ତରେ ସେ ତାର ମନରେ ଜଳୁଥିବା ନିଆଁକୁ ଲିଭେଇବ । ଏଇ ଗୋଟେ ସାଇକେଲ୍ କ’ଣ ଇଆଡ଼େ ବୁଲିଲାଣି । ଡାଇନେମାଟା ଜଳୁଚି ଦାଉ ଦାଉ ହେଇ । ଆଖିରେ ପଡ଼ିଲା ହାଡ଼ିଆର । ଆଖି ବନ୍ଦ କରିଦେଲା । ବାବୁ ଉଠୁ ଉଠୁ ପଚାରିଲେ–

 

“ତୋ ଘର କୋଉଠିରେ ?”

 

-“ବିଶେଷର ପୁର ଛତରର ପିଅନ ଆଜ୍ଞାମୁଁ ।”

 

କଥା ପଦକ କହି ଗୋଡ଼ଟାକୁ ଜାବୁଡ଼ି ଧରିଲା ହାଡ଼ିଆ । ସଁ ସଁ ହେଇ କାନ୍ଦିଉଠି କହିଲା, ‘‘ମୋତେ ଦୟାକର ଡାକ୍ତରବାବୁ ଗୁଜିକୁ ବଞ୍ଚେଇ ଦିଅ ତୁମ ଗୋଲାମ ହେଇ ରହିବି ସବୁଦିନ ପାଇଁ ।”

 

ବାବୁ ଉଠେଇ ଦେଲେ । ଚାହିଁଲେ ହାଡ଼ିଆ ଆଡ଼େ କେମିତି ଗୋଟ କାତର ପୂର୍ଣ୍ଣ ଚାହାଣୀ । ଦାଣ୍ଡଘରକୁ ଡାକି ପଚାରିଲେ, “କ’ଣ ହେଇଚି କାହାର ?” –“ମୋ ଗୁଜିକୁ ଜର ବାବୁ ଦି ଦିନ୍ ହେଲା, ଆଖିଫିଟଉନି ଦି ଦିନ ହେଲା । ତାରିସାଥିରେ ତିନି ଚାରିଟା ଛୁଆ ଗଲେଣି । ତାକୁ ବଞ୍ଚାଅ ବାବୁ ।

 

ହାଡ଼ିଆକୁ ଆଶ୍ୱାସନା ଦେଲେ ଡାକ୍ତର ବାବୁ । ଡାକ୍ତର ସେ । ଆଶ୍ୱାସନା କ’ଣ ତାଙ୍କ ରକ୍ତ ମଜ୍ଜା ଗତ । ହାଡ଼ିଆ ମନ ବୁଝୁନଥାଏ । ଆଖିରୁ ସେମିତି ବୋହୁଥାଏ ଅମାନିଆ ଲୁହଗୁଡ଼ା । ଯେତେ ବନ୍ଧ ପକେଇଲେବି ମାନିବାକୁ ନୁହେଁ । ଉଚ୍ଚୃଙ୍ଖଳ ଦୁନିଆରେ ସେମାନେବି ଉଚ୍ଚୃଙ୍ଖଳ ହେବାକୁ ବସିଲେଣି । ଡାକ୍ତରବାବୁ–ପଚାରିଲେ–

 

‘‘କ’ଣ ଔଷଧ ଦେଇଚ ?”

 

କମ୍ପାଉଣ୍ଡର ବାବୁ କ’ଣ ନାଲି ଔଷଧ ଦେଇ ଆସିଥିଲେ ଯେ ସରିଲାଣି । ଆଉ ଯିବାକୁ ନାହାଁନ୍ତି ?"

 

“ତୁମେତ ମୁଠେ ଖାଇବାକୁ ଦେବନି । ଆଉକ’ଣ ହାତରୁ ଖାଇ ଘୋଡ଼ା ଆଗେ ଡେଉଁ ଥିବେ ?

 

‘‘କ’ଣ ଦେବୁ ଆଜ୍ଞା, ନିଜେତ ପାଉନୁ ।”

 

ସେଥିପାଇଁ ଆମେତ ଦାୟୀ ନୋହୁଁ ! ଆମରତ ପୁଣି ପେଟ ପାଟଣା ଅଛି ? ସରକାର ଆମକୁ କହିଚି ଘର ଘର ବୁଲିବାକୁ । ତୁମେ ଏଠିକି ଆସୁନ । ସରକାରୀ ଔଷଧ କଣଦେବୁ । ସେଥିରେ ଯଦି ଭଲନହେଲା ଆମେ କ’ଣ କରିବୁ ? ତମ ଘରକୁ ଯିବୁ ଫିସ୍ କିଏ ଦେବ ?

 

ହାଡ଼ିଆ ମୁଣ୍ଡରେ ଚଡ଼କ ପଡ଼ିଲା । ବାବୁ ଫିସ୍‍ କଥା କହୁଛନ୍ତି । ଘରକୁ ଗଲେ ଫିସ୍ କୋଉଠୁ ଆଣିବସେ ? ଦୁଇମାସ ହେଲା ଦରମା ବନ୍ଦ । ଯାହାଥିଲା ସବୁ ଖର୍ଚ୍ଚ ସରିଚି । ମୁଣ୍ଡଟା ଅସମ୍ଭବ ରକମ ବୁଲେଇବାକୁ ଲାଗିଲା । ଠିକ୍‍ ପାଗଳା ଦୋଳିପରି । ନଉବଢ଼ି ଭଉଁରି ପରି । ଚାରିଆଡ଼ ଅନ୍ଧାର କାଳରାତି ଘୋଟି ଆସିଲାକି ? ଯଦି ଡାକ୍ତର ବାବୁ ନଯାଆନ୍ତି.... ?

 

ନା ନା ତାଙ୍କୁ ଯିବାକୁ ହେବ । ନହେଲେ ଶେଷକୁ ଏଇ ଠେଙ୍ଗାଟା... । ପୁଣି ଗୋଡ଼ଧରି ପକେଇଲା । କୋହ ଉଠୁଚି କ’ଣ କରିବ ସେ କୋହକୁ ଚାପି ରଖି କହିଲା, ବାବୁ ତୁମେ ନଗଲେ ଗୁଜି ମରଯିବ ଯେ । ସେଇ ପାଣୁଆର ଶେଷ ସନ୍ତକ । କଣ ନେଇ ତା ମା ବଞ୍ଚିବ ! ତାକୁ ଭଲ କରିଦିଅ ବାବୁ ମୁଁ ପଛେ ଆପଣଙ୍କ ଫିସ୍ ପାହି ପାହି ସୁଜିଦେବି ।

 

-“ପଛେନାହିଁ ବାବୁ । ବର୍ତ୍ତମାନ । ଦେଇ ପାରିବ ?”

 

-“କେତେ ବାବୁ ?”

 

-‘‘ଦଶଟଙ୍କା ।”

 

-“ଦଶଟଙ୍କା .... !!’’

 

ମୁହଁରେ ହତାଶାର ଚିହ୍ନ । ଏତେଟଙ୍କା ଏଇନେ ସେ ଆଣିବ କୋଉଠୁ ? ଆଖିଦିଟା ତାର ଜଳି ଉଠିଲା । ହାତ ମୁଠା ଟାଣ ହେଇଗଲା । ମୁଣ୍ଡଟାକୁ ଫଟେଇ ଚୁନା କରିଦେବାକୁ ଉଦ୍ୟତ ହେଉଥିଲାସେ, କୋଉଠୁ ଦିଟା ପିଅନ ଆସି ଅଟେକେଇ ଦେଲେ । ଧକ୍କା ଦେଇ ଗେଟ ପାରକରିଦେଲେ ସେମାନେ । ବାବୁ ହସୁଥିଲେ ଖୁବ୍ ଜୋରରେ । ସମତାଳରେ ହସୁଥିଲାବି ଗଧଟାଏ କୋଉଠି ଦୂରରେ ।

 

ନିଉଛୁଣା ମେଘଟା ପୁଣି ଆସିଲାଣି । ଦକ୍ଷିଣା ବୋହୁଚି । ହବନି ବୋଧେ । ତଥାପି କଳା ହାଣ୍ଡିଆ ବାଦଲ ଗୁଡ଼ାକୁ ବିଶ୍ୱାସ କରିବ କିଏ ? ବିଶେଷର ପୁର ଯିବନି ସେ । କାକିଁକି ଯିବ-? ଗୁଜିକୁ ମରିବାର ଦେଖିବାକୁ ? ଚଇକୁ ସାନ୍ତ୍ୱନା ଦେବାକୁ ? ସେ ଅପଦାର୍ଥ । ଯୋଉକାମରେ ହାତ ଦେଲା ତା ହେଉନି । ପାଣୁଆ ସୁପୁରୁଷ । ଫଳନ୍ତି ହାତ ତାର । ଯୋଉ କାମରେ ହାତଦେଲା ସେ କାମ ସଫଳ ହେଲା । ଯୋଉ ଗଛଟି ରୋଇଲା ସେ ଗଛଟି ଫୁଲ ଧରିଲା-। ଫଳ ଧରିଲା । ଆଜିଯଦି ସେ ଥାନ୍ତା.... ।

 

ବିଶେଷରପୁର ଆଉ ସେ ଫେରିବନି । ଚଇ ବୋଧେ କାନ୍ଦି କାନ୍ଦି ମୁହଁ ଫୁଲେଇ ଦେବଣି । ଆଖିଦିଟା ବର୍ଷା ଦିନଆ ଛତୁ ପରି ମୁହଁ ଉପରକୁ ଆସି ଯିବଣି । ଦି’ଦିନ ଉପବାସ ଭିପରେ ତାର ଚମ୍ପା ଫୁଲିଆ ଦେହଟା କଳାକାଠ ପଡ଼ି ଯିବଣି । ଏ ସବୁ କ’ଣ ଦେଖି ପାରିବ ?

 

ଗୁଜି ଚାଲିଯିବଣି ତା ବାପ ପାଖକୁ । ସେ ଯଦି ରହି ନ ପାରିଲା ତେବେ ଡାକ୍ତର ବାବୁର ବି ରହିବାକୁ ଅଧିକାର ନାହଁ । ରାତିଟା ଏଇ ଗଛ ମୂଳେ କଟେଇ ଦେବ । ବର୍ଷା ଘଡ଼ଘଡ଼ି ହେବ । ହଉ ଡର ନାହିଁ । ଠେଙ୍ଗାଟାକୁ, ଟିକେ ଭଲକି ଧୋଇଦେବ । କାଲି ଏଇବାଟେ ଡାକ୍ତର ବାବୁଟା ଯିବ ତ ? ଗୋଟିଏ ପାହାର ତା ପରେ....

 

ପବନର ଗତି ବଦିଳ ଗଲାଣି । ଉତ୍ତରା ବୋହୁଚି । ଖୁବ୍ ଜୋରରେ । ସମତାଳରେ ମୁଣ୍ଡଟାବି ଘୂରଉଚି ଗୋଟେ କୋଉ ଅଜାଣା ଭାବନାରେ । ପୁଲିସର ଆହ୍ୱାନ ପାଇଁ ବ୍ୟସ୍ତ ସିଏ । କେମିତ ରାତି ପାହିବ । ଅନେକ ଦିନରୁ ଶୋଷେଇ ଥିବା ଏଇ ଠେଙ୍ଗାଟା । ମୁନ୍ଦେ ରକ୍ତ ପିଇ ଶାନ୍ତି ପାଇବ । ଅନେକ ଦିନରୁ ଅନେକ ଦିଗର ସାହାଯ୍ୟ କରି ଆସିଚି ଏଇ ଠେଙ୍ଗାଟା । ତାକୁ ମୁନ୍ଦେ ରକ୍ତ ସେ ଦେଇ ପାରିବ ନି ?

 

ମେଘ କନ୍ୟାର କଳାଭଅଁର ପଛପଟୁ କାଳ ପୁରୁଷ ହସୁଚି । ଗୋଟିଏ ଉଜ୍ଜ୍ଵଳ ଜ୍ଵଳନ୍ତ ରେଖାଟିଏ । ବଡ଼ଘର କରି କେମିତି ଗୋଟେ ବିକଟାଳ ଗର୍ଜନ କରି କିଛି କହୁଚି ସେ । ମେଘକନ୍ୟା ତା ହାତରେ ଆଜି । ଦୂରକୁ ଦୂରକୁ ପଳେଇ ପଳେଇ ଯାଉଚି ମେଘକନ୍ୟା । ନିଜକୁ ନିଷ୍କଳଙ୍କ ରଖିବ । ନିଜର ରୂପକୁ ଦୂରେଇ ରଖିବ କାଳପୁରୁଷଠୁଁ । ପାରିନି ହାରିଯାଇଚି । ଅତି ନିର୍ମମ ଭାବରେ ହାରି ଯାଇଚି । ପୁଣି ଗୋଟେ ଜ୍ଵଳନ୍ତ ରେଖାର ହସ । ପୁଣି ସେଇ କର୍କଶ ଧ୍ୱନି । ହସି ପାରିନି ମେଘକନ୍ୟା କାନ୍ଦିଚି । ସେ ଅତି ଅସହାୟ ଭାବରେ ।

 

ମେଘକନ୍ୟାର ଏଇ ଅଭିଶାପର ଲୁହରେ ନିଜକୁ ଧୋଇଦେବାକୁ ଚେଷ୍ଟା କରୁଥିଲା ହାଡ଼ିଆ । ଇଆପରେ ହୁଏତ ଜେଲର ପାଚେରି ଡେଇଁ ମେଘକନ୍ୟାର ଲୁହ ପହଞ୍ଚି ନ ପାରେ ।

 

ଟର୍ଚଟାଏ ଚିପି ଚିପି କିଏ ଗୋଟେ ଆସୁଚି ଡାକ୍ତର ଖାନା ଆଡୁ । ଦେହରେ ସିହାଇ ରଙ୍ଗର ପ୍ୟାଣ୍ଟ ସାର୍ଟ । ଥନ୍ତଲ ପେଟଟା ଆଗକୁ ବାହାରି ଝୁଲୁ ଝୁଲି ଚାଲିଚି ‘ସରେୟା ବାବା’ ଙ୍କ କୋଥଳି ପରି । ମେଘକନ୍ୟାର ଲୁହରେ ଗାଧୋଇବାକୁ ଚାହାନ୍ତି ନାହିଁ ସେ । ସମବେଦନା ଜଣେଇବା ତାଙ୍କ ଭାଗ୍ୟରେ ଲେଖା ନାହିଁ ବୋଧେ । ରକ୍ଷା ପାଇବା ପାଇଁ ରାତିର ରଙ୍ଗସହ ରଙ୍ଗ ମିଶାଇ ଧରିଛନ୍ତି ଛତା ଖଣ୍ଡେ । ଟର୍ଚଟା ଚିପି ଚିପି ଆଗେଇ ଆସିଲା ଲୋକଟି । ଡାକ୍ତର ଖାନାର ବେହେରା ବୋଧେ । ଆଗରେ ହାଡ଼ିଆକୁ ଦେଖି ଚମକି ପଡ଼ିଲା ବୋଧେ । ଭୁତ ନା ପ୍ରେତ ଇୟେ-? ବର୍ଷାଟାରେ ତିନ୍ତିଚି କାହିଁକି ? ଜୀବନକୁ କ’ଣ ତାର ଲୋଭନାହିଁ ? ଡାକ ପକାଇଲା, ‘‘କିଏ ସେ-?’’

 

ହାଡ଼ିଆ ଏଥର ଟିକିଏ ସଜାଡ଼ି ହେଇ ବସିଲା । ଠେଙ୍ଗାଟାକୁ ପାଖକୁ ଟାଣି ଆଣିଲା । ଖାତିର ନାହିଁ । କିଏ କଣ କହୁଚି ନ କହୁଚି କିଛି ଶୁଭୁନି ତାକୁ । ଖାଲି ଶୁଭୁଚି ଛେଳି ଛୁଆଟାର ମେଁ ମେଁ ଡାକ । ଚଇର ଆର୍ତ୍ତ କାନ୍ଦଣା । କଙ୍କାଳ ଗୁଡ଼ାଙ୍କର ‘‘ରାମ ନାମ ସତ୍ୟ’’ ଡାକ ।

 

ଇଏ ଆଉ ସତକୁ ସତ ସେଇ ପଦିଆ ବୁଢ଼ା ଯାହାର ଅତୃପ୍ତ ଆତ୍ମା ଆମ ଅନ୍ଧାର ରାତିରେ ବୁଲୁଥାଏ ସେଇ ନୁହେଁ ତ ? ଗୋଡ଼ଦିଟା ଥରିବାକୁ ଲାଗିଲାଣି ପାଦତଳୁ କିଏ ଆଉ ମାଟି ଟାଣି ନେଉଚି କି ? ଟର୍ଚଟାକୁ ସେମିତି ମାରି ଧରି ଛତାଟାକୁ ଫିଙ୍ଗିଲେ ହାଡ଼ିଆ ଉପରକୁ । ହାଡ଼ିଆ ପ୍ରକୃତିସ୍ଥ ହେଲା । ମୁହଁଟେକି ଚାହିଁଲା । ବେହେରାଟା ଥରୁଚି । ପଚାରିଲା, ‘‘କିଏ ସେ ?’’

 

ଆଖିରେ ଜଳୁଥିବା ନିଆଁ ଗୁଡ଼ା ଟର୍ଚ ଆଲୁଅରେ ଆହୁରି ସ୍ପଷ୍ଟ ଦେଖା ଯାଉଚି । ବେହେରାଟା ଆହୁରି ଥରିବାକୁ ଆରମ୍ଭ କଲାଣି । ଟିକେ ପରେ ବୋଧେ ପଡ଼ିଯିବ । ହାଡ଼ିଆ ଉଠିଆସିଲା ବେହେରା ବାବୁଙ୍କ ଆବସ୍ଥା ଦେଖି ମନେ ମନେ ହସୁଥିଲା । ଏଇମାନେ ପୁଣି ମଣିଷକୁ ଡରାନ୍ତି । ଧକକା ଦେଇ ବଳ ପରୀକ୍ଷା କରନ୍ତି । ଗୋଟାଏ ଠେଙ୍ଗା ଦେବକି ? ନ ଥାଉ, ଏ ଗୁଡ଼ାଙ୍କୁ ମାରି ଲାଭ କ’ଣ ? ବରଂ ଠେଙ୍ଗାଟା ଟିକେ ଭଲ କରି ଧୋଇ ହେଉଥାଉ । ରାତି ପାହିଲେ..... ।

 

ଅନେକ ପାଖକୁ ଚାଲି ଆସିଲାଣି ହାଡ଼ିଆ । ଏଥର ବେହେରା ବାବୁ ଚିହ୍ନି ପାରିଲାଣି । ଯାହାକୁ ସେ ସନ୍ଧ୍ୟାବେଳେ ଧକକା ଦେଇ ଘରୁ ବାହାର କରିଦେଇଥିଲେ ଡାକ୍ତର ବାବୁଙ୍କ ନିର୍ଦ୍ଦେଶରେ । ବିବେକ ବାଧା ଦେଉଥିଲେ ବି ସେ ପେଟ ଚାଖଣ୍ଡକ ପାଇଁ.... । ଘରକୁତେବେ ଫେରିଯାଇନାହିଁ କାହିଁକି ? ଯଦି ବିଚରା ଚାଲିଯାଏ... !

 

ହାଡ଼ିଆ ଓଳଗି ହେଲା । ଏଥର ନିଶ୍ଚିନ୍ତ ହେଲା ବେହେରାଟି । ଏଇ ଭୁତ ନୁହେଁ । ଏଇ ସେଇ ଲୋକଟି । ଦୟା ଆସିଲା । କିଏ ସେ ଏଇ ? ଏ ଛତର ନୁହେଁ ତ ? ପଚାରିଲା–‘‘ତୋତେ ଡାକ୍ତର ବାବୁଙ୍କ ଘରୁ ବାହାର କରିଦିଆ ହୋଇଥିଲା ନା ?’’

 

-‘‘ହଁ’’ କଣ୍ଠରେ ବଜ୍ର ଗମ୍ଭୀରତାର ଚିହ୍ନ ।

 

-‘‘ ତୁ ଘରକୁ ଯାଇନୁ ?’’

 

-‘‘ କାହାପାଇଁ ଆଉ ଯିବି ବେହେରା ବାବୁ ?’’

 

-‘‘କାହିଁକି, କଣ ହୋଇଛି ତୋର ?’’

 

-‘‘କିଛି ହେଇନି ବାବୁ । କଲି ସଖାଳୁ ଏ ଠେଙ୍ଗାକୁ ବଳି ଦେଲାପରେ...... ।

 

ବେହେରା ଚମକି ଉଠିଲା । କ’ଣ କହୁଚି ଇଏ ? ପାଗଳ ହୋଇ ଯାଇନି ତ ? କାହାକୁ ବଳି ଦେବ ? ଡାକ୍ତର ବାବୁଙ୍କୁ ? କମ୍ପାଉଣ୍ଡର ବାବୁଙ୍କୁ, ନା....... । ଲୋକଟା ଗୁଣ୍ଡାପରି ଦେଖାଯାଉଚି । ସତକୁ ସତ ଯଦି ସେ କଣ କରିବସେ......... ? ପରିସ୍ଥିତି ସମ୍ଭାଳି ନେବାକୁ କାନ୍ଧରେ ହାତ ପକାଇ ପଚାରିଲା–

 

‘‘ତୋ ନା କଣ ରେ ?’’

 

-‘‘ହାଡ଼ିଆ’’

 

-‘‘କୋଉଠୁ ଆସିଚୁ ?’’

 

-‘‘ବିଶେଷର ପୁର ପିଅନ ମୁଁ ।’’

 

-‘‘ମୋ ସାଥି ନାରେ ? ତୁ ପିଅନ, ମୁଁ ଡାକ୍ତର ଖାନା ବେହେରା । ମୋତେ ବାବୁ ବାବୁ କାହିଁକି ଡାକୁଚୁ ? ଭାଇ ଡାକୁନୁ ।’’

 

-‘‘ଭାଇ !!’’

 

-‘‘ହଁ ଭାଇ । ପେଟ ଚାଖଣ୍ଡକ ପାଇଁ ତ ଆମେ ଚାକର ।’’

 

-‘‘ଯଦି ଭାଇ କହିଲୁ ଜୀବନରେ ଗୋଟେ ଉପକାର କରି ପାରିବୁ ?’’

 

-‘‘ହଉ ତୁ ଆସିଲୁ, ସେ ଦସ୍ତାତଳ ଘରକୁ ପରେ ଦେଖିବା ।’’

 

ଦିହେଁ ଗଲେ ଦସ୍ତାତଳକୁ । ବର୍ଷା ଛାଡ଼ିଗଲାଣି । ପିଙ୍କା ବାହାର କଲା ହାଡ଼ିଆ । ଭିଜି ଯାଇଚି । ସେକିଦେଲା ଟିକେ ନିଆଁରେ । ବଢ଼େଇ ଦେଲା ଖଣ୍ଡେ ବେହେରାକୁ । ନିଜେ ଖଣ୍ଡେ ଧରିଲା । ଖୁବ୍‍ ଜୋରରେ ଦି ଢୋକ ଟାଣିଦେଲା ହାଡ଼ିଆ ଖେଁ ଖେଁ ହୋଇ କାଶି ଉଠିଲା । ବେହେରା ପଚାରିଲା–

 

‘‘କଣ କହୁଥିଲୁ ହାଡ଼ିଆଭାଇ ?’’

 

-‘‘ସାର ଡାକ୍ତରଙ୍କୁ ଦରକାର ବେହେରା ଭାଇ ।’’

 

-‘‘କ’ଣ ଏତେ ଜରୁରୀ ଅଛି ?’’

 

-‘‘ହଁ ବେହେରା ଭାଇ ଗୁଜି ସିଆଡ଼େ ଜରରେ ଆଖିମୁଦି ସାରିବଣି ।’’

 

-‘‘କିନ୍ତୁ....... ।’’

 

-‘‘କିନ୍ତୁ କ’ଣ ବେହେରା ଭାଇ ?’’

 

-‘‘କିଛି ଟଙ୍କା ଅଛି ପାଖରେ ?’’

 

ବେହେରାଟି ବୁଝି ପାରିଲା । ହାଡ଼ିଆ କାନ୍ଦୁଚି । ପାଖରେ ପଇସାଏ ନାହିଁ । ଯଦି ତା ପାଖରେ ଥାଆନ୍ତା..... ? ଡାକ୍ତରବାବୁଟା କ’ଣ ବିନା ପଇସାରେ ଘୁଞ୍ଚିବ ? ପଇସା ଦେଖିଲେ ପଛେ ପଛେ ଦୌଡ଼ିଥିବ । ଆଉ ପଇସା ନଥିଲେ...... ! କମ୍ପାଉଣ୍ଡରଟା ବି ଜଖଟାଏ । ଗୋଟାଏ ପଇସାକୁ ମରିଯିବ । ପଇସା ମିଳିଲେ ଓଷଧ ନହେଲେ ରଙ୍ଗପାଣି । ଆଉ କଣ କିଛି ଉପାୟ ନାହିଁ-?

 

ଦି’ଟା ପଇସାବିନା କ’ଣ ତୋ ଭାଇର ଝିଅଟା ଓଷଧ ବିନା ମରିଯିବ !

 

ଏମିତି ଅନେକ ଟିକେ ଔଷଧ ନପାଇ ମରୁଛନ୍ତି । ଗୁଜି ବି ମରିବ । କାହାପାଇଁ ଦୁଃଖ କରିବି କି ଏୟାପାଇଁ ବି କରିନଥାନ୍ତି । କିନ୍ତୁ..... ।

 

କିନ୍ତୁ ହାଡ଼ିଆକୁ ସେ ଭାଇ କରିଛି । ଗୁଜି ଆଜିତ ଭାଇଝିଅ । ସେ ମରିଯିବ ଟିକେ ଔଷଧ ନପାଇ ? ମୁଣ୍ଡଟା ଚକି ପରି ଘୂରୁଚି । ଏୟାଡ଼େ ସିଆଡ଼େ ଦଉଡୁଛି କଅଁଳା ବାଛୁରିଟା ପରି-। କୋଉଠି କୂଳଛୁଇଁବ ? ହଁ ମନେ ପଡ଼ିଚି । କେବଳ ଗୋଟାଏ ଉପାୟ ତା ମୁଣ୍ଡକୁ ଢୁକୁଚି । ସେଥିରେ କଣ ହାଡ଼ିଆ ରାଜି ହେବ ? ଆଉଟିକେ ପାଖକୁ ଲାଗି ଆସିଲା ବେହେରା ପଚାରିଲା–

 

‘‘ହାଡ଼ିଆଭାଇ, ଗୋଟେ କଥା କହିବି ଯଦିରାଜି ହେଉ.....’’

 

‘‘କହଭାଇ, ଗୁଜିପାଇଁ ମୁଁ ସବୁ କରି ପାରିବି ।’’

 

‘‘କିନ୍ତୁ.........’’

 

‘‘କିନ୍ତୁ କ’ଣ ବେହେରା ଭାଇ, ଜୀବନଟା ତ ତାରିପାଇଁ–’’

 

‘‘ତୁ ଅପରେସନ ହେଇ ପାରିବୁ ?’’

 

‘‘ଅପରେସନ୍....... !!’’

 

ଦେହଟା କେମିତି ସିତେଇ ଉଠିଲା । ଛୁରିରେ ସଜ ମାଉଁସ ଗୁଡ଼ା କଟା ଯିବ । ଲୋକ କହନ୍ତି ଜମଦଣ୍ଡ ଏଇଠି । ପୂର୍ବଜନ୍ମରେ ଯିଏ ବେଶି ପାପ କରିଥାଏ ଏଜନ୍ମରେ ସେ ଦଣ୍ଡପାଏ । ଜମପରି ଡାକ୍ତର ବାବୁ କାଟି ଯାଉଥିବେ ଆଉ ସେ.... । ରକ୍ତର ନଇ ଛୁଟିବ । ଗୋଟାକ ପରେ ଗୋଟିଏ କନା....... । ତାର ମନେଅଛି ଯେତେବେଳେ ରେଲରେ ତାର ହାତ କଟିଗଲା, ହାତ ଅପରେସନ ହୋଇଥିଲା ସତ କିନ୍ତୁ ସେ କଇଁଚି ଛୁରି ଦେଖିନି । ତା ଆରଦିନ ତାର ଚେତା ଆସିଲା ବେଳକୁ ସେ ଦେଖିଲା ନିଜକୁ ବେଡ଼ ଉପରେ ।

 

ଆଉ ବର୍ତ୍ତମାନ ଆଖିରେ ଦେଖିବ ସେ ଛୁରୀ କଇଞ୍ଚି ଗୁଡ଼ାକୁ । ଚକ୍‍ ଚକ୍‍ କରୁଥିବ । ଖୁବ୍‍ ଧାରୁଆ ହୋଇଥିବ । ନା ବାବା ସେ ପାରିବନି । ଗୁଜି ତାର କିଏ ? ଗୁଜି ତାର କେହିନୁହେଁ ।

 

ନା ସେ ଆଜି ଚଇ କଥାକୁ ମିଛବୋଲି-ପ୍ରମାଣ କରି ଦେବ । ଚଇର ଦେହ ଉପରତେ ସେ ଭୁଲରେ ବି ଆଶା କରିନଥିଲା । ମନଟାକୁ କିଣିନେବ ବୋଲି ସେ ଭାବିଥିଲା ନିଜର ସମସ୍ତ ସଞ୍ଚିତ ସ୍ନେହ ମମତା ଦେଇ । ହୃଦୟ ଦେଇ । ସେ ଅପରେସନ ହେବ । କିନ୍ତୁ କି ଅପରେସନ୍ ? ଲାଭ କଣ ? ପଚାରିଲା-

 

‘‘କି ଅପରେସନ ବେହେରା ଭାଇ ।’’

 

-‘‘ଜନ୍ମ ନିୟନ୍ତ୍ରଣ ।’’

 

-‘‘ଲାଭକଣ ହେବ ।’’

 

-‘‘ତୁଜାଣିନୁ ହାଡ଼ିଆଇ, ଏଇନେ ଆଗତୁରା ପନ୍ଦରଟଙ୍କା ମିଳିବ । ସେଇଟଙ୍କା ଯଦି ଡାକ୍ତରଙ୍କୁ ଧରେଇ ଦେଉନା.......’’

 

ହାଡ଼ିଆ ମୁହଁଟା କେମିତି ଉଜ୍ଵଳ ହୋଇଉଠିଲା । ଦୁଃଶ୍ଚିନ୍ତାର ବାଦଲ ଆରପଟୁ ଆଶାର ନୂଆ ସୂର୍ଯ୍ୟଟି ଉଠିବାକୁ ଆରମ୍ଭ କଲାଣି । ନୂତନ ଭାଗ୍ୟନେଇ ଗୁଜିର ଜୀବନ ଫେରି ଆସିବ । ପୁଣି ଦେଖାଦେବ ସୁଖର ମଧ୍ୟାହ୍ନ । ଗୁଜି ହସିବ । କିଲ୍‍ କିଲିଆ ହସ । ପୁଣି ହାତ ବାଡ଼େଇ ‘ତାତା’ କରି ଉଠିବ । ଇୟାଠୁ ବଳି ଭାଗ୍ୟ ଆଉକ’ଣ ଅଛି ? ଏଇ କ’ଣ ହେବନି ତାପାଇଁ ତାର ଶ୍ରେଷ୍ଠଦାନ-! ହସୁ ହସୁ କାନ୍ଦି ପକାଉଥିଲା ହାଡ଼ିଆ ।

 

ଗତ ରାତ୍ରିର ସମସ୍ତ କଳା କଳଙ୍କକୁ ଧୋଇ ଦେବାପାଇଁ ପୁଣି ସୂର୍ଯ୍ୟ ଆସିଛନ୍ତି । ନିଜର ଉଜ୍ଵଳମୟ ତେଜରେ ରାତ୍ରିର କଳଙ୍କମୟ କଳା ଅନ୍ଧାରକୁ ଦୂର କରି ଦେଇଛନ୍ତି । ବର୍ତ୍ତମାନ ସେ ଶ୍ଵେତ ଶୁଦ୍ଧ ପବିତ୍ର ।

 

ନିଜକୁଡ଼ିଆରେ ଗୁଜିକୁ କୋଳରେ ଧରି କାନ୍ଦୁଚି ଚଇ । ଦୁଇଦିନ ହେଲା ଖିଆ ନାହିଁ । ଆଖିକସା ପଡ଼ିନି ଟିକକ ପାଇଁ । ତାତି ସେମିତି ଭରି ରହିଚି । କମିବାକୁ ନାଇଁ । ହାଡ଼ିଆକୁ ନଦେଖି ବ୍ୟତିବ୍ୟସ୍ତ ହୋଇଉଠୁଥିଲା । ମନେ ମନେ ଖୋଜୁଥିଲ ତାକୁ । ଆଉଥରେ ଦେଖା ଦିଅନ୍ତା କି ?

 

ଅନେକଙ୍କୁ ପଚାରିଚି । କହିଚି ହାଡ଼ିଆକୁ ଡାକିଦେବାକୁ । ସମସ୍ତେ ମନା କରିଛନ୍ତି । କେହି ହାଡ଼ିଆକୁ ଦେଖି ନାହାନ୍ତି । କୁଆଡ଼େ ସେ ଚାଲିଯାଇଚି ଜାଣନ୍ତିନି । ତେବେ..... ?

 

ତେବେ କ’ଣ ହାଇଆ ତାରିପାଇଁ ଛତର ଛାଡ଼ି ଚାଲିଗଲା ଅନ୍ୟକୁଆଡ଼େ ! କାହାକୁ ଜଣେଇଲାନି । ଘରର ସବୁ ଜିନିଷ ସେମିତି ପଡ଼ିଚି । ଛେଳି ଛୁଆଟାକୁ ବି ସେ ନେଇନି । ଛୋଟାଟା ସେମିତି ପଡ଼ି ରହିଛି । ମେଁ ମେଁ ହଉଚି ।

 

ଆର ପିଅନଟା ହାଡ଼ିଆଘରେ ରୁହେ । କାଲି ଆସିଥିଲା ସେ । ହାଡ଼ିଆକୁ ଖୋଜୁଥିଲା । କାଳେ ଗୁଜିପାଖେ ଥିବ । ଗୁଜିକୁ ସେ କୁଆଡ଼େ ଭାରି ଭଲ ପାଏ । କହୁଥିଲା ଛେଳି ଛୁଆଟା ଭାରି ତାକୁ ଖୋଜୁଚି । କିଛି ଦେଲେ ଖାଉନି । ଖାଲି ମୁହଁକୁ ଅନେଇ ରହୁଚି । ଲୁହ ନିଗାଡ଼ୁଚି ଆଖିରୁ ।

 

ଯଦି ତାର କଣ ହୋଇଯାଏ ? ଦି ଦିଟା ଜୀବନର ହତ୍ୟାକାରିଣୀ ହେବ । ହାଡ଼ିଆକୁ ଜବରଦସ୍ତ ଏଇ ଛତରରୁ ବାହାର କରି ଦେଇଚି ସେ । ସେ ଦାୟୀ ହବନିତ ଆଉ କିଏ ହବ ?

 

କହିଁକି ଭୁଲ ବୁଝିଲା ହାଡ଼ିଆଇକୁ । କେବେତ ତା ଆଖିରୁ ସେପରି କିଛି ଇଙ୍ଗିତ ପାଇନି-! ଅନେକ ଥର ଅନ୍ଧାରରେ ଏକୁଟିଆ ହାଡ଼ିଆଇକୁ ସେ ଭେଟିଚି । ଯଦି ହାଡ଼ିଆଇ ଭାବିଥାନ୍ତା..... । ହାତ ଦେଇନି । ବାଟଭାଙ୍ଗି ଚାଲିଯାଇଚି । ମୁହଁ ଟେକି ଅନେଇବି ଥରେ । ତେବେ.... ?

 

ଗତ ରାତିରେ କଥା ମନେ ପଡ଼ିଲା । ମଣିଷ ପୁଣି ଏତେ ନିଷ୍ଠରୁ ଥାଆନ୍ତି ? ଦେହ ଉପଭୋଗରେ ଲାଳସା ପୁଣି ଏତେ ତୀବ୍ର ହୋଇପାରେ ? ବାଘର ଆଇଁସିଣିଆ ପାଟିଠାରୁ ଆହୁରି ଆଇଁସିଣିଆ ସେ ପାଟିଟା । ଆହୁରି ଭୟଙ୍କର ସେ ଦାନ୍ତ ଗୁଡ଼ା । ମଣିଷରକ୍ତ ପିଇବାରେ ବହୁତ ଦିନରୁ ଅଭ୍ୟସ୍ତ ଯେମିତି ।

 

ରାତି ନଅଟା ହବ । ହୋ ହୋ ହେଉଥାଏ । ବୋଧେ ଖିଇବାକୁ ଦିଆ ହେଉଚି । କଙ୍କାଳ ଗୁଡ଼ାଙ୍କ ମୁହଁରେ ମୁଠେ ମୁଠେ ଆହାର ଦେବାରେ ବ୍ୟସ୍ତ ହରିହରବାବୁ । ଏଇଠି ଦେ, ସେଇଠି ଦେ, ପାଟି କରୁଥାନ୍ତି । ଦେବତା ତୋ ପେଟ ଜାଣି ଖାଇବାକୁ ଦିଅନ୍ତି । ବଳେଇ ବଳେଇ ଗଣ୍ଡେ ଖାଆନ୍ତି । ସରକାର ଦେଉଛନ୍ତି ଖାଇବନି କାହିଁକି ? ଆଗରୁ ଯେତିକି ଖର୍ଚ୍ଚ ହେଉଥିଲା, ଏବେବି ସେତିକି ସିଝା ହେଉଚି । ପେଟ ପୁରୁଚି ସମସ୍ତଙ୍କର । ସମସ୍ତେ ତୃପ୍ତ । ପର କଅଁଳିଲାଣି ଟିକେ ଟିକେ । କିନ୍ତୁ ଡାକ୍ତର ଡାକିବା ତାଙ୍କ ହାତର କଥା ନୁହେଁ । ତେବେ ବାବୁଙ୍କୁ ଅନେକ ଥର କହିଛନ୍ତି । ବାବୁ ଶୁଣି ନାହାନ୍ତି । ହସିଛନ୍ତି । କହିଛନ୍ତି ‘‘ହରିହର ବାବୁ ଆପଣ ଯେମିତି କଲେଣି ଆଉକିଛି ଦିନଗଲେ ଛିଡ଼ା ହେବାକୁ ଜାଗାଟିକେ ରଖିବେନି । ଆରେ ମରିବାକୁ କିଛି ଦିଅ ସମସ୍ତେ ଯଦି ବଞ୍ଚିବେ ପୁଣି ମରିବ କିଏ ?

 

ସେଦିନ ପରସୁ ପରସୁ ଦେଖିଲେ ଚଇ କାନ୍ଧରେ କାହାକୁ ପକେଇ ଚୁପି ଚୁପି କୁଆଡ଼େ ଯାଉଚି । ହରିହର ବାବୁ ଡାକିଲେ । ଚଇ ଆସିଲା । ପ୍ରଥମେ ଯେତେବେଳେ ଆସିଥିଲେ ଦେଖିଥିଲେ ଚଇକୁ । ଏଚଇ ସେଚଇ ନୁହେଁ । ସେ ଚଇର ଚାଲିରେ ଥିଲା କବିତାର ଲାଳିତ୍ୟ । ହସରୁ ତାର ଝରୁଥିଲା ଶତସ୍ୱର୍ଣ୍ଣ ଚମ୍ପା । କିନ୍ତୁ ଆଜି.... । ଅସ୍ତି କଙ୍କାଳ ସାର ମାଇପିଟିଏ । ଛଳ ଛଳ ଆଖି । ଆଲୁଲାୟିତ ବେଶ । ଶୁଷ୍କ ଓଷ୍ଠ ଯୁଗଳ । ହରିହର ବାବୁ କାବାହେଲେ ଏମିତି ହୋଇଚି କାହିଁକି ସେ । ପଚାରିଲେ–

 

‘‘କ’ଣ ହୋଇଚି ମା ?’’

 

-‘‘ମ ଏ ନିଉଛୁଣା ଜୀବନଟାକୁ କ’ଣ ହେବ ସାଆନ୍ତେ ?’’

 

-‘‘ତେବେ ଏମିତି ରୂପ ହୋଇଚୁ କାହିଁକି ?’’

 

ଚଇ ଆଖିଟା ଆହୁରି ଛଳ ଛଳ ହେଇ ଆସିଲା । ପାହାଡ଼ ଝରଣା ପରି ପଥର ଖଣ୍ଡ ଡେଇଁ ମାଡ଼ିଆସିଲା ଦୁଇଟି ଧାରା । ହରିହର ବାବୁ ବ୍ୟସ୍ତ ହେଲେ । ତାଙ୍କରି କଥା ଆଜି ଚଇକୁ ଆଜି ଏ ଅବସ୍ଥାକୁ ଟାଣିନେଇଚି । ଚଇ ମନରେ ସେ କଷ୍ଟ ଦେଇଛନ୍ତି । ସେଥିପାଇଁ ଅନୁତପ୍ତ ସେ । କହିଲେ,

 

‘‘ମା, ମୁଁ ତୋତେ କଷ୍ଟ ଦେଲି ନୁହେଁ ?’’

 

‘‘ସେ କଥା ନୁହେଁ ସାଆନ୍ତେ, ଏ ଜୀବନରେ କାନ୍ଦିବା ଛଡ଼ା ମୋର ଆଉ କଣ ଆକର୍ଷଣ ଅଛି ?

 

-‘‘କ’ଣ ହେଇଚି କହ ମା’ ଯଦିପାରେ.........’’

 

-‘‘ତୁମେ ପାରିବ ସାଆନ୍ତେ, ତୁମେ ପାରିବ । ଏଗୁଜି.......’’

 

କଥାଟାକୁ ଶେଷ କରି ପାରି ନଥିଲା ଚଇ । ଗୋଡ଼ତଳେ ଗୁଜିକୁ ରଖିଦେଇ ଭୋ ଭୋ କାନ୍ଦି ଉଠିଥିଲା ।

 

ଆଶ୍ଵାସନା ଦେଲେ ଚଇକୁ । ବାବୁଙ୍କ ପାଖକୁ ଯିବାକୁ ଉପଦେଶ ଦେଲେ । ନାରାଜ ସେ । ହାଡ଼ିଆଇ ନାହିଁକରିଚି ଏତେ ରାତିରେ ଯିବନି ବୋଲି । ହାଡ଼ିଆଇ କଥା କିଛି ରଖୁ ନରଖୁ ଏଇତକ ରଖିଚି । ନ’ଟା ପରେ କେବେ ଯାଏନି ସେଦିନ ଯିଦ ଧରିଥିଲା ହରିହର ବାବୁଙ୍କୁ ସାଥିରେ ନେବାକୁ । ହରିହରବାବୁ ମଙ୍ଗିଥିଲେ । ସାଥିରେ ଯାଇଥିଲେ ମଧ୍ୟ ।

 

ଅଧାଢଳା ବୋତଲଟାକୁ ଟେବୁଲ୍ ଉପରେ ରଖିଦେଇ କବାଟ ଫିଟେଇଲେ ବାବୁ । ଆଗରେ ଚଇ, ମନଟା ଟିକେ ଖୁସିଥିଲା । କିଛି ଅବେଳ ପଡ଼ିଚି । ନହେଲେ ଏତେ ରାତିରେ...... ? କେତେଦିନ ଆଉ ସୁନାଟା ନିଆଁ ପାଖରେ ନ ତରଳି ରହିବ । କେତେଦିନ ପତଙ୍ଗଟା ନିଆଁ ର ଲୋଭ ସମ୍ଭାଳିବ ?

 

ମନ ଅମ୍ବିଳା ହୋଇଗଲା ପଛରେ ହରିହର ବାବୁ । ବଡ଼ ଅସୁବିଧାରେ ଆଜିକାଲି ପକଉଛନ୍ତି ସେ । ରାମତିଆଡ଼ି ଯାହା ପଛେ ଠିକ ସମୟରେ ବୋତଲ ଯୋଗେଇ ଦେଉଥିଲେ । ଚମ୍ପା, ଗୋରି ପରେ କେତେଟାଙ୍କ ମଧ୍ୟ ଯୋଗେଇ ଦେଉଥିଲେ । ଆଜିଯଦି ସେ ଥାନ୍ତେ ଚଇ ଜାଗାଟି କ’ଣ ଏମିତି ଖାଲି ପଡ଼ିଥାନ୍ତା ?

 

ଏଇ ହରିହର ବାବୁ ଭଣ୍ଡୁର କରୁଚି । ଲୋକେ ତାଙ୍କୁଇ ସବୁ ମାନୁଛନ୍ତି । ସବୁକଥାରେ ହରିହର ବାବୁ । କେହି ତାଙ୍କୁ ପଚାରୁ ନାହାନ୍ତି । ସେଥିପାଇଁ ବଡ଼ ରାଗ ତାଙ୍କର । ବୋତଲର ବ୍ୟବସ୍ଥା ମଧ୍ୟ ତାଙ୍କୁ କରିବାକୁ ପଡ଼ୁଚି । ଇୟାଠାରୁ ଲଜ୍ଜ୍ୟାର ବିଷୟ କ’ଣ ଥାଇପାରେ ? ପଚାରିଲେ–

 

‘‘ଆପଣ କୁଆଡ଼େ ହରିହରବାବୁ ?’’

 

-‘‘ଆଜ୍ଞା ଇୟା ସାଥିରେ.........’’

 

-‘‘କାହିଁକି ସିଏ କଣ ମୋତେ ଚିହ୍ନିନି ନା ମୁଁ ତାକୁ ଚିହ୍ନେନି ?’’

 

-‘‘ତୁମେ ଏମିତି ଉପରେ ପଡ଼ି ଉଲେଇ କାହିଁକି ହେଉଚ ?’’

 

-‘‘ନାଇଁ ଆଜ୍ଞା........’’

 

-‘‘କଣ’ ନାଇଁ ଆଜ୍ଞା ? ମୁଁ କିଛି ଭୁଲ କହିଲି ? ଚଇକୁ ମୁଁ ତୁମଠୁ ବେଶିଦିନ ଚିହ୍ନିଚି । ଯେତେବେଳେ ଦୁଧର ଘୋର ଅଭାବ, ସେତେବେଳେ ମରିଠୁ ଦୁଧ ନେଇ ବଞ୍ଚେଇଚି ଗୁଜିକୁ । ଆଉ ତୁମେ ଆସିଚ ଭଲେଇ ହୋଇ ! ଯାଇପାର–’’

 

କିଛି ନକହି ପିଣ୍ଡାରୁ ଉହ୍ଳେଇ ଯାଇଥିଲେ ହରିହର ବାବୁ । ବଡ଼ ବାବୁଙ୍କ ହୁକୁମ୍ । କ’ଣ କରିବ ? ଚଇଭାବି ପାରିନଥିଲା । ଚାଲିଯିବକି ହରିହର ବାବୁଙ୍କ ସାଥିରେ ? ତେବେ ଗୁଜିର ଅବସ୍ଥା କ’ଣ ହେବ ? କ’ଣ ଦେଇ ଭଲକରିବ ତାକୁ ?

 

ବାବୁ ଡାକିଲେ ଭିତରକୁ । କ’ଣ କହିବ ? ପୂର୍ବରୁ ଗୋଡ଼ ତାର ଚାଲିଯାଇଥିଲା ଭିତରକୁ । ମାତୃତ୍ଵ ତାକୁ ପାଗଳ କରି ଦେଇଥିଲା । ଘରଭିତରଟା କେମିତି ଆହୁରି ଜୋରରେ ଆଇଁଶିଣିଆ ଗନ୍ଧଉଚି । ଫେରିଯିବକି ! ଗୋଡ଼ କାଢ଼ିଲା ଚାଲିଆସିବାକୁ । ଗନ୍ଧରେ ତାର ଶ୍ଵାସରୁଦ୍ଧ ହୋଇଯାଉଚି । ଗୁଜି ଭଲନହେଉ । ଫେରିଯାଉ ସେ ପାଣୁଆ ପାଖକୁ, କିନ୍ତୁ ଏଇ ରାକ୍ଷସ ହାତରେ ଧରା ଦେବନି ।

 

ବାବୁ ବାଟ ଓଗାଳିଲେ । ନାକତକ ସେଇ ନିଶ ଧାଡ଼ିଟା କେମିତି ଫୁଲ ଫୁଲି ଉଠୁଚି । ଆଉଟିକେ ପରେ ଗୋଟେ ନିରହ ନାରୀର ରକ୍ତ ପାନ କରି ସନ୍ତୁଷ୍ଟ ହେବେ । ବାବୁ ପଚାରିଲେ......

 

‘‘କଣ ପାଇଁ ଆସିଥିଲୁ କହିଲୁନି ?’’

 

-‘‘ମର କିଛି ଦରକାର ନାହିଁ ବାବୁ । ମତେ ଯିବାକୁ ଦିଅ ।’’

 

-‘‘ଏଠିକୁ ଯିଏ ଆସେ କ’ଣ ଏତେ ସୁବିଧାରେ ଫେରିଯାଇ ପାରେ ?’’

 

କଥା ପଦକ କହୁକହୁ ଚଇର ବାହୁ ଦିଟାକୁ ଖୁବ ଜୋରରେ ଧରି ପକେଇ ଥିଲେ ବାବୁ-। ଚିତ୍କାର କରି ଉଠିଲା ଚଇ । ଖୁବ୍‍ ନିକଟରେ ଥିଲେ ହରିହର ବାବୁ । ଫେରି ଆସିଲେ ସାଙ୍ଗେ ସାଙ୍ଗେ । ସଥିରେ ଆର ନୂଆ ପିଅନାଟ ବାବୁ ଗର୍ଜି ଉଠିଲେ ।

 

‘‘ହରିହର ବାବୁ ତମେ ??’’

 

‘‘ହଁ ଆଜ୍ଞା ମୁଁ । ଆପଣ ପଚାରୁଥିଲେ ମୁଁ କାହିଁକି ଆସିଥିଲି ଏବେ ବୁଝିପାରୁଛନ୍ତି ?’’

 

-‘‘ତୁମେ ମୋତେ ଧମକ ଦେଉଚ ?’’

 

-‘‘ଧମକ ନୁହେଁ ଆଜ୍ଞା, ଉପଦେଶ ।’’

 

ଖୁବ ଜୋରରେ ହସିଉଠିଲେ ବାବୁ । ତାଙ୍କ ଅଧସ୍ତନ କର୍ମଚାରୀ ତାଙ୍କୁ ଉପଦେଶ ଦେବାକୁ ଆସିଚି ? ଏ କଥା କଣ ସହ୍ୟ କରାଯାଇ ପାରେ ? ପିଅନକୁ ଆଦେଶ ଦେଲେ ‘‘ବାହାର କରିଦେ ହରିହର ବାବୁଙ୍କୁ ।’’

 

ପିଅନଟା ଠେଙ୍ଗାଟାଏ ଧରି ହସି ହସି ନିଶ ମୋଡ଼ୁଥିଲା । ବାବୁ ଆହୁରି ଯୋରରେ ରାଗିଉଠିଲେ । ସାମାନ୍ୟ ପିଅନଟେ ଏତେ ଦିମାଗ୍ ! ଗର୍ଜିଉଠି କହିଲେ, ‘‘କଣ ଶୁଭିଲାନି ? ଚାକିରୀ କଣ ପିତା ଲାଗିଲାଣି ?’’

 

-‘‘ଚାକିରୀ ମୋତେ ପିତା ଲାଗିନି ବାବୁ । ତୁମ ଜୀବନ ପିତା ଲାଗିଲାଣି,’’

 

-‘‘ପିଅନ ହେଇ.....’’

 

ଆମେ ପିଅନ ବାବୁ, ହେଲେ ମଣିଷ ପେଟ ପୋଡ଼ିଗଲେବି ଆମେ ସେଇ ପୋଡ଼ା ପେଟକୁ ନେଇ ବଞ୍ଚିରହୁ । କିନ୍ତୁ ତୁମପରି ସାମାନ୍ୟ ମନପାଇଁ ଝିଅଗୁଡ଼ାଙ୍କୁ ତଣ୍ଟିଚିପି ରକ୍ତ ଶୋଷୁନାହୁଁ ! ଭାଗ୍ୟଭଲ ହାଡ଼ିଆଇ ନାହିଁ । ସେଇ କହିଯାଇଥିଲା ଚଇକୁ ଜଗିବାକୁ । ମୁଁ ଛାଇପରି ଜଗିଚି । ବୋତଲ ଧରିପଡ଼ ବାବୁ । ଆମ ଗରୀବ ଗୁଡ଼ାଙ୍କର ଏମିତି ତଣ୍ଟିଚିପି ରକ୍ତ ଶୋଷୁଚ କାହିଁକି ?

 

ଏତିକି କହି ପିଅନଟା ସାଥିରେ ଚଇ ହରିହର ବାବୁଙ୍କୁ ନେଇ ଚାଲିଆସିଥିଲା । ବାବୁ ସେମିତି କଟମଟ କରି ମଦୁଆତି ଆଖିରେ ଚାହିଁ ରହିଥିଲେ । ବାଟରେ ପଚାରିଥିଲା ହାଡ଼ିଆର କଥା । କହିପାରି ନଥିଲା ପିଅନଟା । ଏତିକି କହିଥିଲା ଯେ ଗଲାବେଳେ କହିଯାଇଚି ଚଇକୁ ଜଗିବାକୁ । ଚଇ ମୁଣ୍ଡଟା କେମିତି ହାଡ଼ିଆଇର ପାଦ ଛୁଇଁବାକୁ ବ୍ୟଗ୍ରହେଇ ଉଠୁଥିଲା ।

 

ବାହାରେ କାହାର ଡାକ ଶୁଭିଲାଣି । ଗୁଜିକୁ ତଳେ ଶୁଆଇ ଦେଇ ତାଟି ଫିଟେଇଲା । ଆଗରେ ଦିଜଣ ଦେବଦୂତପରି ଛିଡ଼ା ହେଇଛନ୍ତି । ପାଖରେ ହରିହର ବାବୁ । ଡାକ୍ତର ବାବୁ ପଚାରିଲେ, ‘‘ଏଇ କଣ ଚଇ’’ ।

 

-‘‘ହଁ ଆଜ୍ଞା, ବଡ଼ଦୁଃଖିନୀ ଏକା !’’

 

-‘‘ତାଛୁଆଟାର ପରା କ’ଣ ହେଇଚି ଦେଖିବା’’ ।

 

କହୁ କହୁ ଭିତରକୁ ପଶିଗଲେ ଡାକ୍ତରବାବୁ ପଛେ ପଛେ ବେହେରା ଆଉ ହରିହର ବାବୁ । ଚଇକୁ ପାଖକୁ ଡାକି କହିଲେ-‘‘ଓଳଗି ହ ଲୋ ଚଇ । ଡାକ୍ତରବାବୁ ପରା ଆସିଛନ୍ତି !’’

 

ଚଇ ଓଳଗି ହେଲା । ଗୋଡ଼ତଳେ ପଡ଼ି କଇଁ କଇଁ କାନ୍ଦିଉଠି କହିଲା-‘‘ମୋ ଗୁଜିକୁ ଭଲ କରିଦିଅ ବାବୁ । ସବୁଦିନ ମୁ ତୁମର ଗୁଲାମ ହେଇ ରହିବି । ତୁମ ଋଣ ସୁଜି ପାରିବିନି ବାବୁ-।’’

 

ଗୁଜିକୁ ଦେଖିଲେ ଡାକ୍ତର ବାବୁ । ଔଷଧ ଲେଖି ଦେଇଗଲେ । ନାଲିପାଣି ନୁହେଁ । ପଇସା ପାଇଛନ୍ତି । ତିନି ଚାରିପ୍ରକାର ଓଷଧ । କେତେ ରକମର ବଟିକା, ପାଣି ଔଷଧ । ଦେବାର ଉପାୟ ବତେଇ ଦେଲେ । ପୁଣି କାଲି ବେହେରାକୁ ପଠେଇବାକୁ ପ୍ରତିଶ୍ରୁତି ଦେଇ ଚାଲିଗଲେ ।

 

ଚଇ ଖୁସିରେ ପାଗଳ ହେଇଗଲା । ତା ଗୁଜି ଭଲହୋଇଯିବ । ହସିବ ସେ । ପାଣୁଆକୁ ଦେଖେଇ ଦେବ ମାତୃତ୍ୱର ଟାଣଟା କେତେବେଶି । ତା ପାଖକୁ ନେଇ ପାରିଲାନି ସେ । ଗୁଜିକୁ ଅଟେକେଇ ରଖି ପାରିଲା । ବାଟୋଇ ଦେଇ ଫେରିଆସିଲେ ହରିହର ବାବୁ । ହସି ହସି କହିଲେ, ‘‘ଦେଖିଲୁ ମା ଆମେସିନା ଗରିବ, ହେଲେ ଆମର ପରା ଭଗବାନ ଅଛନ୍ତି । କେମିତି ଡାକ୍ତର ବାବୁ ଆସି ଠିକ ବେଳରେ ପହଞ୍ଚିଲେ । ଦେମା ଔଷଧ ଦେ । ଭଲ ହେଇ ଯିବସେ । କି ମାମୁଲି ରୋଗଟାଏ ଯେ । କ’ଣ ହେଲା ନହେଲା ମୋତେ କହିବୁ । କାହାକୁ କାଲି ସକାଳୁ ପଠେଇବାକୁ ହେବ’’ । ହରିହର ବାବୁଙ୍କ ପାଦଧୂଳି ନେଇ ମାରୁଥିଲା ଚଇ । ମାତୃତ୍ୱର ସଫଳତାକୁ ନେଇ ଆଖିରୁ ବୋହୁଥିଲା ଆନନ୍ଦାଶ୍ରୁ ।

ଔଷଧ ଖାଇବାର ଦୁଇଦିନ ହେଇ ଗଲାଣି । ସରି ଆସିଲାଣି ଔଷଧ । ଆଉ ଦିଟା ବଟିକା, ପାନେ ପାଣି ଔଷଧ ଅଛି । ଜରଟା ଅନେକ ପରିମାଣରେ କମି ଗଲାଣି । ଅଉଖାଲି ଟିକେ ଉଷୁମ ଅଛି । ଗୁଜି ଆଖି ଫିଟେଇ ହସିବାକୁ ଆରମ୍ଭ କଲାଣି । ପୁଣି ‘ତାତା’ କହିବାକୁ ଆରମ୍ଭ କଲାଣି ।

ହସିବାକୁ ଚେଷ୍ଟାକରିବି ହସିପାରୁନଥିଲା ଚଇ । ବିଚରା ହାଡ଼ିଆ.... । କୁଆଡ଼େ ଗଲାସେ ? ଗୁଜିର ହସଟିକକ ଦେଖିବାକୁ କେଡ଼େ ବ୍ୟାକୁଳ ହେଇ ସେ ଅନେଇ ବସି ନଥିଲା ! ଅନେକ ଦିନ ପରେ ଆଜି ଗୁଜି ହସୁଚି । ଦେଖିଥିଲେ ଆତ୍ମହରା ହେଇ ଉଠିଥାଆନ୍ତା । କିନ୍ତୁ...

ସେ ଫେରେଇ ଦେଇଚି ତାକୁ । ଗଳାଧକ୍କା ଦେଇ ବାହାର କରି ଦେଇଚି ଛତର ବାହାରକୁ । ଥରେ ଫେରି ଆସନ୍ତାନି ! ଗୁଜି ସାଥିରେ ଦୁହେଁ ଥରେ ତାଳ ମିଶାଲ ହସନ୍ତେ ନି ! କୁଆଡ଼େ ଗଲା ଛେଳି ଛୁଆଟା ? ହାଡ଼ିଆକୁ ନ ଦେଖିଲେ ଯେମିତି ସେ ପାଣି ଛୁଇଁବନି । ଛେଳି ଛୁଆଟିକୁ ନେଇ ଆସିଚି ଚଇ ନିଜଘରକୁ ମୁଢ଼ି ଉଖୁଡ଼ା ଯାହାଥିଲା ଦେଇଚି ତାକୁ ଖାଇନି ସେ । ମୁହ ମାରିନି ଥରକ ପାଇଁ । କୋଳରେ ଧରି ଗେଲ କରିଚି । ହାଡ଼ିଆ ପରି ଭଙ୍ଗା ଗୋଡ଼ଟାକୁ ଆଉଁସିଚି ଅନେକ । କିନ୍ତୁ ଲାଭ ହେଇନି । ସେମିତି ଲୁହ ଗଡ଼େଇଚି । ମୁହଁ କୁ ଚାହିଁ ମେଁ ମେଁ ହେଇଚି ।

ବାହାରେ ଡାକୁଛନ୍ତି ହରିହର ବାବୁ । ତାଟି ଖୋଲିଲା । ଭିତରକୁ ପଶି ଆସିଲେ ସେ । ଗୁଜି ହସୁଚି । ହାତ ମାରିଲେ ତାତି ନାହିଁ । ଯାହାଅଛି ଅତି ମାମୁଲି । ଗୁଜି ଓଠରେ ହାତ ମାରୁ ମାରୁ ନିଜେ ହସି ପକେଇଲେ । କଣଟାରେ ଛିଡ଼ାହେଇ ଚଇ ହସୁଚି । ହସୁଚି ତାର ମାତୃତ୍ଵ । ହରିହର ବାବୁ ପଚାରିଲେ–‘‘ଦେଖିଲୁ ଚଇ କେମିତି ହସୁଚି ଗୁଜି !’’

‘‘...............’’

‘‘ଆରେ ଅନେଇଚୁ କ’ଣ ମ ? ନେ ଗୁଜିକୁ କୋଳକୁ ନେ ଟିକେ ଦୁଧ ଖୁଆଇ ଦେ ମା’ଟା ଟିକେ ଖେଳି ଉଠୁ ।

ବଡ଼ ଲାଜେଇ ଗଲା ଚଇ । କେମିତି ଏଇ ହରିହର । ବାବୁମ ! ବୁଢ଼ାଟିଏ ହେଲେଣି ବୁଦ୍ଧି ନାଇଁ । ଏଇଠି ଛିଡ଼ାହେଇଛନ୍ତି, ପୁଣି କ’ଣ କହୁଛନ୍ତି ନା ଦୁଧଟିକେ ଦେଇପକା । ହରିହର ବାବୁ ପଚାରିଲେ–

‘‘କ’ଣ ଔଷଧ ଆସିବ ?’’

-‘‘ହଁ ସବୁତ ସରିଗଲାଣି ଏଇ ଓଳିଟା ଯିବ ।’’

-‘‘କାଇଁ, ବେହେରାତ ଆସିଲାନି ?’’

-‘‘ତାଙ୍କର କଣ ହେଜ ଥିବ ? କାହାକୁ ଯଦି ପଠାନ୍ତେ......’’

-‘‘କାହାକୁ ପଠେଇବି ? ସବୁତ ସ୍ୱାର୍ଥପର । ହାଡ଼ିଆଟା ଯଦିଥା’ନ୍ତା.....’’

-‘‘ତାଙ୍କ ଖୋଜ ଖବର କ’ଣ ପାଇଲେ ନି ?’’

-‘‘ନା ଲୋ ମା, କୁଆଡ଼େ ଚାଲିଗଲା ଜଣାନାଇଁ । ଟିକେ ରହି ଯାଇନଥିଲେ ଗୁଜିର ହସ ଦେଖି ଯାଇ ନ ଥାନ୍ତା ! ହତଭାଗାଟା । ଆଛା, ଦେଖେ କାହାକୁ ଗୋଟେ ପଠେଇବାକୁ ହବ ।’’

କହୁ କହୁ ଚାଲିଗଲେ ହରିହର ବାବୁ । ଶେଷ ପଦକ ଶୁଣି ପାରିନି ଚଇ । ହାଡ଼ିଆ ହତଭାଗାଟା । କିଏ ତାକୁ ଏଇ ହତଭାଗାର ଆସନରେ ବସେଇଲା ? ନିଜେ ନିଜେ ତ ସେ ଚାଳିଯାଉନି ! ତାକୁ ଜବରଦସ୍ତ ବାହାର କରିଦିଆ ହେଇଚି । ସେଥିପାଇଁ ଅନୁତପ୍ତ ଚଇ । ବର୍ତ୍ତମାନ ଯଦି ପାଖରେ ହାଡ଼ିଆଇକୁ ପାଆନ୍ତା..... । ଚଇ କାନ୍ଦୁଥିଲା । ଖୁବ୍ ଅସହାୟ ଭାବରେ ।

ଗୋଟିଏ କଡ଼େ ଗୁଜି । ଅନ୍ୟ କଡ଼େ ଛେଳିଛୁଆଟା ।

ଏଇ ସେଇ ନୂଆ ପିଅନଟା ଔଷଧ ନେବାକୁ ଆସିଲାଣି । କାହାପାଇଁ ନଉଚି ? ଗୁଜିପାଇଁ ? ୟାକୁଇ ଆସିଲା ବେଳେ କହି ଆସିଥିଲା ଗୁଜି ଉପରେ ଆଖି ରଖିବା ପାଇଁ । ୟାକୁଇ ପଚାରିଲେ ବୋଧେ କହିପାରିବ । ପଚାରିବ କି ?

ପୁଣି ଯଦି ଯାଇ କହିଦିଏ ଏଇ ପିଅନଟା ଯେ ହାଡ଼ିଆ ପଠେଇଥିଲା ଡାକ୍ତର ବାବୁଙ୍କୁ । ତେବେ ଚଇ କ’ଣ ଆଉ ଔଷଧ ଦେବ ଗୁଜିକୁ ! ଫିଙ୍ଗି ଦେବ । ତାର ଔଷଧ ଦରକାର ନାହିଁ । ସେ ଚାହେଁ ହାଡ଼ିଆର ଛାଇ ସେମିତି ଗୁଜିଠି ନ ପଡ଼ୁ । ଗୁଜି କେବଳ ପାଣୁଆର ଆଉ ତାର ହେଇ ରହୁ-

ତେବେ ସେ ଯିବ କାହିଁକି ?

କାନ୍ଥ ଆଡ଼କୁ ମୁହଁ ଘୂରେଇ ଶୋଇଲା ହାଡ଼ିଆ । କାଲି ଅପରେସନ ତାରିଖ । ଭାବିଲା ବେଳକୁ ଛାତିଟା କେମିତି ଦାଉଁକରି ହେଉଚି । ସେଇ ଛୁରୀ କତୁରୀ ମୁହଁରୁ ସେ କ’ଣ ବଞ୍ଚି ପାରିବ-? ମଲାବେଳେ ଟିକେ ଛେଳି ଛୁଆଟାକୁ ଦେଖନ୍ତା କି ବିଚରାର ଦେହ ଭଲ ନ ଥିଲା । କେମିତି ଥିବ କେଜାଣି ? କିଏ ଦିଟା ମୁଢ଼ି ଫିଙ୍ଗି ଦେଉଥିବ । ସେ ନ ଦେଲେ କ’ଣ ଖାଇବ ?

ଦୀର୍ଘ ନିଶ୍ୱାସଟାଏ ପକାଇଲା । କାହିଁକି ଆଉ ସେ କଥା ଭାବିବ । ଛାଡ଼ିଆସିଛି ତାକୁ । ମନେ ପକେଇବନି ବୋଲି ଶପଥ ନେଈଚି । ପୁଣି କାହିଁକି ମନେ ପଡ଼ୁଚି ? ଜୋରକରି ବାହାରକରି ଦେଲେ ମଧ୍ୟ ବାହାରକରି ଦେଇପାରୁନି କାହିଁକି ।

ନୂଆପିଅନଟି ଚିଠିଟା ବଢ଼େଇ ଦେଲା ଡାକ୍ତର ବାବୁଙ୍କ ହାତକୁ । ମୁହଁ ଉଠେଇ ପଚାରିଲେ ଡାକ୍ତର ବାବୁ–‘‘କେମିତି ଅଛି ଗୁଜି ?’’

-‘‘ଖୁବ ଭଲରେ ଅଛି ଆଜ୍ଞା ।’’

-‘‘କଣ ଖାଉଚି ?’’

-‘‘କହି ପାରିବି ନି ।’’

-‘‘ଔଷଧ ନେବାକୁ ଆସିଚ ଅଥଚ ଜାଣିନ ?’’

-‘‘ମୁଁ କେମିତି ଜାଣିବି ? ହରିହର ବାବୁ ପଠେଇଲାରୁ ମୁଁ ଆସିଲି ।’’

ଭାବିଚିନ୍ତି ଗୋଟେ କ’ଣ ନୂଆ ଔଷଧ ଲେଖିଦେଇ ପଠେଇ ଦେଲେ ଔଷଧ ନେବାକୁ-। ଡାକିଲେ ବେହେରାକୁ । ଶକ୍ତ ଗୋଟେ ସାଲୁଟ ପକେଇଲା ସେ । ଚୁପଚାପ ଡାକ୍ତର ବାବୁ ପଚାରିଲେ, ‘‘ହାଡ଼ିଆ ଅଛିଟି ?’’

-‘‘ହଁ ଆଜ୍ଞା ।’’

‘‘-ଯା ତାକୁ କହିବୁ ଗୁଜି ଭଲ ହେଇ ଗଲାଣି । କାଲି ଅପରେସନ୍ ।’’

ସାଲୁଟ ମାରି ଚାଲିଲେ ବେହେରାଟି । ନୂଆ ପିଅନଟି ଔଷଧ ନଉ ନଉ କାନରେ ପଡ଼ିଲା ହାଡ଼ିଆ ନାଁ । କି ଅପରେସନ୍ ! ମୁଣ୍ଡରେ କିଛି ପଶୁ ନ ଥିଲା । ଔଷଧ ଲାଇନରୁ ଫେରି ଆସିଲା । କବାଟ ପାଖରେ ଟୁଲ୍ ଉପରେ ବସିଚି ବେହେରାଟି । ବେପରୁଆ ଭାବ । ଭାବନା ନାହିଁ-। ସୁଖ ଦୁଃଖ ସବୁ ସମାନ । ପିଅନଟି ଡାକିଲା–

 

‘‘ବେହେରା ଭାଇ ଶୁଣିବ-’’

 

‘‘-ମତେ ଡାକୁଚ ?’’

 

-‘ହଁ’

 

-‘‘କାହିଁକି ?’’

 

-‘‘ମୋ ଘର ବିଶେଷର ପୁର ।’’

 

-‘‘ଗୁଜିପାଇଁ ଔଷଧ ନବାକୁ ଆସିଚ ? କେମିତି ଅଛି ?’’

 

-‘‘ଆପଣଙ୍କ ଦୟାରୁ ଭଲରେ ଅଛି ।’’

 

-‘‘ହଉ ଆଉ ଔଷଧ ନେଇ ଯା । ଦେଖ ଭଲ ହେଇଯିବ ।’’

 

-‘‘ଗୋଟେ କଥା ପଚାରିବି-’’

 

-‘‘ପଚାରୁନା ।’’

 

-‘‘ଠାକୁରଙ୍କ ରାଣ ପକେଇଲ ସତ କହିବ ?

 

ବିଡ଼ିଟାକୁ ଟାଣୁ ଟାଣୁ ଠାକୁରଙ୍କ ରାଣ ପକେଇ ଦେଇ ପଛରେ ଅଡ଼ୁଆରେ ପଡ଼ିଲା ବେହେରାଟି । ହାଡ଼ିଆ ମନାକରି ଥିଲା କୌଣସି କଥା କହିବାକୁ । ଠାକୁରଙ୍କ ରାଣ ପାଇଁ ସବୁ କହି ଯାଇଚି । କିଛି ପେଟରେ ରଖିନି । ହାଡ଼ିଆ ଯଦି ଶୁଣେ ।

 

କଥାଟି ଶୁଣୁ ଶୁଣୁ ହାଡ଼ିଆର ପାଦ ଛୁଇଁବାକୁ ମନହେଉଥିଲା ପିଅନର । ଏକାନିଶ୍ୱାସକେ ପହଞ୍ଚିଲା ହାଡ଼ିଆ ଖଟ ପାଖେ । କାନ୍ଥକରକୁ ମୁହଁ କରି ଶୋଇଚି ହାଡ଼ିଆ । ଡାକିଲା ‘‘ହାଡ଼ିଆଇ-’’

 

କିଏ ।

 

ମୁଁ ହାଡ଼ିଆଇ ।

 

ମୁହଁ ବୁଲାଇଲା ହାଡ଼ିଆ । ଏଇଦିଟା ଦିନ ଭିତରେ ଅଧେ ଶୁଖିଗଲାଣି ହାଡ଼ିଆ । ଆଖିଦିଟା ପଶିଗଲାଣି କୋଉ ଭିତରକୁ ! ପିଅନଟି ପଚାରିଲା–

 

’’ଆମକୁ ନୁଚେଇ ଏକଥା କରିପାରିଲ ହାଡ଼ିଆଇ ?’’

 

-‘‘ ତେବେ ତୁ ସବୁ ଜାଣି ସାରିଲୁଣି ?’’

 

-‘‘ସତକଥା କୋଉଠି ନୁଚି ରହେନି ହାଡ଼ିଆର । ଟଙ୍କା ଯଦି ନଥିଲା ଆମକୁ କହିଲନି । ଏତେବାଟ ଆଗେଇ ଗଲ କାହିଁକି ?’’

 

-‘‘ଉପାୟ ନଥିଲାରେ । ତୁ ଏତେବ୍ୟସ୍ତ ହେଇ ପଡ଼ୁଚୁ କାହିଁକି ? ଡାକ୍ତର ବାବୁତ କହୁଛନ୍ତି ଗୋଟେ ଛୋଟ ଅପରେସନ୍ ।’

 

-‘‘ଆଉ ଯାଇ ହେବନି ?’’

 

-‘‘କେମିତି ହେବ ? ହାତକାଟି ଲେଖି ଟଙ୍କାନେଇ ଆସିଚି । ଇଏ ପରା ସରକାର ଘର ବ୍ୟାପାର । ଗୁଜି କେମିତି ଅଛି ?’’

 

-‘‘ଭଲ ହେଇ ଗଲାଣି ?’’

 

-‘‘ଭଲ ହେଇ ଗଲାଣି..... ???’’

 

ଆଉକିଛି କହି ପାରିନଥିଲା ସେ । ତଣ୍ଟିଟା କିଏ ଚାପି ଧରୁଥିଲା । ଭଗବାନ ତା ଡାକ ଶୁଣିଛନ୍ତି । ଗୁଜି ଭଲ ହେଇଯାଇଚି ଉପରେ ପାଣୁଆକୁ ଠିକ ଜବାବ ଦେଇ ପାରିବ ସେ । ପୁଣି ପଚାରିଲା–‘‘ଚଇ ଉପରେ ବାବୁର..... ।’’

 

-‘‘ଥରେ ଚେଷ୍ଟା କରିଥିଲା ।’’

 

-‘‘ଗୋଟାଏ ପାହାରରେ ଶେଷ କରିଦେଇ ପାରିଲୁନି ? ତଣ୍ଟିଟାକୁ କଣା କରି ରକତ ଶୋଷି ନେଇ ପାରିଲୁନି ?’’

 

କଣ୍ଠଟା କେମିତି ବେଳକୁ ବେଳ ଗମ୍ଭୀର ହୋଇ ଉଠୁଥିଲା । ବେଳକୁ ବେଳ ଅସମ୍ଭବ ରକମର ହିଂସ୍ର ହେଇ ଉଠୁଥିଲା ହାଡ଼ିଆ । ପୁଣି ପଚାରିଲା-

 

‘‘ଛେଳି ଛୁଆଟା କେମିତି ଅଛି ?’’

 

-‘‘ତୁ ଚାଲି ଆସିଲା ଦିନୁ ପାଣି ଛୁଉଁନି ସେ ।’’

 

-‘‘ପାଣି ଛୁଉଁନି..... ??’’

 

ବାଳଟାଣି ସଁ ସଁ ହେଇ କାନ୍ଦିଉଠିଲା ହାଡ଼ିଆ । ଛୁଆଟା ପାଣି ଛୁଉଁନି । ଦୁର୍ବଳ ହୋଇଯିବଣି । କେମିତି ବଇରି ସାଥିରେ ଲଢ଼ିବ ସେ ? ବେସାହରା ହୋଇଗଲା ସେ । ଶେଷ ମୁହୂର୍ତ୍ତରେ ଟିକେ ତାକୁ ଦେଖିପାରିବିନି ! ‘‘ଗୋଟେ କାମ କରିପାରିବୁ ?’’ ହାଡ଼ିଆ କହିଲା ।

 

-‘‘କଣ କହୁନୁ ।’’

 

-‘‘କାଲିମର ଅପରେସନ୍ । ଛୁରି କତୁରୀର ଖେଳ ।’’

 

-‘‘ଜାଣେ–’’

 

-‘‘ଛେଳି ଛୁଆଟାକୁ ଟିକେ କାଲି ସକାଳୁ ଆଣି ପାରିବୁ ?’’

 

-ଏଇ କଥା- !’’

 

-‘‘ଛୁଟକଥା ନୁହେଁରେ, ଅପରେସନ ଗଲା ଆଗରୁ ଆଣିବୁ କାଳେ.... ।

 

ପାଟିରେ ହାତ ଦେଇ ଦେଲା ପିଅନଟା । ଏତେ ମନଦୁଃଖ କରୁଚି ହାଡ଼ିଆ । କିବା ଅପରେସନଟାଏ ଯେ ! ଭଲ ହେଇ ଯିବନି କି ? ପିଅନଟା କହିଲା ।

 

‘‘ଛି ହାଡ଼ିଆଇ, ଏଇକଥାକୁ ଏତେ ମାଠୁଚୁ ? ଭଲ ହେଇଯିବୁନିକି ? କିବା ଅପରେସନଟାଏ ଯେ !’’

 

-‘‘କାହିଁକି ମୋ ମନ ମାନୁନିରେ । ଯା ସହଳ ପଳା । ଖରାମାଡ଼ି ଆସୁଚି । କାଲି ନେଇକି ଆସିବୁ ତ ?’’

 

ପ୍ରତିଶ୍ରୁତି ନେଇ ଚାଲିଗଲା ପିଅନଟା । ତାହାରଯିବା ବାଟକୁ ଅନେଇ ରହିଚି ହାଡ଼ିଆ । ଆଖିବାଟ ଦେଇ ଗଡ଼ି ଚାଲିଚି ରକ୍ତଗୁଡ଼ା ପାଣି ହେଇ ।

 

ନିଶ୍ଚିନ୍ତରେ ଶୋଇ ଯାଇଛି ଗୁଜି । ଅନେକ ଦିନପରେ ପେଟରେ ପଡ଼ିଚି ଟିକେ ଦୁଧ । ଜର ଉହ୍ଲେଇ ଯାଇଚି ପୁରା । ଦେହରେ ତାତି ନାହିଁ । ସମସ୍ତେ ଶୋଇ ଗଲେଣି । ନୀରବ ନିସ୍ତବ୍ଦ ରାତି । କେତେଟା ଶାର୍ଦ୍ଦୁଳଙ୍କ ବିକଟାଳ ହସଛଡ଼ା ଆଉ କିଛି ଶୁଭୁନି । ସବୁ ନୀରବ ।

 

ନିଦ ଆସୁନଥିଲା ଚଇକୁ । ପିଅନଟା ଔଷଧ ଦେଇଗଲା ବେଳେ ହାଡ଼ିଆ କଥା କହିଗଲା । ଆଖି ଛଳ ଛଳ ହେଇ ଆସିଥିଲା ତା'ର । ସେତିକି ବେଳୁ ମୁଣ୍ଡ ଘୂରାଊଚି । ଭବନାର ଖିଅ ପାଉନି । ସବୁ କେମିତ ଅଡ଼ୁଆ ଅଡ଼ୁଆ ହେଇଯାଉଚି । ଝିଅଟାକୁ ଯେତିକି ଯେତିକି ଧରିବାକୁ ଚେଷ୍ଟାକରୁଚି, ସେତିକି ସେତିକି ଅଡ଼ୁଆ ହେଇଯାଉଚି ସେ ।

 

ହାଡ଼ିଆଇକୁ କାହିଁକି ଭୁଲ ବୁଝିଲା ? ଦେବତାର ଦେହରେ ଚନ୍ଦନ ? ବଦଳରେ କଳଙ୍କ ଲେପିଦେଲା । କାହିଁକ ତାର ମନରେ ଅମୃତ ବଦଳରେ ବିଷର ଭାଗ ବେଶି ଭରିଦେଲା ? କୋଉ ଅଧିକାରରେ ??

 

ଛେଳିଛୁଆଟା ଖାଉନି । ବହୁତ ଚେଷ୍ଟା କରିଚି ସେ । କିଛି ଫଳ ହେଇନି । କୋଳରେ ବସେଇଚି । ଗେଲ କଚି l କିରିଛି ଲାଭ ହେଇନି । ବାହାରକୁ ଚାଲିଯିବ ବୋଲି ହେଉଚି । ଘରର ଗୋଟିଏ କୋଣରେ ବାନ୍ଧି ଦେଇଚି । କାଳେ ଖସିଯିବ ।

 

ମହମବତୀଟା ଲିଭବାକୁ ଥାଉ ଅଳ୍ପ ସମୟ ଅଛି କିନ୍ତୁ ଚଇର ଭାବନା ଏଇ ଆରମ୍ଭ ହେଲା । କାହିଁକି ଅନ୍ୟପାଇଁ ହାଡ଼ିଆ ନିଜେ ଜଳି ଏଇ ମହମବତୀ ପରି ଅନ୍ୟକୁ ଆଲୋକ ଦେବାକୁ ଚେଷ୍ଟାକଲା ? କ’ଣ ଲାଭ ପାଇଲା ସେ ? କେଉଁ ଫଗୁଣରେ ଟିକେ ଫଗୁ ବୋଳି ଦେଇଥିଲା ବୋଲି....

 

ପାଣୁଆ ମାଇଚିଆଟାଏ । ଆଗରେ ଦୁର୍ବ୍ଦିନକୁ ଦେଖି ଡରି ଚାଲିଗଲା ହାତ ଧରି ବାହାହେଇଥିଲା ଖସଡ଼ାବାଟ, କଣ୍ଟାଝାଟି ପଡ଼ିଲେ ପାରି ହେଇଯିବ ତା’ରି ସାହାରା ନେଇ । କ’ଣ ପାରିଲା ସେ ? ଆଗରୁ ବାଟ ଭାଙ୍ଗିଲା । ଶିଉଳି ପାଉଚ ଉପରେ ଗୋଡ଼ ଖସିଲା ବେଳକୁ ଦେଖାଦେଲା ହାଡ଼ିଆ । ତା ଯୌବନ ବସନ୍ତର ଆଦ୍ୟ ଗାୟକ । ପ୍ରଥମେ ତାର କଅଁଳିଆ ପତ୍ରଗହଳିରେ ଖେଳି ବୁଲିଥିଲା ଏଇ କୋଇଲିଟା । ସୁଯୋଗ ଦେଇଥିଲା ସେ । କୃତଘ୍ନ ନୁହେଁ ସେ-। ସେ ପୁରୁଷ । ସିଂହ । ଝାଟି ବାଟରେ ସାହା ହେଇଚି । କିନ୍ତୁ ପ୍ରତିବଦଳରେ ପାଇଚି କଣ-?

 

ଆଘାତ ଛଡ଼ା କେବେ କିଛି ପାଇନି । ଶାନ୍ତି ପାଇବ ବୋଲି ଘରକୁ ଯାଇନି । ପିଅନ ହେଇ ବାହାରେ ବାହାରେ କଟେଇଚି । ଚାହିଁଥିଲେ କଣ ତାକୁ ଝିଅ ମିଳି ନ ଥାନ୍ତେ ? ବାହା ହେଇନି । ଟିକେ ଶାନ୍ତି ପାଇବନି । କିନ୍ତୁ......

 

ନିଜକୁ ଭଲ ବୋଲି ଉପରକୁ ଟେକିବାକୁ କ’ଣ ତାର ଏଇ ଶେଷ ପନ୍ଥା ଥିଲା ? ସବୁ ଫୁଲ କଣ ଠାକୁର ମୁଣ୍ଡରେ ଚଢ଼ୁଚନ୍ତି । କେତେ ପୁଣିତ ରାତି ନ ପାହୁଣୁ ଝଡ଼ି ପଡ଼ୁଛନ୍ତି ? ଗୁଜି ଏବେ ଲୋଟି ଯାଇଥାନ୍ତା ଧୂଳି ଉପରେ । କୁଆଡ଼େ ପାଇଥାନ୍ତା ସେ ? ବାପ ପାଖରେ ବସି ଖେଳୁଥାଆନ୍ତା । ଭାଇଟାବି ଏକୁଟିଆ ଏକୁଟିଆ ହେଉଥିବା ତା ସାଥିରେ ସଡ଼େଇରେ ଭାତ ରାନ୍ଧି ସାରୁପତରରେ ଖାଇବାକୁ ବାଢ଼ୁଥାନ୍ତା କିନ୍ତୁ ହାଡ଼ିଆଇ..... !!

 

ମୋଡ଼ବସ୍ତା ଫାଙ୍କ ବାଟେ ଅନେଇ କାନ୍ଦୁଥିଲା ହାଡ଼ିଆ । କାଲି ତାରି ଦେହରେ ଚାଲିବ ଛୁରୀ କଇଞ୍ଚିର ବାଡ଼ିଖେଳ । ସତରେ କ’ଣ ସେଥିରେ ସେ ଜିତିବ ? କିଏ କହିବ ଡାକ୍ତରବାବୁଙ୍କୁ ? ଅନେକ କାକୁତି ମିନତି ହେଇଥିଲା ଥରେ ତାକୁ ଛାଡ଼ି ଦେବାକୁ । ଗୁଜିକୁ ଛେଳିଛୁଆଟାକୁ ଦେଖି ଚାଲି ଆସିବ । ବଉଳାର ସତ୍ୟ ପାଳିବ ଡାକ୍ତରବାବୁ ଛାଡ଼ି ନଥିଲେ । ବେହେରା ଭାଇକି କହି ଆସିଚି । ଦୁଇଟି ଘଣ୍ଟା ପାଇଁ । ଯଦି ସେତିକି ସମୟରେ ନଫେରେ....

 

ସେଇ ରାତି ଅନ୍ଧାରରେ ବେହେରା ଭାଇ ଆସିବ । ଖୋଜି ବୁଲିବ । ପାଇଲେ ଭଲକଥା ନପାଇଲେ ସମନ ଜାରିହେବ । ସରକାରୀ ଟଙ୍କା ନେଇ ଚାଲି ଯାଇଚି । ଶେଷରେ ଚଇ ଉପରେ ଜୁଲୁମ ହେବ । କାରଣ ବଣ୍ଡରେ ଲେଖିଦେଇଚି ତାରି ସ୍ତ୍ରୀ ‘ଚଇ’ ।

 

ଏକଥା ସେ ଲେଖିପାରିଲା ? ଆଉ କେହିଜାଣି ପାରିନି ତ ? ନହେଲେ ସବୁ କଳଙ୍କର ବୋଝ ନଦି ହେଇ ପଡ଼ିବ ଚଇ ଉପରେ । ତା'ର ସେ ଦୁର୍ବଳ ଦେହ କ’ଣ ସହିପାରିବ ଏ ବୋଝ ? ନଲେଖି ଥିଲେ ଯେ ଟଙ୍କା ମିଳି ନଥାନ୍ତା ! ଗୁଜି ଔଷଧ ପାଇଥାନ୍ତା କେମିତି ? ଏତେ ଘାଣ୍ଟଚକଟ ହେବା ଆଗରୁ ସେ ଯଦି ପହଞ୍ଚିଯାଏ..... ? ସମୟ ଖୁବ୍ କମ୍ ।

 

ଛେଳି ଛୁଆଟିକୁ ବାନ୍ଧି ପକେଇଛନ୍ତି ? କାହିଁକି, କ'ଣ କାହାର ଅପରଧ କରିଥିଲା ସେ-? ଛୋଟାଟା । ନିରମାଖି ବେସାହାରା ଛୁଆଟା । ତାକୁ ଏଦଣ୍ଡ ଦିଆ ହେଇଚି କାହିଁକି ? ଚଇର କ’ଣ ସେ ବିଗାଡ଼ି ଥିଲା ? ଆଉ କିଏ ତାକୁ କୋଳରେ ପୂରେଇ ଗେଲ କରିବ ? କିଏ ଆଉ ତାକୁ ନଖାଉଥିଲେ ବଳେଇ ବଳେଇ ଖୁଆଇ ଦେବ ? ବାଘ ମୁଁହଁରୁ କ’ଣ ସେ ବର୍ତ୍ତିବ ?

 

ଚଇ ସବୁଦିନେ ତା ପ୍ରତି ପ୍ରତିଶୋଧ ନେଇ ଆସିଚି । ବୋଧେ ତା ଗଲାପରେ ଛେଳିଛୁଆଟାକୁ ବାନ୍ଧି ରଖିଚି । ଗୁଜି ତା ଉପରେ ବସି ଖେଳିବ ବୋଲି । ଏକଥା ସେ କରାଇ ଦେବନି । ଗୁଜି ତାପାଇଁ ବଡ଼ ହୋଇପାରେ । ଗୁଜି ତାପାଇଁ ଅମୃତର ସନ୍ତାନ ହେଇପାରେ, କିନ୍ତୁ ଛେଳି ଛୁଆଟା.... ? ଜୀବନର ଶେଷ ସନ୍ତକ । ଦେହରେ ଟୋପେ ରକ୍ତ ଥାଉ ଥାଉ ସେ ଏମିତି ଛୁଆଟାକୁ ଅନାଥ କରିଦେବ ? କାହିଁକି ନେଇ ନଗଲା ସେ ? ଏଇ ଦିଦିନ ଭିତରେ କେତେ କଷ୍ଟ ସହିନଥିବ । ଆଜି ନେଇଯିବ । ରାତିଟା ପାଇଁ ଛାତିରେ ପକେଇ ମନଭରି କାନ୍ଦିବ । ହୁଏତ ଆଉକେବେ କାନ୍ଦି ନପାରେ । ଡାକିଲା, ‘ଚଇ-"

 

ଚମକି ଉଠିଲା ଚଇ କାହାର ଏ ଡାକ ? ହାଡ଼ିଆଇର ନୁହେଁ ତ ? ଏତେ ରାତିରେ ସେ କାହିଁକି ବା ଆସିବ ? ସେତ ଡାକ୍ତର ଖାନାରେ । ଏଠୁ ତିନି ମାଈଲି ବାଟ । ତେବେ ଚାଲି ଆସିଲେ କେମିତି ହୁଅନ୍ତା ? ଗୁଡ଼ତଳେ ଗୁଜିକୁ ରଖିଦେଇ ନେହୁରା ହୁଅନ୍ତା ଅମେ ଖଟି, ମୂଲ ମଜୁରି ନାଗି ସୁଜିଦେବା, ଛୁରୀଖେଳ ଆମର ଦରକାର ନାହିଁ ।

 

ପୁଣି ସେଇ ଡାକ । ଯାଏ ହାଡ଼ିଆଇର କଣ୍ଠସ୍ୱର ! କବାଟ ଖୋଲିଲା । ଆଗରେ ହାଡ଼ିଆଈ । ବିଶ୍ଵାସ କରି ପାରିଲାନି । ସତରେ କଣ ଏତେ ବାଟରୁ ଧାଇଁ ଆସିଚି ଗୁଜିକୁ ଦେଖିବାକୁ ? ସତରେ ତାକୁ କେତେ ଭଲନପାଏ ସେ ? କହିଲା', “ହାଡ଼ିଆଇ !’’

 

–‘‘ହାଡିଆଇ ଡାକେନା ଚଇ । ମୁଁ ତର କିଏ ?’’

 

-"ହାଡ଼ିଆଇ... ?"

 

-“ତୁ ଡାକି ପାରୁଚୁ ଚଇ । ହାଡ଼ିଆଇ ତ ଜୀବନକୁ ନଷ୍ଟ କରିଥିଲା । ତ ଦେହ ଉପରେ ତାର ପ୍ରବଳ ଲୋଭ ତା ବୋଲି ତୁ ଦାଉସାଧୁଚୁ ଛେଳି ଛୁଆଟା ଉପରେ ? ଜଡ଼ା ଛୁଆଟା କଣ କରିଥିଲା ତର ? ତ ସଂସାରରେ ସେ କି ନିଆଁ ଜଳେଇ ଥିଲା ? ହାଡ଼ିଆ ମରି ଯାଇନି ଚଇ, ଛେଳି ଛୁଆଟା ଏବେ ବି ଅନାଥ ହେଇନି । ତୁ ନ ହେଇ ଯଦି ଆଉ କେହି ହେଇ ଥାଆନ୍ତା, ତା ହାତଟାକୁ କାଟି ଟକି ଟିକି କରିଦେଇ ଥାନ୍ତି । ଭଲ ପାଇବାର ବେଶ ପ୍ରତିଦାନ ଦେଇଚୁ ଚଇ । କହିପାରିବୁ କିଏ ଚାହୁଁଥିଲା ଦେହକୁ ? ତୁ ନା ମୁଁ ? ଗୁଜିକୁ କୋଳରେ ଧରି ଧରି ପାଣୁଆର ସପନ ନେଇ ତୁ ସୁଖରେ ରହ ଚଇ । ଛେଳିଛୁଆଟାକୁ ନେଇଯାଉଚି । ଗୋଟାଏ ରାତି ପାଇଁତ କାନ୍ଦି ପାରିବି ଛାତିରେ ଜାକିଧରି । ମୋତେ ଭୁଲ୍ ବୁଝନା । ଆଉକେବେ ତ ସଂସାର ଜଳେଇବାକୁ ଆସିବିନି । କେବେ ନୁହେଁ.....

 

ଛେଳିଛୁଆଟାକୁ ଫିଟେଇ ନେଇ ଅନ୍ଧାରରେ ମିଳାଇ ଗଲା ହାଡ଼ିଆ । ଚଇ କାନ୍ଦୁଥିଲା ମୁଣ୍ଡ ବାଡ଼େଇ । ମନେ ମନେ ଗୁଣି ହେଉଥିଲା ହାଡ଼ିଆ କଥା । ସମାଧାନ କରି ପାରୁନଥିଲା ଗୋଟିଏ ପ୍ରଶ୍ନ, “କିଏ ଚାହୁଁଥିଲା ଦେହକୁ ? ତୁ ନା ମୁଁ ?” । କାନଟା ବନ୍ଦ ହେଇ ଯାଉଥିଲା । କାନ୍ଦି କାନ୍ଦି ଲୋଟିଗଲା ଗୁଜି ପାଖରେ । ପେଟଟା କେମିତି କୋଉଠି ଗୁମୁରି ଉଠୁଚି ।

 

ରାତିଟା ଶୋଇପାରିନି ହାଡ଼ିଆ । ଛେଳିଟାକୁ ଛାତିରେ ପକେଇ ଆପୁଡ଼େଇ ଥାପୁଡ଼େଇ ଅନେକ କାନ୍ଦିଚି । କାନ୍ଦସରୁନି । ମନମାନୁନି । ଆହୁରି କାନ୍ଦନ୍ତାକି ? କାନ୍ଦି କାନ୍ଦି ଲୁହ ଗୁଡ଼ାକୁ ସାରି ଦିଅନ୍ତାକି ? ଛାତିରେ ପଡ଼ି ଛୁଆଟା ଶୋଇ ଯାଇଚି । ଗତ ଦି ରାତି ଶୋଇପାରିନି ଛୁଆଟା । ଝୁରି ହେଉଥିଲା ହାଡ଼ିଆକୁ । ମନର ମଣିଷକୁ ପାଇଚି । ନିଶ୍ଚିନ୍ତରେ ଶୋଇଗଲାଣି ଅନେକବେଳୁ ।

 

ହାଡ଼ିଆ ଭାବୁଥିଲା ଛେଳି ଛୁଆଟା କଥା । କଣ କରାପାଇ ପାରେ ? କିଏ ତାକୁ ରଖିବ-? କିଏ ତାକୁ ସାହାହେବ ? ନିଜ ପେଟରୁ କାଟି କିଏ ଏଇ ଛୁଆଟାର ପେଟକୁ ଭର୍ତ୍ତି କରିବ-। ଚଇ ଉପରେ ବିଶ୍ୱାସ ଥିଲା । କେହି ନକଲେ ସେ କରିବ । ନିଜ ପେଟରୁ କାଟି ତାକୁ ଖୁଆଇବ-। ତା ହେଲାନି । ଚଇ ଦାଉ ସାଧିଲା । ଦି ଦିନ ହେଲା ବାନ୍ଧି ରଖିଥିଲା । ବେକରେ ଖଣ୍ଡେ ଦହଣା ଫାସି ଖୁଣ୍ଟରେ ଝୁଲୁଥିଲା କି ?

 

ସକାଳ ହେଲାଣି ଉଠେଇ ଦେଲା ଛେଳି ଛୁଆଟାକୁ । ରାତିରୁ ବେହେରା ଭାଇକୁ ଦିଅଣା ପଇସା ଦେଇଥିଲା, ମୁଢ଼ିଆଣି ଦେବ । ଆଜି ସେ ପେଟ ପୁରେଇ ଖାଇବାକୁ ଦେବ । ପରେ ପଛେ ଉପାସ ରହୁ । ପରେ ପଛେ ଫାସି ଖୁଣ୍ଟରେ ଝୁଲୁ । ଦେଖିବାକୁ ଆଉ ନଥିବ ସେ ।

 

ବେହେରାଭାଇ ମୁଢ଼ି ଗଣ୍ଡେ ଆଣିଦେଲା । କୁକୁର କେତେଟା ଦାନ୍ତ ନିକୁଟିଲେଣି । ସେମାନେ ବି ଚାହାଁନ୍ତି ଭାଗ । ନିର୍ଭୟରେ ଲାଙ୍ଗୁଡ଼ ହଲେଇ ଖାଇବାରେ ଲାଗିଚି ଛୁଆଟା । ଅନେକ ଦିନପରେ ହାଡ଼ିଆ ହାତରୁ ଖାଉଚି । ମନପୁରେଇ ଖାଇବ । ହାଡ଼ିଆ ହାତରେ କ’ଣ ମହୁ ଥାଏ ? ସେ ଦେଲେ କାହିଁକି ମିଠାଲାଗେ ?

 

ଖାଇସାରି ମୁହଁକୁ ଅନଉଚି ସେ । ପେଟ ପୁରିନି ବୋଧେ । ଆଉଗଣ୍ଡେ ହେଲେ ହୁଅନ୍ତା-। ପଇସା ନାଇଁ । କୋଳକୁ ଟାଣି ଗେଲ କଲା । ଡାକ୍ତରବାରୁ କହିଗଲେଣି । ଆଉ ଅଧଘଣ୍ଟେ ପରେ.... ।

 

ଭାବିପାରୁନଥିଲା ହାଡ଼ିଆ । ଯିଏ ଛୁଞ୍ଚିଟାକୁ ଡରୁଥିଲା କେମିତି ସେ ଛୁରୀ କଇଁଞ୍ଚିର ଖେଳରୁ ବର୍ତ୍ତିବ ? ନେଇଗଲା ପାଇପ୍ ପାଖକୁ । ପାଣିଝରୁଚି । ଖଣ୍ଡିଆ ଖପରାରେ ମୁନ୍ଦେ ପାଣି ଆଣିଲା । ପିଆଇଦେବ । ପୁଣି କିଏ ବୁଝିବ ନବୁଝିବ ।

 

ଡାକ୍ତରବାବୁ କହିଦେଇ ଗଲେଣି ଯିବାକୁ । ଖଟଉପରେ ଶୁଆଇ ଦେଲା ଛେଳି ଛୁଆକୁ-। ଗେଲକଲା । ପୁଣି କେବେ ଦେଖା ହବ ନ ହବ । ଏ ଜୁଆ ଖେଳରୁ ଯଦି ବଞ୍ଚିଯାଏ, ତହାଲେ ପୁଣି ଟାଣି ଆଣିବ ତାକୁ କୋଳକୁ । ପୁଣି ଗେଲ କରିବ ।

 

ଚଇଟା ଆସିନି ? ନ ଆସୁ । ତା ଛୁଆକୁ ହିନସ୍ତା କରିଚି । ହେଲେ ଶେଷବେଳରେ ଗୁଜିକୁ ଟିକେ ଦେଖି ପାରନ୍ତା ଭଲା । ଶେଷ ପର୍ଯ୍ୟନ୍ତ କ’ଣ ଚଇ ତାକୁ ବୁଝିପାରିଲାନି ? ଏମିତି କଣ ଦୁହେଁ ଦୁହିଁଙ୍କ ପାଇଁ ଚିରଦିନ ପ୍ରଶ୍ନବାଚୀ ହେଇ ରହିଯିବେ ?

 

ଷ୍ଟ୍ରେଚରରେ ପକେଇ ନେଇଗଲେ । ଗୋଡ଼ ହାତ ଥରୁଚି । ଛାତିଟା କେମିତି ଉଠୁଚି ପଡ଼ୁଚି । ଛୁରୀଗୁଡ଼ା ଦେଖି ରହିପାରିବ ତ ? ଲାଇଟ ତଳେ ଶୁଆଇ ଦେଇ ଚାଲିଗଲେଣି । ଟିକକ ପରେ ଆସିଲେ ଦୁଇ ତିନିଜଣ । ମୁହଁରେ କନାବନ୍ଧା ହାତରେ କନାର ଖୋଳପା । କାଚ ଆଲମାରିରେ ଥୁଆ ହେଇଚି ଅନେକ ଅନେକ ଧାରୁଆ ଚକ୍ ଚକ୍ ଛୁରିଗୁଡ଼ା । ମନକୁ ପାପ ଛୁଇଁଲା-। ସତେ କ’ଣ ସେ ବଞ୍ଚିବ ? ବଞ୍ଚିବତ ? ଏଣେ ଯେ ଚଇ ଆସିନି–

 

ଦି’ଟା ବେହେରା ଆଗେଇ ଆସୁଚନ୍ତି ପାଖକୁ । ଯମଦୂତ । ଦେହରେ ହାତ ପକେଇଲେଣି । ଉଠି ଚାଲିଯିବାକୁ ଚେଷ୍ଟାକଲା । ନାଁ, ଟିକେ ଜୋରରେ ଧରିଛନ୍ତି । ଡାକ୍ତର ବାବୁ କଣ ଗୋଟେ ଇଂଜେସନ୍ ଠିକ୍ କଲେଣି । ବୁଢ଼ା କମ୍ପାଉଣ୍ଡର ବାବୁ ଛୁରୀଗୁଡ଼ା ଠିକ୍ ଅଛିକିନା ଦେଖିବାର ବ୍ୟସ୍ତ । ଲାଇଟ ପଡ଼ି ଚକ୍ ଚକ୍ କରୁଚି । ହାଡ଼ିଆର ରକ୍ତ ପିଇବାକୁ ସେମାନେ ବ୍ୟସ୍ତ ଯେମିତି । ଆଖି ବୁଜି ହେଇଗଲା ଚିତ୍କାର ଟାଏ କଲା ହାଡ଼ିଆ । ତାପରେ..... ? ତା..... ?

 

ଆଉ ଇଂଜେସନ୍ ଦେବାକୁ ପଡ଼ିନି ଡାକ୍ତର ବାବୁଙ୍କୁ । ଫେରି ଆସିଛନ୍ତି ସେ । ହାର୍ଟଫେଲ କରିଚି ହାଡ଼ିଆ ।

 

ଷ୍ଟ୍ରେଚର ପଛେ ପଛେ ଯାଇଥିଲା ଛେଳି ଛୁଆଟା ଛୁଟେଇ ଛୁଟେଇ । ମେଁ ମେଁ ହେଉଚି ସେ । ବେହେରାମାନେ ବାହାର କରି ଦେଇଛନ୍ତି ତାକୁ ବାହାରକୁ । ପଶିବାକୁ ଅନେକ ଚେଷ୍ଟା କରିଚି । ହେଲେ ସଫଳ ହେଇନି । ସେଇଠି ସେଇ କବାଟ ପାଖରେ ସେମିତି ମେଁ ମେଁ ହେଇ ଛିଡ଼ା ହେଇଥାଏ । ବାହାରର ଦିଟା ଭୋକିଲା କୁକୁରଙ୍କର ଆଖି ତା ଉପରେ । ଅନେକ ଦିନର ଆରମାନ ଆଜି ମେଣ୍ଟିବ । ସବୁ ଚାଲିଗଲେଣି ଭିତରକୁ । କେହିନାହିଁ । କେବଳ ଛେଳି ଛୁଆଟି ଠିଆହେଇ ମେଁ ମେଁ ହେଉଚି । ଏତ ସୁବର୍ଣ୍ଣ ସୁଯୋଗ ଏଇ ସୁଯୋଗରେ ଅପେକ୍ଷାରେ ଥିଲେ କୁକୁର ଦିଟା । ତା ପରେ..... ??

 

ମଝି ବିଲ କିଆରୀଟାରେ ଗୁଜିକୁ କାନ୍ଧରେ ପକେଇ ଦଉଡ଼ିଚି ଚଇ । ସାଥିରେ ପିଅନ, ହରିହର ବାବୁ, ଆଉ କେତେଗୁଡ଼େ କଙ୍କାଳ । ହାଡ଼ିଆକୁ ଫେରେଇ ଆଣିବେ । ଯିଇଥାଉ ଥାଉ ଯମ ଯନ୍ତ୍ରଣା ସହିବାକୁ ଛାଡ଼ି ଦେବେନି । ଡାକ୍ତରବାବୁଙ୍କର ଟଙ୍କା ପାହି ପାହି ଚୁକେଇ ଦେବେ ।

 

ଚଇ ଭାବୁଥିଲ ଅନେକ କିଛି । ହାଡ଼ିଆର କୋଳକୁ ଟେକି ଦେଇ ଗୁଜିକୁ ନିଜେ ତାର ଗୋଡ଼ ତଳେ ପଡ଼ି ଅଳି କରିବ । ଆଜିଠୁ ଗୁଜି ତାର । ସେ ଭୁଲକରିଚି I ଫେରେଇ ଆଣିବ ତାକୁ କେବେ କିଛି କହିବନି ଆଉ । ଗୁଜି ସିଏ ଖେଳିବେ । ଗୁଜି ଦାଢ଼ି ଟାଣିବ । ଓହ ଓହ ହେଇ ହସୁଥିବ ସେ । ଚଇ ଖାଲି ଦେଖିବ, ଏଇ ଦିଜଣଙ୍କ ହସ ଖୁସିରେ ସେ ହସିବ । ଏଇ ଦିଜଣଙ୍କ କାନ୍ଦରେ ସେ କାନ୍ଦିବ । ବାଡ଼ ହେବନି କେବେ ।

 

ଡାକ୍ତରଖାନାରେ ଭିଡ଼ ଜମିଚି । ଖୁବ୍ ଭିଡ଼ । ସମସ୍ତଙ୍କୁ ଠେଲି ଭିତରକୁ ପଶିଲା ଚଇ । କଣ ହେଇଚି । ହାଡ଼ିଆଇର କିଛି ହେଇନି ତ ? ପହଞ୍ଚି ହତବାକ୍ ହେଇଗଲା ଚଇ । ଗୋଟିଏ ଖଟରେ ଶୋଇଚି ହାଡ଼ିଆ । ପାଖରେ ଛେଳି ଛୁଆଟା । ତଣ୍ଟି କଣା ହେଇ ଯାଇଚି । ଦୁହେଁ ଅନେକ ଦିନର ବ୍ୟସ୍ତତାର ଜବନିକା ଟାଣି ଶୋଇ ଯାଇଛନ୍ତି ଖୁବ୍‍ ନିଶ୍ଚିନ୍ତରେ ।

 

ପୃଥିବୀଟା ଓଲଟ ପାଲଟ୍ ହୋଇଗଲାକି ? ପାଦତଳ ମାଟିଟା କୋଉ ଚୋରାବାଲିର ପରଶରେ ଦୂରେଇ ଯାଉଚି କି ? ସତରେ କଣ ହାଡ଼ିଆ’ଇ ଅଭିମାନ କରି ଚାଲିଗଲା, ଟିକେ ବୁଝିବାକୁ ଚେଷ୍ଟା କଲାନି ନାରୀ ହୃଦୟକୁ ? ତାପାଇଁ ସେ କଣ ସବୁଦିନ ଗୋଟେ ପ୍ରଶ୍ନବାଚୀ ହେଇ ରହିଗଲା ? ଆଉକିଛି ଭାବି ପାରୁନଥିଲା ଚଇ । ଗୁଜିକୁ ହାଡ଼ିଆ କୋଳରେ ଶୁଆଇ ଦେଇ ଦୁଇ ପାଦର ସନ୍ଧିରେ ମୁହ ଗୁଞ୍ଜି ଖାଲି କାନ୍ଦୁଥିଲା ଚଇ ଜୋରରେ । ଖୁବ୍ ଜୋରରେ ।

 

କାନ୍ଦୁଥିଲା ଗୁଜି ।

 

କାନ୍ଦୁଥିଲେ ହରିହର ବାବୁ ନୂଆ ପିଅନଟା । ଆଉ ଅନେକ କଙ୍କାଳର କୋଟର ଗତ ଆଖି । ଦୂର କିଆ ବୋଦାମୂଳରୁ ଅଣ୍ଡିରା ବିଲୁଆଟାଏ ବୋବାଳି ଛାଡ଼ୁଥିଲା ଚଇର ହିଆକୁ ବିଦାରି ବିଦାରି......

 

ସେତେବେଳକୁ ଗୋଟିଏ ବୃତ୍ତ ଅନ୍ୟ ଗୋଟିଏ ବୃତ୍ତ ଭିତରେ ନିଖୋଜ ହେଇ ଯାଉଥିଲା ଯେପରି । ଆଉ ଦୁହିଁଙ୍କ ଭିତରେ ‘‘ସୀମା ପରିସୀମା”କୁ କିଏ, ଯେପରି ମାପଯୁପ୍ କରୁଥିଲେ ।

 

ବାହାରେ ଡାକ୍ତରଖାନା ଆଗ ବଗିଚାରେ ସୂର୍ଯ୍ୟମୁଖୀ ପାଖୁଡ଼ା ଉପରେ ଖରାର ତାତି ବଢ଼ୁଥାଏ ।

Image